Thursday, January 26, 2023

: ଦୀର୍ଘ ଦୁଇ ନିୟୁତ ଵା ୨୦ ଲକ୍ଷ ଵର୍ଷର‌ ଲଗାଣ ଵର୍ଷା :

Alastair Ruffell ତାଙ୍କର ଜନ୍ମସ୍ଥାନ 
Somerset(UK)ଠାରେ Triassic ଯୁଗୀୟ ପାହାଡ଼ରୁ କେତେକ ଅଦ୍ଭୁତ କମଳା-ଲାଲ୍ ରଙ୍ଗର 
ଶିଳାସ୍ତର ପାଇଲେ ।ସେହି ପ୍ରାଚୀନ ଶିଳାସ୍ତରର ପରୀକ୍ଷଣରୁ ତାଙ୍କର ଵିଶ୍ଵାସ ହେଲା ଯେ ସେହି ଅଞ୍ଚଳ ଆଗେ ଏକ ଅତିଶୁଷ୍କ ଭୂଭାଗ ଥିଲା ଏଵଂ ପ୍ରଚଣ୍ଡ ସୂର୍ଯ୍ୟରଶ୍ମୀଦ୍ଵାରା ତାହା ଲାଲ୍ ଵର୍ଣ୍ଣର ହୋଇଥିଲା । କିନ୍ତୁ ସମରସେଟ୍‌ର ସେହି ପାହାଡ଼ରେ ତତ୍ପରଵର୍ତ୍ତୀକାଳୀନ ଆଉ ଏକ ଧୂସର- ବାଦାମୀ ରଙ୍ଗର ଶିଳାସ୍ତର ମଧ୍ୟ ପରେ ପରେ ଗଵେଷକ Ruffellଙ୍କୁ ପ୍ରାପ୍ତ ହେଲା । ଏହି ପରଵର୍ତ୍ତୀକାଳୀନ ଶିଳାସ୍ତରରୁ ଜଣାଗଲା ଯେ ସେହି ସମୟରେ ସେ ଅଞ୍ଚଳରେ ମରୁଭୂମି କ୍ରମଶଃ ଆର୍ଦ୍ରଭୂମିରେ ପରିଣତ ହୋଇଯାଇଥିଲା ଏଵଂ କୌଣସି କାରଣରୁ ଏହା ଅଵିଶ୍ବାସନୀୟ ଭାବେ ଏକ ନିୟୁତ ଵର୍ଷରୁ ଅଧିକ ସମୟ ଧରି ସେହିପରି ଆଦ୍ର ରହିଥିଲା ।

୧୯୮୦ ଦଶକର ମଧ୍ୟଭାଗରେ ଯେତେବେଳେ Alastair Ruffell ପ୍ରଥମେ Triassicଯୁଗର ଶିଳାସ୍ତର ପାଇଲେ ସେତେବେଳେ ଏ ନୂତନ ତଥ୍ୟ ରଫେଲଙ୍କୁ ଆକର୍ଷିତ କରିଥିଲା, କିନ୍ତୁ ଏହି ଯୁଵ ଭୂଵିଜ୍ଞାନୀଙ୍କର ଏକ ପିଏଚଡି ପ୍ରକଳ୍ପ ଶେଷ କରିଵାକୁ ବାକି ଥିଵାରୁ ସେ ଏହା ଉପରେ ଅଧିକ ଗଵେଷଣା କରିପାରିନଥିଲେ । ୧୯୮୭ ରେ ଅନ୍ୟ ଜଣେ ଯୁଵ ଵୈଜ୍ଞାନିକ ଜୀଵାଶ୍ମଵିଜ୍ଞାନୀ Michael Simms ତାଙ୍କର ପୋଷ୍ଟ୍ ଡକ୍ଟୋରାଲ୍ ଅଧ୍ୟୟନ ସମୟରେ late Triassicଯୁଗରେ ହୋଇଥିଵା ଜୈଵ ଵିଲୁପ୍ତି ସହିତ ଗଵେଷକ Ruffellଙ୍କ ”ରହସ୍ୟମୟ ଆଦ୍ରକାଳ” ମଧ୍ୟରେ ଥିଵା ସମ୍ବନ୍ଧ ଉପରେ କେତେକ ଵୈଜ୍ଞାନିକ ପ୍ରମାଣ ଲାଭ କରିଥିଲେ ‌ 

