Monday, October 2, 2023

•ଶ୍ରୀକ୍ଷେତ୍ରର ନିଆରା ବଳିପୂଜା ଓ ନେତପିଲା ପରମ୍ପରା•

ଶ୍ରୀମନ୍ଦିର ସେଵକମାନଙ୍କର କୁମାରୀ ଝିଅମାନେ ବଳିପୂଜା ନାମକ ଏକ ଵ୍ରତ ପାଳନ କରନ୍ତି । ଜଗତ ମାତା ପାର୍ଵତୀ ମହାଦେଵଙ୍କୁ ସ୍ୱାମୀ ରୂପେ ପାଇଵାକୁ ଭୀଷଣ ତପସ୍ୟା କରିଥିଲେ । ଠିକ୍ ସେହିପରି ଶ୍ରୀକ୍ଷେତ୍ରରେ ସେଵାୟତ ମାନଙ୍କର କୁନି କୁନି କୁମାରୀ କନ୍ୟାମାନେ ସଦାଶିଵଙ୍କ ପରି ଭଲ ବର ପାଇଵାକୁ ପ୍ରଭୁ ମାର୍କଣ୍ଡେୟକୁ ପୂଜାର୍ଚ୍ଚନା ସହ କଠୋର ଵ୍ରତ ପାଳନ କରିଥାନ୍ତି ।

 ସେଵାୟତଙ୍କ କନ୍ୟାମାନେ ଏହି ଅଵସରରେ ପାଟ ସହ ନାନା ପ୍ରକାରରେ ଆଭୂଷଣ ଓ ବେଶରେ ଦେଵୀଙ୍କ ଭଳି ସଜ୍ଜିତ ହୋଇ ଗୁରୁଜନଙ୍କ ସହ ଯାଇ ମାର୍କଣ୍ଡେୟଙ୍କୁ ପୂଜା କରନ୍ତି । ପ୍ରାୟ ୨୧ ଦିନ ପୂର୍ଵରୁ ବଳି ପୂଜନ କରିଵା ପରେ ତିନିଦିନ ଧରି ଵିଭିନ୍ନ ବେଶଭୂଷାରେ ସଜ୍ଜିତ ହୋଇ ମାର୍କଣ୍ଡ ପୋଖରୀଠାରେ ନେତପିଲାମାନେ ମାଆ ଵୃନ୍ଦାଵତୀଙ୍କ ପୂଜା କରି ବଳି ଗୀତ ଗାଇଥାନ୍ତି ।

ସେଵୟତ ପରିଵାର କନ୍ୟାମାନେ ମୁଖ୍ୟତଃ ବାପାମାଆଙ୍କ ଆୟୁଷ ବୃଦ୍ଧି ତଥା ଭଲ ବର ଵା ସ୍ୱାମୀ ପାଇଵା ଉଦ୍ଦେଶ୍ୟରେ ଏହି ପର୍ଵକୁ ପାଳନ କରିଥାନ୍ତି । 

ଏହି ଵ୍ରତ ପାଳନ ପାଇଁ କନ୍ୟାମାନଙ୍କର ଆଈ ଘରୁ ନୂଆ ପାଟ, ରୂପା ଫରୁଆ ସହ ମୁଣ୍ଡରେ ସିନ୍ଥି, ଅଳକା, ପାନପତର,ବେଣୀରେ ଝୁମ୍ପା, ହାତରେ ବଟଫଳ,ମୁଦି ଆଦି ବହୁମୂଲ୍ୟ ଅଳଙ୍କାର ଆସିଥାଏ । ପ୍ରୋକ୍ତ ଵସନ ଓ ଅଳଙ୍କାର ଧାରଣ କରି ସେଵାୟତ କନ୍ୟାମାନେ ବାଉଁଶିଆରେ ପାଣି କଖାରୁ,ମକା, ଗୁଆ, ଜହ୍ନି ଆଦି ସାତପ୍ରକାର ଫଳ ନେଇ ମାର୍କଣ୍ଡେୟ ତୀର୍ଥ ପୁଷ୍କରିଣୀ କୂଳରେ ବଳି ଵା ହରପାର୍ଵତୀ ପୂଜା କରିଥାନ୍ତି ।

