Monday, March 16, 2020

ମୋ ଗାଆଁର ନାଆଁ କନ୍ତିଓ

ମୋର ଜନ୍ମଭୂମି କଳିଙ୍ଗ ଦେଶ ଅନ୍ତର୍ଗତ ପ୍ରାଚୀନକାଳରେ ମହ୍ଲାରଦେଶ ଭାଵେ ଖ୍ଯାତ ଢେଙ୍କାନାଳ ଗଡ଼ଜାତ ଅଟେ । ଏଇ ଢେଙ୍କାନାଳ ଗଡ଼ଟି ଅନେକ ଵିଷୟ ଵା ପ୍ରଗଣାରେ ଵିଭକ୍ତ ତନ୍ମଧ୍ୟରୁ ପାରିମାଳ ଵିଷୟ ଅନ୍ଯତମ । ପାରିମାଳ ଵିଷୟରେ ଗୋଟିଏ ଗାଆଁ ହେଉଛି କନ୍ତିଓ ,ମୋ ଗାଆଁ ।

କନ୍ତିଓ ଗାଆଁଟି କଳିଙ୍ଗ ଦେଶରେ ସେତେ ଲୋକପ୍ରିୟ ନୁହେଁ କିନ୍ତୁ ଏ ଗାଆଁରେ ଏକଦା ଢେଙ୍କାନାଳ ରାଜାଙ୍କ ଗୁରୁ ଆଶ୍ରମ ଥିଲା ଓ ତାଙ୍କ ପ୍ରଚେଷ୍ଟାରେ ଏଠାରେ ଗୋଟିଏ ଵୈଷ୍ଣଵ ଗ୍ରାମ ତଥା ମଠ ସ୍ଥାପନ ହୋଇଥିଵାର କିମ୍ବଦନ୍ତୀ ଶୁଣାଯାଇଥାଏ । ଆମ ପଞ୍ଚାୟତରେ କନ୍ତିଓ, ପୁଟସାହି ଓ ଜକା ତିନୋଟି ଗ୍ରାମ ରହିଥିଲେ ହେଁ ପୁଟସାହିକୁ ଆଜି ବି ମାନଚିତ୍ରାଦିରେ ଗୋଟିଏ ସ୍ଵତନ୍ତ୍ର ଗ୍ରାମର ମାନ୍ଯତା ମିଳିନାହିଁ । କନ୍ତିଓ ପୁଟସାହି ଗ୍ରାମ ପଞ୍ଚାୟତର ଜକା ଗ୍ରାମରେ ଏକ ମହିମା ପୀଠ ଅଵସ୍ଥିତ । ଓଡ଼ିଆ ଶବ୍ଦ ଜକାରୁ ଏହାର ନାମକରଣ ହୋଇଥିଵା ଅନୁମାନ କରାଯାଏ । ଜକା ଶବ୍ଦର ଏକ ଅର୍ଥ “ଲୁକ୍କାୟିତ ମୂଲ୍ୟଵାନ ସ୍ଥାନ ଵା ଵସ୍ତୁ” ! ଅନେକ ଅଖ୍ଯାତ ପଲ୍ଲୀ ମଧ୍ୟରେ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ମହିମାପୀଠ ଥିଵାରୁ ଏଭଳି ଜକା ନାମକରଣ ହୋଇଥିଵା ସମ୍ଭଵ ।

ଢେଙ୍କାନାଳରେ ତିନୋଟି ଗ୍ରାମର ନାମ ସହିତ କନ୍ତିଓ ଶବ୍ଦ ରହିଛି ।

୧)କନ୍ତିଓ ପୁଟସାହି
୨)କନ୍ତିଓ କାଟେଣୀ
୩)ତୁମୁସିଂହା କନ୍ତିଓ

ଭାରତରେ ପଞ୍ଚାୟତରାଜ ଵ୍ଯଵସ୍ଥାର ପ୍ରାରମ୍ଭିକ କାଳରେ କାଟେଣି, କନ୍ତିଓ, ଜକା, ତୁମୁସିଂହା, କୋଟଗରା, ଖୁଣ୍ଟବାଟି ଇତ୍ୟାଦି ଅନେକ ଗାଆଁ ମିଶି ଗୋଟିଏ ପଞ୍ଚାୟତ ଗଠନ ହୋଇଥିଲା ।

