Friday, June 1, 2018

★★★★ମୁଣ୍ଡନ★★★★

..................
କୌଣସି ଏକ ଦେଶର ସଂସଦରେ ଦିନେ ଭୀଷଣ  ଗୋଳ ହୋଇଗଲା । ଗୋଳର କାରଣ କୌଣସି ରାଜନୈତିକ ମାମଲା ଵାଵଦରେ ନଥିଲା ବରଂ ଜଣେ ମନ୍ତ୍ରୀଙ୍କର ହଟାତ୍ ମୁଣ୍ଡନ ହୋଇଯାଇଥିଲା । ହେଇ କାଲି ଯାଏଁ ତାଙ୍କ ମୁଣ୍ଡରେ କୁଞ୍ଚକୁଞ୍ଚିଆ କେଶ ଠିକ୍ କଅଁଳିଆ ଦୁବଘାସ ପରି ଶୋଭାପାଉଥିଲା କିନ୍ତୁ ରାତିରେ ଜଣାନାହିଁ ତାଙ୍କର ମୁଣ୍ଡନ ହୋଇଯାଇଥିଲା । ସଦସ୍ୟମାନେ ପରସ୍ପରରେ କୁହାକୁହି ହେଉଥାନ୍ତି ହାୟ ! ଏଡ଼େ ବଡ଼ ନେତାଙ୍କୁ କ’ଣ ହେଇଗଲା ?  କିଏ କେତେ ଅନୁମାନ କଲେ ! ଜଣେ କହିଲା-ବୋଧହୁଏ ମୁଣ୍ଡରେ ଉକୁଣୀ ହେଇଯାଇଥିଲେ....
ଆଉ ଜଣେ କହିଲା... ବହୁତ ସମ୍ଭବ ମନରେ ଵିଚାର ବୃଦ୍ଧି ହେତୁରୁ କେଶର ଏହି ପରଦା ଅଲଗା କରିଦେଇଛନ୍ତି ! ଆଉ ଜଣେ କହିଲା- ନାହିଁ ହୋ ନାହିଁ ! ତାଙ୍କ ପରିବାରର କେହି ସ୍ଵର୍ଗଵାସୀ ହୋଇଯାଇଥିବେ ସେଇଥିପାଇଁ ଲଣ୍ଡା ହୋଇଯାଇଛନ୍ତି ! କିନ୍ତୁ ସେ ପୂର୍ଵ ପରି ପ୍ରସନ୍ନ ଦେଖାଯାଉଥାନ୍ତି !!!
ଶେଷକୁ ଜଣେ ସଦସ୍ୟ ସଂସଦରେ ମତ ରଖିଲା -
ଅଧ୍ୟକ୍ଷ ମହୋଦୟ ! କଣ୍ ମୁଁ ଜାଣିପାରେ କି ଯେ ମାନନୀୟ ମନ୍ତ୍ରୀ ମହୋଦୟ ଙ୍କ ପରିବାରରେ କ’ଣ କାହାର ଅଵସାନ ଘଟିଅଛି କି ?
ମନ୍ତ୍ରୀ ଉତ୍ତରରେ କହିଲେ-ନାହିଁ !!!

ସଦସ୍ୟ ମାନେ ପୁଣି ଅନୁମାନ କରିବାକୁ ଲାଗିଲେ....
ଆଉ କ’ଣ ମନ୍ତ୍ରୀଙ୍କ କାମ କମ୍ କଥା ବେଶୀ ଗୁଣ ଯୋଗୁଁ ଲୋକେ ମିଳିମିଶି ଆଙ୍କେତିକି ଲଣ୍ଡା କରିଦେଇନାହାନ୍ତି ତ .....!
ଆଉ ଜଣେ ସଦସ୍ୟ ପଚାରିଲା-ଅଧ୍ୟକ୍ଷ ମହୋଦୟ ! କ’ଣ ମନ୍ତ୍ରୀ ମହୋଦୟ ଜାଣିଛନ୍ତି କି ଯେ ତାଙ୍କର ଇତିମଧ୍ୟରେ ମୁଣ୍ଡନ ହୋଇଯାଇଛି ? ଯଦି ହଁ , ତେବେ ସେ ଏଠାରେ ଉତ୍ତର ଦେବେ କି ଯେ ତାଙ୍କର ମୁଣ୍ଡନ କିଏ କରିଦେଇଛି ?
