Thursday, December 8, 2022

ବାଇଢଙ୍କ ଓ ଓଡ଼ିଶା

ଓଡ଼ିଶାର ପୂର୍ଵରେ ଯୋଉ କଣ୍ଡୂ ସୃଷ୍ଟିକାରୀ ଲତିକାକୁ ବାଇଢଙ୍କ କୁହନ୍ତି ଓଡ଼ିଶାର ପଶ୍ଚିମରେ ସେହି ଲତିକାଟିକୁ ବାଇଖୁଜେନ୍ କହିଥାନ୍ତି । 
ଅର୍ଥାତ୍ ଉଭୟ ଗଡ଼ଜାତ ଓ ଉପକୂଳ ଓଡ଼ିଶାର ଲୋକେ ଆପଣା ପୂର୍ଵଜଙ୍କର ମୂଳ #ବାଇ ଶବ୍ଦଟିକୁ ବାଇଢଙ୍କ ଓ ବାଇଖୁଜେନ୍ ଶବ୍ଦ ମଧ୍ୟରେ ରଖିଛନ୍ତି । ବାଇଖୁଜେନ୍ ଓ ବାଇଢଙ୍କ ଶବ୍ଦଦ୍ଵୟ ଆମକୁ ଜଣାଇ ଦିଏ ଯେ ପୂର୍ଵ ଓ ପଶ୍ଚିମର ଲୋକଙ୍କ ମଧ୍ୟରେ ଭାତୃସମ୍ପର୍କ କେତେ ନିଵିଡ଼ ...

ବାଇ ଶବ୍ଦର ଅନେକ ଅର୍ଥ ମଧ୍ୟରେ 
ଉନ୍ମତ୍ତ,ବାତୁଳ,ବାୟା ଓ ଵିଵେଚନା ଶୂନ୍ୟ ଆଦି ଅର୍ଥ ଘେନି ବାଇଢଙ୍କ ଵା ବାଇଡଙ୍କ ଓ ବାଇଖୁଜେନ୍ ଶବ୍ଦର ସୃଷ୍ଟି ହୋଇଥିଵା ସମ୍ଭଵ । ଅର୍ଥାତ୍ ଯୋଉ ଲତିକାର ଢଙ୍କ ଵା ନାହୁଡ଼ ସଦୃଶ ଶୂକ ଲାଗିଲା ମାତ୍ରେ ମନୁଷ୍ୟ ବାତୁଳ ପ୍ରାୟ ହୋଇ ଯାଏ ଏଵଂ ଦେହହାତ ପିଠି ଗୋଡ଼ କୁଣ୍ଡେଇ କୁଣ୍ଡେଇ ଖୁଜେଇ ଖୁଜେଇ ହାଲିଆ ହୋଇଯାଏ ସେହି ଗଛଟି ବାଇଢଙ୍କ /ବାଇଖୁଜେନ୍ । 

ଅଵଶ୍ୟ କିଛି ଲୋକ ବାଇଢଙ୍କ ଵା ବାଇଖୁଜେନରେ ଥିଵା ବାଇ ଶବ୍ଦ ସହିତ ସଂସ୍କୃତ ଵାନରୀ କିମ୍ବା ଅଵ୍ୟଙ୍ଗା ଶବ୍ଦର ସମୋଦ୍ଧୃତଗତ ସମ୍ପର୍କ ଥିଵା ଅନୁମାନ କରନ୍ତି କିନ୍ତୁ ଭାରତର ଅନ୍ୟ କୌଣସି ଅଞ୍ଚଳରେ ଏ ଉଭୟ ଶବ୍ଦରୁ ବାଇଢଙ୍କ କି ବାଇଖୁଜେନ୍ ଭଳି ଶବ୍ଦ ସୃଷ୍ଟି ନହୋଇଥିଵା ତଥା ଵାନରୀ ଓ ଅଵ୍ୟଙ୍ଗା ଶବ୍ଦର ପ୍ରାଚୀନ ଓଡ଼ିଆ ସାହିତ୍ୟରେ ପ୍ରୟୋଗ ନଥିଵା କି ଲୋକସମାଜରେ ମଧ୍ୟ ଏହାର ପ୍ରଚଳନ ନଥିଵା ଏହି ମତକୁ ପୃଷ୍ଟ କରିପାରେ ନାହିଁ । 

ଅଵଶ୍ୟ ଭାଷାକୋଷରେ କୁହାଯାଇଛି ଯେ ବାଇଢଙ୍କକୁ ଓଡ଼ିଶାର ପଶ୍ଚିମାଞ୍ଚଳରେ ଖୁଡ୍ସ ମଧ୍ୟ କୁହାଯାଉଥିଲା । 

