Thursday, July 10, 2025

•ଓଡ଼ିଆ ଭାଷାରେ ପିଜୁଳି ଫଳର ଵିଭିନ୍ନ ନାମକରଣ ଏଵଂ ତହିଁର ଵିଵିଧ ରୂପ•

Barabas ନାମରେ ଜଣେ ରାଜା ଥିଲେ ଯେ ସେ ବଡ଼ ଫଳପ୍ରେମୀ ଥିଲେ । ଆମ୍ବ ପଣସ ଠାରୁ ସେଓ ଅଙ୍ଗୁର ଯାଏଁ,ନାସପାତି ଡାଳିମ୍ବ ଲିଚୁଠାରୁ ବରକୋଳି ଓ ପଇଡ଼ ଯାଏଁ ପୃଥିଵୀର ଯେତେ ଯୁଆଡ଼େ ଫଳ ମିଳେ ସବୁ ସେ ଖାଆନ୍ତି, ଖାଇଛନ୍ତି । ଫଳ ପ୍ରତି ତାଙ୍କର ଭୀଷଣ ଆକର୍ଷଣ ଥିଲା । ଥରେ ରାଜା ଫଳ ଖାଉଥିଵା ବେଳେ ଜଣେ ଵୃଦ୍ଧା ଆସି ତାଙ୍କୁ ଖାଇଵାକୁ ମାଗିଲା । ରାଜା ଵିରକ୍ତ ହୋଇ କହାଲେ ଦେଖି ପାରୁନୁ ମୁଁ ଖାଉଛି,ପଛରେ ଆସେ ଯାହା ମାଗିବୁ ଦେବି । ମୋତେ ଭାରି ଭୋକ, ଗୋଟିଏ ଫଳ ଦିଅନ୍ତେ ଯଦି ବଡ଼ ଉପକାର ହୁଅନ୍ତା ‌। ରାଜା ତ ଫଳ ଲୋଭି ସେ କୋଉ ଫଳ ଦେଉଛନ୍ତି। ଆରକ୍ଷୀମାନଙ୍କୁ ଡାକି ସେ ବୁଢ଼ୀକୁ ସେଠାରୁ ନେଇ ଯିଵାକୁ ଆଦେଶ ଦେଲେ । ବୁଢ଼ୀ ଯାଉ ଯାଉ ରାଜାଙ୍କୁ ଅଭିଶାପ ଦେଇ ଗଲା । ଅଭିଶାପ ଫଳିଲା, କିଛି ଦିନ ଭିତରେ ରାଜା ଫଳ ଭଳି ଫୁଲିଗଲେ । ଚାଲି ବୁଲି ନପାରି ରାଜାଙ୍କର ଶକ୍ତି କ୍ଷୀଣ ହୋଇଗଲା । ଶରୀର ସହିତ ରାଜାଙ୍କ ମନ ବି ଦୁର୍ଵଳ ହୋଇଗଲା ତେଣୁ ଅଳ୍ପ ଦିନ ଭିତରେ ତାଙ୍କ ପ୍ରାଣଵାୟୁ ଉଡ଼ିଗଲା । ତେବେ ଯୋଉଠି ରାଜାଙ୍କୁ ପୋତାଗଲା ସେଠାରୁ ଗୋଟିଏ ଅଦ୍ଭୁତ ଗଛ ଜନ୍ମିଲା । ସେ ଗଛର ଫଳ ମୁଣ୍ଡରେ ରାଜମୁକୁଟ ପରି ମୁକୁଟ ଦେଖାଗଲା । କଞ୍ଚାକାଳରେ କଷାୟ ଓ ପାଚିଲା ହେଲେ ଅମୃତ ପରି ମିଠା ସେ ଫଳଟି ହେଲା ପିଜୁଳି। ଲୋକମାନେ ରାଜା Barabasଙ୍କ ନାମାନୁସାରେ ପିଜୁଳିର ନାଆଁ ରଖିଲେ bayabas । ଦକ୍ଷିଣ ପୂର୍ଵ ଏସିଆର ଏହି ପିଜୁଳି ଗଛ ସମ୍ବନ୍ଧୀୟ ଲୋକକଥାଟି ଵିଶେଷ ଜଣାଶୁଣା । ତେବେ Tagalog ଆଦି ଭାଷାରେ ପ୍ରଚଳିତ ଏହି bayabas ନାଆଁଟି ସ୍ପେନୀୟ guayaba ଶବ୍ଦର ପରିଵର୍ତ୍ତିତ ରୂପ ଏଵଂ ଏହି ଏହି ସ୍ପେନୀୟ ଶବ୍ଦଟି ବି ଏକ ପ୍ରାଚୀନ ଆମେରିକୀୟ ଭାଷା Taínoର "wayaba" ଶବ୍ଦର ସ୍ପେନୀୟ ରୂପ ଅଟେ । 


ପିଜୁଳି ମୂଳତଃ ମେକ୍ସିକୋ, ମଧ୍ୟ ଆମେରିକା, ପଶ୍ଚିମ ଭାରତୀୟ ଦ୍ଵୀପପୁଞ୍ଜ(Caribbean) ଓ ଉତ୍ତର ପଶ୍ଚିମ ଆମେରିକୀୟ ଗଛ । ପରେ ପିଜୁଳି ଗଛ ଦକ୍ଷିଣ ଆମେରିକାରେ ଵ୍ୟାପିଥିଲା ।‌ ଗଵେଷକମାନଙ୍କୁ ପିଜୁଳି ଚାଷର ୪୫୦୦ ଵର୍ଷ(୨୫୦୦ ଖ୍ରୀଷ୍ଟପୂର୍ଵ) ତଳର ପ୍ରମାଣ ପେରୁର ପ୍ରତ୍ନତତ୍ତ୍ଵ ସର୍ଵେକ୍ଷଣ ଅଞ୍ଚଳରୁ ମିଳିଛି ‌। ୟୁରୋପୀୟମାନେ ଵିଶେଷତଃ ସ୍ପେନଵାସୀ ଓ ପର୍ତ୍ତୁଗୀଜ୍ ଲୋକେ ପଶ୍ଚିମ ଭାରତୀୟ ଦ୍ଵୀପପୁଞ୍ଜ ଅଞ୍ଚଳରେ ପ୍ରଥମେ ପିଜୁଳି ସହିତ ପରିଚିତ ହୋଇଥିଲେ । ସେ ସମୟରେ ଏହି ଅଞ୍ଚଳରେ ଟାଇନୋ(Taino) ନାମରେ ଏକ ଭାଷା ଚଳୁଥିଲା । ଏହି ଟାଇନୋ ଭାଷାର wayaba ଶବ୍ଦଟି ସ୍ପାନିଶ୍ ଭାଷାରେ guayaba ହୋଇ ପରେ ଇଂରାଜୀ ଭାଷାରେ guava ରୂପେ ଚଳୁଅଛି। ସ୍ପାନିଶ ଲୋକେ ଫିଲିପାଇନସକୁ ପ୍ରଥମେ ପିଜୁଳି ଗଛ ନେଇ ଯାଇଥିଲେ । ପରେ ଭାରତକୁ ସ୍ପାନିଶ ତଥା ପର୍ତ୍ତୁଗୀଜ୍‌ମାନେ ଷୋଡ଼ଶ ଶତାବ୍ଦୀର ଶେଷ ଆଡ଼କୁ କିମ୍ବା ସପ୍ତଦଶ ଶତାବ୍ଦୀର ପ୍ରାରମ୍ଭିକ କାଳରେ ପିଜୁଳି ଫଳ ଆଣିଥିଲେ । ତେବେ ଆଜି ପିଜୁଳିର ମୂଳ ଭୂଖଣ୍ଡଠାରୁ ଅନେକଗୁଣ ଅଧିକ ପିଜୁଳି ଉତ୍ପାଦନ ଭାରତରେ ହେଉଅଛି । ପୃଥିଵୀର ମୋଟ୍ ପିଜୁଳି ଉତ୍ପାଦନର ୪୫ ଭାଗ ଭାରତରେ ହିଁ ହୋଇଥାଏ । ଭାରତରେ ଏମିତି କୌଣସି ଗ୍ରାମ ନଗର ନଥିଵ ଯୋଉଠି ପିଜୁଳି ଫଳର ଗଛ ନଥିଵ । ଭାରତ ଵ୍ୟତୀତ କ୍ରମାନ୍ୱୟରେ ଚୀନ, ଥାଇଲାଣ୍ଡ, ଇଣ୍ଡୋନେସିଆ, ପାକିସ୍ତାନ ଓ ବ୍ରାଜିଲରେ ସର୍ଵାଧିକ ପିଜୁଳି ଚାଷ ହୋଇଥାଏ । ପୃଥିଵୀରେ ଆଜି ପ୍ରାୟ ୪୦୦ରୁ ଅଧିକ କିସମର ପିଜୁଳି ଚାଷଗଛ ଉପଲବ୍ଧ ତେବେ ତନ୍ମଧ୍ୟରେ ଅଳ୍ପ କେତେକ କିସମର ପିଜୁଳିଗଛ ହିଁ ଚାଷ କରାଯାଏ । ସାଧାରଣତଃ Psidium guajavaକୁ ପିଜୁଳି ଗଛ ଭାବେ ଜଣାଯାଏ ତେବେ Psidium ଵଂଶର ଅନ୍ୟ ଅନେକ ଜାତିର ଗଛକୁ ବି ଲୋକେ ପିଜୁଳି ହିଁ କହିଥାନ୍ତି । ପିଜୁଳି Myrtales ଉଦ୍ଭିଦଵର୍ଗ,Myrtaceae ଉଦ୍ଭିଦକୁଳ, ତଥା Psidium ଉଦ୍ଭିଦଵଂଶର ଗଛ ଅଟେ । ପିଜୁଳି ଏକ ଛୋଟ ଉଦ୍ୟାନ ଵୃକ୍ଷ ଅଟେ ଏଵଂ ଏ ଗଛରେ ଗ୍ରୀଷ୍ମକାଳରେ ଧଳା ଫୁଲ ଧରେ ।‌ ପିଜୁଳି ଗଛ ପ୍ରାୟ ବଙ୍କାଟଙ୍କା ହୋଇଥାଏ ଏଵଂ ଏହାର ଛାଲ ମସୃଣ । ପିଜୁଳି ଗଛର ବକଳରୁ ଛାଲ ପାଖୁଡ଼ା ଉଠିଯାଏ ତେବେ ଏହାର କାଠ ଅତି ଟାଣୁଆ ହୋଇଥାଏ । ‌ପିଜୁଳିର କଞ୍ଚାଫଳ ଓ ପତ୍ର କଷା କିନ୍ତୁ ପାଚିଲେ ସ୍ୱାଦୁ ହୁଏ। ପିଜୁଳି ଫଳ ମଧୁରରସ, ବଳକାରକ, ହୃଦୟଗ୍ରାହୀ, ସ୍ନିଗ୍ଧ, ରୁଚିକର ଓ ଶୁକ୍ରଜନକ ଅଟଇ ।


