Sunday, September 17, 2023

•ତାରକାଙ୍କ ମଧ୍ୟରେ ମହାନାୟକ : ଧ୍ରୁଵତାରା(ଶିଶିର ସାହୁ ମନୋଜ)•


ଧ୍ରୁଵତାରା ଵା Polaris ଉତ୍ତର ଧ୍ରୁଵର ନିକଟରେ ଅଵସ୍ଥିତ ଥିଵାରୁ ଏହା ଏକ ନିଶ୍ଚଳ ତାରକା ପ୍ରତିଭାତ ହୋଇଥାଏ ସେଥିପାଇଁ ଭାରତୀୟମାନେ ଏହି ତାରକାର ନାମ ଧ୍ରୁ ଧାତୁରୁ ସ୍ଥିର ହେଵା ଅର୍ଥରେ ନିଷ୍ପନ୍ନ କରି ଧ୍ରୁଵ ଦେଇଥିଲେ । ଏହା ସର୍ଵଦା ସ୍ଥିର ଜଣାପଡ଼େ ଫଳତଃ ସହସ୍ରାଧିକ ଵର୍ଷ ଧରି ଏହାକୁ ଦେଖି ଅକୂଳ ସମୁଦ୍ରରେ ଓ ମରୁଭୂମିରେ ନାଵିକ ତଥା ପଥିକମାନେ ରାତିରେ ଦିଗ ଓ ଗନ୍ତଵ୍ୟ ପଥ ନିର୍ଣ୍ଣୟ କରି ଆସୁଛନ୍ତି । ପ୍ରାଚୀନ କାଳରେ ଧ୍ରୁଵତାରା ଅଧିକ ମହତ୍ତ୍ବପୂର୍ଣ୍ଣ ଥିଲା କାରଣ ଆଜି ଭଳି ସେ ଯୁଗରେ ପଥିକ ନାଵିକ ପାଇଁ ଦିଗ ନିର୍ଣ୍ଣୟ ହେତୁକ ଏତେ ଯାନ୍ତ୍ରିକ ସୁଵିଧା ସୁଯୋଗ ନଥିଲା । ସେଥିପାଇଁ କ୍ରମେ ଧ୍ରୁଵତାରାକୁ ସାଂସ୍କୃତିକ ମହତ୍ତ୍ଵ ମଧ୍ୟ ମିଳିଲା । ଭାରତରେ ଧ୍ରୁଵତାରାକୁ ନେଇ ଏକ ପୌରାଣିକ ଆଖ୍ୟାନ ରହିଛି ‌। 

ଉତ୍ତାନପାଦ ରାଜାଙ୍କର ପୁତ୍ର ଧ୍ରୁଵ ଜଣେ ପରମଵୈଷ୍ଣଵ ଭକ୍ତବାଳକ ଭାବେ ଭାରତରେ ଜଣାଶୁଣା । କୁହାଯାଏ ଏହି ଵିଷ୍ଣୁଭକ୍ତ ଧ୍ରୁଵ ଧ୍ରୁଵଯୋଗରେ ଜନ୍ମଗ୍ରହଣ କରିଥିଲେ ‌ । ଭାରତୀୟ ପୁରାଣଗାଥା ଅନୁସାରେ ସ୍ଵୟଂଭୂଵ ମନୁଙ୍କର ପୁତ୍ର ଉତ୍ତାନପାଦ ରାଜା ତାଙ୍କ କନିଷ୍ଠା ପତ୍ନୀ ସୁରୁଚିଙ୍କ ପ୍ରେରଣାରେ ତାଙ୍କର ପ୍ରଥମା ରାଣୀ ସୁନୀତିଙ୍କୁ ଵନକୁ ନିର୍ଵାସିତ କଲେ। ସୁନୀତିଙ୍କର ଵନଵାସ ସମୟରେ ଦିନେ ରାଜା ମୃଗୟାକୁ ଯାଇଥିଲେ। ସେ ପଥଭ୍ରଷ୍ଟ ହୋଇ ସୁନୀତିଙ୍କ କୁଟୀରରେ ପହଞ୍ଚିଲେ; ରାଜା ସୁନୀତିଙ୍କୁ ଆପଣା ରାଣୀ ବୋଲି ସେତେବେଳେ ଚିହ୍ନି ପାରି ନ ଥିଲେ; କିନ୍ତୁ ସୁନୀତି ରାଜାଙ୍କୁ ନିଜର ସ୍ୱାମୀ ବୋଲି ଚିହ୍ନିଲେ ଓ ତାଙ୍କୁ ଆଶ୍ରୟ ଦେଇ ଖୁବ୍ ଆଦର ଓ ସତ୍କାର କଲେ। ରାଜା ସୁନୀତିଙ୍କ କୁଟୀରରେ ଏକ ରାତ୍ର ରହିଲେ। ତତ୍ ଫଳରେ ସୁନୀତି ଗର୍ଭଵତୀ ହୋଇ ଧ୍ରୁଵଙ୍କୁ ଜନ୍ମ ଦେଲେ । ରାଜା ପରଦିନ ରାଜଧାନୀକୁ ଚାଲି ଆସିଲେ। ରାଜା ସୁନୀତିଙ୍କୁ ଭେଟିଵା ସମୟରେ ତାଙ୍କୁ ଗୋଟିଏ ଅଭିଜ୍ଞାନ ଵା ସନ୍ତକ ଦେଇଥିଲେ; ସୁନୀତି ତାହା ଧ୍ରୁଵଙ୍କ ହାତରେ ଦେଇ ତାହାଙ୍କୁ ପିତାଙ୍କ ନିକଟକୁ ପଠାଇଲେ। ରାଜା ଉକ୍ତ ସନ୍ତକ ଦେଖି ଧ୍ରୁଵଙ୍କୁ ଆପଣା ପୁତ୍ର ବୋଲି ଜାଣି କୋଳରେ ବସାଇଥିଵା ସମୟରେ ଵିମାତା ସୁରୁଚି ତାହା ଦେଖି ରାଜାଙ୍କୁ ତିରସ୍କାର କଲେ ଏଵଂ ଧ୍ରୁବଙ୍କୁ ରାଜପୁରରୁ ତଡ଼ିଦେଲେ। ଧ୍ରୁଵ ଲାଞ୍ଛନା ପାଇ ଵନକୁ ଫେରି ଆସି ମାତା ସୁନୀତିଙ୍କୁ ଏ କଥା କହିଵାରୁ ସେ ତାଙ୍କୁ ସାନ୍ତ୍ୱନା ଦେଇ କହିଲେ, "ଭଗଵାନ୍ ଦୁଃଖୀର ଦୁଃଖ ଦୂର କରନ୍ତି।" ବାଳକ ଧ୍ରୁଵ ପଚାରିଲେ, "ଭଗଵାନ କାହାନ୍ତି?" ମାତା କହିଲେ, "ସେ ସବୁଠାରେ ଅଛନ୍ତି। ତାଙ୍କୁ ଯେ ଡାକେ ସେ ତା ଦୁଃଖ ଦୂର କରନ୍ତି ଓ ତାକୁ ଦେଖା ଦିଅନ୍ତି।" ବାଳକ ଧ୍ରୁଵ ମାତାଙ୍କଠାରୁ ଏହା ଶୁଣି ଅରଣ୍ୟକୁ ଯାଇ ଏକାନ୍ତଚିତ୍ତରେ ହରିଙ୍କୁ ଡାକିଲେ। ହରି ବାଳକର ଭକ୍ତିରେ ଵିଗଳିତ ହୋଇ ତାଙ୍କୁ ଦେଖା ଦେଲେ। ଉତ୍ତରଦିଗର ଆକାଶରେ ଦେଖା ଯାଉଥିଵା ଧ୍ରୁବ ନକ୍ଷତ୍ରହିଁ ଏହି ଧ୍ରୁଵ ବୋଲି ସନାତନୀମାନେ ଵିଶ୍ୱାସ କରନ୍ତି । 

