Thursday, January 12, 2023

ଆତଗଛକୁ ରାମଫଳ ଓ ବଢ଼ିଆଳ ଗଛକୁ ସିତାଫଳ କାହିଁକି କୁହାଯାଏ ?

ପୃଥିଵୀରେ ବହୁତ କମ୍ ଲୋକ ଥିବେ ଯୋଉମାନେ ନିଜ ଜୀଵନରେ ଆତ ଜାତୀୟ କୌଣସି ଫଳ ଖାଇନଥିବେ । ଆତ ଜାତୀୟ ପାଦପ ପୃଥିଵୀର ନୀରକ୍ଷୀୟ ଓ ନାତିଶୀତୋଷ୍ଣ ଅଞ୍ଚଳରେ ଵିଶେଷ ବଢି଼ପାରନ୍ତି କିନ୍ତୁ ଶୀତପ୍ରଧାନ ଅଞ୍ଚଳରେ ଏ ଜାତୀୟ ଗଛ ଭଲ ଉଧେଇପାରେ ନାହିଁ ‌। ଆତ ଓ ବଢି଼ଆଳ ଅତ୍ୟନ୍ତ ସ୍ଵାଦିଷ୍ଟ ହୋଇଥିଵାରୁ ଭାରତରେ ଏହି ଜାତୀୟ ଫଳଗୁଡ଼ିକର ବହୁତ ଆଦର ରହିଛି । ଏମନ୍ତକି ଵୈଦେଶିକ ଫଳ ହୋଇ ବି ସନାତନୀମାନେ ପୂଜା ପାର୍ଵଣରେ ଏ ଜାତୀୟ ଫଳର ଉପଯୋଗ କରିଥାନ୍ତି । 

