Tuesday, October 31, 2023

ଗାଆଁ କଳି

ଆମ କନ୍ତିଓ ପୁଟସାହି ପଞ୍ଚାୟତରେ ମୋଟ ତିନୋଟି ଗାଆଁ; କନ୍ତିଓ, ପୁଟସାହି ଓ ଜକା । କନ୍ତିଓରେ ତିରିଶରୁ ଅଧିକ ଜାତି ଥିଲାବେଳେ ପୁଟସାହି ଓ ଜକାରେ କଳତୁଆ ଚଷା(ସମ୍ଭଵତଃ କୁଳତା ଚଷାଙ୍କ ଗୋଷ୍ଠୀର) ଅଧିକ ସଂଖ୍ୟାରେ ଵସଵାସ କରନ୍ତି । କନ୍ତିଓ ତଥା ପୁଟସାହି,ଏଇ ଦୁଇ ଗାଆଁ ମଧ୍ୟରେ ମଝିରେ ମଝିରେ ଵିଵାଦ ହୋଇଯାଏ । ସେତେବେଳେ ଦୁଇ ଗାଆଁ ମଧ୍ୟରେ ଭାରତ-ପାକିସ୍ଥାନ ଭଳି ହିଂସା ଦ୍ଵେଷ ଘୃଣାର ପରିଵେଶ ଜାତ ହୋଇଯାଏ । ଆଜକୁ ପ୍ରାୟ ବାର ତେର ଵର୍ଷ ତଳର ଘଟଣା । କନ୍ତିଓ ପୁଟସାହି ହାଇସ୍କୁଲ ଛକ ପାଖରେ କେତେକ ଯାଗାକୁ ନେଇ କନ୍ତିଓ ଆଉ ପୁଟସାହି ଗାଆଁ ମଧ୍ୟରେ ଗୋଷ୍ଠୀ କନ୍ଦଳ ଆରମ୍ଭ ହୋଇସାରିଥାଏ । ଏହାର କେତେକ ଦିନ ପରେ ଦୁଇ ଗାଆଁ ମଧ୍ୟରେ ଘୃଣା ଦ୍ଵେଷ ଆହୁରି ବଢ଼ିଗଲା । ଆମ ଭଉଣୀର ବାହାଘର ପୂର୍ଵରୁ ଆସବାବପତ୍ର ଗଢ଼ାଯିଵାକୁ ପୁଟସାହି ଗାଆଁର ଜଣେ ବଢ଼େଇଙ୍କୁ କାମ ଦିଆଯାଇଥାଏ । କିନ୍ତୁ ଆମରି ଗାଆଁ ଲୋକ ତାହା ହେଵାକୁ ଦେଲେ ନାହିଁ । ଉଭୟ ଗାଆଁର ଲୋକ ପରସ୍ପରର ଗାଆଁକୁ ଯିବେ ନାହିଁ ବୋଲି ଗୋଟେ ନିୟମ କରିଦିଆଗଲା । ଫଳତଃ ପୁଟସାହି ପରିଵା ବେପାରୀ ତଥା କ୍ରେତା ଆଉ କନ୍ତିଓ ମଙ୍ଗଳବାର ହାଟକୁ ଆସି ପାରିଲେ ନାହିଁ । ମଣିଷଙ୍କ ପରେ ଜୀଵଙ୍କ ଗାଆଁ ପ୍ରଵେଶ ଉପରେ ବ୍ୟାନ୍ ଲାଗିଲା । ଉଭୟ ଗାଆଁର ଗାଈ,ବଳଦ ଅନ୍ୟ ଗାଆଁକୁ ଯାଇ ବନ୍ଧା ହେଲେ । ବୁଲାକୁକୁର ଆଉ ବିଲେଇଙ୍କୁ ବି ଲୋକେ ଅନ୍ୟ ଗାଆଁରୁ ଆସିଲେ ତଡ଼ି ତଡ଼ି ପିଟିଲେ । ଅଵଶ୍ୟ ପକ୍ଷୀମାନଙ୍କ ଉପରେ କେହି କଟକଣା