Thursday, June 13, 2019

ନରିଆ — ଯେଉଁ ଶବ୍ଦର ସମୟ ସହିତ ବଦଳି ଯାଇଛି ଅର୍ଥ

ପଶ୍ଚିମ ଓଡ଼ିଶାରେ ଗଉଡ଼ଶ୍ରେଣୀୟ ଗ୍ରାମସେଵକଙ୍କୁ ‛ନରିହା’ କୁହାଯାଉଥିଲା ଏଵଂ ଏ ଶବ୍ଦର ଓଡ଼ିଆ ମାନକୀକରଣ ‛ନରିଆ’ ସାହିତ୍ୟରେ ମଧ୍ୟ ଵ୍ୟଵହୃତ ହୋଇଛି ।

ରାଜାମାନଙ୍କ ନଅରକୁ ପାଣି ବୁହାଇବା ଗଉଡ଼କୁ ପଶ୍ଚିମ ଓଡିଶାରେ ନରିଆ ଓ ପୂର୍ଵାଞ୍ଚଳରେ ପାଣିଆଁ ଗଉଡ଼ କୁହାଯାଉଥିଲା । ଏହାକୁ ରାଜୋଚ୍ଚିତ ଭାଷାରେ ‛ପାଣି ଆପଟ’ କୁହାଯାଉଥିଲା ।

ପୂର୍ଵାଞ୍ଚଳରେ ଏ କଥାର ସାକ୍ଷ୍ୟ ଦେଵା ହେତୁରୁ ଲୋକଵାଣୀ ଵା ଢଗ ରହିଛି
ଯଥା-

“ମାଆ ସାଆନ୍ତାଣୀ ରାଣୀ,
ଦେଇଥିବି ଗଡ଼ମାଳିଆ ଘରେ ଲୋ
ଗଉଡ଼ ବୋହିବେ ପାଣି ।।”

ଶ୍ରୀମନ୍ଦିରର ସେଵକଙ୍କ ସେଵାକାର୍ଯ୍ୟ ମଧ୍ୟରେ ପାଣି ଆପଟ ଅନ୍ଯତମ ଅଟଇ । ଏଠାକାର ପାଣି ଆପଟ କାର୍ଯ୍ୟ ତୁଲାଉଥିଵା ସେଵକଙ୍କୁ
ପାଣି ବୁହାଇବା/ବୋହିଵା ଓ ବାସନ ମାଜିବା କାର୍ଯ୍ୟ ସମ୍ପାଦନ କରିଵାକୁ ହୋଇଥାଏ ।

ସେଇଭଳି ଉପକୂଳଵର୍ତ୍ତୀ ଓଡ଼ିଶାର କେତେକ ଅଞ୍ଚଳରେ ଗଉଡ଼ଶ୍ରେଣୀର ଲୋକେ ସଵାରୀ ଵାହକ ଵା କାନ୍ଧିଆ ଵେହେରା ହେଉଥିଲେ । ଏ ସେଵାକୁ ମଧ୍ୟ ଆପଟ କୁହାଯାଉଥିଲା । ଆଗେ ଓଡ଼ିଶାର ଵିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ଜାତିର ଲୋକେ କାନ୍ଧିଆ ଵେହେରା ହେଉଥିଲେ ।

ଗଡ଼ଜାତରେ ତଥା ପୁରୀ ଓ କଟକ ଜିଲାରେ ଗଉଡ଼ ଓ ବାଉରିମାନେ କାନ୍ଧିଆ ଵେହେରା ହେଉଥିଲେ । ଗଉଡ଼ମାନେ ବ୍ରାହ୍ମଣ ଓ କରଣମାନଙ୍କୁ କାନ୍ଧାଉଥିଲାଵେଳେ ବାଉରୀମାନେ ଶୂଦ୍ରମାନଙ୍କୁ କାନ୍ଧଉଥିଲେ । ବାଲେଶ୍ବର ଓ ମେଦିନୀପୁରରେ ପାଣ ଓ ହାଡ଼ିମାନେ କାନ୍ଧିଆ ଵେହେରା ହେଉଥିଲେ ।

