Saturday, August 5, 2023

ପୂର୍ଣ୍ଣଚନ୍ଦ୍ର ଭାଷାକୋଷର ମହତ୍ତ୍ଵ କେବେ ବୁଝିଵ ଓଡ଼ିଆ ଜାତି ?

ଶହେ ଵର୍ଷ ତଳେ ଯେତେବେଳେ ଆଜିଭଳି ଏତେ ଵୈଷୟିକ ଜ୍ଞାନର ଵୃଦ୍ଧି ଘଟିନଥିଲା ସେତେବେଳେ ଜଣେ ଲୋକ ନିଜର ଓକିଲାତି ପେଶାକୁ ଗୌଣକରି ଶବ୍ଦ ସଂଗ୍ରହ ନିଶା ପଛରେ ଦୌଡି଼ ଶହ ଶହ ଶବ୍ଦକୋଷ ତଥା ହଜାର ହଜାର ଗାଆଁ ଗଣ୍ଡା ବୁଲି ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଭଳି ଏକ ଵିଶାଳ ଜ୍ଞାନକୋଷ ସଂକଳନ କରିଵାରେ ସଫଳ ହୋଇଥିଲା । ଏହି କଥାଟି ଆଦୌ ଛୋଟିଆ କଥା ନୁହେଁ । ଆମ ସମାଜରେ ଵର୍ତ୍ତମାନକାଳରେ ହେଉଥିଵା ମହାନକାର୍ଯ୍ୟର କି ମହାନଵ୍ୟକ୍ତିଙ୍କୁ ତତ୍କାଳୀନ ସମ୍ମାନ ମିଳେନାହିଁ କିନ୍ତୁ ସମୟ ଗଡ଼ିଯିବା ସହ ସମାଜ ଉପଲବ୍ଧି କରେ ସେହି ମହାନାତ୍ମା ଓ ତାଙ୍କର କୃତିର ଉପାଦେୟତା । 

ସାତଖଣ୍ଡିଆ ଵିଶାଳ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ
ଯେତେବେଳେ ଲେଖାହୋଇ ଛପାଗଲା ସେହି ଦାମିକା ଗ୍ରନ୍ଥର ଓଡ଼ିଶାରେ ହାତଗଣତି କେତେ ଜଣ ଲୋକ ମାତ୍ର ଗ୍ରାହକ ଥିଲେ । ତେବେ ଓଡ଼ିଆ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ସଂକଳନ କରି ଶ୍ରୀଗୋପାଳ ଚନ୍ଦ୍ର ପ୍ରହରାଜ ମହାଶୟ ଯେତିକି ପ୍ରଶଂସା ପାଇଛନ୍ତି ତତୋଧିକ ସମାଲୋଚନା ଓ ନିନ୍ଦା ରୂପକ ଵିଷପାନ ମଧ୍ଯ କରିଅଛନ୍ତି ।ତତ୍କାଳୀନ ତଥାକଥିତ ଓଡ଼ିଆ ଵର୍ଣ୍ଣଵିଲୋପକାରୀ ଦଳ ତାଙ୍କ ଵିରୋଧରେ ନାନାଦି ସମାଲୋଚନା ମାନ ଲେଖି ଓଡ଼ିଆ ସାହିତ୍ୟକୁ ଋଦ୍ଧିମନ୍ତ କରିଅଛନ୍ତି । 

ଏଇ ଅନ୍ତର୍ଜାଲ ଓ କୃତ୍ରିମ ଉପଗ୍ରହର ଯୁଗରେ ସବୁ ତଥ୍ୟ ସହଜରେ ମିଳିଯାଏ ବୋଲି ଅନେକ ହୁଏତ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ପଛରେ ଲୁଚିରହିଥିଵା ସଂଘର୍ଷକୁ କେବେ ହୃଦୟଙ୍ଗମ କରିପାରିବେ ନାହିଁ। ଵିଭିନ୍ନ ଅଞ୍ଚଳରେ ବୁଲି ବୁଲି ପ୍ରଚଳିତ ଓଡ଼ିଆ ଭାଷାର ଵିଶାଳ ଶବ୍ଦଭଣ୍ଡାରକୁ ଏକାଠି କରି ତାକୁ ଗୋଟାଏ ଗ୍ରନ୍ଥ ଆକାର ଦେଵା ୧୦୦ ଵର୍ଷ ତଳେ କେତେ ବଡ଼ ଦୂରହ କାର୍ଯ୍ୟ ଥିଲା ତାହା ଏବେକାର ଭାଷାକୋଷ ନିନ୍ଦୁକ ଆଦୌ ଅନୁଭଵ କରିପାରନ୍ତି ନାହିଁ । ଭାଷାକୋଷର ସଂକଳନ ପାଇଁ ଶ୍ରୀ ଗୋପାଳ ଚନ୍ଦ୍ର ପ୍ରହରାଜ ଅନେକ ଲୋକଙ୍କୁ ହାତ ପତାଇଛନ୍ତି ତତ୍କାଳୀନ ଢେଙ୍କାନାଳ ରାଜାଙ୍କ ଭଳି ଅନେକ ଲୋକଙ୍କଠାରୁ ଏଥିପାଇଁ ଅପମାନିତ ମଧ୍ୟ ହୋଇଛନ୍ତି ତଥାପି ସେ ଏହି କାର୍ଯ୍ୟରୁ ନିଵୃତ ହୋଇନଥିଲେ । 

