Sunday, December 2, 2018

ଢପୋରଶଂଖ ଓ ଡମ୍ଫା ; ସମଧୃତ କି ?

ସମାଜରେ ଏମିତି ବହୁତ ଲୋକ ଅଛନ୍ତି ଯୋଉମାନଙ୍କ କାମ କମ୍ ଖଥା ବେଶୀ...
ଯେତେବେଳେ କାମ୍ କମ୍ ହୋଇଯାଏ ସେତେବେଳେ ସ୍ଵକୃତ୍ୟ ଛୋଟ କାର୍ଯ୍ୟକୁ ବଡ଼ କରି ଦେଖେଇବା ତଥା ତହିଁରୁ ମାନସିକ ଶାନ୍ତି ପାଇବା ହେତୁରୁ ବହୁତ ଶ୍ରମ କରିବାକୁ ଯାଇ କେତେ ଯେ ସତ ମିଛ କହିବାକୁ ହୋଇଥାଏ ।
ଏମିତି ମିଛୁଆ ଲୋକଙ୍କୁ ସମାଜରୁ ଗୋଷ୍ଠପଣ୍ଡିତ,ଗପଡି଼ ତଥା ଭୁରୁଡା଼ ଆଦି ଉପନାମ ମିଳିଥାଏ ।

ଆମ ଭାଷାରେ ଏଭଳି କୃତ୍ୟକୁ
ଦାମ୍ଭିକପଣ,ଚାତର,ଢଢମ,ମୁହଁ ଭୁରୁଡୁ଼,ପୁରୁଢ଼ି(ଡି଼) ଵା ପ୍ରୌଢୀ଼ ତଥା ମୁହଁ ବାଲିଙ୍ଗିପଣ କୁହାଯାଏ ।

ହିନ୍ଦୀରେ ଏଭଳି ଲୋକଙ୍କୁ ଢପୋରଶଂଖ କୁହାଯାଏ ।  ଏହା ସହିତ ସମଧୃତ ଥିବା ଭାଷାକୋଷର ପୃଷ୍ଠା 3219ରେ
କେନ୍ଦ୍ରାପଡା଼ ଅଞ୍ଚଳରେ ପ୍ରଚଳିତ ଏକ ଶବ୍ଦ
‛ଡଫଲ ଶଙ୍ଖ’ ର ଉଲ୍ଲେଖ ରହିଛି ।ଏଵଂ ହିନ୍ଦୀର ‛ଢପୋର ଶଂଖ’ ଶବ୍ଦ ସହିତ ଏହାର ଅର୍ଥ ମିଶିଯାଏ ।

ଉଭୟ ଶବ୍ଦର ଅର୍ଥ ହେଲା :―
‛ଯେ  ତିଳକୁ ତାଳକରି କହିବୁଲେ;ବାହାପିଆ’

ବୃହତ ହିନ୍ଦୀ ଶବ୍ଦକୋଷ ଅନୁସାରେ
“ଢପୋର ଶଂଖ ଶବ୍ଦର ମାନକ ରୂପ ‘ଢପୋଲ ଶଙ୍ଖ’ ଅଟେ (କେଉଁଠି କେଉଁଠି ଡଫୋର(ଲ) ଶଙ୍ଖ ବି ଚଳୁଅଛି) । ଢପୋଲ ଶବ୍ଦର ଵ୍ୟୁତ୍ପତ୍ତି ସଂସ୍କୃତ ଦର୍ପଵତ୍ ରୁ ହୋଇଅଛି । ସଂସ୍କୃତର ଦର୍ପଵତ୍ ଶବ୍ଦ ପ୍ରାକୃତରେ ଦପ୍ପୁଲ୍ଲ ଅଟେ ।
ପ୍ରାକୃତ ‛ଦପ୍ପୁଲ୍ଲ’ ଶବ୍ଦ କାଳାନ୍ତରରେ ‛ଦପୁଲ୍ଲ’ ରୁ ‛ଦପୁଲ’ ହୋଇ ଶେଷରେ ‛ଢପୋଲ’ ତଥା ‛ଢପୋର’ ହୋଇଯାଇଛି ।”

