Thursday, July 22, 2021

ଓଡି଼ଶା, ଓଡ଼ିଆ ଓ ବାଘ

ପରଜା ଉପନ୍ୟାସରେ ଗୋପୀନାଥ ମହାନ୍ତି ❛ବାଘଡୁମ୍ମା❜ ବୋଲି ଏକ ଶବ୍ଦ ଵ୍ୟଵହାର କରି ଲେଖିଛନ୍ତି
 
❛❛ଦି ପହରେ ବାଘଡୁମ୍ମା ବୁଲେ । ଯେତେ ଲୋକଙ୍କୁ ବାଘ ଖାଇଥାଏ, ତାଙ୍କରି ପ୍ରେତ ସେ । ପିଲାପରି ଚେହେରା, ମାଈ ଅଣ୍ଡିରା ଜଣାପଡ଼େ ନାହିଁ । ମୁଣ୍ଡନାଲି, ଆଖିନାଲି, ଦେହଯାକ ବଡ଼ବଡ଼ ରୁମ । ଲୋକେ କହନ୍ତି କେତେପ୍ରକାର ଶବ୍ଦକରେ ସେ। କୁନ୍ଥେଇଲା ପରି, ଗର୍ଜିଲା ପରି, କାଠ ଭାଙ୍ଗିଲା ପରି, ବାଘଡୁମ୍ମା ଡରାଇ ଡରାଇ ଖେଦେ ।❜❜

ତେବେ ଏହି  ❛ବାଘଡ଼ୁମ୍ମା❜ କ'ଣ ?

ଓଡ଼ିଆ ଭାଷାରେ ଡୁମା ଶବ୍ଦର ଅନେକ ଅର୍ଥରେ ଵ୍ୟଵହାର ରହିଛି । ବଡ଼ଜାତିଆ ❛ଅଣ୍ଡିରା ଗୋଵରା ଚଢ଼େଇ❜କୁ ଆମ ଭାଷାରେ ❛ଡୁମା❜ କୁହାଯାଏ । ଗଡ଼ଜାତ ଅଞ୍ଚଳରେ ପ୍ରେତ,ମୃତ ଵ୍ୟକ୍ତିର ଆତ୍ମା,ଆତ୍ମା, ଅସୁର ଓ ଡାହାଣୀକୁ ଡୁମା କହିଥାନ୍ତି । ସେହିପରି ଅଵିଭକ୍ତ କୋରାପୁଟର କଥିତ ଦେଶିଆ କୋଟିଆ ଭାଷାରେ ଡୁମ୍ମାର ଅର୍ଥ ଭୂତ ଵା ପ୍ରେତ ଏଵଂ ଏହା ଦେଶିଆ ଓଡ଼ିଆରେ ପ୍ରଚଳିତ ଜନଜାତୀୟ ମୂଳର ଏକ ଓଡ଼ିଆ ଶବ୍ଦ ହୋଇଥିଵା ସମ୍ଭଵ କିଂଵା ତତ୍ସମ ❛ଦାନଵ❜ ଶବ୍ଦର ସ୍ଥାନୀୟ ରୂପ ହୋଇଥାଇପାରେ । ଏଣୁ ବାଘଡୁମ୍ମା ଶବ୍ଦର ଆକ୍ଷରିକ ଅର୍ଥ ବାଘର ଭୂତ ଅଟଇ । 

ଅଵିଭକ୍ତ କୋରାପୁଟ ଅଞ୍ଚଳରେ ଲୋକଵିଶ୍ଵାସ ରହିଛି ଯେ ଯେଉଁମାନେ ବଣଜଙ୍ଗଲରେ ବାଘର ଆକ୍ରମଣରେ ମରିଯାଆନ୍ତି, ସେମାନଙ୍କର ଆତ୍ମା ❛ବାଘଡୁମ୍ମା❜ ହୋଇଯାଏ ।

ସେହିପରି ବାଘ ଦ୍ଵାରା ନିହତ ହୋଇଥିଵା ମଣିଷର ଶଵକୁ କୋରାପୁଟରେ ❛ବାଗ୍‌ମଡ଼ା❜ କୁହାଯାଏ । କୌଣସି ଲୋକ ବାଘ ହାବୁଡ଼ରେ ପଡ଼ି ମୃତ୍ୟୁଵରଣ କଲେ ତାର ଶଵକୁ ଜଙ୍ଗଲରେ ହିଁ ପୋତି ଦିଆଯାଏ। କାଳେ ଡୁମ୍ମା ହୋଇ ସେ ମୃତାତ୍ମା ଜୀଵିତଲୋକଙ୍କୁ ହଇରାଣ କରିଵ ବୋଲି ଶଵ ପୋତିଵା ଜାଗାରେ ଲୁହାକଣ୍ଟା ପିଟାଯିଵାର ଚଳଣି ରହିଛି । ତେବେ ବାଗ୍‌ମଡ଼ା ଶବ୍ଦଟି ଏକ ଗାଳି ଭାବେ   ❛❛ବାଘ ତୋତେ ମାରୁ❜❜ କିଂଵା  ❛❛ତୁ ବାଘ ହାତରେ ମରି ମଡ଼ା ହୋଇଯା ଅର୍ଥାତ୍ ବାଗ୍'ମଡ଼ା ହୋଇଯାଆ❜❜ ଏହି ଅର୍ଥରେ ଵ୍ୟଵହାର କୁହାଯାଏ । ଏହା କୋରାପୁଟ ଜିଲ୍ଲାର ଏକ ଜଣାଶୁଣା ଗାଳି । ପଶ୍ଚିମ ଓଡ଼ିଶାରେ ସମାନ ଭାବେ ବାଘଧରା,ବାଘର୍ଚରା ଆଦି ଶବ୍ଦ ଗାଳି ଭାବେ ଵ୍ୟଵହୃତ ହୋଇଥାଏ ।‌

