Friday, June 21, 2019

ହାସ୍ଯ କଲ୍ଲୋଳ—କଵିସୂର୍ଯ୍ୟ ବଳଦେଵ ରଥ


ଭୂୟୋ ନମଃ କୌତୁକଲମ୍ପଟାୟ ଭାନୂଦ୍ଭବାରମ୍ୟତଟୀନଟାୟ
ଘଟସ୍ତନୀନାଂ ପଟଳୀବିଟାୟ କୃଷ୍ଣାୟ ବଦ୍ୟୁଦ୍‌ବିଲସତ୍‌ପଟାୟ ॥
ମନ୍ଦାର ବୃନ୍ଦାରକବନ୍ଦିତାଂଘ୍ରଂ ନନ୍ଦାଳୟେନ୍ଦ୍ରୋତ୍ପଳନୀଳ ଲକ୍ଷ୍ମୀମ୍‌
ବୃନ୍ଦାବନବ୍ୟୋମବିହାରଚନ୍ଦ୍ରଂ କୁନ୍ଦାବଦାତାସିତମୀଶମୀଡ଼େ ॥

ଏ ହେଲା ହୋ, ସେ ହେଲା ହୋ,
ଏକ ଯେ ମହାରାଜ୍ୟ ଥିଲା ।
ସେ ରାଜ୍ୟର ନାମ ରହସ୍ୟ ଘୋଷ ।
ଦେଶ ପାଞ୍ଚଶ ଉଣା ପଞ୍ଚାଶ କୋଶ ।
ଅତ୍ର ଗୁଣବନ୍ତ ସମସ୍ତ ଦୋଷ ।
ଗୁଣଜ୍ଞ ଦେଖିଲେ ହୁଅନ୍ତି ରୋଷ ।
ଗୋସାଇଁମାନଙ୍କ ରୋଷାୟା ଘୋଷ ।
ଚଣା ଚୋବାଇଲେ ନିବର୍ତ୍ତେ ଶୋଷ ।
ସାଧୁଙ୍କୁ ନିନ୍ଦିଲେ ମନରେ ତୋଷ ।
ଘୁଷିରି ଦେଖିଲେ ବୋଲନ୍ତି ହାତୀ ।
ଜାଣି ନ ପାରନ୍ତି କେ କେଉଁ ଜାତି ।
ବ୍ରାହ୍ମଣମାନଙ୍କ ହାତରେ କାତି ।
ଭକ୍ତିରେ ଗୁରୁବୈଷ୍ଣବ-ଘାତି ।
କଉଡ଼ିମାଳିଆ ସବୁଙ୍କ ଛାତି ।
ହାଣ୍ଡି ନ କରନ୍ତି ମଲେ ହେଁ ଜ୍ଞାତି ।
ଦାଣ୍ଡେ ନ ଜାଣନ୍ତି ଖରାର ତାତି ।
ସମସ୍ତଙ୍କ ଇଷ୍ଟଦେବତା ଖ୍ୟାତି ।
କୋତରା ଅଖା ପଲଙ୍କସୁପାତି ।
ଏକାନ୍ତ କଥାକୁ ବଜାରେ ଖ୍ୟାତି ।
ଥୁଆଥୋଇ ହୋନ୍ତି ଆଈକି ନାତି ।
ମହାଶର ଯହିଁ ବାଉଁଶ ପାତି ।
ରଜନୀ ଦିବସ, ଦିବସ ରାତି ।

ସ୍ୱପତ୍ନୀ-ସ୍ନେହରେ ନ ଥାନ୍ତି ମାତି ।
କୁଳ କୁଟୁମ୍ୱରେ ଳମ୍ପଟ ଥାନ୍ତି ।
କୋଟିଏ ଉଣା ଅୟୁତେ ପାଦାନ୍ତି ।

ସେ ରାଜ୍ୟ ମହାଜନ ମହାସାମନ୍ତ ।
ଦୋକାନେ ବସି ଖାଇ ବିଶା ବିଶା ଅନ୍ତ ।
ବଡ଼ଲୋକେ ସଂପାଦନ୍ତି ମେଣ୍ଢା ଛେଳି ଦନ୍ତ ।
କୋଦୁଅ ପେଜ ହାଣ୍ଡିରେ ହାପୁରୁଥାନ୍ତି ମାଣ୍ଡିରେ ।
ମନ ଥାଇ ଭାଣ୍ଡରେ ।
ଅଠର ଗଣ୍ଠିଆ କମ୍ୱଳ କନା ପିନ୍ଧି ବୁଲନ୍ତି ଦାଣ୍ଡରେ ।
ହାଡ଼ି ବାଉରି ଗୋର୍ଜି ଠି ।
ଫାଳିଆ ସଢ଼ାଇ ଖୋଜି ଟି ।
ଭେଣ୍ଡିଆମାନଙ୍କ ଭୋଜିଟି ।
କରନ୍ତି କୋଳଥ ଗଜା ।
କରଞ୍ଜ ତେଲରେ ଭଜା ।
ସେ ରାଜ୍ୟ ଠାକୁରଙ୍କ ପୂଜା ।

ଗୁଡ଼ିଆଣୀଟି କୁଜୀ ଟି ।
ଗୋଟିଏ ନୟନ ବୁଜିଟି ।
ସେହି ରୂପେ ଗୋଲା ଗୋଲୁଣୀ,
ପାଲିଆ ପାଲିଆଣୀ, ସାଲିଆ ସାଲିଆଣୀ,
କାମ୍ପ କାମ୍ପୁଣୀ, କୁଡ଼ୁମ କୁଡ଼ୁମଣୀ,
ବଳାସୀ ବଳାସୁଣୀ, ଆଳିଆ ଆଳିଆଣୀ,
ଆରୁଆ ଆରୁଆଣୀ, କାରୁଆ କାରୁଆଣୀ,
କେଉଟ କେଉଟୁଣୀ, କୁମୁଟି କୁମୁଟିଆଣୀ ।

ସେ ଦେଶରେ ଅଛନ୍ତି ପୁଣି ।
ବହୁତ ରାଣୀ ଓ ବହୁତ କାଣୀ । ରାଣି
କେଉଁମାନେ ଏବଂ କାଣୀ କେଉଁମାନେ ?
ପାଇକାଣୀ, ବାରିକାଣୀ, ନାୟକାଣୀ,
ରେଡ଼ିକାଣୀ; କାଣୀ ଏମାନେ ।
ରାଣୀ କେଉଁମାନେ ତାହା କହିବା ।
ବେହେରାଣୀ, ମାଗୁରାଣୀ, କନ୍ଦରାଣୀ,
କୁନ୍ଦୁରାଣୀ, ଖଡ଼ୁରାଣୀ, ବାଉରାଣୀ,
ପାଟରାଣୀ; ଏମାନେ ରାଣୀ ଅଟନ୍ତି ।

ପୁନରପି ସେ ରାଜ୍ୟରେ ଚମତ୍କାର ଅଛି ।
କି କି ଅଛି କି ? ଗୁଣ୍ଡିଆ ଭିତରେ ମରମ ଅଛି ।
କପାଳ ଭିତରେ କରମ ଅଛି ।
ବାଟ ଚାଲିବାରେ ଶରମ ଅଛି ।
ଜୀବର ଭିତରେ ପରମ ଅଛି ।
ସୂର୍ଯ୍ୟମଣ୍ଡଳରେ ଧରମ ଅଛି ।
ଗ୍ରୀଷ୍ମ ସମୟରେ ଘରମ ଅଛି ।
ତପତ ପାଣିରେ ଗରମ ଅଛି ।
ଜନ୍ତୁଙ୍କ ଦେହରେ ଚରମ ଅଛି ।
ନାରୀ ସଙ୍ଗମରେ ନରମ ଅଛି ।
ମୁହଁ ବୁଲାଇଲେ ଭରମ ଅଛି ।

        ନ ଥିବାର କି କି ନାହିଁ, ତାହା କହିବା ।
ଯୋଗୀର ଥାଳ ନାହିଁ । ଶୋଇବାକୁ ସାଳ ନାହିଁ ।
ବସିବାକୁ ପାଳ ନାହିଁ । ଘରରେ ଚାଳ ନାହିଁ ।
ମୁଣ୍ଡରେ ବାଳ ନାହିଁ । ଧାତୁରେ ଝାଳ ନାହିଁ ।
ପୁଣ୍ୟକୁ କାଳ ନାହିଁ । ଦେହରେ ବଳ ନାହିଁ ।
ରଇତର ହଳ ନାହିଁ । ନିନ୍ଦିଲେ ଛଳ ନାହିଁ ।
ଚାଲିବାକୁ ଥଳ ନାହିଁ । ସମ୍ୱନ୍ଧକୁ କୁଳ ନାହିଁ ।
ଫରିର ଠୁଳ ନାହିଁ । ନଡ଼ିଆର ଚୂଳ ନାହିଁ ।

