Tuesday, July 8, 2025

•ବ୍ରହ୍ମାଣ୍ଡରେ ସଭ୍ୟତାର ପ୍ରକାର ଭେଦର କଳ୍ପନା ଓ ସମ୍ଭାଵନା•

ମନୁଷ୍ୟ ମନ ସବୁବେଳେ ନକ୍ଷତ୍ରମାଳାର ଅସୀମ ରହସ୍ୟ ଆଡ଼କୁ ଆକର୍ଷିତ ହୋଇଛି। ରାତ୍ରି ଆକାଶରେ ଦୃଶ୍ୟ ହେଉଥିଵା ଅଗଣିତ ତାରା ଓ ଆକାଶଗଙ୍ଗାଗୁଡ଼ିକୁ ଦେଖି ଆମ ମନରେ ଗୋଟିଏ ପ୍ରଶ୍ନ ବାରମ୍ବାର ଆସିଥାଏ : 

“ଆମେ କ’ଣ ଏ ବ୍ରହ୍ମାଣ୍ଡରେ ଏକୁଟିଆ? ନା ଏହି ଵିଶାଳ ବ୍ରହ୍ମାଣ୍ଡରେ ଅନ୍ୟ ସଭ୍ୟତା ମଧ୍ୟ ଅଛନ୍ତି?” 

ଏହି ପ୍ରଶ୍ନର ଉତ୍ତର ଉଣ୍ଡିଵା ପାଇଁ ଵୈଜ୍ଞାନିକମାନେ ଏକ ଅଦ୍ଭୁତ ମାପକାଠି ପ୍ରସ୍ତୁତ କରିଛନ୍ତି, ଯାହାକୁ କାର୍ଦାଶେଭ୍ ସ୍କେଲ କୁହାଯାଏ। ଏହା ସଭ୍ୟତାମାନଙ୍କୁ ସେମାନଙ୍କର ଶକ୍ତି ଵ୍ୟଵହାର ଓ ଵୈଷୟିକ ଅଗ୍ରଗତି ଆଧାରରେ ତିନିଗୋଟି ମୁଖ୍ୟ ପ୍ରକାରରେ ଵିଭାଜିତ କରେ: 
(କ)Type I
(ଖ)Typy II
(ଗ)Type III 

