Sunday, June 3, 2018

ଗଡ୍ଡରିକା ପ୍ରଵାହ ନ୍ୟାୟ ଓ ଚେଲା

ନ୍ୟାୟଶାସ୍ତ୍ରରେ “ଗଡ୍ଡରିକା ପ୍ରଵାହ” ନାମକ ଏକ ନ୍ୟାୟର ଉଲ୍ଲେଖ ମିଳେ......
ଗଡ୍ଡର=ମେଣ୍ଢା,ମେଷ ଇତ୍ୟାଦି ଏବଂ ଗଡ୍ଡରିକା=ମେଣ୍ଢା ପଲ୍ଲ ଆଗରେ ଚାଲୁଥିବା ମେଷ ଵିଶେଷ.....
ତାହେଲେ ଗଡ୍ଡରିକା ପ୍ରଵାହ ମାନେ କ’ଣ ?
କେତେକ ଜୀଵଙ୍କ ମଧ୍ୟରେ ଦେଖାଯାଏ ସେମାନେ ଜଣେ ଜଣେ ଲୋକଙ୍କୁ ଆଗରେ ଛିଡ଼ା କରିଦେଇ ତାଙ୍କ ପଛେ ପଛେ ଚାଲିବାକୁ ପସନ୍ଦ କରନ୍ତି । ତେବେ ମେଣ୍ଢା ଭଳି ଅତିଵିଶ୍ଵାସୀପ୍ରାଣୀମାନେ ଆଗରେ ଛିଡ଼ା କରେଇଥିବା ତାଙ୍କ ଗଡ୍ଡରିକା ମେଷକୁ ଯେଭଳି ଅନ୍ଧାନୁକରଣ କରନ୍ତି ତାହା ଅନ୍ୟ ଜୀବଙ୍କ ମଧ୍ୟରେ ଵିରଳ । ଧରନ୍ତୁ ଯଦି ଗଡ୍ଡରିକା ମେଣ୍ଢା ଵା ଆଗରେ ଚାଲୁଥିବା ମେଣ୍ଢା ଟା ପାହାଡ଼ ଚଢେ଼ ପଛରେ ଅନୁକରଣ କରୁଥିବା ମେଣ୍ଢା ବି  ଚଢି଼ବେ,ଯଦି ଗଡ୍ଡରିକା ମେଷ ନଦୀ ମଧ୍ୟରେ ପଶି ଆର କୂଳକୁ ଯିବାକୁ ଚେଷ୍ଟା କରେ ତା’ ପଛର ମେଣ୍ଢା ଯାକ ଵି ମରିଯାନ୍ତୁ ପଛେ ସେମନ୍ତ କରିବେ....
ନିଜ ନିଜ ଦନ୍ତାସ୍ଥାନୀୟ ଲୋକଙ୍କ ଏଭଳି ଅନ୍ଧାନୁକରଣ ପଶ୍ଚାତଗମନ କର୍ମକୁ ଗଡ୍ଡରିକା ପ୍ରଵାହ କୁହାଯାଏ ।
ପୃଥିବୀର ତଥାକଥିତ ସବୁଠାରୁ ଶ୍ରେଷ୍ଠ ଜୀବ ମନୁଷ୍ୟ ସବା ଶେଷରେ ସୃଷ୍ଟି ହୋଇଥିବାର ଵିଜ୍ଞାନ ଓ ଭାରତୀୟ ପୌରାଣିକ ଵିଜ୍ଞାନ ମତ ଦିଏ । ମଣିଷ ଯେହେତୁ ସବୁ ପ୍ରାଣୀଙ୍କ ଠାରୁ ପରଵର୍ତ୍ତୀକାଳରେ ସୃଷ୍ଟି ହୋଇଛି ସେମାନଙ୍କ ଉତ୍ପରିଵର୍ତ୍ତନ ରୁ ସୃଷ୍ଟି ହୋଇଛି ତେଣୁ ତା’ ପାଖରେ ସବୁ ଜୀଵଙ୍କର କିଛି କିଛି ଗୁଣ ରହିଥିବା ଵିଶ୍ଵାସ କରାଯାଏ ।
ପ୍ରଶ୍ନ ହେଲେ କ’ଣ ମଣିଷ ପାଖରେ ମେଷଙ୍କର
କୌଣସି ଗୁଣ ଅଛି କି ?
😂😂😂😂😂😂😂😂😂😂😂😂😂
ହଁ ଅଛି ...
ଅଛି ବୋଲି ତ ମହାଭାରତ ଯୁଦ୍ଧ ସମୟରେ
ସ୍ଵୟଂ ଶ୍ରୀକୃଷ୍ଣ ଭଗଵତଗୀତାରେ ଫାଲ୍ଗୁନୀଙ୍କୁ କହିଛନ୍ତି
“ଯଦ୍ୟଦାଚରତି ଶ୍ରେଷ୍ଠସ୍ଥତ୍ତଦେଵେତରୋ ଜନଃ ।
ସ ଯତ୍ପ୍ରମାଣଂ କୁରୁତେ ଲୋକସ୍ତଦନୁଵର୍ତ୍ତତେ ।। ।।୩.୨୧।।”