ଏପରିରେ ସେ ରାଜ୍ୟରେ ଗୋଟିଏ ଊଣା ଦଶ ହଜାର ଫଉଜକୁ ମହାବାହାଦୂର ଦଶ ଦଶ ସରଦାର । କେଉଁ କେଉଁମାନେ ? କାଞ୍ଜି ବୈରିଗଞ୍ଜନ, ତୋଡ଼ି ଭାରୋଇମଲ୍ଲ, କୁଣ୍ଡା ଶତ୍ରୁଶଲ, ଗନ୍ଧସାର ରଣହାନ୍ଦୋଳା, ମଦରଙ୍ଗା ମେଦିନୀରାୟ, କଳମ୍ୱ ବଳିଆର ସିଂହ, କଳିଆର ବଳିଆରାଜ, ନାଲିଆଟାରେ ଭାଳିଆରାଜ । ଯୁଦ୍ଧ ଦେଖିଲେ ପଛଘୁଞ୍ଚା ଦିଅନ୍ତି । ଛୁରି ଦେଖିଲେ ହୁରି କରନ୍ତି । କାତି ଦେଖିଲେ ଛାତି କମ୍ପାନ୍ତି । ଖଣ୍ଡା ଦେଖିଲେ ଦଣ୍ଡା ହୋଇ ଶୁଅନ୍ତି । ଫରି ଦେଖିଲେ ସରି ଯାଆନ୍ତି । ଛାଟ ଦେଖିଲେ କୀଟରୁ ବଳନ୍ତି । ନଳି ଦେଖିଲେ ଗଳି ଯାଆନ୍ତି । ପଟା ଦେଖିଲେ ଛଟା ଗାଳନ୍ତି । ଗଦା ଦେଖିଲେ ପଦାରୁ ପଳାନ୍ତି । କୁନ୍ତ ଦେଖିଲେ ଅନ୍ତରେ ସଢ଼ନ୍ତି । ପ୍ରାସ ଦେଖିଲେ ତ୍ରାସରେ ଥରନ୍ତି । ସାପ ଦେଖିଲେ ବାପ ବୋଲନ୍ତି । ଏତେ କଥାରେ କି ଅଛି, ଲୁହାଧରାକୁ ଦେଖିଲେ ଜୁହାର ବୋଲି ପଳାନ୍ତି ।
ସେ ଦେଶର ବେଶ୍ୟା କିପରି କି ? ଲେଭିଡ଼ୀ ଲୀଳାବତୀ, ଥୋବଡ଼ୀ ଜଗାନ୍ନୋହିନୀ, ଲେସଡ଼ୀ କଳାବତୀ, ଭେଷଡ଼ୀ ଇନ୍ଦୁବଦନା, ଦାନ୍ତୁଡ଼ୀ କୁନ୍ଦରଦନା । ଏପରି ତାଙ୍କ ନାମ । ଅନୁକୂଳକୁ ସେ ବାମ । ଦେଖିଲେ ନିବର୍ତ୍ତଇ କାମ । ନେତ୍ରରେ ନରକ ୫୩ ଧାମ । କଣ୍ଠରେ କଉଡ଼ି-ଦାମ । ପହଣ୍ଡେ ଚାଲିକି ଝାମ । କେନ୍ଦୁକାଠ ପରି ଶ୍ୟାମ ।

ଆକୁଆ ଟାକୁଆ ଗାଲ । ଭାତୁଡ଼ି ଭରତି ଭାଲ । ଭୁଲୁତା ମଧ୍ୟରେ ଖାଲ । ଆଖିରେ ପରଳ ଜାଲ । ଶ୍ରବଣ ଅଳପ କାଲ । କୋତରା ଅଖା ସାଲ । ଖଟ ଶେଯ ଛେଳିଛାଲ । ଏପରି ଅର୍ଜନ୍ତି ମାଲ; - କପା ହେଲେ ପଳେ । ମୁଢ଼ି ହେଲେ କଳେ । କଉଡ଼ି ହେଲେ କଡ଼ାଏ । କୋଳଥ ହେଲେ ଅଡ଼ାଏ । କୋତ ହେଲେ ଯୋଡ଼ାଏ । କୟାଁ ହେଲେ ଫଡ଼ାଏ । ନାଗରମାନେ ଦେବାର ଏହା ।
ସଂସାରୀମାନଙ୍କ ବଡ଼ ମରଜି । କେତେ କହିବା ଗରଜି ଗରଜି । ସ୍ତ୍ରୀ-ପୁରୁଷ ଯୋଡ଼ିଏ ଜାତି । ବାଟେ ଘାଟେ ଯେବେ ଭେଟାଭେଟି ହୋନ୍ତି । ପୂର୍ବ ପରିଚୟ ନୋହେ କାହାର କେହି । ମୁଲାକାତ ହେବା କ୍ଷଣେ ସମ୍ଭାଷଣା ଏହି; - ତୁମ୍ଭେ କିଏ ସେ ? ନା, ତୁମେ କିଏ ସେ ? ଆମ୍ଭେ ପୁରୁଷ । ନା, ଆମ୍ଭେ ସ୍ତ୍ରୀ; ତୁମ୍ଭେ ତ ପୁରୁଷ ଆମ୍ଭେ ତ ସ୍ତ୍ରୀ, ତୁମ୍ଭେ ଆମ୍ଭେ ସଙ୍ଗ ହେବା କି ? ଭଇଁଚ ଲଟାକୁ ଯିବା କି ? ରତିକି ସଭା, ସୌନ୍ଦର୍ଯ୍ୟକୁ ଗଭା ।
ଏ ରୂପେ ପ୍ରଭୁତାରୁ ସେ ରାଜ୍ୟ ରାଜାଙ୍କର ଶୌର୍ଯ୍ୟ, ସୌନ୍ଦର୍ଯ୍ୟ, ବୀର୍ଯ୍ୟ, ଧୈର୍ଯ୍ୟ, ଚାତୁର୍ଯ୍ୟାଦି ଗୁଣମାନଙ୍କୁ କହିବା । ଉଳ୍ଲାତକର୍ଣ୍ଣ ବୋଲି ସେ ରାଜ୍ୟର ମହାରାଜା । ଯାହାର ସିଂହଦୁଆରେ ଘୁମୁରା ବୀରରାଜା । ସେ ମହାରାଜା ମହାଦୀପ୍ତିମାନ । ତାଙ୍କର ନୀତି କିପରି ? ଜନକ ରାଜାଙ୍କର ନ ଥିଲା । ଯୁଧିଷ୍ଠିରଙ୍କର ନ ଥିଲା । ଭୋଜ ରାଜାଙ୍କର ନ ଥିଲା । ମାନଧାତା ଚକ୍ରବର୍ତ୍ତୀଙ୍କର ନ ଥିଲା । ବୀର ବିକ୍ରମାଦତ୍ୟ ମହାରାଜାଙ୍କର ନ ଥିଲା । ତେଣୁ କରି ମାଗଧମାନଙ୍କ ସଙ୍ଗେ ଧୂଳି ସୁପାତିରେ ପହୁଡ଼ ହୁଏ । ସୂର୍ଯ୍ୟୋଦୟକୁ ଘେନି ବେଳ ଦୁଇ ଘଡ଼ି ପର୍ଯ୍ୟନ୍ତେ ଅନ୍ତଃପୁରେ ବିଜେ ହୁଅନ୍ତି । ଏହି ସମୟରେ ଖନ୍ଦା ଫରମାସି ହୁଅଇ;--ଚୁଚୁନ୍ଦ୍ରା ମାଂସ ପଲାଉକୁ ପେଚାପକ୍ଷୀ ଝୋଳ । ନ ଅଣ୍ଟିଲା ପରି ମହାସୁଆରକୁ ଖନ୍ଦାଫରମାସି ହୁଅଇ । କଳିକତୀ ଗଞ୍ଜାଇ ପତ୍ରର ସେରେ ଚୂର୍ଣ୍ଣ ପ୍ରସାଦ ସେବା ହୁଅଇ । ଲିଆ ପରାୟେ ଲଘୁ ଆହାର ହୁଅଇ ।

