ଚଳଚ୍ଚିତ୍ରର ମୁଖ୍ୟ ଚରିତ୍ର ଫିଲ କନର୍ସ ପ୍ରାରମ୍ଭରେ ଜଣେ ଅହଂକାରୀ, ଆତ୍ମକେନ୍ଦ୍ରୀୟ ଓ ଅନ୍ୟମାନଙ୍କୁ ଅଵମାନନା କରୁଥିଵା ଵ୍ୟକ୍ତି ଭାବେ ଚିତ୍ରିତ ହୋଇଛନ୍ତି। ସେ ନିଜ ଜୀଵନ ଓ କାର୍ଯ୍ୟ ପ୍ରତି ଅସନ୍ତୁଷ୍ଟ ଥିଲେ ଏଵଂ ତାଙ୍କ ମଧ୍ୟରେ ଅନ୍ୟମାନଙ୍କ ପ୍ରତି ସମ୍ବେଦନଶୀଳତାର ଅଭାଵ ରହିଥିଲା ।
ତେବେ ଯେତେବେଳେ ସେ ସମୟ ଚକ୍ରରେ ଫସିଯାନ୍ତି, ତାଙ୍କୁ ନିଜର ଭୁଲ୍ ଓ ଅଭାବଗୁଡ଼ିକ ଚିହ୍ନିଵାର ସୁଯୋଗ ମିଳେ। ପ୍ରତିଦିନ ଏକା ଘଟଣା ପୁନରାବୃତ୍ତି ହେଵା ଦ୍ୱାରା ସେ ଵିଭିନ୍ନ ଘଟଣାକ୍ରମରୁ ନୂତନ ଶିକ୍ଷା ଲଭି ନିଜ ଆଚରଣ, ଚିନ୍ତାଧାରା ଓ ଦୃଷ୍ଟିକୋଣକୁ ପରିଵର୍ତ୍ତନ କରିଵା ଶିଖନ୍ତି। ସେ ପିଆନୋ ବଜାଇଵା, ନୂଆ ଦକ୍ଷତା ଶିଖିଵା ଏଵଂ ଅନ୍ୟମାନଙ୍କ ସହ ଅଧିକ ସମ୍ବେଦନଶୀଳ ହେଵା ଆରମ୍ଭ କରନ୍ତି।
ଚଳଚ୍ଚିତ୍ର ମଧ୍ୟରେ ତାଙ୍କର ଏହି ଯାତ୍ରା ଆମକୁ ଶିକ୍ଷା ଦେଇଛି ଯେ ଜୀଵନ ଆମ୍ଭମାନଙ୍କୁ ବାରମ୍ବାର ନିଜକୁ ଉନ୍ନତ କରିଵା ପାଇଁ ସୁଯୋଗ ଦେଇଥାଏ । ଆମେ ଚେଷ୍ଟା କଲେ ଆମର ଭୁଲଗୁଡ଼ିକୁ ଚିହ୍ନି, ସେଗୁଡ଼ିକରୁ ଶିଖି ଅଧିକ ଉତ୍ତମ ମଣିଷ ହୋଇପାରିଵା । ଚଳଚ୍ଚିତ୍ରର ମୁଖ୍ୟ ଚରିତ୍ର ଫିଲ୍ଙ୍କର ପରିଵର୍ତ୍ତନ ଦର୍ଶାଏ ଯେ ଆତ୍ମ-ଚିହ୍ନନ ଓ ନିଜକୁ ବଦଳାଇଵା ଜୀଵନର ଏକ ଅନନ୍ତ ପ୍ରକ୍ରିୟା।
ଫିଲ୍ ପ୍ରାରମ୍ଭରେ ଅନ୍ୟମାନଙ୍କ ପ୍ରତି ଉଦାସୀନ ଓ ଅସମ୍ମାନଜନକ ଥାଆନ୍ତି। କିନ୍ତୁ ସମୟ ଚକ୍ରରେ ଫସିଵା ପରେ ସେ ଅନ୍ୟମାନଙ୍କ ଜୀଵାନ ଓ ସମସ୍ୟାକୁ ବୁଝିଵା ଆରମ୍ଭ କରିଦିଅନ୍ତି । ସେ ଗୋଟିଏ ଦିନରେ ଅନେକ ଲୋକଙ୍କୁ ସାହାଯ୍ୟ କରନ୍ତି—ଯେମିତି ଜଣେ ଗୃହହୀନ ଵ୍ୟକ୍ତିଙ୍କୁ ଖାଦ୍ୟ ଦେଵା, ଗଛରୁ ପଡ଼ୁଥିଵା ପିଲାକୁ ବଞ୍ଚାଇଵା ଓ ଅନ୍ୟମାନଙ୍କ ପ୍ରତି ଦୟାଳୁ ଵ୍ୟଵହାର ଦେଖାଇଵା ଇତ୍ୟାଦି। ଏହି କାର୍ଯ୍ୟଗୁଡ଼ିକ ତାଙ୍କୁ କେଵଳ ଅନ୍ୟମାନଙ୍କ ପାଇଁ ନୁହେଁ ଵରଂ ନିଜ ଜୀଵନକୁ ଅର୍ଥପୂର୍ଣ୍ଣ କରିଵାରେ ମଧ୍ୟ ସାହାଯ୍ୟ କରେ।
