Friday, October 1, 2021

ଉତ୍ତର ଓଡ଼ିଶା ଵିଚ୍ଛିନ୍ନାଞ୍ଚଳର ଭାଷା ଓ ସଂସ୍କୃତି (ଲେଖକ ଦୀନବନ୍ଧୁ ମିଶ୍ର)


‘ପୋଡାହାଟ’ ର ରାଜାକୁ ସିଂହଭୂମର ରାଜା ବୋଲି କୁହାଯାଏ, କାରଣ ପୋଡାହାଟର ଓଡ଼ିଆ ରାଜାଙ୍କର କୁଟୁମ୍ବମାନେ ଯାଇ ସିଂହଭୂମର ଵିଭିନ୍ନ ଅଞ୍ଚଳରେ ରାଜ୍ୟସ୍ଥାପନ କରି ଆଦିଵାସୀମାନଙ୍କ ମଧ୍ୟରେ ଓଡିଆ ସଂସ୍କୃତିର ପ୍ରତିଷ୍ଠା କରିଥିଲେ । ଭକ୍ତ ରାଜ୍ୟମାନଙ୍କର ପୁରାତନ ନଥିପତ୍ର ଯାଞ୍ଚକଲେ ତାହା ଓଡ଼ିଆଭାଷାରେ ଲେଖାହୋଇଥିଵା ଦେଖିଵାକୁ ମିଳିଛି ।

‘ପୋଡାହାଟ’ର ଶେଷ ସ୍ବାଧନ ଓଡିଆରାଜା ଥିଲେ ଅର୍ଜୁନ ସିଂହ । ସେ ଜଣେ ଦେଶପ୍ରେମୀ ଓ ସ୍ୱାଭିମାନୀ ଵ୍ୟକ୍ତି ଥିଲେ । ୧୮୫୮ ମସିହାରେ ଜାତୀୟଭାବରେ ଉଦ୍‌ବୁଦ୍ଧ ହୋଇ ସେ ଇଂରାଜିଦ୍ରୋହୀ ହେଇଉଠିଵାରୁ ଇଂରାଜିସରକାର ତାଙ୍କର ସମସ୍ତ ସମ୍ପରି ବାଜ୍ୟାପ୍ତ କରିଥିଲେ । ‘ପୋଡାହାଟ’ର ରାଜାମାନଙ୍କର ସମ୍ବଲପୁର ଓ ମୟୂରଭଞ୍ଜ ରାଜାମାନଙ୍କ ସହିତ ଵିଵାହସୂତ୍ରରେ ବନ୍ଧୁ ବାନ୍ଧଵ ସମ୍ପର୍କ ରହିଥିଲା । ୧୭୭୬ ମସିହାରେ ମେଦିନୀପୁରର ଇଂରାଜୀ ସରକାରଙ୍କର ପ୍ରତିନିଧି (Resident) ଜର୍ଜ ଵାନ୍ସିଟାର୍ଟ (Gorge Vansittart) ସିଂହଭୂମ (ପୋଡାହାଟ) ର ରାଜା ଜଗନ୍ନାଥ ସିଂହଙ୍କ ଵିଷୟରେ କଲିକତାରେ ଥିଵା ଇଂରାଜି ସରକାରୀ ମୁଖ୍ୟ ଵେରେଲ୍‌ଷ୍ଟ (Verelst) ଙ୍କୁ ଜଣାଇ ଲେଖି ଥିଲେ,

"This Raja is by marriage a distant relation of Sambalpur Raja; there is a constant correspondence between the two districts and an uninterrupted intercourse of merchants."

