Sunday, October 14, 2018

ଠିକ ଓ ଠିକ୍

ଠିକ୍ ଓ ଠିକ ଉଭୟ ଦେଶଜ ଶବ୍ଦ ଏବଂ ଏ ଉଭୟର ଵ୍ୟଵହାର ଓଡ଼ିଆ ତଥା ହିନ୍ଦୀ ଆଦି ଅନ୍ୟ ଭାରତୀୟ ଭାଷାରେ ଊଣା ଅଧିକେ ରହିଛି......

ଓଡ଼ିଆ ଭାଷାରେ ମୌଳିକ ଅକାରାନ୍ତ ଉଚ୍ଚାରଣ ଵିଧି ଥିବାରୁ ଠିକ ଓ ଠିକ୍ ଏ ଉଭୟ ଶବ୍ଦ ସହଜରେ ବାରିହୋଇପଡନ୍ତି
କିନ୍ତୁ ହିନ୍ଦୀରେ ହଳନ୍ତଵତ୍ ଉଚ୍ଚାରଣ ରହିଥିବାରୁ ଏକା ଉଚ୍ଚାରଣ ଯୋଗୁଁ ଏହାକୁ ଗୋଟାଏ ଶବ୍ଦ ବୋଲି ସାଧାରଣ ହିନ୍ଦୀଭାଷୀର ମନରେ ଭ୍ରମ ଉତ୍ପନ୍ନ ହୋଇଥାଏ ।

ହିନ୍ଦୀ ଏଵଂ ଓଡ଼ିଆ ଭାଷାରେ ଉଭୟ ଶବ୍ଦର ବନାନ ମଧ୍ଯ ଭିନ୍ନ ଭିନ୍ନ । ଆମ୍ଭେମାନେ ଠିକ୍ ଓ ଠିକ ଲେଖିଲାବେଳେ ‛ଠ’  ରେ ହର୍ସ୍ଵ ଇ କାର ଦେଇ ଲେଖନ୍ତି କିନ୍ତୁ ହିନ୍ଦୀରେ ଏଠାରେ ଦୀର୍ଘ ଈକାର ହୋଇ ठीक ଲେଖା ଯାଇଥାଏ ।

ତେବେ ନେପାଳୀ ଭାଷାରେ ସେହି ସମାନ ଦେଵନାଗରୀ ଲିପି ଵ୍ୟଵହାର ହେଉଥିଲେ ହେଁ ठीक ପରିଵର୍ତ୍ତେ ठिक ଲେଖାଯାଏ ।

ହିନ୍ଦୀ ଅପେକ୍ଷା ଓଡ଼ିଆ ଭାଷାରେ ଠିକ ଓ ଠିକ୍ ଶବ୍ଦ ଦ୍ଵୟର ଵ୍ୟଵହାର ଅଧିକ ପରି ଅନୁଭୂତ ହୁଏ । ଉଭୟ ଭାଷାର ଦୁଇଟି ପ୍ରକାଣ୍ଡକାୟ ଭାଷାକୋଷ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଏଵଂ ହିନ୍ଦୀ ଶବ୍ଦ ସାଗରରେ ଏହି ଶବ୍ଦର ଅର୍ଥ ଓ ଵ୍ୟଵହାର ଉଲ୍ଲେଖରୁ ଏଭଳି ଅନୁମାନ କରାଯାଉଛି ।

ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଠିକ୍ ଶବ୍ଦର ଅନେକ ଅର୍ଥ ରହିଛି । ଓଡ଼ିଆ ଭାଷାରେ ଠିକ୍ ଶବ୍ଦର ଵ୍ୟଵହାର ଵିଶେଷଣ ତଥା କ୍ରିୟା ଵିଶେଷଣ ଭାବେ ରହିଛି ।

→ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଠିକ୍ ଶବ୍ଦର କେଉଁ କେଉଁ ଅର୍ଥ ସହ ଵ୍ୟଵହାର ହୁଏ ତହିଁର ଉଲ୍ଲେଖ କରାଗଲା.....

