ଅନେକ ଶତାବ୍ଦୀ ପୂର୍ଵେ, ଇଟାଲୀର ଆଲବା ଲଙ୍ଗା ନାମକ ଏକ ପ୍ରାଚୀନ ନଗରରେ, ରାଜା ନୁମିଟର ଶାସନ କରୁଥିଲେ। ତାଙ୍କର ଜଣେ ସୁନ୍ଦରୀ ଝିଅ ଥିଲେ, ନାମ ରେଆ ସିଲଭିଆ। କିନ୍ତୁ ନୁମିଟରଙ୍କ ଭାଇ ଆମୁଲିଅସ୍ ଅତ୍ୟନ୍ତ ଲୋଭୀ ଓ କ୍ଷମତାକାଙ୍କ୍ଷୀ ଥିଲେ। ସେ ନୁମିଟରଙ୍କୁ ସିଂହାସନରୁ ହଟାଇ ନିଜେ ରାଜା ହେଲେ। ନିଜ ଶାସନକୁ ସୁରକ୍ଷିତ ରଖିଵା ପାଇଁ ଆମୁଲିଅସ୍ ନିଜ ଝିଆରୀ ରେଆ ସିଲଭିଆଙ୍କୁ ଵେଷ୍ଟାଲ ଵର୍ଜିନ୍ ହେଵାକୁ ବାଧ୍ୟ କଲେ, ଯାହା ତାଙ୍କୁ ଵିଵାହ ଓ ସନ୍ତାନ ଜନ୍ମ ଦେଵାରୁ ବଞ୍ଚିତ କରିଥାଏ। ଵେଷ୍ଟାଲ ଵର୍ଜିନମାନେ ରୋମର ସମାଜରେ ଅତ୍ୟନ୍ତ ସମ୍ମାନିତ ଥିଲେ ଏଵଂ ସେମାନଙ୍କର ମୁଖ୍ୟ କାର୍ଯ୍ୟ ଥିଲା ଦେଵୀ ଵେଷ୍ଟାଙ୍କ ମନ୍ଦିରରେ ପଵିତ୍ର ଅଗ୍ନିକୁ ଜଳାଇ ରଖିଵା, ଯାହା ରୋମର ସମୃଦ୍ଧି ଓ ସୁରକ୍ଷାର ପ୍ରତୀକ ଥିଲା। ଵେଷ୍ଟାଲ୍ ଵର୍ଜିନ୍ମାନେ ୩୦ ଵର୍ଷ ପାଇଁ ନିରନ୍ତର କୁମାରୀତ୍ୱ ରକ୍ଷା କରିଵାର ଶପଥ ନେଉଥିଲେ । ସେମାନଙ୍କୁ ଵିଵାହ କରିଵା ଓ ସନ୍ତାନ ଜନ୍ମ ଦେଵା ମନା ଥିଲା। ସାଧାରଣତଃ ୬ ରୁ ୧୦ ଵର୍ଷ ଵୟସରେ ଉଚ୍ଚ ବଂଶୀୟ ପରିଵାରରୁ ଝିଅମାନଙ୍କୁ ଵେଷ୍ଟାଲ ଵର୍ଜିନ ଭାବେ ବଛାଯାଉଥିଲା।ସେମାନଙ୍କ ସଂଖ୍ୟା ସାଧାରଣତଃ ୬ ଥିଲା, ଯାହାଙ୍କୁ ରୋମର ପ୍ରଧାନ ପୂଜାରୀ (Pontifex Maximus) ଚୟନ କରୁଥିଲେ।
ଵେଷ୍ଟାଲ ଵର୍ଜିନ୍ ରୂପେ ରେଆ, ଦେଵୀ ଵେଷ୍ଟାଙ୍କ ମନ୍ଦିରରେ ନିଷ୍ଠାର ସହ ସେଵା କରୁଥିଲେ, କିନ୍ତୁ ଗୋଟିଏ ରାତିରେ ଏକ ଅଲୌକିକ ଘଟଣା ଘଟିଲା।
