Saturday, October 28, 2023

ଭଲ ନା ଭାଲିଆତଇଳା

ଓଡ଼ିଶାର ସବୁ ଅଞ୍ଚଳରେ କିଛି ନା କିଛି ସ୍ବତନ୍ତ୍ର ଢ଼ଗ ଚଳୁଅଛି ଯାହା ସେହି ଅଞ୍ଚଳ ମଧ୍ଯରେ ସୀମିତ ରହିଯାଇଥାଏ ! ଆମ ଗ୍ରାମ ପଞ୍ଚାୟତ କନ୍ତିଓ ପୁଟସାହିରେ ମଧ୍ଯ ସେହିପରି ଏକ ଢ଼ଗ ଚଳୁଅଛି ତାହା ହେଲା

     "ଭଲ ନା ଭାଲିଆତଇଳା"

ଯେତେ ବେଳେ ଵ୍ୟକ୍ତିଵିଶେଷ ଵା କୌଣସି ଵସ୍ତୁ ଭଲ ନ ହୋଇ ବି କେହି ତାକୁ ଭଲ ବୋଲି କହେ ସେତେବେଳେ ଆମ ଗାଁର ଲୋକେ ଏଇ ପଦକ କହନ୍ତି -“ଭଲ ନା ଭାଲିଆତଇଳା ?”

କିନ୍ତୁ 'ଭାଲିଆତଇଳା' କଅଣ ?
ଆମ କନ୍ତିଓ ଗ୍ରାମର ସବୁଠାରୁ ବଡ଼ ସାହି ହେଉଛି ଏହି ଭାଲିଆତଇଳା ସାହି ! ବାରମ୍ବାର ଵନ୍ଯାରେ କ୍ଷତିଗ୍ରସ୍ତ ହେବା ଯୋଗୁଁ ୧୯୬୦ ପରେ ବ୍ରାହ୍ମଣୀନଦୀ କୂଳରେ ଥିଵା ପୁରୁଣା କନ୍ତିଓ ଵା ତଳକନ୍ତିଓରୁ ଆମ ଗାଁ ଲୋକେ ଏକ ଦେଢ଼ କିମି ପଶ୍ଚିମକୁ ଉଠି ଆସିଥିଲେ । ସେମାନେ ପ୍ରଥମେ ନୂଆସାହି ତାପରେ ଭାଲିଆତଇଳା,ଗୁଡ଼ିସାହି ଓ ଭୈରଙ୍ଗସାହି(ଭୈରଵୀସାହିର ପରିଵୃତ୍ତ ରୂପ) ଆଦିରେ ରହିଵାକୁ ଲାଗିଲେ । 

ଜନଵସତି ଗଢ଼ି ଉଠିଵା ଆଗରୁ ଏହି ଭାଲିଆତଇଳା ସାହିଟି ଶାଳ,ଗମ୍ଭାରୀ,ମହୁଲ ,କେନ୍ଦୁ ଓ ଵିଶେଷତଃ ଭାଲିଆ ଗଛର ନଟା ଵା ଵଣ ଥିଲା । କ୍ରମେ ଲୋକେ ଏହାର କେତେକ ଭାଗକୁ ମଶାଣି ଭଳି ଵ୍ୟଵହାର କଲେ ଏଵଂ ସର୍ଵଶେଷରେ ଆଜି ଏଠି ଏକ ବଡ଼ ସାହି ଗଢ଼ି ଉଠିଛି ! ମନୁଷ୍ଯଙ୍କ ଆଗମନ ଯୋଗୁଁ ଏବେ ଏ ସାହିରେ ଗୋଟିଏ ବି ଭାଲିଆଗଛ ବଞ୍ଚିଯାଇନାହିଁ ହଁ କେଉଁଠି କେଉଁଠି ଆଜି ବି ହଣାଯାଇଥିଵା କେନ୍ଦୁ ଗଛ ଆଉଥରେ ବଡ଼ ହେଵାକୁ ଚେଷ୍ଟା କରୁଥିଲେ ହେଁ ନିର୍ଦ୍ଦୟୀ ମାନବ ତାକୁ ଅନ୍ଧଵିଶ୍ବାସ ତଥା ଆପଣା ସ୍ବାର୍ଥପାଇଁ ବଢ଼ିଵାକୁ ଦେଉନି !

ତେବେ ଢଗକୁ ଦେଖି ମନରେ ପ୍ରଶ୍ନ ଉଠୁଛି ଏଠାରେ ଭାଲିଆତଇଳା ଶବ୍ଦ କାହିଁକି ଵ୍ୟଵହାର ହୋଇଥିବ ? 

