୧୦୬୬ରେ ଇଂଲଣ୍ଡର ରାଜା ଏଡୱାର୍ଡ୍ ଦି କନଫେସର୍ ନିଃସନ୍ତାନ ଅଵସ୍ଥାରେ ମୃତ୍ୟୁଵରଣ କରିଥିଲେ। ତାଙ୍କ ଉତ୍ତରାଧିକାରୀକୁ ନେଇ ଵିଵାଦ ଦେଖାଦେଇଥିଲା। ହାରୋଲ୍ଡ ଗଡ଼ୱିନସନ (Harold Godwinson) ନିଜକୁ ରାଜା ଘୋଷଣା କରିଥିଲେ କିନ୍ତୁ ନର୍ମାଣ୍ଡିର ଡ୍ୟୁକ୍ William the Conqueror" ଦାବି କରିଥିଲେ ଯେ ଇଂଲଣ୍ଡର ରାଜା ଏଡୱାର୍ଡ ତାଙ୍କୁ ସିଂହାସନ ପ୍ରାପ୍ତ ହେଵାର ପ୍ରତିଶ୍ରୁତି ଦେଇଥିଲେ। ତେବେ ଇଂଲଣ୍ଡରେ ଏହି ଦାବିକୁ କେହି ମାନିଲେ ନାହିଁ ତେଣୁ ନର୍ମାଣ୍ଡିର ଡ୍ୟୁକ୍ ଉଇଲିୟମ୍ ଏକ ବଡ଼ ସୈନ୍ୟଵାହିନୀ ନେଇ ଇଂଲଣ୍ଡ ଆକ୍ରମଣ କରିଥିଲେ। ଏହି ଯୁଦ୍ଧର ମୁଖ୍ୟ ଘଟଣା ଥିଲା ହେଷ୍ଟିଂସ ଯୁଦ୍ଧ (Battle of Hastings), ଯାହା ୧୪ ଅକ୍ଟୋବର ୧୦୬୬ରେ ହୋଇଥିଲା। ଏହି ଯୁଦ୍ଧରେ ଉଇଲିୟମ୍ଙ୍କ ନର୍ମାନ୍ ସୈନ୍ୟ ହାରୋଲ୍ଡଙ୍କ ଆଙ୍ଗ୍ଲୋ-ସାକ୍ସନ ସୈନ୍ୟଙ୍କୁ ପରାସ୍ତ କରି ଦେଇଥିଲେ । ପରିଣାମ ସ୍ଵରୂପ ହାରୋଲ୍ଡ ଯୁଦ୍ଧରେ ମୃତ୍ୟୁଵରଣ କରିଥିଲେ।
ନର୍ମାଣ୍ଡିର ନର୍ମାନମାନେ ପ୍ରକୃତରେ Viking ଵଂଶୋଦ୍ଭଵ ଥିଲେ ଏଵଂ ନଵମ ଓ ଦଶମ ଶତାବ୍ଦୀରେ ସ୍କାଣ୍ଡିନେଭିଆ (ଵର୍ତ୍ତମାନର ଡେନମାର୍କ, ନରୱେ ଓ ସ୍ୱୀଡେନ୍)ରୁ ଉତ୍ତର ଫ୍ରାନ୍ସକୁ ଆସିଥିଲେ। ଏହି Vikingମାନେ ଫ୍ରାନ୍ସର ନର୍ମାଣ୍ଡି ଅଞ୍ଚଳରେ ଵସତି ସ୍ଥାପନ କରିଥିଲେ ଏଵଂ ଧୀରେ ଧୀରେ ଫରାସୀ ସଂସ୍କୃତି, ଭାଷା (ଫରାସୀ, ଯାହା ଲାଟିନରୁ ଉଦ୍ଭବ) ଓ ଖ୍ରୀଷ୍ଟିଆନ ଧର୍ମ ଗ୍ରହଣ କରି ନର୍ମାନ ପରିଚୟ ଗଢ଼ିଥିଲେ।