ଉଭୟ ଅଧ୍ୟୟନରେ ସମାନତା ଦେଖି ପ୍ରୋକ୍ତ ଗଵେଷକଦ୍ଵୟ ଵୈଜ୍ଞାନିକ ସମାଜ ଆଗରେ ଏହି ଵିଚାର ଵିଷୟରେ ମତ ଉପସ୍ଥାପନ କଲେ କିନ୍ତୁ ସେତେବେଳେ ଵୈଜ୍ଞାନିକ ସମାଜ ଦ୍ଵାରା ତାହାକୁ ଅଗ୍ରାହ୍ୟ କରିଦିଆଯାଇଥିଲା । 

ଏହାର ତିନି ଦଶନ୍ଧି ପରେ ଆଜି Alastair Ruffell ଓ Michael Simmsଙ୍କ ଗଵେଷଣାର ସମର୍ଥନରେ ଅନେକ ନୂତନ ତଥ୍ୟ ମିଳୁଛି । ତେବେ ନୂତନ ଗଵେଷଣାରୁ ଜଣାଯାଉଛି ଯେ କେଵଳ ଇଂଲଣ୍ଡର ସମରସେଟ୍ ହିଁ ନୁହେଁ ଆଜକୁ ପ୍ରାୟ ୨୩୨ ନିୟୁତ ଵା ୨୩.୨ କୋଟି ଵର୍ଷ ତଳେ Carnian କାଳରେ ତତ୍କାଳୀନ ପୃଥିଵୀର ପ୍ରାୟ ସବୁସ୍ଥାନରେ ଲକ୍ଷାଧିକ ଵର୍ଷ ଧରି ଵର୍ଷା ଲାଗି ରହିଥିଲା | ପୃଥିଵୀର ପ୍ରାୟ ସର୍ଵତ୍ର Triassicଯୁଗର ଶିଳାସ୍ତରରୁ ଏହି ତଥ୍ୟ ହିଁ ପ୍ରାପ୍ତ ହୋଇଛି । 


ପ୍ରାୟ ୨୪.୪ କୋଟି ଵର୍ଷ ପୂର୍ଵେ, ଵର୍ତ୍ତମାନ ଭଳି ସେସମୟର ପୃଥିଵୀରେ ସାତଗୋଟି ମହାଦେଶ ନଥିଲା କି ମହାଦ୍ୱୀପଗୁଡି଼କରେ ଆଜି ପରି ସେ ଯୁଗରେ ସମୁଦ୍ରର ବାଧା ନଥିଲା । ୨୫ କୋଟି ଵର୍ଷ ତଳର ସେହି ପୃଥିଵୀରେ ସମସ୍ତ ଭୂଭାଗ ଏକତ୍ର ଥିଲା ଯାହାକୁ ଗଵେଷକମାନେ “ପାଞ୍ଜିଆ" ନାମ ଦେଇଛନ୍ତି ।

