Monday, January 22, 2018

●●●●●●କଟକ●●●●●●

ଉତ୍କଳ ର ରାଜଧାନୀ କଟକ ସହର,

ବିରାଜିତ,ପ୍ରକାଶିତ ଯୁଗ ଯୁଗାନ୍ତର ।

ମହାନଦୀ, କାଠଯୋଡ଼ି ଛନ୍ତି ଦୁଇପାଶେ

କଟକନିବାସୀଗଣେ ଜଳଦେବା ଆଶେ ।

ସ୍ପଟିକନିର୍ମଳ ଜଳ ରୋଗନିବାରକ ,

ସ୍ନାନପାନେ ସୁସ୍ଥଦେହେ ରହିଛନ୍ତି ଲୋକ ।

ମର୍କତକେଶରୀ ଧନ୍ୟ ! କୌଶଳ ପ୍ରକାଶି

ବାନ୍ଧିଛି ପଥର ବନ୍ଧ କୀର୍ତ୍ତି ଅବିନାଶୀ ।

ପ୍ରାବୃଟ କାଳରେ ନଦୀ ହୋଇ ଭୟଙ୍କରୀ

ନ ପାରନ୍ତି ନଗରୀକୁ ଅତିକ୍ରମ କରି ।

ମହାତ୍ମା ପୁରୁଷୋତ୍ତମ ପୂତମନା ଜ୍ଞାନୀ,

କଟକ ସହର ଥିଲା ତାଙ୍କ ରାଜଧାନୀ

ଧନ ଆଶେ ,ବିଦ୍ୟାଭ୍ୟାସେ କୀର୍ତ୍ତି କାମନାରେ,

କେତେ ଦେଶୁଁ ରୁଣ୍ଡ ଲୋକ ଏ କଟକଠାରେ ।

ନଦୀକୂଳ ଅଟ୍ଟାଳିକା ବିଚିତ୍ର ଗଠନ ,

ରାଜକର୍ମଚାରୀଙ୍କର ବିଚାର ଭବନ ।

ସର୍ବ ରୂପ ବିଦ୍ୟା ଉପାର୍ଜନର ଏ ସ୍ଥଳ ,

ନାନା ଦେଶୁଁ ସମାଗତ ବିଦ୍ୟାର୍ଥୀ ସକଳ ।

ଧନ,ବିଦ୍ୟା ଉପାର୍ଜନେ ପ୍ରଶସ୍ଥ ଏ କ୍ଷେତ୍ର,

ସଜ୍ଜିତ ବିପଣିମାଳା ତୃପ୍ତ କରେ ନେତ୍ର ।

ପୁରାକାଳେ ଥିଲେ ଏଥି କେତେ ବିଦ୍ୟାବନ୍ତ,

କେତେ ଧନୀ, କେତେ ମାନୀ ସନ୍ୟାସୀ ମହନ୍ତ ।

କେତେ ରାଜା ମହାରାଜ ମଧ୍ଯବିତ୍ତ ଲୋକ ,

କେତେ ରାଜକର୍ମଚାରୀ,ଧର୍ମ ପ୍ରଚାରକ,

ଚାଲିଯାଇଛନ୍ତି ସର୍ବେ ତେଜି ଭବଲୀଳା,

ତଥାପି ରହିଛି ଭରି ଏହି ପାନ୍ଥଶାଳା ।

ଗତାୟତ ପ୍ରାଣିସ୍ରୋତ ଜଗତର ରୀତି,

କେବଳ ତ ଯାଏ ରହି କୀର୍ତ୍ତି ଅପକୀର୍ତ୍ତି ।

ଦୁରାଚାରୀ ମରହଟ୍ଟା ଯାଇଛନ୍ତି କାହିଁ,

ଅଛି ବାରବାଟୀ କିଲ୍ଲା ସାକ୍ଷ ଦେବାପାଇଁ ।

ଏତିକି ବିଚିତ୍ର ମୁହିଁ ଦେଖେଁ ଜଗତରେ,

ନ ବିଚାରେ କେହି ନିଜ ପରିଣାମ ଥରେ ।

◆◆◆◆◆◆◆◆◆◆◆◆◆◆◆◆
●ବ୍ୟାସକବି ଫକୀରମୋହନ ସେନାପତି●
◆◆◆◆◆◆◆◆◆◆◆◆◆◆◆◆

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...