ଅସ୍ତୁ ୧୦୬୬ ଖ୍ରୀଷ୍ଟାବ୍ଦରେ ଇଂଲଣ୍ଡ ଉପରେ ନର୍ମାନ୍ମାନଙ୍କ ଵିଜୟ ପରେ ଯୁଦ୍ଧରେ ସେମାନଙ୍କର ନେତୃତ୍ୱ ନେଇଥିଵା ଉଇଲିୟମ୍ ଇଂଲଣ୍ଡର ରାଜା ହେଲେ ଏଵଂ "William ପ୍ରଥମ" ନାମରେ ଖ୍ୟାତ ହେଲେ । ତାଙ୍କୁ "William the Conqueror" ମଧ୍ୟ କୁହାଗଲା।
"William ପ୍ରଥମ"ଙ୍କ ଶାସନ ସମୟରେ ଇଂଲଣ୍ଡରେ ସାମନ୍ତଵାଦୀ ଵ୍ୟଵସ୍ଥା ପ୍ରଚଳିତ ହୋଇଥିଲା ଏଵଂ ଲାଟିନ ଭାଷାରୁ ଉଦ୍ଭଵ ହୋଇଥିଵା ଫରାସୀ ଭାଷା ଇଂଲଣ୍ଡର ପ୍ରଶାସନିକ ଭାଷା ହୋଇଥିଲା । ଫରାସୀ ଭାଷା ଇଂଲଣ୍ଡର ଅଭିଜାତ ଶ୍ରେଣୀରେ ପ୍ରଭାଵ ଵିସ୍ତାର କରି ପରେ ସାଧାରଣ ଵର୍ଗଙ୍କୁ ମଧ୍ୟ ପ୍ରଭାଵିତ କରିଥିଲା ଫଳତଃ ଇଂରାଜୀ ଭାଷାରେ ଅନେକ ଫରାସୀ ଓ ଲାଟିନ ଶବ୍ଦ ପ୍ରଚଳିତ ହୋଇଥିଲା ।
ନର୍ମାନ ବିଜୟର ପ୍ରଭାବ ଇଂରାଜୀ ଭାଷାରେ ଶବ୍ଦ ପରିଵର୍ତ୍ତନରେ ସ୍ପଷ୍ଟ ଦେଖାଯାଏ। ଉଦାହରଣ ସ୍ଵରୂପ ପ୍ରାଚୀନ ଇଂରାଜୀରେ ପର୍ଵତ ଵା ପାହାଡ଼କୁ ବୁଝାଇଵା ପାଇଁ "beorg" ଓ "dūn" ଶବ୍ଦ ଵ୍ୟଵହୃତ ହେଉଥିଲା କିନ୍ତୁ ଜର୍ମାନ ଶାସନ ପରେ ଫରାସୀ ଭାଷା ଦେଇ ଲାଟିନ ମୂଳର mountain(ଲାଟିନ mons/montisରୁ ଉତ୍ପନ୍ନ) ଚଳିଲା। ସେହିପରି, swīn(ଶୁକର) ଶବ୍ଦ ବଦଳରେ pig(ଫରାସୀ porcusରୁ) ଶବ୍ଦ ଜନପ୍ରିୟ ହେଲା। ଅନ୍ୟ ଏକ ଉଦାହରଣ ହେଉଛି justice(ନ୍ୟାୟ), ଯାହା ଫରାସୀ/ଲାଟିନ justitiaରୁ ଆସିଥିଲା, ପ୍ରାଚୀନ ଇଂରାଜୀ ଶବ୍ଦ rihtwīsnesକୁ ଵିସ୍ଥାପିତ କରିଥିଲା।
ଏହି ଶବ୍ଦ ପରିଵର୍ତ୍ତନ କେଵଳ ଭାଷାରେ ସୀମିତ ନଥିଲା ଵରଂ ଏହା ନର୍ମାନମାନଙ୍କ ସାଂସ୍କୃତିକ ଓ ପ୍ରଶାସନିକ ଆଧିପତ୍ୟକୁ ପ୍ରତିଫଳିତ କରୁଥିଲା। ଫରାସୀ ଭାଷା, ଯାହା ଅଭିଜାତ ଶ୍ରେଣୀରେ ଵ୍ୟଵହୃତ ହେଉଥିଲା, ଧୀରେ ଧୀରେ ସାଧାରଣ ଜନତାଙ୍କ ଭାଷାରେ ମଧ୍ୟ ପ୍ରଭାଵ ପକାଇଥିଲା। ଖ୍ରୀଷ୍ଟିଆନ ଧର୍ମର ପ୍ରସାର ମଧ୍ୟ ଏହି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଥିଲା, କାରଣ ଚର୍ଚ୍ଚରେ ଲାଟିନ ଭାଷାର ଵ୍ୟଵହାର ଅନେକ ଲାଟିନ ଶବ୍ଦକୁ ଇଂରାଜୀରେ ପ୍ରଚଳିତ କରାଇଥିଲା।
ଭାଷା ଵିଜ୍ଞାନ ଦୃଷ୍ଟିକୋଣରୁ, ଏହି ଧରଣର ଶବ୍ଦ ପରିଵର୍ତ୍ତନକୁ "ଶବ୍ଦ ଋଣ"(Lexical Borrowing) ଵା "ଶବ୍ଦ ଗ୍ରହଣ" (Borrowing) କୁହାଯାଏ। ଯେତେବେଳେ ଗ୍ରହଣ କରାଯାଇଥିଵା ଶବ୍ଦ ମୂଳ ଭାଷାର ଶବ୍ଦକୁ ସମ୍ପୂର୍ଣ୍ଣ ଵା ଆଂଶିକ ଭାବେ ଵିସ୍ଥାପିତ କରେ, ତାହାକୁ "ଶବ୍ଦ ଵିସ୍ଥାପନ" (Lexical Replacement) କୁହାଯାଏ। ନର୍ମାନ ଵିଜୟ ପରିପ୍ରେକ୍ଷୀରେ ଏହି ପ୍ରକ୍ରିୟାକୁ "ସାଂସ୍କୃତିକ ଋଣ" (Cultural Borrowing) ରୂପେ ଵିଵେଚନା କରାଯାଏ, କାରଣ ଏହା ସାଂସ୍କୃତିକ, ରାଜନୈତିକ ଓ ସାମାଜିକ ପ୍ରଭାବ ଯୋଗୁଁ ଘଟିଥିଲା। ଗ୍ରହଣ କରାଯାଇଥିବା ଶବ୍ଦଗୁଡ଼ିକ ପ୍ରାୟତଃ ସ୍ଥାନୀୟ ଭାଷାରେ ଅନୁକୂଳିତ ହୋଇଥାଏ, ଯାହାକୁ "ଅନୁକୂଳନ" (Adaptation) କୁହାଯାଏ। ଅନେକ ଲାଟିନ ଓ ଫରାସୀ ଶବ୍ଦ ଏହି ସମୟରେ ସ୍ଥାନୀୟ ଇଂରାଜୀ ଭାଷାରେ ଅନୁକୂଳିତ ହୋଇ ନିଜ ମୂଳ ରୂପରୁ ସାମାନ୍ୟ ଭିନ୍ନ ହୋଇ ଆଜି ଵିଶ୍ଵରେ ଇଂରାଜୀ ଶବ୍ଦ ରୂପେ ପରିଚିତ ହେଉଛି।
୧୦୬୬ ଖ୍ରୀଷ୍ଟାବ୍ଦର ନର୍ମାନ ଵିଜୟ ପରେ ନର୍ମାନମାନେ ଇଂଲଣ୍ଡ ଉପରେ ପ୍ରାୟ ୩୦୦ ଵର୍ଷ ଧରି ରାଜନୈତିକ ଓ ସାଂସ୍କୃତିକ ଅଧିକାର ବଜାୟ ରଖିଥିଲେ, ଯାହା ପ୍ରାୟ ୧୦୬୬ରୁ ୧୩୬୦ ଵା ୧୪୦୦ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ଚାଲିଥିଲା । ଉଇଲିୟମ୍ ଦି କଙ୍କରର (William the Conqueror)ଙ୍କଠାରୁ ଇଂଲଣ୍ଡରେ ନର୍ମାନ ରାଜବଂଶର ଶାସନ ଆରମ୍ଭ ହୋଇଥିଲା । ଉଇଲିୟମ ପ୍ରଥମ ଓ ତାଙ୍କ ବଂଶଧରମାନେ, ଯେପରିକି ଉଇଲିୟମ୍ ଦ୍ଵିତୀୟ, ହେନେରୀ ପ୍ରଥମ ଓ ଷ୍ଟିଫେନ୍, ପ୍ରାୟ ୮୮ ବର୍ଷ (୧୦୬୬-୧୧୫୪) ଧରି ଶାସନ କରିଥିଲେ। ଏହି ସମୟରେ ଫରାସୀ ଭାଷା ଓ ନର୍ମାନ ସଂସ୍କୃତି ଇଂଲଣ୍ଡରେ ଆଧିପତ୍ୟ ଵିସ୍ତାର କରିଥିଲା।
ନର୍ମାନ ରାଜବଂଶ ପରେ ଆଞ୍ଜେଭିନ୍ (Angevin) ଵା ପ୍ଲାଣ୍ଟାଜେନେଟ୍ (Plantagenet) ରାଜବଂଶ ୧୧୫୪ରୁ ଇଂଲଣ୍ଡରେ ଶାସନ ଆରମ୍ଭ କରିଥିଲା। ଏହି ରାଜବଂଶର ରାଜାମାନେ, ଯେପରିକି ହେନେରୀ ଦ୍ଵିତୀୟ, ରିଚାର୍ଡ ପ୍ରଥମ ଓ ଜନ୍ ଆଦି ନର୍ମାଣ୍ଡି ସମେତ ଫ୍ରାନ୍ସର ଵିଭିନ୍ନ ଅଞ୍ଚଳରେ ଅଧିକାର ରଖିଥିଲେ। ଏହି ସମୟରେ ଫରାସୀ ଭାଷା ଓ ସଂସ୍କୃତି ଇଂଲଣ୍ଡରେ ପ୍ରଭାଵ ବଜାୟ ରଖିଥିଲା କିନ୍ତୁ ୧୨୦୪ରେ ନର୍ମାଣ୍ଡି ଫ୍ରାନ୍ସ ଦ୍ୱାରା ଦଖଲ ହେଵା ପରେ ନର୍ମାନ ଅଧିକାର ଦୁର୍ଵଳ ହେଵାକୁ ଲାଗିଲା। ତ୍ରୟୋଦଶ ଶତାବ୍ଦୀ ବେଳକୁ ଇଂଲଣ୍ଡରେ ଫ୍ରାନ୍ସ ଓ ଫରାସୀ ଵିରୋଧୀ ମନୋଭାଵ ଦେଖା ଦେଇଥିଲା ଯାହା ଜାତୀୟ ଆନ୍ଦୋଳନର ରୂପ ନେଇଥିଲା ।
ଇଂରେଜ ଜନତା ଫରାସୀ ଭାଷାର ଆଧିପତ୍ୟ ଵିପକ୍ଷରେ ଏକ ଭାଷା ଆନ୍ଦୋଳନ ଆରମ୍ଭ କରିଥିଲେ, ଯାହା ଇଂରାଜୀ ଭାଷାର ପୁନରୁଦ୍ଧାର ଏଵଂ ଜାତୀୟ ପରିଚୟର ପୁନଃସ୍ଥାପନ ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା।
