Sunday, June 30, 2019

ଛାମୁ ଓ ଶ୍ରୀଜଗନ୍ନାଥ


ଶ୍ରୀଜଗନ୍ନାଥଙ୍କୁ ସମ୍ବୋଧନ କଲାଵେଳେ ଆମେ ‘ମଣିମା’ ଓ ‘ଛାମୁ’ କହିଥାନ୍ତି । କଳିଙ୍ଗରେ ଆଗେ ରାଜାଙ୍କୁ ମଧ୍ୟ ଆପଣ ବୋଲି ନ କହି ଛାମୁ ସମ୍ବୋଧନ କରାଯାଉଥିଲା ।




 ଯଥାର୍ଥରେ ଶ୍ରୀଜଗନ୍ନାଥ ସବୁ ସନାତନୀ କ୍ଷେତ୍ର ମଧ୍ୟରେ ରାଜା ଅଟନ୍ତି କାରଣ ତାଙ୍କର ସମସ୍ତ ରୀତିନୀତି ଓ ପୂଜା ପଦ୍ଧତି ରାଜୋଚ୍ଚିତ ହୋଇଥାଏ । ସେ ଜଣେ ରାଜାଙ୍କ ପରି ଷାଠିଏ ପଉଠି ଭୋଗ ଗ୍ରହଣ କରନ୍ତି ଓ ତାଙ୍କ ଭୋଗ ଵିଶ୍ଵଯାକର ଜୀଵ ଜାତି ଭେଦ ପାତରଅନ୍ତର ଭୁଲି ଗ୍ରହଣ କରନ୍ତି ।







ତେଵେ ଆଗେ ଏକ ଵିଶେଷଣ ଶବ୍ଦ ଭାଵେ ଛାମୁ ଶବ୍ଦଟି ଶିଷ୍ଯ ଗୁରୁଙ୍କୁ କିମ୍ବା ପ୍ରଜା ରାଜଙ୍କୁ ଉତ୍ତର କରିବାରେ ପ୍ରୟୋଜ୍ଯ ଅତ୍ଯୟ ହୋଇ ମଧ୍ୟ ଵ୍ଯଵହୃତ ହେଉଥିଲା ଏଵଂ ତାହା ଆଜ୍ଞା; ଅବଧାନ; ହୁଁ ଆଦି ଭଳି ଵ୍ଯଵହାର ହେଉଥିଲା ।






ଏହି ଶବ୍ଦ ଵ୍ଯଵହାର କରି ସମ୍ମାନ ପ୍ରଦର୍ଶନ କରାଯାଉଥିଵାରୁ ଓଡ଼ିଆରେ ନମସ୍କାର କରିଵା ଅର୍ଥରେ “ଛାମୁ କରିଵା” ଓଡ଼ିଆ କ୍ରିୟା ଵ୍ଯଵହୃତ ହେଉଥିଲା ।






ଓଡ଼ିଆ ଭାଷାରେ ଵ୍ଯଵହୃତ ଏହି
ଛାମୁ ଶବ୍ଦଟି ଶାସ୍ତ୍ରୀୟ  ସମ୍ମୁଖ ଓ ଦେଶଜ ସମୁଖ ତଥା ସାମନା ସହିତ ସମଦ୍ଧୃତ ।
ଦେଶଜ ଛାମୁ ଶବ୍ଦଟି ଏକ ଵିଶେଷ୍ଯ ଭାଵେ ନିମ୍ନଲିଖିତ ଅର୍ଥରେ ଵ୍ଯଵହୃତ ହୋଇଥାଏ

