Sunday, June 16, 2019

——ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଅମର ଉକ୍ତି;ମଧୁ ସୂକ୍ତି——



🌟ଭାରତଵାସୀ ସମସ୍ତ ଏକ ଦେଶୀୟ ହେଵାରୁ ଭାଇ ଅଟନ୍ତି, ସମସ୍ତଙ୍କ ମଧ୍ୟରେ ଭ୍ରାତୃଭାଵ ରହିଵା ଉଚିତ । ଧନୀ ଓ ଗରିଵ ମଧ୍ୟରେ କିଛି ପ୍ରଭେଦ ନାହିଁ ।


🌟ଏକ ସମୟରେ ଜନନୀଙ୍କର ଏକ ପଦ ଗଙ୍ଗା ଓ ଅନ୍ୟ ପଦ ଗୋଦାଵରୀରେ ରହିଥିଲା ଏବଂ ତାହାଙ୍କର କୀର୍ତ୍ତି ପଥରରେ ଖୋଦିତ ହୋଇ ଵିଶ୍ୱଲୋକଙ୍କର ଆଶ୍ଚର୍ଯ୍ୟ ବଢ଼ାଉଥିଲା । ଵର୍ତ୍ତମାନ ତାହାଙ୍କର ଦୁର୍ଦ୍ଦଶା ଦେଖି ମୁଁ କେତେ କାନ୍ଦିଛି ଓ କାନ୍ଦିବି ।


🌟ସ୍ୱଦେଶ ପ୍ରେମକୁ ଧର୍ମ ବୋଲି ମଣିଵା ହିଁ ପ୍ରକୃତ ମନୁଷ୍ୟତା ଅଟେ ।


🌟ପ୍ରତ୍ୟେକ ବିଦେଶୀୟ ଦ୍ରଵ୍ଯ ଵ୍ୟଵହାର କରିଵା ଦ୍ୱାରା ଆମ୍ଭେମାନେ ଦେଶୀୟ କାରିଗରଙ୍କ ଅଳ୍ପ [ ଅନ୍ନ ] ଗ୍ରାସ କାଢ଼ି ନେଉଅଛୁଁ ଏବଂ ସେମାନେ ଅନାହାରରେ ମଲେ ଆମ୍ଭେମାନେ ସେଥି ନିମିତ୍ତ ଦାୟୀ ଅଛୁଁ ।



🌟ଭାଷା ନେଇ ଜାତି । ଆମ୍ଭମାନେ ଭାରତ ଜନନୀ ଓ ଉତ୍କଳ ଜନନୀର ପୂଜା କରୁଅଛୁ । ଆମ୍ଭର ଉତ୍କଳ ସମ୍ମିଳନୀରେ ଗୋଟାଏ ସୂକ୍ତି ଥିଲା –


                                  “ମାତୃଭାଷା ମାତୃଭୂମି ଉଭୟେ ଜନନୀ


                                   କର ତାଙ୍କ ପାଦ ପୂଜା ଦିଵସ ରଜନୀ । ”


🌟ସାହିତ୍ୟରେ ପ୍ରାଦେଶିକତାର ସଂକୀର୍ଣ୍ଣ ଭେଦଭାଵ ରହିବା ଉଚିତ ନୁହେଁ । ଯେଉଁ ଭାଷା ହେଉ ପଛକେ ଯେଉଁଠି ଭଲ ଭାଵ, ଉଚ୍ଚ ଚିନ୍ତା ଓ ଉନ୍ନତ ରୁଚିର ଉପାଦାନମାନ ଅଛି ତାହା ଗ୍ରହଣ କରି ଆମ୍ଭମାନଙ୍କ ସାହିତ୍ୟ ଭିତରେ ପୂରାଇ ତାକୁ ଆମ୍ଭ ନିଜର କରିନେଵାକୁ ହେଵ ଓ ଲେଖକର ମାର୍ଗ ଓ ଧାରାକୁ ଆଧୁନିକ ରୁଚି ଅନୁଯାୟୀ ବଦଳାଇଵାକୁ ହେଵ ।


