Wednesday, February 2, 2022

ପ୍ରାଚୀନ ଓଡ଼ିଆ ଶବ୍ଦ ଗହବ

ସହସ୍ର ସହସ୍ର ପ୍ରାଚୀନ ଓଡ଼ିଆ ଶବ୍ଦ କାଳ ଆଗରେ ପରାଜିତ ହୋଇ ଵିଲୁପ୍ତ ହୋଇଛି ଏଵଂ ହୋଇଛାଲିଛି । ସେହିପରି ଏକ ପ୍ରାଚୀନ ଲୁପ୍ତପ୍ରାୟ ଓଡ଼ିଆ ଶବ୍ଦ ଗହବ । ଗହବ ଶବ୍ଦ ଆଜି ଅନେକ ଓଡ଼ିଆଙ୍କ ପାଇଁ  ଅଜଣା । ହଠାତ୍ ଜଣେ ନଗରଵାସୀ ଓଡ଼ିଆକୁ ଗହବ ଅର୍ଥ କ'ଣ ବୋଲି ପଚାରିଦେଲେ ସେ ତତ୍ ସମ୍ବନ୍ଧରେ କିଛି କହି ନପାରେ କିନ୍ତୁ ପ୍ରାଚୀନ ଓଡ଼ିଆ ସାହିତ୍ୟରେ ଗହବ ଶବ୍ଦର  ପ୍ରୟୋଗ ଥିଲା ‌ ।

କଵି ଦେଵଦୁର୍ଲଭ ଦାସ,  ଅତିବଡ଼ ଜଗନ୍ନାଥ ଦାସଙ୍କ ସମସମାୟିକ କଵି । ସେ ତାଙ୍କର
ରହସ୍ୟ ମଞ୍ଜରୀ କାଵ୍ୟର ପଞ୍ଚମ ଛାନ୍ଦରେ ଗହବ ଶବ୍ଦର ପ୍ରୟୋଗ ‘ଗହଳ ଵା ଗହଳି’ କିଂଵା ଲକ୍ଷଣାର୍ଥ ‘ସମସ୍ୟା ଅଥଵା ଜଞ୍ଜାଳ’ ଅର୍ଥରେ କରିଛନ୍ତି ।

“କଉଁ ଦଇବ ମୋତେ ଛନ୍ଦିଗଲା ।
କାହୁଁ ଆଣିରେ କାହିଁ ବନ୍ଦୀ କଲା ॥
ଯାଇ ଆସିବି ବୋଲି ମୁଁ ଅଇଲି ।
ଆସି ଗହବରେ ପଡ଼ି ରହିଲି ॥”

ସେହିପରି କଵିସୂର୍ଯ୍ୟ ଵଳଦେଵ ରଥ ତାଙ୍କର ଏକ ଗୀତିକଵିତା “ମନା ମୁଁ କରୁଥିଲି ଏହାକୁ ଗୋ”ରେ ଗହଵ ଶବ୍ଦକୁ ଘଞ୍ଚ ଵା ଘନ ଅର୍ଥରେ ଵ୍ୟଵହାର କରି ଲେଖିଛନ୍ତି

“ଗହବ ଚମ୍ପା ଧଣ୍ଡା ନିର୍ମିତ ଗଜଶୁଣ୍ଢା
ଦଣ୍ଡକୁ ନିନ୍ଦି ଚାହିଁ ଯାହାକୁ ଗୋ !
ଵିଶେଷେ ଵିସନାଳ ଦିଶିଲାଣି ପୃଥୁଳ
ଆଉ କାହିଁଛି ସେହି ବାହାକୁ ଗୋ ॥”

ଗହବ ଶବ୍ଦଟି ଓଡ଼ିଶାର ନଗରାଞ୍ଚଳରେ ପ୍ରଚଳିତ କଥିତ ଓଡ଼ିଆ ଭାଷାରୁ ସମ୍ପୂର୍ଣ୍ଣ ନିଶ୍ଚିହ୍ନ ହୋଇଯାଇଛି । ଵର୍ତ୍ତମାନର ମାନକ ଓଡ଼ିଆରେ ମଧ୍ୟ ଏହା ପରିଵର୍ତ୍ତେ ଘନ,ଘଞ୍ଜ,ଗହଳିଆ ଆଦି ଶବ୍ଦ ପ୍ରୟୋଗ ହୁଏ । ତେବେ ଓଡ଼ିଶାର ଗ୍ରାମାଞ୍ଚଳରେ ଗହବ ଓ ଗହବା ଶବ୍ଦ ପୁରୁଣାକାଳିଆ ଲୋକଙ୍କ ମୁଖରୁ ବେଳେ ବେଳେ ଶୁଣିଵାକୁ ମିଳିଥାଏ ‌ ।

