ପଞ୍ଜାଵୀରେ ଛୋଟ ଵା ସାନ ଅର୍ଥରେ ଦୁଇଗୋଟି ନିଆରା ଶବ୍ଦ ଵ୍ୟଵହୃତ ହୋଇଥାଏ
★ନିକ୍କା
★ଡୁଙ୍ଗା
ଆଧୁନିକ ଭାଷାଵିଦ୍ ନିକ୍କା ଶବ୍ଦକୁ ସୌରସେନୀ ପ୍ରାକୃତରୁ ଆସିଥିଵା ତଥା ଏ ଶବ୍ଦ ଟି ସଂସ୍କୃତର ନିକ୍ତ ଶବ୍ଦ ସହିତ ସମଧୃତ ବୋଲି ମତ ଦିଅନ୍ତି ।
ନିକ୍ତ ଓ ନିକ୍କା ସମଧୃତ ହେଲେ ହେଁ ଉଭୟ ଶବ୍ଦ ଦ୍ଵୟର ଅର୍ଥ ମଧ୍ୟରେ ବହୁତ ଭିନ୍ନତା ଦେଖାଯାଇପାରେ ।
ନିକ୍କା ଶବ୍ଦର ଅର୍ଥ ଅତି ଛୋଟ ହୋଇଥିବା ବେଳେ ସଂସ୍କୃତ ନିକ୍ତ ଶବ୍ଦର ଅର୍ଥ―
◆ଧୌତ
◆କ୍ଷାଳିତ; ପରିଷ୍କୃତ
ଅଟେ...
ଅର୍ଥାତ୍ ଉଭୟ ଶବ୍ଦ ମଧ୍ୟରେ କୌଣସି ଆର୍ଥିକ ସାମ୍ୟ ହିଁ ଦୃଶ୍ୟମାନ ହେଉନାହିଁ । ଏଠାରେ ସୂଚନାଯୋଗ୍ୟ ଯେ ଏହି ନିକ୍ତ ଶବ୍ଦ ସହିତ ଓଡ଼ିଆଭାଷାର―ନିକ(ଭଲ),ନିକେଇବା(ସଫାକରିବା,ବାଛିବା)ଆଦି ଶବ୍ଦର ସମଧୃତଗତ ସମ୍ପର୍କ ରହିଛି ।
ତେବେ ପ୍ରଶ୍ନ ହେଲା― କଣ୍ ଓଡ଼ିଆ ଭାଷାରେ ବି ନିକ୍କା ଶବ୍ଦ ପରି କୌଣସି ଶବ୍ଦ ରହିଛି କି ?
ଉତ୍ତର ହେଲା ହଁ ରହିଛି ...
ହେଲେ
ଯଦି ଆପଣ ଓଡ଼ିଆ ଭାଷାର ‛ନିକା’ ଶବ୍ଦ ଵିଷୟରେ ଭାବୁଛନ୍ତି ତେବେ ହୁଏତ ତାହା ଆମର ଆଲୋଚ୍ୟ ଶବ୍ଦ ‛ନିକା/ନିକ୍କା’ ସହିତ ସମଧୃତ ହୋଇ ପାରେ ନ ବି ହୋଇପାରେ
କାରଣ ଗଡ଼ଜାତରେ ‛ନିକା ସାନ’ ଵା ‛ନିକା ଛୋଟ’ ଶବ୍ଦ ଵ୍ୟଵହାର ବେଳେ ଯେଉଁ ‛ନିକା’ ଶବ୍ଦ ଵ୍ୟଵହାର ହୁଏ ତାହାର ଅର୍ଥ ଆଦୌ ଅଟେ ବୋଲି ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଏ ଶବ୍ଦ ତଳେ ନୋଟ ଅଛି କିନ୍ତୁ ଏ ଉଭୟ ଶବ୍ଦ ଭାଷାକୋଷରେ ମିଳୁନାହିଁ ହେଲେ ଲୋକଙ୍କ ଦ୍ଵାରା ଵ୍ୟଵହାର ହେଉଥିବା ଦୃଷ୍ଟିଗୋଚର ହୋଇଥାଏ । ସେ ଯାହା ହେଉ ଯଦି ‛ନିକା ସାନ’ ଵା ‛ନିକା ଛୋଟ’ ଶବ୍ଦ ଦ୍ଵୟ ସହଚର ଶବ୍ଦ ବୋଲି ପ୍ରମାଣିତ ହୋଇପାରନ୍ତା ତେବେ ଏ ଶବ୍ଦକୁ ନିକ୍କା ଶବ୍ଦ ସହିତ ସମ୍ବନ୍ଧିତ ବୋଲି ଵିଶ୍ଵାସ ଜନ୍ମନ୍ତା ।
ତେବେ ସମ୍ଭଵତଃ ନିମ୍ନଲିଖିତ ଶବ୍ଦ ଗୁଡି଼କ ହୁଏତ ଆମ ଭାଷାରେ ‛ନିକ୍କା’ ଶବ୍ଦ ସହିତ ସମଧୃତ ଥିଵା ଶବ୍ଦ ଏଵଂ ବହୁତ ସମ୍ଭଵ ଏସବୁ ଉଡ୍ର ପ୍ରାକୃତ ଵା ପାଲି ଭାଷା ଦେଇ ସମୁତ୍ପନ୍ନ ହୋଇଅଛି ।
●ଆପଣ ଜାଣିଥିବେ ଓଡ଼ିଆ ଭାଷାରେ ନିଖ ବୋଲି ଶବ୍ଦଟେ ଅଛି ,ନିଖ ଶବ୍ଦର ଵିଶେଷ୍ୟ ଅର୍ଥ ଉକୁଣୀଙ୍କ ଡିମ୍ବ; ଲିଖ ଅଟେ ଏଵଂ ଏହା ସଂସ୍କୃତର ନିକ୍ଷା; ଲିକ୍ଷା ସହିତ ସମଧୃତ
କିନ୍ତୁ ଆଉ ଏକ ନିଖ ଶବ୍ଦ ଅଛି ଯାହା ଵିଶେଷଣ ଭାବେ ଵ୍ୟଵହୃତ ହୋଇଥାଏ ଯାହାର ଅର୍ଥ
ଅତି କ୍ଷୁଦ୍ର—(Tiny; minute) ଅଟେ ।
●ଓଡ଼ିଆ ଭାଷାର ନିଖିଏ ବୋଲି ଆଉ ଏକ ଶବ୍ଦ ରହିଛି ଯାହାର ସମ୍ପର୍କ ବହୁତ ସମ୍ଭଵ
ନିକ୍କା ଶବ୍ଦ ସହିତ ଥାଇପାରେ । ଏ ଶବ୍ଦର ଵିଶେଷ୍ୟ ଅର୍ଥ —ଅତି ସାମାନ୍ଯ ପରମାଣ
ଏଵଂ
ଵିଶେଷଣ ଅର୍ଥ—ଅତି ସାମାନ୍ଯ
●ନିଖିଏ ଶବ୍ଦର ଅର୍ଥ ସହିତ ଟିକିଏ ଶବ୍ଦର ଅର୍ଥ ମିଶିଯାଏ ଵା ଉଭୟ ଶବ୍ଦ ସମାର୍ଥକ ତେଣୁ ଆମ ଭାଷାରେ ଏକ ସହଚର ଶବ୍ଦ ଚଳିବାକୁ ଲାଗିଲା ‛ଟିକିଏ ନିଖିଏ’ ।
ଏହି ସହଚର ଶବ୍ଦଟିର...