ତେବେ ପୂର୍ଣ୍ଣଚନ୍ଦ୍ର ଭାଷାକୋଷର ଅନୁଶୀଳନରୁ ଏ ଶବ୍ଦର ସମ୍ପୂର୍ଣ୍ଣ ଭିନ୍ନ ଦିଗ ମିଳିଥାଏ । 

ଭାଷାକୋଷର ୩୨୧୯ ତମ ପୃଷ୍ଠାରେ ‛ଡଫୋର’ ବୋଲି ଏକ ଶବ୍ଦ ଗଡ଼ଜାତ ଅଞ୍ଚଳରେ ଚଳୁଥିବା ଉଲ୍ଲେଖ ରହିଛି ଏଵଂ ଏହି ଶବ୍ଦ ପାଖରେ ଡମ୍ଫା ଦେଖ ଲେଖା ହୋଇଛି ।

ଡମ୍ଫା ଶବ୍ଦ ଏହି ଅବିଧାନର 3222ତମ ପୃଷ୍ଠାରେ ରହିଛି । ଡମ୍ଫା ଶବ୍ଦ ସହ ଦମ୍ଭ ଶବ୍ଦର ସମଧୃତଗତ ସମ୍ପର୍କ ଥିବା ତଥା ଏ ଶବ୍ଦର ମୂଳ ଵୈଜ୍ଞାନିକ କ୍ଷୁଦ୍ରରୂପ ଡମ୍ଫ ଧାତୁ ବୋଲି କୁହାଯାଇଛି ।

ଏହି
ଡମ୍ଫା[ଵିଶେଷଣ]ଶବ୍ଦର ଅନେକ ଅର୍ଥ
ଯଥା:-
୧■ଡବାଡବା; ବାଦଦୂକ, ପ୍ରଗଲ୍ଭ; ବହୁଭାଷୀ
୨■ଆଗଚଲା; ଆଗବୋଲା
୩■ ଉଦ୍ଧତ
୪■ଫମ୍ଫା; ପୋଲା(ଡବା;ଦର୍ଵି)
୫■ ଯେ ଖୁବ୍ କହେ କିନ୍ତୁ କାର୍ଯ୍ୟରେ କିଛି କରେ ନାହିଁ
୬■[ଵିଶେଷ୍ୟ]—ଆନଦ୍ଧ ବାଦ୍ଯବିଶେଷ; ଡେମ୍ଫ ନାଗରୀ

ଏଠାରେ ଡମ୍ଫା ଶବ୍ଦର ପ୍ରଥମ ତଥା ପଞ୍ଚମ ଅର୍ଥ ସହିତ ଡଫଲଶଙ୍ଖ ଓ ଡଫୋର ଶଙ୍ଖ ଶବଦ୍ଵ୍ୟର ଆର୍ଥଗତ ସାମଜସ୍ୟ ସହଜେ ଅନୁମେୟ ।
ତେଣୁ ଭାଷାକୋଷ ଅନୁସାରେ
ଡଫୋର,ଡଫଲ,ଡଫା,ଡମ୍ଫାଳିଆ ଆଦି ଶବ୍ଦ ସମଧୃତ ଅଟେ ।