ଯୁଦ୍ଧ ଓ ଶକ୍ତିର ଦେଵତା ମାର୍ସ, ରେଆ ସିଲଭିଆଙ୍କ ସୌନ୍ଦର୍ଯ୍ୟରେ ମୁଗ୍ଧ ହେଲେ। ଦିଵ୍ୟ ରୂପରେ ତାଙ୍କ ନିକଟକୁ ଆସି ମାର୍ସ ଦେଵତା, ରେଆଙ୍କୁ ଗର୍ଭଵତୀ କଲେ। ଏହି ଅଲୌକିକ ସମ୍ପର୍କରୁ ରେଆ ଯାଆଁଳା ଶିଶୁ, ରୋମୁଲସ୍ ଓ ରେମୁସ୍ଙ୍କୁ ଜନ୍ମ ଦେଲେ। କିନ୍ତୁ ଏହି କଥା ପରେ ଆମୁଲିଅସ୍ କୌଣସି ପ୍ରକାରେ ଜାଣିପାରିଲେ। ଆମୁଲିଅସ୍ ଏହି ଶିଶୁମାନଙ୍କୁ ନିଜ ସିଂହାସନ ପାଇଁ ଵିପଦ ମନେ କରି ଏକ ନିଷ୍ଠୁର ନିଷ୍ପତ୍ତି ନେଲେ। ସେ ରେଆ ସିଲଭିଆଙ୍କୁ ଦଣ୍ଡିତ କରି ଆଦେଶ ଦେଲେ ଯେ ଦୁଇଶିଶୁଙ୍କୁ ଏକ ଟୋକେଇରେ ରଖି ଟାଇବର ନଦୀରେ ଭସାଇ ଦିଆଯାଉ।
ନଦୀର ସ୍ରୋତ ଶିଶୁମାନଙ୍କୁ ବହୁ ଦୂରକୁ ନେଇଗଲା, କିନ୍ତୁ ସମାନ୍ୟ ଭାଗ୍ୟ ଯୋର୍ ଥିଲା । ଟୋକେଇଟି ନଦୀକୂଳରେ, ପାଲାଟାଇନ ପାହାଡ଼ ନିକଟରେ, ଏକ ଵୃକ୍ଷମୂଳରେ ଅଟକିଗଲା। ସେଠାରେ ଏକ ବିଲୁଆଣୀ, ନିଜ ଶାଵକମାନଙ୍କୁ ପାଳୁଥିଲା ଯେ ଏହି ଶିଶୁମାନଙ୍କୁ ଦେଖିଲା। ମାତୃଭାବରେ ଆପଣାଇ ବିଲୁଆଣୀଟି ରୋମୁଲସ୍ ଓ ରେମୁସଙ୍କୁ ନିଜ ଦୁଗ୍ଧ ପିଆଇ ପାଳିଵାକୁ ଲାଗିଲା।
ଅନେକ ଦିନ ପରେ, ଫାଉସ୍ତୁଲସ୍ ନାମକ ଜଣେ ଦୟାଳୁ ପଶୁପାଳକ ଏହି ଶିଶୁମାନଙ୍କୁ ଖୋଜି ପାଇଲେ। ସେ ଓ ତାଙ୍କ ପତ୍ନୀ ଲାରେନ୍ସିଆ ଏହି ଶିଶୁମାନଙ୍କୁ ନିଜ ସନ୍ତାନ ପରି ପାଳିଲେ।
ରୋମୁଲସ୍ ଓ ରେମୁସ୍ ଯୁଵକ ହେଵା ପର୍ଯ୍ୟନ୍ତ ଫାଉସ୍ତୁଲସ୍ ଓ ତାଙ୍କ ପତ୍ନୀ ଲାରେନ୍ସିଆଙ୍କ ଦ୍ୱାରା ପଶୁପାଳକ ଭାବେ ପାଳିତ ହେଉଥିଲେ। ସେମାନେ ଶକ୍ତିଶାଳୀ, ସାହସୀ ଓ ନେତୃତ୍ୱ ଗୁଣରେ ପୂର୍ଣ୍ଣ ଥିଲେ, ଯାହା ସେମାନଙ୍କୁ ଅନ୍ୟ ପଶୁପାଳକମାନଙ୍କ ମଧ୍ୟରେ ଭିନ୍ନ ସ୍ଵତନ୍ତ୍ର କରାଉଥିଲା। ତାରକାଙ୍କ ମଧ୍ୟରେ ରୋମୁଲସ୍ ଓ ରେମୁସ୍ ସତେ ଯେମିତି ସୂର୍ଯ୍ୟ ଓ ଚନ୍ଦ୍ରଙ୍କ ପରି ପ୍ରତିଭାତ ହେଉଥିଲେ । ସେମାନଙ୍କ ଅସାଧାରଣ ଗୁଣ ଓ ଚେହେରା ଫାଉସ୍ତୁଲସ୍ଙ୍କ ମନରେ ସନ୍ଦେହ ଜନ୍ମାଇଥିଲା ଯେ ଏହି ଶିଶୁମାନେ ସାଧାରଣ ନୁହଁନ୍ତି।
