Saturday, December 8, 2018

●ରାଜାଙ୍କର ଦୈନନ୍ଦିନୀ ପାଇଁ ପ୍ରଚଳିତ ଥିଲା ସ୍ଵତନ୍ତ୍ର ଶବ୍ଦ●

ଆଜିକାଲି ରଜା-ପ୍ରଜାଙ୍କ ମଧ୍ୟରେ ସେମନ୍ତ କିଛି ଭେଦ ରହିଯାଇନାହିଁ କିନ୍ତୁ ଆଗକାଳରେ ଏମନ୍ତ ନଥିଲା । ଆଗେ ସନାତନିମାନେ ରାଜାଙ୍କୁ ଦେଵତା ସମ ମାନ୍ୟ କରୁଥିଲେ ଏଵଂ ଏଥିପାଇଁ ସାଧାରଣଜନଙ୍କ ପ୍ରତି ଯେଉଁ ଯେଉଁ ଶବ୍ଦ ଵ୍ୟଵହାର କରାଯାଉଥିଲା ରାଜାଙ୍କ ପ୍ରତି ସେ ଶବ୍ଦମାନ ଵ୍ୟଵହୃତ ହେଉନଥିଲା । ରାଜାଙ୍କର ଦୈନିକ କ୍ରିୟାକଳାପକୁ 'ନିତି' ବୋଲା ଯାଉଥିଲା । ରାଜପୁରୁଷଙ୍କର ଭିନ୍ନ ଭିନ୍ନ ନିତିମାନଙ୍କର ମଧ୍ଯ ଵିଶେଷ ଵିଶେଷ ନାମ ରହିଛି। ତାଙ୍କର ଘରଦ୍ବାର, ହାତୀ ଓ ଘୋଡ଼ା ଇତ୍ଯାଦିଙ୍କର ମଧ୍ଯ ସ୍ବତନ୍ତ୍ର ନାମ ଅଛି। ରାଜାଙ୍କୁ ଛାମୁ, ମଣିମା, ଗୋସେଈଁ,ହଜୁର୍ ବୋଲି ସମ୍ବୋଧନ କରାଯାଏ। ଏଠାରେ ଉଦାହରଣ ସ୍ବରୂପ ରାଜାଙ୍କ ସମ୍ବନ୍ଧେ ବ୍ଯବହୃତ କେତେକ ଶବ୍ଦ ଓ ବାକ୍ଯ ଦିଆଗଲା...

