Tuesday, August 8, 2023

•ଭାଷାରେ ଶବ୍ଦ ଵିସ୍ଥାପନ ପ୍ରକ୍ରିୟାର କୁପରିଣାମ•

ଗୋଟିଏ ଭାଷାର ମୂଳ ଶବ୍ଦ ଲୋପ ପାଇ ତା ସ୍ଥାନରେ ଅନ୍ୟ ଭାଷାର ସମାର୍ଥକ ଶବ୍ଦ ଵ୍ୟଵହାର କରାଯିଵା ପ୍ରକ୍ରିୟାକୁ ଶବ୍ଦ ଵିସ୍ଥାପନ ପ୍ରକ୍ରିୟା କୁହାଯାଏ । ଭାଷାରେ ଶବ୍ଦ ଵିସ୍ଥାପନ ପ୍ରକ୍ରିୟା ଯୋଗୁଁ ଅନେକ ଦେଶୀୟ ଶବ୍ଦ ମରିଯାଏ ଏଵଂ ତାହା ସ୍ଥାନରେ ଅନ୍ୟ ଭାଷାରୁ ନୂତନ ଶବ୍ଦ ଆସି ପ୍ରଚଳିତ ହୋଇଥାଏ । ପଣ ପଣ ଲାଟିନ ଶବ୍ଦ ଗ୍ରହଣ ଯୋଗୁଁ ଇଂରାଜୀ ଭାଷାର ଅଶି ଭାଗ ଜର୍ମାନୀୟ ମୂଳର ଶବ୍ଦ ଏହି ପ୍ରକ୍ରିୟାରେ ମରି ସାରିଛି । ଲାଟିନ ଓ ଇଂରାଜୀ ଉଭୟ ଭାରୋପୀୟ ଭାଷା କିନ୍ତୁ ଭିନ୍ନ ଭିନ୍ନ ଭାଷା ଶାଖାର ଅନ୍ତର୍ଗତ। ଯେମିତି ଭାରତର ଵୈଜ୍ଞାନିକ ଭାଷା ସଂସ୍କୃତ ଠିକ୍ ସେହିପରି ୟୁରୋପର ଵୈଜ୍ଞାନିକ ଭାଷା ଲାଟିନ୍ । ଯେମିତି ଭାରତରେ ଅନେକ ଭାଷାରେ ସଂସ୍କୃତ ଶବ୍ଦ ଅଛି ଠିକ୍ ସେହିପରି ୟୁରୋପର ଅନେକ ଭାଷାରେ ଲାଟିନ ଶବ୍ଦ ଗୃହୀତ ହୋଇଛି। ତେବେ ଓଡ଼ିଆ ଓ ସଂସ୍କୃତ ଉଭୟ ଆର୍ଯ୍ୟଭାଷା ଶାଖାରେ ଥିଲାବେଳେ ଇଂରାଜୀ ଓ ଲାଟିନ୍ ଯଥାକ୍ରମେ ଜର୍ମାନିକ୍ ଓ ହେଲେନିକ୍ ଭାଷାଶାଖାର ଭାଷା ଅଟେ ‌।

ଇଂରାଜୀ ଭାଷାରେ ଶବ୍ଦ ଵିସ୍ଥାପନର ଅନେକ ଉଦାହରଣ ରହିଛି । ଉଦାହରଣ ସ୍ୱରୂପ ପ୍ରାଚୀନ ଫ୍ରେଞ୍ଚ୍ aage ଶବ୍ଦଟି ଵୟସ ଅର୍ଥରେ ଇଂରାଜୀ ଭାଷାରେ ପ୍ରଚଳିତ ହେଵାରୁ ସମାର୍ଥକ ପ୍ରାଚୀନ ଇଂରାଜୀ ଶବ୍ଦ ieldu,aldor, ealdor ଓ aldhād ଲୋପ ପାଇଗଲା । ପ୍ରାଚୀନ ଇଂରାଜୀ ଭାଷାରେ ପଵନକୁ lyft କୁହାଯାଉଥିଲା କିନ୍ତୁ ପ୍ରାଚୀନ ଫ୍ରେଞ୍ଚ୍ ଭାଷାର aire ଶବ୍ଦଟି air ରୂପେ ଇଂରାଜୀ ଭାଷାରେ ପ୍ରଚଳିତ ହେଵାରୁ lyft ଶବ୍ଦ ହଜିଗଲା । ଇଗଲ ପକ୍ଷୀକୁ ଆଗେ ଇଂରେଜମାନେ earn କହୁଥିଲେ କିନ୍ତୁ ପ୍ରାଚୀନ ଫ୍ରେଞ୍ଚ୍ aigle ଶବ୍ଦ ଵ୍ୟଵହାର ଯୋଗୁଁ ଏହି ମୂଳ ଶବ୍ଦ ଆଉ ଚଳୁନାହିଁ ।‌
ଆମ ଭାଷାରେ ମଧ୍ୟ ଏହିଭଳି କେତେକ ଦେଶୀୟ ଶବ୍ଦଗୁଡି଼କ ଏହି “ଶବ୍ଦ ଵିସ୍ଥାପନ ପ୍ରକ୍ରିୟା” ଯୋଗୁଁ ମାନକ ଓଡ଼ିଆ ଭାଷାରୁ ଦୂରେଇ ଯାଇଛି । ଉଦାହରଣ ସ୍ୱରୂପ ଓଡ଼ିଶାରେ ଲୋକେ ଲୋଡ଼ା କହୁଥିଲେ ତାପରେ ଵୈଦେଶିକ ଜରୁରୀ ଓ ଦରକାର ଚଳିଲା ଏଵଂ ଆଵଶ୍ୟକ ଶବ୍ଦ ବି ଵ୍ୟଵହାର କରାଗଲା ଫଳରେ ଲୋଡ଼ା ଶବ୍ଦର ଵ୍ୟଵହାର ସୀମିତ ହୋଇଗଲା । ଖୋଜିଵା ଓ ଅନ୍ଵେଷଣ ଶବ୍ଦର ପ୍ରୟୋଗ ଭିତରେ ଦେଶଜ ଓଡ଼ିଆ ଉଣ୍ଡିଵା ଶବ୍ଦଟି ଅଣନିଃଶ୍ବାସୀ ହୋଇ ମୃତ୍ୟୁମୁଖରେ ପଡ଼ିଗଲା । ଵୈଦେଶିକ ଖୁସି ଶବ୍ଦର ବହୁଳ ଵ୍ୟଵହାର ଯୋଗୁଁ ଓଡ଼ିଆ ଭାଷାର ପ୍ରାଚୀନ ଉଷତ ଶବ୍ଦଟି କଥିତ ଓ ଲିଖିତ ଭାଷାରୁ ଦୂରେଇ ଗଲା । ଓଡ଼ିଆ ଭାଷାରେ ଆଗେ ପାରିଧି କରିଵା ଓ ବେଣ୍ଟ କରିଵା ଶବ୍ଦ ପ୍ରୟୋଗ କରାଯାଉଥିଲା ପୁଣି ଆଖେଟ ଓ ମୃଗୟା ଭଳି ତତ୍ସମ ଶବ୍ଦ ମଧ୍ୟ ଵ୍ୟଵହାର କରାଯାଉଥିଲା କିନ୍ତୁ ଵୈଦେଶିକ ଶିକାର କରିଵା ଶବ୍ଦ ପ୍ରୟୋଗ ଯୋଗୁଁ ଏ ଦେଶୀୟ ଶବ୍ଦଗୁଡି଼କ ଅପ୍ରଚଳିତ ହୋଇଯାଇଛି । ଏହିପରି ଆହୁରି ଅନେକ ଉଦାହରଣ ରହିଛି। 

କୌଣସି ଭାଷାରେ ମାତ୍ରାଧିକ ଶବ୍ଦ ଵିସ୍ଥାପନ ଘଟିଲେ ସେ ଭାଷା ନିଜର‌ ମୂଳ ସ୍ଵରୂପ ହରାଇଦିଏ । ସିନୋ ତିବତ୍ତୀୟ ମାଣ୍ଡାରିନ ଭାଷାରୁ ଅନେକାନେକ ଶବ୍ଦ ଗ୍ରହଣ କରି ଆଷ୍ଟ୍ରୋଏସୀୟ ଭାଷାପରିଵାରର ଭାଷା