Monday, July 1, 2019

ଡାକ୍ତର ଶବ୍ଦର କୌଣସି ଓଡ଼ିଆ ପ୍ରତିଶବ୍ଦ ଅଛି କି ?





ଆମ ଭାଷାରେ ଇଂରାଜୀର Doctor ଶବ୍ଦଟି ଡାକ୍ତର ହୋଇ ଚଳୁଅଛି । କ'ଣ ଓଡ଼ିଆ ଭାଷାରେ କୌଣସି ଶବ୍ଦ ନାହିଁ ଯେ ଏହି ଵୈଦେଶିକ ଶବ୍ଦଟି ଚଳୁଅଛି ? 

ନା...

ଆମ ପାଖରେ Doctorର ଭାରତୀୟ ପ୍ରତିଶବ୍ଦ ବହୁତ ଅଛି 

ଯଥା:-

✓ଅଗଦଂକାର—ଅଗଦଂ ଵା ମନୁଷ୍ଯକୁ ଯେ ନୀରୋଗ କରନ୍ତି

✓ଆୟୁର୍ଵେଦୀ—ଯେ ପତ୍ର ପୁଷ୍ପା ଵୀଜ ଓ ଚେରାଦିର ରସ ଦ୍ଵାରା ଚିକିତ୍ସା କରନ୍ତି



✓କଵିରାଜ—କବି ଶବ୍ଦର ଏକ ଅର୍ଥ ଵିଦ୍ଵାନ ତେଣୁ ଯାହାଙ୍କର ରୋଗ ଓ ଔଷଧ ଵିଷୟକ ଜ୍ଞାନଥାଏ ସେ କଵିରାଜ ଅଟନ୍ତି । 


✓ଚିକିତ୍ସକ—ଯେ ରୋଗନାଶ ହେତୁ ଚିକିତ୍ସା କରନ୍ତି


✓ଜାୟୁ—ଜି ଵା ଜୀଵନ ରକ୍ଷା ହେତୁ ଯେ ଚେଷ୍ଟା କରନ୍ତି



✓ଜୀଵଦ—ଯେ ପ୍ରାଣ ଦାନ କରେ ଜୀଵ ବଞ୍ଚାଏ, ଯେ ଜୀଵଦାତା ,ପ୍ରାଣଦାତା ସେ ଜୀଵଦ


✓ଦୋଷଜ୍ଞ—ଶରୀରର ଦୋଷ ଵିଷୟରେ ଜ୍ଞାତା

✓ନରେନ୍ଦ୍ର—ନର ଵା ମାନଵଙ୍କ ମଧ୍ୟରେ ଯେ ଇନ୍ଦ୍ର ଅର୍ଥାତ୍ ଶ୍ରେଷ୍ଠ

✓ନାଡି଼ଚିପା—ଯେ ନାଡ଼ି ଦେଖି ପଥି ଵା ଔଷଧ ଦିଅନ୍ତି

✓ନାଡି଼ଜ୍ଞ—ନାଡି଼ ଦେଖି ଯେ ଔଷଧ ଦିଅନ୍ତି


✓ଵିଧି—ଯେ ଵିଶେଷ ଭାଵେ ଧା ଅର୍ଥାତ୍ ଵିଧାତା ଵା ଭଗଵାନ ପଦଵାଚ୍ଯ 



✓ବେଜ୍—ଏହି ଉପନାମଧାରୀ ଲୋକେ ପୂର୍ଵେ ଵୈଦ୍ଯ କାର୍ଯ୍ୟ କରୁଥିଵା ହେତୁ ଏ ଶବ୍ଦର ଏକ ଅର୍ଥ ଵୈଦ୍ଯ ଅଟେ ।


✓ଵୈଦ୍ଯ/ଵଇଦ— ଯେ ଵେଦ ଵା ଆର୍ୟୁଵେଦ ସାହାଯ୍ୟରେ ଚିକିତ୍ସା କରନ୍ତି


✓ଭିଷକ—ରୋଗର ପ୍ରତିକାର କରୁଥିଵା ଵ୍ଯକ୍ତି;ଭିଷ୍ ଧାତୁର ଅର୍ଥ ରୋଗ ପ୍ରତିକାର କରିଵା



✓ମରମତ୍/ମରମତି—ଏହା ଓଡି଼ଆ ଭାଷାର ନିଜସ୍ବ ଶବ୍ଦ ଏଵେ ଲୁପ୍ତପ୍ରାୟ ! ବୋଧହୁଏ ମର୍ମ ବୁଝୁଥିଵା ହେତୁ ଚିକିତ୍ସକଙ୍କୁ ମରମତ୍ ଵା ମରମତି କୁହାଯାଉଥିଲା । 


✓ରୋଗଘ୍ନ/ରୋଗଜ୍ଞ/ରୋଗହ—ରୋଗ ଵିଷୟରେ ଜାଣି ତାକୁ ମାରିପାରୁଥିଵାର ସାମର୍ଥ୍ୟ ଯାହା ପାଖରେ ଥାଏ 



ଏହାଛଡ଼ା ଆହୁରି ଅନେକ ଦେଶଜ ଶବ୍ଦ ମଧ୍ୟ ଚଳୁଥାଇପାରେ । କିଛି ଏଵେ ବି ଚଳୁଥିଵ କିନ୍ତୁ ଅଧିକାଂଶ ଏହି ଵୈଦେଶିକ ଡକ୍ଟର ଶବ୍ଦର ବହୁଳ ଵ୍ଯଵହାର ଯୋଗୁଁ ଲୁପ୍ତ ହୋଇଗଲାଣି । 