ଦିନେ ରେମୁସ୍ ଆଲବା ଲଙ୍ଗାର ରାଜା ଆମୁଲିଅସ୍ଙ୍କ ପଶୁପାଳକମାନଙ୍କ ସହ ଏକ ଵିଵାଦରେ ଜଡ଼ିତ ହେଲେ, ଯାହା ଫଳରେ ତାଙ୍କୁ ବନ୍ଦୀ କରାଗଲା। ରୋମୁଲସ୍ ତାଙ୍କ ଭାଇଙ୍କୁ ମୁକ୍ତ କରିଵା ପାଇଁ ଆଗେଇ ଆସିଲେ।
ଫାଉସ୍ତୁଲସ୍ ଆଲବା ଲଙ୍ଗାରେ ରେଆ ସିଲଭିଆଙ୍କ ଗର୍ଭଵତୀ ହେଵା ଓ ଶିଶୁମାନଙ୍କୁ ନଦୀରେ ଭସାଇ ଦିଆଯିଵାର ଖବର ଶୁଣିଥିଲେ। ସେ ଏହା ମଧ୍ୟ ଜାଣିଥିଲେ ଯେ ରେଆ ସିଲଭିଆ ରାଜା ନୁମିଟରଙ୍କ ଝିଅ ଥିଲେ ଏଵଂ ଶିଶୁମାନେ ତାଙ୍କ ପୁତ୍ର ହୋଇପାରନ୍ତି। ତେଣୁ, ସେ ରୋମୁଲସ୍ ଓ ରେମୁସ୍ଙ୍କ ପ୍ରକୃତ ପରିଚୟ ଵିଷୟରେ ଆଗରୁ ଅନୁମାନ କରିଥିଲେ ଵା ଆଂଶିକ ଜାଣିଥିଲେ। ଯେତେବେଳେ ଫାଉସ୍ତୁଲସ୍ ତାଙ୍କ ପାଳିତ ପୁତ୍ରଙ୍କୁ ଵିପତ୍ତିରେ ପଡ଼ିଵାର ଦେଖିଲେ ସେ ନିଷ୍ପତ୍ତି ନେଲେ ଯେ ଏବେ ସତ୍ୟ ପ୍ରକାଶ କରିଵାର ସମୟ ଆସି ଯାଇଛି। ସେ ରୋମୁଲସ୍ ଓ ରେମୁସ୍ଙ୍କୁ କହିଲେ ଯେ ସେମାନେ ରେଆ ସିଲଭିଆଙ୍କ ପୁତ୍ର, ଯିଏ ରାଜା ନୁମିଟରଙ୍କ ଝିଅ ଥିଲେ ଏଵଂ ମଙ୍ଗଳ ଦେଵତା ମାର୍ସଙ୍କଦ୍ୱାରା ସେମାନଙ୍କର ଜନ୍ମ ହୋଇଥିଲା। ସେ ଏହା ମଧ୍ୟ ପ୍ରକାଶ କଲେ ଯେ ଆମୁଲିଅସ୍ ସେମାନଙ୍କୁ ଶିଶୁ ଅଵସ୍ଥାରେ ଟାଇବର ନଦୀରେ ଭସାଇ ଦେଇଥିଲେ, କିନ୍ତୁ ଗୋଟିଏ ବିଲୁଆଣୀ ତାଙ୍କୁ ପୁତ୍ର ଭଳି ପାଳିଥିଲା ।
ସବୁ ଜାଣି ରୋମୁଲସ୍ ଓ ରେମୁସ୍ଙ୍କ ମନରେ ପ୍ରତିଶୋଧର ବହ୍ନି ଜଳି ଉଠିଲା। ସେମାନେ ଆଲବା ଲଙ୍ଗା ଫେରି ଆମୁଲିଅସ୍ଙ୍କୁ ପରାସ୍ତ ଓ ନିହତ କରି ନିଜ ଅଜା ନୁମିଟରଙ୍କୁ ସିଂହାସନ ଫେରାଇ ଦେଲେ।