କୁହାଯାଏ ବାଘଡୁମ୍ମା କାହାଠେଇଁ ଲାଗିଲେ ସେ ଲୋକ ସହଜରେ ଭଲ ହୁଏ ନାହିଁ । କେତେକ ବାଘଡୁମ୍ମା ଲାଗିଥିଵା ଲୋକ ଝାଡ଼ାଵାନ୍ତିରେ ମୃତ୍ୟୁଵରଣ କରିଥାନ୍ତି । ଏହାର ପ୍ରତିକାରସ୍ଵରୂପ ସ୍ଥାନୀୟ ଲୋକେ ଗୁଣିଆ, ଦିଶାରୀ ଵା ଗୁରୁମାଈ ପ୍ରଭୃତିଙ୍କୁ ଡାକି ଝଡ଼ାଫୁଙ୍କା, ମନ୍ତ୍ରପାଠ ଇତ୍ୟାଦି କରିଵା ସହ ଡୁମାପୂଜା ମଧ୍ୟ କରିଥାନ୍ତି ।  ଏମାନେ ରୋଗୀକୁ କେତେକ ଗଛର ଚେରମୂଳ ଦେହରେ ବାନ୍ଧିଵା ପାଇଁ ଦେଇଥାନ୍ତି ଓ କେତେକ ଗଛର ବକଳକୁ ଛେଚି ତା'ର ରସ ପିଇଵାକୁ ଦେଇଥାନ୍ତି । ଏକ ପ୍ରକାର ଗଛର ଡାଳ ଵା  ଝାଟିରେ ରୋଗୀର ଦେହକୁ ଝାଡ଼ାଯାଏ । ଏହିପରି ଝଡା଼ଫୁଙ୍କା ପଦ୍ଧତି ଓଡ଼ିଶାର ସମତଳ ଅଞ୍ଚଳରେ କାଳସୀ ଲାଗିଵା,ଚିରଗୁଣୀ,
ହାଡ଼ବାଇ, ଡାହାଣୀ ଆଦି ଲାଗିଲେ ପ୍ରୟୋଗ କରାଯାଏ ।

ବାଘ ସହିତ ଆଉ ଏକ ଲୋକଵିଶ୍ଵାସ ଓଡ଼ିଶାର କନ୍ଧ ସମାଜ ମଧ୍ୟରେ ରହିଛି । କନ୍ଧମାନେ ଯେଉଁ ସ୍ଥାନରେ ମୁର୍ଦ୍ଦାର ପୋତନ୍ତି ସେହି ଚିତାଭସ୍ମ ଉପରେ ଉଠିଥିଵା ଗଛକୁ  ❛ଖୁଣ୍ଟବାଘ❜ କୁହାଯାଏ ।  କଥିତ ଅଛି, ଚରୁଥିଵା ଗୋରୁର ଦେହରେ ଏ ଗଛ ବାଜିଲେ ବାଘ ଧଇଲା ପରି ସେ ଗୋରୁ ବୋବାଳି ଛାଡ଼େ ଓ ସେ ସ୍ଥାନରୁ ଯାଇ ପାରେ ନାହିଁ। ରଖୁଆଳ ଗୋରୁର ସେହି ଅଂଶରେ ଦି ବାଡ଼ି ପାକାଇଲେ ଗୋରୁ ଚାଲିଯାଏ ଓ ସେହି ସ୍ଥଳରେ ଗୋଟିଏ କ୍ଷତ ହୁଏ। ସେହି କ୍ଷତରେ ଟୁଙ୍ଗାଚେର ଓ ମାଣସାରୁ ବୋଳିଲେ ଭଲ ହୋଇଯାଏ ।

ବାଘକୁ ନେଇ ଆମ ଓଡ଼ିଶାରେ ଏହିପରି ଅନେକ ଲୋକ ଵିଶ୍ଵାସ ରହିଛି । ଯେହେତୁ ଆମ ଓଡ଼ିଶା ଜଙ୍ଗଲ ପାହାଡ଼ରେ ପୂର୍ଣ୍ଣ ଏକ ସୁନ୍ଦର ଅଞ୍ଚଳ ତେଣୁ ମାନଵ ଜନଵସତି ବଢି଼ଵା ପୂର୍ଵରୁ ବାଘଙ୍କ ପାଇଁ ଏହା ଥିଲା ଭୂସ୍ଵର୍ଗ । ଆଜି ସିନା ବାଘ ବଂଶ ଲୋପ ହେଵାକୁ ବସିଛି କିନ୍ତୁ ଏଇମାତ୍ର କିଛି ଦଶନ୍ଧୀ ତଳେ ଓଡ଼ିଶାରେ ହଜାର ହଜାର ବାଘ ଥିଲେ । ତେବେ ବାଘଙ୍କ ସଂଖ୍ୟା ସମତଳ ଅଞ୍ଚଳ ଅପେକ୍ଷା ଓଡ଼ିଶାର ପାର୍ଵତ୍ଯ ଅଞ୍ଚଳ ଅପେକ୍ଷାକୃତ କମ୍ ଜନଵସତି କାରଣରୁ ନିଶ୍ଚିତ ଅଧିକ ଥିଲା । ବାଘ ଵିଷୟରେ ଅନେକ କଥା ଆମ ଭାଷାର ଶବ୍ଦ,ଲୋକଗଳ୍ପ,ଲୋକଗୀତ ମଧ୍ୟରେ ଭରି ରହିଛି । 

