ଆପଣଙ୍କର ଏହି ଜଗତରେ ସ୍ଥିତି ବି ବଡ଼ ବଡ଼ ଚମତ୍କାରଠାରୁ କୌଣସି ଗୁଣରେ ଊଣା ନୁହେଁ ।
ଆପଣ ଆପଣଙ୍କର ପିତାମାତାଙ୍କର ସନ୍ତାନ । ଆପଣଙ୍କୁ ଜନ୍ମ ଦେଵା ପାଇଁ ଆପଣଙ୍କ ପିତାମାତା ଏକ ସୁରକ୍ଷିତ ଜୀଵନ ଯାପନ କରି, ପରସ୍ପରକୁ ଉଣ୍ଡିଵା ଏଵଂ ଵିଵାହ କରିଵା ତଥା ସନ୍ତାନ ଉତ୍ପାଦନ କରିଵା ନିତାନ୍ତ ଆଵଶ୍ୟକ ଥିଲା । ସେହିପରି ଆପଣଙ୍କର ପିତାମାତା ନିଜେ ଦୁଇଟି ଭିନ୍ନ ଦମ୍ପତିଙ୍କ ସନ୍ତାନ ସନ୍ତତି ଅଟନ୍ତି । ଏହିପରି ଭାବରେ, ଏହି ଜଗତରେ ରହିଵାର ଶ୍ରେୟ ପୃଥିଵୀ ଇତିହାସରେ ଆପଣଙ୍କର ଲକ୍ଷ ଲକ୍ଷ ପୂର୍ଵପୁରୁଷଙ୍କ ସଫଳ ମିଳନ ଏଵଂ ସନ୍ତାନୋତ୍ପତ୍ତିକୁ ହିଁ ଦିଆଯାଇପାରେ ।
କିନ୍ତୁ... ଥରେ ଵିଚାର କରନ୍ତୁ...
ଜୀଵନରେ ଥଣ୍ଡା-ଉତ୍ତାପ-ସୂର୍ଯ୍ୟକିରଣ ଵର୍ଷା ପ୍ରାକୃତିକ ଵିପର୍ଯ୍ୟୟ ଆଦି ସହ୍ୟ କରି ଚିକିତ୍ସା ସୁଵିଧା ଅଭାବରୁ ଜଙ୍ଗଲରେ ଭୟଙ୍କର ପଶୁପକ୍ଷୀମାନଙ୍କ ମଧ୍ୟରେ ଵିଷମ ଜୀଵନ ଯାପନ କରୁଥିଵା ଆପଣଙ୍କର କେଵଳ ଜଣେ ମାତ୍ର ପୂର୍ଵଜ ସନ୍ତାନ ଉତ୍ପତ୍ତି କରିଵା ପୂର୍ଵରୁ ଜୀଵନ ହରାଇ ଦେଇଥାନ୍ତେ ତାହେଲେ ଆପଣ ଆଜି ଏହି ପୋଷ୍ଟ ପଢୁନଥାନ୍ତେ ।
ପୁନଶ୍ଚ ମନେ ରଖନ୍ତୁ, ଦଶ ନିୟୁତ ଶୁକ୍ରାଣୁ ଆପଣଙ୍କ ମା'ଙ୍କ ଗର୍ଭରେ ଅଣ୍ଡାଣୁକୁ ନିଷେଚିତ କରିଵାକୁ ଦୌଡ଼ିଥିଲେ, ଯେଉଁଥିରେ ଆପଣ ହିଁ ଵିଜେତା ହୋଇଥିଲ | ଯଦି ଆପଣଙ୍କ ଵ୍ୟତୀତ ଅନ୍ୟ କୌଣସି ଶୁକ୍ରାଣୁ ସେହି ଅଣ୍ଡାଣୁକୁ ନିଷେଚିତ କରିଵାକୁ ସକ୍ଷମ ହୋଇଥାନ୍ତେ ତାହେଲେ ଭିନ୍ନ ଆନୁଵଂଶିକ ଦ୍ରଵ୍ୟ ଯୁକ୍ତ ଅନ୍ୟ ଜଣେ ଵ୍ୟକ୍ତି ଜନ୍ମ