ରାଜା ଵିଵାହସୂତ୍ରରେ ସମ୍ବଲପୁର ରାଜାଙ୍କର ଦୂରସମ୍ପକୀୟ; ଏହି ଦୁଇଟି ଜିଲ୍ଲାମଧ୍ୟରେ ନିରଵିଛିନ୍ନ ସମ୍ପର୍କ ଓ ଅଵାଧ ଵାଣିଜ୍ୟ ରହିଅଛି।’’

ଆଦିବାସୀମାନଙ୍କ ମଧ୍ୟରେ ସିଂହଭୂମରେ ‘ହୋ’ ଆଦିଵାସୀମାନେ ସଂଖ୍ୟାଗରିଷ୍ଠ । ଏହି ‘ହୋ’ ଆଦିଵାସୀ ମାନେ ଛୋଟନାଗପୁରର ଅନ୍ୟ ଅଞ୍ଚଳ ମାନଙ୍କରେ ଦେଖାଯାଆନ୍ତି ନାହିଁ । କିନ୍ତୁ ସେମାନେ ବହୁସଂଖ୍ୟାରେ ଓଡିଶାର ଗଡ଼ଜାତ ରାଜ୍ୟ ଯଥା, ମୟୂରଭଞ୍ଜ, ବଣାଇ, ଗାଙ୍ଗପୁର, କେଉଁଝର, ଷଢେଇକଳା ଓ ଖରସୁଆଁରେ ଦେଖାଯାଆନ୍ତି। ଏମାନେ ସାଧାରଣତଃ ଓଡିଆଭାଷାରେ ଶିକ୍ଷିତ ହୋଇଥାଆନ୍ତି । ପ୍ରତ୍ନତତ୍ତ୍ଵଵିତ୍ ତଥା ଐତିହାସିକମାନେ ପ୍ରମାଣ କରିଛନ୍ତି ଯେ ‘ହୋ’ ମାନେ ଯଦି କୌଣସି ପ୍ରଥମ ଆର୍ଯ୍ୟଜାତି ସଂସ୍ପର୍ଶରେ ଆସିଥାଆନ୍ତି, ସେମାନେ ହେଲେ ଓଡି଼ଆ। ଏଠାର ଆଦିଵାସୀମାନେ ଓଡିଆ ତନ୍ତୀ, କୁମ୍ଭାର, ଓ ଗଉଡ଼ଙ୍କୁ ଛାଡି଼ଦେଲେ ଅନ୍ୟ କୌଣସି ବାହାରର ଲୋକଙ୍କୁ ସହିପାରନ୍ତି ନାହିଁ । ଏମାନଙ୍କର ଗ୍ରାମମାନଙ୍କରେ ଓଡ଼ିଆ ତନ୍ତୀ, କୁମ୍ଭାର, ଓ ଗଉଡ଼ମାନେ ବାସ କରନ୍ତି ।

ପୌରାଣିକ ଯୁଗରେ ମଧ୍ୟ ଆମେ ଏ ଵିଷୟର ସଂକେତ ପାଉ । ସ୍କନ୍ଦପୁରାଣ ଉତ୍କଳଖଣ୍ଡ ୬ଷ୍ଠ ଅଧ୍ୟାୟର ୨୭ ଶ୍ଲୋକ ଓ କାଳିଦାସଙ୍କର ରଘୁବଂଶ ୪ର୍ଥ ସର୍ଗର ୩୬, ୩୭, ଓ ୩୮ ଶ୍ଳୋକରେ ସିଂହଭୂମକୁ ଉତ୍କଳର ଏକ ଅଂଶ ରୂପେ ଵର୍ଣ୍ଣନା କରାଯାଇଛି ।

ସିଂହଭୂମ ଅଞ୍ଚଳର ଲୋକମାନେ ପାରମ୍ପରିକ ପୂଜା ସମୟରେ ସଂକଳ୍ପ ପାଠରେ କହିଥାଆନ୍ତି - ''ଜମ୍ବୁଦ୍ୱୀପେ, ଭାରତବର୍ଷେ, ଉତ୍କଳଦେଶେ - ଇତ୍ୟାଦି'’।