ଆଜିକାଲିର କଵି ଲେଖକମାନେ ଗହବ ଓ ଗହବା ଶବ୍ଦ ସହିତ ସେତେଟା ପରିଚିତ ନୁହନ୍ତି ତେବେ ଅଳ୍ପ କେଇଜଣ ଆଧୁନିକ ସାହିତ୍ୟିକ ଗହବା ଶବ୍ଦକୁ ଘଞ୍ଚ ଅର୍ଥରେ ପ୍ରୟୋଗ କରୁଛନ୍ତି । ମୋଟ ଉପରେ କହିଵାକୁ ଗଲେ ସୀମିତ ଅଞ୍ଚଳର କଥିତ ଶୈଳୀରେ ଗହବ ଓ ଗହବା ଶବ୍ଦ ବଞ୍ଚିରହିଛି । କିନ୍ତୁ ଗହବ ଓ ଗହବା ଶବ୍ଦଦ୍ଵୟ
ଘନ,ଘଞ୍ଚ,ଗହଳିଆ,ଝାଙ୍କାଳିଆ ଆଦି ଶବ୍ଦ ପରି ଓଡ଼ିଶାର ଲୋକଙ୍କ ନିକଟରେ ସେତେ ଜଣାଶୁଣା ହୋଇପାରି ନାହିଁ ।

କେହି କେହି ଗହବ ଓ ଗହବା ଶବ୍ଦକୁ ଦେଖି ମନେ କରନ୍ତି ଯେ ଏ ଉଭୟ ଶବ୍ଦ ଆରବୀ ,ପାର୍ସୀ କି ତୁର୍କ ଭାଷା ମୂଳର ହୋଇଥିଵ କିନ୍ତୁ ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଶ୍ରୀଗୋପାଳଚନ୍ଦ୍ର ପ୍ରହରାଜ ଗହବ ଶବ୍ଦକୁ ତତ୍ସମ ଗହନ ସହିତ ସମୋଦ୍ଧୃତ ବୋଲି ମତ ଦେଇଛନ୍ତି ।‌

ହିନ୍ଦୀଭାଷା ଭାରତର ଅନ୍ୟାନ୍ୟ ଭାଷା ଅପେକ୍ଷା ଆରବୀ, ପାର୍ସୀ ଓ ତୁର୍କ ଭାଷାର ଶବ୍ଦଦ୍ଵାରା ସର୍ଵାଧିକ କଳୁଷିତ । ମାତ୍ର ସେ ଭାଷାରେ
ସଣ୍ଡୁଆସି ଵା pincersକୁ ଗହବା କୁହାଯାଏ ଏଵଂ ହିନ୍ଦୀ କି ମରାଠୀ ଆଦି ଭାଷାରେ ଗହବ ବୋଲି କୌଣସି ଶବ୍ଦ ଘଞ୍ଚ ଵା ଗହଳିଆ ଅର୍ଥରେ ଚଳୁନାହିଁ । ସେହିପରି ହିନ୍ଦୀରେ गहवाना ଶବ୍ଦ ଧରିଵା ଅର୍ଥରେ ଉତ୍ତର ଭାରତୀୟ ଗ୍ରାମାଞ୍ଚଳରେ କଥିତ  ହୋଇଥାଏ କିନ୍ତୁ ଓଡ଼ିଆ ଭାଷାରେ ଫଶଣ୍ଡି ଯିଵା ଵା ଖୁବ୍ ହୃଷ୍ଟ ପୁଷ୍ଟ ହୋଇ ବଢ଼ିଵା ଅର୍ଥରେ ଗହବିଵା କ୍ରିୟା ଚଳୁଅଛି । ଯେତେବେଳେ କୌଣସି ଗଛ ଖୁବ୍ ହୃଷ୍ଟ ପୁଷ୍ଟ ହୋଇ ବଢ଼େ ସେ ଗଛ ଝାଙ୍କାଳିଆ ହୁଏ ଏଵଂ ଏହିପରି ଏକାଧିକ ଗଛ ଏକସ୍ଥାନରେ ଉଠିଲେ ଉକ୍ତ ସ୍ଥାନ ଘଞ୍ଚ ଓ ଗହଳ ହୋଇଥାଏ । ଏଣୁ ଗହବ,ଗହବା ଶବ୍ଦଦ୍ଵୟ ସହିତ ଓଡ଼ିଆ କ୍ରିୟା ଶବ୍ଦ ଗହବିଵାର ସମ୍ପର୍କ ରହିଛି ।

ତେବେ ଏ ତିନୋଟି ଯାକ ଶବ୍ଦର ଅନ୍ୟ କୌଣସି ଶବ୍ଦ ସହ ସମ୍ପର୍କ ଅଛି କି ?

ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଅନୁସାରେ ଗହବ ଵା ଗହବା ଶବ୍ଦ, ତତ୍ସମ ଗହନ ସହିତ ସମୋଦ୍ଧୃତ ।‌ ଗହନ ଶବ୍ଦର ମୂଳରେ ଅଛି
ଗହ୍ ଧାତୁ ଯହିଁରୁ ନିଵିଡ଼ ହେଵା,ଗହଳ ହେଵା,ଗଭୀର ହେଵା, ବୁଝିଵାକୁ କଠିଣ ହେଵା ଆଦି ଅର୍ଥରେ ଶବ୍ଦ ନିଷ୍ପନ୍ନ ହୋଇଥାଏ ।

ମତାନ୍ତରେ ପ୍ରାଚୀନ ଓଡ଼ିଆ ସାହିତ୍ୟରେ ଗହବ ଶବ୍ଦ ପ୍ରୟୋଗ ହୋଇଅଛି ଗହବା ଶବ୍ଦର ଘଞ୍ଚ,ଘନ ଆଦି ଅର୍ଥରେ ଵ୍ୟଵହାର ଆଧୁନିକ। ହୁଏତ ପୂର୍ଵେ ଗହନଵନ ଶବ୍ଦଟି କ୍ରମଶଃ ପରିଵର୍ତ୍ତିତ ହୋଇ ଗହବରେ ପରିଣତ ହୋଇଥିଵ ଏଵଂ ସମୟ ସହ ଗହବ ଶବ୍ଦ ଗହବା ରୂପେ ଚଳିଵାକୁ ଲାଗିଥିଵ । ଉଲ୍ଲେଖଯୋଗ୍ୟ ଯେ ଓଡ଼ିଆ ଭାଷାରେ ଗହନ ଶବ୍ଦର ଏକ ଅର୍ଥ ଵନ ଵା ଜଙ୍ଗଲ ଅଟଇ ‌ ।

କଵିସୂର୍ଯ୍ୟ କିଶୋରୀଚନ୍ଦ୍ରାନନ୍ଦ  ଗ ଚମ୍ପୁରେ ଏହି ଵନ ଅର୍ଥରେ ଗହନ ଶବ୍ଦ ପ୍ରୟୋଗ କରି ଲେଖିଛନ୍ତି

“ଗିଳିଦେଲା ପୁରନ୍ଦର-ନୀଳକର-କଳିକାମୟ ତିମିର ଗହନ କି ଗୃହ ହୋଇଲା
ସନ୍ଦେହ ନିଶ୍ଚୟ ହୋଇ ଭିଦୂର ॥”

ଓଡ଼ିଆ ଭାଷାରେ ଉଭୟ ଗହନ ଓ ଵନ ଶବ୍ଦ ଏକାର୍ଥବୋଧକ ହୋଇଥିଵାରୁ ଏଵଂ ଗହନ ଶବ୍ଦର ଏକ ଅର୍ଥ ଘନ ଵା ଘଞ୍ଚ ହୋଇଥିଵାରୁ ଏ ଉଭୟ ଶବ୍ଦ “ଗହନ ଵନ” ରୂପେ ମଧ୍ୟ ପ୍ରୟୋଗ ହୋଇଥାଏ । ଉଦାହରଣ ସ୍ୱରୂପ ଅତିବଡ଼ ଜଗନ୍ନାଥ ଦାସ ଵିରଚିତ ଓଡ଼ିଆ ଭାଗଵତର ନଵମ ସ୍କନ୍ଧରେ ଗହନ ଵନ ଶବ୍ଦ ଵ୍ୟଵହୃତ ହୋଇଅଛି ।

“ଧନୁ-କମାଣ ଘେନି କରେ ।
ପଶିଲା-ଗହନ ଵନରେ ॥
ଵନେ ବୁଲନ୍ତେ ଧର୍ମ ଗୁଣି ।
ଶୁଣିଲା ଅନ୍ତରୀକ୍ଷ ଵାଣୀ ॥”

ପୁଣି ଭାଗଵତର ପ୍ରଥମ ସ୍କନ୍ଧରେ ଗହନ ଵନସ୍ତ ଶବ୍ଦ ପ୍ରୟୋଗ ହୋଇଅଛି
“ବେଗେ ପଳାଇ ଭୂମିଗତେ ।
ପଶିଲା ଗହନ ଵନସ୍ତେ ॥”