ସେତେବେଳେ ଏହି ପଞ୍ଚାୟତର ନାମ କନ୍ତିଓ ହିଁ ରଖାଯାଇଥିଲା । ଉକ୍ତ ପଞ୍ଚାୟତ ଗଠନର କେତେକ ଵର୍ଷ ପରେ କୋଟଗରା, ତୁମୁସିଂହା,ଖୁଣ୍ଟବାଟି ଓ ଶେଷରେ କାଟେଣି ଗାଆଁ ଅଲଗା ହୋଇଅଛି । ତେଵେ  ଅଲଗା ହେଲେ ହେଁ ଢେଙ୍କାନାଳରେ ପଚାଶରୁ ଅଧିକ କାଟେଣି ଥିଵାରୁ ଗୋଟିଏ ଗାଆଁର ନାଆଁ କନ୍ତିଓ କାଟେଣି ରଖାଗଲା ଏଵଂ ତୁମୁସିଂହା ସହିତ କନ୍ତିଓ ଶବ୍ଦ ଯୋଡା଼ଗଲେ ହେଁ ଏଵେକାର ଲୋକେ ଉକ୍ତ ଗ୍ରାମକୁ କେଵଳ ତୁମୁସିଂହା କହୁଥିଵା ଦୃଷ୍ଟିଗୋଚର ହୋଇଥାଏ ।

କନ୍ତିଓ ପୁଟସାହି ଗ୍ରାମ ସହ ଲାଗିଥିଵା କେତେକ ଗାଆଁର ନିମ୍ନରେ ନାମୋଲ୍ଲେଖ କରାଗଲା ....

୧)କନ୍ତିଓ କାଟେଣୀ(ଏଠାରେ ବ୍ରାହ୍ମଣୀ ନଦୀ ପୁଣି ପୂର୍ଵକୁ କଟିଥିଵାରୁ ଏହାର ନାମ କାଟେଣୀ ହୋଇଅଛି)

୨)ଜୁଲଙ୍ଗ(ଏ ଗାଆଁ କାଟେଣୀରେ ଯାଉଛି ଆଗେ କନ୍ତିଓରେ ଥିଲା)

୩)ଶାଳପଡା଼(କୁସୁମଯୋଡି଼ ଗାଆଁର ସୀମା କନ୍ତିଓ ଗାଆଁକୁ ଲାଗିନାହିଁ)

୪)ଖୁଣ୍ଟବାଟି(ପ୍ରଥମେ କନ୍ତିଓ ପୁଟସାହି ଗ୍ରାମପଞ୍ଚାୟତରେ ରହି ପରେ ଖଟୁଆହତା ପଞ୍ଚାୟତ ପୁଣି କନ୍ତିଓ ପୁଟସାହି ପଞ୍ଚାୟତ ଏଵଂ ଏଵେ ଅଁଳାବେରେଣୀ ପଞ୍ଚାୟତରେ ଅଛି)

୫)ଜକା(କନ୍ତିଓ ପୁଟସାହି ଗ୍ରାମପଞ୍ଚାୟତର ମହିମା ପୀଠ ଥିଵା ଗାଆଁ, ଢେଙ୍କାନାଳ ସଦର ବ୍ଲକରେ ଆଉ ଗୋଟିଏ ଜକା ଗାଆଁ ରହିଥିଵା ଜଣାଯାଏ)