●ରଜାଙ୍କ ନିକଟ—ରଜାଙ୍କ ଛାମୁ
●ରଜାଙ୍କ ଘର—ନଅର, ନବର
●ରଜାଙ୍କ ଅନ୍ତଃପୁର—ଉଆସ, ନହର,ଅନ୍ତଃପୁର
●ରଜାଙ୍କ ଅଗଣା—ପାଟ ଅଗଣା
●ରଜାଙ୍କ ଵ୍ୟଵହାର୍ଯ୍ୟ ହାତୀ—ପାଟ ହାତୀ
●ରଜାଙ୍କ ଘୋଡ଼ା—ପାଟ ଘୋଡ଼ା
●ରଜାଙ୍କ ନିଦ୍ରା—ପହଡ଼
●ରଜାଙ୍କ ଚେଇଁ ଶୋଇବା—ଚିଆଁ ପହଡ଼
●ପାନ ଖାଇବା—ବିଡ଼ିଆଲାଗି ହେବା
●ଦାନ୍ତଘସା—ଦାନ୍ତୁଆଣି;
●କାଠଲାଗି ଭୋଜନ—ମୁଣେହି, ଯୋଗଣ,
ଠାଆଲାଗି
●ଜଳଖିଆ—ଶୀତଳ ମୁଣୋହିଁ
●ଦୁଧ ପିଆ—ଓଖର ଯୋଗଣ
●ଗାଧୁଆ—ମାଜଣା, ଦେହପାଣି
●ବସିବା—ବେହେରଣ
●ବସିବା【ମେଲା】—ବେହେରଣ ମଣ୍ଡପ
●ଔଷଧ ଖାଇବା—ଓଷଦ ଯୋଗଣ
●ଜୋତା ପିନ୍ଧିବା—ମହତ୍ରାଣ ଲାଗି
●ଅନ୍ଧାରରେ ଵା ରାତ୍ରିରେ, ଛଦ୍ମଵେଶରେ ବୁଲିଯିବା—ଅନ୍ଧାରି ଵିଜେ
●ଖିଅର ହେବା—ମୁଖ ସିଂଘାର; ପନିଅରି ●ଝାଡ଼ା ଫେରିବା—ଶୁଳେଇ ବିଜେ
●ଲୁଗା ପିନ୍ଧିବାଖଟଣିଲାଗି,ତଡ଼ପଲାଗି
●ପୀଡ଼ିତ ହେବା—ଶ୍ରୀଅଙ୍ଗ ଅଳସ ହେବା
●ଝାଡ଼ା ଫେରି ଆସି ମାଟିହାତ କରିବା— ଧୂଳିପାଣି ବଢ଼ିବା
●ତେଲ ଲଗାଇବା—ଫୁଲୁରି ଲାଗି, ମର୍ଦ୍ଦନ
●ଶିକାର କରିବା—ପାରିଧି, ଆଡ଼ିଯିବା,
●ଆସିବା, ଉପସ୍ଥିତ ହେବା—ବିଜେ କରିବା; ବିଜେ ହେବା
●ଠାକୁର ପୂଜା—ଦେଵାର୍ଚ୍ଚନ
●ଵିଵାହ—ମଙ୍ଗଳକୃତ୍ଯ ମହାପ୍ରସାଦ
● ନିର୍ବ୍ବନ୍ଧ—ପାଟମୁଦି,ଟୀକା
●ବେଶ ହେବା—ଶିଂଘାର ବଢ଼ିବା
●କୌଣସିସ୍ଥାନରୁ ଫେରି ଆସିବା—ବାହୁଡ଼ା ବିଜେ କରିବା
●ରଜା କେଉଁଠାକୁ ଯିବାବେଳେ, ରଜା ଆଗେ ଆଗେ ଜଣେ, ପାଇବ ଡ଼ାକିଡ଼ାକି ବାଟ କଢ଼େଇବା—ପହଣ୍ଡ ମଣେଇବା
●ରାଜାଙ୍କ ପିନ୍ଧିବା ଲୁଗା—ଖଟଣୀ, ତଡ଼ପ
●ରାଜାଙ୍କ ଧନାଗର— ଭଣ୍ତାର
●ବସ୍ତ୍ରାଗାର—ଗନ୍ତା, ଗନ୍ତାଘର
●ରଜାଙ୍କ ପାଖକୁ ଦୋଷୀ ବ୍ଯକ୍ତିକୁ, ଯିବାର ନିଷେଧାଜ୍ଞା—ଛାମୁ ମନା
●ରଜାଙ୍କ ଚିଠି—ଚିଟାଉ
●ମୁଣ୍ଡ—ଗଭା
●ରଜାଙ୍କ ଦେହ—ଶ୍ରୀଅଙ୍ଗ
●ରଜାଙ୍କ ହାତ—ଶ୍ରୀହସ୍ତ
●ରଜାଙ୍କ ହାତ ବାକ୍ସ—ଶ୍ରୀହସ୍ତ ବାକ୍ସ
●ରଜାଙ୍କ ବ୍ଯବହୃତ ଅନ୍ନ—ଓରିଆ
●ରଜାଙ୍କ ଲଗାଇବା ତେଲ—ଫୁଲୁରି
●ରଜାଙ୍କ ଗୋଡ଼—ପାଆ,ପୟର
●ରଜାଙ୍କ ପ୍ରଧାନ ରାଣୀ—ପାଟରାଣୀ, ପାଟ ମହାଦେଈ, ପାଟମଣିମା
●ରାଜାଙ୍କ କନ୍ଯାଭାରିଜା—ନୂଆମଣିମା, କନ୍ଯାମଣିମା
●ରାଜାଙ୍କ ସାଧାରଣ ସ୍ତ୍ରୀ—ମହାଦେଈ
●ରାଜାଙ୍କ ରକ୍ଷିତା ଦାସୀ—ବେହେରାଣୀ