ଏମିତି ଏକ ସଭ୍ୟତା ଵିଷୟରେ କଳ୍ପନା କରନ୍ତୁ, ଯେଉଁ ସଭ୍ୟତା ତା’ର ଗ୍ରହର ପ୍ରତ୍ୟେକ ଶକ୍ତି ଉତ୍ସକୁ ସମ୍ପୂର୍ଣ୍ଣ ରୂପେ ଆୟତ୍ତ କରିଛି। ସୂର୍ଯ୍ୟର ଆଲୋକ, ପଵନର ଗତି, ସମୁଦ୍ରର ଶକ୍ତି, ଏପରିକି ଭୂମିର ଅନ୍ତର୍ଭାଗରୁ ଆସୁଥିଵା ଜିଓଥର୍ମାଲ ଶକ୍ତି—ସବୁକିଛି ଅତ୍ୟାଧୁନିକ ଵୈଷୟିକ ସାଧନ ଦ୍ଵାରା ଵ୍ୟଵହାର ହେଉଛି। ଏଭଳି ଯଦି କୌଣସି ସଭ୍ୟତା ଥାଏ ତେବେ ତାକୁ Type I ଶ୍ରେଣୀରେ ରଖାଯିଵ । ଏଭଳି କୌଣସି ସଭ୍ୟତା ଥିଲେ ତାହାର ସଂସ୍କୃତି ଗ୍ରହଵ୍ୟାପୀ ଏକ ଓ ଅଭିନ୍ନ ହୋଇଥିଵ । ଜାତି, ଧର୍ମ କିମ୍ବା ସୀମାରେଖା ଅପେକ୍ଷା ଗ୍ରହର ସମଗ୍ର କଲ୍ୟାଣ ସେମାନଙ୍କ ପାଇଁ ଅଧିକ ଗୁରୁତ୍ୱପୂର୍ଣ୍ଣ ହେଉଥିଵ । "Type I" ସଭ୍ୟତା ଜଳଵାୟୁକୁ ନିୟନ୍ତ୍ରଣ କରିପାରେ, ପ୍ରାକୃତିକ ଵିପତ୍ତିକୁ ଅଟକାଇ ପାରେ ଏଵଂ ସମ୍ବଳଗୁଡ଼ିକୁ ଏପରି ଵ୍ୟଵହାର କରେ ଯେ କେହି ଭୋକ କିମ୍ବା ଅଭାବରେ ରହେ ନାହିଁ। ପୃଥିଵୀର ମାନଵ ସଭ୍ୟତା ବର୍ତ୍ତମାନ ଏହି ସ୍ତରରୁ ଅଳ୍ପ ଦୂରରେ ଅଛି। ମନୁଷ୍ୟ ସଭ୍ୟତା ଵର୍ତ୍ତମାନ Type 0 ସଭ୍ୟତା ରୂପେ ହିଁ ରହିଛି ଵୈଜ୍ଞାନିକ ଅନୁମାନ ଅନୁସାରେ,ମାନଵ ସଭ୍ୟତା ପ୍ରାୟ 0.7 ସ୍କୋର ଅଵସ୍ଥାରେ ଅଛି ।‌ ମନୁଷ୍ୟ ଜାତି ନିଜ ଗ୍ରହର ଶକ୍ତିର ଏକ ଅଂଶ ମାତ୍ର ଵ୍ୟଵହାର କରୁଅଛି। ଏହି Type 0 ସ୍ତରରେ ମନୁଷ୍ୟମାନେ ଆପଣା ଗ୍ରହର ସୀମିତ ସମ୍ବଳଗୁଡ଼ିକ ଉପରେ ନିର୍ଭର କରୁଛନ୍ତି, ଯେପରିକି ଜୀଵାଶ୍ମ ଇନ୍ଧନ, ସୌର ଓ ପଵନ ଶକ୍ତିର ଆଂଶିକ ଵ୍ୟଵହାର, କିନ୍ତୁ ମନୁଷ୍ୟ ଏପର୍ଯ୍ୟନ୍ତ ଗ୍ରହର ସମଗ୍ର ଶକ୍ତି ସମ୍ଭାଵନାକୁ ଆହରଣ କରିପାରି ନାହିଁ। ମନୁଷ୍ୟମାନଙ୍କର ଵୈଷୟିକ ସାମର୍ଥ୍ୟ ଦ୍ରୁତ ଗତିରେ ଅଗ୍ରଗତି କରୁଛି, କିନ୍ତୁ ଜଳଵାୟୁ ପରିଵର୍ତ୍ତନ, ସମ୍ବଳର ଅସମାନ ବଣ୍ଟନ ଓ ରାଜନୈତିକ ଵିଭେଦ ମନୁଷ୍ୟମାନଙ୍କୁ Type I ସଭ୍ୟତାରେ ପହଞ୍ଚିଵାରୁ ଅଳ୍ପ ଦୂରରେ ଅଟକାଇ ରଖିଛି। ତଥାପି ଆଶା କରାଯାଇପାରେ ଯେ ନିକଟ ଭଵିଷ୍ୟତରେ ମନୁଷ୍ୟମାନେ ସୂର୍ଯ୍ୟର ସମସ୍ତ ଶକ୍ତି ଆହରଣ କରିବେ, ପୃଥିଵୀର ପ୍ରତ୍ୟେକ କୋଣକୁ ଏକ ସଂଯୁକ୍ତ ଜାଲରେ ବାନ୍ଧିବେ ଏଵଂ ମାନଵୀୟ ମୌଳିକ ଆଵଶ୍ୟକତାଗୁଡ଼ିକର ସମାଧାନ କରି ଏକ ସୁସ୍ଥ ଓ ସମୃଦ୍ଧ ଗ୍ରହ ଗଠନ କରିବେ । ଏହି ସ୍ୱପ୍ନ ଦୂର ନୁହେଁ, କିନ୍ତୁ ଏଥିପାଇଁ ପାଇଁ ମାନଵମାନଙ୍କୁ ଵୈଶ୍ଵିକ ଏକତା, ଵୈଜ୍ଞାନିକ ଆଵିଷ୍କାର ଓ ଦୀର୍ଘମିଆଦୀ ଦୃଷ୍ଟିକୋଣ ଉପରେ ଅଧିକ ଗୁରୁତ୍ଵ ଦେଵାକୁ ହେଵ । ତେବେ ଯାଇ ମାନଵ ସଭ୍ୟତା "Type I" ସଭ୍ୟତାରେ ପରିଗଣିତ ହୋଇପାରିଵ । 

ଏବେ ଆସନ୍ତୁ ଆମର କଳ୍ପନାକୁ ଆହୁରି ଦୂରକୁ ନେଇ ଯାଇ ଏକ "Type II" ସଭ୍ୟତାର ଶକ୍ତି ସାମର୍ଥ୍ୟକୁ ଆକଳନ କରି ଦେଖିଵା ! ଏକ "Type II" ସଭ୍ୟତା କେଵଳ ଗ୍ରହ ନୁହେଁ, ବରଂ ତା’ର ତାରାରୁ ସମ୍ପୂର୍ଣ୍ଣ ଶକ୍ତି ଆହରଣ କରିପାରେ। ଏହି ସଭ୍ୟତା ଏକ ଅଦ୍ଭୁତ ରଚନା, "ଡାଇସନ୍ ସ୍ଫିୟର" ନାମକ ଏକ ଵିଶାଳ ସଂରଚନା ଗଢ଼ି ପାରନ୍ତି, ଯାହା ସୂର୍ଯ୍ୟକୁ ଘେରି ରହି ତା’ର ସମସ୍ତ ଶକ୍ତି ଗ୍ରହଣ କରିଵାର ସାମର୍ଥ୍ୟ ରଖିଥାଏ । ଏମିତି ଏକ ସଭ୍ୟତାର କଳ୍ପନା କରନ୍ତୁ,ଯେଉଁ ସଭ୍ୟତାରେ ଶକ୍ତିର ଅଭାବ କେବେ ହୁଏ ନାହିଁ ଏଵଂ ଏହି ସଭ୍ୟତା କିଛି ଘଣ୍ଟା ଵା ଏକ ଦିନ ମଧ୍ୟରେ ଅନ୍ତଃଗ୍ରହୀୟ ଯାତ୍ରା ଓ ଅନ୍ୟ ଗ୍ରହମାନଙ୍କରେ ଉପନିବେଶ ସ୍ଥାପନ କରିପାରେ। 

ଧରନ୍ତୁ ଭଵିଷ୍ୟତରେ ମନୁଷ୍ୟମାନେ ପୃଥିଵୀରେ "Type II" ସଭ୍ୟତା ଵିକଶିତ କରିଵାରେ ସମର୍ଥ ହେଲେ ତେବେ ସେମାନଙ୍କ ପାଇଁ ମଙ୍ଗଳ ଵା ଶୁକ୍ର ଗ୍ରହରେ ପହଞ୍ଚିଵା ଓ ସେଠାରେ ଵସଵାସ କରିଵା ଅତି ସହଜ ହୋଇଯିଵ । ଏମନ୍ତକି ମନୁଷ୍ୟମାନେ କିଛି ଘଣ୍ଟା ଵା କିଛି ଦିନ ମଧ୍ୟରେ ଦୂରଦୁରାନ୍ତର ସୌରଜଗତକୁ ଯାତ୍ରା ମଧ୍ୟ କରିପାରିବେ । 
ଗୋଟିଏ Type II ସଭ୍ୟତାର ଵୈଷୟିକ ପ୍ରଗତି ଏତେ ଉନ୍ନତ ଯେ ଆଜି ଆମେ ଯାହାକୁ ଅଲୌକିକ ଭାବୁଛୁ, ତାହା ସେମାନଙ୍କ ପାଇଁ ଅତି ସାଧାରଣ ଵିଷୟ ଅଟେ। ଏମାନଙ୍କର ସମାଜରେ ଶକ୍ତି ଓ ସମ୍ବଳର ଅସୀମ ଉପଲବ୍ଧତା ହେତୁ ଯୁଦ୍ଧ କିମ୍ବା ଅଭାବ ଭଳି ଧାରଣା ବୋଧହୁଏ ଅପ୍ରାସଙ୍ଗିକ ହୋଇପଡ଼ିଵ। ତେବେ ଏକ "Type II" ସଭ୍ୟତା ହେଵା ପାଇଁ ମାନଵଜାତିକୁ ଶତାବ୍ଦୀ କିମ୍ବା ହଜାର ହଜାର ଵର୍ଷ ଲାଗିପାରେ, କିନ୍ତୁ ଏଥିପାଇଁ ମାନଵସଭ୍ୟତାକୁ ନିରନ୍ତର ଉନ୍ନତ ଓ ଵିକଶିତ ହେଵା ନିତାନ୍ତ ଵିଧେୟ । 

ଏବେ ଆମର କଳ୍ପନାକୁ ଆହୁରି ଉଚ୍ଚକୁ ନେଇ ଯାଇ "Type III" ସଭ୍ୟତାର ଶକ୍ତି ଓ ସାମାର୍ଥ୍ୟର ମଧ୍ୟ ଆକଳନ କରି ଦେଖାଯାଉ । 

