Sunday, October 8, 2017

ଅରଟ ଓ ଅରଟ ଗୀତ

ଏକ ପ୍ରକାରର ଚକଯୁକ୍ତ ଦେଶୀୟ ସୂତାକଟା ଯନ୍ତ୍ର । 
ଆମେ ଓଡ଼ିଆମାନେ ଏ ଯନ୍ତ୍ରକୁ ଅରଟ କହୁଥିଲାବେଳେ 
ହିନ୍ଦୀ ତଥା ବଙ୍ଗାଳି ମାନେ ଚରଖା କୁହନ୍ତି ।
ଅରଟ ଶବ୍ଦର ସଂସ୍କୃତ ପ୍ରତିଶବ୍ଦ 
ଅରଘଟ୍ଟ ବୋଲି ପଣ୍ଡିତ ବିମସ୍ ତାଙ୍କ ଶବ୍ଦକୋଷରେ ଲିପିବଦ୍ଧ କରିଅଛନ୍ତି ।
ଅରଘଟ ଶବ୍ଦର ସଂସ୍କୃତ ନିରୁକ୍ତୀ => 
ଅର(ଶିଘ୍ର ଶିଘ୍ର) +ଘଟ୍ ଧାତୁ(ଚାଳିତ କରିବା) କର୍ତ୍ତୁ.ଅ.....
ଅର୍ଥାତ୍ ଯାହାକୁ ଶିଘ୍ର ଶିଘ୍ର ଚାଳିତ କରିବାକୁ ହୁଏ ।
ସେଇଭଳି ହିନ୍ଦୀର चरखा ଶବ୍ଦଟି ଏକ ଫାର୍ସୀ ଶବ୍ଦ 
चर्खाରୁ ନିଆଯାଇଛି ।

ଫାର୍ସୀ ଶବ୍ଦ ଚର୍ଖାର ଅର୍ଥ ଚକ ଏବଂ ଏ ଶବ୍ଦ ପୁଣି ଭାରତୀୟ ଶବ୍ଦ ଚକ୍ର ସହ ପାରସ୍ପରିକ ସଂପର୍କ ଥିବା ଏକ ପାରସିକ ପ୍ରତିଶବ୍ଦ....
ଭାରତରେ ପାର୍ସୀର ଏହି ଚର୍ଖା ଶବ୍ଦରୁ
ଚରଖା,ଚରକା ଶବ୍ଦ ଆସି ପ୍ରଚଳିତ ହୋଇଛି ।
ଭାରତର ସ୍ଵତନ୍ତ୍ରତା ସଂଗ୍ରାମ କାଳରେ ଅରଟ ହୋଇଯାଇଥିଲା ଆର୍ଥିକ ସ୍ଵାବଲମ୍ଭନ ର ରାଷ୍ଟ୍ରୀୟ ପ୍ରତୀକ....
ଇଂରେଜ ମାନଙ୍କର ଭାରତ ଆସିବା ପୂର୍ବରୁ ସମଗ୍ର ଦକ୍ଷିଣ ଏସିଆର ଲୋକେ ଅରଟ ସୂତାରେ ତିଆରି ଖାଦୀ ବା ଖଦଡ଼ ଲୁଗାର ବ୍ୟବହାର କରୁଥିଲେ ।
1500 ଖ୍ରୀଷ୍ଟାବ୍ଦ ବେଳକୁ ଭାରତର ହସ୍ତକଳା ବୟନଶିଳ୍ପ ସାରା ବିଶ୍ବରେ ସର୍ଵାଧିକ ଶ୍ରେଷ୍ଠ 
ପରିଗଣିତ ହେଉଥିଲା ।
ସନ୍ 1702 ରେ କେବଳ ଇଂଲଣ୍ଡ 
ଭାରତରୁ 10,53,725 ପାଉଁଣ୍ଡ ମୂଲ୍ୟର ଖାଦୀ କିଣିଥିଲା ।
ମାର୍କୋପୋଲୋ ଏବଂ ଟେଵର୍ନିୟର ଖାଦୀକୁ ନେଇ ଅନେକ ସୁନ୍ଦର ସୁନ୍ଦର କବିତା ଲେଖିଅଛନ୍ତି ।
ଅରଟ ବହୁପ୍ରଚଳିତ ହୋଇ ମଧ୍ଯ ଇଂରାଜୀ ଶାସନକାଳରେ ବୈଦେଶିକ କପଡ଼ା ଯୋଗୁଁ ଏହାର ବ୍ୟବହାର ହ୍ରାସ ପାଇଥିଲା 
। ମହାତ୍ମା ଗାନ୍ଧୀ 1908ରେ ଇଂଲଣ୍ଡରେ ଥିଲା ବେଳେ ପ୍ରଥମେ ସେ ଅରଟ ବିଷୟରେ ବିଚାର କରିବା ଆରମ୍ଭ କରିଦେଲେ । ବହୁ ବର୍ଷ ପରେ 
1916ରେ ସାଵରମତୀ ଆଶ୍ରମ ସ୍ଥାପନ ପରେ 
1918ରେ ଏ ଆଶ୍ରମରେ ପ୍ରଥମେ ଏକ ଠିଆ ଅରଟ ଅଣାଯାଇଥିଲା  ।

ଏଇଠି କହିରଖେ....
ପ୍ରକାର ଦୃଷ୍ଟିରୁ ଅରଟ ସାଧାରଣତଃ ଦୁଇ ପ୍ରକାରର 
1.ଠିଆ ଅରଟ 
2.ବସା ଅରଟ
ଠିଆ ଅରଟ ଅପେକ୍ଷାକୃତ ବଡ଼ ଏବଂ ଦେଶର ଭିନ୍ନ ଭିନ୍ନ ଅଞ୍ଚଳରେ ଏହାର ଆକାର ପ୍ରକାରରେ ଭିନ୍ନତା ଦେଖାଯାଏ ।
ବସା ଅରଟ ଆଧୁନିକ ଅରଟ ....
ଗାନ୍ଧୀ ଯୁଗରେ ଏହାର ପ୍ରଚଳନ ବଢିଥିଲା 
ଏବଂ ଆଜି ଅଧିକାଂଶ ଅରଟ କହିଲେ 
ବସା ଅରଟ କୁ ହିଁ ନିଜ ମାନସପଟଳରେ ଆଣିଥାନ୍ତି ! 
ଧୀରେ ଧୀରେ ଅରଟକୁ କଂଗ୍ରେସ ନିଜର 
ଅସ୍ତ୍ର ଭଳି ବ୍ୟବହାର ଆରମ୍ଭ କରିଦେଲା । ତେବେ 1923 ଯାଏଁ ଏ ବାବଦ ସେତେ ଆଖିଦୃଶିଆ କାର୍ଯ୍ୟ ହୋଇନଥିଲା ।
22 ସେପ୍ଟେମ୍ବର 1925 ରେ ଅଖିଳ ଭାରତ ଚରଖା ସଂଘର ସ୍ଥାପନା ପରେ ଏ ଦିଗରେ ଏକ ବଡ଼ ପଦକ୍ଷେପ ଉଠିଯାଇଥିଲା ।
ସ୍ଵାଧୀନତା ପରେ ମଧ୍ୟ କିଛି ବର୍ଷ ଯାଏଁ 
କଂଗ୍ରେସର ଦଳୀୟ ଧ୍ଵଜାରେ ଅରଟ ଚିହ୍ନ ଶୋଭାପାଉଥିଲା । ଭାରତର ସ୍ଵାଧୀନତା ପୂର୍ବବର୍ତ୍ତୀ ରାଷ୍ଟ୍ରୀୟ ପତାକାରେ ମଧ୍ୟ ଅରଟ ହିଁ ରାଷ୍ଟ୍ରୀୟ ଚିହ୍ନ ସ୍ଵରୂପ ସ୍ଥାନିତ ହୋଇଥିଲା ।....

ଆଗକାଳରେ ଅରଟ ବୁଲେଇବା ଲୋକ ନିଜର କ୍ଲାନ୍ତି ଅପନୋଦନର୍ଥ
କେତେକ ଗୀତ ବୋଲୁଥିଲେ ଏବଂ ପରସ୍ପର ସହ ତଟାଗମାତରେ ସ୍ଵ ସ୍ଵ କର୍ମଶ୍ଳାଘା ଦୂରକରୁଥିଲେ .....

ସେଇଭଳି
ଗୋଟିଏ ଅରଟଗୀତ ନିମ୍ନରେ ଦିଆଗଲା:-

●■■■■■■■■■■■■■■■■■■■■
ଅରଟ ଗୁଇଁ ଗୁଇଁ ଲୋ ବୁଢି଼ ! 
ତୋ ସୂତା ନଟେଇ କାହିଁ ?

ସୂତା ନଟେଇ ନାହିଁ ରେ ବୁଢା଼ ! 
ନିତି ହାଟକୁ ଯାଇଁ ।

ନିତି ହାଟକୁ ଯାଉ ଲୋ ବୁଢି଼ !
ତୋ କଉଡ଼ି ବୁଜୁଳି କାହିଁ ?

କଉଡ଼ି ବୁଜୁଳି ନାହିଁ ରେ ବୁଢା଼ !
ବଙ୍ଗଳା ପାନ ଖାଇ ।

ବଙ୍ଗଳା ପାନ ଖାଉ ଲୋ ବୁଢ଼ୀ । 
ତୋ ପାଟି ନାଲି ନାହିଁ ।

ପାଟି ନାଲି ନାହିଁରେ ବୁଢ଼ା ! 
ପାହାନ୍ତି ପଖାଳ ଖାଇ ।

ପାହାନ୍ତି ପଖାଳ ଖାଉ ଲୋ ବୁଢୀ଼ !
ତୋ ପେଟ ଉଞ୍ଚ ନାହିଁ ।

ପେଟ ଉଞ୍ଚ ନାହିଁରେ ବୁଢ଼ା ! 
ସକାଳୁ ବାଡ଼ି କି ଯାଇଁ ।।

ସକାଳୁ ବାଡି଼କୁ ଯାଉଲୋ ବୁଢୀ଼ । 
ତୋ ପାଦ ତ ଓଦା ନାହିଁ ।

ପାଦ ଓଦା ନାହିଁରେ ବୁଢା଼ ! 
ନିଆଁ କୁ ଦେଖେଇ ଥାଇଁ ।

ନିଆଁକୁ ଦେଖେଇ ଥାଉ ଲୋ ବୁଢୀ଼ ! 
ଗୋଡ଼ ତ ଉଷୁମ ନାହିଁ ।

ଗୋଡ଼ ଉଷୁମ ନାହିଁରେ ବୁଢା଼ । 
ଦିହରେ ବହପ କାହିଁ ?

■■■■■■■■■■■■■■■■■■■■●

No comments:

Post a Comment

ଓଡ଼ିଆମାନେ Cockroachକୁ ଅସରପା କାହିଁକି କୁହନ୍ତି ?

ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ  ଅସରପା ଶବ୍ଦର ଵିଶେଷ୍ୟ ଅର୍ଥ Cockroach ତଥା ଵିଶେଷଣ ଅର୍ଥ ମନ୍ଦବୁଦ୍ଧି,ଅପ୍ରତିଭ,ମୂର୍ଖ ତଥା ଅଥରପା ଲେଖା ହୋଇଛି । ଅଥରପ...