Sunday, January 15, 2023

ହଁ ଏଵଂ ଓଡ଼ିଆ ଭାଷା

ପୃଥିଵୀରେ ଅନେକ ଭାଷାରେ ହଁ/Yes ପାଇଁ ପ୍ରଚଳିତ ଶବ୍ଦଗୁଡି଼କ ସାଧାରଣତଃ 
ଅ,ଇ,ଉ,ଏ,ଓ,ୟ,ହ ଆଦି ଵର୍ଣ୍ଣରୁ ଆରମ୍ଭ ହୋଇଥାଏ । ପୁନଶ୍ଚ କେତେକ ଭାଷାରେ ସ,ଜ,ଚ,ବ,ତ,ଡ ,ପ ,କ ଆଦି ଵର୍ଣ୍ଣରୁ ଆରମ୍ଭ ହେଉଥିଵା 'ହ/yes' ଅର୍ଥଜ ଶବ୍ଦ ପ୍ରଚଳିତ । ପୃଥିଵୀରେ ବହୁତ ଅଳ୍ପ ଭାଷାରେ ମ ଵର୍ଣ୍ଣରୁ ଵା 'M' alphabetରୁ ଆରମ୍ଭ ହେଉଥିଵା ଏହିପରି ଶବ୍ଦ ପ୍ରଚଳିତ ଉଦାହରଣ ସ୍ୱରୂପ ତାଈ-କଦାଇ ଭାଷାପରିଵାରର ଏକ ଜଣାଶୁଣା ଭାଷା Lao ଭାଷାରେ ແມ່ນ (mǣn), ແມ່ນແລ້ວ (mǣn lǣu), ໂດຍ (dōi) ଇତ୍ୟାଦି ଶବ୍ଦ ହଁ/Yes ଅର୍ଥରେ ପ୍ରୟୋଗ କରାଯାଏ । 

ତେବେ ଭିନ୍ନ ଭିନ୍ନ ଭାଷାପରିଵାରର ଭାଷା ହୋଇଥିଲେ ମଧ୍ୟ କେତେକ ଅଗୋତ୍ରୀୟ ଭାଷାରେ Yes/ହଁ ଅର୍ଥଜ ଶବ୍ଦ ମଧ୍ୟରେ ସମାନତା ଥିଵା ଦୃଶ୍ୟ ହୋଇଥାଏ । 

ଉଦାହରଣ ସ୍ୱରୂପ —
ଭାରୋପୀୟ ଭାଷା ସଂସ୍କୃତ ଭାଷାରେ
ହଂ,ଆମ୍,ଆମାମ୍ ଆଦି ଶବ୍ଦ ହଁ ଅର୍ଥରେ ପ୍ରୟୋଗ କରାଯାଏ ସେହିପରି ଦ୍ରାଵିଡ଼ ଭାଷାପରିଵାରର ତାମିଳ ଭାଷାରେ ஆம் (ām) ଓ ஆமாம் (āmām) ଭଳି ଶବ୍ଦ ପ୍ରଚଳିତ । 

ତେବେ ଓଡ଼ିଆ ଭାଷାରେ 'ହଁ' ଛଡ଼ା 'Yes' ଅର୍ଥଜ ଅନ୍ୟ କୌଣସି ଶବ୍ଦ ଅଛି କି ? 

ପ୍ରାଚୀନ ଓଡ଼ିଆ ସାହିତ୍ୟରେ 'ଅସ୍ତି' ଶବ୍ଦକୁ ହଁ ଅର୍ଥରେ ପ୍ରୟୋଗ କରାଯାଇଥିଵା ପୂର୍ଣ୍ଣଚନ୍ଦ୍ର ଭାଷାକୋଷରୁ ଜଣାଯାଏ । 

“ନାସ୍ତି ନୋହିଵଟି ଅସ୍ତି ସଦା କୃପା ପଣ।” (ଶିଵସ୍ୱରୋଦୟ।)

ଅସ୍ତି ଶବ୍ଦ ସଂସ୍କୃତ କ୍ରିୟା ଅସ୍ ଧାତୁ ୧ମ ପୁରୁଷ ଏକବଚନ ରୂପ ଏଵଂ ଏହାର ଅର୍ଥ ‘(ସେ) ଅଛି’ ଅଟେ । ଅସ୍ତି ଶବ୍ଦ ଵିଶେଷତଃ 'ହିଁ' ଅର୍ଥରେ ନାସ୍ତି ଶବ୍ଦ ପୂର୍ଵେ ସହଚରରୂପେ ଵ୍ୟଵହୃତ ହୁଏ। ଯଥା—

“ମୁଁ ତାଙ୍କୁ ଵିଵାହ ପ୍ରସଙ୍ଗ ପଚାରିଲି, ସେ ମତେ ଅସ୍ତି କି ନାସ୍ତି କିଛି କହିଲେ ନାହିଁ”