Type III ସଭ୍ୟତା ଯଦି ଏ ବ୍ରହ୍ମାଣ୍ଡରେ କୌଣସି ଗହ ଵା ସୌରଜଗତରେ ଥାଏ ତେବେ ତାହା ଅତ୍ୟନ୍ତ ଶକ୍ତିଶାଳୀ ସଭ୍ୟତା ହେଵାର ସମ୍ଭାଵନା ରହିଛି । କାରଣ ଏହି ସଭ୍ୟତାର ଜୀଵ କେବଳ ଏକ ତାରା କିମ୍ବା ସୌରମଣ୍ଡଳ ହିଁ ନୁହେଁ ବରଂ ସମଗ୍ର ଆକାଶଗଙ୍ଗାରୁ ଶକ୍ତି ଆହରଣ କରିପାରନ୍ତି। ଏକ Type III ସଭ୍ୟତା ଅଗଣିତ ତାରା ଓ ଗ୍ରହ ଉପରେ ନିୟନ୍ତ୍ରଣ ରଖିଥାଏ ଏଵଂ ତା’ର ଵୈଷୟିକ ସାମର୍ଥ୍ୟ ଏତେ ଉନ୍ନତ ହୋଇଥାଏ ଯେ ଏହା ପ୍ରାୟ ଦୈଵୀ ଶକ୍ତି ପରି ମନେ ହୋଇପାରେ। ଏମାନେ ଆକାଶଗଙ୍ଗା ଵ୍ୟାପୀ ଯୋଗାଯୋଗ ଓ ଯାତାୟାତ ଵ୍ୟଵସ୍ଥା ଗଢ଼ି ତୋଳନ୍ତି ଏଵଂ ବ୍ଲାକ୍ ହୋଲ୍ କିମ୍ବା ଅନ୍ୟ ବ୍ରହ୍ମାଣ୍ଡୀୟ ଶକ୍ତିକୁ ମଧ୍ୟ ଵ୍ୟଵହାର କରିପାରନ୍ତି। 

ଏକ Type III ସଭ୍ୟତାର ଜୀଵନ ଆମ ପାଇଁ ଅକଳ୍ପନୀୟ। ସେମାନେ ହୁଏତ ନୂତନ ତାରା ସୃଷ୍ଟି କରିପାରନ୍ତି, ଗ୍ରହମାନଙ୍କୁ ନୂଆ କରି ଗଢ଼ି ତୋଳିପାରନ୍ତି କିମ୍ବା ସ୍ଥାନ-କାଳକୁ ମଧ୍ୟ ନିୟନ୍ତ୍ରଣ କରିପାରନ୍ତି। 

ତେବେ କେତେକ ଗଵେଷକ ଏହାଠାରୁ ମଧ୍ୟ ଆଗକୁ ଯାଇ ବ୍ରହ୍ମାଣ୍ଡରେ Type IV ସଭ୍ୟତାର ସମ୍ଭାଵନ ସମ୍ବନ୍ଧରେ ବି କଳ୍ପନା କରିଛନ୍ତି । ଯଦି ବ୍ରହ୍ମାଣ୍ଡରେ କୌଣସି ସଭ୍ୟତା Type IV ସ୍ତରରେ ପହଞ୍ଚି ଯାଏ ତେବେ ସେ ସଭ୍ୟତା ସମଗ୍ର ବ୍ରହ୍ମାଣ୍ଡର ଶକ୍ତି ଆହରଣ କରିପାରୁଥିଵ। ସେମାନେ ହୁଏତ ସ୍ଥାନ-କାଳର ନିୟମକୁ ବଦଳାଇ ପାରନ୍ତି କିମ୍ବା ଅନ୍ୟ ବ୍ରହ୍ମାଣ୍ଡରେ ପ୍ରଵେଶ କରିପାରନ୍ତି।