ଧ୍ରୁଵତାରାର ଭାରତୀୟ ସନାତନୀ ସଂସ୍କୃତିରେ ମହତ୍ତ୍ୱପୂର୍ଣ୍ଣ ସ୍ଥାନ ରହିଛି । ଗୃହ୍ୟସୂତ୍ରମାନଙ୍କରେ ଵିଵାହର ୧୩ ଗୋଟି ଅଙ୍ଗ ଉଲ୍ଲିଖିତ ଅଛି; ଯଥା—ପାଣିଗ୍ରହଣ, ଵିଵାହ ହୋମ, ଲାଜା ହୋମ, ଅଶ୍ମାରୋହଣ, ସପ୍ତପଦୀ, ଧ୍ରୁଵଦର୍ଶନ, ଯାନାରୋହଣ, ଵିଵାହାଗ୍ନୀକୁ ସଙ୍ଗରେ ନେଇ ଗମନ, ଗୃହପ୍ରଵେଶ, ଚତୁର୍ଥୀ କର୍ମ, ଗୃହାଗ୍ନୀପରିଚରଣ, ପକ୍ଷାଦିରେ ସ୍ଥାଳୀପାକ ଓ ଗର୍ଭାଧାନ। ଵିଵାହର ଏହି ତେରଗୋଟି ଅଙ୍ଗ ମଧ୍ୟରେ ଗୋଟିଏ ହେଉଛି ଧ୍ରୁଵ ଦର୍ଶନ । ଏହି 'ଧ୍ରୁଵଦର୍ଶନ' ସନାତନୀମାନଙ୍କ ଵିଵାହ କର୍ମକାଣ୍ଡ ଅନ୍ତର୍ଗତ ଏକ କର୍ମ, ଯହିଁରେ ମନ୍ତ୍ରପାଠପୂର୍ଵକ ଵର କନ୍ୟା ଦୁହେଁ ଧ୍ରୁଵତାରାକୁ ଦର୍ଶନ କରନ୍ତି । ନଵଵିଵାହିତ ଦମ୍ପତିଙ୍କର ପ୍ରେମ ଧ୍ରୁଵତାରା ପରି ନିଶ୍ଚଳ ରହିଵ ଏହି ଉଦ୍ଦେଶ୍ୟରେ ଧ୍ରୁଵଦର୍ଶନ କରାଯାଏ । 

ଧ୍ରୁଵଲୋକ ଓ ଧ୍ରୁଵମଣ୍ଡଳ ମଧ୍ୟ ସନାତନୀମାନଙ୍କ ପାଇଁ ଏକ ପଵିତ୍ର ସ୍ଥାନ । ଵିଷ୍ଣୁ ଭକ୍ତ ଧ୍ରୁଵଙ୍କ ପାଇଁ ନିର୍ମାଣ କରିଥିଵା ବିଷ୍ଣୁ ଲୋକର ଉପରିସ୍ଥ ସତ୍ୟଲୋକାନ୍ତର୍ଗତ ସ୍ୱର୍ଗଧାମକୁ ଧ୍ରୁଵଲୋକ କୁହାଯାଏ । ସେହିପରି ଉତ୍ତର ଦିଗରେ ଧ୍ରୁବତାରାକୁ ଲାଗି ରହିଥିଵା ସାତଗୋଟି ତାରାଯୁକ୍ତ ଶିଶୁମାର ମଣ୍ଡଳକୁ ଧ୍ରୁଵମଣ୍ଡଳ ତଥା ସପ୍ତର୍ଷିମଣ୍ଡଳକୁ ଧ୍ରୁଵଦର୍ଶକ କୁହାଯାଏ। ଭାରତୀୟ ସନାତନୀମାନେ ଵିଶ୍ଵାସ କରନ୍ତି ଯେ ଧ୍ରୁଵଙ୍କ ପରି ଅତ୍ୟନ୍ତ ପୁଣ୍ୟ ତଥା ନିଶ୍ଚଳ ଭକ୍ତି କଲେ ହିଁ ଧ୍ରୁଵଲୋକରେ ସ୍ଥାନ ମିଳେ । ଓଡ଼ିଆ ଭାଗଵତର ତ୍ରୟୋଦଶ ସ୍କନ୍ଦ ତୃତୀୟ ଅଧ୍ୟାୟରେ ଧ୍ରୁଵଲୋକ ତଥା ଵିଷ୍ଣୁଲୋକ ଵିଷୟରେ ସଂକ୍ଷେପରେ ଏମନ୍ତ ବୋଲାଯାଇଛି...

“ଧ୍ରୁଵ ଲୋକର ଯାଏ ବାଟ ।
ଯିଵା ଆସିଵା ଲୋକେ ଭେଟ ॥
ଯିଏ ସେ ତପସ୍ୟା କରଇ ।
ଧ୍ରୁଵ ମଣ୍ତଳ ଯାଏ ଯାଇ ॥
ତେଣିକି ନ ଦିଅଇ ପଥ । 
ହସି କହନ୍ତି ଜଗନ୍ନାଥ ॥
ଧ୍ରୁବ ମଣ୍ତଳ ମାପ ହୋଇ ।
ଦ୍ୱାଦଶ ଯୂଣ ପଥ କହି ॥
ସୂଚି ମୁନରେ ସରୁ ବାଟ ।
ଯିଵାକୁ ବହୁତ ସଙ୍କଟ ॥
ଚାରି ଯୋଜନ ଦ୍ୱାରେ ଯାଇ ।
ତହୁଁ ସୂକ୍ଷ୍ମ ପଥ ଅଟଇ ॥
ପୁଣି ଚାରି ଯୋଜନ ଦ୍ୱାର ।
ତହିଁରୁ ସରୁ ପଥ ତାର ॥
ତହିଁରୁ ଚାରିଯୂଣ ବାଟ । 
ଲେଶ ପ୍ରମାଣେ ପଥ କଷ୍ଟ ॥
ତେତେକ ଯହୁଁ ଗମି ଯାଇ ।
ତେବେ ମୋ ଭୁବନେ ମିଳଇ ॥
ଯେ ଭୂମି ବିସ୍ତାର ଅପାର ।
ଚୌରାଶି କାଠି ଦୀର୍ଘ ତାର ॥
ପ୍ରତି ତା ଦଶ ଲକ୍ଷ କାଠି ।
ତହିଁ ମଧ୍ୟରେ ଯେ ବଇଠି ॥
ବଇଠି ଉପରେ ମୋ ସ୍ଥାନ ।
ଠୁଳ ଆକାରେ ମୋ ଆସନ ॥”