କିନ୍ତୁ ରୋମୁଲସ୍ ଓ ରେମୁସଙ୍କ ମନରେ ନିଜେ ଏକ ନୂଆ ସହର ପ୍ରତିଷ୍ଠା କରିଵାର ସ୍ୱପ୍ନ ଥିଲା। ସେମାନେ ଟାଇବର ନଦୀ କୂଳରେ, ଯେଉଁଠାରେ ବିଲୁଆଣୀ ସେମାନଙ୍କୁ ପାଳିଥିଲା, ସେହି ସ୍ଥାନ ବାଛିଲେ। କିନ୍ତୁ କେଉଁ ପାହାଡ଼ ଉପରେ ସହର ଗଢ଼ାଯିଵ ଏଵଂ କିଏ ଏହାର ନେତୃତ୍ୱ ନେଵ, ଏହା ନେଇ ଭାଇ ଦୁଇଜଣଙ୍କ ମଧ୍ୟରେ ଵିଵାଦ ଦେଖାଦେଲା। ରୋମୁଲସ୍ ପାଲାଟାଇନ ପାହାଡ଼ ପସନ୍ଦ କରିଥିଲେ, ଆଉ ରେମୁସ୍ ଆଵେନ୍ଟାଇନ ପାହାଡ଼ ଚାହୁଁଥିଲେ।
ଏହି ଵିଵାଦର ସମାଧାନ ପାଇଁ ସେମାନେ ଦେଵତାଙ୍କ ସଙ୍କେତ ଖୋଜିଵାକୁ ନିଷ୍ପତ୍ତି ନେଲେ। ଏହି ସଙ୍କେତ ଦେଖିଵା ପାଇଁ ସେମାନେ ଅଗୁରୀ ପ୍ରଥା ଅନୁସରଣ କରିଥିଲେ। ପ୍ରାଚୀନ ରୋମରେ, “ଅଗୁରୀ” (augury) ନାମକ ଏକ ଧାର୍ମିକ ପ୍ରଥା ଥିଲା, ଯେଉଁଥିରେ ପକ୍ଷୀମାନଙ୍କର ଉଡ଼ାଣ, ଆଚରଣ ଵା ସଂଖ୍ୟା ଆଧାରରେ ଦେଵାତାଙ୍କ ଇଚ୍ଛା କିମ୍ବା ଭଵିଷ୍ୟତଵାଣୀର ଆକଳନ କରାଯାଉଥିଲା। ଏହି ସଙ୍କେତଗୁଡ଼ିକୁ ଅଗୁର (augurs) ନାମକ ଧାର୍ମିକ ଵିଷଜ୍ଞମାନେ ଵ୍ୟାଖ୍ୟା କରୁଥିଲେ। ଅଗୁରୀ ପ୍ରଥା ଅନୁସାରେ ରେମୁସ୍ ପ୍ରଥମେ ଛଅଟି ଶାଗୁଣା ଦେଖିଲେ, କିନ୍ତୁ ରୋମୁଲସ୍ ବାରଟି ଶାଗୁଣା ଦେଖି ନିଜକୁ ଵିଜେତା ଘୋଷଣା କଲେ।
ରୋମୁଲସ୍ ପାଲାଟାଇନ ପାହାଡ଼ରେ ସହର ନିର୍ମାଣ ଆରମ୍ଭ କଲେ ଏଵଂ ଏକ ପ୍ରାଚୀର ଗଢ଼ିଵାକୁ ଲାଗିଲେ। ରେମୁସ୍, ହତାଶ ହେଲେ ରାଗିଯାଇ ରୋମୁଲସ୍ଙ୍କ ପ୍ରାଚୀରକୁ ଅଵଜ୍ଞାରେ ଡେଇଁ ପାରି ହୋଇଗଲେ। ଏହା ରୋମୁଲସଙ୍କୁ ଏତେ କ୍ରୁଦ୍ଧ କଲା ଯେ ସେ ରେମୁସଙ୍କୁ ହତ୍ୟା କରିଦେଲେ। କିନ୍ତୁ ପରେ ଦୁଃଖରେ ଭାଙ୍ଗିପଡ଼ି, ରୋମୁଲସ୍ ନିଜ ନାମରେ ସହରଟିକୁ “ରୋମ” ନାମ ଦେଲେ ଓ ଏହାର ପ୍ରଥମ ରାଜା ହେଲେ।