ଭିଏତନାମୀର ପ୍ରାଚୀନ ରୂପ ହିଁ ବଦଳି ଯାଇଛି । ଏବେ ଭାଷାଵିଦମାନଙ୍କ ମଧ୍ୟରେ ଭୀଏତନାମୀ ଏକ ସିନୋ ତିବତ୍ତୀୟ କି ଆଷ୍ଟ୍ରୋଏସୀୟ ଭାଷା ଏହାକୁ ନେଇ ଵିଵାଦ ଛିଣ୍ଡିପାରୁନାହିଁ । ଅଵଶ୍ୟ ସଗୋତ୍ରୀୟ ଶବ୍ଦ ଗ୍ରହଣ କଲେ ତଥାପି ଭାଷାର ସ୍ଵରୂପ ବଞ୍ଚିରହେ କିନ୍ତୁ ଅଗୋତ୍ରୀୟ ଶବ୍ଦ ଗ୍ରହଣ କଲେ ପର ଭାଷାର ଶବ୍ଦ ଓ ଗୁଣ ଗୋଟିଏ ଭାଷାକୁ ଅଵୈଜ୍ଞାନିକ ତଥା ଅଶାସ୍ତ୍ରୀୟ କରିଦିଏ । ହିନ୍ଦୀଭାଷା ଏକ ଭାରୋପୀୟ ଭାଷା ହୋଇ ମଧ୍ୟ ଏଥିରେ ସହସ୍ର ସହସ୍ର ଆରବୀ ପାର୍ସୀ ଓ ତୁର୍କ ଶବ୍ଦ ମିଶ୍ରଣ ଯୋଗୁଁ ସେ ଭାଷାରେ ଗୋଟିଏ ପଦରେ ତିନିରୁ ଅଧିକ ଵୈଦେଶିକ ଶବ୍ଦ ଥିଵା ଦୃଶ୍ୟ ହେଉଥାଏ । ଆଜି ହିନ୍ଦୀକୁ ଵିନା ଵୈଦେଶିକ ଶବ୍ଦ ଵ୍ୟଵହାରରେ ଲେଖିଲେ ହିନ୍ଦୀଭାଷୀ ଲୋକଙ୍କୁ ତାହା ଶୁଣିଵାକୁ ଭଲ ଲାଗୁନାହିଁ । ଵୈଦେଶିକ ଶବ୍ଦମୟ ହୋଇଯିଵାରୁ ହିନ୍ଦୀଭାଷା କେବେହେଲେ ବି ଗୋଟିଏ ଶାସ୍ତ୍ରୀୟ ଭାଷା ହୋଇପାରିଵ ନାହିଁ । ଶବ୍ଦ ଵିସ୍ଥାପନ ପ୍ରକ୍ରିୟା ଵିଭିନ୍ନ କାରଣରୁ ହୋଇଥାଏ ତେବେ ତନ୍ମଧ୍ୟରେ ମୁଖ୍ୟ କାରଣଗୁଡ଼ିକ ହେଲା ଗୋଟିଏ ଜାତି ଦ୍ଵାରା ଆଉ ଏକ ଜାତି ପରାଧୀନ ହୋଇ ଶାସକ ଗୋଷ୍ଠୀର ଭାଷା ଶିଖିଵାକୁ ଵାଧ୍ୟ ହେଵା, ଵୈଦେଶିକ ସଂସ୍କୃତି ଓ ଧର୍ମ ଦ୍ଵାରା ପ୍ରଭାଵିତ ହୋଇ ନିଜ ସଂସ୍କୃତି ଓ ଧର୍ମକୁ ତ୍ୟାଗ କରିଵା ଏଵଂ ଗୋଟିଏ ମାନଵଜାତି ଏକ ସ୍ଥାନକୁ ତ୍ୟାଗ କରି ଅନ୍ୟତ୍ର ଵିସ୍ଥାପିତ ହେଲେ ମଧ୍ୟ ଭାଷାରେ ଶବ୍ଦ ଵିସ୍ଥାପନ ହୋଇଯାଏ । ନଅଶହ ଵର୍ଷ ଧରି ଵିଦେଶୀ ଶକ୍ତିମାନଙ୍କ ଦ୍ଵାରା ଶାସିତ ହେଵାରୁ ଉତ୍ତର ଭାରତର ଭାଷାଗୁଡି଼କ ଵୈଦେଶିକ ଶବ୍ଦମୟ ହୋଇଯାଇଛି ।