ଭାରତଵର୍ଷର ପ୍ରାଚୀନ ସଂସ୍କୃତିରେ ଧ୍ରୁଵତାରାକୁ ଯେଉଁ ସମ୍ମାନ ମିଳିଛି ତାହା ଅନ୍ୟତ୍ର ଦେଖିଵାକୁ ମିଳେ ନାହିଁ । ଅଵଶ୍ୟ ଅନ୍ୟ ଅନେକ ସଂସ୍କୃତିରେ ଧ୍ରୁଵତାରା ସମ୍ବନ୍ଧରେ ନାନା ଲୋକଗାଥା ରହିଛି କିନ୍ତୁ ଭାରତୀୟ ସଂସ୍କୃତିରେ ଯେଉଁ ଭଳି ଭାବେ ଧ୍ରୁଵତାରାକୁ ଏକ ଉଚ୍ଚ ସ୍ଥାନ ମିଳିଛି ସେଭଳି ଅନ୍ୟତ୍ର ଦେଖିଵାକୁ ମିଳିନଥାଏ । ପୃଥିଵୀର ଵିଭିନ୍ନ ସଂସ୍କୃତିରେ ଧ୍ରୁଵତାରା ସମ୍ବନ୍ଧରେ ଭିନ୍ନ ଭିନ୍ନ ଲୋକଗାଥାର ଵର୍ଣ୍ଣନା ରହିଛି । 

ଉତ୍ତର ଆମେରିକାର Paiute ଜନଜାତି ମଧ୍ୟରେ ଧ୍ରୁଵତାରାକୁ ନେଇ ଅନ୍ୟ ଏକ ଲୋକକଥା ପ୍ରଚଳିତ । Na-gah ନାମରେ ଏକ ପାର୍ଵତ୍ୟ ମେଷ ପର୍ଵତ ଚଢି଼ଵାକୁ ବଡ଼ ସୁଖ ପାଉଥିଲା ଏଵଂ ସେ ଏଥିରେ ବଡ଼ ସୁଦକ୍ଷ ମଧ୍ୟ ଥିଲା । ଫଳତଃ Na-gah ମେଷର ପିତା ସ୍ଵୟଂ ଭଗଵାନ ମଧ୍ୟ ତା'ର ଏହି କାମ ପାଇଁ ବଡ଼ ଗର୍ଵ ଅନୁଭଵ କରୁଥିଲେ । ଦିନେ ପର୍ଵତର ସେ ଏମିତି ଏକ ସ୍ଥାନ ଦେଖିଲା ଯୋଉଠିକି ପହଞ୍ଚିଵା ପ୍ରାୟତଃ କଷ୍ଟସାଧ୍ୟ କାର୍ଯ୍ୟ ତେବେ ସେ ଉତ୍ସୁକତାର ସହ ପର୍ଵତ ମଧ୍ୟରେ ଏକ ଗୁମ୍ଫା ପାଇ ତା ସାହାଯ୍ୟରେ ସେହି ଉଚ୍ଚ ସ୍ଥାନରେ ପହଞ୍ଚିଗଲା ‌। କିନ୍ତୁ ଦୁର୍ଭାଗ୍ୟଵଶତଃ Na-gah ମେଷ ଯେଉଁ ଗୁମ୍ପା ଦେଇ ପର୍ଵତ ଶୀର୍ଷରେ ପହଞ୍ଚିଥିଲା ସେହି ଗୁମ୍ପାଟି ଶୀର୍ଷ ଦେଶରେ ଅଵସ୍ଥିତ ପଥର ପଡ଼ି ନିବୁଜ ହୋଇଗଲା ଫଳତଃ ସେ ସେହିଠାରେ ଫସିଗଲା । ଏହା ଦେଖି Na-gah ମେଷର ପିତା ବଡ଼ ଦୁଃଖ କଲେ କାରଣ ତାଙ୍କ ପୁତ୍ର ଆଉ କେବେବି ସ୍ଵଦେହରେ ଫେରିଵ ନାହିଁ ତେଣୁ ସେ ତାକୁ ସବୁଦିନ ପାଇଁ ଅମର କରିଦେଵାକୁ ଉତ୍ତର ଆକାଶର ଧ୍ରୁଵ ତାରକା କରିଦେଲେ । 

ଆମେରିକାର ଲକୋଟା ଜନଜାତୀୟ ଲୋକେ ଧ୍ରୁଵତାରାକୁ "Wičháȟpi owáŋžila" କହୁଥିଲେ ଯାହାର ଆକ୍ଷରିକ ଅର୍ଥ "ସେହି ତାରା ଯିଏ ସର୍ଵଦା ସ୍ଥିର ରୁହେ" । ଲକୋଟା ଜନସୃତି ଅନୁସାରେ ଏହି ତାରା ଜଣେ ସ୍ଵର୍ଗର ଦେଵ ଥିଲେ ଯିଏ Tapun San Win(ଲାଲ୍ ଗାଲ ଵିଶିଷ୍ଟ ମହିଳା)କୁ ବାହା ହୋଇଥିଲେ । କୌଣସି କାରଣରୁ ତାଙ୍କର ପତ୍ନୀ ସ୍ବର୍ଗରୁ ପତିତ ହେଵାରୁ ପତ୍ନୀ ଵିୟୋଗ ଦୁଃଖରେ ତାକୁ ଉଣ୍ଡିଵାକୁ ସେ ସବୁବେଳେ ସ୍ଥିର ହୋଇ ତାକୁ ଏଯାଵତ୍ ଧରା ମଧ୍ୟରେ ଉଣ୍ଡୁଅଛନ୍ତି ‌ । 

