Friday, November 18, 2022

ଜାପାନୀ କୋଦାମାଠାରୁ ଓଡ଼ିଆ କୋଦମା ଯାଏଁ (ଶବ୍ଦଯାତ୍ରା)

କାଲି Studio ghibli ଦ୍ଵାରା ନିର୍ମିତ ଜାପାନୀ ଚଳଚ୍ଚିତ୍ର Princess Mononoke(ଜାପାନୀ—もののけ姫)କୁ ଆଉଥରେ ଦେଖୁଥିଲି । ଏହି ଚଳଚ୍ଚିତ୍ରରେ ଜାପାନର ଜଣାଶୁଣା tree spirit ଵା ଗଛୁଆ ଭୂତ こだま(କୋଦାମା)କୁ ଚିତ୍ରିତ କରାଯାଇଛି (ଚିତ୍ର—୧)। 


ଜାପାନର ଭିନ୍ନ ଭିନ୍ନ ଚଳଚ୍ଚିତ୍ର,ତୈଳଚିତ୍ର ଓ ନାଟକାଦିରେ କୋଦାମାକୁ ଵିଭିନ୍ନ ରୂପେ ଚିତ୍ରିତ କରାଯାଇଛି ତେବେ Princess Mononoke ଚଳଚ୍ଚିତ୍ରରେ ଦର୍ଶିତ କୋଦାମାର ଚିତ୍ରଣ ଜାପାନରେ ଅଧିକ ଲୋକପ୍ରିୟ ହୋଇଅଛି(ଚିତ୍ର-୧) ।

 ଜାପାନୀ କୋଦାମା ଶବ୍ଦଟି 木こ (ko, “ଗଛ”) ଓ 霊たま (tama, “ଆତ୍ମା”) ଏହିପରି ଦୁଇଗୋଟି ଶବ୍ଦ ଯୁକ୍ତ ହୋଇ ସୃଷ୍ଟ । ଜାପାନୀ ଲୋକକଥା ଅନୁଯାୟୀ କୋଦାମାମାନେ ଗଛରେ ଵାସ କରନ୍ତି ଏଵଂ ଯେଉଁ ଗଛରେ କୋଦମା ଵାସକରନ୍ତି ବୋଲି ଵିଶ୍ଵାସ କରାଯାଏ ସେ ଗଛକୁ ମଧ୍ୟ କୋଦାମା କୁହାଯାଏ । ଓଡ଼ିଶାରେ ମଧ୍ୟ କେତେକ ନିର୍ଦ୍ଦିଷ୍ଟ ଵୃକ୍ଷ ମଧ୍ୟରେ ବାବନାଭୂତ, ବ୍ରହ୍ମରାକ୍ଷସ,ଯକ୍ଷ,ପିଶାଚ,ପ୍ରେତ ଓ ଓଥରା ଆଦି ଵାସ କରିଵାର ଲୋକଵିଶ୍ଵାସ ପ୍ରଚଳିତ । 

ଜାପାନରେ ପର୍ଵତ ଦେଵତାଙ୍କୁ "yamabiko" କୁହାଯାଏ ଏଵଂ ଏହାଙ୍କର ଶ୍ଵାନ ଓ ମର୍କଟ ମିଶ୍ରିତ ରୂପ କଳ୍ପିତ ହୋଇଛି । ପ୍ରକୃତରେ ପର୍ଵତ ଓ ଉପତ୍ୟକାଦିରେ ସୃଷ୍ଟି ହେଉଥିଵା ଏକ Natural phenomenon ଵା ପ୍ରାକୃତିକ ଘଟଣାକୁ ଜାପାନୀମାନେ yamabiko କୁହନ୍ତି ଏଵଂ ସେମାନେ ଵିଶ୍ଵାସ କରନ୍ତି ଯେ ଏହି ପ୍ରାକୃତିକ ଶବ୍ଦ ପର୍ଵତଦେଵ yamabiko କିମ୍ବା ମତାନ୍ତରେ ଵୃକ୍ଷଦେଵ କୋଦାମା କରୁଅଛନ୍ତି । ପର୍ଵତ ଓ ଉପତ୍ୟକାଗୁଡ଼ିକରେ ପଵନ ବହିଵା ଯୋଗୁଁ ଯେଉଁ ସାଇଁ ସାଇଁ ଶବ୍ଦ ହୁଏ ତାକୁ ଜାପାନରେ କେହି କେହି yamabiko ତ ଆଉ କେତେକ ଲୋକେ କୋଦାମା ଅଭିହିତ କରନ୍ତି । 