ବାଘ ଯେତେବେଳେ ପାହାଡ଼ରୁ ଵା ଜଙ୍ଗଲରୁ ଆସି ସମତଳ ଅଞ୍ଚଳରେ ପଶିଯାଉଥିଲା କିଂଵା ଗ୍ରାମାଞ୍ଚଳରେ ବୁଲୁଥିଲା ତାକୁ ❛❛ବାଘ ଗଡି଼ଵା❜❜ କୁହାଯାଉଥିଲା ।

ମନୁଷ୍ଯକୁ ଦେଖିଲେ ଭୟ ଉତ୍ପାଦନ କରିଵା ନିମନ୍ତେ ବାଘ ଗାଲ ଫୁଡ଼କି କରେ, ସ୍ବର ଓ ଅଙ୍ଗଭଙ୍ଗି ଆଦି କରିଥାଏ ତାକୁ ଆମ ଭାଷାରେ ❛❛ବାଘ ଭେଳିକି❜❜ କୁହାଯାଏ । ଉକ୍ତ ❛❛ବାଘଭେଳିକି❜❜ ଶବ୍ଦ କିଂକର୍ତ୍ତଵ୍ୟଵିମୂଢ଼ତା ଅର୍ଥରେ ମଧ୍ୟ ଵ୍ୟଵହାର ହେଉଥିଲା । ପୂର୍ଵକାଳରେ ଜଙ୍ଗଲ ଅଧିକ ଥିଵାରୁ ବାଘମାନଙ୍କ ସଂଖ୍ୟା ଅଧିକ ଥିଲା । ଆଗେ କୌଣସି ବାଘ ମଣିଷ ମାଂସ ଖାଇଲେ ନରଖାଦକ ପାଲଟୁଥିଲା । ତାକୁ ବାଘ ମାତିଵା କୁହାଯାଉଥିଲା ।  କୁହାଯାଏ ଅନ୍ଯମାନଙ୍କ ରକ୍ତ ଅପେକ୍ଷା ମନୁଷ୍ଯରକ୍ତ ସୁସ୍ବାଦୁ। ଯେଉଁ ବାଘ ଥରେ ମନୁଷ୍ଯ ମାରି ମନୁଷ୍ଯର ରକ୍ତର ସ୍ବାଦ ପାଇଥାଏ ସେ ନରରକ୍ତଲୋଲୁପ ହୁଏ ଓ ମଣିଷଖିଆ ବାଘ ବୋଲି ଵିଖ୍ଯାତ ହୋଇଥାଏ । ସେହି ବାଘ କୁ ଲୋକେ କହନ୍ତି ଏ ବାଘ ରକ୍ତମୁଖା ହୋଇଛି ।

ବାଘ ଭେଳିକି ଦେଖାଇ ଲୋକମାନଙ୍କୁ ଭୟଭୀତ ଓ ଦ୍ଵନ୍ଦ୍ଵରେ ପକାଇ ମାରିଦିଏ । ସେଥିପାଇଁ ବାଘ ନିଜ ମୁହଁର ଭାଵଭଙ୍ଗୀଦ୍ଵାରା ମାନଵ ମନରେ  ଦ୍ଵନ୍ଦ୍ଵ ଉତ୍ପନ୍ନ କରେ ବୋଲି ଏହି ଵିଚାରରୁ ଆଉ ଏକ ଓଡ଼ିଆ ଶବ୍ଦ ସୃଷ୍ଟି ହେଲା ❛❛ବାଘମୁହାଁ ଵା ବାଘମୁହିଁ❜❜ ।

ପୂର୍ଵକାଳରେ ଆଜିଭଳି ନିରପତ୍ତା ଆଇନ ଵ୍ୟଵସ୍ଥା ସୁଦୃଢ଼ ନଥିଵାରୁ ଚୋରଭୟ ଅଧିକ ଥିଲା । ତେଣୁ ଘର ଭିତରକୁ ପଶିଵା ଦୁଆରଆଗରେ ଘର ମଧ୍ୟରେ ଗୋଟିଏ ଆଡ଼ିକାନ୍ଥ ଦିଆଯାଉଥିଲା । ତାକୁ ଆମ ଭାଷାରେ ❛❛ବାଘମୁହାଁ ଵା ବାଘମୁହିଁ❜❜ କୁହାଯାଉଥିଲା । ଏହି କାନ୍ଥ ଯୋଗୁଁ ଆଗନ୍ତୁକ ଵ୍ୟକ୍ତି ହଠାତ୍ ଗୃହମଧ୍ଯକୁ ପଶି ନ ପାରି ବାଉଳା ହେଉଥିଲା ଓ ଏ କାନ୍ଥ ପ୍ରତିବନ୍ଧକ ଥିଵାରୁ ବାହାରେ ଠିଆ ହେଵା ଲୋକକୁ ଘରର ଭିତର ଦେଖାଯାଉ ନଥିଲା ।ଘରର ଦୁଇ ଵିପରୀତ ଦିଗରେ ଦୁଆର ପରସ୍ପର ସମ୍ମୁଖରେ ବସି ନ ଥିଵା ଏଭଳି ଘରକୁ ଆଡ଼ମୁହଁ ଘର କୁହାଯାଉଥିଲା । ତେବେ ଏହି ସମାନ ସ୍ଥିତି ପୋଖରୀର ପଥର ପାହାଚମାନଙ୍କରେ ଦେଖାଯାଉଥିଲା । ତେଣୁ ପାହାଚର ମଝିରେ ମଝିରେ ପାଣି ଉପରକୁ ବାହାରିଥିଵା ପଥରଖଣ୍ଡକୁ ମଧ୍ୟ ଲୋକେ ❛ବାଘମୁହିଁ❜ କହୁଥିଲେ ।