ସୁକୁମାର ମଣୋହି ବଢ଼ିଲା ଶେଯରେ ଅନାଚାର ଆଚମନ ବଢ଼ଇ । ଶୁଦ୍ଧ ଖତକୁଡ଼ରୁ ଆସିଥିବା ଚଣ୍ଡାଳଚର୍ବିତ ଗୁଣ୍ଡି ଗୁଆ ବିଡ଼ିଆ ଲାଗି ସମୟରେ ପୁରୋହିତ ଅକଲ୍ୟାଣ ମହାପାତ୍ର ଗୋସାଇଁ ଆସି ଅମଙ୍ଗଳାରୋପଣ ସାରି ଏପରି ଆଶୀର୍ବାଦ ଦିଅନ୍ତି । କି ରୂପେ କି;--
ରାସଭସ୍କନ୍ଧମାରୂଢ଼ୌ ଗୁଧ୍ରଗୋମାୟୁ ଭକ୍ଷତାମ୍‌ ।
କୁଟୁମ୍ୱଃ କ୍ଷୀଣତାଂ ଯାତୁ ଯୋଷିତ୍‌ ଭ୍ରଷ୍ଟା ତବାସ୍ତୁ ହି ।
ଆଶୀର୍ବାଦଃ ଶିରଶ୍ଛେଦଃ ପତ୍ନୀଭ୍ରଷ୍ଟଃ ତଥୈବ ଚ ।
ପୁତ୍ରପୌତ୍ରାଃ କ୍ଷୟଂ ଯାନ୍ତୁ ନିଷ୍କଟୁମ୍ୱାସୁଖୀ ଭବ ।

ଏପରି ଦୀର୍ଘାୟୁ ପ୍ରତିପତ୍ତିକୁ ଆଶୀର୍ବାଦ ଗ୍ରହଣାନ୍ତରେ ରାଜାଙ୍କର ଥିବା ପ୍ରତିକୂଳ ଜୌତିଷରତ୍ନେ ଦିନାଦି ପାଞ୍ଜିପଞ୍ଚାଙ୍ଗ ଜଣାନ୍ତି । କିପରି କି ;---
ତୈଳାଙ୍ଗା ଯବନୀ ପୁଳିନ୍ଦଗୃହିଣୀ ପୋଟା ବହିର୍ଦାସିକା
ଲାଜା ସର୍ପ ବିଲୋଚନା ଚ ଶବରୀ ହୀନମ୍ୱର ଯୋଷିତା ।
ଏତେ ନାଶପ୍ରଦାଶ୍ଚତେ ନରପତେ ଦତ୍ୱାଶିଷଂ ସର୍ବଦା
ଗୋଧାଗୃଧ୍ରପକ୍ଷୀ ଚ ପେଚକପକ୍ଷୀ କୁର୍ବନ୍ତୁ ଚାମଙ୍ଗଳମ୍ ।

ମହାରାଜ ! ମଙ୍ଗଳବାର ପନ୍ଦର ଦଣ୍ଡ ପାଇଁ ଶୁକ୍ରବାର ପ୍ରବେଶ ହେବ । ତିଥି ପୂର୍ବାଷାଢ଼ା ଅଣଚାଶ ଦଣ୍ଡ । ଆୟୁଷ୍ମାନ ନକ୍ଷତ୍ର ବୟାଳିଶ ଦଣ୍ଡ । ଦୁଇପାଦ ଚନ୍ଦ୍ର ପନ୍ଦର ଦଣ୍ଡ । ବୃଷ କରଣ ଷାଠିଏ ଦଣ୍ଡ । ରବି ଚଉଦ ଅଂଶ ପଞ୍ଚତ୍ରିଂଶ କଳାକୁ ମାସର ସାତଦିନ ଭୋଗ ହେଲା । ତାର ସପ୍ତମ, ଚନ୍ଦ୍ର ଅଷ୍ଟମ । ଦିନଯାକ ବିଷ୍ଟି କରଣ । ମହାରାଜ, ସମସ୍ତ ଶୁଭ ହୋଇ ଅଛନ୍ତି । ବାମ ପାଖ ଶ୍ରୀଅଙ୍ଗ ମଧ୍ୟ ସ୍ଫୁରୁଥିବ । ଦକ୍ଷିଣ ଦିଗକୁ ଯାତ୍ରା । ଆଜ ଅର୍ଦ୍ଧରାତ୍ର ସମୟରେ ପନିଅର ଲାଗିକି ଉତ୍ତମ ଯୋଗାଉଛି । ଯେ ଦିବ୍ୟ ଅବଧାନକୁ ଆସିବ ।

ଏପରି ପଞ୍ଚାଙ୍ଗ ଶ୍ରବଣ ବଢ଼ିଲା ଉତ୍ତାରୁ ଦନ୍ତଧାବନ ସୁଳେଇ ଏକାବେଳେକେ ବଢ଼ିଲା । ଦ୍ୱାଦଶାଙ୍ଗୁଳ ସ୍ଥୂଳ ଅଷ୍ଟାଦଶଙ୍ଗୁଳ ଦୀର୍ଘ ଚିତ୍ରକିଳାସନ ଉପରେ ଦେବାର୍ଚ୍ଚନ ବଢ଼ିଲା । ନିରକ୍ଷର ବାହିନୀପତି ପୁରାଣପଣ୍ଡା ଗୋସାଇଁ ଶୁଣାଇବାର ପୁରାଣ କିପରି ବୋଲନ୍ତେ;--
(ପୁରାଣ)
ଗୁଡ଼ସେଠୀ ପୁରୁଷାୟ ଛୋକରାଣି ଚ ଶେଖରମ୍‌ ।
ଖରଂ ଚ ମନସି ଧ୍ୟାତ୍ୱା ତତୋ ଜୟମୁଦୀରୟେତ୍‌ ।।
କୁଳଟାନାଂ ନିସର୍ଗୀୟ ନମସ୍ତସ୍ମୈ ଦୟାଳବେ ।
ଯେନ ତାଃ ସ୍ୱପତିଂ ହତ୍ୱା ପାଳୟନ୍ତି ପରାପରମ୍‌ ।।

ଶ୍ରୀ କୁଳଟାୟୈ ନମଃ
କଦାଚ ବ୍ରହ୍ମହତ୍ୟୟାଂ କଳିଂ ପପ୍ରଚ୍ଛ ଦୁର୍ଣ୍ଣୟଃ ।
କେନୋପାୟେନ ସଂସାରାତ୍‌ ତରିଷ୍ୟନ୍ତୀତି ଦେହିନଃ ।।
ସର୍ବୋଚ୍ଛାଦନ-ଚାତୁର୍ଯ୍ୟଂ ଧୂରୀଣାସି ମହାମତେ ।
ବପ୍ରବେଶା ମହାଶିକ୍ଷା ଯତ୍ତୋକ୍ଷା ମଟିସ୍ୱତିଃ ।

ଓଁ କଳିରୁବାଚ
କଥୟାମି ପରଂତତ୍ତ୍ୱଂ ଶୃଣୁ ବହେ ସମାହିତଃ ।
ଅନୁଗ୍ରହ ସମେ ପାତଂ ଯତୋଽସି ମୟି ଭକ୍ତିମାନ୍‌ ।।
ପାପାତ୍ସଂବର୍ଦ୍ଧତେ ଲକ୍ଷ୍ମୀଃ ପାପାତ୍ସଂବର୍ଦ୍ଧତେ ଯଶଃ ।
ପାପାଦ୍ଦୀର୍ଘଂ ଭବେଦାୟୁଃ ପାପାତ୍‌ ନାସ୍ତ୍ୟଧିକଂ ବ୍ରତମ୍‌ ।
ସେବ୍ୟତାଂ ପାପକର୍ମାଣି ତ୍ୟଜ୍ୟତାଂ କୃତିନୋ ଜନାଃ ।
ସର୍ବପାତକ କର୍ତ୍ତୃଣାଂ ସ୍ଥାନକ୍ଷେତ୍ରମୁଦାହୃତମ୍‌ ।।
ଏକସ୍ତେ ବଧ ସଂବ୍ରାତ ବ୍ରାହ୍ମଣଂ ଚ ବିଶେଷତଃ ।
ତିରସ୍କାରଂ ଚ ସତ୍ସ୍ୱିଦଂ ନାନା ଜାତି ସମୁଦ୍ଭବମ୍‌ ।
ନ ପିବେସ୍ୱପଚେବସ୍ୟ (?) ନାପିତାନ୍‌ ବ୍ରାହ୍ମାଣାନ୍‌ ଭଜେତ୍‌ ।
ବିବିଧା ଚିନ୍ତୟା ଶାନ୍ତି ଯାବନ୍ନ ଚରଣ ଦ୍ୱୟମ୍‌ ।
ଗଙ୍ଗାୟାଂ ଶ୍ଳାଘ୍ୟମାଲୋକ୍ୟ ବିନା ସ୍ନାନଂ ଗୃହଂ ବ୍ରଜେତ୍‌ ।
ଦୁଷ୍ଟ୍ୱା ଗୋବ୍ରହ୍ମହନ୍ତାରଂ କର୍ତ୍ତାନୃଣ୍ୟଂ ବିମୁଚ୍ୟତାମ୍‌ ।
ଲବ୍‌ଧ ବିତ୍ତଂ ନ ଭୁଞ୍ଜିତୋ ବିତଯୁତଃ ଦିବୋତ୍ତମଃ ।
ଚୌର୍ଯ୍ୟୈଃ ସୌର୍ବର୍ଜିତୈର୍ବିର୍ତ୍ତୈଃ ଶରୀରଂ ପାଳୟ ସ୍ୱକମ୍‌ ।
ସଂପର୍କଂ ପଣ୍ଡିତୈଃ କୃତ୍ୱା ତାତ କ୍ଷୋଭଃ ଭବିଷ୍ୟତି ।
ଅକ୍ଷରାଙ୍କେନ ସଂଗ୍ରନ୍ଥା ଶକାରୈଃ ତତ୍ର ଯୈଃ ନିତ୍ୟମ୍‌
ଇଦଂ ରହସ୍ୟମାୟୁଷଂ ମୁକ୍ତିସ୍ନେହାତ୍ତବାଗ୍ରତଃ ।
ଅନେକ କର୍ମଣାଂ ନାଶଃ ପରତ୍ରେହ ଚ ଯାସ୍ୟତି ।