🚩ସମ୍ମୁଖ
ଏହି ଅର୍ଥକୁ ଆଧାର କରି ଅନେକ ଵିଶେଷଣ ଶବ୍ଦ ସୃଷ୍ଟି ହୋଇଛି ଯଥା:-
💠ଛାମୁଦାନ୍ତ—ସମ୍ମୁଖସ୍ଥ ଦନ୍ତ
💠ଛାମୁ ଖୁଣ୍ଟିଆ ଇତ୍ୟାଦି—ଯେଉଁ ସେଵକ ରାଜା ଵା ଦେଵତାଙ୍କ ସମ୍ମୁଖରେ ସେଵାକରେ
💠ଛୁନ୍ଦାର୍— ଶବ୍ଦଟି ଛାମୁ ସହିତ ଦ୍ବାର ଶବ୍ଦ ମିଶି ପୁଣି ତାହା ଅପଭ୍ରଂଶ ହୋଇ ଏ ଶବ୍ଦ ସୃଷ୍ଟି ହୋଇଅଛି । ଏହାର ସମଦ୍ଧୃତ ପ୍ରତିଶବ୍ଦ ଛାମୁଦୁଆର ଓ ଛୋଁଦାର ଇତ୍ୟାଦି ।

🚩ନୈକଟ୍ଯ
ଏହି ଅର୍ଥକୁ ଆଧାର କରି ‘ରାଜାଙ୍କ ଛାମୁ’
ପଦ ଵ୍ଯଵହୃତ ହେଉଥିଲା । (ଉଦା—ରଜାଙ୍କ ଛାମୁରେ ମୁଁ ଗୁହାରି କରିବି)

🚩(୩ୟ ପୁରୁଷ) ରାଜା ବା ସମ୍ମାନାର୍ହ ଵ୍ଯକ୍ତିଙ୍କ ସମୀପ, ସାନ୍ନିଧ୍ଯ; ହଜୁର
(ଉଦା—ମୁଁ ଆଜି ରଜାଙ୍କ ଛାମୁକୁ ଯାଇଥିଲି)

🚩ଦେବତାଙ୍କ ସାନ୍ନିଧ୍ଯ ଵା ସାମ୍ମୁଖ୍ଯ
(ଉଦା—କୋଠ ଭୋଗ ଦେଵତାଙ୍କ ଛାମୁରେ ବଢ଼ା ହୁଏ।)





ଭାରତରେ ଅନେକ ତୀର୍ଥ,ପୀଠ ଦେଵାଦେଵୀ ଅଛନ୍ତି କିନ୍ତୁ ତନ୍ମଧ୍ୟରେ ଶ୍ରୀଜଗନ୍ନାଥ ହିଁ କେଵଳ ରାଜା ଅଟନ୍ତି ‌। କଳିଙ୍ଗରେ ଅନେକ ଶାସକ ଵିଭିନ୍ନ ସମୟରେ ଶାସନ କରିସାରିଛନ୍ତି କିନ୍ତୁ ଏ ଦେଶର ପ୍ରକୃତ ଶାସକ ଓ ପ୍ରଥମ ଖଣ୍ଡାୟତ ଶ୍ରୀଜଗନ୍ନାଥ ଅଟନ୍ତି ।






 କେଵଳ ଭାରତ କାହିଁକି ସାରା ଵିଶ୍ଵରେ ସେ ଏକମାତ୍ର ଦେଵତା ଯାହାଙ୍କର ଆଚାର ଵିଚାର ସବୁ ରାଜାଙ୍କ ଭଳି ହୋଇଥାଏ । ଛାମୁ ଶବ୍ଦଟି ସେହି ରାଜୋଚ୍ଚିତ ରୀତିନୀତିର ଅନ୍ଯତମ ଉପାଦାନ ଏଵଂ ଆମ ମହାନ ସଂସ୍କୃତିର ଏକ ଅମୂଲ୍ୟ ସମ୍ପଦ ।




No comments:

Post a Comment

Dancing Mania: ମଧ୍ୟଯୁଗୀୟ ୟୁରୋପର ରହସ୍ୟମୟ ମୃତ୍ୟୁ ନୃତ୍ୟ

ମଧ୍ୟଯୁଗୀୟ ଇଉରୋପରେ ପ୍ଲେଗ୍‌ ଵ୍ୟାପିଵା ସହିତ ଧର୍ମୀୟ ଉତ୍ତେଜନା ମନୁଷ୍ୟ ମନକୁ ଆତଙ୍କିତ କରୁଥିଲା ବେଳେ, ଏକ ଅଜଣା ଓ ରହସ୍ୟମୟ ଘଟଣା ସମାଜକୁ ଆହୁରି ଭୟଭୀତ କରିଥିଲା ...