ବାଘ ଭଳି ଦେଖାଯାଏ ବୋଲି ଓଡ଼ିଶାରେ ବିଲେଇକୁ ❛❛ବାଘର ମାଉସୀ❜❜ କୁହାଯାଏ । ନିର୍ଭୀକ ଵ୍ୟକ୍ତି ଵିଶେଷତଃ ନାରୀମାନଙ୍କ ପ୍ରତି ମଧ୍ୟ ଏ ଶବ୍ଦର ପ୍ରୟୋଗ ହେଉଥିଲା ।

ବାଘ ମାଂସ ଖାଉଥିଵାରୁ ତା ପାଟି ଦୁର୍ଗନ୍ଧ କରିଵା ସ୍ଵାଭାଵିକ କଥା ତେଣୁ କଥା କହିଵା ସମୟରେ ଯେଉଁ ଲୋକଙ୍କର ପାଟିରୁ ଦୁର୍ଗନ୍ଧ ବାହାରୁଥିଲା ତାକୁ ଲୋକେ ❛ବାଘରାମୁହାଁ❜ କହୁଥିଲେ । ବାଘପରି ଵିକଟ ଓ ବଡ଼ ମୁଖଯୁକ୍ତ ଲୋକକୁ ❛ବାଘା❜ କୁହାଯାଉଥିଲା । ଯେକୌଣସି ବଡ଼ ଓ ଆକ୍ରାମକ ପ୍ରଜାତିର ଜୀଵଜାତିକୁ ମଧ୍ୟ ବାଘୁଆ ଶବ୍ଦ ଯୁକ୍ତ କରି ଓଡ଼ିଆ ଭାଷାରେ ନାମିତ କରାଯାଉଥିଵା ଦୃଶ୍ୟ ହୋଇଥାଏ ଯଥା— ❛❛ବାଘୁଆ ମାଛି,ବାଘୁଆ ପୋକ,ବାଘୁଆ ବିରୁଡି଼,ବାଘୁଆ ମହୁମାଛି,ବାଘୁଆ କଙ୍କି❜❜ ଇତ୍ୟାଦି ଇତ୍ୟାଦି । ସେହିପରି ଭୀଷଣ ଶୀତ ଵିଶେଷତଃ ମାଘମାସର ଶୀତକୁ ଓଡ଼ିଆ ଭାଷାରେ ❛ବାଘୁଆଶୀତ❜ କୁହାଯାଏ । ସମ୍ଭଵତଃ ବାଘ ଦେଖିଲେ ମନୁଷ୍ୟ ଯେମିତି ଅତି ଭୟଭୀତ ହୋଇ ଥରେ ଠିକ୍ ସେହିପରି ଏହି ଶୀତ ହେଲେ ମନୁଷ୍ୟମାନେ ଥରୁଥିଵାରୁ ମାଘ ମାସର ଶୀତକୁ ❛ବାଘୁଆ ଶୀତ❜ କୁହାଯାଉଥିଲା ।

ପୂର୍ଵକାଳରେ ବାଘଠାରୁ ଦୁଧ ଦୁହିଁକରି ଆଣିଵା କୌଣସି ସାଧାରଣ ମନୁଷ୍ଯ ପକ୍ଷରେ ଅସମ୍ଭଵ ଥିଲା ତେଣୁ ଓଡ଼ିଆ ଭାଷାରେ ଅସମ୍ଭଵ କଥା ଓ ଅପ୍ରାପ୍ୟ ଵସ୍ତୁକୁ ❛ବାଘଦୁଧ❜ ସହିତ ତୁଳନା କରାଯାଉଥିଲା ।

ଲୋକେ ❛ବାଘନଖ❜ର କେତେକ ଅଂଶକୁ ସୁନା ଵା ରୂପା ଛାଆଣି କରି ବେକର ହାରରେ, ହାତରେ, ବାଜୁବନ୍ଧରେ ବାନ୍ଧୁଥିଲେ ଵା ପିନ୍ଧୁଥିଲେ  । ଶ୍ରୀଜିଉଙ୍କର ଏକ ଜାତୀୟ ସୁଵର୍ଣ୍ଣ ନିର୍ମିତ ଅଳଙ୍କାରକୁ ମଧ୍ୟ ବାଘନଖ କୁହାଯାଏ ।‌

ବାଘ ସମ୍ବନ୍ଧୀୟ କେତେକ ଶବ୍ଦ ମଧ୍ୟ ଓଡ଼ିଆ ଭାଷାରେ ପ୍ରଚଳିତ ଥିଲା।  ଯଥା—

🔵ଗୋରୁକୁ ବାଘ ଧଇଲେ ଗୋରୁ ପ୍ରାଣବିକଳରେ ଗଁ ଗଁ ହୋଇ ରଡ଼ି ଛାଡ଼ିଵାକୁ ❛❛ଗର ତୋଳିଵା❜❜ କୁହାଯାଉଥିଲା ।