ଓଁ ହରି ତତ୍‌ସତ୍‌ । ଇତି ଶ୍ରୀ ବିଧୁତ ନାନା ପାପାତନୋର୍ହିତଃ ମୃଳସ୍ୱତାମିପତ୍ରାବନ ତତ୍ପତି କଂସାହାତି ନରକଚୟ ପରିଚୟୋ ଚାତୁର୍ଯ୍ୟ ପ୍ରତିପାଦକେ କୌତୁକାର୍ଣ୍ଣବେ ମହାପୁରାଣେ କଳି ଦୁର୍ଣ୍ଣୀତି ସମ୍ୱାଦେ ତ୍ରୟୋଦଶୋଽଧ୍ୟାୟଃ ।
ଅମଙ୍ଗଳଂ ମହାପୂର୍ବ ଜଗତୁ ପ୍ରଳୟଂ ଯାତୁ
ଶିଶିରେ ବର୍ଷତୁ ମେଘୋଽଶୁଭ ବିପ୍ରା କୃଷିକ୍ଷୀଣା ।
ପୁରାଣପଣ୍ଡା ଗୋସାଇଁ ଏପରି ପାରାୟଣ ସାରି, ପୋଥି ବାନ୍ଧି, ପୋଥି ଶ୍ରୀ ମହାରାଜାଙ୍କ ନାକରେ ଛୁଆଁଇ ପ୍ରସାଦ ବିଛୁଆତି-ଦଳ ଚକ୍ଷୁରେ ଘଷି ଦେଇ ଶ୍ରୀ ମହାରାଜାଙ୍କଠାରୁ ଆଶୀର୍ବାଦ ଘେନି ବିଦା ହୋଇଗଲା ଉତ୍ତାରୁ ଦିବାନ ଆଦିଦୁର୍ବୋଧ ଧୁରନ୍ଧର ବେହିଆ ମହାପାତ୍ରେ ଆସି ଶ୍ରୀଛାମୁରେ ପଞ୍ଛାଶ ଜଣ ବାଉରି ଭଲଲୋକ ଥିବାରେ ଅତି ଏକାନ୍ତରେ ଅତି ଧୀର କରି ମେଘ-ଗର୍ଜିତ ସାମାନ୍ୟ ସ୍ୱରରେ ପିଠିଆଡ଼ ଛାମୁରେ ଯାଇ ରହି କହନ୍ତି । କି ରୂପେ କି; --‘‘ହେ ମହାରାଜ, ସଦାନନ୍ଦ ବ୍ରହ୍ମଚାରୀ ଗୋସାଇଁଙ୍କର ଝିଅ ଗୋଟିଏ, ସନ୍ନ୍ୟାସୀ ଅଶମ୍ଭୁ ତୀର୍ଥସ୍ୱାମୀମାନଙ୍କର ଝିଅ ଗୋଟିଏ, ରାଜଗୁରୁ ଗୋସାଇଁଙ୍କର ଝିଅ ଗୋଟିଏ, ପୁରୋହିତ ଗୋସାଇଁଙ୍କର ଝିଅ ଗୋଟିଏ ଏପରି ଚାରି କନ୍ୟାଙ୍କର ନାକନା ଭଳି ସମୟରେ ଉଚିତ ହେବାର ଦୁର୍ବାକ୍ଷତ ବିଧି ବିଚାରି ନ ପାରିବାରୁ ଏହି ନଜିକରେ ଚାରି କନ୍ୟାଯାକ ପିତୃତର୍ପଣ ତୀର୍ଥରେ ପୁଷ୍ପବତୀ ହେଲେ ।

