Thursday, December 22, 2022

କୋରାପୁଟର କେଚଲା(କେଚେଲା)

କେଚେଲା ନାଆଁ ସହିତ ହୁଏତ ଓଡ଼ିଶାର ଅନେକ ଲୋକେ ପରିଚିତ ନଥିବେ ତେବେ ଏହା କୋରାପୁଟ ଜିଲ୍ଲାର ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଏକ ଐତିହାସିକ ସ୍ଥାନ । ପ୍ରକୃତରେ ଏହା ଏକ ଜନଜାତୀୟ ଗ୍ରାମର ନାମ । ତେବେ ପୂର୍ଵେ ଏଠାରେ ଏକ ପ୍ରାଚୀନ ଜୈନ ପୀଠ ଥିଲା ତେଣୁ ଏହା ଏବେ ଏକ ପର୍ଯ୍ୟଟନ ସ୍ଥଳୀରେ ପରିଣତ ହୋଇଛି। କୋରାପୁଟ ଟାଉନଥାନା ନିକଟରେ ଏକ ନଦୀ ପ୍ରଵାହିତ ହେଉଛି ଏଵଂ ଏହାର ନାମ କେଚଲା ନଦୀ ଅଟେ । 


କେଚେଲା ଵା କେଚଲା ଅଞ୍ଚଳର ପ୍ରଶାସନିକ ଫଳକାଦିରେ ନାମ କେଚଲା ଓ କେଚେଲା ଉଭୟ ଲେଖାଯାଉଅଛି ଫଳତଃ କେଚେଲା ଓ କେଚଲା କେଉଁ ନାମଟି ଠିକ୍ ତାକୁ ନେଇ ଦ୍ଵନ୍ଦ୍ଵ ଉପୁଜିଵା ଦେଖାଯାଏ ‌ । 


କୋରାପୁଟ ସହରଠାରୁ ଦକ୍ଷିଣ ଦିଗକୁ ୧୨ରୁ ୧୫କି.ମି. ଦୂରରେ କୋଲାବ ନଦୀ କୂଳରେ ଦେଓଡଙ୍ଗର ନାମକ ପାହାଡ଼ର ପାଦ ଦେଶରେ ଏହି କେଚଲା ଵା କେଚେଲା ନାମକ ସ୍ଥାନଟି ଅଵସ୍ଥିତ । ଏହି ସ୍ଥାନଟି ଖ୍ରୀଷ୍ଟୀୟ ଅଷ୍ଟମ ଶତାବ୍ଦୀରେ ୩୦ଫୁଟ ଉଚ୍ଚତାର ଏକ ଜୈନ ମନ୍ଦିର ପାଇଁ ପ୍ରସିଦ୍ଧଥିଲା । ତେବେ ଉକ୍ତ ମନ୍ଦିରଟି ଏବେ କୋଲାବ ଜଳ ଭଣ୍ଡାର ସୃଷ୍ଟି ହେଲାପରେ ସେହି ଜଳଭଣ୍ଡାର ଭିତରେ ମଗ୍ନ ହୋଇ ଯାଇଅଛି । ଉଲ୍ଲେଖଯୋଗ୍ୟ ଯେ କୋଲାବ ଜଳଭଣ୍ଡାର ଆଗକୁ ଜଲାପୁଟ ଜଳଭଣ୍ଡାର ଅଵସ୍ଥିତ ଏଵଂ ଜଳଭଣ୍ଡାର ମଧ୍ୟରେ ଓଡ଼ିଶ ଓ ଆନ୍ଧ୍ର ପ୍ରଦେଶର ସୀମା ନିର୍ଦ୍ଧାରଣ କରାଯାଇଛି । 


 କୋରାପୁଟ ଜିଲ୍ଲାର ପ୍ରଶାସନିକ ଜାଲସ୍ଥଳ ଅନୁସାରେ ଏଠାରେ ଥିବା ଏକତାମ୍ର ଫଳକରୁ ଜଣାଯାଏ ଯେ ୧୬୨୦ ଖ୍ରୀଷ୍ଟାବ୍ଦ ସେପ୍ତେମ୍ବର ୨୪ ତାରିଖରେ(ଉଇକିପିଡ଼ିଆ ଅନୁସାରେ ୧୬୨୮ ମସିହା) ପଡିଥିଵା ସୂର୍ଯ୍ୟପରାଗ ସମୟରେ ଜୟପୁର ମହାରାଜା ଶ୍ରୀ ରଘୁନାଥ କୃଷ୍ଣଦେଵ ଏହି କେଚଲା/କେଚେଲା ଗ୍ରାମଟିକୁ ନରସିଂହ ମିଶ୍ର ନାମକ ଏକ ବ୍ରାହ୍ମଣକୁ ଦାନ କରିଥିଲେ । 