ଢେଙ୍କାନାଳ ଭଳି କେତେକ ଅଞ୍ଚଳରେ ବାଇଢଙ୍କକୁ ବାଇଡଙ୍କ ବି କୁହାଯାଏ । ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଅନୁସାରେ ଆଗେ କେତେକ ଅଞ୍ଚଳରେ ବାଇଢଙ୍କକୁ ବାଇକ ବି କହୁଥିଲେ । ସେହିପରି କେତେକ ଅଞ୍ଚଳରେ ବାଇଢଙ୍କକୁ କେଵଳ ଢଙ୍କ କୁହାଯାଏ । 

ଦୀନକୃଷ୍ଣ ଦାସ ରସକଲ୍ଲୋଳରେ ବାଇଢଙ୍କ ଅର୍ଥରେ କଣ୍ଡୂର ଶବ୍ଦ ପ୍ରୟୋଗ କରିଛନ୍ତି 

“କଇଁ ଅଵିଚାରେ ଆପଣା ଦେହରେ କଣ୍ଡୂର ଆଣି ବୋଳିଲ ଗୋ !”

ଉଭୟ ବାଇଢଙ୍କ ଓ ବିଛୁଆତିକୁ କଣ୍ଡୂରା କୁହାଯାଏ ବୋଲି ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଉଲ୍ଲେଖ ଅଛି । 

କଵିସମ୍ରାଟ ଉପେନ୍ଦ୍ର ଭଞ୍ଜ ଵୈଦେହୀଶ ଵିଳାସରେ ମଧ୍ୟ କଣ୍ଡୂରା ଶବ୍ଦକୁ ବିଛୁଆତି ଅର୍ଥରେ ପ୍ରୟୋଗ କରିଛନ୍ତି । 

“ବିଦାରି ହୋଇବା ଗାତ୍ର,
 କରାଇ କଣ୍ଡୁରା ପତ୍ର ରଜପାତ ତଥା ରାବଣିଏ। ”

ସଂସ୍କୃତ ଭାଷାରେ ବାଇଢଙ୍କର 
କପିକଚ୍ଛୁ, ଆତ୍ମଗୁପ୍ତା, ଵୃଷ୍ୟା, ଅଵ୍ୟଙ୍ଗା, ଵାନରୀ, ମର୍କଟୀ, ଅଜରା, କଣ୍ଡୂରା, କୁଣ୍ଡଳୀ, ରୋମବଲ୍ଲୀ, ଜଟା, ଗାତ୍ରଭଙ୍ଗା, ଅବ୍ୟଙ୍ଗା, ଦୁଷ୍ପର୍ଶା, ଶୂକଵତୀ, ଶୋଥା, ଶୂକା, ପ୍ରାଵୃଷାୟଣୀ ,ଲାଙ୍ଗଳୀ, ଶୃକଶିମ୍ବୀ, କେଶୀ, ଜଡ଼ା, କଚ୍ଛୁରା ଓ ସ୍ୱୟଂଗୁପ୍ତା, ସଦ୍ୟଶୋଥା ଓ ଋଷଭ ଆଦି ନାମ ରହିଛି । 

ବାଇଢଙ୍କ ଶିମ୍ବ ଜାତୀୟ ଲତାର ପତ୍ର ପରି ଏହାର ଡେମ୍ଫକେ ତିନୋଟି ଲେଖାଏଁ ପତ୍ର ଥାଏ ଏଵଂ ଏହାର ଛୁଇଁ ବଙ୍କା ହୋଇଥାଏ । ବାଇଢଙ୍କ ଲତାର ଓ ଛୁଇଁର ଦେହଯାକ ଲୋମ ପରି ଛୋଟ ଛୋଟ ଵିଷାକ୍ତ କଣ୍ଟା ଥାଏ। ଖରାଦିନେ ପଵନ ସାହାଯ୍ୟରେ ଉକ୍ତ ଲୋମଗୁଡ଼ିକ ଉଡ଼ି ଆସି ମନୁଷ୍ୟ ଦେହରେ ବାଜିଲେ ଦେହ କୁଣ୍ଡାଇ ହୋଇ ଫୁଲି ଯାଏ ଏଵଂ ଵିଶେଷ ଯନ୍ତ୍ରଣା ହୁଏ। ଏହାର ମଞ୍ଜି ବଡ଼ ବଡ଼ ଓ ବାଇଗଣି ରଙ୍ଗ ଯୁକ୍ତ ହୋଇଥାଏ। ଵୈଦ୍ୟକ ମତରେ ଏହା ଶୁକ୍ର ଓ ରତିଶକ୍ତିବର୍ଦ୍ଧକ ଓ ଵାତଘ୍ନ। ପାଉଁଶିଆ, କଳା ଓ ଧଳା ଭେଦରେ ଏ ଗଛ ଅନେକ ପ୍ରକାରର ତେବେ ଧଳା ଜାତୀୟ ଏକ ପ୍ରକାରର ବାଇଢଙ୍କ ଲତିକାର ଛୁଇଁରେ ରୋମ ନ ଥାଏ । 

