ମଧ୍ୟଯୁଗୀୟ ଇଉରୋପରେ ପ୍ଲେଗ୍ ଵ୍ୟାପିଵା ସହିତ ଧର୍ମୀୟ ଉତ୍ତେଜନା ମନୁଷ୍ୟ ମନକୁ ଆତଙ୍କିତ କରୁଥିଲା ବେଳେ, ଏକ ଅଜଣା ଓ ରହସ୍ୟମୟ ଘଟଣା ସମାଜକୁ ଆହୁରି ଭୟଭୀତ କରିଥିଲା । ଏହା Dancing Mania ନାମରେ ଏକ କୁଖ୍ୟାତ ଅଵିଶ୍ୱାସନୀୟ ସାମାଜିକ ଘଟଣା, ଯେଉଁଥିରେ ଶତ ଶତ ଲୋକ ନିୟନ୍ତ୍ରଣ ବାହାରେ ନାଚୁଥିଲେ, ଥକିଯାଇ ଅଚେତ ହେଵା ପର୍ଯ୍ୟନ୍ତ କିମ୍ବା ମୃତ୍ୟୁ ପର୍ଯ୍ୟନ୍ତ। Dancing Maniaର ନାଚ ଆଜିକାଲିର କ୍ଲବ୍ କିମ୍ବା ଯାତ୍ରାପାର୍ଟି ନାଚ ପରି ନଥିଲା । Dancing maniaର ନାଚ ମୃତ୍ୟୁ ପୂର୍ଵର ଵିକଳ ନୃତ୍ୟ ଥିଲା କିନ୍ତୁ ଏ ନୃତ୍ୟ କାହିଁକି କୋଉଥିପାଇଁ ହେଉଥିଲା ତାହା ସେତେବେଳେ କେହି ଜାଣିପାରିନଥିଲେ ।
ମଧ୍ୟଯୁଗୀୟ ୟୁରୋପର ଵିଭିନ୍ନ ଦେଶରେ ଭିନ୍ନ ଭିନ୍ନ ସମୟରେ Dancing mania ଦେଖାଯାଇଥିଲା । ୧୩୭୪ ମସିହାରେ, ଜର୍ମାନୀର ଆଖେନ୍ ନଗରରେ ଏକ ଅଜଣା ଶକ୍ତି ଜନତାଙ୍କୁ କଵଳିତ କଲା। ଜଣେ ଵ୍ୟକ୍ତି ରାସ୍ତାରେ ହଠାତ୍ ନାଚିଵଂ ଆରମ୍ଭ କଲେ ଏଵଂ କିଛି ସମୟ ମଧ୍ୟରେ ଅନ୍ୟମାନେ ତାଙ୍କ ସହ ଯୋଗ ଦେଲେ। ଏହି ନାଚ କୌଣସି ସଙ୍ଗୀତ ଵା ଉତ୍ସଵର ଅଂଶ ନଥିଲା; ଏହା ଥିଲା ଏକ ଅନିୟନ୍ତ୍ରିତ, ଅସ୍ତଵ୍ୟସ୍ତ ଗତିଯୁକ୍ତ ତାଳ ଲୟହୀନ ମୃତ୍ୟର ନୃତ୍ୟ । ଏହି ନୃତ୍ୟ ଲୋକଙ୍କ ଇଚ୍ଛାକୃତ ନଥିଲା । କୌଣସି ଶକ୍ତି କଵଳରେ ପଡ଼ି ଲୋକମାନେ ନାଚି ନାଚି କାନ୍ଦୁଥିଲେ, ଚିତ୍କାର କରୁଥିଲେ ଏଵଂ କେତେକ କ୍ଷଣ ପରେ ଅଚେତ ହୋଇ ପଡ଼ି ଯାଉଥିଲେ କିମ୍ବା ମରିଯାଉଥିଲେ। ଏହି ଘଟଣା ରାଇନ୍ ନଦୀ ଅଞ୍ଚଳ ଦେଇ ଫ୍ରାନ୍ସ, ଇଟାଲୀ ଓ ନେଦରଲ୍ୟାଣ୍ଡସ୍କୁ ଵ୍ୟାପିଗଲା।