ଏହି ଅଞ୍ଚଳର ଅଧିଵାସୀମାନେ ଓଡିଆଙ୍କ ପରି ସୁଦଶାଵ୍ରତ, ଗହ୍ମାପୂର୍ଣ୍ଣିମା, ଚିତଉ ଅମାଵାସ୍ୟା, ସୁନିଆଁ, ଇନ୍ଦ୍ରଯାତ୍ରା, ଦୁର୍ଗାପୂଜା, କୁମାରପୂର୍ଣ୍ଣିମା, ପ୍ରଥମାଷ୍ଟମୀ, ଗୁରୁବାର ଓଷା, ଶାମ୍ବଦଶମୀ, ଆଦି ଓଡ଼ିଆ ପର୍ଵମାନ ପାଳନ କରନ୍ତି।

ଏମାନଙ୍କର ଵିଵାହ ଉତ୍ସଵ ଓ ଅନ୍ୟାନ୍ୟ ସାମାଜିକ କର୍ମ ଓଡିଆ ପୁରୋହିତ ଦ୍ବାରା ସମ୍ପାଦିତ ହୁଏ।

ବଙ୍ଗୀୟମାନଙ୍କର ପରି ଏକାଦିନେ ‘କୁଶଣ୍ଡିକ ହୋମ’ ନ କରି ଏମାନେ ଓଡିଆଙ୍କ ପରି ଅନ୍ୟଦିନ ହୋମ କରିଥାନ୍ତି ।

ବଙ୍ଗୀୟମାନେ ୩୧ ଦିନରେ ଶ୍ରାଦ୍ଧକଲାବେଳେ ଏମାନେ ଓଡିଆଙ୍କ ପରି ଦଶଦିନରେ (ଦଶାହ) ଶ୍ରାଦ୍ଧ କରିଥାଆନ୍ତି । ଏଠାରେ ଅଣ-ବ୍ରାହ୍ମଣମାନେ ଓଡି଼ଆକରଣ ଗୋସାଇଁମାନଙ୍କୁ କୁଳଗୁରୁ କରିଥାନ୍ତି । କିନ୍ତୁ ଏମାନଙ୍କର ସମସ୍ତ କର୍ମକର୍ମାଣି ଓଡିଆ ବ୍ରାହ୍ମଣଙ୍କ ଦ୍ଵାରା ସମ୍ପାଦିତ ହୁଏ ।

ଏହି ପୂଜାର ମନ୍ତ୍ରଗୁଡିକ ତାଳପତ୍ରପୋଥିରେ ଓଡ଼ିଆ ଅକ୍ଷରରେ ଲିପିବଦ୍ଧ ହୋଇଥାଏ । ମାନଵ ଜାତିତତ୍ତ୍ୱଜ୍ଞମାନେ (Ethnologists) ସିଂହଭୂମରେ ଥିଵା ହୋ, ସାନ୍ତାଳ, କୋହ୍ଲ ପ୍ରଭୃତି ଆଦିଵାସୀମାନଙ୍କର ଭାଷାରେ ଓଡ଼ିଆଭାଷାର ପ୍ରଭାଵ ସୂଚାଇଛନ୍ତି ।