ଏହି ସାହି ପୂର୍ଵେ ଏକ ମରାଖଣ୍ଡି ଥିଲା । ମରାଖଣ୍ଡି ବୋଇଲେ ମଶାଣି ଭଳି ସ୍ଥାନ ଯେଉଁଠି (କଟା)ବାଳ,ଭଙ୍ଗା କାଚ, ଛିଣ୍ଡା ଯୋତା,ଚିରାଲୁଗା ଓ ଭଙ୍ଗା ହାଣ୍ଡି ଇତ୍ଯାଦି ଅପଵିତ୍ର ପଦାର୍ଥ ଫିଙ୍ଗାଯାଏ । ଏ ଭୂମିକୁ ଆଗେ ହୀନ ବା ନିମ୍ନ ମନେ କରାଯାଉଥିଲା । ଭୂତ ଭୟ ଓ ଭାଲିଆ ଫଳ ଯୋଗୁଁ ଘାଆ ହେଵା ଭୟରେ ଲୋକେ ଏଠାକୁ ଵିଶେଷ ଆସୁନଥିଲେ । ପୁଣି ଭାଲିଆତଇଳା ନାଁରେ ତଇଳା ଶବ୍ଦର ଅର୍ଥକୁ ଵିଚାର କରାଯାଉ । ଓଡ଼ିଆ ଭାଷାରେ ତଇଳା ଵା ତଇଲା ଶବ୍ଦଟି
ଉଚ୍ଚଜମି,ତଉଲିଆ,ବିରଙ୍ଗା ଭୂମି;ଜଙ୍ଗଲ ପୋଡ଼ି ଚାଷ କରାଯାଉଥିଵା ଭୂମି,ଜଙ୍ଗଲ କଟାଯାଇ ଆବାଦ କରାଯାଇଥିଵା ଭୂମି,ଚାଷ ହେଉନଥିଵା ଅନୁର୍ବର ଚାଷ ଅନୁପଯୁକ୍ତ ଭୂମି ଇତ୍ଯାଦି ଅର୍ଥରେ ପ୍ରୟୋଗ କରାଯାଏ । ସେହିପରି ତଇଳା ସାଦୃଶ୍ୟ ଆଉ କିଛି ଓଡ଼ିଆ ଶବ୍ଦ ହେଲା...

(କ)ତର୍ଲା-ଶାଳଛତ୍ର,ନିମ୍ନଭୂମି
(ଖ)ତଲ-ତଳ,ଭୂମି,ନିମ୍ନ
(ଗ)ତଲି-ତଳ,ତଳ ଅଞ୍ଚଳ,ତଳେ,ଧାନ ଚାରାଗଛ
(ଘ)ତଳିଆ-ତଳେ ଥିଵା ସ୍ଥାନ,ଖାଲଜମି,ତଳି ଉତାରିଵା ସ୍ଥାନ
(ଙ)ତଉଲ-ଜଙ୍ଗଲ ମଧ୍ଯସ୍ଥ ଗ୍ରାମ(ଜଙ୍ଗଲ କଟାଯାଇ ଗଢ଼ାଯାଇଥିଵା ଜନଜାତୀୟ ଗାଁ)

ତେଣୁ ଯେହେତୁ ଏଠାରେ ଭାଲିଆ ଗଛ ବହୁତ ଥିଲା ଏଵଂ ଏହା ଏକ ତଇଳା ଭୂମି ଥିଲା ତେଣୁ ଏହାକୁ ଭାଲିଆ ତଇଳା କୁହାଗଲା । ଭାଲିଆତଇଳା ଏକ ସମୟରେ ଆମ ଗ୍ରାମବାସୀଙ୍କ ଦୃଷ୍ଟିରେ ଏକ ହୀନ,ନିମ୍ନ ଓ ଅନୁପଯୁକ୍ତ ଭୟପ୍ରଦ ସ୍ଥାନ ଥିଲା ଏଵଂ ପରେ ଆଵଶ୍ଯକ ପଡ଼ିଲାରୁ ଏହି ଉଚ୍ଚଭୂମିରୁ ଜଙ୍ଗଲ କଟାଯାଇ ଏଠାରେ ଜନଵସତି ଗଢ଼ାଯାଇଛି । ବହୁତ ସମ୍ଭବ ଯେତେବେଳେ ଭାଲିଆତଇଳା ଆମ ଗାଁ ଲୋକଙ୍କ ପାଇଁ ଅନାବଶ୍ଯକ ଥିଲା ସେତେବେଳେ ଏହି 'ଭଲ ନା ଭାଲିଆତଇଳା' ଢଗଟି ଚଳିଵା ଆରମ୍ଭ ହୋଇଥିବ ! କିନ୍ତୁ ଗଞ୍ଜାମରେ ମଧ୍ୟ କୁହନ୍ତି "ଭଲ ନା ଭାଲିଆତେଲ" । ତେଣୁ ବହୁତ ସମ୍ଭଵ ଭାଲିଆତେଲ ଶବ୍ଦଟି କନ୍ତିଓରେ  ଭାଲିଆତଇଳା ସାହି ଅନୁସାରେ ଭାଲିଆତଇଳା ହୋଇଯାଇଥାଇପାରେ । 

........

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...