Saturday, May 23, 2020

ପ୍ରହରାଜ ସୂକ୍ତି ସଂଗ୍ରହ ୧

ଓଡ଼ିଆ ଶବ୍ଦକୋଣାର୍କ ପୂର୍ଣ୍ଣଚନ୍ଦ୍ର ଭାଷାକୋଷର  ବିଶୁ ମହାରଣା ଶ୍ରୀ ଗୋପାଳ ଚନ୍ଦ୍ର ପ୍ରହରାଜଙ୍କର ଏକ ପ୍ରବନ୍ଧରୁ ସଂଗୃହୀତ କେତେକ ମୁଖ୍ୟ ମୁଖ୍ୟ ସୂକ୍ତି ...

୧)ଭାରତର ପ୍ରାଦେଶିକ ଭାଷା ମାନଙ୍କ ମଧ୍ୟରେ ଓଡ଼ିଆ ଗୋ ପୁରାତନ ଓ ଶବ୍ଦବହୁଳ ଭାଷା ଅଟେ

୨)ହିନ୍ଦୀ ଓ ବଙ୍ଗାଳୀଭାଷାରେ ଶବ୍ଦ ଶେଷରେ ଥିଵା ଅକାରାନ୍ତ ଵର୍ଣ୍ଣର ଉଚ୍ଚାରଣ ଵିଷୟରେ ଵିଭ୍ରାଟ ଦେଖାଯାଏ ପୁନଶ୍ଚ ଏହି ନିୟମ ତତ୍ତତ୍ ଭାଷାରେ ସର୍ଵତ୍ର ପାଳିତ ହୁଏ ନାହିଁ । ହିନ୍ଦୀରେ ଅନସ୍ଵାର ଓ ଚନ୍ଦ୍ରଵିନ୍ଦୁର ଵ୍ଯଵହାର ଓ ଉଚ୍ଚାରଣରେ ଵିଭ୍ରାଟ ଦେଖାଯାଏ । ହିନ୍ଦୀରେ ଓ ବଙ୍ଗାଳୀରେ ଳ ଓ ଣ ଉଚ୍ଚାରଣର ଅସ୍ତିତ୍ୱ ନାହିଁ । ହିନ୍ଦୀରେ ଯ ଓ ୟ ର ପୃଥକ୍ ଉଚ୍ଚାରଣ ପରିଲକ୍ଷିତ ହୁଏ ନାହିଁ । ଓଡ଼ିଆ ଭାଷାରେ ଏସବୁ ଦୋଷ ପରିଲକ୍ଷିତ ହୁଏନାହିଁ  ।

୩)ମୋର ସମସ୍ତଙ୍କଠାରେ ନିଵେଦନ ଏହିକି,ଆମ ମାତୃଭାଷାର (ଏହି) ଵୈଶିଷ୍ଟ୍ଯଗୁଡ଼ିକୁ ଆମ୍ଭେମାନେ ଛାଡି଼ଵା ନାହିଁ ଓ ଯଥାଶକ୍ତି ଉଚ୍ଚାରଣ ସାଙ୍ଗେ  ଲେଖାର ସମତା ରକ୍ଷା କରିଵା ।

୪)ସଂସ୍କୃତ ସଙ୍ଗେ ଓଡ଼ିଆ ଭାଷାର ଦୃଢ଼ ସମ୍ବନ୍ଧ ଥିଵା କଥା କେହି ଅସ୍ଵୀକାର କରିଵେ ନାହିଁ । ଏପରି ସ୍ଥଳରେ  ଅନେକ ଵିଷୟରେ ସଂସ୍କୃତ ଵ୍ଯାକରଣର ନିୟମଗୁଡି଼କୁ ବରାବର ଵର୍ଜନ କରି ଓଡ଼ିଆ ଭାଷା ଵ୍ଯଵହାର କରିଵା
ଉଚିତ୍ ନୁହେଁ ବୋଲି ମୋ ମତ ।

୫)ଅନସ୍ଵାର ପ୍ରେମର ପ୍ରଗତି ପହଞ୍ଚିଲାଣି ମାନସିଂହ ସ୍ଥଳରେ ମାନସିଂ ଵ୍ଯଵହାରରେ...
       (ଵର୍ଣ୍ଣହତ୍ଯାକାରୀଙ୍କ ପ୍ରତି କଟାକ୍ଷ 😂)