ବାଇଢଙ୍କ,ବାଇଡଙ୍କ ଵା ବାଇଖୁଜେନ୍ ଲତିକାର ଵୈଜ୍ଞାନିକ ନାମ ହେଉଛି Mucuna pruriens । ଏହା ଫ଼ାବାସୀ(Fabaceae) ଵା ଶିମ୍ବ ପରିଵାର’ର ଲତିକା । ଏହି ଲତିକାଟିର ପ୍ରଜାତିର ନାମ ଵୈଜ୍ଞାନିକ ଭାଷାରେ pruriens ଯାହାର ଅର୍ଥ କଣ୍ଡୁୟନ । ଏହି ଲତା କୁଣ୍ଡେଇ ହେଵା ପାଇଁ ଏତେ ଦୁର୍ନାମ ଅର୍ଜନ କରିଛି, ଯେ ଦୁଷ୍ଟ ପିଲେ ଉଛୁଳିଲେ ତାଙ୍କୁ ଓଡ଼ିଶାରେ ବାଇଢଙ୍କ ଵା ବାଇଡଙ୍କ ତଥା ଦୁଇଜଣ ଦୁଷ୍ଟ ପିଲା ମେଳି ହୋଇ ଦୁଷ୍ଟାମୀ କଲେ ସେମାନଙ୍କୁ ବାଇଢଙ୍କ ବିଛୁଆତି ଉପାଧି ମିଳେ । ତେବେ ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଆଉ ଏକ ଜାତୀୟ ନିର୍ମୂଳୀ ଜାତୀୟ ହଳଦୀ ଵର୍ଣ୍ଣ ପରଜୀଵୀ ପ୍ରତ୍ରହୀନ ଲତିକାକୁ ମଧ୍ୟ ବାଇଢଙ୍କ କୁହାଯାଏ ବୋଲି ଉଲ୍ଲେଖ ଅଛି । ସେହି ପରଜୀଵୀ ଲତିକାଟି କୌଣସି ପାଦପ ଉପରେ ନିର୍ଭର କରି ବଞ୍ଚି ରହେ ଏଵଂ ଏହାର ଚେର ନଥାଏ । ସେହି ପରଜୀଵୀ ଲତିକାକୁ କେତେକ ଅଞ୍ଚଳରେ ନିର୍ମୂଳୀ ମଧ୍ୟ କହିଥାନ୍ତି ଏଵଂ ତାହାର ଵୈଜ୍ଞାନିକ ନାମ Cuscuta reflexa ଅଟେ । ସମ୍ଭଵତଃ ଏହାର ଚେର ନଥିଵାରୁ ଏଵଂ ଏହାର ଢଙ୍କ ଲକ୍ଷଣାର୍ଥ ବାଇ ଵା ଵାୟୁରେ(ଅର୍ଥାତ୍ କୌଣସି ପାଦପ ଉପରେ ମାଡୁ଼ଥିଵାରୁ) ଏହାକୁ ମଧ୍ୟ ଓଡ଼ିଶାରେ ଆଗେ ବାଇଢଙ୍କ କହୁଥିଲେ । 

ବାଇଡଙ୍କ ଵା ବାଇଢଙ୍କ ଶବ୍ଦର ପ୍ରାଚୀନ ଓଡ଼ିଆ ସାହିତ୍ୟରେ ପ୍ରୟୋଗର କୌଣସି ତଥ୍ୟ ଏ ଅକିଞ୍ଚନକୁ ମିଳିପାରିନାହିଁ । ତେବେ ଲୋକ ସାହିତ୍ୟରେ ବାଇଡଙ୍କ ଵା ବାଇଢଙ୍କ ଶବ୍ଦର ଵ୍ୟଵହାର ସେତେଟା ଦୃଶ୍ୟ ହୋଇନଥାଏ । 