କିନ୍ତୁ ନିଜ ଭାଇକୁ କ୍ରୋଧ ଆଵେଗରେ ହତ୍ୟା କରିଥିଵାରୁ ରୋମୁଲସ୍ ଆଜୀଵନ ମାନସିକ ଯନ୍ତ୍ରଣା ଭୋଗ କରିଥିଲେ । କୁହାଯାଏ
ପ୍ରାୟ ଖ୍ରୀ.ପୂ. ୭୫୩ରେ “ରୋମ” ନଗର ସ୍ଥାପିତ ହୋଇଥିଲା । ରୋମକୁ ଶକ୍ତିଶାଳୀ କରିଵା ପାଇଁ ରୋମୁଲସ୍ ଆଶ୍ରୟ ସ୍ଥାନ (Asylum) ଘୋଷଣା କଲେ, ଯେଉଁଠାରେ ପଳାତକ, ଦୁଃଖୀ,ଦରିଦ୍ର ଓ ଅପରାଧୀମାନେ ଆସି ନୂଆ ଜୀଵନ ଆରମ୍ଭ କରିପାରିବେ। ଏହା ରୋମର ଜନସଂଖ୍ୟା ବଢ଼ାଇଥିଲା। କିନ୍ତୁ ସେତେବେଳେ ରୋମ୍ ସହରରେ ମହିଳାଙ୍କ ଅଭାବ ଥିଲା। ଏହାର ସମାଧାନ ପାଇଁ ରୋମୁଲସ୍ ପଡ଼ୋଶୀ ସାବାଇନ ଜାତିର ମହିଳାମାନଙ୍କୁ ଅପହରଣ କରି ଆଣିଵାକୁ ନିର୍ଦ୍ଦେଶ ଦେଇଥିଲେ। ଏହା ସାବାଇନମାନଙ୍କ ସହ ଯୁଦ୍ଧର କାରଣ ହେଲା କିନ୍ତୁ ପରେ ରୋମୀୟ ଓ ସାବାଇନମାନଙ୍କ ମଧ୍ୟରେ ସନ୍ଧି ହୋଇଥିଲା । ରୋମୁଲସ୍ ରୋମର ପ୍ରଥମ ରାଜା ହେଲାପରେ ଓ ଏକ ସେନା, ସନେଟ (Senate) ଓ ଧାର୍ମିକ ଵ୍ୟଵସ୍ଥା ଗଠନ କଲେ। ସେ ରୋମୀୟ ସମାଜକୁ “ପାଟ୍ରିସିଆନ” (ଉଚ୍ଚ ଵର୍ଗ) ଓ “ପ୍ଲେବିଆନ” (ସାଧାରଣ ଜନତା) ଏହିପରି ଦୁଇଭାଗରେ ଵିଭାଜିତ କରିଥିଲେ।ରୋମୁଲସ୍ ଵିଭିନ୍ନ ଧାର୍ମିକ ଅନୁଷ୍ଠାନ ଓ ମନ୍ଦିର ପ୍ରତିଷ୍ଠା କରି ରୋମକୁ ଏକ ଧାର୍ମିକ କେନ୍ଦ୍ର ଭାବେ ଗଢ଼ି ତୋଳିଥିଲେ।