 କିନ୍ତୁ ଅସ୍ତି ଶବ୍ଦ ଏକାକୀ ହଁ ଅର୍ଥରେ ଵ୍ୟଵହାର ଵିରଳ ବୋଲି ଭାଷାକୋଷରେ ଉଲ୍ଲେଖ ଅଛି । 

ଏହିପରି ଆଉ କିଛି ଓଡ଼ିଆ ଶବ୍ଦ ଵିଷୟରେ ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଲେଖାଅଛି ଯେଉଁଗୁଡି଼କ ହଁ ଅର୍ଥରେ ଓଡ଼ିଆ ତଥା ସଂସ୍କୃତ ଭାଷାରେ ପ୍ରୟୋଗ କରାଯାଏ । ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ Yes/ହଁ ଅର୍ଥରେ ପ୍ରୟୋଗ କରାଯାଉଥିଵା ଓଡ଼ିଆ ଶବ୍ଦ ସଂଗ୍ରହକରିଵାରୁ ନିମ୍ନୋକ୍ତ ଶବ୍ଦଗୁଡ଼ିକ ପ୍ରାପ୍ତ ହେଲା । 

ମୂଳତଃ ଓଡ଼ିଆ ଶବ୍ଦ— 
•ଅଁ,ଆ,ଆଁ,ଏଁ,ଖୋ,ଛାମୁ,ହ,ହଁ,ହଅ,ହଇ,ହଉ,ହଏ,ହାଁ,ହୁଏ,ହୁଁ,ହେଁ,ହୈ,ହୈଟି,ହୋଇ,ହୋଏ,ହୋୟ

'ହଁ' ଅର୍ଥରେ ଵିଶେଷ ପ୍ରୟୋଗ ହେଉଥିଵା ସଂସ୍କୃତ ମୂଳର ଓଡ଼ିଆ ଶବ୍ଦ—

•ଅସ୍ତୁ,ଅସ୍ତି,ଆସ୍ତି,ଆଜ୍ଞା,ଅବଧାନ,ଚିତ୍ତ,ଇଷ୍ଟ,ଓମ୍,ଚ ଓ ଖଳୁ

ଵୈଦେଶିକ ମୂଳର ଶବ୍ଦ —
ଜୀ,ହଜୁର୍



ଆମ ଭାଷାରେ ଆଜ୍ଞା ଶବ୍ଦଟି ହଁ ଅର୍ଥରେ ସମ୍ମତି ସୂଚକ ଶବ୍ଦ ଭାବରେ ପ୍ରୟୋଗ କରାଯାଏ ଯେମିତି ହିନ୍ଦୀରେ ଜୀ ଶବ୍ଦ ଵ୍ୟଵହୃତ ହୋଇଥାଏ । 

କିନ୍ତୁ ଓଡ଼ିଆ ଭାଷାରେ ଵିଶେଷ କରି ଗଞ୍ଜାମୀ ଶୈଳୀରେ ଇଷ୍ଟ ଓ ଚିତ୍ତ ଶବ୍ଦଦ୍ଵୟ ମଧ୍ୟ ଆଜ୍ଞା ଶବ୍ଦ ଭଳି ହଁ ଅର୍ଥରେ ପ୍ରୟୋଗ କରାଯାଉଥିଲା ବୋଲି ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ କୁହାଯାଇଛି । ଭାଷାକୋଷ ଅନୁଯାୟୀ ଅଵିଭକ୍ତ ଗଞ୍ଜାମ ଜିଲ୍ଲାରେ ଆଗେ ଅଧୀନସ୍ଥ ଵ୍ୟକ୍ତିମାନଙ୍କର ଉପରିସ୍ଥ ଵ୍ୟକ୍ତିଙ୍କ କଥାରେ ସମ୍ମତି ଜଣାଇଵା ବେଳେ ଇଷ୍ଟ ଶବ୍ଦଟି “Yes; as you wish” ପରି ପ୍ରୟୋଗ କରାଯାଉଥିଲା ।‌ (ଯଥା — ଆପଣଙ୍କ ଇଷ୍ଟ; ଯାହା ଆପଣଙ୍କ ଆଜ୍ଞା; ଯେ ଆଜ୍ଞା) ।‌ ଇଷ୍ଟ ଶବ୍ଦର ଅର୍ଥ ଅଭିଳଷିତ ଓ ଅଭିଳାଷ । “ହଁ ! ଯାହା ତୁମର ଇଚ୍ଛା” ଏତକ ନକହି ଗଞ୍ଜାମଵାସୀ କେଵଳ ଇଷ୍ଟ କରିଦେଉଥିଲେ । 