ତେବେ ରାଣ୍ଡିପୁଅ ଅନନ୍ତା ଗଳ୍ପରେ ଫକୀରମୋହନ ସେନାପତି ବାଇଡଙ୍କ ଶବ୍ଦ ପ୍ରୟୋଗ କରିଵା ସହିତ କେମିତି ଅନନ୍ତା ଦ୍ଵାରା ଅଵଧାନଙ୍କଠିଁ ବାଇଡଙ୍କ ଲଗାଯିଵା ଯୋଗୁଁ ଅବଧାନେ ଦୁର୍ଦ୍ଦଶା ଭୋଗୁଛନ୍ତି ଏଵଂ ଖସାତେଲ ମାଖିଵାରୁ ବାଇଢଙ୍କର କଣ୍ଡୂ ଛାଡୁ଼ଛି ସେକଥା ଵର୍ଣ୍ଣନା କରିଛନ୍ତି । 

“ଥଣ୍ଡା ପଡ଼ିଗଲା – ଖସା ତେଲରେ ବାଇଡଙ୍କ ଵିଷ ହରେ ! ଅବଧାନେ ଟିକିଏ ସାଷ୍ଟମ ହେଲେଣି।”

ଆମ ଓଡ଼ିଶାରେ ଦୁଷ୍ଟ ପିଲା ଵା ଵ୍ୟକ୍ତିକୁ ବାଇଡଙ୍କ/ବାଇଢଙ୍କ ଉପାଧିରେ ଭୁଷିତ କରାଯାଏ । ଦୁଇଜଣ ଦୁଷ୍ଟ ପିଲା ଵା ଵ୍ୟକ୍ତି ଘଡି଼ ହେଉଥିଲେ ଵା ସାଙ୍ଗ ହେଲେ ସେମାନଙ୍କୁ “ବାଇଢଙ୍କ ବିଛୁଆତି” କୁହାଯାଏ । 

ଚାରିଜଣ ଦୁଷ୍ଟ ଏକାଠି ହେଇ କୌଣସି ନକାରାତ୍ମକ କାର୍ଯ୍ୟରେ ଲିପ୍ତ ରହୁଥିଲେ ଓଡ଼ିଶାରେ ସେମାନଙ୍କୁ ଉପଲକ୍ଷ କରି କୁହାଯାଏ

“ଉଲୁପି,ସୁଲୁପି,ବାଇଡଙ୍କ, ବିଛୁଆତି।”



ପୁଣି ଓଡ଼ିଶାରେ ବିଛୂଆତିକୁ ବାଇଢଙ୍କର ନାତି ମଧ୍ୟ କୁହାଯାଏ । ଏହାକୁ ନେଇ ଏକ ଲୋକକଥା ଓ ତତ୍ ସମ୍ବନ୍ଧୀୟ ଗୋଟିଏ ଲୋକଵାଣୀ ରହିଛି । 

କଥିତ ଅଛି “ଗୋଟିଏ ଘରେ ତିନି ଭାଇ ଥିଲେ ଏଵଂ ସେମାନେ ଅତ୍ୟନ୍ତ ଦୁଷ୍ଟ ସ୍ୱଭାଵର ଥିଲେ। ତାଙ୍କ ପ୍ରତାପ ଯୋଗୁଁ ଗାଁ ଭିତରେ ସମସ୍ତେ ସେମାନଙ୍କୁ ଭଲ ପାଉ ନଥିଲେ। ଏମାନଙ୍କ ଢଙ୍ଗଢାଙ୍ଗ ଦେଖି ଗ୍ରାମର ଜଣେ ପଣ୍ଡିତ ଵ୍ୟକ୍ତି ଆକ୍ଷେପ କରି କହିଥିଲେ

“ବଡଟି ବଣ ବିଛୁଆତି,
ସାନଟି ବାଇଢଙ୍କ ନାତି । 
ମଝିଆଁ ବଣସାରୁ ପୁଆ,
ପଣ୍ଡିତେ କହିଗଲେ ଏହା ॥”


ଅର୍ଥାତ୍ ଏହି ବିଛୁଆତି ବାଇଡଙ୍କ ଓ ବଣସାରୁକୁ ସ୍ପର୍ଶ କଲେ ଯେମିତି କୁଣ୍ଡେଇ ହେଵା ସାର ସେହିପରି ଏହି ତିନି ଭାଇଙ୍କ ପରି ଦୁଷ୍ଟଙ୍କଠାରୁ ଦୂରେଇ ରହିଵା ଭଲ ବୋଲି ପଣ୍ଡିତେ ପରୋକ୍ଷରେ କହିଥିଲେ । 