ହଁ ଓଡ଼ିଆ ଭାଷାର କୋଣାର୍କ ସଦୃଶ "ପୂର୍ଣ୍ଣଚନ୍ଦ୍ର ଭାଷାକୋଷ"ର ଅତୀତ ଵର୍ତ୍ତମାନ ଓ ଭଵିଷ୍ୟତ ବଡ଼ ସଂଘର୍ଷମୟ କହିଲେ ଅତ୍ୟୁକ୍ତି ହେଵନାହିଁ । 

ଶ୍ରୀଗୋପାଳ ଚନ୍ଦ୍ର ପ୍ରହରାଜ ଓ ତାଙ୍କର ଚାରିଜଣ ସହଯୋଗୀ ପଣ୍ଡିତ ଶ୍ରୀକୁଳମଣି ଦାଶ,ଶ୍ରୀମତି ପିତାମ୍ବରୀ ଦେଵୀ,ଶ୍ରୀ ଚନ୍ଦ୍ରଶେଖର ମିଶ୍ର ଓ ଶ୍ରୀରାମଚନ୍ଦ୍ର ରଥଙ୍କର ବହୁଵର୍ଷର ଅକ୍ଲାନ୍ତ ପରିଶ୍ରମ ପରେ ଯେତେବେଳେ ୧୯୩୧ ରୁ ୧୯୪୦ ମଧ୍ୟରେ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ପ୍ରକାଶିତ ହେଲା ତାହା ଅଳ୍ପ ଦିନ ମଧ୍ୟରେ ଵିଜ୍ଞଜନଙ୍କ ଦ୍ଵାରା ଆଦୃତ ହୋଇଯାଇଥିଲା ବେଳେ ଜ୍ଞାନ ଅପେକ୍ଷା ମାନ,ଧନ ଓ ସାଂସାରିକ ସୁଖ ସୁଵିଧା ପାଇଁ ଲାଳାୟିତ ସାଧାରଣ ଜନଙ୍କ ପାଇଁ ତଥାପି ଦୃଷ୍ପ୍ରାପ୍ୟ ହୋଇ ରହିଲା । ସାଧାରଣ ଲୋକେ ସେମିତି ବି ବଡ଼ ବଡ଼ ଗ୍ରନ୍ଥ ଦେଖିଲେ ହତୋତ୍ସାହିତ ହୋଇ ତାକୁ ପାଠ କରିଵାଟା ଦୁଷ୍କର ଓ ସମୟସାପେକ୍ଷ ଭାବି ପେଡି଼ରେ ସାଇତି ରଖିଦିଅନ୍ତି । 

ଭାଷାକୋଷ ପ୍ରକାଶନର କିଛି ଵର୍ଷ ପରେ ୧୯୪୫ରେ ପ୍ରହରାଜଙ୍କ ମୃତ୍ୟୁ(ହତ୍ୟା ?) ହେଲାରୁ କେହି ଏ ଗ୍ରନ୍ଥର ତତ୍ତ୍ୱ ନେଲେ ନାହିଁ ଏଵଂ ଏହା ପୁସ୍ତକାଗାରରେ ସହଜରେ ମିଳୁନଥିଲା । ଉତ୍କଳ ସାହିତ୍ୟ ପ୍ରେସ୍‌ରେ ଭାଷାକୋଷର ଛପା ଫର୍ମା ପଡି଼ରହିଥିଲା ଓ କେହି କେହି ଏହି ଅବନ୍ଧା କାଗଜକୁ ନେଇ ଠୁଙ୍ଗା କରୁଥିଲେ କିମ୍ଵା ବନ୍ଧାଇଵା ଉଦ୍ଦେଶ୍ୟରେ ଵିକ୍ରି କରୁଥିଲେ । 