🔵ବାଘକୁ ପ୍ରଲୋଭିତ କରି ମଞ୍ଚା ନିକଟକୁ ଆଣିଵା ଲାଗି ବନ୍ଧା ଯାଇଥିଵା ଛେଳି ଆଦି ପଶୁଙ୍କୁ ❛ଗାରା❜ କୁହାଯାଉଥିଲା ।

🔵ବାଘ ଗର୍ଜନ କରିଵାକୁ ଆମ ଭାଷାରେ ❛ନାହାଳିଵା❜ କୁହାଯାଉଥିଲା ।

🔵ଏକପ୍ରକାରର ଅଭିମନ୍ତ୍ରିତ ଜଡ଼ିକୁ ❛ପତି❜ କୁହାଯାଉଥିଲା । ଶିକାରୀମାନଙ୍କ ମଧ୍ୟରେ ପୂର୍ଵେ ଏକ ଲୋକଵିଶ୍ଵାସ ପ୍ରଚଳିତ ଥିଲା ଯେ ଶ୍ବେତ ଅପରାଜିତା ପତ୍ରକୁ ଅଭିମନ୍ତ୍ରିତ କରି ବାଘର ଖୋଜକୁ ଉଣ୍ଡି ଅକ୍ଷତ ଖୋଜ ଚିହ୍ନ ଉପରେ ଉକ୍ତ ପତ୍ରକୁ ପକାଇଲେ ବାଘ ସେହି ବାଟେ ଫେରି ଆସୁଥାଇ ଓ ଶିକାରୀ ସେହି ବାଟକୁ ଜଗି ରହି ବାଘକୁ ମାରୁଥିଲେ ।

🔵ବାଘ ଆଦି ହିଂସ୍ର ଜନ୍ତୁଙ୍କୁ ଶିକାର କରିଵାକୁ ଶିକାରୀ ଜଗି ରହିଵା ପାଇଁ ଭୂମିରେ ଖୋଳାଯାଇ ଡାଳ ପତ୍ର ଆଦିରେ ଘୋଡା଼ଯାଇ ଭୂମିରେ ଖୋଲାଯାଇଥିଵା  ଗାତକୁ ❛ପଲା❜ କୁହାଯାଉଥିଲା ।

🔵ବାଘ ଆଦି ହିଂସ୍ର ଜୀଵକୁ ଦେଖକି ଗାଈ ମଈଷୀ ଆଦି ହୁରୁଡ଼ିଵା ଓ ରାଵ କରିଵାକୁ ଆମ ଭାଷାରେ ❛ବିରିଜାଇଵା❜ କହୁଥିଲେ ।

🔵ବାଘ, ଆଗରେ ଶିକାରକୁ ଦେଖି ଗାଲ ସାହାଯ୍ୟରେ ଵିକଟ ମୁଖଶବ୍ଦ କରିଵାକୁ ❛❛ଗାଲ ଫିଡ଼କା ମାରିଵା❜❜ କୁହାଯାଉଥିଲା ।

🔵ହୁଣ୍ଟାରିଵା,ହେଣ୍ଟାଳ ମାରିଵା ଆଦି କ୍ରିୟାଶବ୍ଦ ବାଘ ଗର୍ଜନ କରିଵା ଅର୍ଥରେ ଵ୍ୟଵହୃତ ହେଉଥିଲା ।

🔵 ଯେଉଁମାନେ ରାତିରେ ଜଙ୍ଗଲ ସୀମାକୁ ଜଗି ସକାଳେ ଶିକାରୀମାନଙ୍କୁ ବାଘ ଆଦି ଜନ୍ତୁଙ୍କର ଖବର ଦେଉଥିଲେ ସେମାନଙ୍କୁ ରଖିଆ କୁହାଯାଉଥିଲା ।

🔵ଗଡଜାତ ଅଞ୍ଚଳରେ ଶିକାରୀ ବନ୍ଧୁକ ଧରି ଦୁଇ ଜଣ ଲୋକଙ୍କ ସଙ୍ଗେ ଚନ୍ଦ୍ରପକ୍ଷ ରାତିରେ ଲୁଚି ଲୁଚି ବାଘ ପ୍ରଭୃତି ଶିକାର ଖୋଜିଵାକୁ ଲମରା ବୁଲା କୁହାଯାଉଥିଲା ।

🔵ଓଡ଼ିଆ ଭାଷାରେ ଵିଭିନ୍ନ ଜାତୀୟ ବାଘମାନଙ୍କର ନାନା ନାମକରଣ ମଧ୍ୟ କରାଯାଇଥିଲା ଯଥା— କେନ୍ଦୁଆ,ଘୋଡିଙ୍ଗ(ଏକ ଜାତୀୟ ଫିକା ହଳଦିଆ ରଙ୍ଗର ବାଘ),ଚିତାବାଘ,ହେଟାବାଘ,ଡୁର୍କା,ନେପାଳି ବାଘ,ନିମିଟି ବାଘ,ପଟାହାରିଆ ବାଘ(ମହାଵଳ ବାଘ),ପେଣ୍ଡରା(ହେଟା) ଓ କଲରାପତ୍ରିଆ ବାଘ ଆଦି..