ଦୟା ଓ ସହାନୁଭୂତି ଜୀବନରେ ଗଭୀର ସନ୍ତୁଷ୍ଟି ଆଣିଥାଏ ବୋଲି ପରୋକ୍ଷରେ ଚଳଚ୍ଚିତ୍ରଟିରେ ଦର୍ଶିତ ହୋଇଛି । ଅନ୍ୟମାନଙ୍କ ପ୍ରତି ସମ୍ବେଦନଶୀଳ ହେଵା ଦ୍ୱାରା ଆମେ କେଵଳ ସେମାନଙ୍କ ଜୀଵନକୁ ଉନ୍ନତ କରୁନାହୁଁ ଵରଂ ଆମର ନିଜ ଜୀଵନକୁ ମଧ୍ୟ ଅଧିକ ସୁଖମୟ କରିଥାଉ।
“Groundhog Day” ର ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଶିକ୍ଷା ହେଉଛି ଜୀଵନର ପ୍ରତ୍ୟେକ ମୁହୂର୍ତ୍ତକୁ ମୂଲ୍ୟ ଦେଵା। ଫିଲ୍ ପ୍ରାରମ୍ଭରେ ସମୟ ଚକ୍ରକୁ ଏକ ଅଭିଶାପ ଭାବେ ଗ୍ରହଣ କଲେ ଓ ଏଥିରୁ ମୁକ୍ତି ପାଇଵାକୁ ଚେଷ୍ଟା କଲେ। କିନ୍ତୁ କ୍ରମଶଃ ସେ ବୁଝିଲେ ଯେ ପ୍ରତ୍ୟେକ ଦିନ ନୂଆ ସୁଯୋଗ ଆଣିଥାଏ। ସେ ସାମାନ୍ୟ ଜିନିଷରେ ଖୁସି ଖୋଜିଵା ଶିଖିଲେ—ଯେମିତି ନୂଆ ନୂଆ ଲୋକଙ୍କ ସହିତ କଥାଵାର୍ତ୍ତା,ହସ ଗମାତ ଓ ନୂଆ ଅନୁଭଵ ତଥା ଜ୍ଞାନ ଲାଭ ।
ଚଳଚ୍ଚିତ୍ରଟିର କାହାଣୀ ମାଧ୍ୟମରେ ଦର୍ଶକଙ୍କୁ ଵାର୍ତ୍ତା ଦିଆଯାଇଛି ଯେ ଜୀଵନରେ ସଫଳତା କେଵଳ ବଡ଼ ଲକ୍ଷ୍ୟ ଲଭିଵାରେ ନୁହେଁ ଵରଂ ପ୍ରତ୍ୟେକ ମୁହୂର୍ତ୍ତକୁ ପୂର୍ଣ୍ଣ ଉପଭୋଗ କରିଵାରେ ରହିଛି। ଆମେ ପ୍ରାୟତଃ ଭଵିଷ୍ୟତ ଵା ଅତୀତ ଵିଷୟରେ ଚିନ୍ତା କରି ଵର୍ତ୍ତମାନକୁ ଉପେକ୍ଷା କରୁ, କିନ୍ତୁ ଏହି ଚଳଚ୍ଚିତ୍ର ଆମକୁ ଵର୍ତ୍ତମାନରେ ଜୀଵନଯାପନ କରିଵାର ଗୁରୁତ୍ୱ ଶିଖାଇଥାଏ।
ଚଳଚ୍ଚିତ୍ରରେ ଫିଲ୍ ତାଙ୍କ ସହକର୍ମୀ ରୀଟା (ଆଣ୍ଡି ମ୍ୟାକଡୋୱେଲ)ଙ୍କ ସହ ପ୍ରେମରେ ପଡ଼ନ୍ତି। ପ୍ରାରମ୍ଭରେ ସେ ରୀଟାଙ୍କୁ ପ୍ରଭାଵିତ କରିଵା ପାଇଁ ସମୟ ଚକ୍ରର ସୁଯୋଗକୁ ଵ୍ୟଵହାର କରି ତାଙ୍କ ପସନ୍ଦ-ଅପସନ୍ଦ ଜାଣିଵାକୁ ଚେଷ୍ଟା କରନ୍ତି। କିନ୍ତୁ ସେ ଶୀଘ୍ର ବୁଝନ୍ତି ଯେ ପ୍ରକୃତ ପ୍ରେମ କେଵଳ ଛଳନା ଵା ପରିକଳ୍ପନା ଦ୍ୱାରା ଲାଭ କରି ହୁଏ ନାହିଁ। ଯେତେବେଳେ ସେ ନିଜକୁ ଆନ୍ତରିକ ଓ ଦୟାଳୁ ଭାବେ ବଦଳାନ୍ତି, ତାଙ୍କର ସମ୍ପର୍କ ରୀଟାଙ୍କ ସହ ଅଧିକ ଅର୍ଥପୂର୍ଣ୍ଣ ହୁଏ।