🌟ଯେ ମା’କୁ ଭଲ ପାଇଵା ଶିଖି ନାହିଁ, ସେ କଦାପି ମାତୃଭୂମିକୁ ଭଲ ପାଇଵ ନାହିଁ । କାରଣ ପ୍ରଥମେ ମାତୃ, ପରେ  ଭୂମି, ମା’ ଉପରେ ପିଲାର ଯେତେ ଵିଶ୍ୱାସ, ଅନ୍ୟ କାହା ଉପରେ ନାହିଁ ।


🌟ଏକ ଜାତିର କେତେକ ବ୍ୟକ୍ତି ସହିତ ଅନ୍ୟ ଏକ ଜାତିର କେତେକ ବ୍ୟକ୍ତିଙ୍କର ପରସ୍ପର ଵିରୋଧ ଥିବାର ଦେଖାଗଲେ , ଲୋକେ ଭ୍ରମରେ ପଡ଼ି ବ୍ୟକ୍ତିଗତ ଵିରୋଧକୁ ଜାତୀୟ ଵିଦ୍ଵେଷରେ ପରିଣତ କରିଵାକୁ ଚେଷ୍ଟା କରନ୍ତି । ଏହା ଦୁଇ ଜାତି ଵା  ମଧ୍ୟରେ ମିତ୍ରଭାଵ –ସମାଜରକ୍ଷା –ପକ୍ଷରେ ଗୋଟିଏ ମହା ପ୍ରତିବନ୍ଧକ ଅଟେ ।


🌟ଯେଉଁମାନେ ଉତ୍କଳର ସ୍ଥାୟୀ ଅଧିଵାସୀ ହୋଇଅଛନ୍ତି ଅର୍ଥାତ୍ ଯେଉଁମାନେ ଉତ୍କଳକୁ ସେମାନଙ୍କ ଗୃହସ୍ୱରୂପ ମଣିଅଛନ୍ତି, ସେମାନେ ଭିନ୍ନ ଜାତୀୟ ହେଲେ ସୁଦ୍ଧା ସେମାନଙ୍କୁ ଉତ୍କଳୀୟ ବେଲି ଗଣନା କରାଯିଵ । ଯେଉଁମାନେ ଅନେକଦିନ ହେଲା ଏଠାକୁ ଆସି ଓଡ଼ିଶାକୁ ଆପଣାର ମାତୃଭୂମି ସ୍ୱରୂପ ଗ୍ରହଣ ଏବଂ ସ୍ୱୀକାର କରୁଅଛନ୍ତି ଓ ଓଡ଼ିଆମାନଙ୍କ ହିତସାଧନକୁ ସ୍ୱଜାତିପ୍ରତି କର୍ତ୍ତବ୍ୟକର୍ମ ବୋଲି ମନେ କରୁଅଛନ୍ତି ସେହିମାନଙ୍କୁ ଆମ୍ଭେମାନେ ଉତ୍କଳୀୟ ବୋଲି ଡ଼ାକୁଅଛୁଁ ।


🌟ଭିନ୍ନ ଭିନ୍ନ ଜାତୀୟ ଦୁଇଜଣଙ୍କ ମଧ୍ୟରେ କୌଣସି  ଵିଵାଦ ହେଲେ ଲୋକେ ଏହି ଵିଵାଦକୁ ଦୁଇ ଜାତିଙ୍କ ମଧ୍ୟରେ ଵିଵାଦ ହେଲା ବୋଲି ସ୍ଥିର କରନ୍ତି, କିମ୍ୱା ଏହି ବ୍ୟକ୍ତିଗତ ଵିଵାଦକୁ ଜାତୀୟ ଵିଵାଦର ଫଳ ବୋଲି କହି ବୁଲନ୍ତି ।


🌟ଉନ୍ନତ ଜାତିମାନଙ୍କ ସଙ୍ଗେ ଭାଇ ଭାଵ ରଖିବା ଆବଶ୍ୟକ, ଭାତୃ ଚକ୍ଷୁରେ ନ ଦେଖିଲେ ଉନ୍ନତ ଜାତିମାନଙ୍କ ସଙ୍ଗେ ସମକକ୍ଷ ହେଵା କାଠିକର ପାଠ ।