ମାର୍କଣ୍ଡ ପୁଷ୍କରିଣୀରେ ନେତପିଲାମାନେ ମାଆ ବୃନ୍ଦାବତୀଙ୍କ ପାଖରେ ପୂଜା କରିବା ସହ ସେଠାରେ ବଳି ଗୀତ ଗାଇଥାନ୍ତି ।
ଉକ୍ତ ବଳିପୂଜା ଗୀତଟି ହେଲା :

“ବଳିରେ ବଳି, ନ କର କଳି
କାଲି ଆଣିଦେବି ସରୁ ଚକୁଳି
ସରୁ ଚକୁଳିର ଉପରେ ମହୁ
ଧୂପ ଖଟିଗଲେ ରାଜାଙ୍କ ଵୋହୂ
ରାଜାଙ୍କ ଵୋହୂ ଯେ ବିକନ୍ତି କୋଳି
ଈଶ୍ବର ମାଇଲେ ଦାଣ୍ଡର ଧୂଳି
ଦାଣ୍ଡର ଧୂଳି ଯେ ଦାଣ୍ଡକୁ ଯାଉ
ବାପା ଭାଇଙ୍କର ଆୟୁଷ ହେଉ ।”

କିନ୍ତୁ ଅନେକଙ୍କ ମନରେ ପ୍ରଶ୍ନ ଆସେ ବଳିପୂଜାରେ ଭାଗ ନେଉଥିଵା ସେଵାୟତ କନ୍ୟାମାନଙ୍କୁ ନେତପିଲା କାହିଁକି କୁହାଯାଏ ?

ନେତ ଶବ୍ଦର ସାଧାରଣ ଅର୍ଥ ପତକା ଵା ପତାକା କିନ୍ତୁ କନ୍ୟାମାନଙ୍କର ଏକ ଧରଣର ଵସ୍ତ୍ରକୁ ମଧ୍ୟ ନେତ କୁହାଯାଏ ।‌ ପତାକା ଛଡ଼ା ଅଳ୍ପଵୟସ୍କା କନ୍ୟାମାନଙ୍କର ଵସ୍ତ୍ରକୁ ମଧ୍ୟ ସଂସ୍କୃତ ଭାଷାରେ ନେତ୍ର କୁହାଯାଏ । 

ଶିଶୁକନ୍ୟାମାନଙ୍କର ଵସ୍ତ୍ର ଅର୍ଥରେ ନେତ ଶବ୍ଦଟି ପ୍ରାଚୀନ ସାହିତ୍ୟରେ ମଧ୍ୟ ପ୍ରୟୋଗ କରାଯାଇଛି । ଯଥା : 

“କେ କାଛି ପିନ୍ଧିଅଛି ନେତ”(ଭୁପତି, ପ୍ରେମପଞ୍ଚାମୃତ।)

ତେଣୁ ଵଳିଵ୍ରତ କରୁଥିଵା କନ୍ୟାମାନଙ୍କୁ ଏହି କାରଣରୁ ନେତପିଲା କୁହାଯାଏ ‌। ହରପାର୍ଵତୀଙ୍କ ଵ୍ରତ ପାଳନ ସହିତ ନିଜ ସମ୍ପର୍କୀୟ ଓ ବନ୍ଧୁବାନ୍ଧବଙ୍କ ଘରକୁ ବୁଲିଯିଵାର ଵିଧି ରହିଛି । ନେତପିଲାମାନେ ଏହି ଏକୋଇଶି ଦିନର ଶେଷ ଚାରିଦିନ ପାରମ୍ପରିକ ବେଶ ସହ ଵିଭିନ୍ନ ଅଳଙ୍କାରରେ ନିଜକୁ ସଜାଇଥାନ୍ତି । ଆଶ୍ୱୀନ ମାସର ପଞ୍ଚମୀ, ଷଷ୍ଠୀ ଓ ସପ୍ତମୀ ତିଥିରେ ଏହି ପର୍ଵ ପାଳନ ହେଉଥିଵା ବେଳେ ସେବାୟତମାନଙ୍କ ଘର ଉତ୍ସଵ ମୁଖର ହୋଇ ଉଠିଥାଏ ।

•••••••••••••••••••••••••••
✍️ଶିଶିର ସାହୁ ମନୋଜ,କନ୍ତିଓ ପୁଟସାହି, ଢେଙ୍କାନାଳ(ତଥ୍ୟ ଉତ୍ସ — ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଓ ଅନ୍ତର୍ଜାଲ)
•••••••••••••••••••••••••••

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...