ସେ ସମୟର ଇଂଲଣ୍ଡରେ ଅଭିଜାତ ଵର୍ଗର ଲୋକମାନେ ଫରାସୀ ଭାଷାରେ କଥାଵାର୍ତ୍ତା କରୁଥିଲେ ଯାହା ସାଧାରଣ ଜନତାଙ୍କ ମଧ୍ୟରେ ଇଂରାଜୀ ଭାଷାର ଵ୍ୟଵହାରକୁ ହ୍ରାସ କରିଥିଲା। ଫରାସୀ ଭାଷାକୁ ପ୍ରଶାସନିକ ଭାଷା କରାଯାଇଥିଲା ଏଵଂ ଲୋକଙ୍କୁ ଫରାସୀ ଭାଷାର ଅଧିକରୁ ଅଧିକ ଵ୍ୟଵହାର ପାଇଁ ପ୍ରୋତ୍ସାହିତ କରାଯାଉଥିଲା । ଇଂରେଜ ସମାଜରେ ମଧ୍ୟରେ ଏହା ଏକ ସାଂସ୍କୃତିକ ଓ ଭାଷାଗତ ଵିଚ୍ଛିନ୍ନତା ସୃଷ୍ଟି କରିଥିଲା। କିନ୍ତୁ ଦ୍ୱାଦଶ ଓ ତ୍ରୟୋଦଶ ଶତାବ୍ଦୀରେ ଇଂରେଜମାନେ ତାଙ୍କ ଭାଷା ଓ ପରିଚୟକୁ ପୁନରୁଦ୍ଧାର କରିଵା ପାଇଁ ପ୍ରୟାସ ଆରମ୍ଭ କରିଥିଲେ। ଏହି ଆନ୍ଦୋଳନ ଧୀରେ ଧୀରେ ଏକ ଜାତୀୟ ଚେତନାର ରୂପ ନେଇଥିଲା, ଯାହା ଇଂରାଜୀ ଭାଷାକୁ ପୁନଃସ୍ଥାପନ କରିଵା ସହ ଫରାସୀ ଭାଷାର ଆଧିପତ୍ୟକୁ ଖୋଲା ଆହ୍ଵାନ କରିଥିଲା।
ଏହି ଭାଷା ଆନ୍ଦୋଳନର ଆରମ୍ଭ ମୁଖ୍ୟତଃ ମଧ୍ୟଯୁଗୀୟ ଇଂଲଣ୍ଡରେ ଜାତୀୟତାବାଦୀ ଭାଵନାର ଉଦୟ ସହ ଜଡ଼ିତ ଥିଲା। ତ୍ରୟୋଦଶ ଶତାବ୍ଦୀରେ, ଇଂଲଣ୍ଡ ଓ ଫ୍ରାନ୍ସ ମଧ୍ୟରେ ରାଜନୈତିକ ସଂଘର୍ଷ, ଯେପରିକି ଶତଵର୍ଷୀୟ ଯୁଦ୍ଧ (Hundred Years' War, ୧୩୩୭-୧୪୫୩), ଇଂରେଜ ଜନତାଙ୍କ ମଧ୍ୟରେ ଫରାସୀ ସଂସ୍କୃତି ଓ ଭାଷା ଵିପକ୍ଷରେ ଏକ ପ୍ରତିଵାଦୀ ମନୋଭାଵ ସୃଷ୍ଟି କରିଥିଲା। ଏହି ସମୟରେ ଇଂରେଜୀ ଭାଷାକୁ ସାହିତ୍ୟ ଓ ପ୍ରଶାସନରେ ପୁନଃପ୍ରଚଳନ କରିଵା ପାଇଁ ପ୍ରୟାସ ଆରମ୍ଭ ହୋଇଥିଲା। ଚତୁର୍ଦଶ ଶତାବ୍ଦୀରେ ଜେଫ୍ରୀ ଚସର୍ (Geoffrey Chaucer) ଙ୍କ ପରି ଲେଖକମାନେ ଇଂରାଜୀ ଭାଷାରେ ସାହିତ୍ୟ ରଚନା କରି ଏହାର ମର୍ଯ୍ୟାଦା ବୃଦ୍ଧି କରିଥିଲେ। ତାଙ୍କର "The Canterbury Tales" ଇଂରାଜୀ ଭାଷାରେ ଲେଖାଯାଇଥିଵା ଏକ ମହତ୍ ସାହିତ୍ୟ କୃତି ଥିଲା, ଯାହା ଇଂରାଜୀ ଭାଷାର ସାମାଜିକ ଓ ସାଂସ୍କୃତିକ ଗୁରୁତ୍ୱକୁ ପୁନଃସ୍ଥାପନ କରିଥିଲା।