🌟ଉତ୍କଳ ଜନନୀ ଭାରତ ଜନନୀଙ୍କଠାରୁ ଵିଚ୍ଛିନ୍ନ ନୁହନ୍ତି ଭାରତ ଜନନୀଙ୍କର ସପତ୍ନୀ କିମ୍ବା ଶତ୍ରୁ ନୁହନ୍ତି । ଏହି ଉତ୍କଳ ଜନନୀ ରୂପ ମୂର୍ତ୍ତି ଭାରତମାତାଙ୍କର ଗୋଟିଏ ମୂର୍ତ୍ତିଵିଶେଷ । ଏହି ରୂପଟି ଭାରତମାତାଙ୍କର ଗୋଟିଏ ଅଵତାର । ଏପରି ସ୍ଥଳରେ ଉତ୍କଳମାତା ଭାରତମାତାଙ୍କର ସପତ୍ନୀ ନୁହନ୍ତି ।


🌟ଉତ୍କଳ ଜନନୀ ଓ ଭାରତ ଜନନୀଙ୍କର କିଛି ପ୍ରଭେଦ ନାହିଁ । ଶରୀରର କୌଣସୀ ଅଂଶରେ ପୀଡ଼ା ହେଲେ ସେହି ଅଂଶର ଚିକିତ୍ସାଦ୍ଵାରା ସମସ୍ତ ଶରୀରର ଉନ୍ନତି ହେବ । ଉତ୍କଳର ଚିକିତ୍ସାର ଉଦ୍ଦେଶ୍ୟ ଭାରତର ଉନ୍ନତି ।


🌟ବଡ଼ଦେଉଳ ବାଲିରେ ପୋତି ହୋଇ ଯାଇଥିଲା । ରାଜାଙ୍କ ଘୋଡ଼ାଟାପୁ ବାଜିଵାରୁ ରାଜା ତାକୁ ପୁନରୁଦ୍ଧାର କରିଥିଲେ । “ଏହି ସ୍ଥାନରେ ବଡ଼ ଦେଉଳକୁ ଚାହଁ ଓ ଜାତିର ପୁନରୁଦ୍ଧାର କର”- ଏହା ଆମ୍ଭମାନଙ୍କର ଵୀଜମନ୍ତ୍ର ହେଵା ଆଵଶ୍ୟକ ।


🌟ଵ୍ଯକ୍ତିଗତ ଜୀଵନରେ ସ୍ଵାର୍ଥପରତା ଯେତେ ବୃଦ୍ଧି ହେଵ ଜାତୀୟ ଜୀଵନ ତେତିକି କମିଵ । ସ୍ଵାର୍ଥପରତା ଯେଵେ କମିଯିଵ ଜାତୀୟ ଜୀଵନ ତେତିକି ବୃଦ୍ଧି ହେଵ ।


🌟ଆମ୍ଭେମାନେ ସମସ୍ତଙ୍କୁ ଭାଇ ବୋଲି ସମ୍ଵୋଧନ କରୁଅଛୁ । ତାହାର ମାନେ ଏହି ଯେ ମୋ ଭାଇ ଯେଉଁ ମାତାଙ୍କ ରକ୍ତ ମାଂସରେ ଗଠିତ, ମୁଁ ସେହି ରକ୍ତ ମାଂସରେ ଗଠିତ । ସମସ୍ତେ ଭାରତ ସନ୍ତାନ ।


🌟ମୁଁ ଓଡ଼ିଆ, ଓଡ଼ିଶାରେ ଜନ୍ମଗ୍ରହଣ କରିଅଛି ଏବଂ ଵାସ କରୁଅଛି । ଉତ୍କଳ ମାତାଙ୍କ କୋଳରେ ମୋର ଅସ୍ଥି ମାଂସ ରହିଵ ।


🌟ସମସ୍ତେ କହନ୍ତି, ଆମ୍ଭର ଉପେନ୍ଦ୍ର ଭଞ୍ଜ । ମୁଁ ପ୍ରଶ୍ନ କରେଁ, “ତୁମ୍ଭର କିପରି ହେଲେ ?” 