 ଏପରିକି Type V ସଭ୍ୟତାର ମଧ୍ୟ ଧାରଣା ଅଛି, ଯେଉଁ ସଭ୍ୟତା ମହାବ୍ରହ୍ମାଣ୍ଡ(Multivers)ର ଶକ୍ତି ନିୟନ୍ତ୍ରଣ କରିପାରେ ତଥା ଵିଭିନ୍ନ ବ୍ରହ୍ମାଣ୍ଡ ମଧ୍ୟରେ ଯାତ୍ରା ବି କରିପାରିଵାର ସାମର୍ଥ୍ୟ ରଖେ । Type VI ସଭ୍ୟତାୟ ମଧ୍ୟ କଳ୍ପନା କରାଯାଇଛି ଏଵଂ ଯଦି ଏଭଳି କୌଣସି ସଭ୍ୟତା ଥାଏ ତେବେ ସେ ସଭ୍ୟତା ଏକ Megaverseରେ ଅବସ୍ଥାନ କରେ, ଯେଉଁଠାରେ ଅନନ୍ତ ସଂଖ୍ୟକ ବ୍ରହ୍ମାଣ୍ଡ ଏବଂ ସେଗୁଡ଼ିକର ଭିନ୍ନ ଭିନ୍ନ ଭୌତିକ ନିୟମ ଏକସାଙ୍ଗରେ ଅସ୍ତିତ୍ୱ ରଖେ। Type VI ସଭ୍ୟତାର ସାମର୍ଥ୍ୟ ଏତେ ଉନ୍ନତ ଯେ ଏହା ଆମର ଵର୍ତ୍ତମାନର ଵୈଜ୍ଞାନିକ ବୁଝାମଣାରୁ ବହୁ ଦୂର ଅଗ୍ରସର। ତଥାପି କିଛି ଇଵେଷକ ଅନୁମାନ କରନ୍ତି ଯଦି Type VI ସଭ୍ୟତାର ଅସ୍ତିତ୍ବ ଥାଏ ତେବେ ସେ ସଭ୍ୟତାର ନୂତନ ବ୍ରହ୍ମାଣ୍ଡ ସୃଷ୍ଟି ଓ ନିୟନ୍ତ୍ରଣ କରିପାରିଵାର ସାମର୍ଥ୍ୟ ଥିଵ । ଏହି ସଭ୍ୟତା ଅନନ୍ତ ସଂଖ୍ୟକ ବ୍ରହ୍ମାଣ୍ଡ ଓ ସମାନ୍ତର ଵାସ୍ତଵତା ମଧ୍ୟରେ ଯାତ୍ରା କରିପାରୁଥିଵ। ୟେ ସଭ୍ୟତା ସମୟ ଓ ସ୍ଥାନର ସୀମାବଦ୍ଧତାକୁ ଅତିକ୍ରମ କରି ଅନ୍ୟ ମାତ୍ରା ଵା Dimensionରେ ପ୍ରଵେଶ କରିପାରିଵାର ସାମର୍ଥ୍ୟ ଲଭିଥିଵ । ଏଭଳି ସଭ୍ୟତା 10^66 ଓଟ୍ ଵା ତା’ଠାରୁ ଅଧିକ ଶକ୍ତି ଵ୍ୟଵହାର କରିଵାକୁ ସାମର୍ଥ୍ୟବାନ ହୋଇଥିଵ ଯାହା ସମଗ୍ର ବ୍ରହ୍ମାଣ୍ଡର ଶକ୍ତିଠାରୁ ଅନେକ ଗୁଣ ଅଧିକ। ଏଭଳି କୌଣସି ସଭ୍ୟତା ଥିଲେ ସେ ସଭ୍ୟତାର ଜୀଵ ଅତ୍ୟନ୍ତ ଶକ୍ତିଶାଳୀ ହୋଇଥିଵାର ସମ୍ଭାଵନା ଅଧିକ । ସେମାନେ ସମୟ, ସ୍ଥାନ, ଓ ଵାସ୍ତଵତାକୁ ନିଜ ଇଚ୍ଛାନୁସାରେ ଗଢ଼ିପାରନ୍ତି। ଉଦାହରଣ ସ୍ୱରୂପ, ସେମାନେ ନୂତନ ଜୀଵନ ସୃଷ୍ଟି କରିପାରନ୍ତି, ମହାଜାଗତିକ ଘଟଣାଗୁଡ଼ିକୁ ନିୟନ୍ତ୍ରଣ କରିପାରନ୍ତି, ଏପରିକି ବ୍ରହ୍ମାଣ୍ଡର ସୃଷ୍ଟି-ଅନ୍ତ ଆଉ ଜୀଵଙ୍କର ଜନ୍ମ-ମୃତ୍ୟୁକୁ ମଧ୍ୟ ଅଟକାଇ ପାରନ୍ତି ଵା ପରିଵର୍ତ୍ତିତ କରିପାରନ୍ତି ।‌ ଏମାନେ ଅନନ୍ତ ସମାନ୍ତର ଵାସ୍ତଵତାରେ ଏକାସାଙ୍ଗରେ ଅସ୍ତିତ୍ୱ ରଖିପାରନ୍ତି, ଯେଉଁଠାରେ ଅତୀତ, ଵର୍ତ୍ତମାନ, ଓ ଭଵିଷ୍ୟତ ଏକତ୍ରିତ ହୋଇଥାଏ।