ଏହି ଆନ୍ଦୋଳନର ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ଥିଲା ପ୍ରଶାସନିକ ଓ ଆଇନଗତ କ୍ଷେତ୍ରରେ ଇଂରାଜୀ ଭାଷାର ପୁନଃପ୍ରଚଳନ। ଚତୁର୍ଦଶ ଶତାବ୍ଦୀରେ, ୧୩୬୨ ଖ୍ରୀଷ୍ଟାବ୍ଦରେ ଇଂଲଣ୍ଡର ପାର୍ଲାମେଣ୍ଟରେ ଇଂରାଜୀ ଭାଷାରେ ଵିତର୍କ କରିବାର ଆଇନ(Statute of Pleading) ପାସ୍ ହୋଇଥିଲା, ଯାହା ଅଦାଲତରେ ଇଂରାଜୀ ଭାଷାର ଵ୍ୟଵହାରକୁ ପ୍ରୋତ୍ସାହିତ କରିଥିଲା। ଏହା ଫରାସୀ ଭାଷାରୁ ଇଂରାଜୀ ଭାଷାକୁ ପ୍ରଶାସନିକ କାର୍ଯ୍ୟରେ ପୁନଃସ୍ଥାପନ କରିଵାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଥିଲା। ଏହା ସହ ଇଂରେଜୀ ଭାଷାରେ ଶିକ୍ଷା ଓ ଧାର୍ମିକ ଗ୍ରନ୍ଥର ଅନୁଵାଦ ମଧ୍ୟ ଆରମ୍ଭ ହୋଇଥିଲା। ଜନ୍ ୱିକ୍ଲିଫ୍(John Wycliffe) ପରି ଧାର୍ମିକ ସମାଜ ସୁଧାରକମାନେ ବାଇବେଲକୁ ଇଂରାଜୀରେ ଅନୁଵାଦ କରିଥିଲେ, ଯାହା ଇଂରାଜୀ ଭାଷାର ଜନପ୍ରିୟତା ଓ ଗ୍ରହଣୀୟତା ବୃଦ୍ଧି କରିଥିଲା। ଏହି ପ୍ରୟାସଗୁଡ଼ିକ ଇଂରେଜ ଜନତାଙ୍କ ମଧ୍ୟରେ ଜାତୀୟ ଚେତନା ଓ ଭାଷାଗତ ଗର୍ଵକୁ ଜାଗ୍ରତ କରିଥିଲା।
ଏହି ଇଂରାଜୀ ଭାଷା ଆନ୍ଦୋଳନ ସାମାଜିକ ଓ ସାଂସ୍କୃତିକ ଦିଗରୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଥିଲା। ଫରାସୀ ଭାଷା ଅଭିଜାତ ଶ୍ରେଣୀରେ ସୀମିତ ହୋଇଥିଵା ବେଳେ, ସାଧାରଣ ଜନତା ଇଂରାଜୀ ଭାଷାରେ କଥାଵାର୍ତ୍ତା କରୁଥିଲେ। ଏହି ଭାଷାଗତ ଵିଭାଜନ ସାମାଜିକ ଅସନ୍ତୋଷ ସୃଷ୍ଟି