୬)କେତେକ ଆଧୁନିକ କଵିତା ରଚକ ଯେଉଁ ଛନ୍ଦରେ ଓ ଭାଷାରେ କଵିତା ରଚନା କରୁଅଛନ୍ତି ତାହା ଓଡ଼ିଆ ସଂସ୍କୃତି ଭିତ୍ତି ଉପରେ ପ୍ରତିଷ୍ଠିତ ନହେଵାରୁ ଲେଖକମାନଙ୍କର କେଵଳ ମନବୋଧ ହେଉଅଛି ,କିନ୍ତୁ ତାହା ସାଧାରଣଙ୍କ ସୁଖସେଵ୍ଯ ହେଉନାହିଁ (କାଳଜୟୀ 🤗)  ।

୭)"ଵାସଃ ପ୍ରଧାନଂ ଖଳୁ ଯୋଗ୍ଯତାୟାଃ" ! ଯୋଗ୍ଯତା ଵିଚାରରେ ପରିଧାନ ପ୍ରଥମ ସ୍ଥାନ ଅଧିକାର କରିଥାଏ । ଭାଷା ଓ ଛନ୍ଦ କଵିତାର ପରିଧାନ; ଏ ଦୁଇଟି ଚିତ୍ତାକର୍ଷକ ନହେଲେ ପାଠକ ଓ ଶ୍ରୋତାଙ୍କ ମନୋରଞ୍ଜନ କରିଵାକୁ ଅସମର୍ଥ ହୁଏ ଓ ଫଳତଃ ପତ୍ରିକାରେ ପ୍ରକାଶିତ କଵିତା ପୃଷ୍ଠାଗୁଡ଼ିକ ପୋଟଳି ବଣିଆଙ୍କ ଗୁଜରାଣ ଚଳାଇଵାରେ ଲାଗେ ...

୮)ଆମ୍ଭମାନଙ୍କୁ ଅଵଶ୍ଯ ଏହା ସ୍ଵୀକାର କରିଵାକୁ ହେଵ ଯେଉଁ ଯେଉଁ ଶବ୍ଦ ନାହିଁ, ଵିଜ୍ଞାନ ଆଦିର ଆଲୋଚନା ତଥା ଶିକ୍ଷାଵିସ୍ତାର ଫଳରେ ଯେଉଁ ଯେଉଁ ଵୈଜ୍ଞାନିକ ଏଵଂ ପାରିଭାଷିକ ଶବ୍ଦମାନ ହାବୁଡେ଼ ପଡି଼ଛି ତାକୁ ସବୁ ଅନ୍ୟ ଭାଷାରୁ ନ ଆଣିଲେ ଚରିଵ ନାହିଁ ।  କିନ୍ତୁ ଏ ଯୁକ୍ତିର ଦ୍ଵାହି ଦେଇ ବିନା ଆଲୋଚନାରେ ଓ ବିନା ଵିଚାରରେ  ଯେଚ୍ଛାତା ଆଣି ଆମ ଭାଷାରେ ପୂରାଇଵା ଉଚିତ୍ ଵା ସୁନ୍ଦର ନୁହେଁ ।

୯)ଯେଉଁ ଯେଉଁ ଵୈଦେଶିକ ଶବ୍ଦ ଓଡ଼ିଆ ଭାଷାରେ ଵ୍ଯଵହାର ନକଲେ ନଚଳେ ତତ୍ତଦ୍ ଶବ୍ଦଗୁଡ଼ିକର ଵୈଦେଶିକ ଆକାରକୁ କଥାରେ ଓ ଲେଖାରେ ସମାନ ରଖିଵା ଉଚିତ୍ ।

୧୦)ଓଡ଼ିଆ ଭାଷାରେ ଅଵର୍ଗ୍ଯ ‛ଵ’ ପାଇଁ ଗୋଟିଏ ସ୍ଵତନ୍ତ୍ର ଅକ୍ଷର ନପୂରାଇଲେ କାମ ଚଳିଵ ନାହିଁ ...

(ଶ୍ରୀପ୍ରହରାଜଙ୍କ ଆଶା ପୂରଣ ହୋଇଛି; ଆଜି ଅଵର୍ଗ୍ଯ ଵ ଵର୍ଣ୍ଣ ପାଇଁ ପାଇଁ ଆମ ପାଖରେ “ଵ” ଅକ୍ଷର ରହିଛି)

୧୧)ସାହିତ୍ୟ ଓ ପତ୍ରିକା କ୍ଷେତ୍ରରେ ଯେଉଁମାନେ ପ୍ରତିଷ୍ଠା ଲାଭ କରିଅଛନ୍ତି ସେମାନଙ୍କ ଉପରେ ଦେଶର ନଵ୍ଯ ଲେଖକମାନଙ୍କ ଲେଖାର ରୀତି ଓ ଶୁଦ୍ଧି ଅନେକ ପରିମାଣରେ ନିର୍ଭର କରୁଅଛି । ସେମାନେ ଅସଂଯତ ହେଲେ ଭାଷାର ନିୟାମକ ହେଵ କିଏ ?
(ଵର୍ଣ୍ଣହତ୍ଯାକାରୀ ଦଳଙ୍କୁ ଉପଦେଶ 😉)