ଦେଉ ତ ଗଧପତି, ସାକ୍ଷାତ୍‌ ଅଧର୍ମ ଅବତାର, ଭୂମି-ଶବର ପରି ମହାରାଜତ୍ୱ କରି ଆଜ୍ଞା ଦେଉ ଅଛନ୍ତି; ମହାପ୍ରଭୁ ପାରଂପର୍ଯ୍ୟ ପ୍ରକ୍ରମରେ ମହାରାଜାଙ୍କ ଦରବାରରେ ଚଳି ଆସୁଥିବା ନ୍ୟାୟକୁ ବିଚାରିଲେ ସେ ଚାରି କନ୍ୟାଙ୍କୁ ସରକାରକୁ ଆଣିବାକୁ ହେବ । ନୋହିଲେ, ରାତି ସହରରେ ରୋଜ ବୁଲିବାର କଟୁଆଳ ଅବା ପଠାଣ ପାଇକେ ନେବାର ମର୍ଯ୍ୟାଦା । ଭାଇ ନ ଥିବା ପକ୍ଷକୁ ମାମୁଁ ଭୋଗ କରିବାର ପସନ୍ଦ । ଏବେ ମହାରାଜାଙ୍କ ପରା ପରମାବିବେକ ଶ୍ରୀ ଖାମିନ୍ଦ ବିଜେ ଅବସ୍ଥାନ କରୁ କରୁ ରାଜ୍ୟ ଅରାଜକ ହେଲା ପରିରେ । ସେ କନ୍ୟାମାନଙ୍କୁ ପୂର୍ବରୁ ବିବାହ ହୋଇଥିବା ଅଣ୍ଡିରାମାନେ ଆସି ଘେନିଯିବାକୁ ନାନା ହେଙ୍ଗମା କରୁଛନ୍ତି । ଏଥକୁ ରାଜ ଆଜ୍ଞା ହେଲେ ସେ କନ୍ୟାମାନଙ୍କର ମାଆମାନଙ୍କୁ  ବଦଳି ଦିଆଯାଇ ସମୁଜାଇ ଦେବାକୁ ପଡ଼ିବ । ମହାରାଜ ! ଲୋକେ କହିବାରେ ବିବାହ ପୁଣି ଠିକଣା ନାହିଁ । ଛାମୁଣ୍ଡିଆ ଉପରେ ବେଦୀ ତଳରେ, ପୁରୋହିତ ପୁଣି କର୍ମ କରି ହସ୍ତଗ୍ରନ୍ଥି ପକାଇ ଦେଇ ବାହାରିଗଲେ । ମହାରାଜ ! ଯଥାବିଧିରେ ଯେ ଟି । ନଦୀ ତଟରେ ହେଲେ ହୁଅଇ, ତୋଟା ମାଳରେ ହେଲେ ହୁଅଇ, ଭଗ୍ନ ଦେବାଳୟରେ ହେଲେ ହୁଅଇ, ଏପରି ସିନା ବଡ଼ଲୋକମାନଙ୍କର ମର୍ଯ୍ୟାଦା । ପୁରୋହିତ ବାକ୍ୟ ପଢ଼ି ପଢ଼ି ହସ୍ତଗ୍ରନ୍ଥି ପକାଇ ଦେଇଯିବାର କିପରିରେ ହେଲା ? ଏ ସକାଶରୁ ମୁଁ ପ୍ରାନ୍ତରୁ ଜଣାଇଲା ପରି ହୁକୁମ ହେବାର ଅଛି । ନୋହିଲେ ରାଜଧର୍ମକୁ ବହୁତ ଅସୁନ୍ଦର ଦିଶିବ । ଦିବ୍ୟ ଅବଧାନକୁ ଆସିବ । ମହାପ୍ରଭୁ ! ଏ ସଂଶୟ ତ ଏପରି, ଆଉ ଗୋଟିଏ ବିଷୟ ଏହିପରି;- ଗୋଟିଏ ଅବିଦ୍ୟା ଭଲଲୋକ ଜଣଙ୍କ ଘରେ ଜାତ ହେଲାବୋଲି ଶୁଣାଯାଉଅଛି । ଏମନ୍ତ ଅନ୍ୟାୟ ପ୍ରବର୍ତ୍ତିଥିଲେ ମୁଲକକୁ ଅମଙ୍ଗଳ ହେବ । ଆଜ୍ଞା ! ପୁରୋହିତେ ଲକ୍ଷ ଲକ୍ଷ ଭରଣ ଲୁଣ, ଅନେକ ମାଛ, ସହସ୍ର ସହସ୍ର ବୋଝ ସାରୁ ଅମଳ କରିଥିବାରୁ ଉତ୍କୃଷ୍ଟ କୁଳରେ ସମୁତ୍ପନ୍ନ ଅଟନ୍ତି ।
ବାପେ ଯେବେ ଦଶବିଂଶ ବର୍ଷ ଭେଣ୍ଡିଆ ଥାନ୍ତେ, ମାଏ ଗ୍ରନ୍ଥ ପର୍ଯ୍ୟନ୍ତ ବ୍ୟାପିବାର ଅଖଣ୍ଡ ପାଣ୍ଡିତ୍ୟ ସଂପାଦିଥାନ୍ତେ ତେବେ କହନ୍ତେ । ଏବେ ହେଲେ ପଦେ ପଦେ ମନୁଷ୍ୟ ଭାଷା ପରି ପ୍ରତୀତ ହୋଇ ଯାଉଥିବାର କଥା କହିବା ପରି ପରା ଶକ୍ତ ଅଛନ୍ତି । ଏପରି ଜ୍ଞାତସାରରେ ଅଛନ୍ତି, ବୃଦ୍ଧି ଅଛନ୍ତି । ଆପଣ ପୁଣି ଠିଆ ନୋହି ବସି ପ୍ରସା କରି ପାଣି ଘେନି ପକାଇଲେ ! ମହାରାଜା ତ ବ୍ରାହ୍ମଣ ଭକ୍ତ; ପ୍ରଭୁ, ସେ ତ ବ୍ରାହ୍ମଣ । ତାଙ୍କଠାରୁ କଉଡ଼ି ଜରିମାନା ଚାଙ୍ଗଡ଼ା ଘରକୁ ଆସିବ ନାହିଁ । ଆଜ୍ଞା ହେଲେ, ଶହେ ବିସା ସାବଳା ଶୁଖୁଆ ଜରିମାନା ଘେନାଇ ଠାକୁରଘରମାନଙ୍କୁ ଦିଆଇବାକୁ ପଡ଼ିବ । ଏଥି ଉତ୍ତାରୁ, ମହାରାଜ, ସମସ୍ତ ଗଡ଼ିଆ ଧାଙ୍ଗଡ଼ାମାନେ, ସମସ୍ତ ଚାଷର ରଇତମାନେ, ସିପାଇ ଭଲ ଭଲ ଲୋକେ, ଭାଇ ଦାଦିମାନେ ମଧ୍ୟ ଅନ୍ନବସ୍ତ୍ର ନ ମିଳିବାରୁ ଏବେ ରହି ନ ପାରନ୍ତି । ପାପଡ଼ା,ଚାକୁଣ୍ଡା,ସଲପ ଏପରି ମିଳୁଥିବା ସୁଭିକ୍ଷ ଜାଗାମାନଙ୍କୁ ଯାଇ ଜୀଇ ଘେନିବୁ ବୋଲି ଦୁଃଖ ଗୋଚର କରିବାରୁ ସମସ୍ତଙ୍କୁ ବାହା ଟେକି ଆଜ୍ଞା ହେଲେ, ରାଜ୍ୟ ବାହାର କରାଇ ଦେଲେ । ପ୍ରଭାତରୁ ଦେଶନ୍ୟାୟ ନିମିତ୍ତରେ ଯିବାକୁ ତୁଚ୍ଛା ମାଠିଆ, ଭାଲିଆ ପଲମ, ତଷୁ ଛେଲୁଆ, ତୈଳ କଳସୀ, ବାଳବିଧବା ସ୍ତ୍ରୀ,ନାଗସାପ,କପାମଞ୍ଜି,କଳାବିରାଡ଼ି ଏପରି ସମସ୍ତ ଅନୁକୂଳ-ସମ୍ଭାର ରଖି ଓଟକୁ ଜିନିସ ଦିଆଇବା ସମୟରେ ଆମ୍ଭ ତାଳୁକା କଳମ୍ୱମୁଠା ସମ୍ୱନ୍ଧ ଜନଶୂନ୍ୟପଡ଼ା ଗ୍ରାମରେ ଧାନୁଟା ଭିତରେ ଚାଉଳଟାଏ ବାହାରିବାର ମହାଉତ୍ପାତ ଖବର ଶୁଣି ପ୍ରୟାଣୋଦ୍ୟମ ମକୁବ କରାଇ ଫେରି ଶ୍ରୀଛାମୁକୁ ବାହାରି ଆସିଲି ।
ଏପରି ନିତ୍ୟନିତ୍ୟ ହକିକତ ଗୋଚର କରି ଦିବାନାଦି ମେଲାଣି ହୋଇ ବଣକୁ ଯିବା ଉତ୍ତାରୁ ଚାରିପାଖରେ ଚାରିଜଣ ଲମତା ରହି ବିପରୀତ ‘ରାମ’ ନାମ ଶୁଣାଉଥିବା ସମୟରେ ବହିର୍ବାସୀ ହେବା ପୁଳିନ୍ଦୀ ଦାସୀମାନେ ଆଣି ହାଜର କରିବାର ଦିବ୍ୟ ଶୁଦ୍ଧୋଦକରେ ଦେହପାଣି ବଢ଼ାଯାଏ ।
ଏମନ୍ତ ସମୟରେ ପ୍ରାଣାନ୍ତକ ବୈଦ୍ୟଚନ୍ଦ୍ର ଆସି ଶ୍ରୀହସ୍ତ ଦେଖି ଜଣାଇବାର କିପରିରେ ବୋଲନ୍ତେ—ମହାପ୍ରଭୁ, ବାତ କଫ ବିକାର ହୋଇ ଆଜ ଶ୍ରୀଅଙ୍ଗ ଉତ୍ତମ ସୁଖ ଅଛି । ଲେମ୍ୱୁରସ, କର୍ପୂର, ପଇଡ଼ପାଣି ମଣୋହି ହେବ । ସାୟଂକାଳ ସରିକି ମହାଦେଈଙ୍କ ଛାମୁରେ ଭେଟଆଜ୍ଞା ହେବ । ଏପରି ଜଣାଇ ପ୍ରାଣାନ୍ତକ ବୈଦ୍ୟଚନ୍ଦ୍ର ଭେଟି ଘେନି ମେଲାଣି ଦେଇକରି ଗଲା ଉତ୍ତାରୁ ଘୁମୁରା, ଚାଙ୍ଗୁ, ଢୋଲ, ଢୁମ୍ପା, ଢାମ୍ପ ଇତ୍ୟାଦି ମହାରାଜସଭା ସଞ୍ଚିତ ହେବାର ବାଦ୍ୟମାନ ବାଜିଲା । ଗାନ୍ଧର୍ବ ରାଜସଭା ପରି ସଙ୍ଗୀତ ପ୍ରବର୍ତ୍ତିଲା । ସେ ମହାରାଜା ତ ସଙ୍ଗୀତ ବିଦ୍ୟାରେ ପ୍ରବୀଣ; ସିତାର ଧରି ରାଜ୍ୟାନ୍ତରରୁ ଆସି ଛାମୁରେ ମୁଲାକାତ ହେବା ଶୁଣି କି ଆଜ୍ଞା କଲେ—ସିତାର ତ ଆଣିଛୁ ଚାମର ଆଣିନାହୁଁ କି ? ବୋଲି ପଚାରି ଆଜ୍ଞା କଲେ । ଏପରିରେ ସେ ରାଜଧାନୀରେ ସମସ୍ତ ଗୁଣ ସମ୍ପତ୍ତି ପୂରି ଅଛନ୍ତି । ଆହୁରି ଗୋଟିଏ ଗୁଣ ମାତ୍ରକ ଅଳ୍ପ ଅଛି; କେଉଁ ଗୁଣ କି ସେ—ରାଜା, ଦିବାନ, ରାଜଗୁରୁ, ପୁରୋହିତ, ଦଶ ସରଦାର, ପଟ୍ଟନାୟକମାନେ, ସହର କଟୁଆଳ, ଖନ୍ଦାବ୍ରାହ୍ମଣମାନେ, ଲମତାମାନେ, ଦତ୍ତପରୀଛା ଏମାନେ ଅଳ୍ପ କାଲା ।
ଏକ ଦିନକରେ ଏକା ପୁରୋହିତଙ୍କୁ ଛାଡ଼ି ସମସ୍ତେ ଥିବାରେ ଶ୍ରୀ ମହାରାଜଙ୍କ ଖରଶେଖର ବୋଲାଇବାର ଆଣ୍ଠୁଏ ଉଚ୍ଚ ଘୋଡ଼ା ଆଗପିଛା ଦଉଡ଼ି ଛିଣ୍ଡାଇ ବୋଡ଼ାସାପ ପରି ଜଲଦି ସେ ଘୋଡ଼ା ଫିଟି ପଶି ଖନ୍ଦା ମାରା କରିବାରୁ ଦଉଡ଼ି ପରୀଛା ପହଞ୍ଚି ପୁରୋହିତଙ୍କୁ ଧରି ପକାଇ ଖୁବୁ କରି ଟାଙ୍କେ ଛେଚି ଦେଲା । ପୁରୋହିତେ ଆସି ମହାରାଜାଙ୍କୁ ଆଜ୍ଞା କଲେ । ‘‘ମୋତେ ମନୁଷ୍ୟ ମାଇଲା’’ ବୋଲି ଫିରାଦ କରିବାରୁ, ରାଜଗୁରୁଙ୍କୁ ଚାହିଁ ପଚାରି ଆଜ୍ଞା କଲେ ‘‘ଗୋସାଇଁ ! ପୁରୋହିତେ କି କହୁ ଅଛନ୍ତି?’’