ଆମେମାନେ ଓଡିଆରେ ‘ଆରେ', 'କିରେ', 'ଯାରେ' ଆଦିରେ ‘ରେ’ ଵ୍ୟଵହାର କଲାପରି ସେମାନେ ମଧ୍ୟ କଥିତଭାଷାରେ ‘ରେ’ ର ସେହିପ୍ରକାର ଵ୍ୟଵହାର କରିଥାନ୍ତି । ଆମେ ଓଡିଆରେ ‘ଆଲୋ’, ‘ହଇଲୋ’ ଆଦି ଵ୍ଯଵହାର କଲାପରି ସେମାନେ ମଧ୍ୟ ‘ଲୋ’ ର ଵ୍ୟଵହାର କରିଥାଆନ୍ତି । ଏମାନେ ଛେଳିକୁ ‘ମେରୋମ’ ବୋଲି କହିଥାଆନ୍ତି । କିନ୍ତୁ ମାଇଛେଳିକୁ ‘ପେଣ୍ଠି ମେରୋମ’ ବୋଲି କହିଥାଆନ୍ତି। ‘ପେଣ୍ଠି’ ଏକ ଓଡି଼ଆ ଦେଶଜ
  ଶବ୍ଦ । ଜଳାଶୟକୁ ଏମାନେ ଓଡ଼ିଆଙ୍କପରି ପୋଖରୀ ବୋଲି କହିଥାଆନ୍ତି। ସାନ୍ତାଳିଭାଷାରେ ଓଡ଼ିଆର ପ୍ରଭାଵରେ ‘ଲୁଗା’ କୁ ‘ଲୁଗ୍ରି’ ବୋଲି କହିଥାଆନ୍ତି। ଏମାନେ ‘ଚାଉଳ’କୁ ‘ଚାଉଳି’ ବୋଲି କହନ୍ତି। ‘ଚାର’, ‘ସହଜ’, ‘କେନ୍ଦୁ’ ଆଦି ଗଛର ନାମ ଗୁଡିକ ସିଂହଭୂମର ଅଧିଵାସୀମାନେ ଵ୍ୟଵହାର କରୁଥିଵା ବେଳେ ଏହି ନାମ ଗୁଡିକ କେଵଳ ଓଡିଶାରେ ପ୍ରଚଳିତ ଥିଵା ଦେଖାଯାଏ । ‘ହୋ’ ମାନେ କେନ୍ଦ୍ରକୁ ‘କେନ୍ଦ' ଓ ସାନ୍ତାଳମାନେ ‘ହେଲେ’ ବୋଲି କହିଥାଆନ୍ତି । ସେହିପରି ଆମେ କେଶଶୂନ୍ୟ ମସ୍ତିଷ୍କକୁ ‘ଚନ୍ଦା' କହିଲାବେଳେ ଏମାନେ ମଧ୍ୟ ‘ଚନ୍ଦା’ ବୋଲି କହିଥାଆନ୍ତି । ଏହିପରି ବହୁ ଓଡିଆ ଦେଶଜ ଶବ୍ଦର ଵ୍ୟଵହାର ସିଂହଭୂମଵାସୀଙ୍କର କଥିତଭାଷାରେ ରହି ସେଠାରେ ପ୍ରାଚୀନ କାଳରୁ ଓଡ଼ିଆ ସଂସ୍କୃତି ଓ ଭାଷାର ପ୍ରତିଷ୍ଠା କଥା ସୂଚାଇ ଦିଏ ।
 