Dancing Mania ସମ୍ବନ୍ଧୀୟ ସବୁଠାରୁ ପ୍ରସିଦ୍ଧ ଘଟଣା ୧୫୧୮ରେ, ଷ୍ଟ୍ରାସବୁର୍ଗରେ ଘଟିଥିଲା । ସେହି ଵର୍ଷ ଜୁଲାଇ ମାସରେ ଏହି ନଗରର ଫ୍ରାଉ ଟ୍ରଫେଆ ନାମକ ଜଣେ ମହିଳା ରାସ୍ତାରେ ନାଚିଵା ଆରମ୍ଭ କଲେ। ତାଙ୍କ ନାଚ ଦେଖି ଅନ୍ୟମାନେ ଯୋଗ ଦେଲେ, ଏଵଂ ଦିନକ ମଧ୍ୟରେ ଶତାଧିକ ଲୋକ ଏକ ଅଜଣା ଉନ୍ମାଦରେ ନାଚୁଥିଲେ। ଏହି ଘଟଣା ଦୁଇ ମାସ ଚାଲିଥିଲା ଏଵଂ ଅନେକେ ଥକା, ଅଂଶୁଘାତ ଓ ହୃଦଘାତ ଯୋଗୁଁ ମୃତ୍ୟୁଵରଣ କରିଥିଲେ। ସମକାଳୀନ ଵିଵରଣୀ ଅନୁଯାୟୀ Dancing maniaର ଶିକାର ହୋଇ ଦିନକୁ ୧୫ ଜଣ ପର୍ଯ୍ୟନ୍ତ ମରୁଥିଲେ। ତେବେ ଷ୍ଟ୍ରାସବୁର୍ଗର ଘଟଣା ପୂର୍ଵରୁ ବି ଅନୁରୂପ ଘଟଣା ୧୨୩୭ରେ ଶିଶୁମାନଙ୍କ ମଧ୍ୟରେ ଓ ୧୩୪୭ରେ ଇଟାଲୀରେ ଦେଖାଯାଇଥିଲା। ଇଟାଲୀରେ ଏହାକୁ ଟାରାଣ୍ଟିଜମ୍ କୁହାଯାଉଥିଲା, ଯାହା ଟାରାଣ୍ଟୁଲା ବୁଢ଼ିଆଣୀର କାମୁଡ଼ା ସହ ଜଡ଼ିତ ଥିଲା ବୋଲି ଵିଶ୍ଵାସ କରାଗଲା ।
ମଧ୍ୟଯୁଗୀୟ ୟୁରୋପୀୟମାନେ ଏହାକୁ ଦୈଵୀ ଶାପ ଵା ସେଣ୍ଟ ଵିଟସ୍ଙ୍କ ଅଭିଶାପ ବୋଲି ଵିଶ୍ୱାସ କରୁଥିଲେ। କେତେକ ଏହାକୁ ଭୂତଗ୍ରସ୍ତତା ଵା ମନ୍ତ୍ରବଳ ଦ୍ୱାରା ଘଟୁଥିଵା ଵ୍ୟାଖ୍ୟା କରୁଥିଲେ। କିନ୍ତୁ ଆଧୁନିକ ଵିଜ୍ଞାନ ଆଧାରରେ Dancing Mania କାହିଁକି ଘଟିଥିଲା ତତ୍ ସମ୍ବନ୍ଧୀୟ ଅନେକ ଥିଓରୀ ଉପସ୍ଥାପନ କରାଯାଇଛି ।
ମାସ୍ ସାଇକୋଜେନିକ୍ ଇଲନେସ୍ (MPI) ତନ୍ମଧ୍ୟରେ ସବୁଠାରୁ ଗ୍ରହଣୀୟ ଥିଓରୀ। ମଧ୍ୟଯୁଗୀୟ ଇଉରୋପ ଏକ ଅସ୍ଥିର ସମୟରେ ଥିଲା । ବ୍ଲାକ୍ ଡେଥ୍ (ପ୍ଲେଗ୍) ଲକ୍ଷ ଲକ୍ଷ ଲୋକଙ୍କ ଜୀଵନ ନେଇଥିଲା, ଦାରିଦ୍ର୍ୟ ଓ ଅନାହାର ଵ୍ୟାପକ ଥିଲା ଏଵଂ ଧର୍ମୀୟ ଉତ୍ତେଜନା ଲୋକଙ୍କ ମନରେ ଭୟ ଓ ଅନିଶ୍ଚିତତା ସୃଷ୍ଟି କରିଥିଲା। ଏହି ମାନସିକ ଚାପ ଏକ ସାମୂହିକ ମନୋଵୈଜ୍ଞାନିକ ପ୍ରତିକ୍ରିୟା ସୃଷ୍ଟି କରିଥାଇପାରେ, ଯେଉଁଥିରେ ଜଣେ ଵ୍ୟକ୍ତିଙ୍କ ଆଚରଣ ଅନ୍ୟମାନଙ୍କୁ ସଂକ୍ରମିତ କରୁଥିଲା। ଏହା ଏକ ସାମାଜିକ “ମହାମାରୀ” ଥିଲା, ଯହିଁରେ ମନୁଷ୍ୟ ମନର ମାନସିକ ସଂକ୍ରମଣ ଶାରୀରିକ ରୋଗ ସଂକ୍ରମଣ ଅପେକ୍ଷା ଅଧିକ ଶକ୍ତିଶାଳୀ ଥିଲା।