ରୋମୁଲସ୍ ପ୍ରାୟ ୩୭ ଵର୍ଷ ଶାସନ କରିଵା ପରେ ଦିନେ ଏକ ରହସ୍ୟମୟ ଘଟଣାରେ ଏକ ଵିଶେଷ ଧାର୍ମିକ ଅନୁଷ୍ଠାନ ସମୟରେ, କ୍ୟାମ୍ପସ୍ ମାର୍ସିଅସ୍ ନାମକ ସ୍ଥାନରେ ସେ ଅନ୍ତର୍ଦ୍ଧାନ ହୋଇ ଗଲେ। ମାର୍ସ ଦେଵତା ତାଙ୍କୁ ସ୍ୱର୍ଗକୁ ନେଇଗଲେ ଏଵଂ ସେ “କ୍ୱିରିନସ୍” ନାମକ ଦେଵତା ରୂପେ ପୂଜା ପାଇଲେ।
-----------------------------
ରୋମୁସ୍ ଓ ରୋମୁଲସ୍ଙ୍କ ଏହି କାହାଣୀ ମୁଖ୍ୟତଃ ଲିଭିଙ୍କ ରଚିତ ରୋମାନ ଇତିହାସ ଗ୍ରନ୍ଥ "ଆବ୍ ଉର୍ବେ କଣ୍ଡିଟା" (Ab Urbe Condita, ଅର୍ଥାତ୍ "ନଗରୀର ପ୍ରତିଷ୍ଠା ପରଠାରୁ")ରେ ଉଲ୍ଲେଖ ଅଛି। ଏହା ରୋମର ପୌରାଣିକ ପ୍ରତିଷ୍ଠାତା ରୋମୁଲସ୍ ଓ ତାଙ୍କ ଭାଇ ରେମୁସ୍ଙ୍କ କାହାଣୀ ଵର୍ଣ୍ଣନା କରେ। ଏହି କାହାଣୀ ଅନ୍ୟ ରୋମାନ ଲେଖକମାନଙ୍କ ରଚନାରେ ମଧ୍ୟ ଆଂଶିକ ଉଲ୍ଲେଖ ମିଳେ, ଯେପରିକି ପ୍ଲୁଟାର୍କଙ୍କ "ଲାଇଭ୍ସ ଅଫ ରୋମୁଲସ୍" ଏଵଂ ଓଭିଦ୍ଙ୍କ "ଫାସ୍ଟି" ଇତ୍ୟାଦି।
ତେବେ ରୋମ ନଗର ପ୍ରତିଷ୍ଠାର ଏହି କାହାଣୀର ସାମଞ୍ଜସ୍ୟ ଶ୍ରୀକୃଷ୍ଣ ବଳରାମଙ୍କ କଥା ସହିତ ରହିଛି, ପାର୍ଥକ୍ୟ ବି ଅନେକ ଅଛି। ଇଟାଲୀର ଆଲବା ଲଙ୍ଗା ନଗରରେ ନୁମିଟର୍ ଶାସନ କରୁଥିଲେ ଯାହାଙ୍କୁ ତାଙ୍କ ଭାଇ ଆମୁଲିଅସ୍ ଗାଦିଚ୍ୟୁତ କରିଥିଲେ। ଠିକ୍ ସେହିପରି ଉଗ୍ରସେନ ମଥୁରା ନଗରୀର ଶାସକ ଥିଲେ ଯାହାଙ୍କୁ ତାଙ୍କ ପୁତ୍ର କଂସ ଗାଦିଚ୍ୟୁତ କରିଥିଲେ । ନୁମିଟରଙ୍କ ଝିଅ ରେଆ ସିଲଭିଆଙ୍କ ଛୁଆଙ୍କୁ ତାଙ୍କ ଦଦା ଆମୁଲିଅସ୍ ନଗର ପାଖରେ ବହି ଯାଉଥିଵା ଟାଇବର ନଦୀରେ ଭସାଇ ଦେଵାକୁ ନିର୍ଦ୍ଦେଶ ଦେଇଥିଲେ । ଶ୍ରୀକୃଷ୍ଣଙ୍କ ଜୀଵନଗାଥାରେ ସେହି ନଦୀ ଥିଲା ଯମୁନା ଯାହାକୁ ପାର କରି ଵସୁଦେଵ ନନ୍ଦପୁରକୁ ଯାଇ ଶ୍ରୀକୃଷ୍ଣଙ୍କୁ ଛାଡ଼ି ଆସିଥିଲେ ।