ପ୍ରସିଦ୍ଧ ଭାଷାତତ୍ତ୍ୱବିତ୍ ଜନ୍ ବିମସ୍ (John Beams) ତାଙ୍କର 'Comparative Grammer of modem Aryan Languages of India' Vol I, ରେ ଓଡିଆ ଭାଷାର ଭୌଗୋଳିକ ଅଵସ୍ଥିତି ସୂଚାଇଵାକୁ ଯାଇ କହିଛନ୍ତି, ‘‘ଏହି ଭାଷା କେଵଳ ଉପକୂଳଵର୍ତ୍ତୀ ଶିକ୍ଷିତ ଲୋକମାନଙ୍କଦ୍ୱାରା ଵ୍ୟଵହାର କରାଯାଏ ନାହିଁ ପରନ୍ତୁ ଶହ ଶହ ମାଇଲ ଧରି ପଶ୍ଚିମରେ ନାଗପୁର ଓ ଦକ୍ଷିଣରେ ତେଲେଙ୍ଗାନା ପର୍ଯ୍ୟନ୍ତ ଥିଵା ଅଞ୍ଚଳରେ ରହୁଥିଵା ଆଦିଵାସୀମାନଙ୍କ ଦ୍ବାରା ମଧ୍ୟ ଵ୍ୟଵହୃତ ହୁଏ ।ଉପରୋକ୍ତ ପୁସ୍ତକର ୧୦୫ ପୃଷ୍ଠାରେ ଲେଖକ ମତ ଦେଇ କହିଛନ୍ତି ଯେ ଉପକୂଳଵର୍ତ୍ତୀ ଅଞ୍ଚଳର ଓଡି଼ଆମାନଙ୍କ ଉଚ୍ଚାରଣ ଅସ୍ପଷ୍ଟ ଓ ତରବରିଆ ହୋଇଥିଲାବେଳେ ପାହାଡି଼ ଅଞ୍ଚଳର ଓଡିଆମାନଙ୍କର ଉଚ୍ଚାରଣ ସ୍ପଷ୍ଟ । ଏହିସବୁ କାରଣରୁ ୧୮୦୩ ମସିହାରେ ‘ହୋ’ ଆଦିଵାସୀମାନେ ,ଇଂରେଜମାନେ ଓଡିଆକୁ ଏ ଅଞ୍ଚଳ ଯୋଗସୂତ୍ରକାରୀ ତଥା ଆଞ୍ଚଳିକ ଭାଷାରୂପେ ସ୍ବୀକୃତି ଦେଵାକୁ ଦାବୀଜଣାଇଥିଲେ । ଏହି ‘ହୋ’ ମାନେ ସିଂହଭୂମର ଆଦିଵାସୀମାନଙ୍କ ମଧ୍ୟରେ ସଂଖ୍ୟା ଗରିଷ୍ଠ । ସାଧାରଣତଃ ‘ହୋ’ ଆଦିଵାସୀମାନେ ଓଡିଶାରେ ବହୁସଂଖ୍ୟାରେ ଥିଵାବେଳେ ଅନ୍ୟ ଅଞ୍ଚଳରେ ପ୍ରାୟ ଦେଖାଯାଆନ୍ତି ନାହିଁ ।

‘‘ ଭାଷାତତ୍ତ୍ୱଵିତ୍ ଡଃ ଗ୍ରୀଅରସନ୍ (Dr. Grerson) ତାଙ୍କର 'Linguistic survey of India' ପୁସ୍ତକରେ କହିଛନ୍ତି. "Oriya is also the language of the most of the district of Singbhum.

“ଓଡ଼ିଆ ଭାଷା ଛୋଟନାଗପୁର ଡିଭିଜନର ସିଂହଭୂମର ଅଧିକାଂଶ ଅଞ୍ଚଳର ତଥା ଅନ୍ୟାନ୍ୟ ସୀମାନ୍ତ ରାଜ୍ୟମାନଙ୍କରେ କଥିତ ହୁଏ ।’’

୧୯୧୯ ମସିହାରେ ସିଂହଭୂମର ଡେପୁଟି କମିଶନର ଏ. ଗାରେଟ୍ (Mr. A. Garret) ତାଙ୍କର ଚିଠିନମ୍ବର ୫୭-ଟି.ସି. (Letter N.O. 57-TC, Chaibasa, 1st & 10th March) ରେ ଲେଖିଛନ୍ତି,

"That Porhat and Dhalbhum are essentially Oriya, when they are not aboriginal is undeniable; that Oriya is not taught in the school of these Estates is a great wrong to the people concerned".

‘‘ଆଦିବାସୀମାନଙ୍କୁ ଛାଡିଦେଲେ ପୋଡା଼ହାଟ ଓ ଧଳଭୂମ ମୁଖ୍ୟତଃ ଓଡି଼ଆ । ଏହି ଅଞ୍ଚଳର ଵିଦ୍ୟାଳୟମାନଙ୍କରେ ଓଡ଼ିଆ ଶିକ୍ଷା ଦିଆଯାଉନଥିଵା, ସେଠାର ଲୋକଙ୍କ ପ୍ରତି ଅତ୍ୟନ୍ତ ଅନ୍ୟାୟ ।