●୧.ପ୍ରକୃତ; ଯଥାର୍ଥ — ୧
(ଯଥା—ମୁଁ ଆପଣଙ୍କ ଘଟଣାର ଠିକ୍ ବିବରଣ କହୁଛି;ହିନ୍ଦୀ ରେ ମଧ୍ଯ କୁହନ୍ତି ―तुम्हारी बात ठीक निकली )
●୨. ଶୁଦ୍ଧ; ଅଭାନ୍ତ
(ଯଥା—ଏ ଛାତ୍ରର ଅଙ୍କ ଖଣ୍ଡିକ ଠକ୍ ହୋଇଛି;ହିନ୍ଦୀରେ କୁହାଯାଏ—आठ में से तुम्हारे कितने सवाल ठीक हैं ?)
●୩. ଉପଯୁକ୍ତ
(ଯଥା—ଠିକ୍ ସମୟରେ ନ ଶୋଇଲେ ମୋ ଦେହ ବିଗିଡ଼େ;ହିନ୍ଦୀ ରେ କୁହାଯାଏ―उनका बर्ताव ठीक नहीं होता  ଵା तुम्हारे लिये कहना ठीक नहीं है )
●୪. ନିର୍ଦ୍ଦିଷ୍ଟ ବା ନିର୍ଦ୍ଧାରିତ ସମୟରୁ କ୍ଷଣମାତ୍ର ବେଶି ବା କମ୍ ନୁହେଁ
(ଯଥା—ସେ ଠିକ୍ ୧୨: ବେଳେ ଆସି ପହଞ୍ଚି ଗଲା;ହିନ୍ଦୀ ଶବ୍ଦସାଗରରେ ଏହାର ଉଲ୍ଲେଖ ନାହିଁ)
●୫. ତଚ୍ଛରୂପ; ସ୍ୱାଭାବିକ
(ଯଥା—ବିରାଡ଼ିଟା ଠିକ୍ ବାଘଛୁଆ ପରି ଦିଶୁଛି;ହିନ୍ଦୀ ଶବ୍ଦସାଗରରେ ଏହାର ଉଲ୍ଲେଖ   ନାହିଁ)
●୬. ସତ୍ୟ
(ଯଥା—ସାକ୍ଷୀ ହାକିମଙ୍କ ଆଗରେ ହଲପ ନେଇ ଠିକ୍ କଥା କହି ଗଲା)
●୭.ଅବିକଳ
(ଯଥା—ଏ ପିତଳ ଖଣ୍ଡିକ ଠିକ୍ ସୁନା ପରି ଦେଖାଯାଉଛି)
●୮. ନିଶ୍ଚିତ
(ଯଥା—ହଜି ଥିବା ବଳଦର ଠିକ୍ ଖବର ମୁଁ ପାଇଲି ନାହିଁ)
●୯. ସ୍ଥିର; ନିଶ୍ଚଳ
(ଯଥା—ଘୋଡ଼ା ପିଠିରେ ଠିକ୍ ଆସନ୍ନ ଜମାଇ ବସି ନ ପାରିଲେ ତୁମେ ଖସି ପଡ଼ିବ)
●୧୦.ନ୍ୟାୟପର; ସତ୍
(ଯଥା—ରାଜା ଠିକ୍ ବିଚାର କଲେ)
●୧୧. ସ୍ଥିରୀକୃତ; ନିଶ୍ଚିତ
(ଯଥା—ମକରମାସର ୮ ଦିନକୁ ବିବାହ ଠିକ୍ ହେଲା;ହିନ୍ଦୀରେ ଵ୍ୟଵହାର―काम करने के लिये आदमी ठीक करना, गाड़ी ठीक करना, भाड़ा ठीक करना, विवाह ठीक करना ଇତ୍ୟାଦି)
●୧୨. ଦୋଷଶୂନ୍ୟ
(ଯଥା—ଏ ପିଲାଟାର ଆଚରଣ ଠିକ୍ ଅଟେ)
●୧୩. ଅପରିବର୍ତ୍ତନୀୟ; ଅଟଳ
(ଯଥା—ଆମ ସାଆନ୍ତଙ୍କ ଜବାବ୍ ଠିକ୍ ଅଟେ)
●୧୪. ଆଚ୍ଛା; ସୁନ୍ଦର; ଉତ୍ତମ
(ଯଥା—ଛାମୁଙ୍କ ମିଞ୍ଜାସ୍ ଠିକ୍ ଥିଲାବେଳେ ମୋ ଗୁହାରିଟା ଛାମୁରେ ପଡ଼ିଗଲା;ହିନ୍ଦୀରେ କୁହାଯାଏ―हमारी तबीयत ठीक नहीं है )
●୧୫.ସୁଶାସିତ
(ଯଥା—ଚାବୁକସୁଅର ଦୁଷ୍ଟ ଘୋଡ଼ାକୁ ଠିକ୍ କରିଦେଲା)
●୧୬. ସୁଧାରାକୁ ଆନୀତ; ସୁଧୁରିଥିବା
(ଯଥା—ଘଡ଼ିବାଲା ବିଗିଡ଼ିଥିବା ଘଣ୍ଟାକୁ ଠିକ୍ କରି ଦେଲା)
●୧୭.ସୁବ୍ୟବସ୍ଥିତ — ୧୭