ରେଆ ସି,ଭିଆଙ୍କ ପୁତ୍ର ରୋମୁଲସ୍ ଓ ରେମୁସ୍ ଯୁଵକ ହେଵା ପର୍ଯ୍ୟନ୍ତ ଫାଉସ୍ତୁଲସ୍ ଓ ତାଙ୍କ ପତ୍ନୀ ଲାରେନ୍ସିଆଙ୍କ ଦ୍ୱାରା ପଶୁପାଳକ ଭାବେ ପାଳିତ ହେଉଥିଲେ। ଠିକ୍ ସେହିପରି ଶ୍ରୀକୃଷ୍ଣ ଗଉଡ଼ ଘରେ ନନ୍ଦରାଜା ଓ ଯଶୋଦାଙ୍କ ଦ୍ଵାରା ବହୁ ଵର୍ଷ ଧରି ପାଳିତ ହୋଇଥିଲେ । ନିଜ ପ୍ରକୃତ ପରିଚୟ ଜାଣି ରୋମୁଲସ୍ ଓ ରେମୁସ୍ ଟାଇବର ନଦୀ ଆରପାଖରେ ଥିଵା ଆଲବା ଲଙ୍ଗା ନଗରକୁ ପ୍ରତିଶୋଧ ନେଵାକୁ ଯାଇ ଥିଲେ ଏଵଂ ଆମୁଲିଅସ୍ଙ୍କୁ ପରାଜିତ ଓ ନିହତ କରି ରାଜଗାଦି ନିଜ ଅଜା ନୁମିଟରଙ୍କୁ ସମର୍ପି ଦେଇଥିଲେ । ଶ୍ରୀକୃଷ୍ଣ ବଳରାମ ମଧ୍ୟ ସେହିପରି ମଥୁରା ଯାଇ କଂସର ଗର୍ଵକୁ ଖର୍ଵ କଲେ ଫଳରେ ଭୟରେ କଂସଙ୍କର ମୃତ୍ୟୁ ହୋଇଥିଲା । ପରେ ଶ୍ରୀକୃଷ୍ଣ ନିଜ ଅଜା ଉଗ୍ରସେନଙ୍କୁ ମଥୁରାର ରାଜଗାଦି ସମର୍ପି ଦେଇଥିଲେ । ରୋମୁଲସ୍ ଓ ରେମୁସ୍ ଟାଇବର ନଦୀ କୂଳରେ ନୂତନ ନଗର ପ୍ରତିଷ୍ଠା କରିଵାକୁ ଚେଷ୍ଟା କରିଥିଲେ ଠିକ୍ ସେହିପରି ଶ୍ରୀକୃଷ୍ଣ ଓ ବଳରାମଙ୍କ ପ୍ରଚେଷ୍ଟାରେ ସମୁଦ୍ର ମଧ୍ୟରେ ଦ୍ଵାରକା ନଗରୀ ପ୍ରତିଷ୍ଠିତ ହୋଇଥିଲା । କେତେକ ସଂସ୍କରଣରେ ରେଆ ସିଲଭିଆଙ୍କୁ ଶିଶୁପୁତ୍ର ଜନ୍ମ କାରଣରୁ ଆମୁଲିଅସ୍ଙ୍କ ଦ୍ଵାରା କାରାଗାରରେ ବନ୍ଦି କରିଵା ତଥା ଆଉ କେତେକ ସଂସ୍କରଣରେ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିଵା କଥା ରହିଛି । ସମାନ ଭାବେ ଶ୍ରୀକୃଷ୍ଣ ବଳରାମଙ୍କ ଗାଥାରେ ଦେଵକୀ ଓ ଵସୁଦେଵଙ୍କୁ କାରାଗାର ହୋଇଥିଲା । ଏତଦଵ୍ୟତୀତ ଶ୍ରୀକୃଷ୍ଣ ଓ ବଳରାମଙ୍କ ଗାଥା ଓ ରୋମୁଲସ୍ ଓ ରେମୁସ୍ଙ୍କ ଗାଥା ମଧ୍ୟରେ ଯେଉଁ ପାର୍ଥକ୍ୟଗୁଡ଼ିକ ରହିଛି ତାହା କାହାଣୀରେ ପୂର୍ଵରୁ ଵର୍ଣ୍ଣନା କରାଯାଇଛି ।