ତତ୍କାଳୀନ ପୃଥିଵୀରେ ଭାରତ ଉପମହାଦ୍ଵୀପ ଆଫ୍ରିକା ମହାଦେଶ ଓ ମାଡାଗାସ୍କର ଦ୍ଵୀପ ସହିତ ପଶ୍ଚିମରେ ତଥା ଅଷ୍ଟ୍ରେଲିଆ ଓ ଆଣ୍ଟାର୍କଟିକା ମହାଦେଶ ସହିତ ଦକ୍ଷିଣରେ ସଂଯୁକ୍ତ ହୋଇ ରହିଥିଲା । ପାଞ୍ଜିଆ ମହାଦେଶରେ ଥିଲାବେଳେ ଭାରତ ଉପମହାଦ୍ଵୀପ ସହିତ ଵର୍ତ୍ତମାନର ଭୁଟାନ୍,ନେପାଳ, ପାକିସ୍ତାନ, ଆଫଗାନିସ୍ତାନ, ଶ୍ରୀଲଙ୍କା ଓ ତିବତ୍ତ ଆଦି ଭୂଭାଗ ସଂଯୁକ୍ତ ହୋଇ ରହିଥିଲା ଏଵଂ ଆଜିର ପୂର୍ଵୋତ୍ତର ଭାରତର ଅଧିକାଂଶ ଅଂଶ ସେ ଯୁଗର ଚୀନ ଓ ଵର୍ମାଦେଶ ସହିତ ଯୁକ୍ତ ହୋଇ ରହିଥିଲା । ଏହାର ବହୁତ ଵର୍ଷ ପରେ ପୃଥିଵୀରେ ୪ଗୁଣ ଅଧିକ ଦୃତ ଭୂଚଳନ ଗତି ଯୋଗୁଁ ଭାରତ ଉପମହାଦ୍ଵୀପ ଏସିଆ ସହିତ ସଂଯୁକ୍ତ ହୋଇଅଛି ଫଳରେ ଦୁଇଭୂଖଣ୍ଡର ମିଳନସ୍ଥଳରେ ହିମାଳୟ ଭଳି ଵିଶାଳ ପର୍ଵତମାଳା ସୃଷ୍ଟି ହୋଇଛି । 
 
ତେବେ ଯେହେତୁ ଆଜି ଦୃଶ୍ୟ ହେଉଥିଵା ପୃଥିଵୀର ସମସ୍ତ ସ୍ଥଳଭାଗ ଆଜକୁ ପଚିଶ କୋଟି ଵର୍ଷ ତଳେ ପରସ୍ପର ସହିତ ଜଡିତ ଥିଲା ତେଣୁ ସେହି ଵିଶାଳ ଏକକ ମହାଦେଶ ପାଞ୍ଜିଆର ଆଭ୍ୟନ୍ତରୀଣ ଅଞ୍ଚଳରେ କୌଣସି ଉପସାଗର, ନଦୀ କିମ୍ବା ସମୁଦ୍ରର କୌଣସି ଚିହ୍ନ ନଥିଲା, ଯେଉଁଥିପାଇଁ ଜଳର ଵାଷ୍ପୀକରଣ ମଧ୍ୟ ଵିଶେଷ ହେଉନଥିଲା । ପାଞ୍ଜିଆର ଆଭ୍ୟନ୍ତରୀଣ ଅଞ୍ଚଳରେ ପହଞ୍ଚିଵା ପୂର୍ଵରୁ ହିଁ ପାଙ୍ଗିଆ ଚାରିପାଖରେ ସମୁଦ୍ରରୁ ଉଠୁଥିଵା ମେଘ ଵର୍ଷା ହୋଇ ଯାଉଥିଲା । ଫଳସ୍ୱରୂପ, ତତ୍କାଳୀନ ଵିଶାଳ ପାଞ୍ଜିଆ ମହାଦେଶର ଆଭ୍ୟନ୍ତରୀଣ ଅଂଶ ମେଘରୁ ସଦାସର୍ଵଦା ଵଞ୍ଚିତ ହୋଇ ରହିଯାଉଥିଲା । ସେହି ସମୟକୁ End permian age ଵା Great Dying age କୁହାଯାଏ । 

ମାଟି ତଳୁ ଖନନ ପରେ ମିଳିଥିଵା end permianଯୁଗ ଵିଶେଷତଃ Carnianକାଳର ପ୍ରସ୍ତରରେ ଥିଵା କାର୍ବନ ଵା ଅଙ୍ଗାରକ ଏଵଂ ଅମ୍ଳଜାନ ଆଇସୋଟୋପ୍ ତତ୍ତ୍ଵର ଅଧ୍ୟୟନରୁ ଜଣାପଡି଼ଛି ଯେ ସେ ଯୁଗରେ ପାଞ୍ଜିଆରେ ଉଦ୍ଭିଦର ପରିମାଣ ନଗଣ୍ୟ ଥିଲା ତଥା ସେ ଯୁଗର ଲାଲ୍ ଜଳିଯାଇଥିଵା ପଥର ସୂଚିତ କରେ ଯେ ଵର୍ଷା ବହୁତ ଅଳ୍ପ ହେଉଥିଵାରୁ ତତ୍କାଳୀନ ପାଞ୍ଜିଆର ଜଳଵାୟୁ ଅତ୍ୟଧିକ ଶୁଷ୍କ ଥିଲା । 

