Thursday, June 13, 2019

ଶହୀଦ ଶବ୍ଦର ଓଡ଼ିଆ ପ୍ରତିଶବ୍ଦ କିଛି ଅଛି କି ?

ଯୁଦ୍ଧକ୍ଷେତ୍ରରେ ସ୍ୱଇଚ୍ଛା ଆତ୍ମତ୍ଯାଗୀଙ୍କୁ ଶହୀଦ କୁହାଯାଏ । ୟୁରୋପ ଓ ମଧ୍ଯପ୍ରାଚ୍ଯ ମଧ୍ଯରେ ଧର୍ମଯୁଦ୍ଧକାଳରେ ଏ ଶବ୍ଦଟି ଲୋକପ୍ରିୟ ହୋଇଯାଇଥିଲା। ସେତେବେଳେ ଆରବରେ ଇସ୍ଲାମ ପାଇଁ ପ୍ରାଣ ତ୍ଯାଗୁଥିବା ଲୋକେ ଶହୀଦ ବୋଲାଉଥିଲେ। ୟୁରୋପରେ ମଧ୍ଯ ଧର୍ମଯୁଦ୍ଧରେ ପ୍ରାଣ ହରାଉଥିବା ଲୋକଙ୍କୁ Martyr କୁହାଯାଉଥିଲା । ପରେ martyr ୟୁରୋପୀୟ ଭାଷାରେ ସୀମିତ ରହିଯାଇଥିଲା କିନ୍ତୁ ଇସ୍ଲାମୀୟ ଧର୍ମର ପ୍ରଚାର ପ୍ରସାର ବଢ଼ିଲାରୁ ଶହୀଦ ଶବ୍ଦଟି ଆରବୀରୁ ଯାଇ ଆର୍ମେନୀୟ,ଅଜରବୈଜାନୀ,କାଜାକ,ରୁଷୀ,କୁର୍ଦ୍ଦିଶ୍,ତାତର,ପାର୍ସୀ,ପୋସ୍ତୋ,ହିନ୍ଦୀ,ବଙ୍ଗାଳୀ,ମାଳୟ ଓ କୋରିଅନ୍ ଆଦି ଭାଷାରେ ଚଳିବାକୁ ଲାଗିଲା। ଇତିମଧ୍ଯରେ ଶହୀଦ ଶବ୍ଦ ଇଂରାଜୀଭାଷାରେ ମଧ୍ଯ ସ୍ଥାନଲାଭ କରିସାରିଲାଣି। ବହୁତ ଲୋକ ପଚାରନ୍ତି ଏହାର କୌଣସି ଭାରତୀୟ ପ୍ରତିଶବ୍ଦ ଅଛି କି ? ଦୁଇଟି ଶବ୍ଦ ଆଜିକାଲି ଏ ଶବ୍ଦର ପ୍ରତିଶବ୍ଦ ଭାବରେ ଅଭିଧାନ ମାନଙ୍କରେ ସ୍ଥାନିତ ହୋଇଛି - - -(1) #ବଳିଦାନୀ ଓ (2)#ହୁତାତ୍ମା। ଶହାଦତ୍ ର ଦେଶଜ ପ୍ରତିଶବ୍ଦ ବଳିଦାନ ଅଟେ ତେଣୁ ଯେ ବଳିଦାନ ଦେଲା ସେ  #ବଳିଦାନୀ ବୋଲାଇଲା। ସେହିଭଳି ହୁତାତ୍ମା ଶବ୍ଦଟି ଦୁଇଟି ଶାସ୍ତ୍ରୀୟ ଶବ୍ଦ #ହୁତ ଓ #ଆତ୍ମାରୁ ସୃଷ୍ଟ ହୋଇଛି। ଏ ହୁତର ଅର୍ଥ ଯଥା : (କ)ମନ୍ତ୍ରୋଚ୍ଚାରଣ ପୂର୍ବକ ଦେବତାଙ୍କ ଉଦ୍ଦେଶ୍ଯରେ ହୋମାଗ୍ନିରେ ଘୃତାଦି ପ୍ରକ୍ଷିପ୍ତ (ଖ)ହୋମାଗ୍ନି (ଗ)ହୋମ (ଘ)ଶିବ ଇତ୍ଯାଦି ! ଅର୍ଥାତ୍ ଯେଉଁ ଅମର ଆତ୍ମା ରାଷ୍ଟ୍ର ରକ୍ଷା ରୂପକ ହୋମାଗ୍ନିରେ ଝାସ ଦିଏ,ଯେଉଁ ଅମର ଆତ୍ମା ଶତ୍ରୁ ପାଇଁ ମାତୃଭୂମି ରକ୍ଷା ସଂକଳ୍ପ ରୂପ ହବନକୁଣ୍ଡରୁ ଅଗ୍ନି ଭଳି ଜାତ ହୋଇ ସେମାନଙ୍କର ବିନାଶ ସାଧନ କରେ, ଯେଉଁ ଅମର ଆତ୍ମା ଠିକ୍ ଶିବଙ୍କ ଭଳି ମାତୃଭୂମି ରକ୍ଷା ହେତୁ ମୃତ୍ଯୁ ରୂପକ ହଳାହଳ ପାନ କରିପାରେ ସେହି ଅମର ଆତ୍ମା କେବ 'ହୁତାତ୍ମା'  ଓ 'ବଳିଦାନୀ ଅଟେ। (ଜିଜ୍ଞାସୁ-ସୁଶାନ୍ତ ସାହୁ,ବ୍ଯାଖ୍ଯା-ଶିଶିର ସାହୁ ମନୋଜ)

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...