ଜାତି କହିଲା-ଜାତିର ଯୋଗ୍ୟ ସୁସନ୍ତାନ ଜାତିର ଏବଂ କୁସନ୍ତାନ ବାପମାଆଙ୍କର ।


🌟ନଦୀର ଯେପରି ଜୁଆର ହୋଇଥାଏ, ପୁଣି ଭଟ୍ଟା ହୋଇଗଲେ ପାଣିସବୁ ସ୍ଥାନେ ସ୍ଥାନେ ରହିଯାଏ, ସେହିପରି ଓଡ଼ିଶାର ଦିନେ ଜୁଆର ଅବସ୍ଥା ଥିଲା । କିନ୍ତୁ ଵର୍ତ୍ତମାନ ଭଟ୍ଟା ଅବସ୍ଥାରେ ସ୍ଥାନେ ସ୍ଥାନେ ମନ୍ଦାଏ ମନ୍ଦାଏ ପାଣି ରହିଲାପରି ଦେଶଟା ଏଠାରେ ଖଣ୍ଡେ ସେଠାରେ ଖଣ୍ଡେ ହୋଇ ପଡ଼ିରହିଅଛି । ଯେପରି ସେହି ସମସ୍ତ ଜଳାଶୟକୁ ପୁଣି ଏକତ୍ର କରିଵାକୁ ହେଲେ ଜୁଆର ଆବଶ୍ୟକ, ସେହିପରି  ଏହି ଦେଶକୁ ଏକତ୍ର କରିଵାକୁ ହେଲେ ସର୍ବତ୍ର ଜାତୀୟ ଭାଵର ଜୁଆର ଉଠାଇଵାକୁ ହେଵ ।


🌟ଜନନୀ ଜନ୍ମଭୂମିଶ୍ଚ ସ୍ଵର୍ଗାଦପୀ ଗରୀୟସୀ’- - ଏ ଵାକ୍ୟଟି ବହୁକାଳରୁ ଶୁଣା ଅଛି, କିନ୍ତୁ ତାହାର ଅର୍ଥ ବୁଝିଵାକୁ ବୋଧହୁଏ କେହି ଚେଷ୍ଟା କରନ୍ତି ନାହିଁ । ଦେଖନ୍ତୁ, ପ୍ରଥମେ ‘ଜନନୀ’ ଦ୍ଵିତୀୟରେ ‘ଜନ୍ମଭୂମି, ତୃତୀୟରେ ‘ସ୍ଵର୍ଗ’ । ମନୁଷ୍ୟଜନ୍ମରେ ପ୍ରତ୍ୟେକ ମନୁଷ୍ୟର ଜୀଵନକୁ ଗୋଟିଏ ସ୍ରୋତ ମନେ କଲେ ଦେଖିଵେ, ଏହି ସ୍ରୋତର ଆଦ୍ୟରେ ଜନନୀ, ମଧ୍ୟରେ ଜନ୍ମଭୂମି, ଶେଷରେ ସ୍ଵର୍ଗ, ପ୍ରତ୍ୟେକ ଆତ୍ମାର ଏହି ଗତି । ମନୁଷ୍ୟ ଜୀବନରେ ଆଦ୍ୟ ଜନନୀ, କାର୍ଯ୍ୟ ଜନ୍ମଭୁମି, ପୁରସ୍କାର ମୁକ୍ତି ବା ସ୍ଵର୍ଗ । ଏଥିପାଇଁ ଜନନୀ, ଜନ୍ମଭୁମି ସ୍ଵର୍ଗଠାରୁ ଗରୀୟସୀ ।


