ଦୁତୀୟ ପ୍ରହର ଗତ ହୋଇଛି ଯାମିନୀ ।
ସୁଚୀଭେଦ୍ୟ ଅନ୍ଧକାରେ ଢାଙ୍କିଛି ମେଦିନୀ ।
ଜଳେ ସ୍ଥଳେ ଶୂନ୍ୟ ଦେଶେ ସର୍ବେ ଅଚେତନ ।
ସାମାନ୍ୟ ପତଙ୍ଗ ମଧ୍ୟ କରିଛି ଶୟନ ।
ଦୁଇଜଣ ଚାହିଁ ବସି ଅଛନ୍ତି କେବଳ ।
ପରମ ଧାର୍ମିକ ପାପୀ ଦୁରାଚାରୀ ଖଳ ।
ପର୍ବତ ସମାନ ସ୍ଥିର ଦୁହିଙ୍କର ତନୁ ।
ଅଶ୍ରୁଧାରା ବହୁଅଛି ଦୁହିଙ୍କ ନୟନୁ ।
ପାପିଲୋକ ଗତ ପାପ ଚିନ୍ତା କରି କରି ।
ଅଶ୍ରୁଧାରା ବହୁଅଛି ହୃଦୟ ବିଦାରି ।
ଗୋଟିଏ ଗୋଟିଏ ପାପ ପଡୁ଼ଅଛି ମନେ ।
ବାଜୁଛି ହିଆରେ ତୀକ୍ଷ୍ଣବରଛା ଯେସନେ ।
ଆଉ କି ମାଡି଼ବ ନିଦ ଗଲେ ଶୋଇବାକୁ ।
ଅନୁତାପାନଳେ ପୋଡି଼ ଦେଉଛି ହୃଦକୁ ।
ଧାର୍ମିକ ପାଇଛି ବେଳ କରିବାକୁ ଧ୍ୟାନ ।
ନାହିଁ କୋଳାହଳ ସର୍ବ ପ୍ରାଣୀ ମ୍ରିୟମାନ
ବିଶ୍ଵପତି କୃପାକୀର୍ତ୍ତି ପଡୁ଼ଛି ମନରେ ।
ଭୂମିରେ ପଡୁ଼ଛି ପ୍ରେମ ଅଶ୍ରୁ ଦରଦରେ ।
ନିସ୍ତବ୍ଧ ହୁଅଇ ଯେବେ ପୃଥ୍ଵୀ-କୋଳାହଳ ।
ସ୍ଵର୍ଗୀୟ ନାରକ ଭାବ ଦିଶଇ ଉଜ୍ଵଳ ।
●ବ୍ୟାସକବି ଫକୀରମୋହନ ସେନାପତି●
No comments:
Post a Comment