Psidium ଉଦ୍ଭିଦଵଂଶରେ ୭୮ରୁ ଅଧିକ ଜାତିର ପିଜୁଳି ଜାତୀୟ ଗଛ ରହିଛି ଏଵଂ ତନ୍ମଧ୍ୟରେ apple guava ଵା Psidium guajava ଜାତୀୟ ପିଜୁଳି ସର୍ଵାଧିକ ଲୋକପ୍ରିୟ। ଏତଦଵ୍ୟତୀତ strawberry guava ଵା Psidium cattleyanum(ନାଲିରଙ୍ଗ ଚୋପାଯୁକ୍ତ) ଜାତୀୟ ପିଜୁଳି ମଧ୍ୟ ଚାଷ କରାଯାଏ । Psidium guajava ଭାରତକୁ ଅଣାଗଲାପରେ ଏହାର ସଂସ୍କୃତ ନାମକରଣ ପାରେଵତ,ରୈଵତ, ଆରେଵତକ, ମଧୁଫଳ, ଅମୃତ ଫଳ ଓ ପାରେଵତକ ଆଦି କରାଯାଇଥିଲା । ସେହିପରି ନାଲି ରଙ୍ଗର ବଡ଼ ପିଜୁଳି ଗଛ Psidium cattleyanumକୁ ଭାରତରେ ମହାପାରେଵତ,ସାମ୍ରାଣିଜ, ଖାରିକ, ରକ୍ତରୈଵତକ, ବୃହତ୍ ପାରେଵତ, ଦ୍ୱୀପଜ ଓ ଦ୍ୱୀପଖଜ୍ଜୁର ଆଦି ନାମ ଦିଆଗଲା । ତେବେ କେନ୍ଦୁଗଛର ଗୋଟିଏ ସଂସ୍କୃତ ନାଆଁ ବି ପାରେଵତ ଅଟେ । କୃଷ୍ଣସିଂହଙ୍କ କୃଷ୍ଣ ମହାଭାରତର "ପନସ ପାରାବତ ଗମ୍ଭାରି ହରିଡ଼ା" ପଦ ମଧ୍ୟରେ ପାରାଵତ ବୋଲି ଏକ ଗଛର ଉଲ୍ଲେଖ ଥିଵା ପୂର୍ଣ୍ଣଚନ୍ଦ୍ର ଭାଷାକୋଷରୁ ଜଣାଯାଏ । ତେବେ ଏହା ପିଜୁଳି ଅର୍ଥଜ ପାରେଵତ ଗଛ ନୁହେଁ ଵରଂ କେନ୍ଦୁ ଅର୍ଥଜ ପାରେଵତ ଗଛର ଉଲ୍ଲେଖ ହୋଇଥିଵା ଅଧିକ ସମ୍ଭଵପର । ଷୋଡ଼ଶ ଶତାବ୍ଦୀ ସପ୍ତଦଶ ଶତାବ୍ଦୀରୁ ଭାରତରେ ପିଜୁଳି ଗଛ ଆସି କ୍ରମଶଃ ଚାରିଆଡ଼େ ଵ୍ୟାପିଯାଇଛି । ପିଜୁଳି ଗଛ ଭାରତରେ ଏତେ ମାତ୍ରାରେ ଵ୍ୟାପିଛି ଯେ ଆଜି ଅନେକ ଭାରତୀୟଙ୍କୁ ପିଜୁଳି ଏକ ଵୈଦେଶିକ ଗଛ କହିଲେ ଵିଶ୍ଵାସ କରନ୍ତି ନାହିଁ । ଵୈଦେଶିକ ଫଳ ହୋଇ ବି ପିଜୁଳିର ମନମୋହକ ସ୍ଵାଦ ପାଇଁ ଏହା ଶ୍ରୀମନ୍ଦିରରେ ଭୋଗ ରୂପେ ପ୍ରଦତ୍ତ ହେଉଛି ପୁଣି ଉତ୍ତର ଭାରତୀୟଙ୍କ ମଧ୍ୟରେ ଶ୍ରୀକୃଷ୍ଣଙ୍କର ପ୍ରିୟ ଫଳ ପିଜୁଳି ବୋଲି ଲୋକଵିଶ୍ଵାସ ମଧ୍ୟ ଚଳୁଅଛି । 
 
ପିଲାବେଳେ ଆମେ ପାଠ ବହିରେ ବଣିକୁ କୁନା କିପରି ପିଜୁଳି ଯାଚିଥିଲା ସେଇ କଵିତାଟି ପଢ଼ିଥିଲୁ । 

“ଦେଖିଲା କୁନା ମହୁଲ ଡାଳେ
ବସିଛି ଏକ ବଣି
ପଡୁଛି ଯେତେ ମହୁଲ ଫୁଲ
ହିସାବ କରେ ଗଣି ॥୧॥
ଡାକିଲା କୁନା କିଆଁଲୋ ବଣି
ଘଷୁଛୁ-ଥଣ୍ଟ ଡାଲେ ?
ଆ' ମୋ ପାଶେ ଖାଇବୁ ଯେବେ
ମିଠା ପିଜୁଳି ଫାଳେ ॥୨॥”


ପିଲାମାନଙ୍କର ପିଜୁଳି ସହିତ ପରିଚୟ ଛୋଟବେଳୁ ହୋଇଯାଏ । ବାଳୁତ କାଳରେ ପିଲାଏ ଅନ୍ୟ ଲୋକଙ୍କ ବାଡ଼ି ଵା ବିଲରୁ ଆମ୍ବ, ବରକୋଳି,ଖେସାରି ଚଣା,ଆଖୁ,କାକୁଡ଼ି,ବଢ଼ିଆଳ,ଜାମ୍ବୁକୋଳି,ଆତ,ଲଙ୍କାଆମ୍ବ ଓ କାନ୍ଧିଆ ଚୋରାଇ ଖାଇଵାକୁ ସୁଖ ପାଆନ୍ତି । ତେବେ ଗାଆଁଗଣ୍ଡାରେ ପିଜୁଳି ଫଳଗଛ ବି ଦେଖାଯାଏ ଯାହାର ଫଳ ଚୋରାଇ ଖାଇଵାକୁ ପିଲାଏ ସର୍ଵାଧିକ ସୁଖ ପାଆନ୍ତି । ଅମୃତ ସମ ସ୍ୱାଦଯୁକ୍ତ ଏହି ପିଜୁଳି ଫଳଟି ଭାରତ ତଥା ପୃଥିଵୀର ଅଧିକାଂଶ ଦେଶରେ ଘରେ ଘରେ ପରିଚିତ । ପାଚିଲେ ପିଜୁଳିର ରଙ୍ଗ ଯେପରି ସୁଵର୍ଣ୍ଣ ପରି ଠିକ୍ ସେହିପରି ସ୍ଵାଦ ମଧ୍ୟ ଅମୃତ ତୁଲ୍ୟ । ତେଣୁ ସଂସ୍କୃତ ଭାଷାରେ ପିଜୁଳିକୁ "ଅମୃତଫଳ"ର ସଂଜ୍ଞା ମିଳିଅଛି । ତେବେ ହିନ୍ଦୀରେ ପ୍ରଚଳିତ ପିଜୁଳି ଫଳର ଅମରୂଦ ନାମଟି ପାର୍ସୀ ଭାଷାରୁ ଆସି ଚଳୁଅଛି । ପ୍ରାଚୀନ କାଳରେ ନାସପାତି(Pear🍐)କୁ ପାର୍ସୀ ଭାଷାରେ ଅମରୂଦ କହୁଥିଲେ। ଯେହେତୁ ପିଜୁଳି ଫଳଟି ଦେଖିଵାକୁ ଅମରୂଦ ଵା ନାସପାତି ପରି ତେଣୁ ତହିଁର ନାଆଁ ବି ଅମରୂଦ ଦିଆଗଲା । 

