Sunday, May 19, 2024

ଓଡ଼ିଆ ଵର୍ଣ୍ଣମାଳାରେ 'ୱ' ଲିପୀମର ଆଵଶ୍ୟକତା ଓ ଏହାର ଵୈଜ୍ଞାନିକତା

ଓଡ଼ିଆ ଵର୍ଣ୍ଣମାଳାରେ କେହି କେହି 'ୱ'କୁ ଦେଖି ସନ୍ଦେହରେ ପଡ଼ି ପ୍ରଶ୍ନ କରନ୍ତି ଯେ ଏଠାରେ ସ୍ବର ଵର୍ଣ୍ଣରେ ଅର୍ଥାତ୍ 'ଓ' ଵର୍ଣ୍ଣରେ 'ବ' ଫଳା କେମିତି ଲାଗିଵ ? 

ଉଲ୍ଲେଖଯୋଗ୍ୟ ଯେ 'ୱ' ପ୍ରକୃତରେ ଏକ ଦ୍ଵିସ୍ଵର ଅର୍ଥାତ୍ 
'ଉ' ଆଉ 'ଅ'ର ମିଶ୍ର ଉଚ୍ଚାରଣ ହେଉଛି - ୱ ; ଏହିପରି ଆଉ ଏକ ଦ୍ଵିସ୍ଵର ଲିପୀମ ଆମ ଲିପିରେ ଅଛି ଏଵଂ ତାହା 'ୟ' ଅଟେ । 'ଇ' ଓ 'ଅ'ର ମିଶ୍ର ଉଚ୍ଚାରଣ 'ୟ' ଅଟେ ତେଣୁ ଏହାକୁ ସୂଚାଇଵାକୁ ପ୍ରାଚୀନ ଉତ୍କଳୀୟମାନେ 'ଯ' ତଳେ 2 ପରି ଏକ ଅଧୋବିନ୍ଦୁ ଵ୍ୟଵହାର କରିଥିଲେ । ତେବେ ଓଡ଼ିଆ ଭାଷାରେ ତାୱା ହାୱା ୱିକେଟ୍ ଭଳି କେତେକ ଵୈଦେଶିକ ଶବ୍ଦ ପ୍ରୟୋଗ କରାଗଲାରୁ ବହୁତ ପରେ 'ୱ' ବୋଲି ଏକ ଦ୍ଵିସ୍ଵର ଲିପୀମ ଲୋଡ଼ା ହୋଇଥିଲା । 

ତେବେ ଏହି 'ୱ'କୁ ସୃଷ୍ଟି କରିଵା ପାଇଁ ତତ୍କାଳୀନ ପଣ୍ଡିତମାନେ 'ଉ' ଏଵଂ 'ଅ' ଵର୍ଣ୍ଣର ମୂଳ ଉଡ୍ରଲିପି ରୂପକୁ ଵ୍ୟଵହାର କରିଥିଲେ । 'ୱ'କୁ ଯେମିତି ସହଜରେ ଲେଖି ହେଵ ତାକୁ ଦୃଷ୍ଟିରେ ରଖି 'ଅ' ର ମୂଳ ଓଡ଼ିଆ ରୂପକୁ 'ଉ' ର ମୂଳ ଓଡ଼ିଆ ରୂପ ଉପରେ ଥୋଇ ସ୍ଵତନ୍ତ୍ର 'ୱ' ଲିପୀମର ଗଠନ କରାଯାଇଥିଲା(ଏହା କେମିତି କରାଯାଇଥିଲା ତାହା ଚିତ୍ରରେ ଦର୍ଶାଯାଇଛି) । 


ଏଠାରେ ଜାଣି ରଖିଵାକୁ ହେଵ ଯେ ସବୁ ଭାରତୀୟ ଇଣ୍ଡିକ୍ ଲିପିର ଜନନୀ ବ୍ରାହ୍ମୀ ଲିପି ଅଟେ ଏଵଂ ଓଡ଼ିଆ ଲିପିର ଅ,ଦେଵନାଗରୀ अ, ଗୁଜରାଟୀ અ ଆଦି 'ଅ'ର ଯେତେ ଇଣ୍ଡିକ୍ ସ୍ଵରୂପ ରହିଛି ସେସବୁର ମୂଳ ହେଉଛି ବ୍ରାହ୍ମୀ ଲିପିର 𑀅 ! ସେହିପରି ବ୍ରାହ୍ମୀ ଲିପିର 𑀉(ଉ)ରୁ କ୍ରମଶଃ ଓଡ଼ିଆରେ ଉ,ଦେଵନାଗରୀରେ उ ଆଉ ଗୁଜରାଟୀରେ ઉ ହୋଇଛି । ଓଡ଼ିଆ ଲିପିର ପ୍ରାରମ୍ଭିକ ପର୍ଯ୍ୟାୟରୁ ଏହି ବ୍ରାହ୍ମୀ ଲିପୀମ 𑀉ଟି ସଂହରି ସଂହରି(ବଦଳି ବଦଳି) ଆଜି 'ଉ' ହୋଇଛି । 

ଆଜି ବି ଧ୍ୟାନ ସହକାରେ ଦେଖିଲେ ସମସ୍ତ ଇଣ୍ଡିକ୍ ଲିପିର 'ଉ' ସ୍ଵରୂପ ମଧ୍ୟରେ ବ୍ରାହ୍ମୀ ଲିପିର ମୂଳ '𑀉(ଉ)' ସ୍ଵରୂପ ଦୃଶ୍ୟ ହୋଇଥାଏ । 

