Friday, June 14, 2019

ଡଙ୍କି,ଅଣକା ଓ ତହିଁର ଅନ୍ଯ ପ୍ରତିଶବ୍ଦ

ଓଡ଼ିଶାର କେତେକ ଅଞ୍ଚଳରେ ladle;spoon କୁ ଅଞ୍ଚଳ ଭେଦରେ ଭିନ୍ନ ଭିନ୍ନ ନାମରେ ଜଣାଯାଏ ।

💠ବାଲେଶ୍ବରରେ ଡଙ୍କିକୁ କୁହନ୍ତି କୁଡ଼ୁକା । ଏହା ମାନକ କୁଡି଼କା=ଗିନା ଶବ୍ଦ ସହ ସମଧୃତ ହୋଇଥାଇପାରେ ।

💠ଓଡ଼ିଶାର ଵିଚ୍ଛିନ୍ନାଞ୍ଚଳ ଵସ୍ତରରେ ଡଙ୍କିକୁ ଚେଟୁ କୁହାଯାଏ । ଗଡ଼ଜାତରେ କେଉଁଠି କେଉଁଠି ଡଙ୍କି ଅର୍ଥରେ ଚଟୁ ଶବ୍ଦ ଚଳୁଥିଲେ ହେଁ ଢେଙ୍କାନାଳରେ ହାଣ୍ଡିରୁ ଭାତକଢା ଯାଉଥିଵା ଛିଦ୍ରଯୁକ୍ତ ବଡ଼ ଚାମୁଚାକୁ ଚଟୁ କୁହାଯାଏ ।

💠ଓଡ଼ିଶାର ପଶ୍ଚିମାଞ୍ଚଳରେ ଡଙ୍କି ପାଇଁ ଵିଭିନ୍ନ ପ୍ରତିଶବ୍ଦ ଚଳୁଥିଲାବେଳେ ଭାଷାକୋଷରେ ଏ ଅଞ୍ଚଳରେ ଡୁହା ଶବ୍ଦ ଚଳୁଥିଵା ଉଲ୍ଲେଖ ମିଳେ । ଏ ଶବ୍ଦ ମାନକ ଦ୍ରୋଣକ ଶବ୍ଦ ସହ ସମଧୃତ । କେଉଁଠି କେଉଁଠି ଏ ଶବ୍ଦ ଭାତକଢା଼ ଚଟୁ ଅର୍ଥରେ ଚଳୁଥିଵା ଭାଷାକୋଷରେ କୁହାଯାଇଛି ।

ତେଵେ ଭାତ ତିଅଣ ଆଦି ଘାଣ୍ଟିବା ଓ ପରଷିବା ପାଇଁ ଵ୍ୟଵହୃତ ବେଣ୍ଟ ଲଗା ଷଢ଼େଇ ଡଙ୍କିକୁ ଓଡ଼ିଶାରେ ଅଣକ କୁହାଯାଏ । ଏ ଶବ୍ଦର ସଂସ୍କୃତ ରୂପ  ‘ଅଢ଼କ’ ଏଵଂ ଏହାର ଅନେକ ଦେଶଜ ରୂପ ବି ଵିଭିନ୍ନ ଅଞ୍ଚଳରେ ଚଳୁଅଛି ...

ଯଥା—

🔘ଅଢା଼—ପ୍ରାଚୀନ ଓଡ଼ିଆ ସାହିତ୍ୟ

🔘ଅଣକା—ନଡ଼ିଆ ଷଢେ଼ଇରେ ତିଆରି ବେଲା,ଡଙ୍କି(ଗଞ୍ଜାମ, କଟକ)

🔘ଅଣଖ―ଡାଲି ଵା ତିଅଣ ବାଢି଼ଵା ପାଇଁ ଵ୍ୟଵହୃତ ବାଉଁଶ ଦଣ୍ଡ ଓ ନଡ଼ିଆ ଷଢେ଼ଇର ଚାମଚ(କ)

🔘ଅନ୍ 'କା-ଢିଙ୍କି,ଲାଉତୁମ୍ବା(ବୌଦ୍ଧ,କନ୍ଧମାଳ, ସମ୍ବଲପୁର,କଳାହାଣ୍ଡି )

🔘ଅନଖା-ଡଙ୍କି,ଅଣାକ(କଳାହାଣ୍ଡି)

🔘ଅଲକ/ଅଲଖା—ଅଣକ (ଗଡ଼ଜାତ)

ଅଣକ ଓ କଣକା ଶବ୍ଦଟି ପୁରୀ ଅଞ୍ଚଳରେ ଆଜି ବି ଷଢେ଼ଇ ଡଙ୍କି ଅର୍ଥରେ ଚଳୁଅଛି । ଆଗେ ପୁରୀ ଜିଲ୍ଲାର ରାହାଙ୍ଗ ବ୍ରାହ୍ମଣ ଶାସନମାନଙ୍କର କୁଳୀନ ସାମନ୍ତମାନଙ୍କ ଭୋଜନ ସଭାରେ ଯେଉଁ କୁଳୀନ ବ୍ରାହ୍ମଣମାନେ (ୟଥା—ଭଟ୍ଟ ମିଶ୍ରେ ଇତ୍ୟାଦି) ଅଣକ ଓ ହାଣ୍ଡି ଧରି ପରଷିବାରେ ଅଧିକାରୀ ହେଉଥିଲେ, ସେମାନଙ୍କୁ 'ଅଣକଧରା' ବା 'ହାଣ୍ଡିଧରା' ବୋଲି ଡକାଯାଉଥିଲା ।

ଆପଣଙ୍କ ଅଞ୍ଚଳରେ ପ୍ରୋକ୍ତ କିମ୍ଵା ଡଙ୍କି ଅର୍ଥରେ ଏତଦ୍ ଭିନ୍ନ ଅନ୍ୟ କୌଣସି ପ୍ରତିଶବ୍ଦ ଚଳୁଥିଲେ
ଏହଠାରେ ଜଣାନ୍ତୁ ।

(ଶିଶିର ସାହୁ ମନୋଜ)

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...