ଓଡ଼ିଶା ତଥା ଏହାର ଵିଚ୍ଛିନ୍ନାଞ୍ଚଳରେ କିନ୍ତୁ ପିଜୁଳି ଫଳର ଅନେକ ନାମ ଚଳୁଅଛି । ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାରେ ପିଜୁଳି ପାଇଁ ଅନ୍ତତଃ ଦୁଇ ତିନିଗୋଟି ନାଆଁ ନିଶ୍ଚୟ ମିଳିଯାଏ । 

ଵିଚ୍ଛିନ୍ନାଞ୍ଚଳ ଵସ୍ତରର ଭତ୍ରୀଭାଷୀ ଓଡ଼ିଆମାନେ ପିଜୁଳିକୁ ବେଲାତି କୁହନ୍ତି। ସମ୍ଭଵତଃ ବିଲାତରୁ ଆଗତ ଫଳ ହୋଇଥିଵାରୁ ପିଜୁଳିର ଏଭଳି ନାମକରଣ ହୋଇଛି । ଓଡ଼ିଶାର ଅନେକ ଅଞ୍ଚଳରେ ପିଜୁଳିକୁ ମେଓଆ,ମେଉଆ,ମଇଆ,ମୟା,ମାୟା,ମାଜା,ମେଗୁଆ,ମେଘୁଆ,ଲେଭୁଆ,କେଭୁଆ,ନେଉଆ ଓ ମେୱା ଆଦି ବୋଲାଯାଏ । ପ୍ରକୃତରେ ପିଜୁଳିର ଏ ସମସ୍ତ ନାମ ପାର୍ସୀ ମୂଳର ଏକ ଶବ୍ଦ میوه (mêwa)ର ପରିଵର୍ତ୍ତିତ ରୂପ । ପାର୍ସୀ ଭାଷାରେ ଫଳକୁ ମେୱା କୁହାଯାଏ। ଓଡ଼ିଶାର ପଶ୍ଚିମାଞ୍ଚଳରେ କେତେକ ଅଞ୍ଚଳରେ ପିଜୁଳିକୁ 'ବିହି' ମଧ୍ୟ କୁହାଯାଏ। ପିଜୁଳି ଫଳର ଏହି ବିହି ନାମଟି ବି ପାର୍ସୀ ମୂଳର ବୋଲି ହିନ୍ଦୀ ଶବ୍ଦ ସାଗରରୁ ଜଣାଯାଏ। ହିନ୍ଦୀ ଶବ୍ଦ ସାଗରରୁ ଜଣାଯାଏ ଯେ ଷୋଡ଼ଶ ଶତାବ୍ଦୀରେ ବ୍ରଜଭାଷାରେ ଲିଖିତ କଵି ନାଭାଦାସଙ୍କ भक्तमाल ଗ୍ରନ୍ଥରେ ବିହି ଶବ୍ଦଟି ପିଜୁଳି ଅର୍ଥରେ ପ୍ରୟୋଗ କରାଯାଇ ଲେଖାଯାଇଛି ”वहाँ संभर प्रदेश के राजमाली ने आपके साथ के संतों को बिही के फल लेने से रोक दिया ।”(ଭକ୍ତମାଲ ପୃଷ୍ଠା ୪୩୭) । ପ୍ରକୃତରେ ଆଗେ ପାରସ୍ୟ ଦେଶରେ ନାସପାତିକୁ ହିଁ ବିହି କହୁଥିଲେ ପରେ ପିଜୁଳି ଫଳ ସହିତ ପରିଚିତ ହେଵାରୁ ତହିଁର ଵାହ୍ୟ ସାମଞ୍ଜସ୍ୟ ନାସପାତି ସହିତ ଥିଵା ଦେଖି ପିଜୁଳି ଫଳର ନାଆଁ ବି ବିହି ଦିଆଗଲା । 

ସେହିପରି ପିଜୁଳି ଫଳର ପିଆରା,ପେରା,ପେଡ଼ା,ପେଢ଼ା,ପେରହା,ପେହେଡ଼ା ଓ ପେଏଡ଼ା ଆଦି ନାମ ବି ଓଡ଼ିଶାରେ ଚଳୁଅଛି । କେହି କେହି ମନେ କରନ୍ତି ଯେ ପ୍ରସିଦ୍ଧ ଭାରତୀୟ ମିଷ୍ଟାନ୍ନ ପେଡ଼ା ଵା ପେଣ୍ଡାର ରଙ୍ଗ ଯେହେତୁ ପାଚିଲା ପିଜୁଳିର ଚୋପା ପରି ପୁଣି ପେଡ଼ା ମିଠା ଭଳି ପିଜୁଳି ମଧ୍ୟ ଅତ୍ୟନ୍ତ ସ୍ବାଦିଷ୍ଟ ତେଣୁ ପିଜୁଳିର ପେଡ଼ା ନାମକରଣ ହୋଇଛି । ତେବେ ଭାଷାଵିଦମାନଙ୍କ ମତରେ ପର୍ତ୍ତୁଗୀଜ୍ pera (“pear ଵା ନାସପାତି ”) ଶବ୍ଦରୁ ଓଡ଼ିଆ ଭାଷାରେ ପେଡ଼ା, ବଙ୍ଗାଳୀରେ পেয়ারা(peẏara), ଗୁଜରାଟୀରେ પેરુ (peru), ମରାଠୀରେ पेरू (perū) ଓ ସ୍ଵାହିଲୀରେ pera ଆଦି ଶବ୍ଦ ସୃଷ୍ଟି ହୋଇ ପିଜୁଳିର ନାମ ଭାବେ ଚଳୁଅଛି । ପର୍ତ୍ତୁଗୀଜ୍‌ମାନେ ଭାରତରେ ପିଜୁଳିକୁ ଆଣି Pera ନାମରେ ପରିଚିତ କରାଇଥିଲେ ତେଣୁ ସେହି ନାଆଁଟି ଵିଭିନ୍ନ ରୂପରେ ପର୍ତ୍ତୁଗୀଜମାନଙ୍କ ଦ୍ଵାରା ପ୍ରଭାଵିତ ଭାରତୀୟ ଅଞ୍ଚଳରେ ରହିଯାଇଛି । 

Syzygium cumini ଵା ଜାମ୍ବୁ ,Syzygium samarangense ଵା ଜାମୁରୋଳ ଓ Psidium guajava ଵା ପିଜୁଳି ଏହି ତିନି ଜାତୀୟ ଫଳଗଛ ମୂଳତଃ ଜାମୁ ପରିଵାର Myrtaceaeରେ ଅନ୍ତର୍ଭୁକ୍ତ ।‌ ଅତଃ ଯେତେବେଳେ ଲୋକେ ପିଜୁଳିକୁ ପ୍ରଥମେ ଦେଖିଲେ ଏହାର ଫଳ ଓ ଫୁଲର ସାମ୍ୟ ଜାମୁଗଛ ସହିତ ଥିଵା ଦେଖି ନାଆଁ ରଖିଲେ ଜାମୁ,ଜାମି,ଜାମ,ଜାମ୍ବୁ,ଜାମ୍ବ,ଜାହ୍ମୁ ,ଜାହ୍ମ ଓ ଜମ୍ରୁଖ ଇତ୍ୟାଦି ଇତ୍ୟାଦି । 