ସେ ଯାହାହେଉ ଇଂରାଜୀରେ ଆଜି ଚିକିତ୍ସକ ପାଇଁ ଯେଉଁ ଡକ୍ଟର ଶବ୍ଦଟି ଵ୍ଯଵହାର ହେଉଛି ପୂର୍ଵେ ତାହା doctour ଲେଖାଯାଇଥିଲା ଏଵଂ ଅର୍ଥ ଥିଲା ବିଶେଷଜ୍ଞ । ମଧ୍ୟଯୁଗୀୟ doctour ଶବ୍ଦଟି ଏକ ଆଙ୍ଗ୍ଲୋ ନୋର୍ମନ୍ ଶବ୍ଦ ଅଟେ ।  


ଇଂରାଜୀ ଭାଷାରେ ଚିକିତ୍ସକ ଅର୍ଥରେ ଚଳୁଥିଵା ଡକ୍ଟର ଶବ୍ଦଟି doctourର ଆଧୁନିକ ରୂପ କିନ୍ତୁ ଯେଉଁ docter ଶବ୍ଦଟି ଚିକିତ୍ସକ ଭିନ୍ନ ଅନ୍ଯ ପୋଶାର ଜ୍ଞାତା—ଵିଶେଷଜ୍ଞଙ୍କ ଅର୍ଥରେ ଵ୍ଯଵହୃତ ହୁଏ ତାହାର ମୂଳ ଲାଟିନ୍ ଭାଷାର doctor ଶବ୍ଦ ଅଟେ । 



ଲାଟିନ ଭାଷାରେ doctor ଶବ୍ଦର ଅର୍ଥ ଶିକ୍ଷକ ଵା ଗୁରୁ ଏଵଂ ଏ ଶବ୍ଦର ମୂଳ ହେଉଛି “doceō” ଯାହାର ଅର୍ଥ “ମୁଁ ଶିଖାଏ” । ଇଂରାଜୀରେ ଡକ୍ଟର ଶବ୍ଦର ପୂର୍ଵ ରୂପ ‘doctour’ ପ୍ରଚଳନ ହେଵା ଆଗରୁ ଆଉ ଏକ ଶବ୍ଦ ଚଳୁଥିଲା  lerare ଏଵଂ ଏହାର ଅର୍ଥ ଥିଲା ଡାକ୍ତର ଓ ଶିକ୍ଷକ  । Doctor,doctour ଓ doceō ଆଦି ଶବ୍ଦର ମୂଳ P.I.E. root ଵା ଆଦ୍ଯ ଭାରୋପୀୟ ଧାତୁ ଶବ୍ଦ ହେଉଛି *deḱ-

ଏଵଂ ଏ ଧାତୁଶବ୍ଦରୁ ଦାଷ୍ଟି,ଦାଶ୍ତି,ଦାଶ୍ରୋତି,ଦଦାଶ ଓ ଦୀକ୍ଷା ଆଦି ଭାରତୀୟ ଶବ୍ଦ ନିଷ୍ପନ୍ନ କରାଯାଇଛି । ଦୀକ୍ଷା ଶବ୍ଦର ସଂସ୍କୃତ ଧାତୁରୂପ ‘ଦୀକ୍ଷ୍’ ର ଏକ ଅର୍ଥ ଶିକ୍ଷା ଦେଵା ଏଵଂ ଏହି ଅର୍ଥଟି doctour ଓ doceō ଶବ୍ଦରେ ତଥାପି ବହୁଵର୍ଷ ଯାଏଁ ରହିଥିଲା । ଏଵେ ବି ଯେତେଵେଳେ କୌଣସି ଵିଷୟରେ ବିଶେଷଜ୍ଞଙ୍କୁ ଡକ୍ଟରେଟ୍ ଉପାଧି ଦିଆଯାଏ ସେହି ଉପାଧି ମଧ୍ୟରେ ତାଙ୍କଠାରୁ ସମାଜ କିଛି ଶିକ୍ଷା ଲାଭ କରିଵ ଓ କରିଅଛି ଆଦି ଭାଵ ଉହ୍ଯ ରହିଥାଏ । 



ଅସ୍ତୁ ! ଵିଶ୍ଵକୁ ଭାରତୀୟମାନେ ଚିକିତ୍ସାର ଜ୍ଞାନ ଦେଇଥିଲେ ତେଣୁ ଆମ ଦେଶରେ ଚିକିତ୍ସକ ଅର୍ଥରେ ଅନେକ ଶବ୍ଦ ରହିଛି । ଆଧୁନିକକାଳରେ ନୂତନ ଚିକିତ୍ସା ପଦ୍ଧତିର ଆଵିଷ୍କାର ପାଶ୍ଚାତ୍ୟରେ ହୋଇଥିଲା ଫଳରେ ସେଠାକାର ପଦ୍ଧତି ଓ ତତ୍ ସମ୍ବନ୍ଧୀୟ ଶବ୍ଦ ସମ୍ଭାର ମଧ୍ୟ ଭାରତକୁ ଆସିଥିଲା । ଏହିସବୁ କାରଣରୁ ଆଜି ଆମେ ଡାକ୍ତର ଶବ୍ଦର ବହୁଳ ଵ୍ଯଵହାର କରୁଅଛନ୍ତି । 


(ତଥ୍ଯ—ଶିଶିର ସାହୁ ମନୋଜ)

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...