ଠିକ୍ ଶବ୍ଦର କ୍ରିୟାଵିଶେଷଣ ଭାବରେ ମଧ୍ଯ ଵ୍ୟଵହାର ହୋଇଥାଏ ....
ଯଥା:::::-

■ଠିକ୍ ଶବ୍ଦର କ୍ରି. ବିଶେଷଣ ଭାବେ ଅର୍ଥ■
●୧. ସତ୍ୟରେ; ସତେ ସତେ
●୨. ସମ୍ପୂର୍ଣ୍ଣରୂପେ
●୩. ନିଶ୍ଚିତରୂପେ; ନିର୍ଦ୍ଦିଷ୍ଟରୂପେ
●୪. ନିୟମିତରୂପେ
●୫. ପ୍ରକୃତିରେ
●୬. ଅବିକଳ
●୭. ନ୍ୟାୟତଃ
●୮. ଅବିକଳ
●୯. ଉପଯୁକ୍ତରୂପେ
●୧୦. ଅଭ୍ରାନ୍ତରୂପେ
●୧୧. କ୍ଷଣମାତ୍ର ଆଗପଛ ନକରି
●୧୨. ସମାନଭାବରେ
●୧୩. ସୁନ୍ଦରଭାବରେ

ସେହିପରି
ହିନ୍ଦୀ ଭାଷାରେ କେଵଳ ଅଵିକଳ ଵା ଉପଯୁକ୍ତ ପ୍ରଣାଳୀ ଅର୍ଥରେ ଠିକ୍ ଶବ୍ଦର କ୍ରିୟାଵିଶେଷଣ ଵ୍ୟଵହାର ରହିଥିବା ହିନ୍ଦୀ ଶବ୍ଦ ସାଗରରେ ଉଲ୍ଲେଖ ରହିଛି ।

ଠିକ୍ ଶବ୍ଦର ଵ୍ୟଵହାର ଵିଶେଷଣ ଭାବେ ଅଧିକ ହେଉଥିବା ବେଳେ ଠିକ ଶବ୍ଦର  ଉଭୟ ଵିଶେଷ୍ୟ ଓ ଵିଶେଷଣ ଭାବେ ପ୍ରାୟ ସମପରିମାଣରେ ଵ୍ୟଵହାର ରହିଛି.......

ଦେଶଜ ‛ଠିକ’ ଶବ୍ଦର ଅର୍ଥ ଓ ଅର୍ଥ ଆଧାରରେ ଵ୍ୟଵହାର ସମ୍ପୂର୍ଣ୍ଣ ଭିନ୍ନ ଅଟେ.....

ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଠିକ ଶବ୍ଦର ଵ୍ୟଵହାର ଅନୁସାରେ ଯେଉଁ ଅର୍ଥଗୁଡି଼କ ଉଲ୍ଲେଖ ରହିଛି   ସେଗୁଡ଼ିକ ହେଲା―

କ→ନିଶ୍ଚୟ
ଖ→ସମଷ୍ଟି
(ଗରଭ ହୋଇଥିବା ଗାଈଟି ମାନଙ୍କ
ନାମ ପକାଇଲେ କରଣେ କରି ଠିକ―କୃଷ୍ଣଚନ୍ଦ୍ର ମହାଭାରତ)
ଗ→ସ୍ଥିରତା

ଘ→ସାରକଥା;ସଂକ୍ଷିପ୍ତ
(ଯେତେ କହିଲ ଵେଦ ଠିକ―ପ୍ରାଚୀ ନିର୍ଗୁଣ ମହାତ୍ମ୍ୟ)