ଆମେରିକାର ଇନ୍ୟୁତ୍ ଜନଜାତୀୟ ଲୋକେ ଧ୍ରୁଵତାରାକୁ Nuuttuittuq କହୁଥିଲେ ଯାହାର ଆକ୍ଷରିକ ଅର୍ଥ ସ୍ଥିରତାରା ଅଟେ । ଏହି ଜନଜାତିରେ ଧ୍ରୁଵତାରା ଓ ସପ୍ତର୍ଷିମଣ୍ଡଳକୁ ନେଇ ଏକ ଲୋକକଥା ପ୍ରଚଳିତ ଥିଲା ‌। ସାତଜଣ ଶିକାରୀ ଜଙ୍ଗଲରେ ହଜିଗଲେ ଆଉ ଘରକୁ ଯିଵାକୁ ଯେତେ ଚେଷ୍ଟା କଲେ ବି ସଫଳ ହୋଇପାରିଲେ ନାହିଁ । ବଡ଼ କଷ୍ଟରେ ରାତ୍ରି ପୂର୍ଵରୁ ସେମାନେ ଗୋଟିଏ ଗଛ ଉପରେ ଚଢ଼ିଗଲେ ଏଵଂ ସେମାନଙ୍କର ଦେଵତାଙ୍କୁ ସାହାଯ୍ୟ କରିଵାକୁ ପ୍ରାର୍ଥନା କଲେ । ହଠାତ୍ ଏକ ଛୋଟ ଝିଅ ସେଠାରେ ଉପସ୍ଥିତ ହୋଇ କହିଲା ମୋତେ ଦେଵତାମାନେ ତୁମମାନଙ୍କୁ ସାହାଯ୍ୟ କରିଵାକୁ ପଠାଇଛନ୍ତି ମୁଁ ତୁମକୁ ବାଟ କଢ଼ାଇ ଦେବି ତୁମେ ମୋ ପଛେ ପଛେ ଆସ । ସାତଜଣ ଶିକାରୀ ତାକୁ ପଚାରିଲେ ତୁମେ କିଏ ସେତେବେଳେ ଝିଅଟି କହିଲା ମୁଁ ଉତ୍ତର ଦିଗର ତାରା । ବହୁତ ଦିନ ପରେ ଯେତେବେଳେ ସେଇ ସାତଜଣ ଶିକାରୀଙ୍କର ଦେହାନ୍ତ ହୋଇଗଲା ସେମାନେ ଆକାଶରେ ତାରକା ହୋଇଗଲେ ଏଵଂ ସପ୍ତର୍ଷିମଣ୍ଡଳ ଭାବେ ପ୍ରତିଷ୍ଠିତ ହେଲେ ।
ଚୀନର ଦେଶର ପୁରାଣଗାଥାରେ ଧ୍ରୁଵତାରା ସମ୍ବନ୍ଧରେ ଏକ ରୋଚକ କଥା ରହିଛି । ଦେଵୀ "(ମ୍ୟାଡାମ୍) ଜି ଗୁଆଙ୍ଗ" ସ୍ଵର୍ଗର ଉଦ୍ୟାନକୁ ବୁଲି ଯାଇଥିଲେ । ସେ କମଳ ପୁଷ୍କରିଣୀ ପାଖରେ ଥିଵା ଉଷ୍ମ ଝରଣା ଦ୍ୱାରା ଆକର୍ଷିତ ହୋଇ ସେଠାରେ ସ୍ନାନ କଲେ, ହଠାତ୍ ଏକ ଚମତ୍କାର ଘଟଣା ଘଟିଲା ଓ ସେଠାରେ ନଅଟି ପଦ୍ମ ଦେଖାଗଲା ଏଵଂ କିଛି ସମୟ ପରେ ସେହି ନଵଗୋଟି ପଦ୍ମ ମଧ୍ୟରୁ ନଅଟି ଶିଶୁ ଉତ୍ପନ୍ନ ହେଲେ । ତା’ପରେ ସେହି ନଅ ଜଣ ପିଲା ବଡ଼ ହେଲେ । ସେମାନଙ୍କ ମଧ୍ୟରୁ ସବୁଠାରୁ ବଡ଼ ପିଲାର ନାମ Gou Cheng Xing ( 勾 城 星 ) ରଖାଗଲା ସେ ହେଲା ସ୍ଵର୍ଗର ଧ୍ରୁଵତାରା । ତାହାର ଅନ୍ୟ ଆଠଜଣ ଭାଇ Tang Lang ( 貪 狼 ), Ju Men ( 巨门 ), Lu Cun ( 路存), Wen Qu ( 文 曲 ), Lian Zhen ( 廉 貞 ), Wu Qu ( 武 曲 ) ଓ Po Jun ( 破 君 ) ସପ୍ତର୍ଷିମଣ୍ଡଳ ଭାବରେ ତାହାର ଶାସନାଧୀନ ହୋଇ ରହିଲେ । 

ଚୀନ ଦେଶର ତାଓ ଧର୍ମରେ ଧ୍ରୁଵତାରା ଓ ସପ୍ତର୍ଷିମଣ୍ଡଳର ଅଧିଷ୍ଠାତ୍ରୀ ଦେଵୀ Dǒumǔ ବୋଲି ଲୋକଵିଶ୍ଵାସ ପ୍ରଚଳିତ । ଏହାଙ୍କର ଅନ୍ୟ ଚୀନ ଦେଶୀୟ ନାମ Dǒumǔ Yuánjūn,Dòulǎo Yuánjūn,Dàomǔ ଓ Tàiyī Yuánjūn ଅଟେ । Dǒumǔଙ୍କୁ ଧ୍ରୁଵତାରାର ଦେଵୀ ( 斗 母 元 君 ) ଅଭିହିତ କରାଯାଏ । ଚୀନଦେଶରେ ଉଭୟ ତାଓ ଧର୍ମାବଲମ୍ବୀ ଓ ବୌଦ୍ଧଧର୍ମ ଗ୍ରହଣ କରିଥିଵା ଲୋକେ ଏହି ଦେଵୀଙ୍କୁ ଆରାଧନା କରିଥାନ୍ତି ‌। ଏହି ଦେଵୀ ହିଁ ସପ୍ତର୍ଷିମଣ୍ଡଳ ଓ ଧ୍ରୁଵତାରାର ଜନନୀ ଓ ନଵପୁତ୍ରଙ୍କ ମାତା ତଥା ଏହାଙ୍କର ସମ୍ପୂର୍ଣ୍ଣ ନାମ Jiu Lin Tai Miao Bai Yu Gui Tai Zu Guang Jin Jing Zu Mu Yuan Jun (九 靈 太 妙 白 玉 貴 台 祖 光 金 精 祖 母 元 君 ) ଅଟେ । ଚୀନ ଦେଶର ଲୋକେ ଧ୍ରୁଵତାରା ନିକଟରେ ଦେଵତାମାନେ ଵାସ କରୁଥିଵା ଵିଶ୍ଵାସ କରୁଥିଲେ । Ziwei Emperor ଵା Beiji Emperor ଏହି ଧ୍ରୁଵତାରାରୁ ପୃଥିଵୀର ସବୁ ଭଲ ମନ୍ଦର ଦେଖାଶୁଣା କରୁଥିଲେ । ଏଭଳି ଲୋକଵିଶ୍ଵାସ ପଛରେ ଧ୍ରୁଵତାରାର ସ୍ଥିର ଅଵସ୍ଥାନ ଏକ କାରଣ ହୋଇଥାଇପାରେ । 