୬)ମହୁଗାଡି଼ଆ

୭)ଶାଳିଆ

୮)ଚୁଡାଖିଆ କାଟେଣୀ

୯)ତେନ୍ତୁଳିସିଂହା(ସିଂହା ଏକ ସଉରା ଶବ୍ଦ ଯାହାର ଅର୍ଥ ମଣିଷଙ୍କ ଗାଆଁ । ସମ୍ଭଵତଃ ଏଠାରେ ତେନ୍ତୁଳି ଗଛ ଅଧିକ ଥିଵାରୁ ଏ ଗାଆଁର ଏଭଳି ନାମକରଣ ହୋଇଛି)

ତେଵେ ଛୋଟଵେଳୁ ଆମ ଗାଆଁରେ ମୁଁ ବହୁତ ଲୋକଙ୍କୁ ପଚାରିଛି

“ଆମ ଗାଆଁର ଯୋଉ କନ୍ତିଓ ନାଆଁ ତାହାର ଅର୍ଥ କ’ଣ୍ ?”

କିନ୍ତୁ କାହାଠାରୁ ବି ଆଜିଯାଏଁ ଏହାର ଯୁକ୍ତିଯୁକ୍ତ ଉତ୍ତର ମିଳିପାରିନାହିଁ । ତିନିଵର୍ଷ ତଳେ ଥରେ ଏହି ପ୍ରଶ୍ନର ଉତ୍ତର ଉଣ୍ଡିଵାକୁ ଚେଷ୍ଟା କରି ନିରାଶ ହୋଇଅଛି ।

ତେଵେ ଗତ ତିନିଵର୍ଷ ହେଵ ଓଡ଼ିଆ ଭାଷାର ଶବ୍ଦ ଆଲୋଚନା ତଥା ଡାକ୍ତର ଦେଵାଶିଷ ଜ୍ୟେଷ୍ଠୀଙ୍କ ପରି ଭାଷାଵିଦ୍'ଙ୍କ ସଂସ୍ପର୍ଶରେ ଆସିଵାପରେ ପରେ ଆଜି ଏ ପ୍ରଶ୍ନର ଗୋଟିଏ ନୁହେଁ ଵରଂ ଦୁଇଗୋଟି ସମ୍ଭାଵିତ ଉତ୍ତର ପାଇପାରିଵାରେ ସଫଳ ହୋଇଅଛି ।

ପ୍ରଥମେ ମୁଁ ଭାବୁଥିଲି ‛କନ୍ତିଓ’ ନାଆଁଟା ଓଡ଼ିଆଭାଷା ନୁହେଁ ଵରଂ ସଉରାଭାଷା ମୂଳରୁ ଆସିଥିଵ । ଆମ ଗାଆଁର ପ୍ରାଚୀନ ଅଧିଵାସୀ ସଉରା ଅଟନ୍ତି କିନ୍ତୁ ସଉରା ଭାଷାରେ ଏଭଳି ଵା ଏହାର ଆଖପାଖ କୌଣସି ଶବ୍ଦ ନଥିଵାରୁ ସେତେଵେଳେ କୌଣସି ଉତ୍ତର ମିଳିନଥିଲା ।

ପ୍ରକୃତରେ ଆମ ଗାଆଁର ନାମକରଣ ଏହାର ଭୌଗୋଳିକ ଅଵସ୍ଥିତି ଆଧାରରେ ହୋଇଅଛି । ଆମ ଗାଆଁ ପାଖରେ ବ୍ରାହ୍ମଣୀ ନଦୀ ଵଙ୍କିଛି ଆଉ ଯେଉଁ ସ୍ଥାନରେ ବଙ୍କିଅଛି ସେଠାରେ କଣ୍ଟାଝରୀ ପାହାଡ଼ ଆଡୁ଼ ବହି ଆସି ବ୍ରାହ୍ମଣୀ ନଦୀରେ ମିଶେ ଇନ୍ଦ୍ରଜୀତ ଝର ।  ଉର୍ଦ୍ଧ୍ଵାକାଶରେ ସେହି ମିଳନସ୍ଥଳୀକୁ ଦେଖିଲେ ଏହି ସ୍ଥାନଟି ଠିକ୍ ଲଙ୍ଗଳକଣ୍ଟି ପରି ପ୍ରତିଭାତ ହୋଇଥାଏ ।