ବାଘର ପ୍ରଭାଵ ଓଡ଼ିଆ ସମାଜ ଉପରେ ଏତେ ଅଧିକ ଥିଲା ଯେ ଆମ ଓଡ଼ିଶାରେ କେଵଳ ବାଘ ସମ୍ବନ୍ଧୀୟ ଶବ୍ଦ ହିଁ ନୁହେଁ ବାଘକୁ ନେଇ ନାନାପ୍ରକାରର ଖେଳ, ଢଗଢମାଳି, ଲୋକଗୀତ,ଲୋକଗଳ୍ପ ଓ ଲୋକଵିଶ୍ଵାସ ପ୍ରଚଳିତ ହୋଇଥିଲା । ❛ବାଘଛେଳି❜,❛ବାଘବଜାରି❜ ଓ ❛ପାନିଆଖେଳ(ତ୍ରିଭୂଜାକାର ବଘଛେଳି ଖେଳ)❜ ଭଳି ଖେଳ ମାଧ୍ଯମରେ ଆମ ପୂର୍ଵଜ ଆମକୁ ଛୋଟବେଳୁ ବାଘ କେମିତି ସୁଯୋଗ ପାଇଲେ ଛେଳି ଭଳି ଜୀଵଙ୍କୁ ମାରି ଖାଇପାରେ ତାହା ଜଣାଇ ବେଳହୁଁ ସାଵଧାନ କରେଇଵାରେ ସଫଳ ହୋଇଥିଲେ । କୌତୁକ ମଧ୍ୟରେ ବି ପିଲାଙ୍କୁ ବାଘଠାରୁ ସାଵଧାନ ରହିଵାର ଶିକ୍ଷା ଆମ ସମାଜରେ ନିଆରା ଢଙ୍ଗରେ ପ୍ରଚଳିତ ଥିଲା ।

ପୂର୍ଵେ କୌତୁକ ଦେଖିଵାକୁ ବୟସ୍କମାନେ ଶିଶୁମାନଙ୍କୁ ନିକଟକୁ ଡାକି ସେମାନଙ୍କ ମୁହିଁ ସାମନାରେ ଆପଣାର ମୁହଁକୁ ରଖି ପଚାରୁଥିଲେ...

ପ୍ରଶ୍ନ—ତୋଟାକୁ ଯିବୁ ?
ଉତ୍ତର—ହଁ
ପ୍ରଶ୍ନ—ଆମ୍ବ ଖାଇବୁ ?
  ଉତ୍ତର—ହଁ
  ପ୍ରଶ୍ନ—ବାଘ ଦେଖିଲେ ତ ଡରିବୁ ନାହିଁ ?
  ଉତ୍ତର—ନାଁ
  ଶିଶୁ ଏହା କହିଵା ମାତ୍ରେ ଵୟସ୍କ ଵ୍ୟକ୍ତି ଶିଶୁର ଆଖିକୁ ହାପୁ ଵା ହାଫୁ କରି ଫୁଙ୍କି ଦେଉଥିଲେ ଏଵଂ ଶିଶୁ ଯଥାଶକ୍ତି ଚେଷ୍ଟା କଲେ ସୁଦ୍ଧା ତା ଆଖି ବୁଜି ହୋଇଯାଉଥିଲା । ତହୁଁ ଵୟସ୍କ ଵ୍ୟକ୍ତିଜଣକ କହୁଥିଲା “ତୁ ତ ଡରିଗଲୁ ! ତୋତେ ଆଉ ତୋଟାକୁ ନେବି ନାହିଁ"

ପିଲାମାନଙ୍କୁ ଲୋକଗୀତ ଓ ଗଳ୍ପ ମାଧ୍ୟମରେ ମଧ୍ୟ ବାଘପ୍ରତି ଛୋଟବେଳୁ ସାଵଧାନ ରହିଵାକୁ ଶିକ୍ଷା ଦିଆଯାଉଥିଲା । ଏ କ୍ଷେତ୍ରରେ ❛ବଉଳା ଗାଈ❜ ଓ ❛ଟୁଆଁଟୁଇଁ❜ ଗପର ନାମ  ଉଲ୍ଲେଖ ଯୋଗ୍ୟ ଅଟଇ । ଓଡ଼ିଆ ଭାଷାରେ ବାଘ ସମ୍ବନ୍ଧୀୟ ଅନେକାନେକ ଢଗଢମାଳି, ଵଚନ  ,ନ୍ୟାୟ ଓ ନାଁଦିଆ ମଧ୍ୟ ପ୍ରଚଳିତ ରହିଛି । ଯଥା—

🔴❛❛ବାଘଛେଳି ଏକା ଘାଟରେ ପାଣି ପିଇଵା❜❜
🔴❛❛ବାଘ ଗଲେ(ଘରେ) ମିରଗ ନାଟ❜❜
🔴 ❛❛ବାଘ ନଦେଖିଲେ ବିଲେଇ ଦେଖ
     ମା ନ ଦେଖିଲେ ମାଉସୀ ଦେଖ❜❜
🔴 ❛❛ପଇସା ଥିଲେ ବାଘ ଦୁଧ ମିଳେ❜❜

🔴 ❛❛କୁଅ ମୂଳେ ତେଲ ଘଡି
       ବାଘ ନେଲା ଗେଲ କରି
     ଚୁନ୍ ମୁନ୍ ଖଇର କାତି
           ରଜା ବିଜେ କଲେ ଡଗର ହାତୀ❜❜