ସଂସ୍କୃତ ଭାଷାରେ ସ୍ଵର୍ଣ୍ଣ ଵା ସୁନାକୁ ତାମରସ କୁହାଯାଏ। ପିଜୁଳି ପାଚିଲେ ଏହାର ଉପର ଆଵରଣ ସ୍ଵର୍ଣ୍ଣ ଵର୍ଣ୍ଣର ହୁଏ ବୋଲି ସମ୍ଭଵତଃ ଏହାର ନାମକରଣ ତତ୍ ଆଧାରରେ ତାମରସ ଓ ଟମରସ ଆଦି ହୋଇଥିଲା ‌। ପୁଣି ପିଜୁଳି ପାଚିଲେ ତାହାର ଶସ କିଂଵା ମଞ୍ଜି ଚାଉଳ ରଙ୍ଗର ହୋଇଥାଏ ପୁଣି ଅନେକ ବୀଜ ଥିଵାରୁ ଏହାର ନାମ ଚାଉଳିଆ ହୋଇଥିଵ । ଓଡ଼ିଆ ଭାଷାରେ ଇଆ ପ୍ରତ୍ୟୟ ଗୁଣାର୍ଥେ ମଧ୍ୟ ଵ୍ୟଵହାର ହୁଏ । କେହି କେହି କୁହନ୍ତି ପିଜୁଳି'ର ଏହି 'ଚାଉଳିଆ' ରଖାଗଲା ପରେ ପରେ କଟକରେ 'ଚାଉଳିଆଗଞ୍ଜ' ଓ ମୟୂରଭଞ୍ଜରେ 'ଚାଉଳିଆଶୂଳ' ଅଞ୍ଚଳରେ ପିଜୁଳି ଗଛ ଲଗାଯିଵାର ତତ୍ ଆଧାରରେ ନାମକରଣ ହୋଇଥିଲା । ଏଠାରେ ଉଲ୍ଲେଖଯୋଗ୍ୟ ଯେ ପିଜୁଳି ଏକ ଵୈଦେଶିକ ଫଳ ହୋଇଥିଲେ ବି ଶ୍ରୀଜଗନ୍ନାଥ ମହାପ୍ରଭୁ ସକାଳର ଗୋପାଳବଲ୍ଲଭ ଧୂପରେ ଯେଉଁ ଫଳମୂଳ ଲାଗି ହୁଅନ୍ତି ,ତହିଁରେ ଚାଉଳିଆର ଏକ ଵିଶେଷ ସ୍ଥାନ ରହିଛି । ସେ ପିଜୁଳି ଵା ଚାଉଳିଆତକ ଯୋଗାଇ ଦେଵାକୁ ପ୍ରାଚୀନ ମଠଟିଏ ସୁଦ୍ଧା ହେରାଗୋହିରୀ ସାହିରେ ଖଞ୍ଜା ହୋଇଥିଲା ଏଵଂ ତା’ର ନାଆଁ ଚାଉଳିଆ ମଠ ।
ଦାଳିଖିଆ,ଡାଳିଖିଆ,ଡାରାଚ,ଦାରାଖ୍ୟ,ଡାଳିଖ୍ୟ କୋଳି ଆଦି ପିଜୁଳି ଫଳର ଆଉ କେତେକ ଦେଶଜ ଓଡ଼ିଆ ନାଆଁ ରହିଛି । ଏହି ଵିଶେଷ ନାଆଁଗୁଡ଼ିକ କେଉଁ ମୂଳ ଶବ୍ଦରୁ ଉଦ୍ଭଵ ହୋଇଛି ତାହା ଅସ୍ପଷ୍ଟ ତେବେ ଅନୁମାନ କରାଯାଇପାରେ ଯେ ସମ୍ଭଵତଃ ଡାଳି ଓ ଆଖ୍ୟା ଶବ୍ଦ ଯୋଗ ହୋଇ ଡାଳିଖ୍ୟ ଵା ଡାଳିକ୍ଷ୍ୟ ଶବ୍ଦଟି ସୃଷ୍ଟି ହୋଇଛି ଏଵଂ ପରେ ଏ ଶବ୍ଦ ଡାଳିକ୍ଷ କୋଳି,ଡାଳିଖିଆ ,ଡାହିକ,ଡରାଚ,ଡାରାଚ,ଦାରାଖ୍ୟ ଓ ଦରଖିଆ ଆଦି ରୂପେ ପରିଵର୍ତ୍ତିତ ହୋଇଥାଇପାରେ । ଓଡ଼ିଆ ଭାଷାଭାଷୀ ଆଗେ ଜଳନ୍ତା ନିଆଁ ଓ ନିଆଁ ଜଳୁଥିଵା ଉମ୍ଭେଇକୁ ଡାଳି କହୁଥିଲେ ବୋଲି ଭାଷାକୋଷରୁ ଜଣାଯାଏ । ପିଜୁଳି ଫଳଟି ଜଳନ୍ତା ନିଆଁ ପରି ହଳଦୀ ଵର୍ଣ୍ଣର ତଥା ଏ ଫଳର ଆକାର ନିଆଁ ଉମ୍ଭେଇ ପରି ଦେଖାଯାଏ ବୋଲି ଡାଳି ଶବ୍ଦ ସହ ଆଖ୍ୟା ଶବ୍ଦ ଯୋଗ କରି ଡାଳିଖ୍ୟ ଶବ୍ଦ ସୃଷ୍ଟି ହୋଇଥିଵା ସମ୍ଭଵ । ଆଖ୍ୟା ଯୁକ୍ତ ଏ ଧରଣର ଅନେକ ଶବ୍ଦ ଅଛି ; ଯଥା କଦାଖ୍ୟ(କୁ+ଆଖ୍ଯା),ଗୁଡ଼ାଖ୍ୟ(ଗୁଡ଼+ଆଖ୍ୟା),ଚର୍ମାଖ୍ୟ(ଚର୍ମ+ଆଖ୍ୟା) ଓ ନାଗାଖ୍ୟ(ନାଗ+ଆଖ୍ୟା) ଇତ୍ୟାଦି । 


ଅଖଣ୍ଡ କଳିଙ୍ଗର କେତେକ ସୀମାନ୍ତ ଅଞ୍ଚଳରେ ପିଜୁଳିକୁ ସୈତାମ୍ବ,ଲକାମ,ବଦାମ ଓ ବାଜାମ୍ବ ଆଦି କୁହାଯାଏ। ଆମ୍ବ ପରି ସ୍ଵାଦିଷ୍ଟ ବୋଲି ବହୁତ ସମ୍ଭଵ ଏସବୁ ନାମକରଣ ହୋଇଅଛି ।‌

ଲଙ୍କା ଦକ୍ଷିଣରେ ଅଵସ୍ଥିତ ହୋଇଥିଵାରୁ ସେ ଦିଗରୁ ଓଡ଼ିଶାକୁ ଆନୀତ ଵୈଦେଶିକ ଦରଵକୁ ଲଙ୍କା ଶବ୍ଦ ଯୁକ୍ତ କରି ନାମକରଣ କରାଯାଇଥିଲା । ସାଧାରଣତଃ କାଜୁଗଛକୁ ଲଙ୍କାଆମ୍ବ କୁହନ୍ତି କିନ୍ତୁ କେତେକ ଅଞ୍ଚଳରେ ପିଜୁଳିକୁ ବି ଲୋକେ ଲକାମ ଓ ନକାମ୍ବ କହୁଥିଵାର ଶୁଣାଯାଏ । ପିଜୁଳିର ବଦାମ ଓ ବାଜାଆମ୍ବ ନାମକରଣ ସମ୍ଭଵତଃ ନିଶାଣର ଓଡ଼ିଆ ନାଆଁ ବାଜା ତଥା ଆମ୍ବ ଶବ୍ଦ ଯୁକ୍ତ ପୂର୍ଵକ ସୃଷ୍ଟି ହୋଇଥାଇପାରେ। ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଅନୁସାରେ ଓଡ଼ିଶାର ଗଡ଼ଜାତରେ ନିଶାଣକୁ ଲୋକେ ବାଜା କୁହନ୍ତି। ପିଜୁଳିର ଆକାର ନିଶାଣ ପରି ଓ ଏହା ଆମ୍ବ ସଦୃଶ ସ୍ଵାଦିଷ୍ଟ ବୋଲି ଏହାର ବାଜାଆମ୍ବ
 ନାମକରଣ ହୋଇଛି ଏଵଂ ପରେ ତାହା ବଦାମ ରୂପେ ପରିଵର୍ତ୍ତିତ ହୋଇଥିଵ । ମତାନ୍ତରେ ବାଦ ଓ ଆମ୍ଵ ଶବ୍ଦ ଯୁକ୍ତ କରାଯାଇ ପ୍ରଥମେ ପିଜୁଳି ଗଛର ନାଆଁ ବାଦାମ୍ବ ରଖାଯାଇଥିଲା ଯାହା ପରେ ଗଡ଼ଜାତରେ ଵିଶେଷତଃ ଉତ୍ତର ଅନୁଗୋଳ ଓ ଦେଵଗଡ଼ର କେତେକ ଅଞ୍ଚଳରେ ବାଦାମ ଓ ବଦାମ ହୋଇଅଛି । ପିଜୁଳି ଗଛର ଫଳ ଅତ୍ୟନ୍ତ ସ୍ଵାଦିଷ୍ଟ ହେଉଥିଵାରୁ ପିଲାଏ ପଡ଼ୋଶୀଙ୍କ ବାଡ଼ିରୁ ଏ ଫଳ ଚୋରି କରିଵାକୁ ପଛାନ୍ତି ନାହିଁ । ଫଳତଃ ଅନେକ ସମୟରେ ପିଜୁଳି ଗଛ ଯୋଗୁଁ ଵାଦଵିଵାଦ ଦେଖାଦେଇଥିଵ ତେଣୁ ଏହାର ନାଆଁ ବାଦାମ୍ବ,ବାଦାମ ଓ ବଦାମ ପଡ଼ିଥିଵ । ଅନ୍ୟ ଏକ ମତ ଅନୁସାରେ ବଡ଼ବାଦାମ ଗଛର ଫଳ ଭିତରେ ଥିଵା ବାଦାମ ଶସ ଆକାରର ହୁଏ ବୋଲି ପିଜୁଳିକୁ ଗଡ଼ଜାତରେ ବାଦାମ ନାମ ଦେଇଥିଲେ । ଉଲ୍ଲେଖଯୋଗ୍ୟ ଯେ ଯେମିତି କେତେକ ଅଞ୍ଚଳରେ ପିଜୁଳିକୁ ଲକାମ ତଥା ଅନେକ ଅଞ୍ଚଳରେ କାଜୁଗଛକୁ ଲଙ୍କାଆମ୍ବ କୁହନ୍ତି ଠିକ୍ ସେହିପରି କେତେକ ଅଞ୍ଚଳରେ କାଜୁଗଛକୁ ମଧ୍ୟ ବାଜାଆମ୍ବ ତଥା ବାଦାମ କୁହାଯାଏ ବୋଲି ପୂର୍ଣ୍ଣଚନ୍ଦ୍ର ଭାଷାକୋଷରୁ ଜଣାଯାଏ । 