ତା'ପରେ ହଠାତ୍... ଏକ ଚମତ୍କାର ଘଟଣା ଘଟିଲା । ମେଘ ସମଗ୍ର ପୃଥିଵୀକୁ ଆଚ୍ଛାଦିତ କରିଦେଲା ଏଵଂ ଦୀର୍ଘ ଵର୍ଷ ଧରି ନିରନ୍ତର ପ୍ରଵଳ ଵର୍ଷା ଆରମ୍ଭ ହେଵାକୁ ଲାଗିଲା । ସେ ଯୁଗର ପଥରରେ ଉପସ୍ଥିତ ଜୈଵିକ ଅଣୁର ସଂଖ୍ୟା ବୃଦ୍ଧି ସୂଚିତ କରେ ଯେ ଭୀଷଣ ଵର୍ଷା ଯୋଗୁଁ ଆକାରରେ ବଡ଼ ଉଦ୍ଭିଦମାନେ ଦ୍ରୁତ ଗତିରେ ବୃଦ୍ଧି ପାଇଲେ । ପୃଥିଵୀ ଗୋଟିଏ ମରୁଭୂମିରୁ ଧିରେ ଧିରେ ଏକ ଚିରସବୁଜ ଉଦ୍ୟାନରେ ପରିଣତ ହେଵାକୁ ଲାଗିଲା । 
ହଜାର ହଜାର ଵର୍ଷ ପରେ ଏହି ଵର୍ଷା ଥରେ ଆରମ୍ଭ ହେଲା...
ଆଉ ନଛାଡ଼ି କ୍ରମାଗତ ଭାବରେ ଵର୍ଷିଚାଲିଲା ପୁରା ଦୁଇ ନିୟୁତ ଵା କୋଡ଼ିଏ ଲକ୍ଷ ଵର୍ଷଯାଏଁ ...
 
ହଁ... 
 ଆପଣ ଠିକ୍ ଶୁଣିଛନ୍ତି । ପୃଥିଵୀପୃଷ୍ଠରେ ଦୀର୍ଘ ଦୁଇ ନିୟୁତ ଵର୍ଷ ଧରି ଲଗାଣ ଵର୍ଷା ହୋଇଥିଲା ! 

ଆଜକୁ ପ୍ରାୟ ୨୩୨ ନିୟୁତ ଵର୍ଷ ତଳେ End permian ଯୁଗ ଵା carnianକାଳର ଏଇ କୋଡ଼ିଏ ଲକ୍ଷ ଵର୍ଷ ମଧ୍ୟରେ ଯେ କିଛି କ୍ଷଣ ଵା ମିନିଟ୍ ପାଇଁ ଵର୍ଷା ଆଦୌ ବନ୍ଦ ହୋଇ ନଥିଲା ତାହା ନୁହେଁ କିନ୍ତୁ ସେ ଯୁଗର ପଥରକୁ ଅନୁଧ୍ୟାନ କରି ଵୈଜ୍ଞାନିକମାନେ ଜାଣିପାରିଛନ୍ତି କି ସେହି ଦୁଇ ନିୟୁତ ଵର୍ଷ ମଧ୍ୟରେ ପୃଥିଵୀରେ ଜଳଵାୟୁ ଵିଶେଷ ଭାବରେ ଆଦ୍ର ରହିଥିଲା। 

ଗଵେଷକମାନଙ୍କୁ end permian ଯୁଗର ପ୍ରସ୍ତରରୁ ପୁଣି ଜଣାପଡ଼ିଛି ସେତେବେଳେ ଆମେରିକାଠାରୁ ଏସିଆଯାଏଁ ସର୍ଵତ୍ର ଵିଶାଳ ନଦୀ ପ୍ରଵାହିତ ହେଉଥିଲା ଏଵଂ ଵାର୍ଷିକ ହାରାହାରି ଵୃଷ୍ଟିପାତ ଶୂନ୍ୟଠାରୁ ୧୪୦୦ MM ଯାଏଁ ପହଞ୍ଚି ଯାଇଥିଲା । 
 
 ତେବେ ପୃଥିଵୀ ପୃଷ୍ଠାରେ ଦୀର୍ଘ ଦୁଇ ନିୟୁତ ଵା କୋଡ଼ିଏ ଲକ୍ଷ ଵର୍ଷ ଯାଏଁ ହୋଇଥିଵା ଏହି ରହସ୍ୟମୟ ଵର୍ଷାର କାରଣ କ’ଣ ହୋଇପାରେ?
 