🌟ପ୍ରଥମେ ମାତା ରକ୍ତ ଦେଇଥିଲେ । ସେହି ରକ୍ତ ବୃଦ୍ଧି କରିଵା ପାଇଁ ମୋ ଜନ୍ମଭୁମି ମୋତେ ଶସ୍ୟାଦି ଦେଉଅଛି । ଅତଏଵ ଶରୀରର ଆଦ୍ୟ ପଦାର୍ଥ ଦିଏ ମାତା, ତାହାର ରକ୍ଷକ ଓ ବର୍ଦ୍ଧକ ଜନ୍ମଭୂମି । ଆମ୍ଭେମାନେ ପ୍ରଥମେ ପ୍ରସଵ ହେଲା ବେଳେ ଭୂମିଷ୍ଠ ହେଲୁ ବୋଲି କହନ୍ତି ଅର୍ଥାତ୍ ଆମ୍ଭେମାନଙ୍କୁ ମାତା ଜନ୍ମଭୁମି କ୍ରୋଡ଼ରେ ଅର୍ପଣ କରି ସେହି ଜନ୍ମଭୂମିର ପୂଜା କରିଵାକୁ ଆଦେଶ ଦିଅନ୍ତି ।


🌟ଓଡ଼ିଶାରେ ସେତେବେଳେ ଏପରି କୌଣସି ଲୋକ ନ ଥିଲେ ଯେ କି ଆପଣାକୁ ଓଡ଼ିଆ ବୋଲି ପରିଚୟ ଦେଇଥିଲେ । ଓଡ଼ିଶାର ଜଣେ ରାଜା ଆପଣାକୁ କଲିକତାରେ ବଙ୍ଗାଳୀ ବୋଲି ପରିଚୟ ଦେଇଥିଲେ । ଏ ସମସ୍ତ ଵିଚାର କଲେ ମୋର ସେତେବେଳେ କଣ କରିଵାରେ ଉଚିତ ଥିଲା ? ମୁଁ ସେହି ରାଜାଙ୍କୁ ଚାରିଘଣ୍ଟା ମଧ୍ୟରେ ଓଡ଼ିଆ କରିଥିଲି ।


🌟ଆମେ ଓଡ଼ିଆ ! ଆମ୍ଭେମାନେ ଗୋଟିଏ ସ୍ଵତନ୍ତ୍ର ଜାତି  ! ଏହି ଜ୍ଞାନ,  ଵର୍ତ୍ତମାନ ଅବସ୍ଥାରେ ଜାତିର ଏକମାତ୍ର ପାଣ୍ଠି, ଏକମାତ୍ର ସମ୍ଵଳ । ଅନ୍ୟ କଥାରେ ମୁଁ ଏହାକୁ ସମ୍ଵଳ ନ କହି ଜାତିର ବଳ କହେଁ !


🌟ମାତୃଭୂମିପୂଜାରେ ବାଉରି କଣ୍ଡରାର ଯେ ଅଧିକାର, ବ୍ରାହ୍ମଣ, କରଣର ସେହି ଅଧିକାର, ରାଜାର ଯେ ଅଧିକାର, ପ୍ରଜାର ସେହି ଅଧିକାର ।


🌟ଆମ ଦେଶରେ ଧନ କମ ଅଛି । ଲୋକେ କହନ୍ତି ଓଡ଼ିଶା ଗରିଵ । ମୁଁ କହେ, କଦାଚ ନୁହେଁ । ଵର୍ତ୍ତମାନ କଲିକତା, ନାଗପୁର ଇତ୍ୟାଦି ସ୍ଥାନର କଳ କାରଖାନାମାନଙ୍କରେ ଲକ୍ଷ ଲକ୍ଷ ଓଡ଼ିଆ କାମ କରୁଅଛନ୍ତି । ଏହାର ଅର୍ଥ- ଓଡ଼ିଆ ହାତର ମୂଲ୍ୟ ଅଛି । ସେଠାରେ ଯେ ଦୈନିକ ଟଙ୍କାଏ ଆଦାୟ କରିଵ, ଏଠାକୁ ଆସିଲେ ଦଶ ପଇସା ମାତ୍ର ପାଇବ । ଆମେ କ’ଣ ତାଙ୍କୁ କାର୍ଯ୍ୟ ଦେଇପାରିଵା ? ସୂତା କାରଖାନା କଲେ ସେମାନେ ଆସିଵେ । ଯେଉଁ ହାତରେ କୋଣାର୍କ, ଭୁବନେଶ୍ଵର ମନ୍ଦିରମାନ ତୟାର ହୋଇଅଛି , ସେହି ହାତର ଲାଭ ବିଦେଶୀମାନେ ଖାଇ ଯାଉଅଛନ୍ତି । ଧିକ୍ ଆମ୍ଭମାନଙ୍କୁ ।