ଏର୍ଗଟ୍ ପଏଜନିଂ ଥିଓରୀ ଅନୁଯାୟୀ, ଏର୍ଗଟ୍ ନାମକ ଏକ ଫଙ୍ଗସ୍, ଯାହା Rye(Secale cereale) ଶସ୍ୟରେ ଜନ୍ମେ, ଏହାର କାରଣ ହୋଇଥାଇପାରେ। ଏର୍ଗଟ୍ ଫଙ୍ଗସ୍ରେ LSD ପରି ହାଲୁସିନୋଜେନିକ୍ ରାସାୟନିକ ପଦାର୍ଥ ଥାଏ, ଯାହା ଖାଦ୍ୟ ମାଧ୍ୟମରେ ଶରୀରରେ ପ୍ରଵେଶ କରି Convulsions, ହାଲୁସିନେସନ୍ ଓ ଅନିୟନ୍ତ୍ରିତ ଆଚରଣ ଘଟାଇଥାଇପାରେ।ଯେହେତୁ Dancing mania ସମ୍ବନ୍ଧୀୟ ଘଟଣା ଶସ୍ୟ ଉପରେ ନିର୍ଭରଶୀଳ ଅଞ୍ଚଳରେ ଅଧିକ ଦେଖାଯାଇଥିଲା ତେଣୁ ଏହି କାରଣରୁ Dancing mania ଘଟଣାଗୁଡ଼ିକ ଘଟିଥିଵା କେହି କେହି ଵିଶ୍ଵାସ କରନ୍ତି ।
ମଧ୍ୟଯୁଗୀୟ ଇଉରୋପରେ ଆଜି ଭଳି ଵୈଜ୍ଞାନିକ ଵିଶ୍ଵାସ ପରିଵର୍ତ୍ତେ ଧର୍ମିକ ଵିଶ୍ଵାସ ଅଧିକ ଦୃଢ଼ ଥିଲା । ଭାରତରେ ଆମେ ମଝିରେ ମଝିରେ ଗୋଟିଏ ଗୋଟିଏ ଖିରସ୍ତାନୀ ଅନୁଷ୍ଠାନ ଦ୍ଵାରା ଲୋକଙ୍କୁ ଧର୍ମ ନାଆଁରେ ନଚାଉଥିଵାର ଦେଖିଵାକୁ ପାଆନ୍ତି । ସେତେବେଳେ ବି ୟୁରୋପର ଖିରସ୍ତାନୀଙ୍କ ମଧ୍ୟରେ ଏ ଧରଣର ଧାର୍ମିକ ଉନ୍ମାଦ ଓ ଅନ୍ଧଵିଶ୍ଵାସ ପ୍ରବଳ ମାତ୍ରାରେ ରହିଥିଲା । ତତ୍କାଳୀନ ୟୁରୋପୀୟମାନେ ଵିଶ୍ୱାସ କରୁଥିଲେ ଯେ ନାଚ ମାଧ୍ୟମରେ ସେମାନେ ଦୈଵୀ ଶକ୍ତି ସହ ସଂଯୋଗ ସ୍ଥାପନ କରୁଛନ୍ତି ବା ଅଭିଶାପରୁ ମୁକ୍ତି ପାଉଛନ୍ତି। ଇଟାଲୀରେ, ଟାରାଣ୍ଟିଜମ୍ ଏ ଧରଣର ଏକ ଲୋକଵିଶ୍ୱାସରୁ ଉତ୍ପନ୍ନ ହୋଇଥିଲା ।ସେତେବେଳେ ଇଟାଲୀର ଖିରସ୍ତାନୀ ଭାବୁଥିଲେ ଟାରାଣ୍ଟୁଲା ବୁଢ଼ିଆଣୀର ଵିଷକୁ ନାଚ ମାଧ୍ୟମରେ ଦୂର କରାଯାଇପାରେ । ଏହି ଵିଶ୍ୱାସ ଏକ ସାଂସ୍କୃତିକ ରୀତିରେ ପରିଣତ ହୋଇଥିଲା, ଯେଉଁଥିରେ ଟାରାଣ୍ଟେଲା ନାମକ ନୃତ୍ୟ ଏହାର ଅଂଶ ହେଲା। ଏହି ଥିଓରୀକୁ ଵିଶ୍ଵାସ କରୁଥିଵା ଲୋକେ କୁହନ୍ତି Dancing mania ଭଳି ଘଟଣା ତତ୍କାଳୀନ ଖିରସ୍ତାନୀ ସମାଜ ମଧ୍ୟରେ ଵ୍ୟାପିରହିଥିଵା ଅନ୍ଧଵିଶ୍ଵାସ ଯୋଗୁଁ ଦେଖାଦେଇଥିଲା ।