ମନ୍ତ୍ରୀ ସାମାନ୍ୟ ଗମ୍ଭୀର ହୋଇ ଉତ୍ତର ରଖିଲେ-
ମୁଁ ଜାଣିନାହିଁ ମୋର ମୁଣ୍ଡନ ହେଇଛି କି ନାହିଁ !!!
କେତେକ ସଦସ୍ୟ ଚିଲ୍ଲେଇକି କହିଲେ
ହେଇଛି ହେଇଛି !! ସମିତିକି ଦିଶୁଛି !!!
ମନ୍ତ୍ରୀ କହିଲେ-ସମସ୍ତଙ୍କୁ ଦିଶିଲେ ଵି କିଛି ହେବ ନାହିଁ !  ସରକାରକୁ ଦେଖାଯିବାର ଅଛି । ସରକାର ଏ ବାଵଦରେ ଯାଞ୍ଚ କରିବ କି ପ୍ରକୃତରେ ମୋର ମୁଣ୍ଡନ ହୋଇଛି କି ନାହିଁ ।
  ଜଣେ ସଦସ୍ୟ କହିଲା-ଏବେ ଯାଂଚ୍ ହେଇଯିବ । ମନ୍ତ୍ରୀ ମହୋଦୟ ନିଜ ହାତକୁ ମୁଣ୍ଡ ଉପରେ ଥରେ ବୁଲେଇ ଆଣନ୍ତୁ । ମନ୍ତ୍ରୀ ଉତ୍ତର ଦେଲେ- ମୁଁ ସେମିତି ଆଦୌ କରିବି ନାହିଁ ! ସରକାର ଏ ବାଵଦରେ ତନ୍ଦରା ହେବା କଥା ନୁହେଁ ।
କିନ୍ତୁ ମୁଁ ଆପଣ ମାନଙ୍କୁ ନିର୍ଭର ପ୍ରତିଶ୍ରୁତି ଦେଉଅଛି ଯେ ମୋ ସରକାର ଏ ବାଵଦରେ ଵିସ୍ତୃତ ଅନୁସନ୍ଧାନ କରି ସମସ୍ତ ତଥ୍ୟ ସଦନ ସମ୍ମୁଖରେ ଉପସ୍ଥାପନ କରିବ ! 
ସଦସ୍ୟ ଚିଲ୍ଲେଇଲେ-ଜାଂଚ୍ କରିବା କଣ୍ ଦରକାର ? ମୁଣ୍ଡ ଆପଣଙ୍କର ହାତ ଵି ଆପଣଙ୍କର । ନିଜ ହାତଟାକୁ ଆପଣା ମୁଣ୍ଡ ଉପରେ ବୁଲେଇ ଆଣିବାକୁ ମନ୍ତ୍ରୀ ମହୋଦୟ ଅମଙ୍ଗ କାହିଁକି ?
ମନ୍ତ୍ରୀ କହିଲେ-ମୁଁ ସଦସ୍ୟଙ୍କ ସହିତ ସହମତ ଯେ ଏ ମୁଣ୍ଡ ମୋର ଆଉ ହାତଟାବି ମୋର
କିନ୍ତୁ ଆମର ଏ ହାତ ମାନ ପରମ୍ପରା ଓ ନୀତି ଦ୍ଵାରା ବନ୍ଧନଯୁକ୍ତ ହୋଇରହିଛି । ମୁଁ ନିଜ ମୁଣ୍ଡରେ ଆପଣା ହାତ ବୁଲେଇ ଆଣିବାକୁ ସ୍ଵତନ୍ତ୍ର ନୁହଁ ! ସରକାର ର ଗୋଟାଏ ନିୟମିତ କାର୍ଯ୍ୟପ୍ରଣାଳୀ ରହିଛି । ଵିରୋଧୀ ସଦସ୍ୟଙ୍କ ଚାପରେ ସେହି ପ୍ରଣାଳୀ କୁ ମୁଁ ଭଙ୍ଗ କରିପାରିବି ନାହିଁ । ମୁଁ ସଦନରେ ଏ ଵାଵଦରେ ଏକ ଵକ୍ତଵ୍ୟ ଦେବି ।
ସଂଧ୍ୟାରେ ମନ୍ତ୍ରୀ ମହୋଦୟ ସଦନରେ ଭାଷଣ ଦେବା ଆରମ୍ଭ କଲେ--
ଅଧ୍ୟକ୍ଷ ମହୋଦୟ ! ସଦନରେ ପ୍ରଶ୍ନ ଉଠାଯାଇଥିଲା ଯେ
ମୋର ମୁଣ୍ଡନ ହୋଇଛି କି ନାହିଁ ?