ଆରବୀ ପୁରାଣଗାଥାରେ ଧ୍ରୁଵତାରାକୁ ଏହା ଏକ ଦୁଷ୍ଟ ନକ୍ଷତ୍ର ଅଭିହିତ କରାଯାଇଛି ଯିଏ ଆକାଶର ମହାନ ଯୋଦ୍ଧାଙ୍କୁ ହତ୍ୟା କରିଦେଇଥିଲା । ସେହି ମୃତ ଯୋଦ୍ଧାମାନେ ଏବେ 'Funeral Bier' ନକ୍ଷତ୍ରମଣ୍ଡଳ(ସପ୍ତର୍ଷିମଣ୍ଡଳ ଓ great bear)ର କଫିନ ମଧ୍ୟରେ ଅଛନ୍ତି 
 । ନୋର୍ସ୍ ଲୋକଗାଥାରେ ଧ୍ରୁଵତାରାକୁ ଏକ କୀଳକର ଗୋଜିଆ ଭାଗରେ ଥିଵା ତାରକା ଗଣନା କରାଯାଇଛି ଏଵଂ ଏହା ଚର୍ତୁପାଶ୍ୱର୍ରେ ସାରା ଵିଶ୍ଵର ତାରକା ପରିକ୍ରମା କରୁଛନ୍ତି । ସେହିପରି ମଙ୍ଗୋଲୀୟ ଲୋକକଥା ଅନୁସାରେ ଧ୍ରୁଵତାରା ଗୋଟିଏ ଖୁଣ୍ଟ ସଦୃଶ ବ୍ରହ୍ମାଣ୍ଡର ସମସ୍ତ ତାରକାଙ୍କୁ ଧରି ରଖିଛି । 

ଏହିପରି ଭାବେ ପୃଥିଵୀର ପ୍ରାୟ ସବୁ ସଂସ୍କୃତିରେ ଧ୍ରୁଵତାରା ସମ୍ବନ୍ଧରେ ଵିଭିନ୍ନ ଗାଥା ଓ କଥା ରହିଛି । ତେବେ ଧ୍ରୁଵ ତାରା ଵା Pole star ପ୍ରକୃତରେ ଗୋଟିଏ ତାରକାର ନାମ ନୁହେଁ ଵରଂ ଏକ ପାହ୍ୟା । ପ୍ରତି ଦୁଇରୁ ତିନି ସହସ୍ରାଧିକ ଵର୍ଷ ମଧ୍ୟରେ ଧ୍ରୁଵ ତାରା ପରିଵର୍ତ୍ତିତ ହୋଇଥାଏ ।


ଵର୍ତ୍ତମାନ ସମୟରେ ପୃଥିଵୀର ଉତ୍ତର ଗୋଲାର୍ଦ୍ଧରେ ଧ୍ରୁଵତାରା ହେଉଛି Alpha Ursae Minoris ଵା Polaris ଯାହା ଗତ ଦୁଇ ହଜାର ଵର୍ଷ ଧରି ପୃଥିଵୀର ଧ୍ରୁଵତାରା ହୋଇ ରହିଛି । ୩୧୦୦ ଖ୍ରୀଷ୍ଟାବ୍ଦରେ Gamma Cephei ଵା Errai ନକ୍ଷତ୍ର ପୃଥିଵୀର ଧ୍ରୁଵତାରା ପାହ୍ୟା ଲାଭ କରିଵ ତେବେ ଵୈଜ୍ଞାନିକମାନଙ୍କ ଆକଳନ ଅନୁସାରେ ଏହା ଉତ୍ତର ଧ୍ରୁଵଠାରୁ ୩° ଦୂରରେ ରହିଵ । ଏହାପରେ ୫୨୦୦ ଖ୍ରୀଷ୍ଟାବ୍ଦରେ Iota Cephei ଓ ୫୯୦୦ ଖ୍ରୀଷ୍ଟାବ୍ଦରେ Beta Cephei(Alfirk) ନକ୍ଷତ୍ର ପୃଥିଵୀର ଉତ୍ତର ଧ୍ରୁଵତାରା ହେଵେ । Cepheus ନକ୍ଷତ୍ରପୁଞ୍ଜ ୭୫୦୦ ଖ୍ରୀଷ୍ଟାବ୍ଦରେ ଉତ୍ତର ଧ୍ରୁଵରେ ସବୁବେଳେ ସ୍ଥିର ରହିଥିଵା ଦେଖାଯିଵ ଏହି ନକ୍ଷତ୍ରପୁଞ୍ଜର ଉଜ୍ଜ୍ୱଳ ତାରକା Alderamin ଧ୍ରୁଵତାରା ପାହ୍ୟା ଲାଭ କରିଵ । ଏହାପରେ Alpha Cygni ଵା Deneb ୯୮୦୦ ଖ୍ରୀଷ୍ଟାବ୍ଦରେ ପୃଥିଵୀର ଉତ୍ତର ଧ୍ରୁଵତାରା ପାହ୍ୟା ଲାଭ କରିଵ । Cygnus ନକ୍ଷତ୍ରପୁଞ୍ଜର Delta Cygniଵା Fawaris ୧୧,୨୫୦ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ପୃଥିଵୀର ଉତ୍ତର ଧ୍ରୁଵର ଆହୁରି ନିକଟତର ହୋଇ ଧ୍ରୁଵତାରା ଭାବେ ପ୍ରତିଷ୍ଠିତ ହେଵ । Lyra ନକ୍ଷତ୍ରପୁଞ୍ଜର Vega ନକ୍ଷତ୍ର ୧୨୦୦୦ ଖ୍ରୀଷ୍ଟପୂର୍ଵରେ ପୃଥିଵୀର ଉତ୍ତର ଗୋଲାର୍ଦ୍ଧରେ ଧ୍ରୁଵତାରା ଥିଲା ଏଵଂ ଏହା ପୁଣି ୧୪୫୦୦ ଖ୍ରୀଷ୍ଟାବ୍ଦରେ ପୃଥିଵୀର ଉତ୍ତର ଗୋଲାର୍ଦ୍ଧର ଧ୍ରୁଵତାରା ପାହ୍ୟା ଅଳଙ୍କୃତ କରିଵ ଏଵଂ ସେତେବେଳେ ଏହା ହେଵ ପୃଥିଵୀର ସବୁଠାରୁ ଉଜ୍ଵଳତମ ଧ୍ରୁଵତାରା । ଆଜକୁ ୯୦୦୦ ଖ୍ରୀଷ୍ଟପୂର୍ଵରୁ ୭୪୦୦ ଖ୍ରୀଷ୍ଟପୂର୍ଵ ପର୍ଯ୍ଯନ୍ତ Iota Herculis ନକ୍ଷତ୍ର ପୃଥିଵୀର ଉତ୍ତର ଧ୍ରୁଵତାରା ଥିଲା ଏଵଂ ପୁନଶ୍ଚ ଏହି ନକ୍ଷତ୍ର ୧୫୦୦୦ ଖ୍ରୀଷ୍ଟାବ୍ଦରେ ପୃଥିଵୀର ଧ୍ରୁଵତାରା ହୋଇ ୧୮୪୦୦ ଖ୍ରୀଷ୍ଟାବ୍ଦରେ ଉତ୍ତର ଧ୍ରୁଵଠାରୁ ମାତ୍ର ୧° ଛାଡ଼ି ଅଵସ୍ଥିତ ରହିଵ । Draco ନକ୍ଷତ୍ରପୁଞ୍ଜର Thuban ନକ୍ଷତ୍ର ଆଜକୁ ପ୍ରାୟ ୪୪୨୦ ଖ୍ରୀଷ୍ଟପୂର୍ଵଠାରୁ ୩୦୦୦ ଖ୍ରୀଷ୍ଟପୂର୍ଵ ପର୍ଯ୍ଯନ୍ତ ପୃଥିଵୀର ଉତ୍ତର ଗୋଲାର୍ଦ୍ଧରେ ଧ୍ରୁଵତାରା ଥିଲା ଏଵଂ ଏହାପରେ Kochab ନକ୍ଷତ୍ର ଏହି ସ୍ଥାନ ଅଳଙ୍କୃତ କରିଥିଲା । ଵର୍ତ୍ତମାନର ଧ୍ରୁଵତାରା Alpha Ursae Minoris ଵା Polaris ପ୍ରାୟ ୧.୧୦୦ ଖ୍ରୀଷ୍ଟପୂର୍ଵଠାରୁ ଵର୍ତ୍ତମାନ ପର୍ଯ୍ଯନ୍ତ ପୃଥିଵୀର ଉତ୍ତର ଗୋଲାର୍ଦ୍ଧରେ ଧ୍ରୁଵତାରା ପାହ୍ୟା ଲାଭ କରି ରହିଛି । ପ୍ରଥମେ Polaris ଉତ୍ତର ଧ୍ରୁଵଠାରୁ ୭° ଦୂରରେ ଥିଲା କିନ୍ତୁ ଵର୍ତ୍ତମାନ ଏହା ୦.୫° ଦୂରରେ ଅଵସ୍ଥିତ ଯାହା ଏହାକୁ ପୃଥିଵୀର ଏକ ଯୋଗ୍ୟ ଧ୍ରୁଵତାରା ଭାବେ ପ୍ରତିଷ୍ଠିତ କରିଥାଏ । ଆଜକୁ ବହୁତ ପରେ ୨୭,୮୦୦ ଖ୍ରୀଷ୍ଟାବ୍ଦରେ ଆଜିର ଧ୍ରୁଵତାରା Polaris ପୁଣି ପୃଥିଵୀର ଉତ୍ତର ଧ୍ରୁଵତାରା ପାହ୍ୟା ଲାଭ କରି ଅନେକ ଵର୍ଷ ପର୍ଯ୍ଯନ୍ତ ଧ୍ରୁଵତାରା ହୋଇ ରହିଵ । ପୃଥିଵୀର Axial precession ଯୋଗୁଁ ଏହାର axis rotation cycle ପ୍ରତି ୨୬୦୦୦ ଵର୍ଷରେ ଥରେ ସମ୍ପୂର୍ଣ୍ଣ ହୋଇଥାଏ ଫଳତଃ ସମୟ ସହିତ ଧ୍ରୁଵତାରାର ପାହ୍ୟା ମଧ୍ୟ ପରିଵର୍ତ୍ତିତ ହୋଇଥାଏ । 
 
