Friday, July 19, 2019

ପୁରୀର ଦେଵୀ ଅର୍ଦ୍ଧାସିନୀଙ୍କ ପୀଠକୁ ମାଉସୀ ମାଆ ମନ୍ଦିର କାହିଁକି କୁହାଯାଏ ?


ଏ ପ୍ରଶ୍ନର ଉତ୍ତର ଜାଣିଵାକୁ ହେଲେ ଆମକୁ ପ୍ରଥମେ ଜାଣିଵାକୁ ହେଵ ଯେ  ଅର୍ଦ୍ଧାସିନୀ ଠାକୁରାଣୀ ପ୍ରକୃତରେ କିଏ ? କାହିଁକି ତାଙ୍କୁ ମାଉସୀ ମାଆ କୁହାଯାଏ ? 


ଶ୍ରୀମନ୍ଦିର ଓ ଗୁଣ୍ଡିଚା ମନ୍ଦିର ମଝିରେ ଏହି ମାଉସୀ ମାଆ ମନ୍ଦିର ଅଵସ୍ଥିତ । ଅର୍ଦ୍ଧାସିନୀ ଦେଵୀ ହେଉଛନ୍ତି ଏହି ମନ୍ଦିରର ଆରାଧ୍ୟା ଠାକୁରାଣୀ ।


 ବାହୁଡ଼ା ଦିନ ଠାକୁରମାନେ ରଥରେ ଏହି ବାଟ ଦେଇ ଫେରିଵା ଵେଳେ ମାଉସୀ ମାଆଙ୍କଠାରୁ ପୋଡ଼ପିଠା ଖାଇଥା’ନ୍ତି । 

ଦେଵୀ ଅର୍ଦ୍ଧାସିନୀ ଦ୍ୱିଭୁଜା ଏବଂ ଦେଵୀପ୍ରତିମା କୃଷ୍ଣ ଵର୍ଣ୍ଣ ପ୍ରସ୍ତରରେ ତିଆରି ।

 ଵନଦୁର୍ଗା ମନ୍ତ୍ରରେ ସେ ପୂଜା ପାଆନ୍ତି। ପାର୍ଶ୍ୱ ଦେଵୀ ଭାଵେ ଛାୟା ଓ ମାୟା ଵିରାଜିତା ।  ସ୍ଥାନୀୟ ଇତିହାସ କୁହେ କେଶରୀ ବଂଶଜ ରାଜାଙ୍କ ଦ୍ୱାରା ଏହି ମନ୍ଦିର ପ୍ରତିଷ୍ଠିତ ହୋଇଥିଲା । ମୁଖ୍ୟ ମନ୍ଦିରର ଉଚ୍ଚତା ପ୍ରାୟ କୋଡ଼ିଏ ଫୁଟ୍‌।    ଏହି ମନ୍ଦିରର

ଜଗମୋହନରେ ଦଶାଵତାର,

ଦଶମହାଵିଦ୍ୟା ଓ ଦଶଭୁଜା ଦୁର୍ଗା ପୂଜାପାଉଛନ୍ତି। 


ତେଵେ ଦେଵୀ ଅର୍ଦ୍ଧାସିନୀଙ୍କୁ ଶ୍ରୀଜଗନ୍ନାଥଙ୍କ ମାଉସୀ ମାଆ କାହିଁକି କୁହାଯାଏ ? 


✓✓✓✓ସମ୍ଭାଵିତ କାରଣ—୧✓✓✓✓


ଶ୍ରୀଜଗନ୍ନାଥଙ୍କ ଅର୍ଦ୍ଧରୂପ ଶ୍ରୀଗୁଣ୍ଡିଚା ମନ୍ଦିରରେ ନିର୍ମିତ ହୋଇଥିଲା । ସମ୍ଭଵତଃ ତାଙ୍କ ମଧ୍ୟରେ ବ୍ରହ୍ମ ସ୍ଥାପନ ଏହି ମାଉସୀ ମାଆ ମନ୍ଦିରରେ କରାଯାଇଥିଵ ଯାହା ଶ୍ରୀମନ୍ଦିର ଓ ଶ୍ରୀଗୁଣ୍ଡିଚା ମନ୍ଦିରର ଠିକ୍ ମଧ୍ୟ ଭାଗରେ ଅଵସ୍ଥିତ । ଏମିତି