ଜାପାନରେ ଲୋକଵିଶ୍ଵାସ ପ୍ରଚଳିତ ଯେ କୋଦାମାମାନେ କେତେକ ନିର୍ଦ୍ଦିଷ୍ଟ ଗଛରେ ହିଁ ଵାସ କରନ୍ତି ଏଵଂ ଵିଶେଷତଃ ପର୍ଵତାଦିର ଵିଶାଳ ଵୃକ୍ଷକୁ ରକ୍ଷା କରି ତହିଁରେ ଏଣେ ତେଣେ ଵିଚରଣ କରିଥାନ୍ତି ‌ । କୁହାଯାଏ ଯେଉଁ ଗଛରେ କୋଦାମା ରୁହନ୍ତି ସେ ଗଛକୁ କାଟିଲେ ରକ୍ତ ଝରେ ଏଵଂ ଯିଏ ସେ ଗଛ କାଟେ ସେ ଵ୍ୟକ୍ତି ଅଭିଶପ୍ତ ହୋଇଯାଏ । ଜାପାନୀମାନେ ଆଧୁନିକ ଯୁଗରେ ଏତେ ଵୈଷୟିକ ଅଗ୍ରଗତି ତଥା ଵାସ୍ତୁଵାଦୀ ଵିକାଶ ପରେ ମଧ୍ୟ ନିଜ ପୂର୍ଵଜଙ୍କର ଏହି ଲୋକଵିଶ୍ଵାସକୁ ବଞ୍ଚାଇ ରଖିଛନ୍ତି । ଏଠାରେ ଵାର୍ଷିକ କିଦାମୀ ସାମା ଉତ୍ସଵ ଏହି ଵୃକ୍ଷ ଦେଵତା କୋଦାମାଙ୍କୁ ଆରାଧନା ହେତୁ ଆୟୋଜିତ ହୋଇଥାଏ । ସେହିପରି ଆଜି ବି କୋଦାମା ରହୁଥିଵା ଗଛ ବୋଲି ଵିଶ୍ଵାସ କରାଯାଉଥିଵା ଗଛକୁ କାଟିଵାକୁ ଜାପାନରେ ବାରଣ କରାଯାଏ ଏଵଂ ସେ ଗଛର ସୁରକ୍ଷା ପାଇଁ ସେହି ଗଛରେ shimenawa ଦଉଡ଼ି ବନ୍ଧା ହୁଏ । ଜାପାନରେ କୋଦାମା ବହୁତ ଜଣାଶୁଣା ତେଣୁ ଜାପାନର ଏକ ସାଙ୍ଗିଆ ମଧ୍ୟ କୋଦାମା ଅଟଇ । ବୋଧହୁଏ କେତେକ ନିର୍ଦ୍ଦିଷ୍ଟ ଜାତିର ଗଛକୁ ରକ୍ଷା କରିଵା ପାଇଁ ପ୍ରାଚୀନ ଜାପାନରେ ଏଭଳି ଲୋକପରମ୍ପରା ପ୍ରଚଳିତ ଥିଲା । ଜାପାନ ଭଳି ଭୂମିକମ୍ପ ପ୍ରଵଣ ଅଞ୍ଚଳରେ ସବୁବେଳେ ଦୈଵୀ ଦୁର୍ଵିପାକ ଵା ପ୍ରାକୃତିକ ଵିପର୍ଯ୍ୟୟ ଲାଗିରହୁଥିଵାରୁ ଏଭଳି ଲୋକଵିଶ୍ଵାସ ପ୍ରଚଳିତ ହେଵା ଅସମ୍ଭଵ ବି ନୁହେଁ । 

ତେବେ ଜାପାନରେ ପ୍ରଚଳିତ ଏହି କୋଦାମା ଶବ୍ଦ ଶୁଣିଲେ କାହିଁକି କେଜାଣି ତାହା ଭାରତୀୟ ଶବ୍ଦ ଵିଶେଷତଃ ଓଡ଼ିଆ ଭାଷାର ଶବ୍ଦ ଭଳି ହୃଦବୋଧ ହୋଇଥାଏ । ହିନ୍ଦୀ,ମରାଠୀ, ନେପାଳୀ ଆଦି ଭାଷାରେ ଅଵଶ୍ୟ କୋଦାମା ବୋଲି କୌଣସି ଶବ୍ଦ ଥିଵା ଜଣାଯାଏ ନାହିଁ ‌। 

କିନ୍ତୁ ଓଡ଼ିଆ ତଥା ତେଲୁଗୁ ଭାଷାରେ କୋଦାମା ସହିତ ସାମଞ୍ଜସ୍ୟ ଥିଵା ଦୁଇଗୋଟି ଶବ୍ଦ ରହିଛି କୋଦମ ଓ କୋଦମା । 