ବହୁତ ଅଳ୍ପ ଲୋକ ଜାଣିଥିବେ 
ଷାଠିଏ ଦଶକରେ ଉତ୍କଳ ସାହିତ୍ୟ ପ୍ରେସ୍‌ର ତତ୍କାଳୀନ ସତ୍ତ୍ଵାଧିକାରୀ ଶ୍ରୀଵିଶ୍ଵନାଥ କରଙ୍କ ପୌତ୍ର ସୁନନ୍ଦ କର ଘର ଘର ବୁଲି ପୂର୍ଣ୍ଣଚନ୍ଦ୍ର ଭାଷାକୋଷର ସେହି ଅବନ୍ଧା ଅଵୟଵକୁ ଵିକ୍ରି କରିବାକୁ ଚେଷ୍ଟା କରିଥିଲେ । ତଥାପି ଭାଷାକୋଷ ବହୁଦିନ ଯାଏଁ ଓଡ଼ିଶାର ଗୌରଵ କଳାର କୋଣାର୍କ ପରି ପଡି଼ରହିଥିଲା ।

ଶେଷରେ ଲାର୍କ ବୁକ୍ସ ଟ୍ରଷ୍ଟ ଦ୍ଵାରା ଏହାକୁ ଗ୍ରନ୍ଥାକାରରେ ଏବଂ ଇ-ସଂସ୍କରଣ ଆକାରରେ ସୃଜନିକା ସଂଗଠନ ଦ୍ଵାରା ଛପାଗଲା । ଫଳରେ ମୁର୍ମୂଷୁ ପ୍ରାୟ ପଡି଼ରହିଥିଵା ଧୂଳିଧୂସରିତ
ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ପୁର୍ନଃଜୀଵନ ଲାଭ କଲା ।

 ଓଡ଼ିଆ ଭାଷାର ଏହି ଅମୂଲ୍ୟ ଗ୍ରନ୍ଥଟିକୁ ଏଵଂ ଏହିଭଳି ଅନେକ ପ୍ରାଚୀନ ପୁସ୍ତକ ଗୁଡି଼କୁ ଉଦ୍ଧାର କରିଥିବା ହେତୁରୁ ଏ ଅକିଞ୍ଚନ ଅନୁଷ୍ଠାନର ଶ୍ରୀ ମହେନ୍ଦ୍ର ମିଶ୍ର,ଶ୍ରୀ ନିଖିଳ ମୋହନ ପଟ୍ଟନାୟକ ତଥା ତାଙ୍କର ଅନ୍ୟ ସହଯୋଗୀମାନଙ୍କୁ ସସମ୍ମାନ ଧନ୍ୟଵାଦ ଜ୍ଞାପନ କରୁଅଛି ।

 ପୂର୍ଣ୍ଣଚନ୍ଦ୍ର ଭାଷାକୋଷ କୌଣସି ସାଧାରଣ ଶବ୍ଦକୋଷ ନୁହେଁ । ପୂର୍ଣ୍ଣଚନ୍ଦ୍ର ଭାଷାକୋଷ କେଵଳ ଏକdictionary ନୁହେଁ ଏହା ଏକ Lexicon ଅଥଵା ଵିଶ୍ଵକୋଷ(encyclopedia) ମଧ୍ୟ !

 Dictionaryରେ କୌଣସି ଏକ ଵା ଏକାଧିକ ଭାଷାର ଶବ୍ଦ ସୂଚୀ କେଵଳ ରହିଥାଏ କିନ୍ତୁ Lexiconରେ କୌଣସି ଏକ ଭାଷାରେ ଗୋଟିଏ ଶବ୍ଦର ଅର୍ଥ ସହିତ ତହିଁର ପ୍ରୟୋଗ ଓ ନିରୁକ୍ତି ଆଦି ଉଲ୍ଲେଖ କରାଯାଇଥାଏ । ପୁଣି ଭାଷାକୋଷରେ ଵିଶ୍ଵକୋଷ ଭଳି ଉତ୍କଳ,ଭାରତ ତଥା ଵିଶ୍ଵର ଅନେକ ତଥ୍ୟ ମଧ୍ୟ ଅନେକ ଶବ୍ଦ ତଳେ ଦ୍ରଷ୍ଟଵ୍ୟ ଆକାରରେ ପ୍ରଦତ୍ତ ହୋଇଛି । ସେଥିପାଇଁ ଓଡ଼ିଶାର ଏହି ଶବ୍ଦକୋଣାର୍କକୁ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ କୁହାଯାଇଛି ପୂର୍ଣ୍ଣଚନ୍ଦ୍ର ଶବ୍ଦକୋଷ ନୁହେଁ । 

