Tuesday, March 15, 2022

ଆମ ବିଚ୍ଛିନ୍ନାଞ୍ଚଳର କଥା

ଖଡ଼ିଆଳ ରାଜା ଵୀର ଵିକ୍ରମ ସିଂହ ଓଡ଼ିଆ,ଓଡ଼ିଶାର ପରାଧୀନତା ଦେଖି ଏକଦା ଲେଖିଥିଲେ...

"ସହିଵ କେ ଦେଖି ଏ ଉତ୍କଳ,
ଅଙ୍ଗ ପ୍ରତ୍ଯଙ୍ଗ ଵିଭଙ୍ଗ ହୋଇଗଲାଣି ଉତ୍ସଙ୍ଗ,

ଜାଣେ ନାହିଁ ପ୍ରବୋଧି କହିଵାକୁ ଗୀର ॥

ହିନ୍ଦୀ ତେଲେଙ୍ଗା ବଙ୍ଗାଳି-ମହାରାଷ୍ଟ୍ର ଆଦି ମିଳି ବାଣ୍ଟିନେଲେ ସର୍ଵେ ଯେଝା ପ୍ରକାର ॥

ଉତ୍କଳ ଯେତେ ସନ୍ତାନ ହେଉଛନ୍ତି ହୀନିମାନ,
ଉତ୍କଳ ଦୁର୍ଦ୍ଦଶା କେବେ ହେଵ ଅନ୍ତର ॥”

୧୯୩୬ ଅପ୍ରେଲ ୧ତାରିଖଠାରୁ ଓଡ଼ିଶାକୁ ସ୍ବତନ୍ତ୍ର ପ୍ରଦେଶର ମର୍ଯ୍ୟାଦା ପ୍ରଦାନ କଲେ ତତ୍କାଳୀନ ଇଂରେଜ ସରକାର । ତତ୍କାଳୀନ ଓଡ଼ିଶା ରାଜ୍ୟ ଭାରତର ପ୍ରଥମ ଭାଷାଭିତ୍ତିକ ପ୍ରଦେଶ ହୋଇଥିଲେ ହେଁ ସେ ସମୟରେ ସମସ୍ତ ଓଡ଼ିଆ ଭାଷାଭାଷୀ ଅଞ୍ଚଳ ଏହି ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶରେ ମିଶିପାରି ନଥିଲା ।

ଉତ୍ତରରେ...
ମେଦିନୀପୁର, ସିଂହଭୂମି, ଧଳଭୂମି, ଚାଇଁବସା, ଛୋଟନାଗପୁର ଓ ଚକ୍ରଧରପୁର ଆଦି

ପଶ୍ଚିମରେ...
ବସ୍ତର, ରାୟପୁର, ଅମ୍ବିକାପୁର, ସୁରୁଗୁଜା, ଶ୍ରୀପୁର ଓ ସରିୟା ପ୍ରଭୃତି

ଦକ୍ଷିଣରେ...
ଶ୍ରୀକାକୁଲମ୍,ମଞ୍ଜୁଷା, ଟିକାଲି, ଜଳନ୍ତର ଇତ୍ୟାଦି ଓଡ଼ିଆ ଅଞ୍ଚଳ ସେତେବେଳେ ଓଡ଼ିଶା ସହିତ ମିଶିପାରି ନଥିଲା ।

ଏ ଖଣ୍ଡିତ ଓଡ଼ିଶା ଦେଖିଵାକୁ ସେତେବେଳେ ଉତ୍କଳମଣି ଗୋପବନ୍ଧୁ ଦାସ ,ଉତ୍କଳଗୌରଵ ମଧୁସୂଦନ ଦାସଙ୍କ ସମେତ ଅନେକ ଉତ୍କଳ ପ୍ରାଣ ନେତା ଜୀଵିତ ନଥିଲେ ।

ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ୧୯୩୬ ମସିହାରେ ଗଠନ ହୋଇଥିଲେ ହେଁ ଓଡ଼ିଶାବାସୀଙ୍କର ଅଖଣ୍ଡ ଓଡ଼ିଶା ଗଠନର ସ୍ଵପ୍ନ କେବେ ସାକାର ହୋଇପାରିଲା ନାହିଁ