ଲଗାଇ ପାରିଲେ ନାହିଁ । ଏହି ଵିଵାଦ ଵର୍ଷେ ଦେଢ଼ ଵର୍ଷ କାଳ ରହିଲା କିନ୍ତୁ ନିର୍ଵାଚନରେ ପୁଟସାହିର ଲୋକ ସରପଞ୍ଚ ହେଵାରୁ ଦ୍ଵେଷ ହିଂସାଭାଵ କିଞ୍ଚିତ୍ କମ୍ ହୋଇଥାଏ । ଏହି ସମୟରେ ମୁଁ ଗାଆଁକୁ ଯାଇଥାଏ । ଆଜିକାଲି ସିନା ମୁଁ ବହିପଢ଼ା ଓ ଲେଖାଲେଖି ଭିତରେ ପଶି ସେତେ ଗାଆଁ ବୁଲୁ ନାହିଁ କିନ୍ତୁ ସେ ସମୟରେ ଗାଆଁକୁ ଆସିଲେ ସାଇକେଲ ଧରି ବୁଲାବୁଲି କରୁଥିଲି । ଦିନେ ମୁଁ ସାଇକେଲ ଧରି ପୁଟସାହି ଗାଆଁର ଉପରତଇଳା ସାହିରେ ବୁଲୁଥିଲା ବେଳେ ଜଣେ ବୁଢ଼ା ପଚାରିଲା ହଇରେ ପୁଅ ତୋ ଘର କଉଠି, ମୁଁ ତାକୁ କହିଲି ମୋ ଘର ଭାରତରେ ଆଉ ମୁଁ ଭାରତୀୟ ! ବୁଢ଼ା କୁଟୀଳ ହସ ହସିଲା ସତ ହେଲେ କିଛି କହିଲା ନାହିଁ । ସେଦିନ ସେମିତି କିଛି ହେଲା ନାହିଁ କିନ୍ତୁ ଦୁଇ ତିନିଦିନ ପରେ ଗୋଟିଏ ବଡ଼ ଧରଣର ଘଟଣା ହଠାତ୍ ମୋହରି ଆଖି ଆଗରେ ଘଟିଗଲା । 

କନ୍ତିଓ ତଥା ପୁଟସାହି ଗାଆଁର ମଝିରେ ପଞ୍ଚାୟତ ସଡ଼କର ପଶ୍ଚିମ(ମାନଚିତ୍ରରେ ଦକ୍ଷିଣ)କୁ ଗୋଟିଏ ଗାଈଗୋଠ ଅଛି । ସେ ଗୋଠରେ କିଛି ପିଲା କ୍ରିକେଟ୍ ଖେଳୁଥାନ୍ତି ଏଵଂ ମୁଁ ଘରୁ ସାଇକେଲ ଧରି ହାଇସ୍କୁଲ କାଜୁଫିଲ୍ଡ ଆଡ଼େ ଯିଵାକୁ ବାହାରୁଥାଏ । ମୁଁ ଭାଲିଆତଇଳାକୁ ପଞ୍ଚାୟତ ସଡ଼କ ସହିତ ସଂଯୁକ୍ତ କରୁଥିଵା ଗ୍ରାମପଥରେ ତଥା ପୁଟସାହି ଦେଵୀପୀଠଙ୍କ ଉତ୍ତର(ମାନଚିତ୍ରରେ ପଶ୍ଚିମ)ରେ ଥାଏ ଏତିକି ବେଳେ ଦେଖିଲି ଗାଈଗୋଠ ମଧ୍ୟରେ କ୍ରିକେଟ୍ ଖେଳୁଥିଵା ଦୁଇଜଣ ପିଲାଙ୍କ ମଧ୍ୟରେ ଵିଵାଦ ହୋଇଗଲା । ମୁଁ ସେଇଠି ଅଟକି ଯାଇ କ'ଣ ହେଉଛି ଦେଖିଵା ଭିତରେ କନ୍ତିଓ ଗାଆଁର ଧୋବାସାହି(ଏବେ ନୂଆ ନାଆଁ କ'ଣ ଦେଇଛନ୍ତି ମୁଁ ଜାଣିନାହିଁ ଆଗେ ଆମେ ଧୋବାସାହି କହୁଥିଲୁ)ର ପିଲାଟିଏ ସହ ପୁଟସାହିର ମଝିସାହିରେ ରହୁଥିଵା ଗୋଟିଏ ପିଲାର ମାରପିଟ୍ ଲାଗିଗଲା । ଭାଲିଆତଇଳା ପଛପଟେ ଚିଞ୍ଚଭାଇଙ୍କ ଦୋକାନ ଥିଲା ଏଵଂ ସେଠାରେ କିଛି ଯୁଵ ବସିଥିଲେ । ସେମାନେ ଧାଇଁ ଯାଇ ପୁଟସାହିର ପିଲାଙ୍କୁ ଧରି ଆଣି କନ୍ତିଓ ପାଲା ପଡ଼ିଆରେ ବସେଇ ଦେଲେ । କନ୍ତିଓଟା ଯାକର ଲୋକ ସେଠି ଏକାଠି ହୋଇଗଲେ । ମାର ମାର ପିଟ ପିଟର ଧ୍ବନି ଶୁଣାଯାଉଥାଏ । ଲୋକେ ପାଗଳ ହୋଇଯାଇଥିଲେ । ଲୋକେ ବିଲ ବାଡ଼ିରୁ ଧାଆ ହାତୁଡ଼ି ପକେଇ ଦୌଡ଼ିଲେ,ଛାଡ଼ା ଫେରିଵାକୁ ଯାଇଥିଵା ଲୋକ ନିତ୍ୟକର୍ମ ଅଧାରୁ ଉଠି ଦୌଡ଼ିଲା । ଲୋକେ ଡକହକା ହୋଇ ପାଲା ପଡ଼ିଆକୁ ଯାଉଥାନ୍ତି । ମୁଁ ବି ଘରେ ସାଇକେଲ ରଖି ପାଲା ପଡ଼ିଆକୁ ଗଲି । ସେତେବେଳକୁ ପୂରା କନ୍ତିଓ ସେଠି ଏକାଠି ହୋଇଯାଇଥାଏ । ଏତିକିବେଳେ ପୁଟସାହିର ସରପଞ୍ଚ ତୁମିସିଂହାରୁ ପୋଲିସ ଧରି ସେଠାରେ ପହଞ୍ଚିଗଲା। ଲୋକେ ପଛଘୁଞ୍ଚା ଦେଲେ ନାହିଁ ଵରଂ ପୋଲିସଙ୍କୁ ପିଟିଵାକୁ କିଛି ଯୁଵକ ଉଦ୍ୟତ ହେଲେ । ଵୟସ୍କ ଲୋକେ ବୁଝାମଣା କରି ଯେମିତି ହେଲେ କଥାଟାକୁ ଶାନ୍ତ କଲେ । ତେବେ ସ୍ଥିତି ଶାନ୍ତ ହେଲା ଯାଏଁ ପୁଟସାହି ଉପ୍ରା ସ୍କୁଲରେ ପୋଲିସ ଦଳେ ରହି ନିଇତି କୁକୁଡ଼ା ମୋଡ଼ି ଖାଇଲେ ଏଵଂ କେତେକ ଦିନ ପରେ ବାହୁଡ଼ିଗଲେ । ମୋର ମନେ ଅଛି ସେତେବେଳେ ମୋ ଆଗରେ ମୋର କିଛି ଗାଆଁ ଭାଇ ଭଉଣୀ ପୁଟସାହି ଲୋକଙ୍କ ନିନ୍ଦା କରିଵାରୁ ମୁଁ ସେମାନଙ୍କୁ ରାଷ୍ଟ୍ରଵାଦ ଵିଷୟରେ କେତେକ କଥା କହି ନିଜର ଵିଚାର ପ୍ରକଟ କରିଥିଲି । 