୧୨)ପ୍ରଥମରେ ଭାଷାର,ତାପରେ ଲେଖାର ସୃଷ୍ଟି ,ଏହା ଭାଷାତତ୍ତ୍ଵଵିଦ୍'ମାନେ ସ୍ଥିର କରିଅଛନ୍ତି ।  ଵ୍ଯାକରଣକାର ତୁଳନାମୂଳକ ଗଵେଷଣା ସାହାଯ୍ୟରେ ଭାଷାରୁ ଓ ଲେଖାରୁ ଵ୍ଯାକରଣ ପାଇଁ ନିୟମମାନ ସଙ୍କଳନ କରନ୍ତି ।  ଵ୍ଯାକରଣ ସଂକଳନ ପରେ ଭାଷା ଓ ସାହିତ୍ୟ ଛାଞ୍ଚରେ ପଡି଼ଯାଏ ।  ଵ୍ଯାକରଣଦ୍ଵାରା (ଭାଷାରେ) ଉଚ୍ଛୃଙ୍ଖଳତାର  ବାଟବୁଜା ହୋଇଯାଏ; ଵିଵାକ୍ ବୁଜା ହୋଇନଗଲେ ମଧ୍ୟ ସେ ବାଟରେ ଡିଆଁ(style) ବସିଯାଏ ।

୧୩)ସମାଲୋଚକଙ୍କ ଆସନ  ଅତି ଉଚ୍ଚ ଓ ପଵିତ୍ର । ସମାଲୋଚକଙ୍କ ଲେଖନୀ ଜିଘାଂସୁର ଅସି ନୁହେଁ,କିଂଵା ରଡ଼ ସାଧିଵାର ଠେଙ୍ଗଣୀ ନୁହେଁ । ଉଚ୍ଛୃଙ୍ଖଳତା ନିଵାରଣ କରିଵା ଓ ସୁଲେଖକଙ୍କୁ ସମୁତ୍ସାହିତ କରିଵା ସମାଲୋଚକଙ୍କ କାର୍ଯ୍ୟ । ସମାଲୋଚନାର ସୌରଭ ଭାଷାକୁ ଓ ସାହିତ୍ୟକୁ ଆମୋଦିତ କରେ ।

୧୪)ଚାଲନ୍ତୁ ସମସ୍ତେ ମିଶି ମାତୃଭାଷାର ଉନ୍ନତି କରିଵା ଦିନେ ଆମ ମାତୃଭାଷା―ପ୍ରତିଵେଶୀଙ୍କ ଦ୍ଵାରା ଅଵହେଳିତ ଓଡ଼ିଆ ଭାଷା , ଆନ୍ତର୍ଜାତୀୟ ଭାଷା ସଂସଦରେ ଵିଶିଷ୍ଟ ଓ ମହନୀୟ ଆସନ ଅଧିକାର କରିଵ । ଭଗଵାନ୍ ଏ ଦିନ ଚଞ୍ଚଳ ଆଣନ୍ତୁ ଓ ତାଙ୍କ ମଙ୍ଗଳମୟ ପ୍ରେରଣା ଦ୍ଵାରା ଆମ ଦେଶ ,ଆମ ଜାତି,ଆମ ଭାଷା ଓ ସାହିତ୍ୟ ଗୌରଵମଣ୍ଡିତ ହେଉ...

............................
.....................................
...............................................
.........................................................
...................................................................

No comments:

Post a Comment

Dancing Mania: ମଧ୍ୟଯୁଗୀୟ ୟୁରୋପର ରହସ୍ୟମୟ ମୃତ୍ୟୁ ନୃତ୍ୟ

ମଧ୍ୟଯୁଗୀୟ ଇଉରୋପରେ ପ୍ଲେଗ୍‌ ଵ୍ୟାପିଵା ସହିତ ଧର୍ମୀୟ ଉତ୍ତେଜନା ମନୁଷ୍ୟ ମନକୁ ଆତଙ୍କିତ କରୁଥିଲା ବେଳେ, ଏକ ଅଜଣା ଓ ରହସ୍ୟମୟ ଘଟଣା ସମାଜକୁ ଆହୁରି ଭୟଭୀତ କରିଥିଲା ...