Wednesday, August 2, 2023

ଵିଷ୍ଣୁପଦ ଓ ଵିଷ୍ଣୁପଦୀ

“ଵିଷ୍ଣୁପଦୀ ଵିଷ୍ଣୁପଦ 'ଈ' କାର ଭେଦ ଶବଦ, ତରଣି(ଣୀ)ରେ ଗତାଗତ ତହୁଁ ଉଚିତ।
ଵିଶାରଦ ସେ ସାମନ୍ତ ମତରେ ଦାସ ସେଵିତ, ଡାକୁ ନ ଶୁଣନ୍ତେ ରଘୁନାଥ କଥିତ । 
ଵିଷଧର ପ୍ରାୟେକ ତୁହି,
ବେଳେ ନେତ୍ର ଢାଳି ଶୁଣ ଉଦାର ନୋହି ॥”

 ଏହା କଵିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କର କାଳଜୟୀ କୃତି, ‘ଵୈଦେହୀଶ ବିଳାସ’ର ନଵମ ଛାନ୍ଦର ପଦ। 

ମିଥିଳା ଯିଵା ପଥରେ ମହର୍ଷି ଵିଶ୍ଵାମିତ୍ରଙ୍କ ସହିତ ଶ୍ରୀରାମଚନ୍ଦ୍ର ଓ ଲକ୍ଷ୍ମଣ ଆସି ପହଞ୍ଚିଛନ୍ତି ପାପ, ତାପ ନାଶିନୀ ପୁଣ୍ୟତୋୟା ଭାଗ୍ରରଥୀ ତଟରେ। ଭରା ନଦୀ ପାର ହେଵା ପାଇଁ ଆଗରେ ତାଙ୍କର ନୌକା ଵା ଡଙ୍ଗା। କଵି ସୁସିଦ୍ଧ ସାହିତ୍ୟ ଶିଳ୍ପୀଙ୍କ ଆଳଙ୍କାରିକ ଚାତୁରିରେ କହୁଛନ୍ତି ଯେ ଵିଷ୍ଣୁପଦ ଅର୍ଥାତ୍ ଆକାଶ ଏଵଂ ଵିଷ୍ଣୁପଦୀ ଅର୍ଥାତ୍ ଗଙ୍ଗା ଏହି ଦୁଇଟି ଶବ୍ଦ ଭିତରେ ମାତ୍ର ‘ଈ’ କାର ଭେଦ । ଆଉ ଏ ଦୁହିଁଙ୍କ ମଧ୍ୟରେ ଅନ୍ୟ ଏକ ସାମ୍ୟ ‘ତରଣୀ’; ତରଣୀ ଅର୍ଥ ସୂର୍ଯ୍ୟ ଏଵଂ ତରଣୀ ଅର୍ଥ ନୌକା। ଆକାଶରେ ସୂର୍ଯ୍ୟ ଗତାଗତ ହୁଅନ୍ତି, ଆଉ ଗଙ୍ଗାରେ ନୌକା ହିଁ ଗତାଗତର ଏକମାତ୍ର ଉପାୟ ।

ଓଡ଼ିଶାର କିଛି ଵର୍ଣ୍ଣହତ୍ୟାକାରୀ କୁହନ୍ତି ଆମ ଲିପିରେ ଦୀର୍ଘ 'ଈ' ଓ ଦୀର୍ଘ 'ଊ'ର ଆଵଶ୍ୟକତା ନାହିଁ । ତେଣୁ କାଟି ଦେଲେ ଉତ୍ତମ ହେଵ । ଆଚ୍ଛା ଦୀର୍ଘ 'ଈ'କୁ କାଟି ଦେଲେ ପିଲାଏ କଵିସମ୍ରାଟଙ୍କର ପ୍ରୋକ୍ତ ପଦଟିକୁ ପଢ଼ି କ'ଣ ବୁଝିବେ ? 

ଦୀର୍ଘ 'ଈ' ତ ନଥିଵ ତରଣି ଓ ତରଣୀ ଏକାକାର ହୋଇ ଯାଇଥିଵ ଵିଷ୍ଣୁପଦୀକୁ ଵିଷ୍ଣୁପଦି ତ କେହି କେହି ଵିଷ୍ଣୁପଦ ଲେଖିବେ । ଏମନ୍ତ ହେଲେ ପ୍ରାଚୀନ ସାହିତ୍ୟକୁ ବୁଝିଵା ଆହୁରି କଷ୍ଟସାଧ୍ୟ ହୋଇଯିଵ ।

ଵିଷ୍ଣୁପଦ ଓ ଵିଷ୍ଣୁପଦୀ କ'ଣ? 