କେହି କେହି ଗଵେଷକ ଏହାକୁ ହାପରା ରୋଗ ଵା ଅନ୍ୟ ନ୍ୟୁରୋଲୋଜିକାଲ ଅଵସ୍ଥା ସହ ଯୋଡ଼ିଛନ୍ତି। କିନ୍ତୁ Dancing mania ଏକ ଏକ ସାମୂହିକ ଘଟଣା ଥିଵାରୁ, ଏକମାତ୍ର ନ୍ୟୁରୋଲୋଜିକାଲ କାରଣ ଅପେକ୍ଷା ସାମାଜିକ ଓ ମନସ୍ତାତ୍ତ୍ୱିକ କାରଣ ଅଧିକ ପ୍ରଭାଵଶାଳୀ ହେଇଥିଵା ସମ୍ଭଵ ।
ତେବେ ମଧ୍ୟଯୁଗୀୟ ୟୁରୋପରେ Dancing Maniaର ଫଳାଫଳ ଥିଲା ଭୟାଵହ।ଷ୍ଟ୍ରାସବୁର୍ଗରେ ଥକା, ହୃଦଘାତ ଵା ଅନ୍ୟ ଶାରୀରିକ କାରଣରୁ ଶତାଧିକ ଲୋକ ମୃତ୍ୟୁଵରଣ ମରିଥିଲେ। ତତ୍କାଳୀନ କର୍ତ୍ତୃପକ୍ଷ ଏହାକୁ ନିୟନ୍ତ୍ରଣ କରିଵା ପାଇଁ ଅଜଣା ଉପାୟ ଅଵଲମ୍ବନ କରିଥିଲେ। କେତେକ ସ୍ଥାନରେ, ନାଚକୁ ପ୍ରୋତ୍ସାହିତ କରାଯାଇଥିଲା, କାରଣ ସେମାନେ ଭାବୁଥିଲେ ଏହା ଦୈଵୀ ଅଭିଶାପରୁ ମୁକ୍ତି ଦେଵ। ଅନ୍ୟ ସ୍ଥାନରେ, ନାଚକୁ ନିଷେଧ କରାଯାଇଥିଲା, କିନ୍ତୁ ଏହା ଅଧିକ ଉତ୍ତେଜନା ସୃଷ୍ଟି କରିଥିଲା। ଧର୍ମୀୟ ନେତାମାନେ ମନ୍ତ୍ର ଓ ପ୍ରାର୍ଥନା ମାଧ୍ୟମରେ ଏହାକୁ ନିୟନ୍ତ୍ରଣ କରିଵାକୁ ଚେଷ୍ଟା କରିଥିଲେ, କିନ୍ତୁ ଅଧିକାଂଶ କ୍ଷେତ୍ରରେ ଏହା ଅସଫଳ ହୋଇଥିଲା।
ଏହି ଘଟଣା ସମାଜରେ ଏକ ଗଭୀର ପ୍ରଭାଵ ଛାଡ଼ିଥିଲା। ଏହା ଧର୍ମୀୟ ଓ ସାମାଜିକ ସଂସ୍କାର ପାଇଁ ଚାପ ସୃଷ୍ଟି କରିଥିଲା ଏଵଂ ଲୋକଙ୍କ ମଧ୍ୟରେ ଭୟ ଓ ଅନ୍ଧଵିଶ୍ୱାସକୁ ଆହୁରି ବଢ଼ାଇଥିଲା। ଦୀର୍ଘକାଳୀନ ଦୃଷ୍ଟିରୁ, Dancing Mania ମନୋଵିଜ୍ଞାନ ଓ ସାମୂହିକ ଆଚରଣ ଉପରେ ଗଵେଷଣାର ଏକ ପ୍ରମୁଖ ଵିଷୟ ହୋଇଛି।