‌ ପାରସ୍ୟଵାସୀ ଵୈଦେଶିକ ଧର୍ମ ଓ ସଂସ୍କୃତି ଗ୍ରହଣ କରିଵାରୁ ସେମାନଙ୍କ ପାର୍ସୀ ଭାଷାରେ ଅନେକ ଵିଦେଶୀ ଶବ୍ଦ ମିଶିଯିଵା ସହିତ ସହସ୍ର ସହସ୍ର ମୂଳ ସାଂସ୍କୃତିକ ଶବ୍ଦ ମଧ୍ୟ ଲୋପ ପାଇଛି । ଇଂରେଜ ଜାତି ମଧ୍ୟ ପୂର୍ଵେ ଫ୍ରେଞ୍ଚ୍ ଶାସନାଧୀନ ହୋଇଥିଵାରୁ ସେମାନଙ୍କ ଭାଷାର ଅନେକ ମୂଳ ଶବ୍ଦ ଲୋପ ପାଇଛି । ଶବ୍ଦ ଵିସ୍ଥାପନ ପ୍ରକ୍ରିୟା ଯୋଗୁଁ ଵୈଦେଶିକ ଶବ୍ଦ ଯୋଗୁଁ କଳୁଷିତ ହୋଇଯାଇଥିଵା ଭାଷାଗୁଡି଼କ ଵିଦେଶୀ ଶବ୍ଦ ଓ ଭାଷା ଦ୍ଵାରା ଅଳ୍ପ ପ୍ରଭାଵିତ ଶାସ୍ତ୍ରୀୟ ଭାଷା ପାଇଁ ଵିପଦଜ୍ଜନକ। ଏଭଳି କୌଣସି ଵୈଦେଶିକ ଶବ୍ଦ କଳୁଷିତ ଭାଷାଦ୍ଵାରା ଶାସ୍ତ୍ରୀୟ ଭାଷା ବୋଲୁଥିଵା ମାନଵଜାତି ପ୍ରଭାଵିତ ହେଲେ ସେମାନଙ୍କର ଭାଷା ମଧ୍ୟ କ୍ରମଶଃ ନିଜର ମୂଳ ଶବ୍ଦଗୁଡି଼କୁ ହରାଇ ଅଶାସ୍ତ୍ରୀୟ ହୋଇଯାଏ । ଆଜି ଓଡ଼ିଶାର ଲୋକେ ଵୈଦେଶିକ ଶବ୍ଦମୟ ହିନ୍ଦୀଭାଷାର ଚଳଚ୍ଚିତ୍ର ଓ ଗୀତ ଦେଖି ଶୁଣି ଏ ଭାଷାର ଅନେକ ଅଗୋତ୍ରୀୟ ଶବ୍ଦକୁ ଓଡ଼ିଆ ଭାଷାରେ ପ୍ରୟୋଗ କରିଵା ଆରମ୍ଭ କରିଛନ୍ତି ଯାହା ଓଡ଼ିଆ ଭାଷା ପାଇଁ କ୍ଷତିକାରକ । 
 
ସଂସ୍କୃତ ମୂଳର ସଗୋତ୍ରୀୟ ଶବ୍ଦ ଵ୍ୟଵହାର କଲେ ଓଡ଼ିଆ ଭାଷାର ମୂଳ ସ୍ଵରୂପ ବଞ୍ଚିରହିଵ । ଆଗେ ବି ଆମ ପୂର୍ଵଜ ଵୈଦେଶିକ ଶବ୍ଦ ପ୍ରୟୋଗକୁ ପ୍ରତିହତ କରିଵା ପାଇଁ ଓଡ଼ିଆ ଭାଷାର ପ୍ରାଚୀନ ସାହିତ୍ୟରେ ସଂସ୍କୃତ ଭାଷାର ଶବ୍ଦକୁ ଅଧିକ ମହତ୍ତ୍ଵ ଦେଇଥିଲେ । ଫଳତଃ ପ୍ରାଚୀନ କଵିମାନେ ଯେଉଁ ସଂସ୍କୃତନିଷ୍ଠ ସାହିତ୍ୟର ପରମ୍ପରା ଆରମ୍ଭ କରିଥିଲେ ତାହା ଏଯାଵତ୍ ଓଡ଼ିଶାର