🔴 ❛❛ଡେଇଁ ଡେଇଁ ଗଲା ବଣି
ସଞ୍ଜ ଦେଉଥିଲା ନଣଦ କାଣିଲୋ
     ବାଘ ନେଇଗଲା ଟାଣି ।❜❜
    
🔴 ❛❛ଅଣଖୁଆ କାହିଁ ଆଖୁ ହୋଇବ କି
     ବଣଭୁଆଁ ହେବ ବାଘ ?
     କଣ ଭୁଆସୁଣୀ ସଭାରେ ବସିବ
     ଛଣ ଗୁଣ୍ଡି ହେବ ଶାଗ ।❜❜
     (ଦନାଇ ଵଚନ)

🔴 ❛❛ଅଠାକାଠି ଷୋଳ ପଞ୍ଜରା
     ପେଟ ଭିତରେ ଅନ୍ତ ବୁଜୁଳା
     ବ୍ରାହ୍ମଣ ନୁହଁଇ ପଇତା ଥାଏ
     ବାଘ ନୁହଇଁ ଘୁମୁରୁ ଥାଏ
     ତା ଅଇଁଠା ଯିଏ ନ ଖାଏ
     ଲଙ୍ଗଳା ହେଇ ବୁଲୁଥାଏ ।❜❜
    (ନାଁଦିଆ/ଉତ୍ତର—ଅରଟ)

🔴 ❛❛ନାଗର ପୁଅ ନାଗ
      ବାଘର ପୁଅ ବାଘ❜❜

🔴 ❛❛ପାଣିରେ କୁମ୍ଭୀର କୁଳରେ ବାଘ❜❜

🔴 ❛❛ଥିଲେ ବାଘ ବଦାରି ,
     ନ ଥିଲେ କରମ ଆଦରି।❜❜

🔴 ❛❛ଭୋଡୁଆ ମାସର ଖରା
      ବାଘ୍ ନଯାଏ ଚରା।❜❜
🔴❛❛ଆଗପୁଅ ବାଘ❜❜

🔴❛❛ବାଘ ମଲା ଜନ୍ତାରେ
ଘିଡ଼ ଘିଡ଼ ଶବଦ କଲା
ସମୁଦ୍ର ପନ୍ତାରେ।❜❜
( ତୁତୁଖେଳ ଶିଶୁଗୀତ। )

🔴❛❛କାଠ ହାଣୁ ଠୋ ଠୋ
ବାଘ ମାମୁଁ ତୁ ଅଳ୍ପେଇସିୟା❜❜
(ଟିପାଟିପି କାହାଣୀ)

🔴❛❛ବାଘ ବଳଦ ବାନ୍ଧିଲି ହଳେ।
ଚାଷ କଲି ମଇନ୍ଦର ମାଳେ❜❜—
(ଗଞ୍ଜାମ ରାଇଲ ଗୀତ/ମଇନ୍ଦର= ମହୀନ୍ଦ୍ରଗିରି)

🔴❛❛ହଗା ଆଗରେ ବାଘର କି ଡ଼ର ଭୟ❜❜

ଓଡ଼ିଶାରେ ❛ବାଘ❜ ଓ ❛ବାଘସିଂହ❜ ଉପନାମ ରହିଥିଵା ମଧ୍ୟ ଜଣାଯାଏ । ଉତ୍ତର ଓଡ଼ିଶାରେ ❛ବାଘ❜ ଓ ଦକ୍ଷିଣ ଓଡ଼ିଶାରେ ❛ବାଘସିଂହ❜ ଆଦି ଉପନାମ ଦୈହିକ ଵଳଶାଳୀ ଵ୍ଯକ୍ତି ପ୍ରତି ରାଜଦତ୍ତ ଉପାଧି ଭାବରେ ପ୍ରଦତ୍ତ ହୋଇଥିଲା ଯାହା ପରେ ସାଙ୍ଗିଆରେ ପରିଣତ ହୋଇଅଛି ।

ଦକ୍ଷିଣ ଓଡ଼ିଶାରେ  ❛❛କୁଲାଡ଼ଗଡର ବାଘଦେଵୀ❜❜ ଓ  ❛❛ଗଞ୍ଜାମର ବାଘନାଚ❜❜, ଓଡ଼ିଆ ସମାଜରେ ବାଘର ପ୍ରଭାଵ କେତେ ଗୁରୁତ୍ୱପୂର୍ଣ୍ଣ ତାହା ସ୍ପଷ୍ଟ କରିଥାଏ ।  ସେହିପରି ପୂର୍ଵାଞ୍ଚଳର ଲୋକେ ❛❛ବାଘକୁ ମାମୁଁ❜❜ ସଂଜ୍ଞା ଦେଇଥିଵାବେଳେ ଅଵିଭକ୍ତ କୋରାପୁଟର ଲୋକେ  ❛❛ବାଘକୁ ଏକ ଦେଵତା❜❜ ଭାଵରେ ପୂଜା କରୁଥିଲେ ।
ସେହି ବାଘ ଦେଵତାର ପୂଜାକୁ ସ୍ଥାନୀୟ ଲୋକମାନେ  ❛ବାଗ୍'ଯାତ୍ରା❜ କହିଥାନ୍ତି   ।  ଗୋରୁଗାଈ ଓ ମଣିଷଙ୍କୁ ବାଘ ଭାଲୁଙ୍କ କଵଳରୁ ରକ୍ଷା କରିଵାପାଇଁ ବାଘକୁ ଦେଵତା ରୂପେ ପୂଜା କରାଯାଏ । ଚିତାଲାଗି ଅମାଵାସ୍ୟା ପୂର୍ଵରୁ ଏହି ପୂଜା କରାଯାଇଥାଏ । ମାଈ କଳା କୁକୁଡ଼ା, ଛେଳି, ଅଣ୍ଡା, ନଡ଼ିଆ, ଗୁଡ଼ ଓ କ୍ଷୀର ଭୋଗ ଲଗାଇ ବଣରେ ❛ବାଘଦେଵତା❜ର ପୂଜା କରାଯାଏ ।