ତେଲୁଗୁ ଭାଷାରେ కొదమ(କୋଦମ) ଶବ୍ଦର ଅର୍ଥ ଯୁଵା, ପଶୁ ଛୁଆ । ସେହିପରି ଯୁଵା ସିଂହକୁ ତେଲୁଗୁ ଭାଷାରେ కొదమసింగము(କୋଦମସିଂଗମୁ) କୁହାଯାଏ । 

ହେଲେ ଓଡ଼ିଆ ଭାଷାରେ କୋଦମା ଶବ୍ଦର ମୁଖ୍ୟତଃ ତିନୋଟି ଅର୍ଥରେ ଵ୍ୟଵହାର ରହିଛି । କଥିତ ଓଡ଼ିଆ ଶବ୍ଦକୋଷ ଅନୁସାରେ କୋଦମା 
ଶବ୍ଦର ଅର୍ଥ ଘାଣ୍ଟ ତିଅଣ,ସ୍ଥୂଳକାୟ ଓ ମୋଟାସୋଟା ତଥା ଏହି ଶବ୍ଦଟି ମୋଟା ଅର୍ଥରେ ଯାଜପୁର ଜିଲ୍ଲାରେ କଥିତ ହୋଇଥାଏ । 

ପୂର୍ଣ୍ଣଚନ୍ଦ୍ର ଭାଷାକୋଷର ୧୭୯୫ତମ ପୃଷ୍ଠାରେ କୋଦମା ଓ କୋଦମୀ ଶବ୍ଦ ଅଛି ‌।ଭାଷାକୋଷରେ କୋଦା ଶବ୍ଦର ଅର୍ଥ ମୋଟା ଓ କୋଦୁଅ ଧାନ ଲେଖା ହୋଇଥିଵା ବେଳେ କୋଦମା ଶବ୍ଦର ଅର୍ଥ ଲେଖାଅଛି ସ୍ଥୂଳକାୟ,ମୋଟା,ପେଟୁଆ ଓ ଥାକୁଲା । 

ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଅନୁମାନ କରାଯାଇଛି ଯେ କୋଦମା ଶବ୍ଦଟି କୋଦାଳ ଵା କୁଦ୍ଦାଳ ସହିତ ସମୋଦ୍ଧୃତ ହୋଇଥାଇପାରେ କାରଣ ମୋଟା ଲୋକେ କୋଡ଼ି ପରି ଚଉଡ଼ା ହୋଇଥାନ୍ତି ‌ । 

ତେବେ ଏତଦଵ୍ୟତୀତ ଆହୁରି ଦୁଇଟି ସମ୍ଭାଵିତ ନିରୁକ୍ତିମତ ଦିଆଯାଇପାରେ । 

କ)କୋଦା/କୁଦା
ଢେଙ୍କାନାଳ ଜିଲ୍ଲାରେ ହନୁମାଙ୍କଡ଼ଙ୍କ ମୁଖ୍ୟ ବଡ଼ ହନୁକୁ କୋଦା ଵା କୁଦା କୁହାଯାଏ । କେଉଁଠି କେଉଁଠି ହନୁମାଙ୍କଡ଼ଙ୍କ ମୁଖିଆ ହନୁକୁ ଗୋଦା ମଧ୍ୟ କୁହନ୍ତି । ଏହି ମୁଖିଆ ହନୁମାଙ୍କଡ଼ଟି ହୃଷ୍ଟପୁଷ୍ଟ ଓ ମୋଟା ହୋଇଥାଏ । ସମ୍ଭଵତଃ ଏହି ମୁଖିଆ ହନୁମାଙ୍କଡ଼ ରାଗିଲେ ଵା ଡରିଲେ ବହୁତ କୁଦାକୁଦି ଵା ଡିଆଁଡେଇଁ କରେ ବୋଲି ଏହାକୁ କୋଦା ଵା କୁଦା ନାମ ଦିଆଯାଇଛି । ତେବେ କୋଦା ହନୁ ସହିତ ତୁଳନା କରି କୋଦା ହନୁମାଙ୍କଡ଼ ପରି ମୋଟା ଲୋକକୁ କୋଦମା କୁହାଯାଇଥାଇପାରେ ‌। 