ଓଡ଼ିଶାର କେତେକ ଅଞ୍ଚଳରେ ଆତ ଵା Annona reticulataକୁ ସିତାଫଳ କୁହାଯାଉଥିଲେ ବି ମାନକ ଓଡ଼ିଆ ଭାଷା ଶୈଳୀରେ Annona squamosaକୁ ବଢି଼ଆଳ ତଥା Annona reticulataକୁ ଆତ କୁହାଯାଏ । ତେବେ ଓଡ଼ିଶାର ଵିଭିନ୍ନ ଅଞ୍ଚଳରେ ଏହି ଉଭୟ ଫଳର ଭିନ୍ନ ଭିନ୍ନ ନାମ ପ୍ରଚଳିତ । 
କୋରାପୁଟ,ଗଞ୍ଜାମ ଓ ଫୁଲବାଣୀରେ ବଢି଼ଆଳକୁ ସୀତାଫଳ ତଥା ଆତକୁ ରାମଫଳ କୁହାଯାଏ । ଢେଙ୍କାନାଳରେ Annona reticulataକୁ ଆତ ତଥା Annona squamosaକୁ ବଢି଼ଆଳ କୁହାଯାଇଥାଏ । ଷଡ଼ୈକଳା ଓ ସିଂହଭୂମି ଵିଚ୍ଛିନ୍ନାଞ୍ଚଳରେ ବଢି଼ଆଳକୁ ମନ୍ଦାର ଓ ଆତକୁ ସୀତାଫଳ କୁହାଯାଏ । ଦେଓଗଡ଼ ଓ କେନ୍ଦୁଝରର କେତେକ ଅଞ୍ଚଳରେ ବଢି଼ଆଳକୁ ବଇଢ଼ାଳ ଓ ଆତକୁ ସୀତାବଇଢ଼ାଳ କହିଥାନ୍ତି ।‌ ବୌଦ୍ଧ ତଥା ବଲାଙ୍ଗୀରରେ ବଢି଼ଆଳକୁ ବଢ଼େଲ ଓ ଆତକୁ 
ସୀତାବଢ଼େଲ୍ କୁହାଯାଏ । ସୁନ୍ଦରଗଡ଼ରେ ବଢି଼ଆଳ ଓ ଆତକୁ ଯଥାକ୍ରମେ ବଢ଼େଲ ଓ ସାତବଢ଼େଲ୍ କୁହାଯାଇଥାଏ । ନୟାଗଡ଼ରେ Annona squamosa ଵା ସୀତାଫଳକୁ ବଢି଼ଆଳ ତଥା ଆତକୁ ଲଙ୍କାବଢ଼ିଆଳ କୁହାଯାଏ । କେନ୍ଦୁଝର ଜିଲ୍ଲାର କେତେକ ଅଞ୍ଚଳରେ ବଢି଼ଆଳକୁ ଲୋକେ ବଟକର ଓ ଆତକୁ ଭରଡ
 କହିଥାନ୍ତି । ବାଲେଶ୍ଵର ଜିଲ୍ଲାର କେତେକ ଅଞ୍ଚଳରେ ବଢି଼ଆଳକୁ ଅତା ଏଵଂ Annona reticulata ଵା ରାମଫଳକୁ ଆତ କୁହାଯାଏ।
କଟକର ଆଠଗଡ଼ ଅଞ୍ଚଳରେ ସୀତାଫଳକୁ ବଢ଼ିଆଳ ଓ ରାମଫଳକୁ ସୀତାବଢି଼ଆଳ କୁହାଯାଏ। ମୟୂରଭଞ୍ଜ ଓ ଭଦ୍ରକ ଜିଲ୍ଲାର କେତେକ ଅଞ୍ଚଳରେ ବଢ଼ିଆଳକୁ ଆତ ତଥା ରାମଫଳକୁ ସୀତାଫଳ ଓ ନେଉଆ କୁହାଯାଏ। ଉଲ୍ଲେଖଯୋଗ୍ୟ ଯେ ଓଡ଼ିଶାର କେତେକ ଅଞ୍ଚଳରେ ପିଜୁଳିକୁ ମଧ୍ୟ ନେୱା କୁହାଯାଏ । 
କେନ୍ଦ୍ରାପଡ଼ା ଓ ଯାଜପୁର ଅଞ୍ଚଳର ଲୋକେ ବଢି଼ଆଳକୁ ନେଉଆ ଏଵଂ ଆତକୁ ଅତୁଆ କହିଵାର ଶୁଣାଯାଏ । ଜଗତସିଂହପୁର, ଯାଜପୁର ଓ କଟକର ଟାଙ୍ଗୀ ଅଞ୍ଚଳରେ ସେହିପରି ବଢି଼ଆଳକୁ ନେଉଆ ତଥା ଆତକୁ ଆଆତ କୁହାଯାଏ। ଓଡ଼ିଆ ଭାଷାରେ ବଢି଼ଆଳ ବୋଲି ଏକ ଶବ୍ଦର ପ୍ରଚଳନ ବର୍ଦ୍ଧନଶୀଳ,ବର୍ଦ୍ଧିଷ୍ଣୁ ଵା ପୃଷ୍ଟକାୟ ଅର୍ଥରେ ଥିଵା ଭାଷାକୋଷରୁ ଜଣାଯାଏ । ମୋଟ ୧୬୯ଟି Anonna ପ୍ରଜାତି ମଧ୍ୟରେ Annona squamosa ପ୍ରଜାତିର ଗଛଟି ଅପେକ୍ଷାକୃତ ଅତି ଶିଘ୍ର ବଢି଼ଥାଏ ଓ ହୃଷ୍ଟପୃଷ୍ଟ ହୁଏ ବୋଲି ସମ୍ଭଵତଃ ଏହି ଗଛକୁ ଆମ ଭାଷାରେ ବଢି଼ଆଳ କୁହାଯାଏ । ଯେମିତି ଆମ ଭାଷାରେ ଯେ କାଟେ ସେ କଟୁଆଳ ,
ଯେ ଜଗେ ସେ ଜଗୁଆଳ,ଯେ ଖେଳେ ସେ ଖେଳୁଆଳ / ଖେଳୁଆଡ଼,ଯେ ଚେତାଏ ସେ ଚେତୁଆଳ,ଯେ ଭାଗ ନିଏ ସେ ଭାଗୁଆଳ ଠିକ୍ ସେହିପରି ଯେଉଁ ଗଛ ଏହି ଜାତୀୟ ଅନ୍ୟ ଆତ ପାଦପ ଅପେକ୍ଷା ଦୃତଗତିରେ ବଢ଼େ ସେ ଗଛକୁ ଆମ ଭାଷାରେ 'ବଢିଆଳ' କୁହାଗଲା । 