ତେଣୁ ଯେଉଁମାନେ 'ୱ'ରେ ଯାହାକୁ 'ଓ' ଭାବୁଛନ୍ତି ତାହା 'ଅ'ର ମୂଳ ଅଂଶ ଆଉ ଯାହାକୁ 'ବ ଫଳା' ଭାବୁଛନ୍ତି ତାହା 'ଉ'ର ମୂଳ ଅଂଶ ! 'ଅ'ରୁ ମୁଣ୍ଡଳା ଓ ବାଡ଼ି କାଟି ଦିଅନ୍ତୁ ଆଉ 'ଉ' ରୁ ମଧ୍ୟ ମୁଣ୍ଡଳା ତଥା ଛାଟ କାଟି ଦିଅନ୍ତୁ । ତାପରେ ଉଭୟକୁ ଉପର ତଳ କରି ପରସ୍ପର ଉପରେ ରଖି ଦିଅନ୍ତୁ ଦେଖିବେ ତାହା 'ୱ' ହୋଇଯିଵ ।

ଵୈଦେଶିକ ଆରବୀ ପାର୍ସୀ ଶବ୍ଦରେ ଯେଉଁଠି و(ୱାୱ୍) ଥାଏ ଏଵଂ ଇଂରାଜୀ ଆଦି ଭାରୋପୀୟ ଭାଷାରେ ଯେଉଁଠି 'W' ଥାଏ ,ସେହି ସବୁ ଶବ୍ଦଗୁଡ଼ିକୁ ଓଡ଼ିଆ ଭାଷାରେ ଲେଖିଲାବେଳେ 'ୱ' ଲିପୀମର ଆଵଶ୍ୟକ ହୋଇଥାଏ । ଭାରତରେ ଓଡ଼ିଆ ଲିପି ଛଡ଼ା ଆଉ କୌଣସି ଲିପିରେ ଆରବୀ 'و'(ୱାୱ୍) ତଥା ଇଂରାଜୀ 'w'କୁ ଲେଖି ପାରିଵାର ସାମର୍ଥ୍ୟ ନାହିଁ ‌। ଅନ୍ୟାନ୍ୟ ଭାରତୀୟ ଲିପିଗୁଡ଼ିକରେ ଆରବୀ 'و'(ୱାୱ୍) ତଥା ଇଂରାଜୀ 'w'ଯୁକ୍ତ ଵୈଦେଶିକ ଶବ୍ଦଗୁଡ଼ିକୁ ଲେଖିଵା ପାଇଁ କାମଚଳା ଧନ୍ଦାରେ ଅନ୍ତ୍ୟସ୍ତ ସ୍ପର୍ଶ ସଂଘର୍ଷୀ ଅଵର୍ଗ୍ୟ 'ଵ' ଵ୍ୟଵହାର କରାଯାଏ କିନ୍ତୁ ଧ୍ଵନିତତ୍ତ୍ଵ ଦୃଷ୍ଟିରୁ 'ୱ','ବ' ଆଉ 'ଵ' ଭିନ୍ନ ଭିନ୍ନ ଅଟେ ‌। ଵର୍ଗ୍ୟ 'ବ' ଉଚ୍ଚାରଣ ସମୟରେ ଦୁଇ ଓଠ ଲାଗେ ,ଦ୍ଵିସ୍ଵର 'ୱ' ଉଚ୍ଚାରଣ ସମୟରେ ଦୁଇ ଓଠ ଲାଗିନଥାଏ ଵରଂ ବାହାରକୁ ଖୋଲିଥାଏ ଏଵଂ ସ୍ପର୍ଶ ସଂଘର୍ଷୀ ଅନ୍ତ୍ୟସ୍ତ 'ଵ' ଉଚ୍ଚାରଣ ସମୟରେ ଉପର ଦାନ୍ତ ସହିତ ତଳ ଉଠ ସାମାନ୍ୟ ସ୍ପର୍ଶ କରିଥାଏ । ଏଣୁ ଉଚ୍ଚାରଣ ଦୃଷ୍ଟିରୁ ବ,ଵ ତଥା ୱ ଭିନ୍ନ ଭିନ୍ନ ଅଟେ । ଏହା ହିଁ ଓଡ଼ିଆ ଲିପିର ଵୈଜ୍ଞାନିକତା ଯାହା ବଙ୍ଗାଳୀ ହିନ୍ଦୀ ଭାଷାର ଲିପିରେ ନାହିଁ !!!
.............................

No comments:

Post a Comment

ମାଧଵ ଭଗିଆ ସମ୍ବାଦ(ବାତରା ଓ ଆଳୁବାତରା) —୩

 ହାଟ ଆଡ଼ୁ ଭଗିଆ ଫେରିଲାବେଳେ ତା'ର ମାଧଵ ଓରଫ୍ ମାଧିଆ ସହିତ ଗାଆଁ ଚାନ୍ଦିନୀଠିଁ ଭେଟ ହୋଇଗଲା । ମାଧଵ ସେଠି ଇଲେକ୍ସନ ଖେଳ(ଏକ ଜାତୀୟ ତାସ୍ ଖେଳ)ରେ ବସି ଦି ଦଳଙ୍...