ଅସ୍ତୁ ଆଧୁନିକ ଯୁଗରେ, Dancing Mania ଏକ ରହସ୍ୟମୟ ଐତିହାସିକ ଘଟଣା ଭାବେ ସାହିତ୍ୟ, ଚଳଚ୍ଚିତ୍ର ଓ କଳାରେ ସ୍ଥାନ ପାଇଛି। ୧୮୩୨ରେ ଜଷ୍ଟସ୍ ହେକର୍ଙ୍କ ପୁସ୍ତକ "The Dancing Mania"ରେ ଏହା ଵିଷୟରେ ପ୍ରଥମ ଵିସ୍ତୃତ ଵିଵରଣୀ ପ୍ରକାଶ ପାଇଥିଲା, ଯାହା ଗଵେଷକମାନଙ୍କୁ ଏହାର ମନସ୍ତାତ୍ତ୍ୱିକ ଓ ସାମାଜିକ କାରଣ ଅନୁସନ୍ଧାନ କରିଵାକୁ ପ୍ରେରିତ କରିଥିଲା। ମଧ୍ୟଯୁଗୀୟ ଚିତ୍ରକଳାରେ, ଏହି ଘଟଣାକୁ ଅସହାୟ ଓ ଉନ୍ମାଦଗ୍ରସ୍ତ ଲୋକଙ୍କ ଚିତ୍ର ମାଧ୍ୟମରେ ଚିତ୍ରଣ କରାଯାଇଛି।
ଆଧୁନିକ ଚଳଚ୍ଚିତ୍ର ଓ ଡକ୍ୟୁମେଣ୍ଟାରୀରେ, ଷ୍ଟ୍ରାସବୁର୍ଗ ଘଟଣାକୁ ଏକ ଅଜଣା ମହାମାରୀ ଭାବେ ଚିତ୍ରଣ କରାଯାଇଛି। ଏହାକୁ ଆଧୁନିକ ସାମୂହିକ ହିଷ୍ଟେରିଆ ଘଟଣା, ଯେପରିକି ୨୦୧୧ରେ ନ୍ୟୁୟର୍କର "ଲେ ରୟ ହାଇସ୍କୁଲ"ରେ ହଠାତ୍ ଦେଖାଦେଇଥିଵା "ଟିକ୍ ଡିଜଅର୍ଡର" ସହ ତୁଳନା କରାଯାଏ।
Dancing Mania ଘଟଣାଗୁଡ଼ିକର ଇତିହାସରୁ ମଧ୍ୟଯୁଗୀୟ ୟୁରୋପୀୟମାନେ କେତେ ଧାର୍ମିକ ଅନ୍ଧଵିଶ୍ଵାସୀ ଥିଲେ ତାହା ଜଣାପଡ଼େ । ତେବେ ଏହି ଧାର୍ମିକ ଅନ୍ଧଵିଶ୍ଵାସର କୁପ୍ରଭାଵକୁ ଅନୁଭଵ କରି ୟୁରୋପୀୟ ସମାଜର ବୁଦ୍ଧିଜୀଵିମାନେ ଏଥିରୁ ସମାଜକୁ ମୁକୁଳାଇଵା ପାଇଁ ପନ୍ଦରଶହ ଶତାବ୍ଦୀରୁ କାର୍ଯ୍ୟ ଆରମ୍ଭ କରିଦେଲେ । ୟୁରୋପରେ ପଞ୍ଚଦଶ ଶତାବ୍ଦୀର ପୁନର୍ଜାଗରଣ(Renaissance) ତଥା ଷୋଡ଼ଶ ଶତାବ୍ଦୀର ଵୈଜ୍ଞାନିକ ଵିପ୍ଳଵ ଯୋଗୁଁ ୟୁରୋପୀୟ ସମାଜ ବଡ଼ କଷ୍ଟରେ ଧାର୍ମିକ ଅନ୍ଧଵିଶ୍ଵାସରୁ ମୁକୁଳି ପାରିଥିଲା । ଯଦି ସେତେବେଳେ ୟୁରୋପୀୟ ସମାଜରେ ବହୁ ଶତାବ୍ଦୀ ଵ୍ୟାପ୍ତ ସାଂସ୍କୃତିକ, ଧାର୍ମିକ ଓ ଵୈଜ୍ଞାନିକ କ୍ରାନ୍ତି ଘଟିନଥାନ୍ତା ତେବେ ଆଜି ବି ୟୁରୋପର ଖିରସ୍ତାନୀ Dancing Maniaର ଶିକାର ହୋଇ ଦାଣ୍ଡ ବାଟରେ ନାଚୁଥାଆନ୍ତେ ।
••••••••••••••••••••••••••••••
No comments:
Post a Comment