●ରାଜାଙ୍କ ଅନୁଗୃହୀତା ଦାସୀ—ଛାମୁଆ, ଝରାରାଜା ଫୁଲଟିଏ ଦେଇ ଗାନ୍ଧର୍ବ, ମତରେ ମନୋନୀତ କରିବା ସ୍ତ୍ରୀ—ଫୁଲବାଈ[ଏହିପରି ମାଳବାଈ, ଚଉକିବାଈ ଆଦି ଶବ୍ଦ ଅଛି]
●ରଜାଙ୍କ ବଡ଼ ପୁଅ—ଗମ୍ଭୀରି ସାଆନ୍ତ; ଦେଉ; ପାଟଦେଉ; ଟିକାଏତ
●ବଡ଼ପୁଅଙ୍କ ତଳିପୁଅ—ପଟାଏତ
●ଅନ୍ଯ ରାଜପୁତ୍ରଗଣ—ଲ୍ସାଲ୍ ସାହେବ; ରାଉତରା
●ରାଜାଙ୍କ ଭାୟା ବା କୁଟୁମ୍ବୀ—ବିରାଦର; ସାଆନ୍ତ; ଭାଇପୁଅ
●ରାଜାଙ୍କ ଦାସୀପୁତ୍ର—ଅନ୍ତର
●ରଜାଙ୍କ ଝିଅ—ଜେମା, ଜେମାଦେଈ, ଜେମାଦେଈ ମଣିମା
●ରଜାଙ୍କ ଗୃହପାଳିତା ଦାସୀ—ଘରଝିଅ
●ରଜାଙ୍କ ପାଚିକା ବ୍ରାହ୍ମଣୀ—ନାନୀ
●ପାଚକ—ସୁଆର,ମହାସୁଆର
●ଆଗନ୍ତୁକମାନଙ୍କ, ଚର୍ଚ୍ଚା ବୁଝିବା ଲୋକ—ଚର୍ଚ୍ଚା ବେହେରା,ଚର୍ଚ୍ଚାଇତ
●ରଜାଙ୍କ ପିନ୍ଧାଲୁଗାର ଓ, ଅଳଙ୍କାରାଦିର ରକ୍ଷକ—ଚାଙ୍ଗଡ଼ା ମେକାପ
●ଭଣ୍ଡାର ଘର ରକ୍ଷକ—ଗନ୍ତାଇତ; ମେକାପ
●ରାଣୀଙ୍କ ଭଣ୍ଡାର, ରକ୍ଷିକା ଦାସୀ—ସରାଣୀ, ଗନ୍ତାଣୀ, ଗନ୍ତାଘରିଆଣୀ
●ଗୀତ ଗାଇବା ଦାସୀ—ଗାଆଣୀ
●ବାଦ୍ଯ ବଜାଇବା ଦାସୀ—ବାଆଣୀ
●ରଜା ଓ ରାଣୀଙ୍କ ସେବାର, ପାଳି ୟାହାର ପଡ଼ିଥାଏ—ପାଳିଆ(ଯଥା—ପାଳିଆ ପାଇକ, ପାଳିଆ ଆପଟ।)
●ରଜାଙ୍କ ଗଉଡ଼—ଆପଟ
●ଅନ୍ତଃପୁରକୁ ଯିବା ଆସିବା କରିବା ପିଲା—ଭିତରିଆ ପିଲା
●ମୃତ ରାଜାଙ୍କ ଅନ୍ତ୍ଯେଷ୍ଠି କ୍ରିୟା କରିବା ବ୍ରାହ୍ମଣ— ପୁଅ ବ୍ରାହ୍ମଣ
●ରାଜାଙ୍କ ଅଙ୍ଗ ସେଵାକାରୀ ଦାସ—ଛାମୁଆ, ପାଖଲୋକଧାଈmdash;ଧାଈବେହେରା, ମୁଦୂସୁଲୀ
●ପାକାର୍ଥ ଦ୍ରଵ୍ୟାଦି ପାଚକ ନିକଟକୁ, ଯୋଗାଇବା ବାଚାକର—ଯୋଗଣିଆ
●ରଜାଙ୍କ ଖାଦ୍ଯଦ୍ରବ୍ଯକୁ ଦେଖି, ପରୀକ୍ଷା କରିବା ବ୍ଯକ୍ତି—ଦେଖୁଣିଆ
●ରାଜାଙ୍କ ଖାଦ୍ଯଦ୍ରବ୍ଯକୁ ପ୍ରଥମେ, ଚାଖି ପରୀକ୍ଷା କରିବା ବ୍ଯକ୍ତି—ଚାଖୁଣିଆ
●ଚପରାସୀ—ଖୁଣ୍ଟିଆ, ଛାମୁଖୁଣ୍ଟିଆ, ଭିତର ଖୁଣ୍ଟିଆ
●ଆର୍ଦ୍ଦଳୀ—ସଙ୍ଖୁଳିଆ; ପଢ଼ିଆରି
●ଯେ ରାଜାଙ୍କୁ ବା ରାଣୀଙ୍କୁ ବେଶ କରେ—ଶିଙ୍ଘାରୀ
●ସର୍ଦ୍ଦାର ବେହେରୀ—ଖଟଣି ସେବକ
●ମେହେନ୍ତର—ମାହାର
●ମୋହରିର—ଛାମୁକରଣ
●ବେଶ୍ଯା—ମାହାରୀ
●ଅନ୍ତଃପୁରର ହିସାବ ରକ୍ଷକ—ନଅର ବିଷୋଈ
●ମନ୍ତ୍ରୀ—ତଢ଼ଉ, ପାତ୍ର, ଖରସୁଧା, ଦେବାନ, ବେବର୍ତ୍ତା
●ପିଆଦା—ପାଇକ
●ପ୍ରହରୀ—ପାହାରୀ ପାଇକ
●ଦେବସେବା କର୍ମଚାରୀ—ପରିଛା, ପରକରଣ, ଦେଉଳ କରଣ, କୋଠକରଣ
●ଗ୍ରାମର ରାଜକର୍ମଚାରୀ—ଦଳେଇ, ଦଳବେହେରା, ପ୍ରଧାନ