ଏହାର ସହଜିଆ ଅର୍ଥ ହେଲା ମନୁଷ୍ୟ ସମାଜ ମଧ୍ୟରେ ଶ୍ରେଷ୍ଠ ଜନ ଯାହା ଯାହା କରନ୍ତି ଅନ୍ୟ ଜନ ତାହାର ସେଇଭଳି ଅନୁକରଣ କରନ୍ତି ।
ଶ୍ରୀକୃଷ୍ଣ ଙ୍କ ସମୟରେ ଶ୍ରେଷ୍ଠ ଜନ ପ୍ରକୃତରେ ଶ୍ରେଷ୍ଠ ହେଉଥିଲେ ଏବଂ ଲୋକେ ସେମାନଙ୍କ ଅନୁକରଣ କରି ସମାଜକୁ ସମୃଦ୍ଧ କରୁଥିଲେ କିନ୍ତୁ ଏଯୁଗରେ ଶ୍ରେଷ୍ଠତା ଆଉ ଗୁଣ ଓ କାର୍ଯ୍ୟ ରୁ ଦେଖାଯାଉନାହିଁ । ଏ ହେଉଛି ଵିଜ୍ଞାପନର ଯୁଗ । ଆଜିର ମାନଵରୂପି ଗଡ୍ଡରିକା(ମୁଖିଆ ମେଣ୍ଢା) ମାନେ ନିଜକୁ ଯେତେ ଵିଜ୍ଞାପିତ କରି ଚର୍ଚ୍ଚା ର କେନ୍ଦ୍ରଵିନ୍ଦୁ ହୋଇପାରିଲେ ଲୋକେ ତାଙ୍କୁ ସେତେ ଅନୁକରଣ କରିବେ । ଗୀତାର ଉପର ଵର୍ଣ୍ଣିତ ଶ୍ଲୋକରୁ ପ୍ରଭାଵିତ ହୋଇ ଵିଦେଶର ଜଣେ ଲୋକ ଟ୍ଵିଟର ବୋଲି ଗୋଟାଏ ଗଣମାଧ୍ୟମ ଗଢିସାରିଛନ୍ତି । ଏଇଠି ଅନ୍ୟ ମେଣ୍ଢା ମାନେ ସ୍ଵ ସ୍ଵ ଗଡ୍ଡରିକା ଵା ଥୋଡ଼ ଲୋକଙ୍କୁ follow ଵା ଅନୁକରଣ କରନ୍ତି ।
ଏଇଭଳି ବଡ଼ ଲୋକଙ୍କ ପଛରେ ଚାଲିବା ଓ ବଡ଼ ଲୋକଙ୍କୁ ଅନୁକରଣ କରି ସବୁକାର୍ଯ୍ୟ କରିବାର ମେଷସମ୍ବନ୍ଧୀୟ ଗୁଣଟି ମାନଙ୍କ ମଧ୍ୟରେ ଏବେବି ଅଛି ।
ବଡ଼ ଲୋକ ଙ୍କ ପଛରେ ଚାଲିବାଟା ମାନବଙ୍କ ଏକ ଵିଶିଷ୍ଟ ପ୍ରାଚୀନ ଗୁଣ । ଏ ଗୁଣଟି କିନ୍ତୁ ଭାରତୀୟଙ୍କ ମଧ୍ୟରେ ସର୍ଵାଧିକ ଦେଖିବାକୁ ମିଳିଥାଏ । ଆମ ଦେଶର ଲୋକଙ୍କୁ ସର୍ଵଦା ତାଙ୍କ ଆଗରେ ଛିଡ଼ା ହୋଇ ଚାଲିପାରୁଥିବା ଜଣେ ଗଡ୍ଡରିକା ଵା ନେତା ଦରକାର ହୋଇଥାଏ । ଆମ ଦେଶର ଇତିହାସରେ ଆମେ ଦେଖୁ ଜଣେ ନେତାକୁ ଅନେଇ ଅନେଇ ଏ ଦେଶ ୨୦୦ ଵର୍ଷ ପରାଧୀନ ରହିଲା ।  ଶେଷରେ ଜଣେ ଗୁଜରାଟୀ ପିସ୍ତରବୁଢା଼ ଆସି ଆଗରେ ବାଡି଼ ଧରି ଛିଡ଼ା ହେଲା ବୋଲି ଅନ୍ୟ ଲୋକଙ୍କ ଗତ ସାହସ ଫେରି ଆସିଲା ଏବଂ ସେମାନେ ତା ପଛରେ ଚାଲି ଚାଲି ଦେଶକୁ ସ୍ଵାଧୀନ କରିଦେଲେ । ଆମ ଦେଶରେ ଏକ ସମୟରେ ଗୁରୁଶିଷ୍ୟ ପରମ୍ପରା ଥିଲା । ଗୁରୁ ଯାହା ଶିକ୍ଷା ଦେଉଥିଲେ ଶିଷ୍ୟ ତହିଁ ରୁ ଶିଖି ଜଗତରେ ନିଜର ଉପଯୋଗିତା ପ୍ରମାଣ କରୁଥିଲା । ଏ ଆଧୁନିକ ଯୁଗରେ ଗୁରୁଙ୍କ ଶିଷ୍ୟ ମାନେ ଆଉ ଶିଷ୍ୟ ବୋଲାଉ ନାହାନ୍ତି
ସେମାନେ ଚେଲା ହୋଇଯାଇଛନ୍ତି ।  ଶବ୍ଦ ତତ୍ତ୍ୱ ଅନୁସାରେ ଏ ଚେଲା ଶବ୍ଦ ଟି ଚେଟକ କି ଚେଳରୁ ଆସିଥାଇପାରେ କିନ୍ତୁ ଯଥାର୍ଥରେ ଏହାର ଭାଵଗତ ଵ୍ୟାଖ୍ୟା ହେବ ଯିଏ ଅନ୍ୟ ପଛରେ ଚାଲିଲା ସେ ଚେଲା(ଚଲା→ଚେଲା) ।