🌟ମୁଁ ଖ୍ରାଷ୍ଟଧର୍ମ ଗ୍ରହଣ କରିଅଛି ସତ୍ୟ, କିନ୍ତୁ ଓଡ଼ିଶାର ଜାତୀୟ କଵି ଜଗନ୍ନାଥ ଦାସଙ୍କ ଭାଗବତ ପାଠ କରିଛି ଓ ତାହାକୁ ଧର୍ମଗ୍ରନ୍ଥ ହିସାଵରେ ଯଥେଷ୍ଟ ମାନ୍ୟ କରେ । ଭାଗଵତ ଯେଉଁ ପ୍ରଭାବ ପକାଇଛି ତାହା ଭାରତର ଅନ୍ୟ କୌଣସି ପ୍ରଦେଶରେ ଦେଖାଯାଏ ନାହିଁ ।


🌟ଜନନୀ ସେଵାରେ ଆତ୍ମଗର୍ଵ, ସ୍ୱାର୍ଥପରତା ତ୍ୟାଗ କରିଵାକୁ ହେଵ । ମୁଁ ଵା ତୁମ୍ଭେମାନେ କାଲି ଇହସଂସାରରୁ ଚାଲିଯିଵା, କିନ୍ତୁ ଜାତି ଅମର ଓ ଚିରଜୀଵୀ । ସ୍ୱାର୍ଥତ୍ୟାଗ ଓ ପ୍ରେମ ଜାତୀୟ ଉନ୍ନତିର ପ୍ରଧାନ ସହାୟ ।


🌟ଆମ୍ଭମାନଙ୍କର ଜାତୀୟ ଜୀଵନ ଅଛି । ସବୁ ଅବସ୍ଥାରେ ସବୁ କାଳରେ ସବୁ ସ୍ଥାନରେ ଆମ୍ଭେମାନେ ପ୍ରତ୍ୟେକେ ଜାତୀୟ ଜୀଵନର ଟେକ ରଖି କାର୍ଯ୍ୟ କରିବା ଏକାନ୍ତ ଆବଶ୍ୟକ ।


🌟ଦୋଷ ଗୁଣ ଦେଖିଵା ସମ୍ବନ୍ଧରେ ମୋର ଵକ୍ତବ୍ୟ ଏହି ଯେ ଯୋଡ଼ିଏ ଆଖିରୁ ଗୋଟିଏ ଆଖି ବନ୍ଦ କର ଓ ଗୋଟିଏ ଆଖି ଖୋଲା ରଖ । ବନ୍ଦ ଆଖିରେ ଅନ୍ୟ ଜାତିଙ୍କର ଦୋଷଗୁଣ ଦେଖ ଓ ଖୋଲା ଆଖିରେ ସେମାନଙ୍କର ଗୁଣଗୁଡ଼ିକ ନିରୀକ୍ଷଣ କର ଓ ସେହି ଗୁଣ ଗୁଡ଼ିକ ଶିକ୍ଷା କର ।   


🌟ଯେଵେ ଶିକ୍ଷିତ ଲୋକମାନେ ଆପଣାକୁ ସାଧାରଣ ଅପେକ୍ଷା ଉଚ୍ଚତର ବୋଲି ଅହଙ୍କାର କରନ୍ତି ତାହା ହେଲେ ସେ [ସେମାନେ] ଅଧମ ଏବଂ ତାହାଙ୍କ [ସେମାନଙ୍କ] ଶିକ୍ଷା, ଶିକ୍ଷା ପଦଵାଚ୍ୟ ନୁହେଁ ।