ସଂସ୍କୃତରେ ଆତ କୁ ଆତୃପ୍ୟ କୁହାଯାଏ । ଆ+ତୃପ୍ ଧାତୁ(ତୃପ୍ତ ହେବା)+କରଣ. ଯ=ଯାହା ଖାଇଲେ ତୃପ୍ତି ହୁଏ । କେହି କେହି ପାରମ୍ପରିକ ଭାଷାଵିଦ କୁହନ୍ତି ଯେ ଏହା ଆତୃପ୍ୟ ଶବ୍ଦର ଦେଶଜ ରୂପ ଆତ ଅଟଇ । ଲେଖକ ଗିରିଜା ଶଙ୍କର ରାୟ ତାଙ୍କର ସରଳ ଭାଷାତତ୍ତ୍ବ ପୁସ୍ତକରେ ଲେଖିଛନ୍ତି ଯେ ଆତ ଶବ୍ଦଟି ପର୍ତ୍ତୁଗୀଜମାନଙ୍କ ପର୍ତ୍ତୁଗାଲୀ ଭାଷାରୁ ଓଡ଼ିଆ ଭାଷାକୁ ଆସିଛି । ପର୍ତ୍ତୁଗାଲୀ ଭାଷାରେ ଆତକୁ ata, condessa, jacama, fruta-do-conde, miloló, pinha, araticum, araticum-de-cheiro ଓ fruta-da-condessa ଆଦି କୁହାଯାଏ । ସମ୍ଭଵତଃ ଭାରତରେ ଏ ଶବ୍ଦ ବହୁ ପ୍ରଚଳିତ ହେଵାରୁ ସଂସ୍କୃତ ଭାଷାରେ ଧାତୁ ପ୍ରତ୍ୟୟାଦି ଦ୍ଵାରା ନିଷ୍ପନ୍ନ କରାଯାଇଛି ଏଵଂ ଆତୃପ୍ୟ ରୂପେ ଗୃହୀତ ହୋଇଛି ।

ଓଡ଼ିଶାରେ ଆତ ଓ ବଢି଼ଆଳଗଛର ଭିନ୍ନ ଭିନ୍ନ ଅଞ୍ଚଳରେ ଵିଭିନ୍ନ ନାମ ପ୍ରଚଳିତ । କଳିଙ୍ଗଦେଶର ଵିଚ୍ଛିନ୍ନାଞ୍ଚଳ ଧଳଭୁମ କ୍ଷେତ୍ରର ବହଡ଼ାଗୁଡ଼ା ଅଞ୍ଚଳରେ ଓ ପଶ୍ଚିମବଙ୍ଗର ପଶ୍ଚିମ ମେଦିନୀପୁର ଜିଲ୍ଲାର ଗୋପୀବଲ୍ଲଭପୁର ଅଞ୍ଚଳରେ ଆତକୁ “ମେହା” କୁହାଯାଏ। ପୂର୍ଵତନ ହାଇଦ୍ରାବାଦ ରାଜ୍ୟ ଅର୍ଥାତ୍ ତେଲଙ୍ଗାଣା ଅଞ୍ଚଳରେ ଏହା “ସିତାଫଳ” ନାମରେ ପରିଚିତ। ଏପରିକି ହାଇଦ୍ରାବାଦ ଶହରରେ “ସିତାଫଲ୍‌ମଣ୍ଡି” ନାମକ ଏକ ମୌଜା ଅଛି ଯାହାର ଆକ୍ଷରିକ ଅର୍ଥ ହେଲା “ଆତ ବଜାର”। ଏହାର ଵିପରୀତ; ଦିଲ୍ଲୀ ସହ ଦେଶର ହିନ୍ଦୀଭାଷୀ ଉତ୍ତରାଞ୍ଚଳରେ ବଢି଼ଆଳକୁ “ସିତାଫଳ” କୁହାଯାଏ ଓ ଆତକୁ “ଶରୀଫା” କୁହାଯାଇଥାଏ ।