ଓଡ଼ିଶାର ସିଂହଭୂମି ଓ ଷଡ଼ୈକଳା ଖରସୁଆଁ ଵିଚ୍ଛିନ୍ନାଞ୍ଚଳ ତଥା ଉତ୍ତର ଓଡ଼ିଶାର କେତେକ ଅଞ୍ଚଳରେ ପିଜୁଳିକୁ ସଇତମ୍ବା,ସୈତାମ୍ବ ଓ ସୋଇତାମ୍ବ ଆଦି କୁହାଯାଏ ।‌ ପୂର୍ଣ୍ଣଚନ୍ଦ୍ର ଭାଷାକୋଷରୁ ଜଣାଯାଏ ଯେ କଥିତ ଓଡ଼ିଆ ଭାଷାରେ ସତ୍ୟ ଶବ୍ଦଟି ସଇତ,
ସଇତା,ସଇତୀ,ସଇତୁ,ସତେଈ,ସଇତିଆ ଓ ସଇତୁଆ ଆଦି ନାନାରୂପ ହୋଇଅଛି। ତାହେଲେ କ'ଣ ବାଜାଆମ୍ଵ ଵା ବାଦମ,ଲଙ୍କାଆମ୍ବ ଵା ଲକାମ ଭଳି ଶବ୍ଦ ପରି ଆମ୍ବ ଶବ୍ଦରେ ସତ୍ୟ ଶବ୍ଦଟି ଯୁକ୍ତ ହୋଇ ସତ୍ୟଆମ୍ବ ଶବ୍ଦଟି ସୃଷ୍ଟି ହୋଇଥିଲା ଯାହା ପରେ ଓଡ଼ିଶାର ଉତ୍ତର ଵିଚ୍ଛିନ୍ନାଞ୍ଚଳ ସଇତମ୍ବା,ସୈତାମ୍ବ ଵା ସୋଇତାମ ହୋଇଯାଇଛି ? ତେବେ ପୁଣି ପ୍ରଶ୍ନ ଉଠେ ପିଜୁଳିକୁ କାହିଁକି କେଉଁ କାରଣରୁ ଲୋକେ ସତ୍ୟଆମ୍ବ କହୁଥିଲେ ଯେ ପରେ ତାହା ସଇତମ୍ବା ଵା ସୈତାମ୍ବ ହୋଇଅଛି ? 

ପିଜୁଳିର "ସତ୍ୟଆମ୍ବ" ନାମକରଣର ସମ୍ବନ୍ଧ ସାରଳା ମହାଭାରତର “ସତ୍ୟଆମ୍ବ କଥା” ସହିତ ଜଡି଼ତ ବୋଲି ଅନୁମାନ କରାଯାଏ । ସାରଳା ମହାଭାରତର ଏହି କଥାନୁସାରେ ପାଣ୍ଡବମାନଙ୍କର ଅଜ୍ଞାତ ଵନଵାସ ସ୍ଥାନର ପରିଚୟ ପାଇଵା ସକାଶେ ଦିନେ ଦୁର୍ଯୋଧନ ମାମୁ ଶକୁନିଙ୍କ ସହିତ ମନ୍ତ୍ରଣା କଲେ ଏଵଂ ତାଙ୍କ ପରାମର୍ଶକ୍ରମେ ପୁରଚନ ପଣ୍ଡାଙ୍କ ପୁତ୍ର ଗୌରମୁଖକୁ ଡାକି ପାଣ୍ଡଵମାନଙ୍କୁ ଅନୁସନ୍ଧାନ ନିମିତ୍ତ ପଠାଇଦେଲେ । ଗୌରମୁଖକୁ ଦୁର୍ଯୋଧନ ଆଦେଶ ଦେଇଥାନ୍ତି ଯେ ଯେଉଁମାନେ ଆଶ୍ୱିନ ମାସରେ ଆମ୍ବଫଳ ଦେଇ ପାରିବେ, ସେମାନେ ପାଣ୍ଡବ ବୋଲି ଚିହ୍ନି ଆମ୍ଭକୁ ଆସି ଜଣାଅ । ଚାରିମାସ ପର୍ଯ୍ୟନ୍ତ ଖୋଜିଵା ପରେ ଶେଷରେ ଗୌରମୁଖ ପାଣ୍ଡଵମାନଙ୍କୁ ଅସ୍କନ୍ଧ ଵନରେ ଠାବ କରି ତାଙ୍କର ଅତିଥି ହେଲେ । ସେ ଯୁଧିଷ୍ଠିରଙ୍କୁ ପାଚିଲା ଆମ୍ବ ଖାଇଵା ପାଇଁ ମାଗିଲେ । ଅତିଥିଙ୍କର କଥା ଶୁଣି ଯୁଧିଷ୍ଠିର ଚିନ୍ତିତ ହୋଇ ପଡି଼ଲେ । ଅସମୟରେ ଆମ୍ବ ମିଳିଵନାହିଁ ଜାଣି ମଧ୍ୟ ଯୁଧିଷ୍ଠିର ଚାରିଭାଇଙ୍କୁ ଆମ୍ବ ଆଣିଵାକୁ ପଠାଇଦେଲେ କିନ୍ତୁ ସମସ୍ତେ ନିରାଶ ହୋଇ ଫେରିଲେ । ଶେଷରେ ଯୁଧିଷ୍ଠିର ଶ୍ରୀକୃଷ୍ନଙ୍କୁ ସ୍ମରଣ କଲେ ଓ ତାଙ୍କୁ ପାଣ୍ଡଵମାନେ ସତକଥା କହିଲେ । ପାଞ୍ଚଭାଇଙ୍କ ସତ୍ୟକଥା ଶୁଣି ଆମ୍ବ ଟାକୁଆରୁ ଗଜା ହୋଇ ଗଛ ହେଲା, ଫୁଲ ଫୁଟିଲା, କଷି ଧରିଲା । ଶେଷକୁ ଦ୍ରୌପଦୀଙ୍କ ସତ୍ୟକଥାରେ ଆମ୍ବଟି ପାଚି ହଳଦିଆ ପଡି଼ଗଲା । ଯୁଧିଷ୍ଠିର ଖୁସି ହୋଇ ବ୍ରାହ୍ମଣଙ୍କୁ ସେ ଅଦିନ ଆମ୍ବଟି ପ୍ରଦାନ କଲେ । ବ୍ରାହ୍ମଣ ଗଧୋଇସାରି ଖାଇବେ ବୋଲି କହି ଆମ୍ବଟି ନେଇ ସେଠାରୁ ପଳାଇଗଲେ । ମାତ୍ର ବ୍ରାହ୍ମଣଙ୍କର ମନ୍ଦ ଉଦ୍ଦେଶ୍ୟ ଜାଣିପାରି ଶ୍ରୀକୃଷ୍ନ ଆମ୍ବଟି ହରଣ କରି ନେଲେ ଓ ଦୁର୍ଯୋଧନ ପାଣ୍ଡବମାନଙ୍କ ସମ୍ବନ୍ଧରେ ଆଉ ପ୍ରମାଣ ପାରିଲେ ନାହିଁ । 

ସାରଳା ମହାଭାରତରେ ଵର୍ଣ୍ଣିତ ଏହି ସତ୍ୟଆମ୍ବ କଥାକୁ ମୂଳ କରି ସମ୍ଭଵତଃ ଓଡ଼ିଶାର ଉତ୍ତରାଞ୍ଚଳ ଓ ଉତ୍ତର ଵିଚ୍ଛିନ୍ନାଞ୍ଚଳରେ ପ୍ରଥମେ ସତ୍ୟଆମ୍ବ ନାମଟି ପ୍ରଚଳିତ ହୋଇଥିଵ ଯାହା ପରେ ସୈତାମ୍ବ,ସଇତମ୍ବା ଓ ସୋଇତାମ୍ବ ଆଦି ନାନା ରୂପ ଲଭିଅଛି । ଉତ୍ତର ଭାରତରେ ବି ଲୋକେ ପିଜୁଳିକୁ ଶ୍ରୀକୃଷ୍ଣଙ୍କର ପ୍ରିୟଫଳ ମନେ କରନ୍ତି । ହୁଏତ ସତ୍ୟଆମ୍ବ କଥା ଯୋଗୁଁ ତଥା ଶ୍ରୀକୃଷ୍ଣଙ୍କର ପ୍ରିୟଫଳ ପିଜୁଳି ହୋଇଥିଵାର ଲୋକଵିଶ୍ଵାସ ପ୍ରଚଳିତ ଥିଵା ହେତୁ ଵୈଦେଶିକ ଫଳ ହୋଇ ମଧ୍ୟ ଶ୍ରୀଜଗନ୍ନାଥଙ୍କ ନିକଟରେ ପିଜୁଳି ଅର୍ପଣ କରାଯାଇଥାଏ। କେହି କେହି କୁହନ୍ତି Garcinia xanthochymusକୁ ଆଗେ ଓଡ଼ିଶାରେ ସତ୍ୟଆମ୍ବ କୁହାଯାଉଥିଲା । ପିଜୁଳି ଫଳର ରଙ୍ଗ ଓ ଆକାର ପାଚିଲା Garcinia xanthochymus ପରି ହେଉଥିଵାରୁ ଯେତେବେଳେ ଏ ଵୈଦେଶିକ ଫଳ ଭାରତକୁ ଆସିଲା ଲୋକେ ଏହାର ନାଆଁ ସତ୍ୟଆମ୍ବ ଦେଇଥିଲେ । 

     (Garcinia xanthochymus)