ଭାରତ ଦେଶ ସ୍ବାଧୀନ ହେଲାପାରେ ବିହାରୀ ନେତାଙ୍କ ଚକ୍ରାନ୍ତ ଏଵଂ ଓଡ଼ିଶାର ନେତାମାନଙ୍କ ମୂର୍ଖାମୀ ଯୋଗୁଁ ଓଡ଼ିଆ ଅଞ୍ଚଳ ହୋଇ ମଧ୍ୟ ଷଡୈକଳା ଓ ଖରସୁଆଁ ଓଡ଼ିଶାରୁ ବିଚ୍ଛିନ୍ନ ହୋଇଗଲା ।

ଷଡୈକଳାର ଶେଷ ରାଜା ଆଦିତ୍ୟ ପ୍ରତାପ ଦେଵ ନିଜ ରାଜ୍ୟକୁ ଓଡ଼ିଶାରେ ମିଶାଇଵାକୁ ଚୁକ୍ତି କରିଥିଲେ ହେଁ ତାଙ୍କର ସେ ଚୁକ୍ତିପତ୍ରର ସର୍ତ୍ତକୁ ଅଗ୍ରାହ୍ୟ କରିଦିଆଯାଇ ଲକ୍ଷ ଲକ୍ଷ ଷଡୈକଳା ଖରସୁଆଁଵାସୀଙ୍କ ସହ ଅନ୍ୟାୟ କରାଯାଇଥିଲା ।

ଵିଚ୍ଛିନ୍ନାଞ୍ଚଳରେ ଓଡ଼ିଆ ଭାଷାଭାଷୀଙ୍କ ଦୁଃଖ ଦୁର୍ଦ୍ଦଶା ସ୍ଵଚକ୍ଷୁରେ ନଦେଖିଲେ ଵିଚ୍ଛିନ୍ନତାର ଯନ୍ତ୍ରଣା ହୃଦୟଙ୍ଗମ କରିହେଵ ନାହିଁ ।

ସ୍ଵାଧୀନତା ପରେ ଷଡୈ଼କଳା ଓ ଖରସୁଆଁକୁ ଓଡ଼ିଶାରେ ମିଶାଇଵା ପାଇଁ ଯେ ଆନ୍ଦୋଳନ ଯେ ହୋଇନାହିଁ ତା ନୁହେଁ କିନ୍ତୁ ଓଡ଼ିଶାବାସୀ ଵ୍ୟାପକ ଆନ୍ଦୋଳନ କରିଥିଲେ ହେଁ ତତ୍କାଳୀନ ସରକାର ସେ ଆନ୍ଦୋଳନକୁ ନିର୍ମମ ଭାବେ ଦମନ କରିଦେଲେ ‌ । ୧୯୫୬ରେ ଓଡ଼ିଶାର ଵିରୋଧୀ ଦଳମାନେ ସ୍ଵତନ୍ତ୍ର କଳିଙ୍ଗ ଦେଶ ଗଠନର ଧମକ ମଧ୍ୟ ଦେଇଥିଲେ କିନ୍ତୁ ଦିଲ୍ଲୀ ଵିରୋଧୀ ଆନ୍ଦୋଳନକୁ ଓଡ଼ିଶାର ଚତୁର ନେତାମାନେ ନଵକୃଷ୍ଣ ଚୌଧୁରୀ ଵିରୋଧୀ ଆନ୍ଦୋଳନରେ ପରିଵର୍ତ୍ତିତ କରିଦେଲେ । ଅସ୍ତୁ ପ୍ରଥମେ ଓଡ଼ିଆ ସ୍ଵାଭିମାନୀମାନଙ୍କ ଦ୍ଵାରା ହୋଇଥିଵା ସ୍ଵତନ୍ତ୍ର କଳିଙ୍ଗ ଦେଶ ଗଠନର ଆନ୍ଦୋଳନ ରାଜନୈତିକ ରଙ୍ଗ ଲାଗି ମଧ୍ୟ ଫଳ କିଛି ମିଳିଲା ନାହିଁ ।

୧୯୫୬ର ଏହି ଆନ୍ଦୋଳନ ଯୋଗୁଁ ଅନେକ ଓଡ଼ିଆମାନେ ସରକାରୀ ଦମନଲୀଳା ସହିନପାରି ମୃତ୍ୟୁଵରଣ କରିଥିଲେ ହେଁ କେଵଳ ସୁନୀଲ ଓ ବେଙ୍ଗ ପାଣିଆ ନାମରେ ଦୁଇଜଣ ଓଡ଼ିଆ ଶହୀଦଙ୍କ ନାମ ଲୋକଲୋଚନକୁ ଆସି ପାରିଥିଲା ।