ତେବେ ଉଭୟ ଗାଆଁ ମଧ୍ୟରେ ଏ ଵିଵାଦ ଗୋଟିଏ ଵ୍ୟକ୍ତିଗତ ଝଗଡ଼ାରୁ ଆରମ୍ଭ ହୋଇଥିଲା ବୋଲି ପରେ ଲୋକଙ୍କଠାରୁ ପଚାରି ବୁଝିଲି । ଆଜକୁ ପ୍ରାୟ ପଚାଶ ଵର୍ଷ ତଳେ ତଳକନ୍ତିଓ(ଵର୍ତ୍ତମାନ ଗ୍ରାମଠାରୁ ଦେଢ଼ କିମି ଦକ୍ଷିଣରେ ଵା ମାନଚିତ୍ରର ପୂର୍ଵରେ ବ୍ରାହ୍ମଣୀ ନଦୀ କୂଳରେ ପୁରୁଣା କନ୍ତିଓ । ଆଗେ ଏଇଠି ଗାଆଁ ଥିଲା, ଷାଠିଏ ଦଶକରେ ଲୋକେ ଉପରକୁ ଉଠି ଆସିଛନ୍ତି)ରେ ଦୁଇଜଣ ଲୋକଙ୍କ ମଧ୍ୟରେ ଶିଵମନ୍ଦିର କାହାର ଏହି ପ୍ରସଙ୍ଗରେ ଵିଵାଦ ହୋଇଯାଇଥିଲା । ପୁଟସାହିର ଲୋକ କହିଲା ଆମର,କନ୍ତିଓ ଲୋକ କହିଲା ଆମର । ଏହି ଵ୍ୟକ୍ତି ଵିଵାଦ କ୍ରମେ ପଞ୍ଚାୟତ ଵିଵାଦର ରୂପ ନେଲା । ସେବେଠାରୁ ଉଭୟ ଗ୍ରାମର ଲୋକଙ୍କ ମଧ୍ୟରେ ଗୋଟିଏ ହିଂସା ଦ୍ଵେଷ ଭାଵ ରହିଲା ଏଵଂ ମଝିରେ ମଝିରେ ଦେଖିଵାକୁ ମିଳିଲା । ଆଜକୁ ବାର ଵର୍ଷ ତଳର ଵିଵାଦ ବି ଗୋଟିଏ ଵ୍ୟକ୍ତିଗତ ଵିଵାଦ ହିଁ ଥିଲା କିନ୍ତୁ ତାକୁ ଗାଆଁ ଲୋକେ ଫେଣେଇ ପଞ୍ଚାୟତ ଵିଵାଦ କରିଵାକୁ ଚେଷ୍ଟା କରିଥିଲେ । 
ସୌଭାଗ୍ୟକୁ ଵର୍ତ୍ତମାନ ସମୟରେ ଉଭୟ ଗ୍ରାମ ମଧ୍ୟରେ ସେତେ ଵାଦଵିଵାଦ ନାହିଁ କିନ୍ତୁ କେଜାଣେ କେଉଁଦିନ ଦୁର୍ଭାଗ୍ୟ ଉପସ୍ଥିତ ହେଵ ଏଵଂ ପୁଣି କୋଉ ଗୋଟେ ଵ୍ୟକ୍ତିଗତ ଵିଵାଦ ଉଭୟ ଗାଆଁ ମଧ୍ୟରେ ସାମାଜିକ ସାଂସ୍କୃତିକ ଫାଟ ସୃଷ୍ଟି କରିଦେଵ ! ସାଧୁ ଏ ଵ୍ୟକ୍ତିଗତ ଵିଵାଦ ଗୋଟିଏ ଗୋଟିଏ ଦିଆସିଲି କାଠି ତାକୁ କୁଟାକାଠି ଲୁଣ୍ଡା ଧରେଇଲେ ବଢ଼େଇଲେ ସେ ପୂରା ଗାଆଁ ବି ଜଳେଇ ପାରେ । ଆଗରୁ ବି ଏମିତି ହୋଇଛି ଭଵିଷ୍ୟତରେ ବି ହେଵ !!!

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...