ଆଗେ ଶିଷ୍ୟ ମାନେ ଗୁରୁଙ୍କ ଶିକ୍ଷାକୁ ଆପଣା ବୁଦ୍ଧି ଓ ଜ୍ଞାନ ଵଳରେ  ଆହୁରି ଉନ୍ନତ କରି ଆଗକୁ ବଢାଉଥିଲେ ଆଜିର ଯୁଗରେ ଶିଷ୍ୟ ତ କେହି ନାହାନ୍ତି ଚେଲା ବହୁତ ହୋଇଯାଇଛନ୍ତି ତେଣୁ ସେମାନେ ଯାହା ଶିଖି ଗିଳିପକେଇଥାନ୍ତି ଜଣେ ରଟନପ୍ରିୟ ଶୁକ ପରି ତାହା ଦରକାର ମୁତାବକ ଉକାଳି ପକାନ୍ତି ।
ଆଧୁନିକ ଯୁଗରେ ଚେଲା ଆଉ ଗୁରୁଙ୍କ ପାଖରେ ସୀମିତ ନାହାନ୍ତି । ଏ ଯୁଗରେ ଫିଲିମି ଇଷ୍ଟାର ଠାରୁ ଥୋଡ଼ ନେତାଙ୍କ ଯାଏଁ ଯୋଉଠି ଦେଖିବେ ପଲ୍ଲ ପଲ୍ଲ ଚେଲା ଏହି ବଡ଼ ବଡ଼ ସେଲିବ୍ରିଟିଙ୍କ ପଛରେ ମାଛି ଭଣ ଭଣ ହେଲା ଭଳିଆ ଲଣ୍ଡଭଣ୍ଡ ହେଉଥାନ୍ତି । ଏ ଵିଜ୍ଞାପନର ଯୁଗ  ତେଣୁ ଯଥାର୍ଥ ରେ ଗଡ୍ଡରିକା ପ୍ରଵାହ ଓ ଚେଲା ଚାମୁଣ୍ଡା ଙ୍କ ଯୁଗ । ଏଯୁଗ ଥୋଡ଼ ନେତାଙ୍କ ଭାଣ୍ଡ ଅଭିନେତାଙ୍କ ମାନସିକ ଵୈଚାରିକ ଗୁଲାମୀର ଯୁଗ

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...