ସମ୍ଭଵତଃ ଲଙ୍ଗଳ କଣ୍ଟି ଭଳି ଦେଖାଯାଉଥିଵା ହେତୁ କନ୍ତିଓ ଗାଆଁର ନାମକରଣ ପ୍ରଥମେ “କଣ୍ଟି+ ଅଛି ଅର୍ଥରେ ଆ" = କଣ୍ଟିଆ ହୋଇ ପରଵର୍ତ୍ତୀକାଳରେ କନ୍ତିଆ > କନ୍ତିୟା >
କନ୍ତିୟୋ  ଏଵଂ ସର୍ଵଶେଷରେ କନ୍ତିଓ ହୋଇଅଛି ।

ମତାନ୍ତରେ କନ୍ତିଓ ଗାଆଁଟି ପ୍ରଥମେ ବ୍ରାହ୍ମଣୀ
ନଦୀକୂଳରେ ଅଵସ୍ଥିତ ଥିଲା ମାତ୍ର ୧୯୬୦ ଵନ୍ଯା ପରେ ବ୍ରାହ୍ମଣୀ ନଦୀକୂଳରୁ ବହୁଲୋକ ପଶ୍ଚିମ ଆଡ଼କୁ ନୂଆକନ୍ତିଓକୁ ଉଠିଆସିଥିଲେ । ପୁରୁଣା କନ୍ତିଓ ଗାଆଁକୁ ଆଜିକାଲି “ତଳକନ୍ତିଓ” କୁହାଯାଉଛି । ଆଗେ କନ୍ତିଓ ଗାଆଁଟି ବ୍ରାହ୍ମଣୀ ନଦୀ କୂଳରେ ଅଵସ୍ଥିତ ଥିଲା ଏଵଂ ଏ ଗାଆଁ ନିକଟରେ ନଦୀ ପଶ୍ଚିମକୁ ସାମାନ୍ୟ ଵକ୍ର ହୋଇ ପ୍ରଵାହିତ ହେଉଥିଵା ହେତୁ ସମ୍ଭଵତଃ “କୋଣ” ଶବ୍ଦ ସହ  “ଟିଆ” ପରପ୍ରତ୍ଯୟ ଯୁକ୍ତ କରାଯାଇ ଏହାର ନାମ ପ୍ରଥମେ  କୋଣଟିଆରୁ  କଣଟିଆ  > କଣନ୍ତିଆ >  କନ୍ତିଆ ଓ ଶେଷରେ କନ୍ତିଓଗ୍ରାମ ହୋଇଥିଵ । ପୁଣି କନ୍ତିଓ ପୁଟସାହି ଗାଆଁର ଵର୍ତ୍ତମାନ ଆୟତନ ମଧ୍ୟ ଏକ ଜାତୀୟ ପ୍ରାଚୀନ କଣ୍ଟି ଭଳି ଦେଖାଯାଏ ତେଣୁ ଆଜି ବି ଏ ଗାଆଁର ନାମକରଣ ପ୍ରାସଙ୍ଗିକ ବୋଲି କୁହାଯାଇପାରେ ।

ତେଵେ ଆପଣଙ୍କ ଅନୁସାରେ ଏଠାରେ କେଉଁ ନିରୁକ୍ତିଟି ଅଧିକ ଯୁକ୍ତିଯୁକ୍ତ ? କଣ୍ଟି ଶବ୍ଦରୁ କନ୍ତିଓ ନାଆଁ ହୋଇଛି ନା କୋଣ ଶବ୍ଦରୁ ?

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...