Friday, February 11, 2022

ଘଇତାବୁକୁଠାରୁ Promise ଯାଏଁ

ଓଡ଼ିଆରେ ଢଗ ଅଛି...

“ଯେବେ ପାଇଥାଏ ଘଇତାବୁକୁ
ସଜ ହେଉଥାଏ ବାପ ଘରକୁ।”

ଘଇତାବୁକୁ ମାନେ କ'ଣ ?

ସ୍ବାମୀଠାରୁ ଉତ୍ସାହ ଵା ଅଙ୍ଗୀକାର ଵଚନକୁ ଘଇତାବୁକୁ କୁହାଯାଏ । ଘଇତା ଓ ବୁକୁ ଶବ୍ଦର ଏହା ଲକ୍ଷଣାର୍ଥ ପ୍ରୟୋଗ ।

ଯାହାକୁ ଆଜିକାଲିର ଓଡ଼ିଆ promise ବୋଲି ଜାଣନ୍ତି ଆଗେ ଓଡ଼ିଶାରେ ତାକୁ କଥା ଦେଵା,ଅଙ୍ଗୀକାର, ପ୍ରତିଶ୍ରୁତି,ଅଚକାର,ଦମ୍ଭ ଦେଵା,ହଁ କରିଵା,ଉଁ କରିଵା,ଵଚନ ଦେଵା, ପ୍ରତିଜ୍ଞା କରିଵା,ସତ୍ୟ କରିଵା,ବୋଲ,ଭରସା ଦେଵା,ରାଣ ଖାଇଵା,ସାହସ ଦେବା ଇତ୍ୟାଦି ଇତ୍ୟାଦି କୁହାଯାଉଥିଲା ।‌

ସେହିପରି ସ୍ଵାମୀ ତା ସ୍ତ୍ରୀକୁ ଦେଉଥିଵା ଦୃଢ଼ ପ୍ରତିଶ୍ରୁତିକୁ ଘଇତାବୁକୁ କୁହାଯାଉଥିଲା । କିନ୍ତୁ କେଉଁ ଆଧାରରେ ଘଇତା ଶବ୍ଦ ସହ ବୁକୁ ଶବ୍ଦ ଲାଗି ଘଇତାବୁକୁର ଏଭଳି ଲକ୍ଷଣାର୍ଥକ ପ୍ରୟୋଗ ହୋଇପାରେ ?

ଆମେ ଜାଣନ୍ତି ଭର୍ତ୍ତା,ପତି ଵା ସ୍ଵାମୀକୁ ଓଡ଼ିଆ ଭାଷାରେ ଘଇତା କୁହନ୍ତି ଯାହା ଗ୍ରହୀତା ଶବ୍ଦ ସହିତ ସମୋଦ୍ଧୃତ । ସେହିପରି ବୁକୁ ଶବ୍ଦଟି ଆମ ଭାଷାରେ ଛାତି,ଵକ୍ଷସ୍ଥଳ,ହୃଦୟ,ଦମ୍ଭ, ଧୈର୍ଯ୍ୟ ଓ ସାହସ ଆଦି ଅର୍ଥରେ ଵ୍ୟଵହାର ହୋଇଥାଏ ।
ଯାଆ ଛାତି ଟାଣୁଆ ,ଯାଆ ହୃଦୟ ଭୟଭୀତ ହେଲେ ଥରେ ନାହିଁ ସେ ସାହସୀ ଓ ଧୈର୍ଯ୍ୟଵାନ ଅଭିହିତ ହୋଇଥାଏ ।

ତେଣୁ ବୁକୁ ଶବ୍ଦର ଏହି ଅର୍ଥ ଘେନି ସ୍ତ୍ରୀକୁ ସ୍ଵାମୀର ପ୍ରତିଶ୍ରୁତି ଵାକ୍ୟକୁ ଦମ୍ଭ ଦେଵା, ଧୈର୍ଯ୍ୟ ଦେଵା ଓ ସାହସ ଦେଵା ଅର୍ଥରେ ଲକ୍ଷଣାର୍ଥ ଘଇତାବୁକୁ ଶବ୍ଦ ପ୍ରୟୋଗ କରାଯାଇଥିଲା ।

କଥିତ ଓଡ଼ିଆ ଭାଷାରେ କଥା ଦେଵା ଭଳି ଶବ୍ଦ ଆଜି ବି ପ୍ରୟୋଗ କରାଯାଏ ସେହିପରି ଓଡ଼ିଆରେ ପ୍ରତିଶ୍ରୁତି, ଅଙ୍ଗୀକାର ଭଳି ଶବ୍ଦ ମଧ୍ୟ ଵ୍ୟଵହାର କରାଯାଉଥିଲା ।

ତାପରେ ଧସେଇ ପଶି ଆସିଲା ଵୈଦେଶିକ ଆରବୀ ମୂଳର ଶବ୍ଦଟିଏ “ଜବାବ୍”  ! ଏହି ଶବ୍ଦଟି ଏତେ ଲୋକପ୍ରିୟ ହୋଇଗଲା ଯେ ଅନେକ ଓଡ଼ିଆ ଶବ୍ଦ ବଳି ପଡି଼ଗଲେ !

