ଏବେ ଦେଖାଯାଉଛି ପଶ୍ଚିମ ଓଡ଼ିଶାର ଲୋକମାନେ ମାନକ ଶାସ୍ତ୍ରୀୟ ଵ୍ୟାକରଣ ଶାସ୍ତ୍ରକୁ ପାଦରେ ଗୋଇଠା ମାରି ଶବ୍ଦ ମଝିରେ ହଳନ୍ତ ଦେଇ ଲେଖୁଛନ୍ତି । ସେମାନଙ୍କୁ ଵ୍ୟାକରଣ କଥା କହିଲେ ଯୁକ୍ତି କରି କୁହନ୍ତି ଭାଷା ଆଗ ନା ଵ୍ୟାକରଣ ଆଗ ? ଭାଷା ଆଗ ବୋଲି କ'ଣ ଵ୍ୟାକରଣ ନିୟମ ମାନିଵ ନାହିଁ ? ସେହିପରି ଯଦି ଜଣେ ଅତି ସ୍ଵାଧୀନ ଵ୍ୟକ୍ତି କହେ ମଣିଷ ଆଗ ନା ଆଇନ କାନୁନ ଆଗ ? ତାହେଲେ ସେଇଭଳି ଲୋକଙ୍କ ପାଇଁ ସାମାଜିକ ନ୍ୟାୟ ଵ୍ୟଵସ୍ଥାକୁ ହଟେଇ ଦିଆଯିଵ କି ?
ଭାଷାର ମଙ୍ଗଳ ପାଇଁ ଵ୍ୟାକରଣ ରୂପ ଭାଷାଗତ ନ୍ୟାୟଵ୍ୟଵସ୍ଥା ହୋଇଅଛି । ଵ୍ୟାକରଣକୁ ଛାଡ଼ି କୋଉ ଭାଷା କେବେ ଶାସ୍ତ୍ରୀୟ ଓ ଶ୍ରେଷ୍ଠ ହୋଇଛି ନା ହୋଇ ପାରିଵ ?
ମୋର ପଶ୍ଚିମ ଓଡ଼ିଶାର ମହାପଣ୍ଡିତମାନଙ୍କୁ ପ୍ରଶ୍ନ
କେଉଁ ଵ୍ୟାକରଣ ନିୟମାନୁଯାୟୀ ଶବ୍ଦ ମଧ୍ୟରେ ହଳନ୍ତ ରଖାଯିଵ ?
ପଶ୍ଚିମ ଓଡ଼ିଶାର କିଛି ତଥାକଥିତ ମହାପଣ୍ଡିତ କହୁଛନ୍ତି ଆମେ ସେମିତି ଉଚ୍ଚାରଣ କରୁ ବୋଲି ହଳନ୍ତ ରଖିବୁ । ପୂର୍ଵାଞ୍ଚଳ, ମଧ୍ୟାଞ୍ଚଳ ଏମନ୍ତ କି ଦକ୍ଷିଣ ଓଡ଼ିଶାର କଥିତ ଭାଷାରେ ଏମିତି ଅନେକ ଶବ୍ଦର ମଧ୍ୟ ଭାଗରେ ହଳନ୍ତ ଉଚ୍ଚାରଣ ହେଵାର ଦେଖାଯାଏ କାଇଁ ସେମାନେ ତ ମଝିରେ ହଳନ୍ତ ଲଗେଇ ଲେଖୁନାହାନ୍ତି ? ସାରା ଭାରତରେ ଅନେକ ଭାଷାରେ ଵିଶେଷତଃ ହିନ୍ଦୀ ବେଲ୍ଟର ନାନା ଭାଷାରେ ଶବ୍ଦ ମଝିରେ ହଳନ୍ତ ଭଳି ଉଚ୍ଚାରଣ ରହିଛି କାଇଁ ସେମାନେ ବି ତ ଶବ୍ଦ ମଝିରେ ହଳନ୍ତ ଲଗାଉ ନାହାନ୍ତି? ପଶ୍ଚିମ ଓଡ଼ିଶାର ଲୋକଙ୍କର ଏମିତି କ'ଣ ହୋଇଯାଉଛି ଯେ ହଳନ୍ତ ଲଗାଯାଉଛି ?
ପ୍ରକୃତରେ କେତୋଟି ମୁଖ୍ୟ କାରଣ ଯୋଗୁଁ ପଶ୍ଚିମ ଓଡ଼ିଶାର ମହାପଣ୍ଡିତମାନେ ହଳନ୍ତ ଲଗାଉଛନ୍ତି...