କରିଥିଲା, ଯାହା ଇଂରାଜୀ ଭାଷାର ପୁନରୁଦ୍ଧାର ପାଇଁ ଏକ ଜନମତ ଗଠନ କରିଥିଲା। ପଞ୍ଚଦଶ ଶତାବ୍ଦୀ ସୁଦ୍ଧା, ଇଂରାଜୀ ଭାଷା ପୁନଃ ପ୍ରଶାସନ, ଶିକ୍ଷା ଓ ସାହିତ୍ୟରେ ଏକ ପ୍ରମୁଖ ଭାଷା ହୋଇଥିଲା। ହେନେରୀ ପଞ୍ଚମ(Henry V)ଙ୍କ ପରି ଇଂରାଜୀ ପ୍ରେମୀ ରାଜାଙ୍କର ଶାସନ ସମୟରେ ଭାଷାର ଵ୍ୟଵହାରକୁ ପ୍ରୋତ୍ସାହନ ଦିଆଗଲା ଫଳତଃ ଇଂଲଣ୍ଡରେ ଫରାସୀ ଭାଷାର ଆଧିପତ୍ୟ ଆହୁରି ହ୍ରାସ ହୋଇଥିଲା। ଏହି ସମୟରେ ଇଂରାଜୀ ଭାଷାରେ ଅନେକ ନୂଆ ଶବ୍ଦ ଓ ଵ୍ୟାକରଣଗତ ଗଠନ ଵିକଶିତ ହୋଇଥିଲା ଯାହା ଆଧୁନିକ ଇଂରାଜୀ ଭାଷାର ଭିତ୍ତିଭୂମି ସ୍ଥାପନ କରିଥିଲା। ଇଂରେଜମାନେ ଏହି ଜାତୀୟତାକୁ ମୂଳ ପୁଞ୍ଜି କରି ନିଜ ଦେଶକୁ ସୁଦୃଢ଼ କରିଵା କାମରେ ଲାଗି ପଡ଼ିଲେ । ପଞ୍ଚଦଶ ଶତାବ୍ଦୀର ଇଂଲଣ୍ଡ ୟୁରୋପର ଅନ୍ୟ ଅଞ୍ଚଳ ଅପେକ୍ଷା ସେତେ ସମୃଦ୍ଧ ନଥିଲା ତେବେ ଷୋଡ଼ଶ ଓ ସପ୍ତଦଶ ଶତାବ୍ଦୀରେ ଉପନିଵେଶୀକରଣ ଓ ଵାଣିଜ୍ୟ ମାଧ୍ୟମରେ ଇଂଲଣ୍ଡ ଏକ ଵିଶ୍ୱ ଶକ୍ତି ଭାବେ ଉଭା ହୋଇଥିଲା। ଇଂରେଜମାନେ ୧୬୦୭ରେ ଭର୍ଜିନିଆର ଜେମ୍ସଟାଉନରେ(USA) ପ୍ରଥମ ସ୍ଥାୟୀ ଉପନିଵେଶ ସ୍ଥାପନ କରିଥିଲେ। ହାପରେ ଵିଶ୍ଵର ଵିଭିନ୍ନ ଦେଶକୁ ଇଂରେଜମାନେ ପରାଧୀନ କରିଵା ଆରମ୍ଭ କରିଥିଲେ ।
ଭାରତଵର୍ଷ(ଭାରତ,ପାକିସ୍ତାନ,ବଙ୍ଗଳାଦେଶ, ଶ୍ରୀଲଙ୍କା,ବର୍ମା ଇତ୍ୟାଦି) ଛଡ଼ା ଇଂରେଜମାନେ
ଅଣ୍ଟିଗୁଆ,ବରମୁଡା,ଅଷ୍ଟ୍ରେଲିଆ,ବହାମାସ୍,ବାର୍ବାଡୋସ୍,ବେଲିଜ୍,ବୋଟ୍ସ୍ୱାନା,ବ୍ରୁନୋଇ,କାନାଡା,ସାଇପ୍ରସ୍,ଡୋମିନିକା,ମିଶର,ଫିଜି ,ଗାମ୍ବିଆ,ଘାନା,ଗ୍ରେନେଡା,ଗୁୟାନା,ହଂକଂ,ଆୟାରଲ୍ୟାଣ୍ଡ,ଜାମାଇକା,ଜୋର୍ଡାନ୍,କେନିଆ,କିରିବାଟି,କୁଏତ୍,ଲେସୋଥୋ,ମାଲାୱୀ,ମାଲେସିଆମାଳଦ୍ଵୀପ,ମାଲ୍ଟା,ମରିସସ୍,ନାମିଭିଆ,ନାଉରୁ