🌟ତୁମେ ସମସ୍ତେ ମନକୁ ପଚାର ସ୍ତ୍ରୀକୁ କେବେ କହିଛ ତୋର ଜାତୀୟ ଜୀଵନ ହେଵା ଉଚିତ୍ । ଏ ପିଲାମାନେ ଯେପରି ଜାତିର ଗୌରଵ ବୃଦ୍ଧି କରି ପାରନ୍ତି ସେହିପରି ତୁ ତାଙ୍କୁ ଗଢ଼ାଇଵୁ । ଯେଵେ ପ୍ରତ୍ୟେକ ଲୋକ ପ୍ରତିଦିନ  ପାଞ୍ଚ ମିନିଟ ସମୟ ଏଥିରେ ଵ୍ଯୟ କରନ୍ତି ତେବେ ୧୦/୧୫ ଵର୍ଷ ମଧ୍ୟରେ ଜାତିର ଅଵସ୍ଥା ବଦଳି ଯିଵ ।


🌟ଭାଇମାନେ ଯଦି ଉନ୍ନତି ଲଭିଵାକୁ ଇଚ୍ଛା କର , ଵୀଜ ଯେପରି ନୀଚକୁ ଯାଇ ଵୃକ୍ଷକୁ ଉଚ୍ଚକୁ ଉଠାଏ ସେହିପରି ନିଜେ ନୀଚକୁ ଯାଅ ଓ ଜାତିକୁ ଉଚ୍ଚକୁ ଉଠାଅ ।


🌟ଉତ୍କଳ ଜନନୀ ଓ ଭାରତ ଜନନୀଙ୍କର କିଛି ପ୍ରଭେଦ ନାହିଁ । ଶରୀରର କୌଣସୀ ଅଂଶରେ ପୀଡ଼ା ହେଲେ ସେହି ଅଂଶର ଚିକିତ୍ସାଦ୍ଵାରା ସମସ୍ତ ଶରୀରର ଉନ୍ନତି ହେଵ । ଉତ୍କଳର ଚିକିତ୍ସାର ଉଦ୍ଦେଶ୍ୟ ଭାରତର ଉନ୍ନତି ।


🌟କି ବାଳିକା , କି ଯୁଵତୀ , କି ବୃଦ୍ଧା ସମସ୍ତେ ମାନଵ ଜାତିର ମାତା । ଅତଏଵ ସମସ୍ତ ନାରୀଜାତି ଜାତିମାତା  ।


🌟ବତୀ ନିଜେ ପୋଡ଼ିଯାଇ ପରର ଉପକାର କରୁଥିଵା ଦେଖି ଶତ ଶତ କୀଟ ପତଙ୍ଗ ପୋଡ଼ିଯିଵାକୁ ସୁଦ୍ଧା ଭୟ କରନ୍ତିନାହିଁ । ସେହିପରି କ୍ରମେ କ୍ରମେ ଆଦର୍ଶ ସ୍ଥାପନ କରି ଓ ନିଜେ ଅନୁସରଣ କରି ସମସ୍ତ ଜାତି  ଲାଗି ପ୍ରତ୍ୟେକ ବ୍ୟକ୍ତି ନିସ୍ୱାର୍ଥପର ହେଵା ଉଚିତ ।


🌟ଯେତେଵେଳେ ଆମ୍ଭମାନଙ୍କ ଦେଶର ଯୁବକମାନଙ୍କ ହୃଦୟରେ ପ୍ରାଣବ୍ରହ୍ମ ପ୍ରତିଷ୍ଠିତ ହୋଇ ସେମାନଙ୍କୁ ପଵିତ୍ର ମନୁଷ୍ୟତାରେ ଜାଜ୍ଜୁଲ୍ୟମାନ କରିଵେ ସେତେଵେଳେ ଗଭର୍ଣ୍ଣମେଣ୍ଟ ବା ଅନ୍ୟ  ଯେ  କେହି ସେମାନଙ୍କୁ ଅବଶ୍ୟ ସମ୍ମାନ କରିବେ ।