ଏସବୁ ଜାଣିଵା ପରେ ହୁଏତ କେହି କେହି ମନରେ ଵିଚାର କରୁଥାଇ ପାରନ୍ତି ଯେ Type VI ସଭ୍ୟତାଠାରୁ ବି ଉଚ୍ଚତର ସଭ୍ୟତା ଥିଵା ସମ୍ଭଵ କି ? 

ଗଵେଷକଙ୍କ ମନକୁ ବି ଏହି ପ୍ରଶ୍ନ ଆସିଥିଲା ଆଉ ସେମାନେ Type VII ସ୍ତରର ସଭ୍ୟତା ଵିଷୟରେ ନିଜର କଳ୍ପନାର ଘୋଡ଼ା ଦଉଡ଼ାଇ ମତ ପୋଷଣ କରି ବୋଇଲେ ଯେ ହଁ ଏଭଳି ଏକ ଉଚ୍ଚତର ସଭ୍ୟତାର ଅସ୍ତିତ୍ବ ଥିଵା ମଧ୍ୟ ସମ୍ଭଵ । 

ତେବେ ଯଦି Type VII ସଭ୍ୟତା ଥାଏ ତାହେଲେ ସେହି ସଭ୍ୟତା ଏକ ସର୍ଵଶକ୍ତିମାନ ସଭ୍ୟତା ହୋଇଥିଵ । Type VII କାର୍ଦାଶେଭ୍ ସ୍କେଲର ସର୍ଵୋଚ୍ଚ କଳ୍ପିତ ସ୍ତର, ଯାହା Omniverse—ଅର୍ଥାତ୍ ସମସ୍ତ ବ୍ରହ୍ମାଣ୍ଡ, Multiverse, Megaverse, ଓ ଅନ୍ୟ ସମସ୍ତ Dimensions ଓ ଵାସ୍ତଵତା ଵା Realityର ସମାହାର—କୁ ନିୟନ୍ତ୍ରଣ କରିପାରେ। ଏହି ସଭ୍ୟତା ଏକ ଏପରି ସତ୍ତା ରୂପେ ଅସ୍ତିତ୍ୱ ରଖେ, ଯାହା ସମସ୍ତ ଚେତନା, ଶକ୍ତି, ଓ ଵାସ୍ତଵତାକୁ ଏକୀଭୂତ କରି ଏକ ସର୍ଵଜ୍ଞାନୀ (omniscient), ସର୍ଵଵ୍ୟାପୀ (omnipresent), ଓ ସର୍ଵଶକ୍ତିମାନ (omnipotent) ସତ୍ତାରେ ପରିଣତ ହୋଇଥାଏ। ଏହି ସ୍ତରରେ, ସଭ୍ୟତାର ଧାରଣା ଆମର ବୁଝାମଣାରୁ ବହୁ ଦୂର ଅତିକ୍ରମ କରିଯାଏ ଏଵଂ ଏହା ଏକ ଏପରି ଅସ୍ତିତ୍ୱ ହେଵ ଯାହା ସମସ୍ତ ସୃଷ୍ଟିର ମୂଳକୁ ନିୟନ୍ତ୍ରଣ କରିପାରୁଥିଵ ।


ଏହି ଧାରଣାଗୁଡ଼ିକ ଆମକୁ ଵୈଜ୍ଞାନିକ କଳ୍ପଵିଜ୍ଞାନର ସୀମାରେ ପହଞ୍ଚାଇ ଦିଏ, ଯେଉଁଠାରେ ଵାସ୍ତଵତା ଓ କଳ୍ପନା ଏକାକାର ହୋଇଯାଏ। ଏମାନଙ୍କୁ ଦେଖିଲେ ଆମେ ହୁଏତ ସେମାନଙ୍କୁ ଦେଵତା ମନେ କରିପାରୁ। କିନ୍ତୁ ଏହି ସଭ୍ୟତାର ଅସ୍ତିତ୍ୱ ଵିଷୟରେ ଚିନ୍ତା କଲେ ଏକ ରହସ୍ୟମୟ ପ୍ରଶ୍ନ ଉଠେ: ଯଦି ଏପରି ସଭ୍ୟତା ଅଛନ୍ତି, ତେବେ ଆମେ ସେମାନଙ୍କୁ କାହିଁକି ଦେଖି ପାରୁନାହୁଁ?