ଵୈଜ୍ଞାନିକମାନେ ତତ୍କାଳୀନ ଯୁଗର ପଥରକୁ ଅଧ୍ୟୟନ କଲାରୁ ଜଣାପାରିଛନ୍ତି ଯେ ସେହି ସମୟର ଵାୟୁମଣ୍ଡଳରେ ଅଙ୍ଗାରକାମ୍ଳର ପରିମାଣ ବହୁତ ଵୃଦ୍ଧି ପାଇଥିଲା । ଵାୟୁମଣ୍ଡଳରେ ଅଙ୍ଗାରକାମ୍ଳ ବଢି଼ଵା ଯୋଗୁଁ ଜଳର ଵାଷ୍ପୀକରଣ ପ୍ରକ୍ରିୟା ଦ୍ରୁତଗତିରେ ଆରମ୍ଭ ହୋଇଗଲା ଏଵଂ ଏହା ଵିଶ୍ୱଵ୍ୟାପୀ ଭୀଷଣ ଵର୍ଷାର ପଥ ପ୍ରଶସ୍ତ କରି ଦେଇଥିଲା। 

କିନ୍ତୁ ହଠାତ୍ ଏହି ଅଙ୍ଗାରକ ଵା କାର୍ବନ କେଉଁଠୁ ଆସିଲା ?  

ଵୈଜ୍ଞାନିକମାନେ ଅନୁମାନ କରନ୍ତି ସେ ଯୁଗରେ ଏକ ବୃହତ ଆଗ୍ନେୟଗିରି ଉଦ୍ଗୀରଣ ହୋଇଥିଲା ଯାହା ଫଳରେ ହଠାତ୍ ଓ ପ୍ରଚୁର ପରିମାଣରେ କାର୍ବନ ଭୂଗର୍ଭରୁ ଭୂପୃଷ୍ଠକୁ ପହଞ୍ଚିଥିଲା ।  

 
ସୌଭାଗ୍ୟଵଶତଃ, ଆମ୍ଭମାନେ ଏମିତି ଏକ ଆଗ୍ନେୟଗିରି ଵିଷୟରେ ଜଣିସାରିଛନ୍ତି ଯାହାର ଵୟସ ୨୪.୪ କୋଟି ଵର୍ଷର ଅଟେ। ଆଲାସ୍କା ଠାରୁ କାନାଡା ପର୍ଯ୍ୟନ୍ତ ଵ୍ୟାପ୍ତ Wrangellia Terraneରେ ସେ ଯୁଗରେ ଏକ ଭୀଷଣ ଓ ଭୟଙ୍କର ଆଗ୍ନେୟ ଉଦ୍ଗିରଣ ହୋଇଥିଲା । ଏଠାରେ ଆଗ୍ନେୟ ଉଦ୍ଗିରଣ କ୍ରମାଗତ ଭାବରେ 50 ଲକ୍ଷ ଵର୍ଷ ଧରି ଚାଲିଥିଲା ​​ଏଵଂ ଏଥିଯୋଗୁଁ ତତ୍କାଳୀନ ପୃଥିଵୀର ଵାୟୁମଣ୍ଡଳରେ ଵିପୁଳ ପରିମାଣରେ କାର୍ବନ ମିଶ୍ରିତ ହୋଇଥିଲା ​​। ଏହି ଆଗ୍ନେୟ ଉଦ୍ଗିରଣ ଏତେ ଭୟଙ୍କର ଥିଲା ଯେ ଏଥିରୁ ପ୍ରଵାହିତ ତରଳ ଲାଭା ନଦୀ ୬ କିଲୋମିଟର ଗଭୀର ଥିଲା । 
 