ଖ)କୋଦ/କୋଦା/କୋଦୁଅ/କୁଦୁଅ
Paspalum scrobiculatum
ଵା କୋଦୁଅ ଏକ ଖାଦ୍ୟଶସ୍ୟ ଏଵଂ ଓଡ଼ିଶାରେ ଏହି ଖାଦ୍ୟଶସ୍ୟ ଚାଷ ମଧ୍ୟ ହୋଇଥାଏ(ଚିତ୍ର—୩) । ଏହାକୁ ଓଡ଼ିଶାର ଭିନ୍ନ ଭିନ୍ନ ଅଞ୍ଚଳରେ କୋଦ,କୋଦା,କୁଦୁଅ,କୋଦୁଅ ଆଦି ନାମରେ ଜଣାଯାଏ ‌ । ଧାନର ଶସ୍ୟ ଅପେକ୍ଷା କୋଦୁଅର ଶସ୍ୟ ଦେଖିଵାକୁ ମୋଟା ହୋଇଥାଏ । ବୋଧହୁଏ ସେଥିପାଇଁ କୋଦୁଅ ଆଧାରରେ ମୋଟା ଲୋକଙ୍କୁ କୋଦା ଓ କୋଦମା ନାମକରଣ କରାଯାଇଛି । 

ରାୟଗଡ଼ା ଜିଲ୍ଲାର ଗୁଡ଼ାରୀ ବ୍ଲକରେ କୋଦମା ବୋଲି ଏକ ପଞ୍ଚାୟତ ଅଛି ସେହିପରି ଓଡ଼ିଶାରେ କ୍ଷତ୍ରିୟମାନଙ୍କର କୋଦମାସିଂହ ସାଙ୍ଗିଆ ବି ରହିଛି(ଚିତ୍ର —୩) । 


ଓଡ଼ିଆ ଭାଷାରେ ମୋଟା ଅର୍ଥରେ ପ୍ରଚଳିତ କୋଦମା ଶବ୍ଦଟି ସହିତ ତେଲୁଗୁ కొదమ(କୋଦମ) ଶବ୍ଦର ଅର୍ଥଗତ ସାମ୍ୟ ନାହିଁ । କାରଣ ତେଲୁଗୁ ଭାଷାରେ ଛୋଟ ପଶୁଶାଵକ ଓ ତଥା ଯୁଵା ଅର୍ଥରେ କୋଦମ ଶବ୍ଦ ପ୍ରୟୋଗ ହେଲାବେଳେ ଓଡ଼ିଆ ଭାଷାରେ କୋଦା ଶବ୍ଦଟି 
କୁଦାହନୁ ଵା ମୁଖିଆ ହନୁ,କୋଦୁଅ ଓ ମୋଟା ତଥା କୋଦମା ଶବ୍ଦ ଘାଣ୍ଟତିଅଣ,ମୋଟା,ସ୍ଥୂଳକାୟ ଅର୍ଥରେ ପ୍ରୟୋଗ ହେଉଅଛି । 

ତେବେ ଓଡ଼ିଶାରେ ପ୍ରଚଳିତ କ୍ଷତ୍ରିୟମାନଙ୍କର କୋଦମାସିଂହ ସାଙ୍ଗିଆ ସହିତ ତେଲୁଗୁ ଭାଷାରେ ପ୍ରଚଳିତ ଯୁଵାସିଂହ ଅର୍ଥଜ కొదమసింగము(କୋଦମସିଂଗମୁ)ର ସମୋଦ୍ଧୃତଗତ ସମ୍ପର୍କ ଥିଵା ସମ୍ଭଵ । ଏହା ମଧ୍ୟ ହୋଇପାରେ ଯେ ଓଡ଼ିଆ କୋଦମା ଶବ୍ଦଟି ମୋଟା ଆକାର ଅର୍ଥରେ ଵ୍ୟଵହାର ହୋଇଥାଏ ବୋଲି କୋଦମାସିଂହ ସାଙ୍ଗିଆ ମଧ୍ୟରେ କୋଦମା ଶବ୍ଦକୁ ଵିଶାଳ , ବଡ଼ ଅର୍ଥରେ ଵ୍ୟଵହାର କରି କୋଦମାସିଂହ ସାଙ୍ଗିଆ ସୃଷ୍ଟି ହୋଇଛି । 

ସେ ଯାହା ହେଉ ଓଡ଼ିଶାରେ କୋଦମା ଶବ୍ଦ ଅଛି କିନ୍ତୁ କୋଦାମା ବୋଲି କୌଣସି ଶବ୍ଦ ପ୍ରଚଳିତ ଥିଵା ଜଣାଯାଏ ନାହିଁ ‌ । ଆପଣଙ୍କ ଅଞ୍ଚଳରେ କୋଦାମା ବୋଲି କୌଣସି ଶବ୍ଦ ଚଳୁଥିଲେ ଜଣାଇଵାକୁ ଅନୁରୋଧ ।

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...