ଵିଷ୍ଣୁପଦର ଗୋଟିଏ ଅର୍ଥ ଆକାଶ ‌। ଵିଷ୍ଣୁ ଶବ୍ଦର ଏକ ଅର୍ଥ ଵ୍ୟାପକ ଏଵଂ ପଦର ଏକ ଅର୍ଥ ସ୍ଥାନ । ଯେ ସର୍ଵସ୍ଥାନକୁ ଵ୍ୟାପିଛନ୍ତି ସେ ଆକାଶ । ମତାନ୍ତରେ ଵିଷ୍ଣୁ ଵାମନ ଅଵତାରରେ ତାଙ୍କର ତୃତୀୟ ପାଦ ଯେଉଁଠାରେ ତାହା ଵିଷ୍ଣୁପଦ ଵା ଆକାଶ ଅଟେ । 
ସେହିପରି ଶୂନ୍ଯ(void)କୁ ମଧ୍ୟ ଵିଷ୍ଣୁପଦ କୁହାଯାଏ । କ୍ଷୀରୋଦ ସମୁଦ୍ର (ଏଥିମଧ୍ୟରେ ବୈକୁଣ୍ଠ ଅଵସ୍ଥିତ)ର ଏକ ନାମ ବି ଵିଷ୍ଣୁପଦ ଅଟେ । ପଦ୍ମରେ ଶ୍ରୀଵିଷ୍ଣୁ ନିଜର ପାଦ ରଖିଥିଵାରୁ ପଦ୍ମକୁ ମଧ୍ୟ ଵିଷ୍ଣୁପଦ କୁହାଯାଏ । 
ଗୟାରେ ଥିଵା ପ୍ରସ୍ତରରେ ଅଙ୍କିତ ଵିଷ୍ଣୁଙ୍କର ପାଦଚିହ୍ନ ଓ ପାଦଚିହ୍ନ ଥିଵା ମନ୍ଦିରକୁ ଵିଷ୍ଣୁପଦ କୁହାଯାଏ । 
କିନ୍ତୁ ଵିଷ୍ଣୁପଦୀର ଅର୍ଥ ଭିନ୍ନ । 
ଜ୍ୟୈଷ୍ଠ (ଵୃଷ), ଭାଦ୍ର (ସିଂହ), ମାର୍ଗଶିର (ବିଛା) ଓ ଫାଲ୍ଗୁନ (କୁମ୍ଭ) ମାସର ରବି ସଂକ୍ରମଣ ଦିଵସକୁ ଵିଷ୍ଣୁପଦୀ କୁହାଯାଏ । ଜ୍ୟୈଷ୍ଠମାସରେ ରଵି ମେଷ ରାଶିରୁ ଵୃଷ ରାଶିକୁ; ଭାଦ୍ରରେ କକଡ଼ାରୁ ସିଂହକୁ, ମାର୍ଗଶିରରେ ତୁଳରୁ ବିଛାକୁ ଓ ଫାଲ୍ଗୁନରେ ମକରରୁ କୁମ୍ଭକୁ ସଂକ୍ରମଣ କରନ୍ତି। ଏହି ଚାରୋଟି ସଂକ୍ରାନ୍ତିକୁ ଵିଷ୍ଣୁପଦୀ ସଂକ୍ରାନ୍ତି ବୋଲାଯାଏ।

ଗଙ୍ଗାନଦୀଙ୍କର ଏକ ନାମ ଵିଷ୍ଣୁପଦୀ । ପୁରାଣଗାଥା ଅନୁସାରେ ଗଙ୍ଗାନଦୀ ଵିଷ୍ଣୁଙ୍କ ପାଦରେ ନିଵାସ କରନ୍ତି । 

“ଭଵେ ଏହାଙ୍କର ନାମ ମହାନଦୀ।
ଉତ୍କଳଭୁବନେ ଏହି ଵିଷ୍ଣୁପଦୀ ॥”
(ରାଧାନାଥ. ନନ୍ଦିକେଶରୀ।)

ସେହିପରି ଵିଷୁଵରେଖା ସଙ୍ଗେ ଅୟନମଣ୍ଡଳର ସଂଯୋଗସ୍ଥଳ The vernal pointକୁ ମଧ୍ୟ ଆଗେ ଭାରତୀୟ ଶାସ୍ତ୍ରରେ ଵିଷ୍ଣୁପଦୀ ବୋଲା ଯାଇଅଛି । 

••••••••••••••••••••
©ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ 
©ଵୈଦେହୀଶ ଵିଳାସ(କଵି ସମ୍ରାଟ ଉପେନ୍ଦ୍ର ଭଞ୍ଜ)

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...