ଜାଣିଲେ ଆଶ୍ଚର୍ଯ୍ୟ ହେବେ ଇଂରାଜୀ ଭାଷା ସହିତ ମଧ୍ୟ ସମାନ କଥା ଘଟିଥିଲା ।

promise ପ୍ରକୃତରେ ଏକ ମୂଳ ଇଂରାଜୀ ଶବ୍ଦ ନୁହେଁ । ଫ୍ରେଞ୍ଚ୍ ଭାଷାର promesse ଶବ୍ଦ ଇଂରାଜୀ ଭାଷାରେ ଆସି promis ଓ  promisse ହୋଇ ଶେଷରେ promise ରୂପେ ଚଳୁଅଛି ।

ପ୍ରାଚୀନ ଇଂରାଜୀରେ promise ବୋଲି କୌଣସି ଶବ୍ଦ ଚଳୁନଥିଲା  ଵରଂ
ସାକ୍ସନ୍ ଶବ୍ଦ gihêtan, ପ୍ରାଚୀନ ଜର୍ମାନ୍ giheizan ଓ ଗୋଥିକ୍ 𐌲𐌰𐌷𐌰𐌹𐍄𐌰𐌽 (gahaitan) ସହିତ ସମୋଦ୍ଧୃତ ପୁରୁଣା ଇଂରାଜୀ ଶବ୍ଦ
ġehātan (“ପ୍ରତିଶ୍ରୁତି ଦେଵା”) ଓ ġehāt (“ପ୍ରତିଶ୍ରୁତି”) ଶବ୍ଦଦ୍ଵୟ କଥା ଦେଵା ଓ ଅଙ୍ଗୀକାର ଅର୍ଥରେ ପ୍ରୟୋଗ ହେଉଥିଲା ।

ଫ୍ରେଞ୍ଚ ଲୋକଙ୍କ ଦ୍ଵାରା ଅନେକ ଵର୍ଷ ଧରି ପରାଧୀନ ହେଵାରୁ ଲାଟିନ୍ ଭାଷା ମୂଳର ଶତ ଶତଭାରୋପୀୟ ଶବ୍ଦ ଜର୍ମାନ୍ ଭାଷା ଶାଖାର ଇଂରାଜୀ ଭାଷାରେ ଚଳିଵାକୁ ଲାଗିଲା । ଏହିଧରଣର ଗୋଟିଏ ଶବ୍ଦ ହେଉଛି ଏହି Promise ଶବ୍ଦ ଏଵଂ ଲାଟିନ୍ ଭାଷାର prōmissa ଓ  prōmissum ଓ  prōmittō ଆଦି ସହିତ ଏହାର ସଗୋତ୍ରୀୟ ସମ୍ପର୍କ ରହିଛି । ପରେ ଇଂରାଜୀରେ prōmittō ଶବ୍ଦର ମୂଳରୁ  admit, commit ଓ permit ଆଦି ଶବ୍ଦ ମଧ୍ୟ ଆସି ଚଳିଛି ।
ଗୋଥିକ୍ ମୂଳର ପ୍ରାଚୀନ ଇଂରାଜୀ ଶବ୍ଦ ġehāt ଓ ଫ୍ରେଞ୍ଚ ଭାଷା ମୂଳର ଆଧୁନିକ ଇଂରାଜୀ ଶବ୍ଦ promise ଶବ୍ଦର କାହାଣୀରୁ ଆମେ କ'ଣ ଜାଣିଲେ ?

ଯେତେବେଳେ ଗୋଟିଏ ଭାଷା ଅନ୍ୟ ଏକ ଭାଷାରୁ ଆପଣା ପାଖରେ ଶବ୍ଦ ଥାଇ ମଧ୍ୟ ଶବ୍ଦଗ୍ରହଣ କରେ ସେ ତାହାର ନିଜସ୍ଵ ଶବ୍ଦଟିକୁ ହରାଇଥାଏ ।‌

No comments:

Post a Comment

Dancing Mania: ମଧ୍ୟଯୁଗୀୟ ୟୁରୋପର ରହସ୍ୟମୟ ମୃତ୍ୟୁ ନୃତ୍ୟ

ମଧ୍ୟଯୁଗୀୟ ଇଉରୋପରେ ପ୍ଲେଗ୍‌ ଵ୍ୟାପିଵା ସହିତ ଧର୍ମୀୟ ଉତ୍ତେଜନା ମନୁଷ୍ୟ ମନକୁ ଆତଙ୍କିତ କରୁଥିଲା ବେଳେ, ଏକ ଅଜଣା ଓ ରହସ୍ୟମୟ ଘଟଣା ସମାଜକୁ ଆହୁରି ଭୟଭୀତ କରିଥିଲା ...