ଯେମିତି ପୃଥିଵୀର ଉତ୍ତର ଗୋଲାର୍ଦ୍ଧରେ ସୁମେରୁ ଧ୍ରୁଵତାରା ଓ ସପ୍ତର୍ଷିମଣ୍ଡଳ ଦେଖାଯାଏ ଠିକ୍ ସେହିପରି ଦକ୍ଷିଣ ଗୋଲାର୍ଦ୍ଧରେ ମଧ୍ୟ ଏକ ଧ୍ରୁଵତାରା ତଥା crux ତାରକାପୁଞ୍ଜ ଅଛି । ଵର୍ତ୍ତମାନ ଉତ୍ତର ଗୋଲାର୍ଦ୍ଧର ଧ୍ରୁଵତାରା ହେଉଛି Polaris (Alpha Ursae Minoris) ସେହିପରି ଦକ୍ଷିଣ ଗୋଲାର୍ଦ୍ଧରେ Polaris Australis (Sigma Octantis) ହେଉଛି କୁମେରୁ ଧ୍ରୁଵତାରା । ଉତ୍ତର ଗୋଲାର୍ଦ୍ଧର ଧ୍ରୁଵ ତାରାକୁ ସୌମ୍ୟ ଧ୍ରୁଵତାରା କୁହାଯାଏ ସେହିପରି ଦକ୍ଷିଣ ଧ୍ରୁଵତାରାକୁ ଯାମ୍ୟ ଧ୍ରୁଵତାରା କହିଥାନ୍ତି । ଦକ୍ଷିଣ ଦିଗଵଳୟ ତଳେ ଥିଵାରୁ ଭାରତରୁ ଏହି ଦକ୍ଷିଣୀ ଧ୍ରୁଵତାରା ଦୃଶ୍ୟ ହୁଏନାହିଁ । ଉତ୍ତର ଗୋଲାର୍ଦ୍ଧରେ ଯେମିତି ସପ୍ତର୍ଷିମଣ୍ଡଳ(big dipper)ର କ୍ରତୁ(Dubhe) ଓ ପୁଲହ(Merak )କୁ ସଂଯୁକ୍ତ କରି ଏକ କାଳ୍ପନିକ ରେଖା ଦ୍ଵାରା ଉତ୍ତର ଗୋଲାର୍ଦ୍ଧର ଧ୍ରୁଵତାରାକୁ ଠାବ କରାଯାଏ ଠିକ୍ ସେହିପରି ଦକ୍ଷିଣ ଗୋଲାର୍ଦ୍ଧରେ ତ୍ରିଶଙ୍କୁମଣ୍ଡଳ(Crux) ନାମକ ଏକ ତାରକାପୁଞ୍ଜର Gacrux ତାରା ଓ Acrux ତାରା ସାହାଯ୍ୟରେ ଦକ୍ଷିଣ ଗୋଲାର୍ଦ୍ଧର ଯାମ୍ୟ ଧ୍ରୁଵତାରା ପ୍ରାପ୍ତ ହୋଇଥାଏ । ଅଵଶ୍ୟ ଦକ୍ଷିଣ ଗୋଲାର୍ଦ୍ଧର ଯାମ୍ୟ ଧ୍ରୁଵତାରା ଆମ୍ଭ କ୍ରାନ୍ତିବୃତ୍ତଵାସୀମାନଙ୍କୁ(Tropical ) ଦେଖାଯାଉନଥିଲେ ବି ତ୍ରିଶଙ୍କୁମଣ୍ଡଳ(Crux)କୁ ଆମ୍ଭେମାନେ ଆକାଶରେ ଏପ୍ରିଲରୁ ଜୁନ ମାସ ମଧ୍ୟରେ ଦେଖିପାରୁଁ । ତେବେ ଉତ୍ତର ଗୋଲାର୍ଦ୍ଧରେ ଦକ୍ଷିଣ ଗୋଲାର୍ଦ୍ଧ ଅପେକ୍ଷା ଭୂଭାଗ ଅଧିକ,ଲୋକ ସଂଖ୍ୟା ଅଧିକ ଫଳତଃ ସଭ୍ୟତା ଓ ସଂସ୍କୃତିର ଵିକାଶ ଉତ୍ତର ଗୋଲାର୍ଦ୍ଧରେ ଅଧିକ ହୋଇଥିଵାରୁ ସାଧାରଣତଃ ଉତ୍ତର ଗୋଲାର୍ଦ୍ଧର ଧ୍ରୁଵତାରାକୁ ପୃଥିଵୀରେ ଅଧିକ ମହତ୍ତ୍ଵ ମିଳିଛି । ଦକ୍ଷିଣ ଗୋଲାର୍ଦ୍ଧର ଯାମ୍ୟ ଧ୍ରୁଵତାରା Sigma Octantisର magnitude +5.42 ଯୋଗୁଁ ପୁଣି ଵର୍ତ୍ତମାନର ଆଲୋକ ପ୍ରଦୂଷଣ ହେତୁ ଏହା ଉତ୍ତର ଗୋଲାର୍ଦ୍ଧର ଧ୍ରୁଵତାରା Polaris ଅପେକ୍ଷା ଖାଲିଆଖିରେ ସହଜରେ ଦେଖାଯାଏ ନାହିଁ । ନାଵିକମାନେ ଦୂରଵିକ୍ଷଣ ଯନ୍ତ୍ର ସାହାଯ୍ୟରେ ଏହି ନକ୍ଷତ୍ରକୁ ଦେଖି ଜାଣିପାରନ୍ତି । ଦକ୍ଷିଣ ଗୋଲାର୍ଦ୍ଧରେ ଵିନା ଦୂରଵିକ୍ଷଣରେ Sigma Octantis'କୁ ଠାବ କରିଵା ପାଇଁ Southern Cross (Crux) , Sigma, Chi, Tau ଓ Upsilon Octantis ଆଦି ନକ୍ଷତ୍ରଗୁଡି଼କର ସାହାଯ୍ୟ ନିଆଯାଏ ‌ । ଭଵିଷ୍ୟତରେ Gamma Chamaeleontis (୪୨୦୦ ଖ୍ରୀଷ୍ଟାବ୍ଦ), I Carinae, Omega Carinae (୫୮୦୦ ଖ୍ରୀଷ୍ଟାବ୍ଦ), Upsilon Carinae, Iota Carinae (Aspidiske, ୮୧୦୦ ଖ୍ରୀଷ୍ଟାବ୍ଦ)ଓ Delta Velorum (Alsephina,୯୨୦୦ ଖ୍ରୀଷ୍ଟାବ୍ଦ) ଇତ୍ୟାଦି ନକ୍ଷତ୍ରଗୁଡି଼କ କୁମେରୁ ଵୃତ୍ତ ନିକଟରେ ଦେଖାଯାଉଥିଵା ଯୋଗୁଁ ଦକ୍ଷିଣ ଗୋଲାର୍ଦ୍ଧର ଧ୍ରୁଵତାରା ପାହ୍ୟା ଲାଭ କରିବେ । ପୁଣି ଵୈଜ୍ଞାନିକମାନେ କୁହନ୍ତି ଆଜକୁ ପ୍ରାୟ ୬୦୦୦୦ ଵର୍ଷ ପରେ ପ୍ରଶ୍ଵା ଵା ଲୁବ୍ଧକ(Sirius ) ନକ୍ଷତ୍ର ଦକ୍ଷିଣ ଗୋଲାର୍ଦ୍ଧର ଧ୍ରୁଵତାରା ପାହ୍ୟା ଲାଭ କରିଵ ଏଵଂ ଉତ୍ତର ଗୋଲାର୍ଦ୍ଧରେ ଆଉ ଦୃଶ୍ୟ ହେଵ ନାହିଁ । ଦକ୍ଷିଣ ଗୋଲାର୍ଦ୍ଧର ଦେଶ ବ୍ରାଜିଲର ଜାତୀୟ ପତାକାରେ ତ୍ରିଶଙ୍କୁମଣ୍ଡଳ (crux) ସହିତ ଯାମ୍ୟ ଧ୍ରୁଵତାରା ଦର୍ଶିତ ହୋଇଛି । 