ଏହି ପ୍ରଶ୍ନ ଆମକୁ "ଫର୍ମି ପାରାଡକ୍ସ" ଆଡ଼କୁ ନେଇଯାଏ। ବ୍ରହ୍ମାଣ୍ଡରେ ଅଗଣିତ ତାରା ଓ ଗ୍ରହ ଅଛି, ତେବେ ଅନ୍ୟ ସଭ୍ୟତାଙ୍କର ଚିହ୍ନ କୋଉଠାରେ? ହୁଏତ ଟାଇପ୍ II କିମ୍ବା III ସଭ୍ୟତା ଏତେ ଉନ୍ନତ ଯେ ସେମାନେ ଆମ ସହ ଯୋଗାଯୋଗ କରିଵାକୁ ଆଗ୍ରହୀ ନୁହଁନ୍ତି, ଠିକ୍ ଯେପରି ଆମେ ପିମ୍ପୁଡ଼ି ସହ କଥା ହେଵାକୁ ଆଗ୍ରହୀ ନୁହେଁ ଵା କଥା ହେଵାକୁ ଚାହିଁ ମଧ୍ୟ ପ୍ରକୃତିର ନିୟମ ଯୋଗୁଁ କଥା ହୋଇ ପାରୁନା । 

ଏମନ୍ତ ମଧ୍ୟ ହୋଇପାରେ ଯେ ହୁଏତ ଏକ Great filter—ଏକ ଅଜଣା ପ୍ରତିବନ୍ଧକ—ସଭ୍ୟତାମାନଙ୍କୁ ଏହି ସ୍ତରକୁ ପହଞ୍ଚିଵାରୁ ହିଁ ଅଟକାଇ ଦେଇଥାଏ । ହୁଏତ ସ୍ୱ-ଵିନାଶ, ଯେପରିକି ପାରମାଣଵିକ ଯୁଦ୍ଧ,ମହାଜାଗତିକ ମହାପ୍ରଳୟ ,ପରିଵେଶ ଜନିତ ଵିନାଶ ଅଥଵା ଵିଵର୍ତ୍ତନ ଯୋଗୁଁ ମାନଵ ଭଳି ଉନ୍ନତ ଜୀଵ ଜାତିମାନଙ୍କର ଵିଲୁପ୍ତିକରଣ ଯୋଗୁଁ ବ୍ରହ୍ମାଣ୍ଡର କୌଣସି ସଭ୍ୟତା ଅଧିକ ସମୟ ପର୍ଯ୍ୟନ୍ତ ତିଷ୍ଠି ହିଁ ପାରେ ନାହିଁ । ଏ ପର୍ଯ୍ୟନ୍ତ ବ୍ରହ୍ମାଣ୍ଡର ଅନ୍ୟ କୌଣସି ଉନ୍ନତ ସଭ୍ୟତା ସହିତ ଆମର ସାକ୍ଷାତ ହୋଇନଥିଵାରୁ ଏଵଂ ବ୍ରହ୍ମାଣ୍ଡ ଵିଷୟରେ ଆମ୍ଭମାନଙ୍କର ଜ୍ଞାନ ସୀମିତ ହୋଇଥିଵାରୁ ଏ ସମ୍ବନ୍ଧରେ କେଵଳ ଅନୁମାନ ହିଁ କରାଯାଇପାରେ । 