‛ଡମ୍ଫା’ ଓ ଢପୋରଶଙ୍ଖ ର ‛ଢପୋର’ ଶବ୍ଦଦ୍ଵୟ ଯେ ସମଧୃତ ଏ ଵିଷୟରେ କେତେକ ଯୁକ୍ତିଯୁକ୍ତ ମତ -

◆―ହିନ୍ଦୀରେ ‛ଡଫୋରନା’ ବୋଲି ଏକ କ୍ରିୟାଶବ୍ଦ ରହିଛି ଯାହାର ଅର୍ଥ ଚିତ୍କାର କରିବା ଅଟେ । କୁହାଯାଏ ଡଫୋରରୁ ହିଁ ଡଫୋରନା କ୍ରିୟାଶବ୍ଦ ହୋଇଅଛି । ଡଫୋର ର ଏକ ଅର୍ଥ  ବେଶୀ କୁହା ଗୁଣ ଆଉ ବେଳେ ବେଳେ ଅଧିକ କହୁଥିବା ଲୋକ ଭାଵାଵେଗରେ ଚିତ୍କାର ବି କରିପକାନ୍ତି । ପୁଣି ଚିତ୍କାର କଲାବେଳେ ଜଣେ ଭୀଷଣ ଶବ୍ଦ କରେ ।  ଏଣୁ
ଓଡ଼ିଆ ଭାଷାର
→ଡମ୍ଫା,ଡଫା ଡମ୍ଫ ଧାତୁ,ଦମ୍ଭ ଧାତୁ
→ଡମ୍ଫ ଓ ଦମ୍ଭ ଧାତୁ ସହ ସମଧୃତ ସମ୍ପର୍କ ଥିବା ଡମ୍ ଧାତୁ ଯହିଁରୁ ଡଭରା, ଡହରା,ଡମ୍ବର,ଡମ୍ବରୁ ଆଦି ଶବ୍ଦ ନିଷ୍ପନ୍ନ କରାଯାଇଛି
ଏ ସମସ୍ତ ଶବ୍ଦଗୁଡି଼କର ମୂଳ ଓ ମୂଖ୍ୟ ଅର୍ଥ  ଶବ୍ଦ କରିବା ହିଁ ଅଟଇ ।

◆―ଦର୍ପ ଶବ୍ଦର ମୂଳ ଵୈଜ୍ଞାନିକ କ୍ଷୁଦ୍ରରୂପ
ଦୃପ ଧାତୁ ନିର୍ଣ୍ଣୟ କରାଯାଇଛି
ଏହି ଦୃପ୍ ଧାତୁର ଦୁଇଟି ମୁଖ୍ୟ ଅର୍ଥ
―ସଂଦୀପ୍ତ କରିବା
―ଅହଂକାର କରିବା

ଦୀପ୍ତି ପାଇବା ଅର୍ଥରେ ଦର୍ପଣ ଶବ୍ଦକୁ ନିଷ୍ପନ୍ନ କରାଯାଇଥିଲା ବେଳେ  ଅହଂକୃତ ହେବା ଅର୍ଥରୁ ଦର୍ପ ଶବ୍ଦକୁ ନିଷ୍ପନ୍ନ କରାଯାଇଛି ।
ଦୃପ୍ ଧାତୁର ମୂଳ ଅର୍ଥ ମଧ୍ୟରେ ଶବ୍ଦ କରିବା ନାହିଁ  ଏଣୁ ବହୁତ ସମ୍ଭଵ ଦର୍ପଵତ୍ ନୁହେଁ ଵରଂ ଦମ୍ଭ,ଡମ୍ଫା,ଡଫା ଆଦି ଶବ୍ଦ ଗୁଡି଼କ ଏହି ଢପୋର ଶବ୍ଦ ସମଧୃତ ଅଟଇ...

No comments:

Post a Comment

ଓଡ଼ିଆ ସାହିତ୍ୟରେ ରାଣ୍ଡ ଓ ରାଣ୍ଡୀ ଶବ୍ଦର ଵ୍ୟଵହାର ଓ ଏହାର ଵ୍ୟୁତ୍ପତ୍ତି ଇତିହାସ

କନ୍ୟାସୁନା ଗଳ୍ପରେ ଫକୀର ମୋହନ ସେନାପତି ରାଣ୍ଡ ଶବ୍ଦକୁ ଵିଧଵା ଅର୍ଥରେ ଦୁଇଥର ପ୍ରୟୋଗ କରି ଲେଖିଛନ୍ତି... “ମିଶ୍ରେ କହିଲେ, "ସେ କଥା ଏ କଥା ଢେର ତଫାତ୍ । ସେ ...