ଵିଶେଷ୍ୟ ଅର୍ଥ→ଅତି ସାମାନ୍ଯ ପରିମାଣ; ବକଟେ
→ଵିଶେଷଣ ଅର୍ଥ:-ଅତି ସାମାନ୍ଯ ବା ଅଳ୍ପ
→ଦେଶଜ କ୍ରିୟା/ଵିଣ. ଅର୍ଥ―ଅତି ସାମାନ୍ଯ ପରିମାଣରେ
●ଆଉ ଏକ ଓଡ଼ିଆ ଶବ୍ଦ ରହିଛି
ନିଖିରୀ ଯାହାର ଵିଶେଷଣ ଅର୍ଥ
ଅତି କ୍ଷୁଦ୍ର ଏଵଂ କେଉଁଠି କେଉଁଠି ଏ ଶବ୍ଦଟି
ନିଖେଈ ବି ହୋଇଯାଏ । । ଆଗେ ସ୍ତ୍ରୀମାନଙ୍କୁ ନିଖାରୀ/ନିଖେଈ ନାମ(ଡାକନାମ) ଦିଆଯାଉଥିଲା ତେବେ ଆଜିକାଲି ଝିଲି ମିଲି ପିଙ୍କି ଫିଙ୍କି ଭଳି ଭେଳିକି ନାମ ଦିଆଯିବା ଯୋଗୁଁ ଆଉ ଏ ନାମ କ୍ଵଚିତ ଦେଖାଯାଏ ।
●ନିକୁଛ ଏଵଂ ନିକୁଛିଆ ଵା ନିକୁଚିଆ ବୋଲି ଆଉ କେତେକ ଶବ୍ଦ ଚଳୁଅଛି । ଯେଉଁ ଲୋକ ଅତି ଛୋଟ ହୋଇଯାଏ ଵା ଛୋଟଲୋକି କର୍ମକରେ ତା ପାଇଁ ଏସବୁ ଶବ୍ଦ ଵ୍ୟଵହୃତ ହୋଇଥାଏ ।
ଉପରୋକ୍ତ ଓଡ଼ିଆ ଶବ୍ଦଗୁଡି଼କୁ ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ସଂସ୍କୃତ ‛ନିକ୍ଷା’ ଶବ୍ଦ ସହିତ ସମଧୃତ ଥିବା ଉଲ୍ଲେଖ କରାଯାଇଛି । ଏ ସମସ୍ତ ଶବ୍ଦକୁ ସଂସ୍କୃତ ନିକ୍ଷା ସହିତ ସମଧୃତ କୁହାଯାଇଥିଲେ ହେଁ ନିକ୍ଷା ଶବ୍ଦର ଅର୍ଥ କିନ୍ତୁ ଛୋଟ ନୁହେଁ କିନ୍ତୁ ଉକୁଣୀର ସବୁଠାରୁ ଛୋଟ ଅଵସ୍ଥା ହେଉଛି Nit ଵା ନିଖ(ଲିଖ) ଅଵସ୍ଥା ।
ବୋଧହୁଏ ମୂଳ ଶବ୍ଦରୁ ନିକ୍କା,ନିଖିଏ ଓ ନିଖ ଵା ଲିଖ ଆଦି ଶବ୍ଦ ଭିନ୍ନ ଭିନ୍ନ ଅର୍ଥରେ ଵ୍ୟଵହାର ହେବା ଆରମ୍ଭ ହୋଇ ଚଳିଥିବ ।
ପୁଣି ସଂସ୍କୃତର ନିକ୍ଷା,ଲିକ୍ଷା ଵା ରିକ୍ଷା ଶବ୍ଦଟି ବହୁତ ଵ୍ୟାପକ ଏଵଂ ଏହି ଶବ୍ଦ ସହିତ ସମଧୃତ ଥିଵା ଭାରୋପୀୟ ଭାଷାର ଵିଭିନ୍ନ ଭାଷାରେ ଭିନ୍ନ ଭିନ୍ନ ରୂପ ତଥା ଅର୍ଥ ଧାରଣ ପୂର୍ଵକ ଅନେକ ଶବ୍ଦ ଚଳୁଅଛି
ଉଦାହରଣ ସ୍ୱରୂପ:-
★ସଂସ୍କୃତ―ରିକ୍ଷା, ଲିକ୍ଷା,ନିକ୍ଷା(a nit(= लिक्षा),रिक्षा f. a mote in a sunbeam(M.W.)
★ଓଡ଼ିଆ―ନିକ୍ଷା,ନିଖ(Nit,small)
★ପାର୍ସୀ―رشک(rišk)(nit)
★ଲାଟିନ୍―ricinus(tick,castor,croton(a kind of plant),mulberryseeds)
―ଏଠାରେ ଧ୍ୟାନ ଦେଲାଭଳିଆ କଥା ହେଲା―
●→ନିକ୍କା ଶବ୍ଦ ସହିତ ନିକ୍ତ ଶବ୍ଦର କୌଣସି ଶାବ୍ଦିକ ଅର୍ଥଗତ ସାମଜସ୍ୟ ଦୃଷ୍ଟିଗୋଚର ହେଉନାହିଁ
●→ହେଲେ ଓଡ଼ିଆ ଭାଷାର ନିଖ,ନିଖିଏ,ନିକୁଛିଆ ଆଦି ଶବ୍ଦର ଅର୍ଥ ସହିତ ଏହି ନିକ୍କା ଶବ୍ଦର ପ୍ରାୟତଃ ମିଶିଯାଏ ।
No comments:
Post a Comment