ସେ ଯାହା ହେଉ, ଧିରେ ଧିରେ ଏହି Wrangelliaର ଆଗ୍ନେୟଗିରି ଶାନ୍ତ ହେଲା ‌। ବୃହତ୍ ସ୍ଥଳଉଦ୍ଭିଦଗୁଡିକ ଵାୟୁମଣ୍ଡଳରୁ ଅଧିକାଂଶ ଅଙ୍ଗାରକାମ୍ଳକୁ ଅଵଶୋଷଣ କରିନେଲେ ଏଵଂ ୨୩.୨ କୋଟି ଵର୍ଷ ପୂର୍ଵେ, ପୃଥିଵୀ ପୁଣି ପ୍ରାୟତଃ ମରୁଭୂମି ହେଵା ଆଡ଼କୁ ଗତିକରୁଥିଲା । ତେବେ ଆଜକୁ ୧୮କୋଟି ଵର୍ଷ ତଳେ ପାଞ୍ଚିଆ ଏକକ ମହାଦେଶ ଭୂଚଳନ ଯୋଗୁଁ ଖଣ୍ଡଵିଖଣ୍ଡିତ ହୋଇ ଆଫ୍ରିକା,ଭାରତ ଓ ମାଡାଗାସ୍କର, ଅଷ୍ଟ୍ରେଲିଆ, ଆଣ୍ଟାର୍କଟିକା, ୟୁରେସିଆ, ଉତ୍ତର ଆମେରିକା ଓ ଦକ୍ଷିଣ ଆମେରିକା ଇତ୍ୟାଦି ଭୂଭାଗ ପୃଥିଵୀପୃଷ୍ଠରେ ଵିଭିନ୍ନ ଦିଗକୁ ଗତି କରିଵାକୁ ଲାଗିଲା ଫଳତଃ ପୃଥିଵୀରେ ଭିନ୍ନ ଭିନ୍ନ ଜଳଵାୟୁରେ ନିଆରା ଜୈଵ ଵିଵିଧତା ପରିଲକ୍ଷିତ ହେଲା ।‌‌




ଦୁଇ ନିୟୁତ ଵର୍ଷର ଲଗାଣ ଵର୍ଷା ହେଵା ପୂର୍ଵରୁ ବି ଡାଇନୋସରମାନଙ୍କର ପୂର୍ଵପୁରୁଷମାନେ ଏହି ପୃଥିଵୀରେ ଉପସ୍ଥିତ ଥିଲେ କିନ୍ତୁ ପୃଥିଵୀର ଜୀଵଜଗତରେ ସେମାନଙ୍କର ଯୋଗଦାନ ସେତେବେଳେ ମାତ୍ର ୫% ଥିଲା । ଜୀଵାଶ୍ମ ଅଧ୍ୟୟନରୁ ଜଣାପଡି଼ଛି ଯେ ଏହି ଵର୍ଷାକାଣ୍ଡ ଯୋଗୁଁ ସେତେବେଳେ ଅନେକ ଜାତୀୟ ଜୀଵ ଵିଲୁପ୍ତ ହୋଇଯାଇଥିଲେ କିନ୍ତୁ ଡାଇନୋସରମାନେ ଏଥିରୁ ଲାଭାନ୍ଵିତ ହେଲେ ଏଵଂ ପୂର୍ଵ ଅପେକ୍ଷା ସେମାନଙ୍କର ଶାରୀରିକ ଆକାର ତଥା ସାମର୍ଥ୍ୟ ଅନେକଗୁଣ ଅଧିକ ଵୃଦ୍ଧି ପାଇଥିଲା ତଥା ଜୀଵଜଗତରେ ସେମାନଙ୍କର ଯୋଗଦାନ ୯୫% ଭାଗରୁ ଅଧିକ ହୋଇଯାଇଥିଲା।
 