,ନାଇଜେରିଆ,ନିଉଜିଲ୍ୟାଣ୍ଡ ,ଓମାନ, ଇସ୍ରାଏଲର ଅଞ୍ଚଳ,କତାର,ସାଉଦି ଆରବ,
,ସେଚେଲସ,ସିଏରାଲିଓନ୍,ସିଙ୍ଗାପୁର ,ସୋଲୋମନ ଆଇଲ୍ୟାଣ୍ଡ,ଦକ୍ଷିଣ ଆଫ୍ରିକା,ସୁଦାନ
,ସ୍ୱାଜିଲାଣ୍ଡ(ଏସ୍ୱାତିନୀ),ତାଞ୍ଜାନିଆ,ଟୋଙ୍ଗା,ତ୍ରିନିଦାଦ ଓ ଟୋବାଗୋ,ଟୁଭାଲୁ,ୟୁଗାଣ୍ଡା,ୟୁଏଇ,ଯୁକ୍ତରାଷ୍ଟ୍ର (୧୩ଟି ଉପନିଵେଶ),ଭାନୁଆତୁ,ଜାମ୍ବିଆ ଓ
ଜିମ୍ବାବେ (ରୋଡେସିଆ) ଆଦି ଦେଶକୁ ପରାଧୀନ କରିଥିଲେ । ୧୯୨୦ ଦଶକ ବେଳକୁ ବ୍ରିଟିଶ ସାମ୍ରାଜ୍ୟ ଏତେ ଵିସ୍ତୃତ ଥିଲା ଯେ ଏ ସାମ୍ରାଜ୍ୟରେ କେବେ ସୂର୍ଯ୍ୟୋଦୟ ହେଉନଥିଲା। ୧୯୨୦ ସୁଦ୍ଧା ଇଂରେଜମାନେ ପୃଥିଵୀର ପ୍ରାୟ ୨୫% ଭୂମି ଅଞ୍ଚଳକୁ ପରାଧୀନ କରି ରଖିଥିଲେ। ଏହା ପ୍ରାୟ ୩୫.୫ ନିୟୁତ ଵର୍ଗ କିଲୋମିଟର ଅଞ୍ଚଳ ଥିଲା, ଯାହା ପୃଥିଵୀର ମୋଟ ଭୂମି ଅଞ୍ଚଳର ଚତୁର୍ଥାଂଶ ଭାବରେ ଗଣାଯାଏ। ଏହି ସାମ୍ରାଜ୍ୟ ଵିଶ୍ୱର ଵିଭିନ୍ନ ମହାଦେଶରେ, ଯଥା ଏସିଆ, ଆଫ୍ରିକା, ଉତ୍ତର ଆମେରିକା, ଅଷ୍ଟ୍ରେଲିଆ ଏଵଂ ଓସେଆନିଆରେ ଵ୍ୟାପିଥିଲା। ଆଜକୁ ମାତ୍ର ଶହେ ଵର୍ଷ ତଳେ ପୃଥିଵୀର ଚାରିଭାଗରୁ ଭାଗେ ଭୂଭାଗକୁ ପରାଧୀନ କରି ରଖିଥିଵା ବ୍ରିଟେନ୍ ମଧ୍ୟ ଏକଦା ସ୍ଵୟଂ ପରାଧୀନ ଥିଲା ବୋଲି ହୁଏତ ଅନେକେ ଜାଣିନଥିବେ ତେବେ ଏହା ସତ୍ୟ । ଇଂରାଜୀ ଭାଷା ଶିଖି ଇଂରେଜ ଜାତିର ଏହି ସତ୍ୟ ଇତିହାସ ଜାଣିଵା ପରେ ଅନେକ ଦେଶରେ ସ୍ଵାଧୀନତା ସଂଗ୍ରାମୀମାନେ ଜାତୀୟତାଵାଦୀ ଆନ୍ଦୋଳନ କରିଵାକୁ ପ୍ରେରିତ ହୋଇଥିଲେ ।
No comments:
Post a Comment