ଛୋଟନାଗପୁର ଡିଭିଜନର କମିଶନର ବି. ଫୋଲେ (Mr. B. Foley, I.C.S.) ବିହାର ଓଡିଶା ସରକାରଙ୍କର ଵିଚାର ଵିଭାଗର ସେକ୍ରେଟାରୀଙ୍କୁ ଚିଠି ନମ୍ବର ୮୬୮-ଜେ (868-J, dated Ranchi 26th March 1919) ରେ ଜଣାଇଛନ୍ତି :

"On the otherhand when touring through the west of Dhalbhum, Kolhan, Sareikala and Kharsuan I have always been struck with the Oriya look of the villages. The houses seem to be built in the same way as in Balasore, Cuttack, Puri and the Orissa Tributary states."

‘‘ଅନ୍ୟପକ୍ଷରେ ଧଳଭୂମ, କୋହ୍ଲାନ, ଷଢେଇକଳା ଏବଂ ଖରସୁଆଁ ମଧ୍ୟଦେଇ ଗସ୍ତରେ ଯିଵା ସମୟରେ ମୁଁ ସବୁବେଳେ ଗ୍ରାମମାନଙ୍କରେ ଓଡ଼ିଆ ଢାଞ୍ଚ ଦେଖିଵାକୁ ପାଇଛି, ବାଲେଶ୍ୱର, କଟକ, ପୁରୀ ଏଵଂ ଓଡି଼ଶାର ଅନ୍ୟାନ୍ୟ ରାଜ୍ୟରେ ଥିଵା ଘରଗୁଡି଼କର ଗଠନ ଶୈଳୀ ଏଠାରେ ଦେଖିଵାକୁ ମିଳେ’’ ।