ରାଜଗୁରୁ ଜଣାଇଲେ, ‘‘ମହାରାଜ, ସ୍ମାର୍ତ୍ତ ବୈଷ୍ଣବ ଦୁଇ ପକ୍ଷରେ ନିଶାମଙ୍ଗଳବାର ରବିବାର ପରଦିନ ଶୁକ୍ରବାର ପୂର୍ବଦିନ ଦ୍ୱିବିଧ ହେଉଅଛି । ରବିବାର ବୈଷ୍ଣବମାନେ ପାଳିବେ, ଶୁକ୍ରବାର ସ୍ମାର୍ତ୍ତମାନେ ପାଳିବେ । ପୁରୋହିତେ ଜାଣନ୍ତି, ସ୍ମୃତି ଭଲ କରି ନ ବିଚାରି ଜଣାଇ ଅଛନ୍ତି । ମହାରାଜ ! ଅମୁକ ନାମା ସ୍ମୃତି ଉଚ୍ୟତେ—ମାରିଷ ବିଭିନ୍ନ ପାଳଙ୍ଗ ଭିନ୍ନତ୍ୱେ ସନ୍ତି କୋଶଳାର୍ଥା ନ ତିରନିର୍ଷା ତୋତଡ଼୍‌ତା ସମ୍ୱନ୍ଧାବଚ୍ଛିନ୍ନ ଗନ୍ଧାବଚ୍ଛିନ୍ନ ଗନ୍ଧସା ଜଳକତାଦଛେଦକତ୍ୱଂ ଶ୍ରୁତିତ୍ୱଂ । ଶ୍ରୁତିବଦର୍ଥ ସଜ୍ଞାନସ୍ୟ ଶ୍ରୁତିବତ୍ସଳ ଜ୍ଞାନସ୍ୟ ଚ । ଚମତ୍କୃତି ଜନକତୟା ଲେଉଟିଆ ବିଷ୍ଣୁ, ଚମତ୍କୃତି ଜନକତୟା କୋଶଳା ମାରିଷୟୋ ବିଷିୟତା ସମ୍ୱନ୍ଧେନାବଛେଦକତ୍ୱାତ୍‌ । ପାଳଙ୍ଗ ଗନ୍ଧଣା ଧାନ୍ୟଂ ତରକିଷ୍ଣାବଚ୍ଛେଦ ଜିତାୟୁ ସ୍ମୃତେ । ତପ୍ୟଦଳତ୍ୱା ଲକ୍ଷଣଂ ସମଂପନ୍ୟାୟଃ । ପାଳଙ୍ଗ ଭିନ୍ନତ୍ୱାନିବେଶଃ ପାଳଙ୍ଗବଦର୍ଥ । ଜ୍ଞାନସ୍ୟ ଚମତ୍କୃତି କନକ-ଜାବଚ୍ଛେଦକତ୍ୱାତ୍ତସ୍ୟା । ସୃତତ୍ୱା ନ ଭୂପଗମେନ ତତ୍ରତ୍ୟ ବ୍ୟାପ୍ତିଃ କାରଣାୟା ପାଳଙ୍ଗ ଭିନ୍ନତ୍ୱାନିବେଶଃ ମାରିଷ ବସୁତେରପି କୋଶଳା ପ୍ରଭେଦୟୋ କୋଶଳାବଲ୍ଲେଭଟିଆଃ । ଅବ୍ୟାନ୍ତି କାରଣାୟ ମାରିଷଃ ଭିନ୍ନତ୍ୱାନିବେଶଃ ମାରିଷ ବସ୍ତୁତେରପି କୋଶଳା ପ୍ରଭେଦୟୋ କୋଶଳାବଲ୍ଲେଭଟିଆଃ।’’
ଏପରି ମୁଖହସ୍ତାଭିନୟରୁ ରାଜଗୁରୁ କି କହୁ ଅଛନ୍ତି ବୋଲି ମହାରାଜା ଦେବାନଙ୍କୁ ପଚାରିବାରୁ ସେ ଜଣାଇଲେ ‘‘ମଣିମା ! ରାଜଗୁରୁ ଗୋସାଇଁଙ୍କର ସାତଶ ଊଣା ଅଢ଼ାଇଶ ଭରଣ ପର୍ବତ ଶିଖରେ ଦିବ୍ୟ ନଦୀତଟ ଭୂମି ଅଛି । ସାହାଡ଼ା, ବାହାଡ଼ା, ଭଇଁଚ, ରାହାଢ଼ି କୁରାଢ଼ିଭଙ୍ଗା, ବାବଲ, କରଞ୍ଜ, କୋଚିଲା ଇତ୍ୟାଦି ନାନା ପ୍ରକାର ଖନ୍ଦ ହୋଇଅଛି ।
ଖୁଲାସ ପନ୍ଦର ବଖରା ଡିହରୁ ପାଞ୍ଚ ବଖରା ଅଧକେ କୁଟୁମ୍ୱ ରଖି ବାକି ତେର ବଖରା ଦୁଇପା’ରେ ଦିବ୍ୟ ଦୁଦୁରା, ଓଡ଼ଶମାରି ବୁଣାଇ ଅଛନ୍ତି । ଏପରି ପନ୍ଦର ବଖରାକୁ ଏଥି ଉତ୍ତାରୁ  ଯେବେ କାର୍ଯ୍ୟ ନ ଚଳିଲା ବୋଲି ଜଣାଉ ଅଛନ୍ତି, ମହାରାଜା କଳ୍ପଦ୍ରୁମ ସାକ୍ଷାତ୍‌ ଆଖୁପର୍ବ ତ, ଆଉ ଦଶ ଗଛ ଦୁଦୁରାକୁ ମହାରାଜା ଆଜ୍ଞା କଲେ କିଏ ସେ ନାହିଁ କରିବ, ଏଥିକି ଯେ ରାଇ ।
ପ୍ରଧାନ ସରଦାର କାଞ୍ଜି ବୈରିଗଞ୍ଜନ । ସେ ଗୋଡ଼ ଯୋଡ଼ି ପିଠି ଆଡ଼ କରି ଜଣାଇଲେ । ‘‘ଦେଉ ! ଗଧପତି ! ଶ୍ରୀଛାମୁରେ ଯେ ପୁରୋହିତ ଜଣାଇ ଅବଧାନ କଲେ । କଟୁଆଳର ଟିଣା କଥା ସରଦାରମାନଙ୍କର ନ ଗଲା ବୋଲି, ମହାପ୍ରଭୁ, ଆମେ ବୋଲିବାର କଥା ଏତିକି – ହଇହୋ କଟୁଆଳ ! ଚଟିଆଟିଏ ମାରି ସରକାରଙ୍କୁ ଫଡ଼ିଆ ଦିଅ । ପାତ୍ରମାନଙ୍କର ପୁଡ଼ା ନ ପହୁଞ୍ଚିଲା । ଦଶ ଘରଯାକ ତିନିଦିନ ପର୍ଯ୍ୟନ୍ତ ମାଂସ ଖାଇ ପ୍ରିୟାପ୍ରୀତି ଘରମାନଙ୍କୁ ପଠିଆଇଲେ ବୋଲି ଧୋକା ହେବାକୁ ପାଇଲୁ । ଚାଳିଶ ତିରିଶ ବର୍ଷର ନିପଟ ପିଲାମାନେ ପ୍ରାଣ ମୂର୍ଚ୍ଛି କରି ବଡ଼ ଖରାରେ ତେଡ଼େ ଚଟିଆ ଲାଛି ଶଗଡ଼ରେ ପକାଇ ଆଣି ଛାମୁରେ ଦୃଶ୍ୟ କରାଇଲେ । କଟୁଆଳ ଖାମିନ୍ଦ ହୋଇ କରି ଯେ ଥିଲା, ଭଲା କିଛି ନୋହିଲେ ହେଲେ, ଲୁଗାପଟା ନ ମିଳିଲା ବୋଲି ଦିଗପଟା ଯେହେଲେ ଦିଆଇ ପାରିଲା ନାହିଁ ? ମହାପ୍ରଭୁ, ଏତିକି ବୋଲିବାରୁ ପାଏ ପଡ଼ି ଶୋଇ ଯେତେ ଫଜିତ କଲା ପୁରୋହିତ ଗୋସାଇଁ ଆସି ଆଦ୍ୟରୁ ଗୋଚର କରିଅଛନ୍ତି । ଆମେ ଆଉ ପାଦୁକାରେ କିସ ଗୋଚର କରିବୁ ?’’

