Wednesday, July 7, 2021

ଵୈରୀଗଞ୍ଜନ ମହାନ୍ତିଙ୍କ ମୁଣ୍ଡକଟା

ଵୈରୀଗଞ୍ଜନ ମହାନ୍ତି ଘୁମୁସରର ଅଧିଵାସୀ ଥିଲେ । ସେ ଅତ୍ୟନ୍ତ ଚତୁର, ଵିଚକ୍ଷଣ ଓ ଵୀର ଥିଲେ । ତାଙ୍କ ଗୁଣରେ ମୁଗ୍ଧ ହୋଇ ନୟାଗଡ଼ ରଜା ତାଙ୍କୁ ମନ୍ତ୍ରୀ କରି ନେଇଥିଲେ । ନୟାଗଡ଼ର ରାଣୀ ଥିଲେ ଘୁମୁସର ରାଜାଙ୍କର ସହୋଦରା ଭଗିନୀ । ସେ ଅତ୍ୟନ୍ତ ସୁନ୍ଦରୀ ଥିଲେ । ଵୈରୀଗଞ୍ଜନଙ୍କର କାମଦୃଷ୍ଟି ନୟାଗଡ଼ ରାଣୀଙ୍କ ଉପରେ ପଡ଼ିଲା । ଧୀରେ ଧୀରେ ଦୁହିଁଙ୍କ ମଧ୍ୟରେ ଗୁପ୍ତ ସ୍ନେହଭାଵ ଓ ପ୍ରଣୟର ଅଦାନ ପ୍ରଦାନ ମଧ୍ୟ ଚାଲିଲା । କଥା କିନ୍ତୁ ଲୁଚି ଛପିରହିଲା ନାହିଁ । ଘୁମୁସର ରାଜାଙ୍କ କାନରେ ମଧ୍ୟ ଏ ଖବର ପହଞ୍ଚିଲା । ଘୁମୁସର ରଜା ସେତେବେଳେ ଖାଇଵାକୁ ଯାଉଥାଆନ୍ତି । ସେ ସଙ୍ଗେ ସଙ୍ଗେ ସୈନ୍ୟମାନଙ୍କୁ ଆଦେଶ ଦେଲେ, ‘ଯାଅ—ଵୈରୀଗଞ୍ଜନର କଟାମୁଣ୍ଡ ଧରିଆସ ।  ଵୈରୀଗଞ୍ଜନର ମୁଣ୍ଡ ନ ଆସିଵା ପର୍ଯ୍ୟନ୍ତ ମୁଁ ଭାତ ଖାଇବି ନାହିଁ । ପ୍ରଥମେ ତାହାର ରକ୍ତରେ ଚିତା ଘେନବି ।”

ଘୁମୁସର ରାଜାଙ୍କ ଆଜ୍ଞା ପାଳନକରି ସୈନ୍ୟମାନେ ଅଵିଳମ୍ବେ ଘୋଡ଼ାରେ ଚଡ଼ି ନୟାଗଡ଼ ଗଲେ । ସେତେବେଳେ ଵୈରୀଗଞ୍ଜନ ମହାନ୍ତି ପିଣ୍ଡାରେ ବସି ତେଲ ଲଗାଉଥାନ୍ତି । ଘୁମୁସରର ସୈନ୍ୟମାନେ ତାଙ୍କୁ ଘେରିଗଲେ ।

ଭୀଷଣ ଲଢେ଼ଇ ହେଲା କିନ୍ତୁ ଵୈରୀଗଞ୍ଜନଙ୍କୁ କେହି କାବୁ କରିପାରୁନଥାନ୍ତି । ତେବେ କଥାରେ ଅଛି ଯୋଡା଼କୁ ଘୋଡ଼ା ସରି ନୁହେଁ ତେଣୁ ଶେଷରେ ଵୈରୀଗଞ୍ଜନ ହାରିଗଲେ ଏଵଂ ତାଙ୍କ ମୁଣ୍ଡ କଟା ହୋଇ ଘୁମୁସର ଅଣାଗଲା ।

ମୁଣ୍ଡକୁ ଥାଳୀରେ ଧରି ସୈନ୍ୟମାନେ ଗୀତ ଗାଇ ଗାଇ ଘୁମୁସର ଫେରିଲେ—
‘କେ କଂ, ହୋ ହା !
  ଵୈରୀଗଞ୍ଜନର ମୁଣ୍ଡ ଯାଉଛି
   କେ କଂ, ହୋ ହା ।’
  