ଯଦି ହୋଇଛି ତାହେଲେ ତାହା କିଏ କରିଛି ?
ଏ ପ୍ରଶ୍ନ ଗୁଡିକ ର ଉତ୍ତର ଵର୍ତ୍ତମାନ ପାଇଁ ବହୁତ ଜଟିଳ ଏବଂ ଏ ଵିଷୟରେ ସରକାର କାକୁର୍ତ୍ତି ହୋଇ କୌଣସି ନିର୍ଣ୍ଣୟ ନେଇ ପାରିବନି ।
ମୁଁ କହିପାରିବିନି ଯେ ମୋର ମୁଣ୍ଡନ ହେଇଚି କି ନାହିଁ । ଯେତେଦିନ ଯାଏ ଯାଂଚ୍ ନହୋଇଛି ସେତେଦିନ ଯାଏଁ ସରକାର ଏ ସମ୍ବନ୍ଧରେ କିଛି କହିପାରିବନି । ଆମ ସରକାର ତିନି ଵ୍ୟକ୍ତି ଵିଶିଷ୍ଟ ଏକ ଯାଂଚ୍ ସମିତି ଗଠନ କରିବ ଏବଂ ସେହି ସମିତି ଏ ଵିଷୟରେ ସମସ୍ତ ତଥ୍ୟ ଅନ୍ଵେଷଣ କରି ରିପୋର୍ଟ ପ୍ରସ୍ତୁତ କରି ସରକାର କୁ ପ୍ରଦାନ କରିବ । ଆଉ ସେତେବେଳେ  ମୁଁ ଉକ୍ତ ସମିତିର ରିପୋର୍ଟ ସଦନରେ ଉପସ୍ଥାପନ କରିବି ।
ସଦସ୍ୟ ମାନେ କହିଲେ-ଏ ମାମଲା ଟା କୁତୁଵ୍ ମିନାର୍ କି ତାଜମହଲ୍ ର ନୁହେଁ ଯେ ଦଶନ୍ଧି ଯାଏଁ ଏ ଵାଵଦରେ ଯାଂଚ୍ କରୁଥିବେ । ଏହା ଆପଣଙ୍କ ବାଳ ସମ୍ଵନ୍ଧୀୟ ମାମଲାଟା ଆଉ ବାଳଗୁଡା଼ ଜୀଵନଯାକ ବଢୁଥାଏ - କଟୁଥାଏ ।ଏ ଵିଷୟରେ ନିର୍ଣ୍ଣୟ ତୁରନ୍ତ ହୋଇଯିବା କଥା ।ମନ୍ତ୍ରୀ ଜଵାବ ଦେଲେ-କୁତୁଵ୍ ମିନାର୍ ଓ ତାଜମହଲ୍ ସହିତ ମୋ କେଶର ତୁଳନା କରିବାକୁ ଯାଇ ସେହି ଅମୂଲ୍ୟ ଧରୋହରର ଅପମାନ କରିବାର ଅଧିକାର ସଦସ୍ୟଙ୍କର ନାହିଁ । ଆଉ ରହିଲା ମୂଳ ସମସ୍ୟା କଥା,ସରକାର ଯାଂଚ୍ ପୂର୍ବରୁ ଏ ଵାଵଦରେ କିଛି ଵି କହିପାରିବ ନାହିଁ ।
ଯାଂଚ୍ ସମିତି ଗୁଡା଼ଏ ଵର୍ଷ ଯାଂଚ୍ କଲା । ଏପଟେ ମନ୍ତ୍ରୀଙ୍କ ମସ୍ତକରେ କେଶ ବଢି ବଢି ଗଲା ।
ଦିନେ ମନ୍ତ୍ରୀ ମହୋଦୟ ଯାଂଚ୍ ସମିତିର ରିପୋର୍ଟ ସଦନରେ ଉପସ୍ଥାପନ କଲେ ।
ଯାଂଚ୍ ସମିତିର ରିପୋର୍ଟରେ ଲେଖା ଥିଲା