କେଚଲା/କେଚେଲା ନିକଟରେ ଅଵସ୍ଥିତ ଉକ୍ତ ପ୍ରାଚୀନ ଜୈନ ମନ୍ଦିରଟି ଜଳମଗ୍ନ ହେଵା ପୂର୍ଵରୁ ସ୍ଥାନୀୟ ବୁଡ଼ି ଅଞ୍ଚଳର ଲୋକମାନେ ସେଠାରେ ସ୍ଥିତ ସମସ୍ତ ପୁରାତନ ମୂର୍ତ୍ତି ଗୁଡ଼ିକୁ ଉଦ୍ଧାର କରିନେଇ ଆଣି ନିଜେ ନୂଆକରି ଵସଵାସ କରୁଥିଵା କେଚଲା ନାମକ ଗ୍ରାମ ନିକଟରେ ଥିଵା ଏକ ସୁଉଚ୍ଚ ପାହାଡ଼ରେ ସ୍ଥାପନ କରିଛନ୍ତି । ଏସବୁ ମୂର୍ତ୍ତିକୁ ଭୈରଵ ଦେଵତା ନାମରେ ନାମିତ କରି , ପୂଜା ଅର୍ଚ୍ଚନା କରୁଛନ୍ତି । 

ଉକ୍ତ ପ୍ରାଚୀନ ଜୈନ ମନ୍ଦିରରୁ ସଂଗୃହୀତ ଓ ଜାନୀଗୁଡ଼ା ପାହାଡ଼ରେ ସ୍ଥାପିତ ୫ଟି ମୂର୍ତ୍ତି ମଧ୍ୟରୁ ତିନୋଟି ମୂର୍ତ୍ତି ଜୈନ ତୀର୍ଥଙ୍କର ମାନଙ୍କର ଥିଵା ଜଣାପଡ଼ିଛି । ସଂଗୃହିତ ମୂର୍ତ୍ତିମାନଙ୍କ ଭିତରୁ ଋଷଭନାଥ, ଶାନ୍ତିନାଥ, ମହାବୀର, ଅଜିତନାଥ, ଦେଵୀ ଅମ୍ବିକା ଓ ଗୋମେଦଙ୍କର ମୂର୍ତ୍ତି ପ୍ରମୁଖ ଅଟେ ।


 ଅମ୍ବିକା ଦେଵୀଙ୍କର ମୂର୍ତ୍ତିରେ ଆମେ ଦେଖିଵାକୁ ପାଆନ୍ତି ଯେ ଏ ଦେଵୀ ତାଙ୍କ କାଖରେ ଏ ଛୋଟ ପିଲା ଧରିଛନ୍ତି । ଦେଵୀ ଅମ୍ବିକା ଜୈନମାନଙ୍କର ଶାସନ ଦେଵୀ ରୂପେ ପରିଚିତ । ପୁଣି ଯକ୍ଷ ଓ ଯକ୍ଷିଣୀଙ୍କର ଯୁଗ୍ମ ମୂର୍ତ୍ତି ମଧ୍ୟ ଦେଖିଵାକୁ ମିଳେ । ସେହିପରି କେଚଲା/କେଚେଲା ଗ୍ରାମଦେଵୀ ପୀଠରେ ମଧ୍ୟ ୨ଟି ଜୈନମୂର୍ତ୍ତି ରହିଛି । 


ସମୟକ୍ରମେ ଅଷ୍ଟମ ଶତାବ୍ଦୀର ଏଇ ଜୈନ ମୂର୍ତ୍ତିଗୁଡ଼ିକ ଦର୍ଶକମାନଙ୍କର ଦୃଷ୍ଟିକୁ ଆସିଛି ଓ କେଚଲା/କେଚେଲା ଗ୍ରାମଟି ପାଲଟି ଯାଇଛି ଏକ ଦର୍ଶନୀୟ ସ୍ଥାନ ।

ଏତଦଵ୍ୟତୀତ କୋଲାବ୍ ଜଳଭଣ୍ଡାର ମଧ୍ୟରେ କେଚଲା/କେଚେଲା ଗ୍ରାମର ଅନତି ଦୂରରେ କେଚଲା ନାମକ ଏକ ପର୍ଯ୍ୟଟନ କେନ୍ଦ୍ର ମଧ୍ୟ ରହିଛି । ଚାରିପଟେ ଜଳଭାଗ ମଝିରେ ଏକ ସୁନ୍ଦର ଟାପୁ , ଅଦୂରରେ ଶ୍ୟାମଳ ପର୍ଵତର ମନମୁଗ୍ଧକାରୀ ଦୃଶ୍ୟ , ଦର୍ଶକମାନଙ୍କୁ ଏଠାକୁ ଟାଣି ଆଣିଥାଏ । ଵର୍ଷର ଵିଭିନ୍ନ ସମୟରେ ଦର୍ଶକମାନେ ଏଠାକୁ ଅଵସର ଵିନୋଦନ ପାଇଁ ଆସିଥାନ୍ତି।


କେଚଲା/କେଚେଲା ଗ୍ରାମ ନିକଟରେ କାନସ ପାବିଲି ନାମକ ଛୋଟ ପାହାଡ଼ିଆ ଜଳ ଭଣ୍ଡାର ମଧ୍ୟ ରହିଛି। ଏଠାରେ ପର୍ଯ୍ୟଟକମାନଙ୍କ ପାଇଁ ଏକ ଦର୍ଶନ ମଞ୍ଚ ନିର୍ମାଣ କରାଯାଇଛି।