ହୋଇଥାନ୍ତେ ଯିଏ ଆପଣ ତ ଆଦୌ ହୋଇନଥାନ୍ତେ ।
ଵୈଜ୍ଞାନିକମାନେ କେତେକ ପ୍ରମାଣକୁ ଭିତ୍ତି କରି ମତ ଦିଅନ୍ତି ଯେ ଆମ୍ଭମାନଙ୍କର ନିହାରିକା ଆକାଶଗଙ୍ଗାରେ ଆମର ସୌରଜଗତ ଏକ ସୁରକ୍ଷିତ ସ୍ଥାନରେ ଵିଦ୍ୟମାନ ଯେଉଁଠି ତାରକାମାନଙ୍କର ଘନତ୍ଵ ଅପେକ୍ଷାକୃତ ଅଳ୍ପ
। ଫଳତଃ ପୃଥିଵୀ ଉପରେ ମହାକାଶରୁ ସୁରପରନୋଵା ଵିସ୍ଫୋରଣ,ଜୋମ୍ବି ତାରକା ଵା ଜୋମ୍ବି ଗ୍ରହ,ମାଗ୍ନେଟାର୍ ଆକ୍ରମଣ,ଵାହ୍ୟ ଅନ୍ତରୀକ୍ଷରୁ ନିକ୍ଷେପିତ ଅସଂଖ୍ୟ ଗ୍ରହାଣୁଗୁଡି଼କର ଏକକାଳୀନ ଆକ୍ରମଣ ଆଦି ଵିପଦ କେତେକାଂଶରେ ଊଣା ହୋଇଥିଲା ଫଳତଃ ଆମ ସୌରଜଗତରେ ସୂର୍ଯ୍ୟ ନିକଟରେ ପୃଥିଵୀରେ ଜୀଵଜଗତ ସୃଷ୍ଟି ହୋଇପାରିଛି । ବୃହସ୍ପତି ଗ୍ରହ ପୃଥିଵୀ ଅପେକ୍ଷା ଅତି ଵିଶାଳ ଏଵଂ ସୌରମଣ୍ଡଳରେ ଵିଚରଣ କରୁଥିଵା ଅଧିକାଂଶ ଗ୍ରହାଣୁପିଣ୍ଡ ଏହି ଗୁରୁ ଗ୍ରହ ନିଜର ଅଦ୍ଭୁତ ମାଧ୍ୟାକର୍ଷଣ ଶକ୍ତି ବଳରେ ଗ୍ରାସ କରିନିଏ । ଯଦି ବୃହସ୍ପତି ଓ ଶନି ଭଳି ଵିଶାଳ ଗ୍ରହ ଆମ ସୌରଜଗତରେ ନଥାନ୍ତେ ତାହେଲେ ଵାହ୍ୟ ଅନ୍ତରୀକ୍ଷରୁ ଆମ ଆଡ଼କୁ ଗ୍ରହାଣୁ ଆକ୍ରମଣର ଭୟ ଅନେକଗୁଣ ବଢ଼ିଯାଇଥାନ୍ତା ଫଳତଃ ପୃଥିଵୀରେ କେବେ ସ୍ଥିର ଵାୟୁମଣ୍ଡଳ ଓ ପରିବେଶ ତିଷ୍ଠି ପାରିନଥାନ୍ତା । ସେହିପରି ପୃଥିଵୀ ସୃଷ୍ଟି ପଛରେ ଶନିଗ୍ରହର ଯୋଗଦାନ ମଧ୍ୟ ମହତ୍ତ୍ୱପୂର୍ଣ୍ଣ । ଵୈଜ୍ଞାନିକମାନେ ଆଜିଯାଏଁ ଅନ୍ତରୀକ୍ଷରେ ଯେତେ ଵର୍ହିସୌର ଗ୍ରହ (Extrasolar planets) ଆଵିଷ୍କାର କରିଛନ୍ତି ତନ୍ମଧ୍ୟରେ ଅନେକ ଗ୍ରହ ଆକାରରେ ବୃହସ୍ପତି ଭଳି ବହୁତ ଵିଶାଳ ତଥା ନିଜ ସୂର୍ଯ୍ୟର ଅତି ନିକଟରେ ରହି ପରିକ୍ରମଣ କରୁଥିଵାର