ସମୟ ବଦଳିଵା ସହିତ ପଶ୍ଚିମ ଓଡ଼ିଶାରେ ପାଣି ଆପଟ କାର୍ଯ୍ୟ ସମ୍ପାଦନ କରୁଥିଵା ସେଵକ ଅର୍ଥରେ ଵ୍ୟଵହୃତ ‛ନରିଆ’ ଶବ୍ଦଟି ଚାକର ଅର୍ଥରେ ଵ୍ୟଵହାର ହେଵାକୁ ଲାଗିଲା ।

ତେବେ ଏଠାରେ କେତେକ ଅଞ୍ଚଳରେ ଗଉଡ଼ ଅର୍ଥରେ ଏ ଶବ୍ଦର ଵ୍ୟଵହାର ଏହାର ମୂଳ ଅର୍ଥ ଆଡ଼କୁ ଆମ୍ଭକୁ ସ୍ପଷ୍ଟ ସଂକେତ ଦେଇଥାଏ ।

ନିମ୍ନରେ ନରିଆ ଵା ନରିହା ଶବ୍ଦ ସହିତ ସମଧୃତ ପଶ୍ଚିମ ଓଡିଶାର ଵିଭିନ୍ନ ଅଞ୍ଚଳରେ ପ୍ରଚଳିତ କେତେକ ଶବ୍ଦର ଉଦାହରଣ ଦିଆଗଲା...

●୧●ନରହିଏନ୍ - ଚାକରାଣୀ(ସମ୍ବଲପୁର)

●୨●ନରିଆ- ଚାକର,ଗାଈଆଳ,ପାଣି ଦେଵାଵାଲା,ସେଵକ (ସାହିତ୍ୟ, ଦେଓଗଡ଼,ବୌଦ୍ଧ,ସୁନ୍ଦରଗଡ)

●୩●ନରିଆଣୀ-ଚାକରାଣୀ, ପାଣିଯୋଗାଉଥିଵା ପୋଇଲି(ସାହିତ୍ୟ,ବୌଦ୍ଧ,ଦେଓଗଡ଼)

●୪●ନରିଏନ୍-ଗଉଡୁଣୀ(ସୁନ୍ଦରଗଡ଼)

●୫●ନରିହା - ପାଣିଦେଵାଲୋକ,ଗାଈଚରାଳି
(ସୁନ୍ଦରଗଡ଼,ଝାରସୁଗୁଡା଼,ସୁବର୍ଣ୍ଣପୁର,ସମ୍ବଲପୁର)

●୬●ନରେନ୍-ପୋଇଲି,ଘରକାମ କରୁଥିବା ପରିଚାରିକା(କଳାହାଣ୍ଡି)

ପୂର୍ଵେ ଗଉଡ଼ଶ୍ରେଣୀୟ ଲୋକଙ୍କ ମଧ୍ୟରେ ଖଣ୍ଡାୟତ ପାହ୍ୟା ଥିଵାର ଭାଷାକୋଷରେ ଉଲ୍ଲେଖ କରାଯାଇଛି । ଏଥିରୁ ସ୍ପଷ୍ଟ ହୁଏ ଯେ ଏ ଜାତୀୟ ଲୋକେ କେଵଳ ଜଳ ଯୋଗାଇ ଦେଵକାର୍ଯ୍ୟ ସମ୍ପାଦନା ତଥା ରାଜା ଓ ପ୍ରଜାଙ୍କ ଜୀଵନ ବଞ୍ଚାଉ ନଥିଲେ ଆଵଶ୍ୟକ ହେଲେ ଯୁଦ୍ଧରେ ମଧ୍ୟ ଅଂଶଗ୍ରହଣ କରି ଦେଶ ରକ୍ଷା କରିଵାରେ ସାହାଯ୍ୟ କରୁଥିଲେ ।

(ତଥ୍ୟ ଓ ସମ୍ପାଦନା - ଶିଶିର ସାହୁ ମନୋଜ )

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...