ଵୈରୀଗଞ୍ଜନର ଦୁଇ ସ୍ତ୍ରୀ ଥିଲେ । ଜଣେ ଧର୍ମପତ୍ନୀ ଆର ଜଣକ ରକ୍ଷିତା । ନୟାଗଡ଼ ରାଜା ଵୈରୀଗଞ୍ଜନଙ୍କର ଦୁଇ ସ୍ତ୍ରୀ ଓ ଵାଳକ ପୁତ୍ର ଦୀନବନ୍ଧୁକୁ ନୟାଗଡ଼ରୁ ଵହିଷ୍କାର କରିଦେଲେ । ଘୁମୁସର ଓ ରସୁଲକୁଣ୍ଡା ଗଲେ ପ୍ରାଣପ୍ରତି ଵିପଦ ଜାଣି ସେମାନେ ଜୀଵନଵିକଳରେ ଆସି ଇଂରେଜମାନଙ୍କର ଶରଣ ପଶିଲେ ।

ଵୈରୀଗଞ୍ଜନଙ୍କର ପୁଅ ଦୀନବନ୍ଧୁ, ବଡ଼ହୋଇ ଇଂରେଜଙ୍କ ଅଧୀନରେ ଚାକିରୀ କଲେ । କୂଟ କପଟ କରି ପିତୃ-ହତ୍ୟାର ପ୍ରତିଶୋଧ ନେଵାପାଇଁ ସବୁ ରାଜାମାନଙ୍କୁ ଧରାଇଦେଲେ । ଘୁମୁସରର ରାଜା  ଵ୍ରଜରାଜ ଭଞ୍ଜ ଧରା ହୋଇ ଜେଲ୍ ଗଲେ । ଦୀନବନ୍ଧୁ ମହାନ୍ତି ଭାରତବର୍ଷରେ ପ୍ରଥମ ଓଡ଼ିଆ ଡେପୁଟି କଲେକ୍ଟର । ତାଙ୍କର ଅଚଳାଚଳ ସମ୍ପତ୍ତି ହେଲା ଓ ଖ୍ୟାତି ବଢି଼ଲା । ଢେଙ୍କାନାଳ, ବିସିପୋଡ଼ା ଆଦି ରାଜ୍ୟରେ ମଧ୍ୟ ଇଂରେଜଙ୍କ ହାତବାରସି ଭାଵରେ ଦୀନବନ୍ଧୁ ମହାନ୍ତି କାମ କରୁଥିଲେ ।

ଏଣୁ ପ୍ରଵାଦ ଅଛି—

‘‘ଦୀନବନ୍ଧୁ ତହସିଲ୍‌ଦାର,
ଢେଙ୍କାନାଳରୁ ବିସିପୋଡ଼ାକୁ
ରସୁଲକୁଣ୍ଡା ଲାଗିଚି ଭାର ।”

ଲୋକକଥାରେ ଏହି କାହାଣୀକୁ ଆହୁରି ଅତିରଞ୍ଜିତ କରାଯାଇ କୁହାଯାଏ । ଯଥା—

(କ) ଵୈରୀଗଞ୍ଜନ ମହାନ୍ତିଙ୍କ ମୁଣ୍ଡ ଅନେକ ଥର କାଟିଵାକୁ ପ୍ରଯତ୍ନ କଲେ ହେଁ ତାହା କଟୁନଥିଲା । ଦେଖାଗଲା ତାଙ୍କ ବେକରେ ଗୋଟିଏ ମନ୍ଥୁରା ଡେଉଁରିଆ ରହିଛି ଫଳତଃ ତାଙ୍କ ବେକ କାଟିଲେ ମଧ୍ୟ କଟୁନାହିଁ । ସେହି ଡେଉଁରିଆକୁ କାଢି଼ ଆଣିଵାରୁ ଵୈରିଗଞ୍ଜନଙ୍କ ମୁଣ୍ଡ କାଟିଵାକୁ ଘୁମସରର ସୈନିକମାନେ ସମର୍ଥ  ହେଲେ

(ଖ) ଵୈରୀଗଞ୍ଜନଙ୍କର ଦୁଇ ସ୍ତ୍ରୀ ଥିଲେ । ବୈରୀରଞନର ମୁଣ୍ଡ କଟିଵା କ୍ଷଣି ତାଙ୍କ ଵିଵାହିତ ପତ୍ନୀର ହାତରେ ଥିଵା  ସୁନାକାଚ ଫାଟିଗଲା । ଏଣୁ ସେ ସ୍ବାମୀଙ୍କୁ ଵିପତ୍ତି ପଡି଼ଛି ବୋଲି ଜାଣିପାରି ନୟାଗଡ଼ ଛାଡ଼ି ଚାଲିଯାଇଥିଲେ ।

(ଵି:ଦ୍ର— ଏହି ଲୋକକଥାଟି ଡକ୍ଟର ପ୍ରସନ୍ନ କୁମାର ମିଶ୍ରଙ୍କ ଓଡ଼ିଶାର କିଂଵଦନ୍ତୀ ପୁସ୍ତକରୁ ସଂଗୃହୀତ)

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...