ପୃଥିଵୀର ଉତ୍ତର ଗୋଲାର୍ଦ୍ଧରେ ଥିଵା ଧ୍ରୁଵ ତାରାକୁ ଖାଲି ଆଖିରେ ଦେଖିଲେ ଗୋଟିଏ ତାରକା ବୋଲି ଜଣାପଡ଼େ କିନ୍ତୁ ପ୍ରକୃତରେ 
Polaris ଏକ ତ୍ରି-ତାରକୀୟ ପ୍ରଣାଳୀ (triple star system) ଅଟେ । ଏହି ତିନିଗୋଟି ତାରକା ମଧ୍ୟରେ Polaris Aa ଏକ ଵିଶାଳକାୟ ପୀତଵର୍ଣ୍ଣ ତାରକା ଏଵଂ ଏହାଠାରୁ ଅପେକ୍ଷାକୃତ ଆକାରରେ କ୍ଷୁଦ୍ର Polaris Ab ଓ Polaris B ଏହିପରି ତିନିଗୋଟି ତାରକା ପରସ୍ପରର ଵିଚିତ୍ର ଢଙ୍ଗରେ ପରିକ୍ରମଣ କରୁଛନ୍ତି । Polaris Bକୁ ଅଗଷ୍ଟ ୧୭୭୯ରେ William Herschel ସେସମୟର ଆଧୁନିକ ଦୂରଵିକ୍ଷଣ ଯନ୍ତ୍ର ସାହାଯ୍ୟରେ ଠାଵ କରିଥିଲେ । 

କିନ୍ତୁ କେଵଳ ଯେ ପୃଥିଵୀର ହିଁ ଉତ୍ତର ଓ ଦକ୍ଷିଣ ଧ୍ରୁଵତାରା ଅଛି ତାହା ନୁହେଁ ସୌରମଣ୍ଡଳର ପ୍ରତ୍ୟେକ ଗ୍ରହର ନିଜର ଭିନ୍ନ ଭିନ୍ନ ଉତ୍ତର ଓ ଦକ୍ଷିଣ ଧ୍ରୁଵତାରା ଅଛି । 