ହୋଇଥାଇପାରେ ଯେ ଶ୍ରୀଗୁଣ୍ଡିଚାରେ ଶ୍ରୀଜଗନ୍ନାଥଙ୍କର ଅଵୟଵ ନିର୍ମାଣ ହୋଇ ସେ ଏହି ମାଉସୀ ମାଆ ମନ୍ଦିରରେ କିଛି ଦିନ ଅର୍ଥାତ୍ ମନ୍ଦିର ତୋଳା ଯାଏଁ ପୂଜା ପାଇଥିଵେ । ଫଳରେ ଦେଵୀ ଅର୍ଦ୍ଧାସିନୀ ମାଉସୀ ମାଆ ବୋଲାଇଥିଵେ । ସମ୍ବଲପୁରୀରେ “ମାଉସୀ ମାଆ” ମାନେ “ଧାଇ ମାଆ” । ଆଗେ ଆଜିଭଳି ଓଡ଼ିଆଭାଷାରେ ଏତେ ଶୈଳୀଗତ ଵିଭିନ୍ନତା ନଥିଲା ଏଵଂ ସମ୍ବଲପୁରୀ ଓ କଟକୀ ଶୈଳୀରେ ପ୍ରଚଳିତ ଅନେକ ସମସାଦୃଶ୍ଯ ପ୍ରାଚୀନ ଶବ୍ଦ ତାହାର ଉଦାହରଣ ।  ଗୁଣ୍ଡିଚା ଘରେ ଶ୍ରୀଜଗନ୍ନାଥ ଅଵୟଵ ନିର୍ମାଣ ହୋଇଥିଲା ସତ କିନ୍ତୁ ବୋଧହୁଏ ବ୍ରହ୍ମସ୍ଥାପନ କରି ତାଙ୍କର ଜନ୍ମ ସେଠାରେ ହୋଇନଥିଲା । ବହୁତ ସମ୍ଭଵ ତାଙ୍କ ପାଇଁ ପ୍ରଥମେ ଯେଉଁ ଅସ୍ଥାୟୀ ମନ୍ଦିର ନିର୍ମାଣ କରାଯାଇଥିଲା ତାହା ଏହି ମାଉସୀ ମାଆ ମନ୍ଦିର ହୋଇଥାଇପାରେ । ଏହି ଅର୍ଦ୍ଧାସିନୀ ଦେଵୀ ନିଶ୍ଚୟ ପ୍ରାଚୀନା ଥିଲେ ତେଣୁ ଶ୍ରୀପୁରୁଷୋତ୍ତମଙ୍କୁ ଵାଳକ ଵିଚାର କରି ଠାକୁରାଣୀଙ୍କ ଗୃହରେ ଲାଳିତପାଳିତ ହେଵାର  

ଭାଵ ଲୋକଙ୍କ ମନରେ ଆଣାଯାଇ ଵିଶ୍ଵାସ ଜନ୍ମାଯାଇଛି । ତେଣୁ ମାଉସୀ ମାଆ ମନ୍ଦିର କୁହାଯାଏ ।


✓✓✓✓ସମ୍ଭାଵିତ କାରଣ —୨✓✓✓✓


ପୁରୀନଗରର “ବଳଗଣ୍ଡିସାହି” ଥିଵା ସ୍ଥାନରେ ଏକଦା ମାଳିନୀ ନଈ ପ୍ରଵାହିତ ହେଉଥିଲା। ଗୁଣ୍ଡିଚା ଘରୁ ରଥରେ ଫେରିଵା ଵେଳେ ଶ୍ରୀଜିଉମାନେ  ମାଉସୀ ମାଆ ମନ୍ଦିରରେ ପୋଡ଼ପିଠା ଖାଇ, ଭେଳାରେ ନଈ ପାରିହେଉଥିଲେ ଏବଂ ଅନ୍ୟ ତିନି ରଥରେ ବିଜେକରି ବଡ଼ଦେଉଳକୁ ଫେରୁଥିଲେ। ଆଗେ ମାଳିନୀ ନଈ ଯୋଗୁଁ ଦୁଇଦିନ ଧରି ରଥଯାତ୍ରା ହେଉଥିଲା ଏଵଂ ନଦୀର ଉଭୟ ପାର୍ଶ୍ଵରେ ତିନି ତିନୋଟି ରଥ ରଖାଯାଉଥିଲା । ପ୍ରଭୂ ଭେଳା ଯୋଗେ ନଦୀ ପାର ହୋଇ ଆନ ରଥରେ ବସି ଶ୍ରୀଗୁଣ୍ଡିଚା ମନ୍ଦିର ଯାତ୍ରା କରୁଥିଲେ । ତେଣୁ ଶ୍ରୀମନ୍ଦିର ଓ ଶ୍ରୀଗୁଣ୍ଡିଚା ମନ୍ଦିରର  ମଧ୍ଯଵର୍ତ୍ତୀ ମାଉସୀ ମାଆ ମନ୍ଦିର ଥିଲା ଶ୍ରୀଜଗନ୍ନାଥଙ୍କ ପାନ୍ଥଶାଳା । ଓଡ଼ିଶାରେ ଅପରିଚିତା ବୃଦ୍ଧାଙ୍କୁ ମାଉସୀ ସମ୍ବୋଧନ କରାଯାଏ । ଏଠାରେ ଆମ ଦେଶର ସାମାଜିକ ଚଳଣିକୁ ପର୍ଵ ମାଧ୍ୟମରେ ଚିତ୍ରିତ କରାଯାଇଛି । ଭଗଵାନ ସେଦିନ ନଦୀପାର ହେଵାରେ ଅସୁଵିଧା ହେଲାରୁ ଜଣେ ଅପରିଚିତାଙ୍କ ଗୃହରେ ରହିଯାଇଥିଲେ ଓ ତାଙ୍କୁ ସୌଜନ୍ୟମୂଳକ ଭାଵେ ମାଉସୀ ମାଆ ଡାକିଥିଲେ । ଗଞ୍ଜାମରେ ଅପରିଚିତା ବୃଦ୍ଧ ମହିଳାଙ୍କୁ ସୌଜନ୍ୟମୂଳକ ଭାଵେ ମାଆ ଡାକାଯାଏ । ଏ ଦେଶର ଡାକ୍ତର ମାନେ ମଧ୍ୟ ବୃଦ୍ଧାଙ୍କୁ ମାଆ ଡାକିଥାନ୍ତି । ତେଣୁ ସମ୍ଭଵତଃ ଏହି ହେତୁରୁ ଏହା ମାଉସୀ ମାଆ ମନ୍ଦିର ବୋଲାଇଥାଏ । 


(ଆପଣଙ୍କ ପାଖରେ ଏହା ଵ୍ଯତୀତ ଅନ୍ଯ କୌଣସି କାରଣ ଥିଲେ ଏଠାରେ ଜଣାଇଵାକୁ ଵିନୀତ ଅନୁରୋଧ ରହିଲା; )

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...