••••••••••••••••••••••••••••••••••
ଆଲବା ଲଙ୍ଗା ନଗରର ଆଧୁନିକ ନାମ ଆଲବାନୋ ଲାଜିଆଲେ ଅଟେ ଏଵଂ ଏହା ଆଲବାନ ହିଲ୍ସ ଅଞ୍ଚଳ ରୂପେ ମଧ୍ୟ ପରିଚିତ ।
ଇଟାଲୀର ରୋମ ନଗରୀଠାରୁ ଏହା ପ୍ରାୟ ୨୦-୩୦ କି.ମି. ଦକ୍ଷିଣ-ପୂର୍ଵରେ ଅଵସ୍ଥିତ। ଏହା ଏକ ପ୍ରାଚୀନ ସହର ଥିଲା, ଯାହାର ଭଗ୍ନାଵଶେଷ ଏବେ ମଧ୍ୟ ଆଲବାନ ହିଲ୍ସରେ ଦେଖାଯାଏ।
ଟାଇବର (Tiber) ନଦୀ ଇଟାଲୀର ମଧ୍ୟ ଭାଗ ଦେଇ ବହୁଥିଵା ଏକ ପ୍ରମୁଖ ନଦୀ, ଯାହା ରୋମ ନଗର ମଧ୍ୟ ଦେଇ ବହିଯାଇଛି ।
ପାଲାଟାଇନ ପାହାଡ଼ (Palatine Hill) ରୋମର ସାତୋଟି ପାହାଡ଼ ମଧ୍ୟରୁ ଗୋଟିଏ, ଆଧୁନିକ ରୋମର କେନ୍ଦ୍ରୀୟ ଅଞ୍ଚଳରେ ଅଵସ୍ଥିତ । ଏହା ପ୍ରାଚୀନ ରୋମୀୟ ଅଟ୍ଟାଳିକା ଓ ମନ୍ଦିରର ଭଗ୍ନାଵଶେଷ ପାଇଁ ପ୍ରସିଦ୍ଧ।
ଆଵେନ୍ଟାଇନ ପାହାଡ଼ (Aventine Hill)
ରୋମର ସାତୋଟି ପାହାଡ଼ ମଧ୍ୟରୁ ଅନ୍ୟତମ ଓ ଟାଇବର ନଦୀ ନିକଟରେ ଅଵସ୍ଥିତ । ଏହା ଵର୍ତ୍ତମାନ ଏକ ଶାନ୍ତ ଆଵାସିକ ଅଞ୍ଚଳ ଓ ଐତିହାସିକ ସ୍ଥଳ ରୂପେ ଜଣାଯାଏ ।
କ୍ୟାମ୍ପସ୍ ମାର୍ସିଅସ୍ର ଵର୍ତ୍ତମାନ ନାମ କାମ୍ପୋ ମାର୍ଜିଓ (Campo Marzio) ଅଟେ ଯେଉଁଠାରେ ରୋମୁଲସ୍ ଅଦୃଶ୍ୟ ହୋଇଯାଇଥିଲେ । ଏହି ସ୍ଥାନଟି ରୋମର ଟାଇବର ନଦୀର ଉତ୍ତର-ପଶ୍ଚିମ ଅଞ୍ଚଳରେ ଅଵସ୍ଥିତ। ପ୍ରାଚୀନକାଳରେ ଏହା ସାମରିକ ଓ ଧାର୍ମିକ କାର୍ଯ୍ୟ ପାଇଁ ଵ୍ୟଵହୃତ ହେଉଥିଲା; ଵର୍ତ୍ତମାନ ଏହା ରୋମର ଏକ ଜନପ୍ରିୟ ଐତିହାସିକ ଅଞ୍ଚଳ ଭାବେ ଖ୍ୟାତ।
••••••••••••••••••••••••••••••••••
No comments:
Post a Comment