•ବୁଧର ଉତ୍ତର ଧ୍ରୁଵତାରା 
Omicron Draconis ଓ ଦକ୍ଷିଣ ଧ୍ରୁଵତାରା Alpha Pictoris ଅଟେ ‌। 

ଶୁକ୍ରର ଉତ୍ତର ଧ୍ରୁଵତାରା"42 Draconis" ଏଵଂ ଦକ୍ଷିଣ ଧ୍ରୁଵତାରା "Eta¹ Doradus" ଅଟେ ।  

ଆମ ପୃଥିଵୀର ଉପଗ୍ରହ ଚନ୍ଦ୍ରର ଦକ୍ଷିଣ ଧ୍ରୁଵତାରା ହେଉଛି Delta Doradus" ଏଵଂ ଉତ୍ତର ଧ୍ରୁଵତାରା "Omicron Draconis" ଅଟଇ । 

ମଙ୍ଗଳଗ୍ରହର ଦକ୍ଷିଣ ଧ୍ରୁଵତାରା Kappa Velorum ହୋଇଥିଲା ବେଳେ ଏହାର ଉତ୍ତର ଧ୍ରୁଵରେ Northern Crossର ଦୁଇଗୋଟି ନକ୍ଷତ୍ର Sadr ଓ Deneb ରହିଥାଏ ଫଳତଃ ଏହି ଦୁଇଗୋଟି ତାରକାକୁ ମଙ୍ଗଳର ଉତ୍ତର ଧ୍ରୁଵତାରା କୁହାଯାଇପାରେ । 

ବୃହସ୍ପତିଙ୍କ ଦକ୍ଷିଣ ଧ୍ରୁଵରେ Zeta Draconis ଓ ଉତ୍ତର ଧ୍ରୁଵରେ Delta Doradus ରହିଥାଏ । 

ଶନିର ଉତ୍ତର ଧ୍ରୁଵଠାରୁ ଛଅ ଡିଗ୍ରୀ ଛାଡ଼ି ଆମ ଗ୍ରହର ଵର୍ତ୍ତମାନ ଧ୍ରୁଵତାରା Polaris ଥିଲାବେଳେ ଏହାର ଦକ୍ଷିଣ ଧ୍ରୁଵର ଧ୍ରୁଵତାରା ହେଉଛି "Delta Octantis" ନକ୍ଷତ୍ର ‌‌। 

ସେହିପରି "Eta Ophiuchi" ୟୁରାନସର ଉତ୍ତର ଧ୍ରୁଵତାରା ଏଵଂ "15 Orionis" ଏହାର ଦକ୍ଷିଣ ଧ୍ରୁଵତାରା ଅଟେ ‌ । 
ନେପଚୁନ୍‌ର ଉତ୍ତର ଧ୍ରୁଵ ନିକଟରେ Gamma Cygni ଓ Delta Cygni ଥିଲାବେଳେ ଏହାର ଦକ୍ଷିଣ ଧ୍ରୁଵରେ Gamma Velorum ଦେଖାଯାଏ । 

ମୋଟ ଉପରେ କହିଵାକୁ ଗଲେ ପ୍ରତ୍ୟେକ ଗ୍ରହର ପରିକ୍ରମଣ ଓ ଆଵର୍ତ୍ତନ ଗତି ତଥା ଏହାର ଅକ୍ଷପଥ ଭିନ୍ନ ଭିନ୍ନ ହୋଇଥାଏ ବୋଲି ସେସବୁ ଗ୍ରହର ଧ୍ରୁଵତାରା ମଧ୍ୟ ଭିନ୍ନ ଭିନ୍ନ ହୋଇଥାଏ । ଏଣୁ ସବୁଗ୍ରହର ଧ୍ରୁଵତାରା ଭିନ୍ନ ଭିନ୍ନ ଅର୍ଥାତ୍ ପୃଥିଵୀର ଧ୍ରୁଵତାରା କେଵଳ ପୃଥିଵୀର ଧ୍ରୁଵତାରା ଅଟେ ଏଵଂ ଅନ୍ୟ ଗ୍ରହରେ ଭିନ୍ନ ଭିନ୍ନ ନକ୍ଷତ୍ରଗୁଡି଼କର ସେଗୁଡ଼ିକର ଦୁଇ ଧ୍ରୁଵରେ ଥିଵା ଦୃଶ୍ୟ ହୁଅନ୍ତି । 

ହଜାର ହଜାର ଵର୍ଷ ଧରି ମନୁଷ୍ୟ ପାଇଁ ରାତ୍ରି ଆକାଶରେ ପଥପ୍ରଦର୍ଶକର କାର୍ଯ୍ୟ କରି ଆସୁଥିଵା ଧ୍ରୁଵତାରାଠାରୁ ଅନେକ କଥା ଶିଖାଯାଇପାରେ । ଧ୍ରୁଵତାରା ସ୍ଥିରତାର ପ୍ରତୀକ,ଯେତେ ଝଡ଼ ଝଞ୍ଜା ଆସୁ ଧ୍ରୁଵତାରା ଭଳି ଆକାଶରେ ସ୍ଥିର ନିଶ୍ଚଳ ରହିଵାକୁ ଶିକ୍ଷା ଦିଆଯାଏ । ନିଜ ପ୍ରତି ତଥା ନିଜର ମୂଲ୍ୟବୋଧ ପ୍ରତି ସବୁବେଳେ ସଚ୍ଚୋଟ ରହିଵାକୁ ଧ୍ରୁଵତାରାଠାରୁ ଶିକ୍ଷା କରାଯାଇପାରେ। ଅନ୍ଧକାର,ଅନିଶ୍ଚିତ ଓ ନିଚ୍ଛାଟିଆ ରାତ୍ରିରେ ଯେମିତି ଧ୍ରୁଵତାରା ପଥିକ ପାଇଁ ଆଶାର କିରଣ ହୋଇଥାଏ ସେହିପରି ଆମେ ମଧ୍ୟ ନିଃସ୍ଵାର୍ଥପର ଭାବେ ଅନ୍ୟକୁ ସାହାଯ୍ୟ କରିପାରିଵା । ଯେତେ ଵିପଦ ଅସୁଵିଧା ଆସୁ ଧ୍ରୁଵତାରା ଭଳି ଅଚଳ ଅଟଳ ରହିଵାର ମଧ୍ୟ ଶିକ୍ଷା ମିଳିଥାଏ । ଧ୍ରୁଵତାରା ଭଳି ଯାହା ସତ୍ୟ ତାକୁ ଅନୁସରଣ କରିଵା ଉଚିତ୍ । 
ଧ୍ରୁଵତାରା ଯେମିତି ନିଜ ଆଲୋକ ଦ୍ଵାରା ଅନ୍ୟକୁ ମାର୍ଗଦର୍ଶନ କରିଥାଏ ଠିକ୍ ସେହିପରି ଆପଣଙ୍କ ଆଭ୍ୟନ୍ତରୀଣ ଆଲୋକ ଆପଣଙ୍କ ଯାତ୍ରାରେ ମାର୍ଗଦର୍ଶକ ହେଉ ...
••••••••••••••••••••••••••
ଲେଖକ—ଶିଶିର ସାହୁ ମନୋଜ
ଢେଙ୍କାନାଳ(କନ୍ତିଓ ପୁଟସାହି)
•••••••••••••••••••••••••••








No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...