ପୂର୍ଣ୍ଣଚନ୍ଦ୍ର ଭାଷାକୋଷର ଅନେକ ଵିଶେଷତ୍ଵ ରହିଛି ଯାହା ଆଧୁନିକ ସାଧାରଣ ଅଭିଧାନ ଵା ଶବ୍ଦକୋଷରେ କ୍ଵଚିତ୍ ଦେଖିଵାକୁ ମିଳେ । 

ଭାଷାକୋଷରେ ଅଧିକାଂଶ ଓଡ଼ିଆ ଶବ୍ଦର
ହିନ୍ଦୀ ଓ ବଙ୍ଗାଳୀ synonym ଯଥାକ୍ରମେ ଦେଵନାଗରୀ ଓ କାମରୂପୀ ଲିପିରେ ଲେଖାଯାଇଛି । କେତେକଓଡ଼ିଆ ଶବ୍ଦର ତେଲୁଗୁ, ତାମିଲ ,ମରାଠୀ ଗୁଜରାଟୀ ଓ କ୍ଵଚିତ୍ ଅହମିଆ ପ୍ରତିଶବ୍ଦ ମଧ୍ୟ ଦିଆଯାଇଛି ।‌ ଗଛ ଓ ଜୀଵଙ୍କର ଵୈଜ୍ଞାନିକ ଲାଟିନ୍ 
ନାମ ଦିଆଯାଇଛି । ଅଧିକାଂଶ ଓଡ଼ିଆ ଶବ୍ଦର ଵ୍ୟୁତ୍ପତ୍ତି ମୂଳ ଦିଆଯାଇଛି। ଅଧିକାଂଶ ସଂସ୍କୃତ ଶବ୍ଦର ନିରୁକ୍ତି ପ୍ରଦାନ କରାଯାଇଛି । ଅନେକ ଶବ୍ଦ ସମ୍ବନ୍ଧରେ ଵିସ୍ତୃତ ଵର୍ଣ୍ଣନା କରାଯାଇଛି ।‌ ଅନେକ ସଂସ୍କୃତ ଶବ୍ଦର ଦୁଇ ଵା ତତୋଽଧିକ ପର୍ଯ୍ୟାୟଵାଚୀ ଶବ୍ଦର ଉଲ୍ଲେଖ କରାଯାଇଛି । ଅଧିକାଂଶ ଶବ୍ଦ ତଳେ ଉକ୍ତ ଶବ୍ଦର ସାହିତ୍ୟରେ ପ୍ରୟୋଗର ଉଦାହରଣ ଦିଆଯାଇଛି । କେତେକ ଶବ୍ଦର କେମିତି ଵାକ୍ୟଗଠନ କରି ପ୍ରୟୋଗ କରାଯାଏ ତାହା ମଧ୍ୟ ଉଲ୍ଲେଖ କରାଯାଇଛି । କୌଣସି କୌଣସି ଶବ୍ଦ ତଳେ ସେହି ଶବ୍ଦର ପ୍ରୟୋଗ କେମିତି ପ୍ରଵଚନ,ଢଗଢମାଳି,ପ୍ରହେଳିକା ଆଦିରେ ହୋଇଛି ତାହା ମଧ୍ୟ ଦର୍ଶାଯାଇଛି ।
କେତୋଟି ଓଡ଼ିଆ ଲୋକକଥା ଓ କିଂଵଦନ୍ତୀ ମଧ୍ୟ ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ସ୍ଥାନ ପାଇଛି । ଜଣେ ଜଣେ ମହାପୁରୁଷଙ୍କ ସଂକ୍ଷିପ୍ତ ଓ କେତେକଙ୍କ ଵିସ୍ତୃମ ଜୀଵନୀ ମଧ୍ୟ ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ସ୍ଥାନ ଲଭିଛି । ହଜାର ହଜାର ସମ୍ବଲପୁରୀ,କଟକୀ,
ଗଞ୍ଜାମୀ,ଯାଜପୁରୀ,ଦେଶିଆ, ବାଲେଶ୍ଵରୀ ଶବ୍ଦ ମଧ୍ୟ ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ସ୍ଥାନ ପାଇଛି । ମୋଟ ଉପରେ କହିଵାକୁ ଗଲେ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ହେଉଛି ଓଡ଼ିଆ ତଥା ଓଡ଼ିଶା ଵିଷୟରେ ଜାଣିଵାକୁ ଚାହୁଁଥିଵା ଲୋକ ତଥା ଗଵେଷକମାନଙ୍କ ପାଇଁ ଏକ ଅମୂଲ୍ୟ ସମ୍ପଦ । ତେଣୁ ଏଭଳି ତଥ୍ୟପୂର୍ଣ୍ଣ କୋଷକୁ କେଵଳ ଜ୍ଞାନକୋଷ ଵା encyclopaedia ବି ଅଭିହିତ କରାଯାଇପାରେ । 