ତହିଁରୁ ଲମତାମାନେ କି ଠଉରାଇଲେ କି, ଛାମୁ ଦିଗକୁ ଗୋଡ଼ ଯୋଡ଼ି ଓ ସାଷ୍ଟାଙ୍ଗ ହୋଇ ପାଏ ପଡ଼ି ଜଣାଇଲେ, ‘‘ମହାପ୍ରଭୁ ! ଏ କଥା ଯେବେ ସତ ତେବେ ନିୟମଟାଏ କରି ଆଜ୍ଞା ହୁଅନ୍ତୁ । ହାରି ଦେବା ଦିନ ଆମ୍ଭଙ୍କୁ ସଭା ବେହରଣରେ ଏକା ଜଗାଇ ଆଜ୍ଞା ହୁଅନ୍ତୁ । ପୁରାଣପଣ୍ଡା ଗୋସାଇଁ ତ ନିତି ବସୁ ଅଛନ୍ତି, ଆମର ଦିନେ । ହେଲେ ହେଲା, ତହିଁକି କି ହେଲା ? ସରଦାରମାନେ ବଡ଼ଲୋକଗୁଡ଼ାକ ହୋଇ ସେବା କଲା ଚାକର ଗୁଡ଼ାକ ନାମରେ ଉଡ଼ାଇ କରି ଏଡ଼େ କଥାଟାଏ କହିଲେ ! ଆଉ କାହିଁକି ପୃଥିବୀରେ ଅଗ୍ନି ବରଷିବ ? ମହାରାଜା ! ଲେଖାରେ ବଡ଼ ପରୀଛା ଆମ୍ଭର ଦାଦା ହେବେ ତାଙ୍କର ଆଈ ଆମ୍ଭର ଦଇବରେ ଶାଳୀ ହୁଅନ୍ତି । ତାଙ୍କୁ ଆମ୍ଭର ଟାପରା କି ରୁପରେ ହେଲେ । ମହାପ୍ରଭୁ ! ରତ୍ନକଠାଉ ତଳେ କହିଲେ କିପରି ? ଏକଦିନେ ଦଉଡ଼ି ପରୀଛାର ଝିଅଟା ପରା, ଆମ୍ଭର ବଡ଼ ବହୂ ହେବେ, ତାଙ୍କୁ ମାତ୍ର ଧରି ପାଞ୍ଚ କି ଏଗାର କ୍ଲୀବ ଜଳି ଆରପାଖକୁ ଚାକୁଣ୍ଡାବଣ ଭିତରକୁ ଯାଇଥିଲୁ ।’’
ଏଥିରୁ କି ଜାଣି ଖନ୍ଦା – ବ୍ରାହ୍ମଣ ଜଣାଇଲେ କି, ‘‘ଆଜ୍ଞା ! ଏ କଥା ସତ । ମୁଠା – ଚାମର, ଝରୀଚାଦର, ପାନଭାଙ୍ଗି ତବକ ଇତ୍ୟାଦି ସେବା ତ ଆମ୍ଭର ନିଯୋଗ । ଶ୍ରୀଦଦା ଦେଉ ମହାରାଜା ତ ମହା ବ୍ରାହ୍ମଣ୍ୟ ସାକ୍ଷାତ ହତଶ୍ରୀ ଥିଲେ । ପଇତା ଦେଖି ବିସୁଖ ପାଇବାରୁ ଏ ପାଞ୍ଚ ସେବା ଆମ୍ଭଙ୍କୁ ଅନୁଗ୍ରହ କରି – ଆଜ୍ଞା ହେଲେ ।’’
ଏଥିରୁ କି ଘେନି ଚିଆଉ-ପଟ୍ଟନାୟକ ଚଳି ଉଠି ଜଣାଇଲେ, ‘‘ମହାପ୍ରଭୁ ! ଚାଙ୍ଗଡ଼ାଘରେ କେହି ନ ଥିବା ସମୟରେ ମୁଁ ରଖିଥିବା ଲେଭଡ଼ୀ ଲୀଳାବତୀ ନିମନ୍ତେ ମାଗି ନେବାର ସାତ ହଜାର ବାହାରେ ଯେବେ ଦାଢ଼େ କଉଡ଼ି ଖାଇଥିବୁ ତେବେ ପଚାଶ ଲୋକରେ ଏକା ମୁଦୁଦି ବୋଲି ଫଜିତ କରି ଆଜ୍ଞା ହେବେ । ଚିତ୍ରଗୁପ୍ତ ପରି ସମର୍ଥ ଚାରୋଟି ପଟ୍ଟନାୟକ ଯାକ ରାତ୍ରଦିବସରେ ମିଶାଇବାରେ ପାଞ୍ଚତିରିକି ପଞ୍ଚାଣୋଇ ହେଲା ଯେ, ମହାରାଜ, ଆଉ ହୁଡ଼ କି ରୂପେ ହେଲା ? ’’

