Friday, July 21, 2023

ହୀରାକୁଦ ଜଳଭଣ୍ଡାର ଓ ହୀରାକୁଦ

ହୀରାକୁଦ ଶବ୍ଦରେ ହୀରା ଓ କୁଦ ଦୁଇଟି ଶବ୍ଦ ଅଛି । କିନ୍ତୁ ହୀରାକୁଦ ଶବ୍ଦରେ କୁଦ ଶବ୍ଦଟି ଡେଇଁଵା ଅର୍ଥରେ ଯୋଡ଼ାଯାଇନାହିଁ । ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଅନୁସାରେ ସମ୍ବଲପୁରର ପୂର୍ଵ ନାମ ଥିଲା ହୀରାକୁଦ୍। ସେହିପରି ସମ୍ବଲପୁରୀରେ ପ୍ରଚଳିତ 'କୁଦ୍' ଶବ୍ଦର ଅର୍ଥ 
କୁଦ; କୁଦା; ମାଟିକୁଦା(A mound of earth) ଏଵଂ ଏହା ସଂସ୍କୃତ କକୁଦ୍ ଶବ୍ଦ ସହିତ ସମୋଦ୍ଧୃତ ବୋଲି ଭାଷାକୋଷରେ କୁହାଯାଇଛି। ବୃଷଭର ଚୂଳ,ପର୍ଵତ ଶୃଙ୍ଗ, ପାହାଡ଼ର ଚୂଳ,ଛତ୍ର ଚାମରାଦି ରାଜଚିହ୍ନ ଓ ଶ୍ରେଷ୍ଠ ଵା ପ୍ରଧାନ ଅର୍ଥରେ କକୁଦ୍ ଶବ୍ଦ ଵ୍ୟଵହୃତ ହେଉଥିଲା । ଓଡ଼ିଆ ଭାଷାରେ ସେହି କକୁଦ୍ ସହିତ ସମୋଦ୍ଧୃତ କୁଦ ଶବ୍ଦଟି ଢିପ, ଉଚ୍ଚ ଭୂମିଖଣ୍ଡ,ବାଲିସ୍ତୂପ,ପାହାଡ଼, ମୁଣ୍ଡିଆ(Hillock),ସମୂହ(heap),ଉଚ୍ଚ ଗଦା ଓ କୁଜ ଅର୍ଥରେ ପ୍ରୟୋଗ କରାଯାଏ । 
ତେଣୁ ହୀରାକୁଦ ଵା ସମ୍ବଲପୁର ଉଚ୍ଚଭୂମି ହୋଇଥିଵାରୁ ଏଵଂ ଏଠାରେ ହୀରା ମିଳୁଥିଵାରୁ ଏହାକୁ ହୀରାକୁଦ କୁହାଯାଉଥିଲା । ହୀରାକୁଦ ଏବେର ନାଆଁ ନୁହେଁ କି ହୀରାକୁଦ ଜଳଭଣ୍ଡାର ଗଢ଼ାଗଲା ପରେ ଏହି ନାମକରଣ ହୋଇନାହିଁ । ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ୧୯୩୦ରୁ ୧୯୪୦ ସମୟରେ ପ୍ରକାଶିତ ହୋଇଥିଲା । ସେଥିରେ କୁଦ୍ ଶବ୍ଦ ତଳେ ହୀରାକୁଦ ଶବ୍ଦର ଉଲ୍ଲେଖ ସୂଚାଇ ଦିଏ ଯେ ଏହା ଏକ ପୁରାତନ ଶବ୍ଦ ଏଵଂ ପରେ ହୀରାକୁଦ ଜଳଭଣ୍ଡାରର ନାମକରଣ ଏହି ନାମାନୁସାରେ ହୋଇଅଛି ‌। 


No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...