ଏହା ଆମକୁ ଶିକ୍ଷା ଦେଇଛି ଯେ ପ୍ରେମ ଓ ସମ୍ପର୍କ ନିଷ୍ଠା, ସଚ୍ଚୋଟତା ଓ ପାରସ୍ପରିକ ସମ୍ମାନ ଉପରେ ନିର୍ଭର କରେ। ପ୍ରକୃତ ସମ୍ପର୍କ ଗଢ଼ିଵା ପାଇଁ ଆମକୁ ନିଜର ଅହଂକାର ତ୍ୟାଗ କରି ଅନ୍ୟମାନଙ୍କୁ ପ୍ରକୃତରେ ବୁଝିଵା ଆଵଶ୍ୟକ।
ଚଳଚ୍ଚିତ୍ରଟି ଵିଭିନ୍ନ ଦାର୍ଶନିକ ଧାରଣା, ଯେମିତି ନିଷ୍କାମ କର୍ମ, ଅସ୍ତିତ୍ୱଵାଦ ଓ ବୌଦ୍ଧ ତତ୍ତ୍ୱ ସହ ଜଡ଼ିତ। ଚଳଚ୍ଚିତ୍ରର ମୁଖ୍ୟ ଚରିତ୍ର ଫିଲ୍ଙ୍କର ଯାତ୍ରା ବୌଦ୍ଧ ଧର୍ମର ସଂସାର ଚକ୍ର ଓ ମୁକ୍ତିର ଧାରଣାକୁ ସ୍ମରଣ କରାଇଥାଏ, ଯେଉଁଠି ଆତ୍ମ-ଉନ୍ନତି ଓ ଅନ୍ୟମାନଙ୍କ ପ୍ରତି ଦୟା ମାଧ୍ୟମରେ ମୁକ୍ତି ପ୍ରାପ୍ତ ହୁଏ। ଏହା ଅସ୍ତିତ୍ୱଵାଦୀ ଦୃଷ୍ଟିକୋଣକୁ ମଧ୍ୟ ସ୍ପର୍ଶ କରେ, ଯେଉଁଠି ଫିଲ ନିଜ ଜୀଵନର ଅର୍ଥ ନିଜେ ସୃଷ୍ଟି କରେ।
ମୋଟ୍ ଉପରେ କହିଵାକୁ ଗଲେ “Groundhog Day” ଏକ ଏପରି ଚଳଚ୍ଚିତ୍ର ଯାହା ହାସ୍ୟରସ ଓ ମନୋରଞ୍ଜନ ମାଧ୍ୟମରେ ଜୀଵନର ଗଭୀର ଶିକ୍ଷା ପ୍ରଦାନ କରେ। ଏହା ଆମକୁ ଆତ୍ମ-ଉନ୍ନତି, ଦୟା, ଵର୍ତ୍ତମାନରେ ଜୀଵନଯାପନ ଓ ପ୍ରେମର ଗୁରୁତ୍ୱ ଶିଖାଇଥାଏ। ଫିଲ୍ କନର୍ସଙ୍କ ଯାତ୍ରା ଆମକୁ ଦର୍ଶାଇଛି ଯେ ଯଦି ଆମେ ନିଜକୁ ବୁଝିଵା ଓ ଅନ୍ୟମାନଙ୍କ ପ୍ରତି ସମ୍ବେଦନଶୀଳ ହେଵାକୁ ଚେଷ୍ଟା କରୁ ତେବେ ଆମ ଜୀଵନରେ ପରିଵର୍ତ୍ତନ ସମ୍ଭଵ ହୋଇପାରେ । ଏହି ଚଳଚ୍ଚିତ୍ର ଆମକୁ ପ୍ରେରଣା ଦେଇଥାଏ ଯେ ଆମେ ଆମର ଜୀଵନକୁ ଅଧିକ ଅର୍ଥପୂର୍ଣ୍ଣ ଓ ସୁଖମୟ କରିପାରିଵା ଯଦି ଆମେ ଆମର ପ୍ରତ୍ୟେକ ଦିନକୁ ଏକ ନୂଆ ସୁଯୋଗ ଭାବେ ଗ୍ରହଣ କରୁ।
No comments:
Post a Comment