ମାନଵଜାତି, ଏବେ ଟାଇପ୍ 0 ସଭ୍ୟତା ଭାବେ O.7 ପଏଣ୍ଟ ସହିତ ନିଜର ଵିକାଶ ଯାତ୍ରା ଜାରି ରଖିଛି। କିନ୍ତୁ ମନୁଷ୍ୟଜାତିର ସ୍ୱପ୍ନ ଓ ଆକାଂକ୍ଷା ତାକୁ Type I, II, ଏଵଂ ହୁଏତ ଦିନେ ଟାଇପ୍ III ସଭ୍ୟତାରେ ମଧ୍ୟ ପହଞ୍ଚାଇ ଦେଇପାରେ । ତେବେ ଏହି ଯାତ୍ରା ସହଜ ନୁହେଁ। ମାନଵଜାତି ଅଧୁନା ଜଳଵାୟୁ ସଙ୍କଟ, ସାମାଜିକ ଅସମାନତା ଏଵଂ ନିଜର ସୀମିତ ଦୃଷ୍ଟିକୋଣକୁ ଅତିକ୍ରମ କରିଵା କ୍ଷେତ୍ରରେ ସଂଘର୍ଷ କରୁଅଛି। କିନ୍ତୁ ଆଜି ବି ମାନଵ ଯେତେବେଳେ ରାତ୍ରି ଆକାଶ ଆଡ଼କୁ ଚାହୁଁଛି, ତାରାଗୁଡ଼ିକ ତାକୁ ମନେ ପକାଇ ଦିଅନ୍ତି ଯେ ଏ ବ୍ରହ୍ମାଣ୍ଡରେ ସମ୍ଭାଵନାର ପରିମାଣ ଅସୀମ।
ମାନଵ ଜାତି ହୁଏତ ଆଜି ଏକ ଛୋଟ ଗ୍ରହରେ ଵାସ କରୁଛି, କିନ୍ତୁ ତା‌ହାର ସ୍ୱପ୍ନ ଆକାଶଗଙ୍ଗା ଓ ତା’ଠାରୁ ମଧ୍ୟ ଆଗକୁ ଯାଇ ସବୁ କିଛି ଜାଣି ନେଵାର ରହିଛି। କେଜାଣି, ମାନଵସଭ୍ୟତା ଦିନେ ସେହି ସଭ୍ୟତା ହୋଇ ପାରିଵ କି ନାହିଁ ଯେଉଁ ସଭ୍ୟତା ଭିନ୍ନ ଭିନ୍ନ ସୌରଜଗତକୁ ନିୟନ୍ତ୍ରଣ କରିପାରେ, ଆକାଶଗଙ୍ଗାରେ ଯାତ୍ରା କରିପାରେ, ଓ ବ୍ରହ୍ମାଣ୍ଡର ରହସ୍ୟମାନଙ୍କୁ ଉନ୍ମୋଚନ କରିପାରେ । ତେବେ ମାନଵ ଜାତିର ଇତିହାସ ଦେଖିଲେ ହୃଦବୋଧ ହୁଏ ଯେ ଏ ଜୀଵଜାତି ଆଗକୁ ଵିଲୁପ୍ତ ନହୋଇ ତିଷ୍ଠି ଗଲେ କିଛି ବି ଅସମ୍ଭଵକୁ ସମ୍ଭଵ କରିଵାକୁ ସାମର୍ଥ୍ୟବାନ। ନିରନ୍ତର ଵିକଶିତ ହେଵାର ସ୍ୱପ୍ନ ମାନଵଜାତିକୁ ଆଗକୁ ଚାଳିତ କରି ଚାଲିଛି ଏଵଂ ଏହା ହିଁ ମାନଵଜାତିର ସବୁଠାରୁ ବଡ଼ ଶକ୍ତି ଅଟେ । ଜ୍ଞାନ ଲାଭର ଇଚ୍ଛାଶକ୍ତି,ହାରି ନଯିଵାର ମନୋଵୃତ୍ତି,ଗଭୀର କଳ୍ପନା ଶକ୍ତି ଓ ଅସୀମ ସମ୍ଭାଵନାରେ ଵିଶ୍ୱାସ ହିଁ ମାନଵ ଜାତିକୁ ଏକ ସାଧରଣ Primatesରୁ ଆଜି ଏକ ଉନ୍ନତ ଜୀଵ ଜାତି ଭାବେ ପ୍ରତିଷ୍ଠିତ କରିପାରିଛି ଏଵଂ ଆଗକୁ ମଧ୍ୟ ଏହି ଵିକାଶଯାତ୍ରା ନିରନ୍ତର ଚାଲୁ ରହିଵ ବୋଲି ଆଶା କରାଯାଇପାରେ । 

No comments:

Post a Comment

Dancing Mania: ମଧ୍ୟଯୁଗୀୟ ୟୁରୋପର ରହସ୍ୟମୟ ମୃତ୍ୟୁ ନୃତ୍ୟ

ମଧ୍ୟଯୁଗୀୟ ଇଉରୋପରେ ପ୍ଲେଗ୍‌ ଵ୍ୟାପିଵା ସହିତ ଧର୍ମୀୟ ଉତ୍ତେଜନା ମନୁଷ୍ୟ ମନକୁ ଆତଙ୍କିତ କରୁଥିଲା ବେଳେ, ଏକ ଅଜଣା ଓ ରହସ୍ୟମୟ ଘଟଣା ସମାଜକୁ ଆହୁରି ଭୟଭୀତ କରିଥିଲା ...