ଏମନ୍ତ ସମୟରେ ତଡ଼ାଉ ଦେଶରୁ ସାରଙ୍ଗ ଯନ୍ତ୍ରଟିଏ ଘେନି ଶ୍ରୀବୈଷ୍ଣବ ଷଷ୍ଠଦୈତ୍ୟ ଚ୍ୟାପଲ ଗନ୍ଧର୍ବରାଇଲୁ ବୋଲି ଏକ ସଙ୍ଗୀତ ପ୍ରବୀଣ ଆସି ମାର୍ଗଜ୍ଞାନ ଭାବରୁ ବଣା ହୋଇ ସେ ସ୍ଥଳେ ପ୍ରବେଶ ହୋଇ ରାଜାଙ୍କ ଛାମୁରେ ମୁଲାକାତ କରି ଯନ୍ତ୍ର ତାରରେ ଧନୁରାକାର କରଦଣ୍ଡ ଚଳାଇବାକୁ ଆରମ୍ଭିବାର ଦେଖି ରାଜା ହୁରିଆକୁ ଆଜ୍ଞା କଲେ,
‘‘ପରିବା ବଡ଼ ପାକଳ ହୋଇଅଛି ଏଥିରେ କଟାଯିବ ନାହିଁ । ସରକାରରୁ ପନିକି ଆଣି ଦିଅ’’ ବୋଲିବାରୁ, ଏହା କିପରି ସେ ଗୁଣୀ ଜାଣି ଜଣାଇଲା, ‘‘ମହାପ୍ରଭୁ, ସଙ୍ଗୀତାନିକି ବହୁତ ପରିସ୍ତୁନ୍ଦି । ସାରଙ୍ଗ ଯନ୍ତ୍ର ଅନେକ ଲିବିକାୟା ଗାତୁଣ୍ଡ।’’ ତହିଁକି ରାଜା ଆଜ୍ଞା କଲେ ‘‘ଆମ୍ଭର ଖନ୍ଦାରେ ଆମ୍ୱିଳ ପଡ଼ୁନାହିଁ । ଭଜା, ସନ୍ତୋଳା, ରାଇ, ମହୁର, ଏପରି ତିଅଣ । ଏହା ପରିବା ହୋଇଥିଲେ ଆମ୍ଭର ଘୋଡ଼ାଦାନା ଖନ୍ଦା କରିବାର ସୁଆରଶେଖରକୁ ବଢ଼ାଇ ଦିଅ।’’
ଏମନ୍ତ ସମୟରେ ବର୍ଣ୍ଣବୈରି କପିରାଜ ଗୋସାଇଁ ଆସି ଆଶିର୍ବାଦ କରି ଶ୍ରୀ ମହାରାଜା କୀର୍ତ୍ତିପ୍ରତାପ ପ୍ରଶଂସାରେ କଳ୍ପନା କରିଥିବାର କବିତା ଶୁଣାଇଲେ । କିପରିରେ କି;--
କୀର୍ତ୍ତି ଧନାସିଝା-ହାଣ୍ଡି ମଣ୍ଡଳା ଭୂମି ମଣ୍ଡନ
ପ୍ରତାପ ଅସ୍ତଚନ୍ଦୁ ପରି ଚୋବାଉଛି ଚିମୁଟି ଚିମୁଟି
ଏପରି ଶ୍ରୀଛାମୁରେ ଅନ୍ନ ନିମନ୍ତେ ପେଟ ଦେଖାଇ କହି,
ଆନ୍ନଂ ତାନେକୁ ଲେଦୁ
ଖରଚକୁ ନ ମିଳିଲେ ୱହି ବାମା କ୍ୟା କରୁଙ୍ଗା । ଏ ଶ୍ଲୋକାର୍ଥ କହିବା ସମୟରେ ସନ୍ତୋଷ ହୋଇ ପଚାରି-ଆଜ୍ଞା କଲେ, ‘‘ଗୋସାଇଁ, ଆଉ ପ୍ରାକୃତରେ ଚଉପଦୀ ହେରିକା ବୋଲା ଯାଇଅଛି କି ?’’

କପିରାଜ ଜଣାଇଲେ, ‘‘ମଣିମା ! ଲଙ୍କାମରିଚ ରାଗ, କଳାହାଣ୍ଡିଆ ତାଳ, ପିଲାମାନଙ୍କର ମାଆ ନ ଥାଇ ଲୟେ, କଳ୍ପ-ପ୍ରେମାଳଙ୍କାରରେ ଦତ୍ତ ସରସ ଚଉପଦୀ ବୋଲା ଯାଉଅଛି । ଦିବ୍ୟ ଚିତ୍ତକୁ ଆସୁ । ନାକରେ ସାବଧାନ ହୋଇ ଶୁଣିବାକୁ ଆଜ୍ଞା ହୁଅନ୍ତୁ ।’’
ଗୀତ;--
ଚ ଚ ଚ  ଉ ଉ ଉ ପ ପ ପ ଦୀ ଦୀ ଦୀ ଗୀ ଗୀ ଗୀ ତ ତ ତ
ହେଲାରେ, ଛ ଲାତ ଯୋଗ୍ୟ ହେଲା ରେ,
ନରପାଳ ଭଲ୍ଲାତକର୍ଣ୍ଣ ଭଣିଲେ ରେ ॥
ଏପରି ଗନ୍ଧର୍ବ ଯଶକାରୀ ପ୍ରତୀତ କରାଇବାର ସଙ୍ଗୀତ ସମାପ୍ତ ହେଲା । ତଡ଼ାଉ ଦେଶର ଗୁଣୀକି, କପିରାଜକୁ ମଧ୍ୟ, ମୂନ ଥିବାର ସହସ୍ରେ ଷୋଳ ଲେଖାରେ ସୁନିଆ ଲଛା; ମୂନ ଥିବାର ମୁକୁତା ବହୁମାନ ଦିଆଗଲା । ଚୁପ୍‌ ଚୁପ୍‌ କରି ଚୋପଦାର ଡାକିଲା, ଧାଙ୍ଗଡ଼ୀ ପଟୁଆର ହେଲା । ବେହରଣ ବରଖାସ୍ତ ହେଲା ମଥାରେ ମହାରାଜା ଉଭା ହେଲେ । ରାଜଗୁର୍ବାଦି ସମସ୍ତେ ମେଲାଣି ଦେଲେ । ମଥାରେ ତେଲ ଲଗାଇ ଶ୍ରୀ ମହାରାଜା ଅନ୍ତଃପୁରାଭିମୁଖ ହୋଇ ବିଜେ କଲା ସମୟରେ ପ୍ରଥମ ଦ୍ୱାରୁ ଦିବାନାଦି, ଦ୍ୱିତୀୟ ଦ୍ୱାରୁ ଭାଇଦାଦିମାନେ, ତୃତୀୟ ଦ୍ୱାରୁ ସିପାଇ ଭଲଲୋକେ ଚତୁର୍ଥ ଦ୍ୱାରୁ ନିଯୋଗ ଭଲଲୋକେ, ଭିତର ଦ୍ୱାରୁ ତୁଡ଼ୁକ ସିପାଇମାନେ ଜୂହାର ହୋଇଗଲେ । ଅନ୍ତଃପୁରରେ ବିଜେ ହେଲେ । ପୂର୍ବାହ୍‌ଣ ପ୍ରକାରରେ ମଣୋହି ବଢ଼ାଇ ପଟ୍ଟଦେବୀ ସାମନ୍ତାଣୀଙ୍କ ଅନ୍ତଃପୁରରେ ପହୁଡ଼ ହେଲା ।
ଶ୍ରୀ ଦ୍ୱୈତ ବିଦ୍ୟାବତାର ତୀର୍ଥଭୂତ ଧ୍ୱଜାତ୍ୱପୁତ
କୃତ ଚାର୍ବାକ ଗର୍ବ-ପର୍ବତ ଧ୍ୱଂସ ଦମ୍ଭୋଳି
ପାଷାଣ୍ଡମଣ୍ଡଳ ମଣ୍ଡଳାନ୍ଧକାର ପର୍ବ-ଶର୍ବରୀଶ
ବୀର ଶ୍ରୀ କୃଷ୍ଣ ଚୈତନ୍ୟଚନ୍ଦ୍ର ଗୁରୁ ଚରଣାରବିନ୍ଦ
ନିଃସ୍ୟନ୍ଦମାନାମନ୍ଦ ମକରନ୍ଦ ବିନ୍ଦୁ ସନ୍ଦୋହ
ଚତୁରକ୍ତେ ଚୂଡ଼ାଳିକାରଣଂ ବାବହବହଳ ।
ବହ୍ୱନାଶ ସୁଧା ଧବଳିତ ବର୍ଗ ପ୍ରସାଦ
ସଙ୍ଗୀତ-ସାହିତ୍ୟ-ରତ୍ନାକର କରୁଣାନିଧାନ
ଧାରଣବିହୀନ ବଦାନ୍ୟ ଗୁଣ ସମ୍ୱର୍ଦ୍ଧି ମୂର୍ଦ୍ଧନ୍ୟ ।
ଚଣ୍ଡୀମଣ୍ଡିତରାତି ରାଜବ୍ରଜାଷ୍ଟ ପୂର୍ବରାଷ୍ଟାଧିନାଥ
ଶରଣପଞ୍ଜର ମାନଉଦ୍ଧାରଣ ରମଣୀ ରଣରଣରଣ ରଣରଙ୍କ
ପତ୍ରାମରମ ପୁରୁଷା ପୁରଃସର ଶ୍ରୀ ବାଲୁଙ୍କେଶ୍ୱର ଶରଣ
ହରିଚନ୍ଦନ ଶ୍ରୀ ଜଗଦ୍ଦେବ ମହୀମହେନ୍ଦ୍ର ଦେବକେଶ୍ୱରାବଶର
କଲ୍ୟତୋ ହାସ୍ୟକଲ୍ଲୋଳମ୍‌ । ୯ ।

© କବିସୂର୍ଯ୍ୟ ବଳଦେବ ରଥ

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...