🌟ଧନ,ଜନ,ମନ, ଏହି ତିନୋଟି ମନୁଷ୍ୟ ସମାଜର ବଳସ୍ଵରୂପ । ଦେଶର କୌଣସି ଉନ୍ନତି କରିଵାକୁ ଚେଷ୍ଟା କଲେ ଏହି ତିନିବନ୍ଧୁକୁ ଏକତ୍ର କରିଵାକୁ ହେବ । ଏ ତିନି ଗୋଟି ବଳ ତିନି ଶ୍ରେଣୀର ଲୋକଙ୍କ ହାତରେ ଅଛି । ଧନ ଜମିଦାର, ରାଜା, ମହାଜନ ଏମାନଙ୍କ ହାତରେ ଅଛି । ମନ ଅର୍ଥାତ୍ ଯାହାର ଅର୍ଥ ବୁଦ୍ଧି – ଏ ଶକ୍ତି ସୁଶିକ୍ଷିତ ଲୋକମାନଙ୍କର ହାତରେ ଅଛି । ଜନ – ଏ ସାଧାରଣ ଲୋକଙ୍କ ହାତରେ ଅଛି ।


🌟କେତେ କେତେ ପୁଅ ମୋର ଵିଦେଶକୁ ଯାଇ ଅନେକ ରୋଗରେ ମରୁଛନ୍ତି , ମୁହଁ ଲୁଚାଇ ରହୁଛନ୍ତି – ଏଥିରୁ ଅଧିକ ଦୁଃଖ ମୋର କଣ ହୋଇପାରେ ? ମୋର ଧନୀ ପୁଏ ଏ ଦୁଃଖକୁ ଟିକିଏ ଦେଖିଲେ ନାହିଁ । ଧନୀ ପୁଅମାନଙ୍କୁ ମୁଁ ପଚାରେ ତାଙ୍କ ଗରିଵ ଭାଇମାନଙ୍କ ପାଇଁ ସେମାନେ କଣ କରିଛନ୍ତି ? ଏପର୍ଯ୍ୟନ୍ତ କିଛି କରିନାହାନ୍ତି । କିଛି କରିଥିଲେ ମୋ ଆଖିରୁ ସବୁଵେଳେ ଲୁହ ଗଡ଼ୁ ନ ଥାନ୍ତା ।


🌟ସମସ୍ତ ନାରୀଜାତି ଜାତିର ମାତା । ନଦୀସ୍ରୋତ ଯେପ୍ରକାର ନଦୀର ଉତ୍ପତ୍ତି ସ୍ଥାନରୁ ଅଧିକ ଉଚ୍ଚସ୍ଥାନକୁ ଉଠି ନ ପାରେ ସେହିପ୍ରକାର କୌଣସି ଜାତି ସେ ଜାତିର ମାତାମାନଙ୍କୁ ଅର୍ଥାତ୍ ନାରୀଜାତିକୁ ନୀଚ ଅବସ୍ଥାରେ ରଖି ଆପେ ଉନ୍ନତ ଅଵସ୍ଥାକୁ ଉଠି ନ ପାରେ ।


🌟ଆମ୍ଭେମାନେ ଯେଉଁ ଜ୍ଞାନ ଉପାର୍ଜନ କରୁଅଛୁଁ ସେହି ଜ୍ଞାନ ଆମ୍ଭମାନଙ୍କର ଗୃହସ୍ଥିତା ସ୍ତ୍ରୀଲୋକମାନେ ଲାଭ କରିଥିଲେ ତାହା କେହି ଅପହରଣ କରିପାରିଵେ ନାହିଁ ଏବଂ ସେମାନଙ୍କଠାରୁ ତାଙ୍କର ସନ୍ତାନମାନେ ନିଶ୍ଚୟ ପାଇପାରିଵେ ।


(ମଧୁବାବୁଙ୍କ ଵିଭିନ୍ନ ଭାଷଣରୁ ସଂଗୃହିତ କେତେକ ସୂକ୍ତି)

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...