ଜୀଵଵିଜ୍ଞାନୀମାନେ ମହାବଳ ବାଘର ଵୈଜ୍ଞାନିକ ନାମ
Panthera tigris ରଖିଅଛନ୍ତି । ମିଳିଥିଵା ତଥ୍ୟ ଅନୁସାରେ ବାଘର ମୋଟ ପାଞ୍ଚଟି ଉପଜାତି ଵା Subspecies ମଧ୍ୟରେ ଅଧୁନା କେଵଳ Panthera tigris(ଭାରତୀୟ ବାଘ) ଓ Panthera sondaica(ସୁନ୍ଦା ବାଘ) ହିଁ ପୃଥିଵୀରେ ଦେଖାଯାଆନ୍ତି ଏଵଂ ବାଘ ଜାତୀୟ ତିନୋଟି ଉପଜାତି  Panthera acutidens(ୱାହ୍ନେସୀୟ ବାଘ),Panthera soloensis(Ngandong ବାଘ) ଓ Panthera trinilensis(ତ୍ରିନୀଲ ବାଘ) ଵର୍ତ୍ତମାନ ଲୁପ୍ତ ହୋଇ ସାରିଛନ୍ତି । ବାଘ ଏସିଆ ମହାଦେଶ ଵିଶେଷତଃ ଦକ୍ଷିଣ ପୂର୍ଵ ଏସିଆ ତଥା ପୂର୍ଵ ଭାରତୀୟ ଦ୍ଵୀପପୁଞ୍ଜର ଜୀଵ ।
ପ୍ରାଚୀନ କାଳରେ ବାଘମାନେ ତୁର୍କୀଠାରୁ ଜାପାନ ଯାଏଁ ଦେଖାଯାଉଥିଲେ । ଆଜିକାଲି ତନ୍ମଧ୍ୟରେ ମାତ୍ର ଛଅଭାଗ ଅଞ୍ଚଳରେ ହିଁ ବାଘ ଦେଖାଯାଆନ୍ତି ।

ଵିଭିନ୍ନ କାରଣରୁ ବାଘବଂଶ ଆଜି ପୃଥିଵୀରୁ ଲୁପ୍ତ ହେଵାକୁ ବସିଛି ।  ପୃଥିଵୀର ମୋଟ ବାଘ ମଧ୍ୟରେ ସତୁରୀଭାଗ ଭାରତରେ ଅଛନ୍ତି ଏଵଂ ଗତ କିଛି ଵର୍ଷ ହେଵ ଭାରତରେ ବାଘ ସଂଖ୍ୟା ସାମାନ୍ୟ ଵୃଦ୍ଧିପାଇଛି କିନ୍ତୁ ଓଡ଼ିଶାରେ ଗତ ଛଅ ଵର୍ଷ ମଧ୍ୟରେ ବାଘସଂଖ୍ୟାରେ ଅନ୍ୟ ରାଜ୍ୟ ତୁଳନାରେ କୌଣସି ଵୃଦ୍ଧି ହୋଇନାହିଁ । ଦୃତଗତିରେ ଜଙ୍ଗଲକଟା ଯିଵା ତଥା ଜନଵସତି ଵୃଦ୍ଧି ଯୋଗୁଁ ବାଘବଂଶ ଲୁପ୍ତ ହେଵାର ସମ୍ଭାଵନା ଵୃଦ୍ଧି ପାଇଛି । ଗତ ଦଶ ଵର୍ଷ ମଧ୍ୟରେ ଉତ୍ତର ଭାରତରେ ବାଘ ଆକ୍ରମଣର ମଧ୍ୟ ଘଟଣା ବଢି଼ଥିଵା ଜଣାଯାଏ ଏଵଂ ଏଥିଯୋଗୁଁ ବାଘମାନଙ୍କ ପ୍ରତି ଉତ୍ତର ଭାରତରେ ଜନ ଅସନ୍ତୋଷ ବୃଦ୍ଧି ହୋଇଛି ।

ଜନଵସତି ବୃଦ୍ଧି,ଜଙ୍ଗଲକଟା ଯୋଗୁଁ ବଣରେ ଖାଦ୍ୟାଭାଵ ତଥା ଲୁଚାଛପା ଶିକାର ଯୋଗୁଁ ବାଘଙ୍କ ସଂଖ୍ୟା ଗତ ପାଞ୍ଚ ଦଶ ଦଶନ୍ଧି ଧରି କ୍ରମାଗତ ହ୍ରାସ ହୋଇ ହୋଇ ଯାଇଛି । ମାନଵର ଏହି ଏକଛତ୍ରଵାଦୀ ଶାସନ ଯୋଗୁଁ ପୃଥିଵୀରେ  ❛❛ପ୍ରାଣୀ ଜୀଵନଚକ୍ର❜❜ର
ଏକ ଅପରିହାର୍ଯ୍ୟ ଅଙ୍ଗ ❛ବାଘ❜ ଦିନେ ଲୁପ୍ତ ହୋଇଯାଇପାରେ ବୋଲି ପ୍ରକୃତିପ୍ରେମୀମାନେ ସନ୍ଦେହ କରନ୍ତି ।

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...