ସମୟର ଚକ ସବୁବେଳେ ଗଡ଼ି ଚାଲିଛି ଏଵଂ ପରିଵର୍ତ୍ତନ ପ୍ରକୃତିର ଏକମାତ୍ର ଧ୍ୟେୟ ଅଟେ । ୨୩ କୋଟି ଵର୍ଷ ତଳେ ହୋଇଥିଵା ଭୟଙ୍କର ପ୍ରାକୃତିକ ଵିପର୍ଯ୍ୟୟ ଯେଉଁ ପରି ଭାବେ ଡାଇନୋସରମାନଙ୍କର ଵିକାଶର ପଥ ପରିଷ୍କାର ହୋଇଥିଲା ​​ଠିକ୍ ସେହିପରି ଆଜକୁ ୬.୫ କୋଟି ଵର୍ଷ ପୂର୍ଵେ ଗୋଟିଏ ବଡ଼ ଗ୍ରହାଣୁପିଣ୍ଡ ଯୋଗୁଁ ଡାଇନୋସରଙ୍କର ଏକଛତ୍ରଵାଦୀ ଶାସନ ମଧ୍ୟ ଶେଷ ହୋଇଯାଇଥିଲା । ୬ କୋଟି ଵର୍ଷ ପୂର୍ଵେ ଡାଇନୋସରମାନଙ୍କର ଵିଲୁପ୍ତି ସମୟରେ ଆମ ସ୍ତନ୍ୟପାୟୀ ପୂର୍ଵଜମାନଙ୍କୁ ଵିକଶିତ ହେଵାର ଅଵସର ପ୍ରାପ୍ତ ହେଇଗଲା ଏଵଂ ଏବେ ଆମେ ସବୁଠୁ ଶ୍ରେଷ୍ଠ ବୁଦ୍ଧିଆ ସ୍ତନ୍ୟପାୟୀ ଜୀଵ ଏ ପୃଥିଵୀର ସତ୍ତା ଭୋଗ କରୁଅଛନ୍ତି । 

ଏହା ହିଁ ହେଉଛି ପ୍ରକୃତିର ନିୟମ । 
 ଏଠି ରଙ୍ଗମଞ୍ଚ ସବୁବେଳେ ସମାନ ରହିଥାଏ, କେଵଳ ପ୍ରତ୍ୟେକ ଯୁଗରେ ନାୟକମାନେ ପରିଵର୍ତ୍ତିତ ହୋଇଯାଆନ୍ତି । ଆମ ସ୍ତନ୍ୟପାୟୀ ପ୍ରାଣୀମାନଙ୍କୁ ବି ଦିନେ ଏ ରଙ୍ଗମଞ୍ଚ ଛାଡି଼ଵାକୁ ପଡ଼ିପାରେ କିନ୍ତୁ ପ୍ରକୃତି ଆମକୁ ଗୋଟିଏ ଅମୂଲ୍ୟ ଦରଵ ଦେଇଛି ଯାହା ଡାଇନୋସରମାନଙ୍କ ପାଖରେ ଵିଶେଷ ନଥିଲା ଏଵଂ ତାହା ହେଉଛି ବୁଦ୍ଧି । ଏହି ବୁଦ୍ଧି ବଳରେ ମନୁଷ୍ୟ ଵିଜ୍ଞାନର ସଦୁପଯୋଗ ପୂର୍ଵକ ଭିନ୍ନ ଗ୍ରହରେ ଵସଵାସ କରିଵାକୁ ସମର୍ଥ ହୋଇପାରେ କିମ୍ବା ସଂସାରର ଧ୍ଵଂସ ସାଧନ ପାଇଁ ଵିଜ୍ଞାନର ଦୂରୁପଯୋଗ ମଧ୍ୟ କରିପାରେ । 

•••••••••••••••••••••••••••••••
बैचेन बंदर ପୁସ୍ତକର ଲେଖକ ଶ୍ରୀ विजय सिंह ठकुराय ତିନି ଚାରିଵର୍ଷ ତଳେ ଏହି ଵିଷୟରେ ଏକ ପ୍ରବନ୍ଧ ଲେଖିଥିଲେ । ସେହି ଆଲେଖ୍ୟକୁ ମୂଳ ଆଧାର କରି ଏହା ଲିଖିତ ହୋଇଅଛି । 
••••••••••••••••••••••••••••••••

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...