ଯେଉଁମାନେ ଓଡ଼ିଆ ଭାଷାକୁ ଜାଣିଵାକୁ ଚାହୁଁଛନ୍ତି , ଯେଉଁମାନେ ଉତ୍କଳୀୟ ସଂସ୍କୃତି ସହିତ ପରିଚିତ ହେଵାକୁ ଚାହୁଁଛନ୍ତି ,ଯେଉଁମାନେ ଓଡ଼ିଆ ଜାତିକୁ ଭଲ ଭାବରେ ଜାଣିଵାକୁ ଚାହୁଁଛନ୍ତି ଏଵଂ ଯେଉଁମାନେ ଅନିସନ୍ଧିତ୍ସୁ ଵା ଗଵେଷକ ସେହିମାନେ ନିଶ୍ଚୟ ପୂର୍ଣ୍ଣଚନ୍ଦ୍ର ଭାଷାକୋଷର ମହତ୍ତ୍ଵ କ'ଣ ତାହା ହୃଦୟଙ୍ଗମ କରିଥିବେ ।

ଜଣେ ଗଵେଷକ ପାଇଁ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଅମୂଲ୍ୟ ସମ୍ପଦ । ବଡ଼ ମନ ଯାହାର ସେ ବଡ଼ କାମ କରେ । ଶ୍ରୀ ଗୋପାଳ ଚନ୍ଦ୍ର ପ୍ରହରାଜ ବଡ଼ କାମଟିଏ କରିଯାଇଛନ୍ତି । ଗୁଜରାଟର ଭଗୋବତ୍ ମଣ୍ଡଳ ଅଭିଧାନ ହେଉ କି ହିନ୍ଦୀ ଶବ୍ଦ ସାଗର ଵା ତାମିଳ ଲେକ୍ସିକନ୍ ତତ୍କାଳୀନ ସମୟରେ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ସବୁ ଭାଷାକୋଷ ମଧ୍ୟରେ ଶ୍ରେଷ୍ଠ ପରିଗଣିତ ହେଉଥିଲା ଏଵଂ ଓଡ଼ିଶାରେ ଓଡ଼ିଆ ଭାଷାରେ ଅନେକ ଶବ୍ଦକୋଷ ସଂକଳିତ ହୋଇଥିଲେ ହେଁ ପୂର୍ଣ୍ଣଚନ୍ଦ୍ର ପରି ଏହାର ପୂର୍ଣ୍ଣାଙ୍ଗ ସ୍ଵୟଂ ସମ୍ପୂର୍ଣ୍ଣ ସମସ୍ତ ଗୁଣ ଥିଲା ଭଳି କୌଣସି ଶବ୍ଦକୋଷ ଵା ଭାଷାକୋଷ କେଉଁଠି ଦୃଶ୍ୟ ହୁଏନାହିଁ । 

ପ୍ରହରାଜଙ୍କର ଦୁର୍ଭାଗ୍ୟ ସେ ଏହିପରି ଏକ ଜ୍ଞାନକୋଷ ଵା encyclopaedia ଓଡ଼ିଆ ଭାଷାରେ କଲେ ଯଦି ହିନ୍ଦୀ କି ବଙ୍ଗାଳୀରେ ସେ ଏହି କାମ କରିଥାନ୍ତେ ତେବେ ହିନ୍ଦିଆ ଓ ବଙ୍ଗାଳୀ ତାଙ୍କୁ ଏଇଲେଁ ମୁଣ୍ଡରେ ବସେଇ ବୁଲୁଥାନ୍ତେ !

ଆମ ଓଡ଼ିଆ ଜାତି, ଶବ୍ଦଗୁରୁ ଶ୍ରୀଗୋପାଳ ଚନ୍ଦ୍ର ପ୍ରହରାଜ ଓ ତାଙ୍କର ଶବ୍ଦକୋଣାର୍କ ପୂର୍ଣ୍ଣଚନ୍ଦ୍ର ଭାଷାକୋଷର ମହତ୍ଵ ଆଉ କେତେ ଶହ ଵର୍ଷ ଅତିଵାହିତ ହେଲାପରେ ହୃଦୟଙ୍ଗମ କରିଵ ?


No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...