ଗଜପତିର କିଛି ଅଞ୍ଚଳରେ ପିଜୁଳିକୁ ଝିଲିକା କୁହନ୍ତି । ସଂସ୍କୃତ ଭାଷାର ଝିଲ୍ଲିକା ଶବ୍ଦ ସହିତ ଏହାର ସମ୍ବନ୍ଧ ଥାଇପାରେ । ଝିଣ୍ଟିକା ଓ ଝିଣ୍ଟିକାର ରାଵକୁ ଝିଲ୍ଲିକା କୁହନ୍ତି । ପିଜୁଳି ଓ ସବୁଜ ରଙ୍ଗର ଝିଣ୍ଟିକାର ରଙ୍ଗ ମଧ୍ୟରେ ସାମ୍ୟ ଦେଖି ଝିଲିକା ନାମକରଣ ହୋଇଥାଇପାରେ । ମତାନ୍ତରେ ଗୋଲାକର ଓ ହାତରେ ଧରି ବଜା ଯାଉଥିଵା ଝୁମୁକା ଵା ଝୁନଝୁନା ଵାଦ୍ୟକୁ ସଂସ୍କୃତ ଭାଷାରେ ଝିଲ୍ଲିକା କୁହନ୍ତି । ଝୁମୁକା ଵାଦ୍ୟର ଆକାର ତଥା ସେଥି ମଧ୍ୟରେ ପିଜୁଳି ଫଳର ଅନେକ ବୀଜ ଭଳି ଗୁଡ଼ାଏ ଗୁଟିକା ଥିଵାରୁ ହୁଏତ ପିଜୁଳି ସହିତ ଝୁମୁକା ଵା ଝିଲ୍ଲିକାର ସାମ୍ୟ ଦେଖି ପିଜୁଳିର ନାଆଁ ଝିଲିକା ରଖାଯାଇଥିଵ । ଅନ୍ୟ ଏକ ମତ ଅନୁସାରେ ଅତି ପତଳା ଚୋପା ଵା ଆଵରଣକୁ ଝିଲ୍ଲୀ କୁହନ୍ତି । ପିଜୁଳି ଫଳର ଚୋପା ଵା ଉପର ଆଵରଣ ବହୁତ ପତଳା ଏଵଂ ସେଓ ତଥା ନାସପାତି ପରି ପିଜୁଳି ଚୋପା ମଧ୍ୟ ଆଙ୍ଗୁଠିରେ ଛଡ଼େଇ ହୁଏ ନାହିଁ । କେହି କେହି ତ ଚୋପା ସହ ପିଜୁଳିକୁ ଖାଇଯାଆନ୍ତି । ତେଣୁ ପିଜୁଳି ଫଳର ପତଳା ଆଵରଣ ଵା ଚୋପା ଯୋଗୁଁ ହୁଏତ ଏହାର ନାଆଁ ଝିଲ୍ଲିକାରୁ ଝିଲିକା ହୋଇଥାଇପାରେ। ଏହା ମଧ୍ୟ ସମ୍ଭଵ ଯେ ପିଜୁଳି ଗଛରୁ ଛାଲ ଉତୁରୁଥିଵାରୁ ସେ ଦୃଷ୍ଟିରୁ ଏ ଗଛର ଗୋଟିଏ ନାଆଁ ଗଜପତି ଜିଲ୍ଲାରେ ଝିଲିକା ରଖାଯାଇଥିଵ । 
ହେଲେ ଓଡ଼ିଶାରେ Pisidium ଜାତୀୟ ଗଛର ସବୁଠାରୁ ଅଧିକ ଵ୍ୟଵହୃତ ନାଆଁ ହେଉଛି ପିଜୁଳି ଓ ତହିଁର ଵିଭିନ୍ନ ପରିଵୃତ୍ତ ଶବ୍ଦ ରୂପ । ଅଧୁନା ମାନକ ଓଡ଼ିଆରେ ପିଜୁଳି ନାଆଁ ହିଁ ସର୍ଵାଧିକ ଵ୍ୟଵହାର କରାଯାଏ। ଏହି ପିଜୁଳି ଶବ୍ଦଟି ଓଡ଼ିଶାର ଵିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ରୂପରେ ଵିଦ୍ୟମାନ । ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ପିଜୁଳିର ପିଜୁଡ଼,ପିଜୁଡ଼ି,ପିଜୁଡ଼ୁ, ପିଜୁଳ,ପିଜୁଳି,ପିଦୁଡ଼,ପିଦୁଡ଼ି,ପିଦୁଡ଼ୁ,ପେଦୁଡ଼,ପେଦୁଡ଼ି,ପେଦୁର,ପେଦୁଡ଼ୁ,ପିଚୁଡ଼ି,ଫୁଗୁଡ଼ି,ବିଜୁଳି,ବିଦୁଡ଼ି,ବିଦୁଡ଼ୁ,ପେଜୁର ଓ ବିଦୁର ଆଦି ନାମର ଉଲ୍ଲେଖ ରହିଛି । ଯେମିତି ହିନ୍ଦୀ ସାହିତ୍ୟରେ ପ୍ରେମଚାନ୍ଦ ପିଜୁଳିର ଅମରୂଦ ନାମଟି ତାଙ୍କର ଅନେକ ଗଳ୍ପରେ ଵ୍ୟଵହାର କରିଛନ୍ତି ଠିକ୍ ସେହିପରି ଵ୍ୟାସକଵି ଫକୀରମୋହନ ସେନାପତି ମଧ୍ୟ ତାଙ୍କ ରେଵତୀ ଗଳ୍ପରେ ପିଜୁଳି ଫଳର ପିଦୁଡ଼ି ନାମର ଵ୍ୟଵହାର କରି ଲେଖିଛନ୍ତି “ବାଡ଼ିଯାକ ଅନାଇଲା, ଏହି ବାପା ଗଲା ବରଷ କଦଳୀ ଲଗାଇଥିଲେ, ଭଣ୍ଡା ବାହାରିଲାଣି, ଦୁଇ ବରଷ ତଳେ ମା’ ଗୋଟିଏ 'ପିଦୁଡ଼ି' ଗଛ ବାଡ଼ିରେ ରୋଇଥିଲେ, ରେବତୀ ଧାଇଁ ଧାଇଁ କୂଅରୁ ଢାଳେ ପାଣି ସେ ଗଛରେ ଦେଇଥିଲା, ସେ ଗଛ କେଡ଼େଟାଏ ହେଲାଣି, ଫୁଲ ଧରିଲାଣି ।” ଏଥିରୁ ଜଣାପଡେ଼ ଯେ ଅନ୍ତତଃ ଫକୀରମୋହନଙ୍କ ସମୟରେ ପିଜୁଳି ଫଳର ପିଦୁଡ଼ି ନାମଟି ସାହିତ୍ୟରେ ସ୍ଥାନ ପାଇଥିଲା । 

 ମାତ୍ର ପିଜୁଳି ଓ ପିଦୁଡ଼ି ଆଦି ଶବ୍ଦର ଵ୍ୟୁତ୍ପତ୍ତି ସମ୍ବନ୍ଧରେ ନାନା ମତ ଦିଆଯାଇପାରେ। କେହି କେହି କୁହନ୍ତି ପିଜୁଳିକୁ ପର୍ତ୍ତୁଗୀଜ୍‌ମାନେ ଓଡ଼ିଶାକୁ ଆଣିଥିଲେ ଏଵଂ ପର୍ତ୍ତୁଗୀଜ୍ ଭାଷାରେ ପିଜୁଳି ଵା Guava ତଥା Guavasteen(Feijoa sellowiana) ନାମକ ପିଜୁଳି କୁଳ Myrtaceae ଅନ୍ତର୍ଗତ ଏକ ପିଜୁଳି ସଦୃଶ ଗଛର ନାମ feijao ଅଟେ । ଏହି feijao ନାମଟି ହୁଏତ ଓଡି଼ଶାରେ ପିଜୁଳି ହୋଇଛି। କିନ୍ତୁ ଯଦି ପର୍ତ୍ତୁଗୀଜ୍‌ମାନଙ୍କ feijao ଶବ୍ଦରୁ , ପିଜୁଳି ଶବ୍ଦ ଉତ୍ପତ୍ତି ହୋଇଥିଲା ତାହେଲେ ଅନ୍ୟାନ୍ୟ ଭାରତୀୟ ଭାଷାରେ ସେହି ସମାନ ଶବ୍ଦରୁ ଆଉ କୋଉ ସମାର୍ଥକ ଶବ୍ଦ କାହିଁକି ପ୍ରଚଳିତ ହେଲାନାହିଁ ? feijao ଶବ୍ଦରୁ ଯଦି ଓଡ଼ିଆ ପିଜୁଳି ଶବ୍ଦ ଉତ୍ପତ୍ତି ହୋଇଥିଲା ତାହେଲେ ପିଜୁଳି ଶବ୍ଦରେ 'ଳ' କୁଆଡ଼ୁ ଆସିଲା ତାହାର ଉତ୍ତର ମିଳିପାରେ ନାହିଁ । 