-ମନ୍ତ୍ରୀ ଙ୍କ ମୁଣ୍ଡନ ହୋଇନଥିଲା ।
ସତ୍ତାଧାରୀ ଦଳର ସଦସ୍ୟମାନେ ଏହାର ସ୍ଵାଗତ ହର୍ଷୋଲ୍ଲାସର ଧ୍ଵନି ସହିତ କଲେ ।  ସଦନର ଅନ୍ୟ ଦିଗରୁ “shame shame” ର ଧ୍ଵନି ଶୁଣାଗଲା । ଵିରୋଧୀମାନେ କହିବାକୁ ଲାଗିଲେ-ପୁରା ଡାହା ମିଛ ! ମନ୍ତ୍ରୀ ଙ୍କ ମୁଣ୍ଡନ ହୋଇଥିଲା ।  ମନ୍ତ୍ରୀ ସବୁଦିନ ଭଳି ସ୍ମିତହାସ୍ୟ ଵଦନରେ ଉଠିପଡି଼ କହିଲେ
ଏମିତି ଆପଣ ମାନେ ଭାବୁଥାଇ ପାରନ୍ତି କିନ୍ତୁ ପ୍ରମାଣ କାଇଁ ? ଏଵେ ଵି ଯଦି ଆପଣମାନେ ପ୍ରମାଣ ଦେଇ ଦିଅନ୍ତି ତେବେ ମୁଁ ଆପଣ ମାନଙ୍କ କଥା ମାନିଯାନ୍ତି । ଏତିକି କହି ମନ୍ତ୍ରୀ ନିଜ ଲମ୍ବା ଲମ୍ବା ବାଳ ଉପରେ ଥରେ ହାତ ବୁଲେଇ ଆଣି ସଦନର ଅନ୍ୟ  ମାମଲା ବୁଝିବାରେ ଵ୍ୟସ୍ତ ହୋଇଗଲେ ।

●●●(ଵ୍ୟଙ୍ଗସମ୍ରାଟ ଶ୍ରୀ ହରିଶଙ୍କର ପରସାଇଙ୍କ ଏକ ହିନ୍ଦୀ ଵ୍ୟଙ୍ଗ मुंडन ର ଓଡ଼ିଆ ଭାଵାନୁଵାଦ । ଏଠାରେ କହିରଖେ ଯେଉଁ ସମୟରେ ଏହି ଵ୍ୟଙ୍ଗ ଟି ଲେଖା ହୋଇଥିଲା ସେତେବେଳେ ଆଜିଭଳି ଟିଭି ଓ ମୋବାଇଲ ତଥା କ୍ୟାମେରା ଆଦି ସରକାରୀ ତନ୍ତ୍ର ମାନଙ୍କରେ ସ୍ଥାନ ପାଇନଥିଲା । ଆଜି ଯେମିତି ସଦନ ର ପ୍ରଶ୍ନକାଳର ଦୂରଦର୍ଶନରେ ଜୀଵନ୍ତ ପ୍ରସାରଣ ହେଉ ଅଛି ନବ୍ବେ ଦଶକ ବେଳକୁ ସେମନ୍ତ କିଛି ହେଉନଥିଲା ତେଣୁ ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ ଯେ ସଦନର ଵିରୋଧୀ ସଦସ୍ୟ ମାନେ ମନ୍ତ୍ରୀ ଙ୍କୁ ତାଙ୍କ ମୁଣ୍ଡନ ସମୟର ଫୋଟୋ କି ଭିଡ଼ିଓ ପ୍ରମାଣ ସ୍ଵରୂପ ଦେଇପାରିନଥିଲେ 😀  )●●●

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...