ଦେଖାଯାଇଛି । କୌଣସି ନକ୍ଷତ୍ରର ଅତି ନିକଟରେ ବଡ଼ ବଡ଼ ଗ୍ରହ ସୃଷ୍ଟି ହେଵା ସେହି ନକ୍ଷତ୍ରର ପ୍ରଚଣ୍ଡ ମହାକର୍ଷଣ ଶକ୍ତି ଯୋଗୁଁ ସମ୍ଭଵ ହୋଇପାରେ ନାହିଁ ତେଣୁ ବଡ଼ ବଡ଼ ଗ୍ରହ ଦୂରରେ ସୃଷ୍ଟି ହୋଇ ଆଖପାଖରେ ଵିସ୍ତୃତ ଭାବରେ ଘୂରିବୁଲୁଥିଵା ପ୍ରାକ୍ ଗ୍ରହୀୟ ପିଣ୍ଡ ଓ ଗ୍ୟାସ ଆଦିକୁ ଗ୍ରାସ କରି କରି ନିଜ ନକ୍ଷତ୍ର ନିକଟକୁ ଟାଣି ହୋଇ ଆସନ୍ତି । ବୃହସ୍ପତି ମଧ୍ୟ ଏହି ଦିଗରେ ଅଗ୍ରସର ହେଇଥିଲା କିନ୍ତୁ ତାକୁ ବାନ୍ଧି ରଖିଲା ପରଵର୍ତ୍ତୀ କାଳରେ ସୃଷ୍ଟି ହୋଇଥିଵା ଶନିଗ୍ରହ ଏଵଂ ଶନିଗ୍ରହର ତୀଵ୍ର ମାଧ୍ୟାକର୍ଷଣ ଶକ୍ତି ପ୍ରଭାଵରେ ବୃହସ୍ପତି ସୂର୍ଯ୍ୟ ଆଡ଼କୁ ଗତି ନକରି ନିଜର ଵର୍ତ୍ତମାନ ଘୂର୍ଣ୍ଣନ ପଥରେ ତିଷ୍ଠି ରହିଯାଇଥିଲା । ବୃହସ୍ପତି ଗ୍ରହ ନିକଟରେ ଶନିଗ୍ରହ ଭଳି ଵିଶାଳ ଗ୍ରହ ସୃଷ୍ଟି ହୋଇନଥିଲେ ଯେଉଁ ପ୍ରାକ୍ ଗ୍ରହୀୟ ପିଣ୍ଡ ଓ ଗ୍ୟାସ୍ ଆଦି ଦ୍ଵାରା ପୃଥିଵୀ ମଙ୍ଗଳ ଇତ୍ୟାଦି ପ୍ରସ୍ତର ଗ୍ରହ ସୃଷ୍ଟି ହେଇଥାନ୍ତେ ସେହି ତତ୍ତ୍ଵକୁ ବୃହସ୍ପତି ଗ୍ରାସ କରିନେଇଥାନ୍ତା ଓ ସୂଯ୍ୟର ଅତି ନିକଟରେ ରହି ପରିକ୍ରମଣ କରୁଥାଆନ୍ତା । ପୃଥିଵୀର ଚନ୍ଦ୍ର ଭଳି ଆକାରରେ ଏକ ବଡ଼ ଉପଗ୍ରହ ଥିଵାରୁ ପୃଥିଵୀ ଏକ ସ୍ଥିର ପରିକ୍ରମଣ ପଥରେ ସୂର୍ଯ୍ୟଙ୍କର ପରିକ୍ରମା କରୁଅଛି । ଚନ୍ଦ୍ର ନଥିଲେ ପୃଥିଵୀରେ ଜୀଵନର ସ୍ଥାୟୀତ୍ବ ରୁହନ୍ତା ନାହିଁ କାରଣ ପୃଥିଵୀ ଅସ୍ଥିର ହୋଇ କେବେ ସୂର୍ଯ୍ୟର ନିକଟତର ହୋଇ ଉଷ୍ମ ତ କେବେ ଦୂରେଇଯାଇ ଶୀତଳ ହେଵା ଯୋଗୁଁ ବାରମ୍ବାର ଜଳଵାୟୁ ପରିଵର୍ତ୍ତନ ଘଟନ୍ତା । ଗଵେଷକ କୁହନ୍ତି ମଙ୍ଗଳଗ୍ରହର ପରିକ୍ରମଣ ଅକ୍ଷପଥରେ ଆଗ ପଛ ଢଳି ଢଳି ଗତି କରିଵା ଯୋଗୁଁ ଏ ଗ୍ରହରେ କେବେବି ଜଳଵାୟୁ ସ୍ଥିର ହୋଇ ରହିପାରିଲା ନାହିଁ ତେଣୁ ସେଠାରେ ଜୀଵନ ପୃଥିଵୀ ପରି ଉଧେଇ ପାରିଲା ନାହିଁ (ମଙ୍ଗଳ ଗ୍ରହର ଚନ୍ଦ୍ର ଭଳି ବଡ଼ ଉପଗ୍ରହ ନଥିଵାରୁ,ମଙ୍ଗଳ ଗ୍ରହର ଅନ୍ତର୍ଭାଗ ଶିଘ୍ର ଶୀତଳ ହୋଇଯିଵା ଯୋଗୁଁ ଶକ୍ତିଶାଳୀ ଚୁମ୍ବକୀ କଵଚ ନାହିଁ,ପତଳା ଵାୟୁମଣ୍ଡଳ,ପୃଥିଵୀ ଅପେକ୍ଷା ଅଧିକ ଗ୍ରହାଣୁର ଶିକାର ଆଦି ଖଗୋଳୀୟ ଦୁର୍ଘଟଣା ଯୋଗୁଁ ଏ ଗ୍ରହରେ କେବେବି ଜୀଵନ ଉଧେଇ ପାରିନାହିଁ) । ସୂର୍ଯ୍ୟଠାରୁ ପୃଥିଵୀର ଉପଯୁକ୍ତ ଦୂରତା , ନିରନ୍ତର ମାଧ୍ୟାକର୍ଷଣ,ସୁରକ୍ଷାତ୍ମକ ଚୁମ୍ବକୀୟ କଵଚ,ପୃଥିଵୀରେ ନୀରକ୍ଷୀୟ ଓ ସମଶୀତୋଷ୍ଣ କ୍ଷେତ୍ରର ବହୁଳତା,ଗଭୀର ନୀଳ ସାଗର ତଥା ଵିଶାଳ ଜଳଭଣ୍ଡାର ଆଦି ପୃଥିଵୀକୁ ମିଳିଥିଵା କେତେକ ସୌଭାଗ୍ୟ ଯୋଗୁଁ ଏହି ଗ୍ରହର ଜୀଵନ ପୁଣି ମୂଲ୍ୟଵାନ ବୁଦ୍ଧିମାନ ଜୀଵନ ସୃଷ୍ଟି ହୋଇପାରିଛି । ହଁ ପୃଥିଵୀରେ ଜୀଵନ ସୃଷ୍ଟି ଆଶ୍ଚର୍ଯ୍ୟଜନକ ହୋଇ ନପାରେ କିନ୍ତୁ ଏହି ଗ୍ରହରେ ବୁଦ୍ଧିମାନ ଜୀଵ ଉତ୍ପତ୍ତି ଲାଭ କରିଵା କୌଣସି ଚମତ୍କାର ଠାରୁ ଆଦୌ ଊଣା କଥା ନୁହେଁ । ସେହିଭଳି ପୃଥିଵୀରେ ସାୟନୋବ୍ୟାକ୍ରିଆ ଭଳି ଜୀଵ ସୃଷ୍ଟି ହୋଇ ଆଲୋକ ସଂଶ୍ଳେଷଣ ପ୍ରକ୍ରିୟାର ଗୁଣ ଵିକଶିତ କରି ସର୍ଵତ୍ର ଅହେତୁକ ଅମ୍ଳଜାନ ବୃଦ୍ଧି ଘଟାଇ ନଥିଲେ ପୃଥିଵୀରେ ଜୈଵିକ କ୍ରାନ୍ତି କ୍ଷିପ୍ର ଗତିରେ ହୋଇନଥାନ୍ତା । ଅମ୍ଳଜାନ ଏଭଳି ଏକ ଭୌତିକ ତତ୍ତ୍ଵ ଯାହା ଜୈଵିକ ଵିକାଶକୁ ଅନେକଗୁଣ ବଢ଼ାଇଦିଏ । ଉଲ୍ଲେଖଯୋଗ୍ୟ ଯେ ପୃଥିଵୀରେ ତିନୋଟି ଭିନ୍ନ ଭିନ୍ନ ସମୟକାଳରେ ତିନିଗୋଟି ଵାୟୁମଣ୍ଡଳ ଥିଲା ଏଵଂ ମାଟି ଭିତରୁ ମିଳିଥିଵା ତତ୍କାଳୀନ ଯୁଗର ପ୍ରାଚୀନ ପ୍ରସ୍ତରାଦିର ଵୈଜ୍ଞାନିକ ଅନୁଶୀଳନରୁ ଏସବୁ ତଥ୍ୟ ପ୍ରାପ୍ତ ହୋଇଛି । ପ୍ରଥମ ଵାୟୁମଣ୍ଡଳରେ ମୁଖ୍ୟତଃ ଉଦଜାନ୍ ,ଜଳୀୟ ବାଷ୍ପ,ମିଥେନ ଓ ଆମୋନିଆ ଥିଵାବେଳେ ପରଵର୍ତ୍ତୀ କାଳରେ ଭୀଷଣ ଗ୍ରହାଣୁ ଵର୍ଷଣ ତଥା ଆଗ୍ନେୟ ଉଦ୍ଗିରଣ ଯୋଗୁଁ ଦ୍ଵିତୀୟ ପର୍ଯ୍ୟାୟର ଵାୟୁମଣ୍ଡଳରେ ମୁଖ୍ୟତଃ ଯଵକ୍ଷାରଜାନ ଓ ଅଙ୍ଗାରକାମ୍ଳ ଥିଲା । ଜୀଵନ ତ ପୃଥିଵୀରେ ୪୦୦ କୋଟି ଵର୍ଷପୂର୍ଵରୁ ହିଁ ସୃଷ୍ଟି ହୋଇଯାଇଥିଲା କିନ୍ତୁ ସାୟନୋବ୍ୟାକ୍ଟ୍ରିଆ ଯୋଗୁଁ ତୃତୀୟ ପର୍ଯ୍ୟାୟର ଵାୟୁମଣ୍ଡଳରେ ଅମ୍ଳଜାନ ବୃଦ୍ଧି ଘଟିଲା ଫଳତଃ ଜୈଵ ଵିକାଶ ଦୃତଗତିରେ ହେଲା । ସାୟନୋବ୍ୟାକ୍ରିଆ ସୃଷ୍ଟି ହୋଇନଥିଲେ ଆଜି ପୃଥିଵୀରେ ଆମେ ମଧ୍ୟ ନଥାନ୍ତେ ।
ଏହି ତିନୋଟି କଥାକୁ ଏକତ୍ର ରଖି ଵିଚାର କଲେ ଆପଣ ହୃଦୟଙ୍ଗମ କରିପାରିବେ ଯେ ଏ ଜଗତରେ ଆପଣଙ୍କର ଅଵସ୍ଥିତି ବଡ଼ ଲଟେରୀ ଜିତିଵା କିମ୍ବା ଚମତ୍କାରଠାରୁ କୌଣସି ଗୁଣରେ ଊଣା ନୁହେଁ । ଆଗକୁ ଆପଣ ନିଜକୁ କେବେ ଛୋଟ ମନେ କରୁଥିଲେ ଵା ଆପଣଙ୍କୁ କେହି ଅଞ୍ଚଳ,ଜାତି,ଧର୍ମ ଆଧାରରେ ଛୋଟ ହୀନ ନିମ୍ନ ନୀଚ୍ଚ ବୋଲି ପ୍ରମାଣ କରିଵାକୁ ଚେଷ୍ଟିତ ଥିଲେ ପ୍ରୋକ୍ତ ତିନୋଟି ଵିଷୟକୁ ଆଉଥରେ ଵିଚାର ନିଶ୍ଚୟ କରିବେ ! ମନେ ରଖନ୍ତୁ ଆପଣଙ୍କ ଜୀଵନ ଆଦୌ ହୀନ ନୀଚ୍ଚ ନୁହେଁ ଵରଂ ଆପଣଙ୍କ ଜୀଵନ ଜଗତରେ ସ୍ଵୟଂ ଏକ ଚମତ୍କାର ଅଟଇ ।
No comments:
Post a Comment