ମତାନ୍ତରେ କେହି କେହି କୁହନ୍ତି ପିଜୁଳିରେ ଅନେକ ବୀଜ ଥିଵାରୁ ଵୀଜ ପୂର୍ଣ୍ଣାର୍ଥେ ଵୀଜପୁର ଵା ବିଜୁଆଳ ଶବ୍ଦରୁ ବିଜୁଳି, ପିଜୁଳି ଆଦି ଶବ୍ଦ ସୃଷ୍ଟି ହୋଇଛି । ଅନ୍ୟ ଏକ ମତ ଅନୁସାରେ ବୀଜଫଳ ଶବ୍ଦରୁ ବିଜୁଳି,ବିଦୁଳ, ପିଜୁଳି,ପିଚୁଡ଼ି ଓ ପିଦୁଡ଼ି ଇତ୍ୟାଦି ଶବ୍ଦ ସୃଷ୍ଟି ହୋଇଛି ।‌ ତେବେ ଯଦି ବୀଜଫଳ,ବୀଜୁଆଳ କି ବୀଜପୁରରୁ ଓଡ଼ିଆ ପିଜୁଳି ଶବ୍ଦ ଉତ୍ପତ୍ତି ହୋଇଥାନ୍ତା ତା'ହେଲେ ବିଜୁଳି ଶବ୍ଦଟି ମାନକ ହୋଇଥାନ୍ତା ପୁଣି ବ ଆଦ୍ୟର ପିଜୁଳି ଫଳର ଅନେକ ଦେଶୀୟ ନାଆଁ ରହିଥାନ୍ତା କିନ୍ତୁ ଦେଖାଯାଏ ଯେ 'ପିଜୁଳି ଭଳି 'ପ' ଵର୍ଣ୍ଣ ଯୁକ୍ତ ପିଜୁଡ଼,ପିଜୁଡ଼ି,ପିଜୁଡ଼ୁ, ପିଜୁଳ,ପିଜୁଳି,ପିଦୁଡ଼,ପିଦୁଡ଼ି,ପିଦୁଡ଼ୁ,ପେଦୁଡ଼,ପେଦୁଡ଼ି,ପେଦୁର,ପେଦୁଡ଼ୁ ଓ ପିଚୁଡ଼ି ଭଳି ଶବ୍ଦ ଅଧିକ ରହିଛି କିନ୍ତୁ ବିଦୁର ଓ ବିଜୁଳି ପରି 'ବ' ଆଦ୍ୟରେ ଅଳ୍ପ ଶବ୍ଦ ଅଛି । ତିନିରେ ପିଜୁଳି ଓ 'ପ' ଆଦ୍ୟର ଏହାର ଅନ୍ୟ ପରିଵୃତ୍ତ ରୂପଗୁଡ଼ିକ ଓଡ଼ିଶାର ଵିଭିନ୍ନ ଅଞ୍ଚଳର କଥିତ ଓଡ଼ିଆ ଭାଷାରେ ଚଳୁଥିଲାବେଳେ କେତେକ ସୀମିତ ନିର୍ଦ୍ଧିଷ୍ଟ ଅଞ୍ଚଳରେ ହିଁ ବିଦୁର ଓ ବିଜୁଳି ଶବ୍ଦ ଚଳୁଅଛି । ତେଣୁ ବୀଜପୁର,ବୀଜୁଆଳ କି ବୀଜଫଳରୁ ପିଜୁଳି ଶବ୍ଦ ସୃଷ୍ଟି ହୋଇଥିଵାର ସମ୍ଭାଵନା ଅଳ୍ପ ଜଣାପଡ଼େ । 
 
ଏହିପରି ପିଜୁଳି ଶବ୍ଦର ଵ୍ୟୁତ୍ପତ୍ତି ସମ୍ବନ୍ଧରେ ଅନ୍ୟ କେତେକ ମତ ଦିଆଯାଇପାରେ । 
କେହି କେହି ପିତ୍ତଳ ଶବ୍ଦରୁ ପିତ୍ତୁଳି ଓ ପିତୁଆଳି ଶବ୍ଦ ସୃଷ୍ଟି ହୋଇଛି ଏଵଂ ଏ ଶବ୍ଦ ପରେ ଏ ଶବ୍ଦ ପିଜୁଳି ଓ ପିଦୁଡ଼ି ରୂପେ ଚଳିଅଛି ବୋଲି ମତ ଦିଅନ୍ତି । ଉଲ୍ଲେଖଯୋଗ୍ୟ ଯେ ଭୁର୍ଜପତ୍ର ଵା Birch ଗଛର ଗୋଟିଏ ନାଆଁ ମଧ୍ୟ ପିତ୍ତଳ ଏଵଂ ପିଜୁଳି ଗଛର ଛାଲ ଛାଡ଼ିଲା ପରି ଏ ଗଛରୁ ବି ଛାଲ ଛାଡ଼ିଥାଏ । ସେହିପରି ପିଜୁଳିକୁ କେତେକ ଅଞ୍ଚଳରେ ବିଦୁର କୁହନ୍ତି ବୋଲି ପୂର୍ଵେ ଉଲ୍ଲେଖ କରାଯାଇଛି। 
ତତ୍ସମ ଵିଦୂର ଶବ୍ଦର ଦୁଇଟି ଅର୍ଥ ବହୁଦୂରତା ଓ ବହୁଦୂରଵର୍ତ୍ତୀ ଦେଶ । ପିଜୁଳି ଗଛ ବହୁଦୂରଵର୍ତ୍ତୀ ଦେଶରୁ ଏ ଦେଶକୁ ଅଣାଯାଇଛି । ତେଣୁ ଏକ ମତ ଅନୁସାରେ ତତ୍ସମ ଵିଦୂର ଶବ୍ଦରୁ ପ୍ରଥମେ ପିଜୁଳିର ନାଆଁ ବିଦୁର ହୋଇ ପରେ ପିଦୁଡ଼, ପେଦୁଡ଼, ପିଜୁଳି ଓ ବିଜୁଳି ଆଦି ଶବ୍ଦ ସୃଷ୍ଟି ହୋଇଛି । କିଛି ଲୋକ କୁହନ୍ତି ଯେମିତି ନେୱା ଶବ୍ଦଟି ମାୟା ଓ ମାଯା ଉଭୟ ରୂପରେ ଚଳୁଅଛି ହୁଏତ ସେହିପରି ପିଜୁଳି ଫଳର ପିୟାରା ନାଆଁଟି ପିଜାର ହୋଇ ପରେ ପିଜୁଳି ଓ ପିଦୁର ହୋଇଯାଇଥାଇପାରେ ।‌
ପୁଣି ଓଡ଼ିଆ ଭାଷାରେ Ventilago ଜାତୀୟ ଗଛଗୁଡ଼ିକୁ ପିଚୁଳି ଓ ପିଚୁରି କୁହାଯାଏ। ହୁଏତ Ventilago ଜାତୀୟ ଗଛର ଗୁଣ ଓ ରୂପ ଆଧାରରେ ଵୈଦେଶିକ ପିଜୁଳି ଗଛର ଓଡ଼ିଆ ନାଆଁ ବି ପିଚୁଡ଼ି ଦିଆଯାଇଥିଵ ଯାହା ପରେ ପିଜୁଳି ଓ ପିଦୁଡ଼ି ହୋଇଛି ? ଆଜି ବି ଓଡ଼ିଶାର କେତେକ ଅଞ୍ଚଳରେ ପିଜୁଳିକୁ ପିଚୁଡ଼ି କୁହାଯାଏ।  

ତେବେ ପିଞ୍ଜଳ,ପିଞ୍ଜଳି ଵା ପିଞ୍ଜର ଏଇ ଧରଣର ଆଉ ଏକ ଶବ୍ଦ ଯହିଁରୁ ଓଡ଼ିଆ ପିଜୁଳି ଓ ପିଦୁଡ଼ି ଶବ୍ଦ ସୃଷ୍ଟି ହୋଇଥିଵାର ସମ୍ଭାଵନା ସର୍ଵାଧିକ।ସ୍ଵର୍ଣ୍ଣ,ହରିତାଳ,ପିତ୍ତଳ,ପୀତ ଵା ହଳଦିଆ ଓ ପିଙ୍ଗଳ ଵର୍ଣ୍ଣକୁ ପିଞ୍ଜଳ ତଥା ପିଞ୍ଜର କୁହନ୍ତି । ପ୍ରାଚୀନ ସଂସ୍କୃତ ସାହିତ୍ୟରେ ପିଙ୍ଗଳ ଶବ୍ଦ ଅଧିକ ପ୍ରୟୋଗ ହେଉଥିଲା ଏଵଂ ପରେ ମହାଭାରତ ରଚନା ସମୟ ବେଳକୁ ସଂସ୍କୃତ ଭାଷାରେ ପିଞ୍ଜର ଶବ୍ଦ ପ୍ରୟୋଗ କରାଯାଇଛି। ତେବେ ଵୈଦିକ ସଂସ୍କୃତ ଭାଷାରେ ବି ପିଞ୍ଜର ଶବ୍ଦର ପ୍ରୟୋଗ ଯୌଗିକ ଶବ୍ଦ କ୍ଷେତ୍ରରେ ହୋଇଛି । ଵେଦରେ ଶଷ୍ପିଞ୍ଜର ବୋଲି ହଳଦିଆ ଘାସର ଉଲ୍ଲେଖ ଅଛି ଯାହା ପ୍ରମାଣ କରେ ଯେ ଏହି ପିଞ୍ଜର ଶବ୍ଦଟି ଵୈଦିକ କାଳରେ ବି ହଳଦିଆ ଅର୍ଥରେ ଚଳୁଥିଲା । ଏ ପିଞ୍ଜର ଶବ୍ଦର ଆଉ ଏକ ରୂପ ପିଞ୍ଜଳ ,ପିଞ୍ଜଳ ଶବ୍ଦ ଅତି ସହଜରେ ପିଜଳ ଓ ପିଜୁଳିରେ ପରିଵୃତ୍ତ ହୋଇପାରେ । କହିଵା ବାହୁଲ୍ୟ ଯେପରି ପିଜୁଳି ପାଚିଲେ ହଳଦିଆ ଦିଶେ ବୋଲି ହଳଦିଆ ଓ ସୁନା ଅର୍ଥଜ ତାମରସ ଶବ୍ଦ ଆଧାରରେ ପିଜୁଳି ଫଳର ନାଆଁ ତାମରସ ହୋଇଛି ଠିକ୍ ସେହିପରି ହଳଦିଆ ରଙ୍ଗ ଯୋଗୁଁ ପିଞ୍ଜର ଵା ପିଞ୍ଜଳ ଶବ୍ଦ ଆଧାରରେ ପିଜୁଳି ଫଳର ନାମକରଣ ହୋଇଥିଲା ।  

ପିଙ୍ଗଳର ଏହି ପିଞ୍ଜର ଵା ପିଞ୍ଜଳ ରୂପରୁ ପଶ୍ଚିମ ପାହାଡ଼ି ଭାଷାର ଭାଲେସୀ ଶୈଳୀରେ
 pij̈j̈, pεj̈j̈ ଶବ୍ଦ ସୃଷ୍ଟି ହୋଇଛି ଏଵଂ କସରା ରଙ୍ଗର ଏକ ଜାତୀୟ ମାଈ ଜଙ୍ଗଲୀ ଛେଳିର ନାମ ରୂପେ ଵ୍ୟଵହାର କରାଯାଉଛି ବୋଲି Sir. Ralph Lilley Turnerଙ୍କ A comparative dictionary of Indo-Aryan languages ଵ୍ୟୁତ୍ପତ୍ତିକ ଅଭିଧାନରେ ଉଲ୍ଲେଖ ଅଛି । ପୁଣି ଏହି ଅଭିଧାନ ଅନୁସାରେ ସିଂହଳୀ ଭାଷାରେ ହଳଦିଆ ଅର୍ଥଜ ପିଞ୍ଜର ଵା ପିଞ୍ଜଳ ଶବ୍ଦଟି piduru ହୋଇଯାଇଛି ଏଵଂ ଧାନର ହଳଦିଆ କାଣ୍ଡ,ନଡ଼ା ଵା straw ଓ ଶୁଖିଲା ଘାସ ଅର୍ଥରେ ଚଳୁଅଛି । ସେହିପରି ମରାଠୀ ଭାଷାର पिवळा(ହଳଦିଆ) ଓ पिवडी(ହଳିଆ ରଙ୍ଗ), ବଙ୍ଗାଳୀ ଭାଷାର পিউরি ତଥା ଓଡ଼ିଆ ଭାଷାର ପିଉଡ଼ି ଓ ପ୍ୟୁଡ଼ି ଇତ୍ୟାଦି ଶବ୍ଦ ପିଙ୍ଗଳ କିମ୍ବା ଏହାର ପ୍ରତିରୂପ ପିଞ୍ଜର/ପିଞ୍ଜଳରୁ ସୃଷ୍ଟି ହୋଇଛି ବୋଲି ଅନୁମାନ କରାଯାଇପାରେ । ତେଣୁ ଯେମିତି ସିଂହଳୀରେ ପିଞ୍ଜର/ପିଞ୍ଜଳ ଶବ୍ଦଟି piduru ହୋଇଯାଇଛି ଠିକ୍ ସେହିପରି ଓଡ଼ିଆ ଭାଷାରେ ବି ତାହା ପିଦୁର ଓ ପିଜୁଳି ହୋଇ ହଳଦିଆ ରଙ୍ଗର ମହୁ ସମ ସ୍ଵାଦିଷ୍ଟ ଵୈଦେଶିକ ଫଳ ପାରେଵତର ଓଡ଼ିଆ ନାଆଁ ରୂପେ ପ୍ରଚଳିତ ହୋଇଥିଵାର ସମ୍ଭାଵନା ଅଧିକ ।  

ଓଡ଼ିଆ ଭଳି ଭାରତର ଵିଭିନ୍ନ ଭାଷାରେ ମଧ୍ୟ ପିଜୁଳିର ଅନେକ ନାଆଁ ରହିଛି । ହିନ୍ଦୀ ଶବ୍ଦସାଗରରୁ ପିଜୁଳିର अमरूद,रुन्नी,बिही, सफरी,जांमफळ(ରାଜସ୍ଥାନୀ) ଆଦି ନାଆଁ ମିଳେ ।‌ ଵିଭିନ୍ନ ମରାଠୀ ଶବ୍ଦକୋଷରୁ पेर,पेरु,जांब, जमरूद ଆଦି ପିଜୁଳିର ମରାଠୀ ନାଆଁ ମିଳୁଛି । 
ନେପାଳୀରେ ବି ପିଜୁଳିକୁ अम्बा ଓ बिहिँ କୁହନ୍ତି ବୋଲି କେତେକ ନେପାଳୀ ଅଭିଧାନରୁ ଜଣାଯାଏ । ଵିଭିନ୍ନ ବଙ୍ଗାଳୀ ଅଭିଧାନରେ ପିଜୁଳିର পিয়ারা(ପିୟାରା),আমরুত (ଅମରୁତ),পেয়ারা(ପେୟାରା) ଓ আমসুপারি(ଆମସୁପାରୀ) ଆଦି ନାମ ମିଳିଥାଏ । ସେହିଭଳି ସିଂହଳୀରେ ପିଜୁଳିକୁ පේර(ପେର),ପଞ୍ଜାବୀରେ
ਅਮਰੂਦ(ଅମରୁଦ),ଅହମିଆ 
মধুৰি-আম(madhuri-āma ) କୁହାଯାଏ। ତାମିଳ ଭାଷାରେ ପିଜୁଳିର
உய்யக்கொண்டான் (uyyakkoṇṭāṉ) ଓ கொய்யா (koyyā) ନାମ ଚଳୁଅଛି। ମଳୟାଳମରେ ପିଜୁଳିକୁ കൊയ്യാമരം(koyyāmaram) ଓ പേര(pēra) କୁହନ୍ତି। ତେଲୁଗୁରେ ପିଜୁଳି ଫଳର గొయ్యాపండు (goyyā-panḍu),జామ(jāma) ଓ జామి(jaami) ନାମ ଅଛି । 
କନ୍ନଡ଼ ଭାଷାରେ ପିଜୁଳିକୁ
ಪೇರಲ(pērala),ಪೇರ್ಲೆ (pērle),ಜಾಮಫಲ(jāma-phala),ಗೋವ(gōva),ಕೊಯ್ಯಾ(koyyā) ଓ ಸೀಬಿ(sībi) କୁହାଯାଏ ।‌ ଅସ୍ତୁ ଭାରତରେ ଯେତେ ଭାଷା ଅଛି ପିଜୁଳିର ସର୍ଵାଧିକ ନାଆଁ ଵିଭିନ୍ନ ପରିଵୃତ୍ତ ରୂପ ସହିତ ଓଡ଼ିଆ ଭାଷାରେ ହିଁ ଚଳୁଅଛି କହିଲେ ଅତ୍ୟୁକ୍ତି ହେଵ ନାହିଁ ।‌

ଓଡ଼ିଆ ଭାଷାରେ ପ୍ରଚଳିତ ପିଜୁଳି ଫଳର ଵିଭିନ୍ନ ନାମଗୁଡ଼ିକୁ ମୋଟ ୧୪ଟି ଶ୍ରେଣୀରେ ଵିଭକ୍ତ କରାଯାଇପାରେ ଏଵଂ ସେସବୁ ଶବ୍ଦଗୁଡ଼ିକର ଵ୍ୟୁତ୍ପତ୍ତି ସମ୍ବନ୍ଧରେ ଉପରେ ଵିଶଦ ଆଲୋଚନା ହୋଇଛି । ଭାରତରେ ଓଡ଼ିଆ ଭାଷା ଵ୍ୟତୀତ ଅନ୍ୟ କୌଣସି ଭାଷାରେ ପିଜୁଳି ଫଳର ଏତାଦୃଶ ନାଆଁ ମିଳେ ନାହିଁ । ଏହା ଓଡ଼ିଆ ଭାଷାର ଵିଵିଧତା ଓ ଵିଶାଳ ଶବ୍ଦ ସମ୍ଭାରର ପରିଚୟ ହୋଇଥାଏ । 

No comments:

Post a Comment

Dancing Mania: ମଧ୍ୟଯୁଗୀୟ ୟୁରୋପର ରହସ୍ୟମୟ ମୃତ୍ୟୁ ନୃତ୍ୟ

ମଧ୍ୟଯୁଗୀୟ ଇଉରୋପରେ ପ୍ଲେଗ୍‌ ଵ୍ୟାପିଵା ସହିତ ଧର୍ମୀୟ ଉତ୍ତେଜନା ମନୁଷ୍ୟ ମନକୁ ଆତଙ୍କିତ କରୁଥିଲା ବେଳେ, ଏକ ଅଜଣା ଓ ରହସ୍ୟମୟ ଘଟଣା ସମାଜକୁ ଆହୁରି ଭୟଭୀତ କରିଥିଲା ...