କେଚଲା/କେଚେଲାକୁ ଯିଵା ଆସିଵା କରିଵାପାଇଁ କୋରାପୁଟଠାରୁ ଯାନଵାହନର ସୁବିଧା ରହିଛି ତେବେ କୋରାପୁଟ ନଗରଠାରୁ କେଚଲାକୁ ସିଧାସଳଖ ସଡ଼କପଥର ସୁଵିଧା ନାହିଁ । କୋଲାବ ନଦୀର ଦକ୍ଷିଣ ପାର୍ଶ୍ୱରେ କୋରାପୁଟ ଠାରୁ ଭାୟା ପଣ୍ଡିଘାଟ ଦେଇ କେଚଲାକୁ ବୋଟ୍ ଵା ଡଙ୍ଗା ଯୋଗେ ଯିଵାକୁ ହୋଇଥାଏ । କାରଣ କୋରାପୁଟ ନଗର ଓ କେଚଲା ମଝିରେ କୋଲାବ୍ ଜଳଭଣ୍ଡାର ଅଵସ୍ଥିତ ‌। କୋରାପୁଟ ନଗର ଆଡ଼ୁ କେଚଲା ଆସିଵାକୁ ହେଲେ ଚମ୍ପାଗୁଡ଼ା ପାଟ କିମ୍ବା ପରଜାପଣ୍ଡିଠାରୁ ମୋଟର ଲଞ୍ଚ ଅଥଵା ପାଣି ଡଙ୍ଗା ମାଧ୍ୟମରେ ପ୍ରାୟ ୮ କିଲୋମିଟର ଜଳଯାତ୍ରା କରିଵାକୁ ହୋଇଥାଏ । ସେହିପରି କେଚଲାକୁ ନନ୍ଦପୁର ଦେଇ ଏଠାକୁ ଗଲେ ପ୍ରାୟ ୭୧ କିମି ହେଵ ।


କୋରାପୁଟ ଜିଲ୍ଲା ଓଡ଼ିଶାର ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଏକ ସୁନ୍ଦର ଜିଲ୍ଲା ତଥାପି ଗମନାଗମନର ଵିକାଶ ତଥା ପର୍ଯ୍ୟଟନ କ୍ଷେତ୍ର ଭାବରେ ଯେତିକି ସୁଵିଧା ସୁଯୋଗ ମିଳିଵା କଥା କେତେକ ଅଵ୍ଯଵସ୍ଥା ପରିଲକ୍ଷିତ ହେଇଥାଏ । ସେହିପରି ଦୂରଦର୍ଶନ ତଥା ସମ୍ବାଦପତ୍ର ଆଦିରେ କୋରାପୁଟ ଵିଷୟରେ ଅଧିକରୁ ଅଧିକ ତଥ୍ୟ ପ୍ରଦତ୍ତ କରାଗଲେ କେଚଲା ଭଳି ପର୍ଯ୍ୟଟନସ୍ଥଳୀ ସହିତ ଓଡ଼ିଶାର ଅନ୍ୟାନ୍ୟ ଅଞ୍ଚଳର ଲୋକମାନେ ସହଜରେ ପରିଚିତ ହୋଇପାରନ୍ତେ । ସ୍ଥାନୀୟ ବୁଦ୍ଧିଜୀଵୀ,ଓ ସରକାରଙ୍କ ମିଳିତ ପ୍ରଚେଷ୍ଟା ଦ୍ଵାରା ହିଁ କେଚଲା/କେଚେଲା ଭଳି ଓଡ଼ିଶାର ସହସ୍ର ସହସ୍ର ପର୍ଯ୍ୟଟନ ସ୍ଥଳୀ ଲୋକପ୍ରିୟ ହୋଇପାରନ୍ତା । 

(•ତଥ୍ୟ ଉତ୍ସ — ଦେଶିଆ ଜ୍ଞାନକୋଷ ଓ ଅନ୍ତର୍ଜାଲ
ଚିତ୍ର ଉତ୍ସ — ଗୁଗଲ ମାନଚିତ୍ର•)

No comments:

Post a Comment

Dancing Mania: ମଧ୍ୟଯୁଗୀୟ ୟୁରୋପର ରହସ୍ୟମୟ ମୃତ୍ୟୁ ନୃତ୍ୟ

ମଧ୍ୟଯୁଗୀୟ ଇଉରୋପରେ ପ୍ଲେଗ୍‌ ଵ୍ୟାପିଵା ସହିତ ଧର୍ମୀୟ ଉତ୍ତେଜନା ମନୁଷ୍ୟ ମନକୁ ଆତଙ୍କିତ କରୁଥିଲା ବେଳେ, ଏକ ଅଜଣା ଓ ରହସ୍ୟମୟ ଘଟଣା ସମାଜକୁ ଆହୁରି ଭୟଭୀତ କରିଥିଲା ...