ଆନନ୍ଦପୁର, କେରା, ବଡଗାଓଁର ଜମିଦାରମାନେ ‘ପୋଡହାଟ’ ରାଜାଙ୍କର ବଂଶଧର ହୋଇଥିଵାରୁ ଓଡି଼ଆ। ଐତିହାସିକ ବି.ସି.ମଜୁମଦାରଙ୍କ ମତରେ ରାଞ୍ଚି, ସିଂହଭୂମ ଓ ମାନଭୂମର ରାଜା ଓ ଜମିଦାରମାନେ ମୁଖ୍ୟତଃ ଓଡ଼ିଆ ରାଜା ଓ ଜମିଦାରମାନଙ୍କ ସହିତ ଵୈଵାହିକ ଏଵଂ ସାମାଜିକ ସୂତ୍ରରେ ଆଵଦ୍ଧ ଥିଲେ । ଧଚ୍ଚଭୂମର ଜମିଦାର ଜଣେ ଓଡିଆ କ୍ଷତ୍ରିୟ। କାରଣ ‘ଧଳ’ ସାଙ୍ଗିଆ କେବଳ ଓଡିଶାରେ ବ୍ୟବହାର କରାଯାଏ । ଏହି ରାଜା ଓ ଜମିଦାର ମାନେ ଓଡ଼ିଆ ବ୍ରାହ୍ମଣଙ୍କୁ କୁଳଗୁରୁ କରିଥାଆନ୍ତି ଓ ବିଧିମତେ ସୁନିଆଁ ଓ ଗହ୍ମାପୂର୍ଣିମା ପାଳନ କରନ୍ତି । କହିବାକୁ ଗଲେ ଭାଷା ରୀତିନୀତି ଓ ଆଚାର ଆଦିରେ ଏମାନେ ଓଡିଆ । ଧଳଭୂମରେ ଓଡିଶାପରି ରାଜାବସାଇଥିବା ବ୍ରାହ୍ମଣଶାସନମାନ ଦେଖାଯାଏ । ୧୯୧୬ ମସିହାରେ ପୋଡାହାଟ, ଧଳଭୂମ, କେରା, ଆନନ୍ଦପୁର, ଚଇନପୁର ଏବଂ ବଡଗାଓଁର ଜମିଦାରମାନେ ଏକ ତତ୍କାଳୀନ ବିହାର-ଓଡିଶା ଗଭର୍ଣ୍ଣର ଏଡୱାର୍ଡ ଗେଟ୍‌ଙ୍କୁ ଜଣାଇଥିଲେ ଯେ ସ୍କୁଲ ଓ କଚେରୀମାନଙ୍କରେ ଓଡିଆ ଭାଷାର ପ୍ରଚଳନ ରହୁ । ଏଠାର ରାଜା, ଜମିଦାର ଓ ପ୍ରଜାମାନେ ଓଡିଆମାନଙ୍କ ପରି ‘ମିତାକ୍ଷର’ ପରମ୍ପରାର ଅନ୍ତର୍ଭୁକ୍ତ । ଏହିସବୁ ଅଞ୍ଚଳରେ ଲୋକମାନେ ମାଦଳାପାଞ୍ଜି ମାନନ୍ତି । ଗ୍ରାମମୁଖ୍ୟମାନଙ୍କୁ ଏଠାରେ ଓଡିଆଙ୍କ ପରି ‘ପ୍ରଧାନ’ କୁହାଯାଏ । କେତେକ ଜାଗାରେ ‘ଠିକାଦାର ମଧ୍ୟ କୁହାଯାଏ । ଓଡିଶାର ପୁରାତନ ଆଇନର ‘ଖୁଣ୍ଟାକାଟି’ ଅଧିକାର ପ୍ରଚଳନ ଏହି ଅଞ୍ଚଳମାନଙ୍କର ପୁରାତନ ଜମିଜମା ରେକର୍ଡରୁ ମିଳେ । ତହିଁରେ ‘ଖୁଣ୍ଟାକାଟି’ ଶବ୍ଦର ଵ୍ୟଵହାର ମଧ୍ୟ ମିଳେ। ପୂର୍ଵରେ ଓଡି଼ଆରାଜାମାନଙ୍କର ରାଜତ୍ୱରେ ଯେଉଁ ଜଙ୍ଗଲ ଅଞ୍ଚଳମାନଙ୍କରେ ଓଡି଼ଆ ରାଜାମାନେ ରାଜ୍ୟସ୍ଥାପନ କରୁଥିଲେ, ସେଠାରେ ଜମିଜମା ସଂକ୍ରାନ୍ତୀୟ ବିବାଦରେ, ‘ଖୁଣ୍ଟାକାଟି ଅଧିକାର’ ର ସୁରକ୍ଷା କରାଯାଉଥିଲା । ‘ଖୁଣ୍ଟାକାଟି ଅଧିକାର’ ର ଅର୍ଥ ଏହି ଯେ ଯେଉଁ ଵ୍ୟକ୍ତି ସର୍ଵପ୍ରଥମେ ଜଙ୍ଗଲ ଓ ଅନାବନା ସଫାକରି ସେଠାରେ ଵାସ କରିଥିଲା ତାକୁ ଜମିର ସତ୍ତ୍ଵାଧିକାର ଦିଆଯାଉଥିଲା । ଉପରୋକ୍ତ ଆଲୋଚନାରୁ ସିଂହଭୂମ କିପରି ଭାଷା ଓ ସାଂସ୍କୃତିକ କ୍ଷେତ୍ରରେ ଆଵହମାନକାଳରୁ ଓଡ଼ିଶା ସହ ଅଙ୍ଗାଙ୍ଗୀଭାବରେ ଜଡିତ ରହିଛି ତାହା ବୁଝାଯାଏ ।

କ୍ରମଶଃ...

⚫⚫⚫⚫⚫⚫⚫⚫⚫⚫⚫⚫
ପୁସ୍ତକ—ଷଢେ଼ଇକଳା ଓ ଖରସୁଆଁ ମିଶ୍ରଣ ପ୍ରସଙ୍ଗ
ଲେଖକ— ଦୀନବନ୍ଧୁ ମିଶ୍ର
⚫⚫⚫⚫⚫⚫⚫⚫⚫⚫⚫⚫

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...