(କ) ଓଡ଼ିଆ ଭାଷାଠାରୁ ସମ୍ବଲପୁରୀଟା ଗୋଟେ ଭିନ୍ନ ଭାଷା ଦର୍ଶାଇଵା ପାଇଁ
(ଖ) ଓଡ଼ିଆ ଭାଷାଠାରୁ ସମ୍ବଲପୁରୀଟା ଉଚ୍ଚାରଣ ଦୃଷ୍ଟିରୁ ଭିନ୍ନ ଦର୍ଶାଇଵା ପାଇଁ
(ଗ) ଦଶ ହଜାର ଵର୍ଷ ତଳ ମୂଳ ଭାରୋପୀୟ ଭାଷାର ଅକାରାନ୍ତ ଉଚ୍ଚାରଣ ଗୁଣକୁ ମାରି ସମ୍ବଲପୁରୀକୁ ହିନ୍ଦୀ ଭଳି ଅଶାସ୍ତ୍ରୀୟ ଭାଷା କରିଵା ପାଇଁ
(ଘ) ସମ୍ବଲପୁରୀଟା ହିନ୍ଦୀର ଉପଭାଷା ବୋଲି ଲୋକଙ୍କ ମନରେ ଵିଶ୍ଵାସ ଜନ୍ମାଇଵା ପାଇଁ
ଏହି ସବୁ କାରଣରୁ ସମ୍ବଲପୁରୀରେ ଲେଖାଗଲାବେଳେ ଅନାଵଶ୍ୟକ ଥାଇ ମଧ୍ୟ ଯୁକ୍ତାକ୍ଷର ପରିଵର୍ତ୍ତେ ତଥାକଥିତ ମହାପଣ୍ଡିତମାନେ ଅନୁସ୍ବାର ଓ ଚନ୍ଦ୍ରବିନ୍ଦୁ ପ୍ରୟୋଗ କରୁଛନ୍ତି ପୁଣି ଅଵର୍ଗ୍ୟ 'ଯ' ପରିଵର୍ତ୍ତେ ଅନେକ ଓଡ଼ିଆ ଭାଷା ମୂଳର ଶବ୍ଦରେ ଵର୍ଗ୍ୟ 'ଜ' ଲେଖୁଛନ୍ତି(ଯଥା ଯେମନ୍ତ > ଯେଉନ୍ତ > ଯେଉଁ ଓ ଯେନ୍ : ଏହାକୁ ଜାଣିଶୁଣି ଜେନ୍ ଲେଖାଯାଉଛି)
"ଘଇତା ମରୁ ପଛେ ସଉତୁଣୀ ରାଣ୍ଡ ହେଉ" ନ୍ୟାୟରେ ସମ୍ବଲପୁରୀଟା ଅଶାସ୍ତ୍ରୀୟ, ଅଵୈଜ୍ଞାନିକ ଓ ଅଵୈୟାକରଣିକ ହେଉ ପଛେ କିନ୍ତୁ ଓଡ଼ିଆ ଭାଷାଠାରୁ ଭିନ୍ନ ଭାଷା ବୋଲାଉ ବୋଲି କିଛି ଲୋକେ ସତେ ଯେମିତି ଶପଥ କରି ବସି ଯାଇଛନ୍ତି ।
କିନ୍ତୁ ଯେତେ ଯାହା କଲେ ବି ସମ୍ବଲପୁରୀ ଶୈଳୀର Morphology ତ ଓଡ଼ିଆ ,ତାକୁ କେମିତି ପରିଵର୍ତ୍ତିତ କରିବେ ?
ଆଗେ ସମ୍ବଲପୁରୀର 'ଦାଦା(ଭାଇ)' ଓ ଆଁଠି(ମଞ୍ଜି ;ବଙ୍ଗାଳୀରେ ଆଁଟି) ଭଳି କିଛି ଶବ୍ଦ ଦେଖି ବଙ୍ଗାଳୀମାନେ ସମ୍ବଲପୁରୀଟାକୁ ବଙ୍ଗଳାର ଉପଭାଷା ବୋଲି ପ୍ରଚାର କଲେ। ଏପଟେ ହିନ୍ଦୀବାଲା ବି ସମ୍ବଲପୁରୀଟା ହିନ୍ଦୀର ଉପଭାଷା ବୋଲି ପ୍ରଚାର କଲେ ଏଵଂ ଓଡ଼ିଆ ଲିପି ଛାଡ଼ି ଦେଵନାଗରୀ ଲିପିରେ ଲେଖିଵାକୁ ସ୍ଥାନୀୟ ଲୋକମାନଙ୍କୁ ପ୍ରଵର୍ତ୍ତାଇଲେ ।
ସମ୍ବଲପୁରୀକୁ ଚୋରାଇ ନେଵାକୁ ବଙ୍ଗାଳୀ ଓ ହିନ୍ଦିଆ ଭାଷାଵିଦମାନେ ଯୋର୍ ସୋର୍ରେ ଲାଗିପଡ଼ିଥିଲେ । ସେତେବେଳେ ଓଡ଼ିଆ ଭାଷା ମାତୃକା ନିଜ ସମ୍ବଲପୁରୀ କନ୍ୟାର ରକ୍ଷା କରିଥିଲେ । ସମ୍ବଲପୁରୀର Morphologyଟା ଓଡ଼ିଆ ଭାଷାର ବୋଲି ଜଣାପଡ଼ିଯିଵାରୁ ବଙ୍ଗାଳୀ ଓ ହିନ୍ଦିଆ ଭାଷାଵିଦମାନେ କାନ ମୁଣ୍ଡା ଆଉଁସି ରହିଗଲେ । ଓଡ଼ିଆ ଭାଷାକୁ ଶାସ୍ତ୍ରୀୟତା ମାନ୍ୟତା ମିଳିଲା ପରେ ଆପେ ଆପେ ଏହାର ସମ୍ବଲପୁରୀ ଓ ଦେଶିଆ ଭଳି ଶୈଳୀଗୁଡ଼ିକ ବି ଶାସ୍ତ୍ରୀୟ ହୋଇଗଲେ । ଯଦି ସମ୍ବଲପୁରିଆ ନିଜ ଭାଷାକୁ ଅଵୈଜ୍ଞାନିକ ଓ ଅଶାସ୍ତ୍ରୀୟ କଲେ ସେ ଭାଷା ଶୈଳୀଟି ଶ୍ରେଷ୍ଠ ହୋଇଯିଵ ବୋଲି ଭାବୁଛନ୍ତି ତାହେଲେ ତାଙ୍କର ସେଇ ଭାଵନାକୁ ଆଉ ତାଙ୍କ ଚାରି ଖୁରାକୁ ନମନ ରହିଵ ।
No comments:
Post a Comment