ପୂର୍ଣ୍ଣାଙ୍ଗ ଓଡ଼ିଶା ଗଠନର ଆଶା ଆଶାରେ ହିଁ ରହିଗଲା। ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଅଶୀଵର୍ଷାଧିକ୍ୟ ହେଲାଣି, ତଥାପି ଓଡ଼ିଶା ପଛୁଆ ରାଜ୍ୟ ।

ଯେଉଁ ଓଡ଼ିଆ ଭାଷାକୁ ଓଡ଼ିଶାର ସଂସ୍କୃତିକୁ ଆଧାର କରି ଓଡ଼ିଶା ପ୍ରଦେଶ ଗଠନ ହୋଇଥିଲା ସେହି ଓଡ଼ିଆ ଭାଷା ସଂସ୍କୃତି ଆଜି ଵିପନ୍ନ । ପ୍ରାଚୀନ ସାହିତ୍ୟ, ଅଭିଲେଖ, ଵିଦେଶୀ ପରିବ୍ରାଜକଙ୍କ ବିବରଣୀ ପ୍ରଭୃତିରେ ଵର୍ଣ୍ଣିତ ଵିଶାଳ ଓଡ଼ିଶାର ସାମଗ୍ରିକ ଐତିହ୍ୟକୁ ଜଳାଞ୍ଜଳି ଦିଆଯାଇ ଏକ ଖଣ୍ଡିତ ପ୍ରଦେଶକୁ ଓଡ଼ିଶା ପ୍ରଦେଶ କୁହାଯାଉଛି ।

ଯଦି କାଶ୍ମୀର  ଭାରତର ଅଭିନ୍ନ ଅଙ୍ଗ  ତା'ହେଲେ, ଷଢ଼େଇକଳା ଓ ତତ୍‌ସଂଲଗ୍ନ ଓଡ଼ିଆ ଅଞ୍ଚଳ ଓଡ଼ିଶାର ଅଭିନ୍ନ ଅଙ୍ଗ ନ ହେଵ କାହିଁକି ?

କେଉଁ ନୀତିରେ ସେହି ଓଡ଼ିଆ ଭାଷୀ ଅଞ୍ଚଳ ଆଜି ବିହାରୀ ମାନସିକତାର ପରାଧୀନ ?

•••••••••••••••••••••••••••••
•ତଥ୍ୟ ଉତ୍ସ
— ସ୍ଵତନ୍ତ୍ର ପ୍ରଦେଶ ଗଠନର ଇତିହାସ (ପ୍ରବନ୍ଧ/ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର)
—ଓଡ଼ିଶା ରାଜନୀତିର ଇତିହାସ
(ପୁସ୍ତକ/ଡକ୍ଟର ଉଦ୍ଧଵ ଚରଣ ନାୟକ)
—ଗଵେଷକ ଶ୍ରୀ Kartik Parichha
(ଷଡ଼ୈକଳା)
•ଚିତ୍ର
—ଚିକିତ୍ସକ ଉଡ୍ରବନ୍ଧୁ ଶ୍ରୀଳ ଶ୍ରୀମାନ୍ ଶ୍ରୀଦେଵାଶିଷ ଜ୍ୟେଷ୍ଠୀ
•ସମ୍ପାଦନା
— ଅକିଞ୍ଚନ ଶିଶିର ସାହୁ ମନୋଜ
•••••••••••••••••••••••••••••

No comments:

Post a Comment

Dancing Mania: ମଧ୍ୟଯୁଗୀୟ ୟୁରୋପର ରହସ୍ୟମୟ ମୃତ୍ୟୁ ନୃତ୍ୟ

ମଧ୍ୟଯୁଗୀୟ ଇଉରୋପରେ ପ୍ଲେଗ୍‌ ଵ୍ୟାପିଵା ସହିତ ଧର୍ମୀୟ ଉତ୍ତେଜନା ମନୁଷ୍ୟ ମନକୁ ଆତଙ୍କିତ କରୁଥିଲା ବେଳେ, ଏକ ଅଜଣା ଓ ରହସ୍ୟମୟ ଘଟଣା ସମାଜକୁ ଆହୁରି ଭୟଭୀତ କରିଥିଲା ...