କିନ୍ତୁ ଉଦ୍ଭିଦ ଵିଜ୍ଞାନ ଦୃଷ୍ଟିରୁ ଦେଖିଲେ ଏହି ତିନି ଜାତୀୟ ପାଦପର କୌଣସି ନିକଟ ସଗୋତ୍ରୀୟ ସମ୍ପର୍କ ନାହିଁ ଵରଂ ଗୁଣ ଦୃଷ୍ଟିରୁ ବିଛୁଆତିକୁ ବାଇଢଙ୍କର ନାତି ବୋଲି ଲୋକମାନେ କହିଥାନ୍ତି । 

ଆମ ସମାଜରେ ବାଇଢଙ୍କ ଲତିକାକୁ ନେଇ ଅନେକ ପ୍ରଵଚନ ଵା ଶିକ୍ଷଣୀୟ କଥା ମଧ୍ୟ ପ୍ରଚଳିତ । 

ବାଇଢଙ୍କ ଲତା’ର ଶୂକ ଦେହରେ ଲାଗିଲେ କୁଣ୍ଡେଇ ହୁଏ ସତ କିନ୍ତୁ ଏହାର ଵୀଜ ମନୁଷ୍ୟର ହିତକାରୀ । ପ୍ରତ୍ୟେକ ଜୀଵ ଓ ମନୁଷ୍ୟ ଆଵଶ୍ୟକ କେଵଳ ତାଠାରୁ କାମ ବାହାର କରି ଜାଣିଲେ ହେଲା ।

ବାଇଢଙ୍କ ଲତିକାର ସିମ୍ବ ଦେଖିଵାକୁ ରକ୍ତଵର୍ଣ୍ଣ ଓ ଆକର୍ଷକ । ଏହି ରଙ୍ଗ ଆମକୁ ଦୂରେଇ ରହିଵାକୁ ସୂଚନା ଦିଏ କିନ୍ତୁ ଆମେ ତାହାର ସୁନ୍ଦର ରୂପରେ ମୋହିତ ହୋଇ ଛୁଇଁ ଦେଲେ ହାତ କୁଣ୍ଡେଇ ହେଵା ସାର ହୁଏ । ଏଥିରୁ ଶିକ୍ଷା ମିଳେ ଯେ ସବୁ ସୁନ୍ଦର ଦରଵ ଉତ୍ତମ ନୁହେଁ । 

ବାଇଢଙ୍କ ଲତିକାର ଶୂକ ପଵନ ହେଲେ ଉଡି଼ ଉଡ଼ି ବହୁ ଦୂରକୁ ଚାଲିଯାଏ ଏଵଂ ଜୀଵଙ୍କ ଦେହରେ ସେ ଶୂକ ଲାଗିଲେ ଦେହହାତ କୁଣ୍ଡେଇ ହୁଏ । ବାଇଢଙ୍କ ଲତିକା ଭଳି ଦୁଷ୍ଟ ଲୋକଙ୍କର “ଶୂକ ରୂପ ଅନୁଚିତ୍ କଥାମାନ” ଅତି ଶ୍ରୀଘ୍ର ଓ ସହଜରେ ସଂସାରରେ ପ୍ରଚାରିତ ହୋଇଯାଏ ଏଵଂ ଅନେକ ମାନଵଙ୍କର କ୍ଷତି ଘଟାଇ ଥାଏ । 

ଏହିପରି ଓଡ଼ିଶାର ଲୋକସମାଜରେ ବାଇଢଙ୍କର ଗୋଟିଏ ସ୍ଵତନ୍ତ୍ର ସ୍ଥାନ ରହିଛି ଯାହା ପ୍ରୋକ୍ତ ଆଲୋଚନାରୁ ସ୍ପଷ୍ଟ ହୋଇଅଛି । 

No comments:

Post a Comment

Dancing Mania: ମଧ୍ୟଯୁଗୀୟ ୟୁରୋପର ରହସ୍ୟମୟ ମୃତ୍ୟୁ ନୃତ୍ୟ

ମଧ୍ୟଯୁଗୀୟ ଇଉରୋପରେ ପ୍ଲେଗ୍‌ ଵ୍ୟାପିଵା ସହିତ ଧର୍ମୀୟ ଉତ୍ତେଜନା ମନୁଷ୍ୟ ମନକୁ ଆତଙ୍କିତ କରୁଥିଲା ବେଳେ, ଏକ ଅଜଣା ଓ ରହସ୍ୟମୟ ଘଟଣା ସମାଜକୁ ଆହୁରି ଭୟଭୀତ କରିଥିଲା ...