ପୁଣି ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଚିତ ଶବ୍ଦ ତଳେ ଲିଖିତ ଅଛି ଯେ ଯେମିତି “ଗୁରୁଜନ ଵା ହାକିମ କୌଣସି ଆଦେଶ ଦେଲେ ଓଡ଼ିଶାରେ ଯେପରି ''ଅବଧାନ୍, ହଉ, ଆଜ୍ଞା'' ଇତ୍ୟାଦି ସମ୍ମତି ସୂଚକ ଵାକ୍ୟ କୁହାଯାଏ ଠିକ୍ ସେହିପରି ଗଞ୍ଜାମୀ ଓଡ଼ିଆମାନେ ''ଚିତ, ଚିତ୍ତ'' କହନ୍ତି।” ଚିତ୍ତ ଶବ୍ଦର ଆକ୍ଷରିକ ଅର୍ଥ ମନ ତେବେ ଗଞ୍ଜାମଵାସୀ ଆଗେ ଏହି ଶବ୍ଦକୁ “ହେଉ; ଆପଣଙ୍କ ଇଚ୍ଛା; ଆପଣଙ୍କ ମରଜି” ଆଦି ଅର୍ଥରେ ପ୍ରୟୋଗ କରୁଥିଲେ । 

ପୂର୍ବାଞ୍ଚଳରେ ଵିଶେଷତଃ କଟକ, ଖୋର୍ଦ୍ଧା,ପୁରୀ ଆଦି ଅଞ୍ଚଳରେ ଲୋକେ ଏତଦ୍ ପରିଵର୍ତ୍ତେ ହଁ/ଆଜ୍ଞା ଅର୍ଥରେ ଛାମୁ ତଥା ଓମ୍ ଶବ୍ଦ ଵ୍ୟଵହାର କରୁଥିଵା ପୂର୍ଣ୍ଣଚନ୍ଦ୍ର ଭାଷାକୋଷରୁ ଜଣାଯାଏ । 

ଶିଷ୍ୟ ଗୁରୁଙ୍କୁ କିମ୍ବା ପ୍ରଜା ରାଜାଙ୍କୁ ଉତ୍ତର କରିଵାରେ 'ଛାମୁ' ଅଵ୍ୟୟଟି ଆଜ୍ଞା; ଅଵଧାନ; ହଁ ପରି ପ୍ରୟୋଗ କରାଯାଉଥିଲା । ସେହିପରି ସାଧୁ ସନ୍ୟାସୀମାନେ ପରସ୍ପରକୁ ସ୍ୱୀକାର,ଅନୁମତି,ଆରମ୍ଭ, ପ୍ରଶ୍ନ, ରୋଷ, ଅପାକରଣ,ଅଵଧାରଣ ଓ ମଙ୍ଗଳ ଅର୍ଥରେ ଓମ୍ ଶବ୍ଦକୁ ‘ହଁ’ , ଆଜ୍ଞା ଶବ୍ଦ ଭଳି ପ୍ରୟୋଗ କରୁଥିଲେ । ପଶ୍ଚିମ ଓଡ଼ିଶାର ସମ୍ବଲପୁରୀ ଓଡ଼ିଆରେ 'ଖୋ' ଶବ୍ଦକୁ ହଁ ଅର୍ଥରେ ଵ୍ୟଵହାର କରାଯାଉଛି ।‌

ତେବେ ହଁ,ଆଜ୍ଞା ଇତ୍ୟାଦି କୌଣସି ଶବ୍ଦ ନକହି କେଵଳ ମୁଣ୍ଡ ହଲେଇଵା ଦ୍ଵାରା ମଧ୍ୟ ସମ୍ମତି ପ୍ରଦାନ କରାଯାଏ ଵା ସାଙ୍କେତିକ ଭାଷାରେ ହଁ କୁହାଯାଏ ।‌ ଏଥିପାଇଁ ମୁଣ୍ଡକୁ ଥରେ ମାତ୍ର ଗୋଟିଏ ପାଖକୁ ଅଥଵା ଉପରୁ ତଳକୁ ଚାଳିତ କଲେ ତହିଁରୁ ସମ୍ମତି ଜଣାପଡ଼େ । ଏହି ସାଂକେତିକ ଭାଷାଟି ହେଉଛି ପୃଥିଵୀର ସର୍ଵପୁରାତନ ଭାଷା ଏଵଂ ତଳ ଉପର ଵା ଏଖପାଖକୁ ମୁଣ୍ଡ ହଲେଇଵା ହେଉଛି ହଁ,ଆଜ୍ଞା,yes ଅର୍ଥଜ ଵିଶ୍ଵର ସର୍ଵପୁରାତନ ପ୍ରତିଶବ୍ଦ ।

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...