କଵିକୁଳ ବଞ୍ଚାଇ ରଖିଛନ୍ତି । ଶବ୍ଦ ଵିସ୍ଥାପନ ପ୍ରକ୍ରିୟା ଗୋଟିଏ ଜାତିର ପରାଧୀନତାର ପ୍ରମାଣ। ଓଡ଼ିଶାଵାସୀ ଭାରତରେ ଵୈଦେଶିକ ଶକ୍ତିମାନଙ୍କ ଦ୍ଵାରା ସବୁଠାରୁ ଅଳ୍ପ ସମୟକାଳ ପାଇଁ ପରାଧୀନ ଥିଵାରୁ ତଥା ଆମ ଭାଷାରେ ସଂସ୍କୃତନିଷ୍ଠ ସାହିତ୍ୟ ସର୍ଜନାର ପରମ୍ପରା ରହିଥିଵାରୁ ଓଡ଼ିଆ ଭାଷା ଆଜି ବି କଳୁଷିତ ନହୋଇ ବଞ୍ଚି ରହିଛି ‌। କିନ୍ତୁ ଵର୍ତ୍ତମାନର ରାଜନୈତିକ ଆର୍ଥିକ ଓ ସାଂସ୍କୃତିକ ଭାବେ ପରାଧୀନ କଳିଙ୍ଗୀଵାସୀ କେଵଳ ଚମକ ସୃଷ୍ଟି ପାଇଁ ଵୈଦେଶିକ ଶବ୍ଦ ପ୍ରୟୋଗ କରି ନିଜ ଭାଷାକୁ ଦିନୁଁ ଦିନ କଳୁଷିତ କରିଚାଲିଛନ୍ତି । 
ଯଦି ଏହି ପ୍ରକ୍ରିୟା ଏହିପରି ଲାଗିରହେ ତେବେ ଭଵିଷ୍ୟତରେ ଓଡ଼ିଆ ଭାଷା ନିଜର ଶାସ୍ତ୍ରୀୟ ଗୁଣ ହରାଇ ବସିଵ । ଆମ ପ୍ରାଚୀନ ପୂର୍ଵଜ ଯେମିତି ଵୈଦେଶିକ ଶବ୍ଦକୁ ପ୍ରତିହତ କରିଵା ପାଇଁ ସଗୋତ୍ରୀୟ ସଂସ୍କୃତ ଭାଷାକୁ ଢାଲ ଭାବେ ଗ୍ରହଣ କରିଥିଲେ ଆମକୁ ମଧ୍ୟ ତହିଁର ସେହିଭଳି ଉପଯୋଗ କରିଵାକୁ ହେଵ ଅନ୍ୟଥା “ମିଛ ଭାଷା ସମୃଦ୍ଧି” ମାୟାରେ ଓଡ଼ିଆ ଭାଷା ବି ହିନ୍ଦୀ, ଇଂରାଜୀ ଓ ପାର୍ସୀ ଭଳି କଳୁଷିତ ହୋଇଯିଵ। ଶବ୍ଦ ଵିସ୍ଥାପନ ପ୍ରକ୍ରିୟା ଯୋଗୁଁ ହୁଏତ ଗୋଟିଏ ଭାଷା ବଞ୍ଚିଯାଇପାରେ ଏମନ୍ତକି ଵିଶ୍ଵଭାଷା ବି ହୋଇଥାଇପାରେ କିନ୍ତୁ ଏଥିପାଇଁ ଉକ୍ତ ଭାଷାକୁ ନିଜର ଵୈଜ୍ଞାନିକତା ଓ ଶାସ୍ତ୍ରୀୟତା ହରାଇଵାକୁ ବି ପଡ଼ିଥାଏ ‌। ନିଜର ମୂଳ ସ୍ଵରୂପ ଓ ମୌଳିକ ଗୁଣ ହରାଇ ବଞ୍ଚିରହିଵା ଓ ମହାନ ହେଵାରେ କି ମହାନତା ? 


No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...