ସେଇଭଳି ଦେଶଜ ଠିକ ଶବ୍ଦର ଵିଶେଷଣ ଭାବେ ମଧ୍ଯ ଵ୍ୟଵହାର ରହିଛି-
ଯଥା―

କ―ସାର;ବହୁମୁଲ୍ୟଵାନ କଥା
(ଠିକ କଥା ପଦେ ଏ ସମୟରେ ଶୁଣାଯାଉନାହିଁ)
ଖ―ସୁନ୍ଦର; ମନୋହର
(ଆରେ ଠିକହାସି ! ଠକପଣ ପୁଣି କିଛି ଥାଏ ମିଶି !―କଵିସୂର୍ଯ୍ୟ ସଙ୍ଗୀତ)
ଗ―ସମ୍ପୂର୍ଣ୍ଣ;ଅକ୍ଷୁର୍ଣ୍ଣ
(ଠିକ ଠ ଵର୍ତ୍ତୁଳ ଚନ୍ଦ୍ରାନନା ତୋ ଚିତ୍ତରେ―କଵିସୂର୍ଯ୍ୟ କିଶୋରୀ ଚମ୍ପୁ ଠ ଗୀତ)

ଓଡ଼ିଆ ଭଳି ହିନ୍ଦୀ ଭାଷାରେ ମଧ୍ଯ ଓଡ଼ିଆ ଶବ୍ଦ ଠିକ ପରି ठीक ଶବ୍ଦର ନିୟତି,ନିଶ୍ଚୟ,ଯୋଗ ଓ ଭୂଲେଇବା(ଆନ ଲୋକକୁ ଠକିବା) ଅର୍ଥରେ ଵ୍ୟଵହାର ରହିଥିବା ହିନ୍ଦୀ ଶବ୍ଦ ସାଗର ଶବ୍ଦକୋଷରୁ ଜଣାଯାଏ କିନ୍ତୁ ଓଡ଼ିଆ ଭାଷାରେ ଠିକ ଶବ୍ଦର ଵିଶେଷଣ ଵ୍ୟଵହାର ଆମ୍ଭ ଭାଷାର ସଂପୂର୍ଣ୍ଣ ନିଜସ୍ଵ ଅଟଇ ....

➡ଦୁଃଖର ଵିଷୟ ଆଜିକାଲି
ଓଡ଼ିଆଲୋକଙ୍କ ବହୁଳ ଭାବରେ
ହିନ୍ଦୀ ଭାଷା ତଥା ତହିଁର ଶାବ୍ଦିକ ଉଚ୍ଚାରଣଗତ ଅନୁକରଣ ଯୋଗୁଁ ଆମ୍ଭେମାନେ
ଦୁଇଗୋ ଦୋଷ କରୁଅଛନ୍ତି
୧―ଅନେକ ଲୋକ ଠିକ ଓ ଠିକ୍ ମଧ୍ୟରେ ଭେଦ ଜାଣିନଥିବା ହେତୁରୁ  ହିନ୍ଦୀ ଅନୁକରଣରେ ଵ୍ୟାକ୍ୟ ଗଠନ କରିବାକୁ ଯାଇ
ଠିକ ଶବ୍ଦର ଉଚ୍ଚାରଣ ହଳନ୍ତଵତ୍ ଠିକ୍ କରିଥାନ୍ତି....
୨―ଉପସର୍ଗ ସହ ଵିଶେଷଣ ଯୁକ୍ତ କରି ଶବ୍ଦ ଗଠନ ଵ୍ୟାକରଣ ନିୟମ ଵିରୁଦ୍ଧ ଥିଲେ ହେଁ ଅନେକ ଲୋକ ସଠିକ ପରି ଅଶୁଦ୍ଧ ଶବ୍ଦର ଵ୍ୟଵହାର କେଵଳ ହିନ୍ଦୀ ଅନୁକରଣରେ କରିଥାଅନ୍ତି । ହିନ୍ଦୀ ଭାଷାରେ ସଟିକ ଶବ୍ଦର ଅନୁକରଣରେ ସଠିକ ଶବ୍ଦର ଵ୍ୟଵହାର ଓଡ଼ିଆ ଭାଷାରେ ଆସି ଚଳୁଅଛି......

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...