ନିମ୍ନଲିଖିତ ଶବ୍ଦଗୁଡି଼କ ମଧ୍ୟରେ କେତେକ ଶବ୍ଦ
ଶ୍ରୀମନ୍ଦିରେ ଵିଜେ ଶ୍ରୀଜଗନ୍ନାଥଙ୍କର ଦେଵନୀତିର ନାମକରଣାର୍ଥେ ଵ୍ୟଵହୃତ ହୋଇଥାଏ । କାରଣ ଏ  କଳିଙ୍ଗଦେଶର ମାତ୍ର ଜଣେ ହିଁ ଶାସକ କେଉଁ ଆଵାହମାନକାଳରୁ ଜନତାଙ୍କ ହୃଦୟଶାସନ କରିଆସୁଛନ୍ତି ପରମଜୈନ,ପରମବୌଦ୍ଧ,ପରମ ଵୈଷ୍ଣଵ ପରମେଶ୍ଵର ପୁରୁଷୋତ୍ତମ ଶ୍ରୀଜଗନ୍ନାଥ !

No comments:

Post a Comment

ଓଡ଼ିଆ ସାହିତ୍ୟରେ ରାଣ୍ଡ ଓ ରାଣ୍ଡୀ ଶବ୍ଦର ଵ୍ୟଵହାର ଓ ଏହାର ଵ୍ୟୁତ୍ପତ୍ତି ଇତିହାସ

କନ୍ୟାସୁନା ଗଳ୍ପରେ ଫକୀର ମୋହନ ସେନାପତି ରାଣ୍ଡ ଶବ୍ଦକୁ ଵିଧଵା ଅର୍ଥରେ ଦୁଇଥର ପ୍ରୟୋଗ କରି ଲେଖିଛନ୍ତି... “ମିଶ୍ରେ କହିଲେ, "ସେ କଥା ଏ କଥା ଢେର ତଫାତ୍ । ସେ ...