ପୁନଶ୍ଚ ଓଡ଼ିଆ ଭାଷାରେ ଗହଳ ଓ ବହଳ ଉଭୟ ଶବ୍ଦ ଏକାର୍ଥବୋଧକ ଅର୍ଥାତ୍ ଏ ଦୁଇଗୋଟି ଶବ୍ଦ ଘନ ଗଭୀର ଘଞ୍ଚ ଆଦି ଅର୍ଥରେ ପ୍ରୟୋଗ କରାଯାଏ । ତେଣୁ ଏମନ୍ତ ମଧ୍ୟ ହୋଇପାରେ ଯେ ଗହଳ ବହଳ ସହଚର ଶବ୍ଦରୂପେ ଶିଘ୍ର ଶିଘ୍ର କଥିତ ହେଵା ସମୟରେ ତହିଁରୁ ଳ ଵର୍ଣ୍ଣ ଲୁପ୍ତ ହୋଇ ଗହବହ ହୋଇଥାଇପାରେ ଏଵଂ ପରେ ତାହା ଗହବରେ ପରିଣତ ହୋଇଥିଵା ସମ୍ଭଵ ।‌

ତେବେ ଓଡ଼ିଆ ଭାଷାରେ ଗହନ ଵା dense ଅର୍ଥରେ ବହଳ,ଗହଳ,ଘନ,ଘଞ୍ଚ,ଅଚ୍ଛିଦ୍ର,ଅଝାଲ, ନିଵିଡ଼,ଅଵିରଳ,ଅଭେଦ୍ୟ,ଅସନ୍ଧି,କଳିଳ,କିଟ୍କିଟା,କୁଚାପେଲା,ଅଗମ୍ୟ,କୋଟ,ଖର,ଗଭୀର, ଗମ୍ଭୀର,ଗହଣ,ଘନ୍ଘାର, ଘମାଘୋଟ,ଘେଞ୍ଚ,ଗାଢ଼,ଗାଢା଼,ଘୋର,ଜକାଜକି, ଜାବଡ଼,ନିଃସନ୍ଧି,ନିଘଞ୍ଚ,ନଘନ,ନିଵାତ,ନିବୁଜ୍,ନୀର୍ବନ୍ଧ(ପ୍ରା), ପ୍ରଗାଢ଼,ପ୍ରମୀଢ଼,ବହୁଳ ଓ ସାନ୍ଦ୍ର ଭଳି ଶହ ଶହ ତତ୍ସମ,ତଦ୍ଭଵ ଓ ଦେଶଜ ଓଡ଼ିଆ ଶବ୍ଦ ରହିଛି ।

Dense ଵା ଗହନ ଅର୍ଥରେ‌ ଏତେ ଶବ୍ଦ ଥିଵାରୁ ଏଵଂ କଥିତ ଭାଷାରେ ଘନ, ଘଞ୍ଚ,ଗହୀର,ବହଳ ଆଦି ଶବ୍ଦର ଵ୍ୟଵହାର ଅଧିକ ହେଉଥିଵାରୁ
ପନ୍ଦରଶହ ଶତାବ୍ଦୀରେ ଓଡ଼ିଆ ସାହିତ୍ୟରେ  ପ୍ରୟୋଗ କରାଯାଇଥିଵା ଗହବ ଶବ୍ଦ ସେତେ ଲୋକପ୍ରିୟ ହୋଇନପାରି କେତେକ ଅଞ୍ଚଳର
କଥିତ ଶୈଳୀରେ ଗହବା ରୂପେ ଚଳିଵାକୁ ଲାଗିଲା । କଥିତ ଓଡ଼ିଆ ଶବ୍ଦକୋଷ ଅନୁସାରେ ଆଜି ବି ଅନୁଗୋଳ ଓ ଏହାର ଆଖପାଖ ଅଞ୍ଚଳରେ ଗହବା ଶବ୍ଦଟି ଘନ ଓ ଘଞ୍ଚ ଅର୍ଥରେ ଵ୍ୟଵହାର ହେଉଅଛି । ଓଡ଼ିଶାର ଆଧୁନିକ ସାହିତ୍ୟକାରମାନେ ଗହବ ଶବ୍ଦକୁ ସାହିତ୍ୟରେ ଵ୍ୟଵହାର କଲେ ଏହି ସାହିତ୍ୟିକ ଶବ୍ଦଟି ଅନ୍ତତଃ ସାହିତ୍ୟ ମଧ୍ୟରେ ବଞ୍ଚି ରୁହନ୍ତା ।

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...