ଭାରତରେ ପ୍ରଚଳିତ ଏକ ଜଣାଶୁଣା ଲୋକମତ ଅନୁସାରେ ଶ୍ରୀରାମଚନ୍ଦ୍ର ଵନଵାସ ସମୟରେ ଏହି #ଆତଫଳ ଖାଇଥିଵାରୁ ଏହାକୁ କାଳକ୍ରମେ ରାମଫଳ କୁହାଗଲା । ସେହିପରି ସୀତାମାତା #ବଢି଼ଆଳ ଖାଇଵାରୁ ତାକୁ #ସିତାଫଳ ଵା #ସୀତାଫଳ ଏଵଂ ଲକ୍ଷ୍ମଣ ଲମ୍ବ ଆକାରର ଅନ୍ୟ ଏକ ଜାତୀୟ ଆତ ଫଳ ଖାଇଵାରୁ ତହିଁର ନାମକରଣ #ଲକ୍ଷ୍ମଣଫଳ ହୋଇଥିଲା । 

କିନ୍ତୁ ମୂଳ ରାମାୟଣରେ ଏଭଳି କୌଣସି କାହାଣୀ ଥିଵା ଜଣାଯାଏ ନାହିଁ । ସମ୍ଭଵତଃ ଭାରତକୁ ଆତଫଳ,ବଢ଼ିଆଳ ଫଳ ଓ ଲକ୍ଷ୍ମଣ ଫଳ ଆଦି Anonna ଜାତୀୟ ପାଦପ ଅଣାଯାଇ ଲଗାଯିଵା ପରେ ଏଭଳି ଜନସୃତି ସୃଷ୍ଟି ହୋଇଛି । ଶ୍ରୀରାମଚନ୍ଦ୍ର ପ୍ରାଚୀନ କାଳର ମହାମାନଵ ଏଵଂ ତାଙ୍କର ସମୟକାଳକୁ ନେଇ ନାନା ମତ ପ୍ରଚଳିତ । କିଛି ଗଵେଷକ କୁହନ୍ତି ଶ୍ରୀରାମଚନ୍ଦ୍ର ୫୧୧୪ ଖ୍ରୀଷ୍ଟପୂର୍ଵ ଜାନୁଆରୀ ୧୦ ଦିନାଙ୍କ ଘ.୧୨.୦୫ ମି. ରେ ଅଯୋଧ୍ୟାରେ ଜନ୍ମଲାଭ କରିଥିଲେ ।

 ତେବେ ସନାତନ ଧର୍ମରେ ଆସ୍ଥା ରଖୁଥିଵା ଭକ୍ତମାନେ ଏହି ମତକୁ ଖଣ୍ଡନ କରନ୍ତି ଏଵଂ କୁହନ୍ତି ଯେ ରାମଚନ୍ଦ୍ରଙ୍କର ଜନ୍ମ ଲକ୍ଷାଧିକ ଵର୍ଷ ତଳେ ପୃଥିଵୀ ପୃଷ୍ଠାରେ ହୋଇଥିଲା । ରାମଭକ୍ତ ପ୍ରଶ୍ନ କରନ୍ତି ଯେଉଁ ଗଵେଷକମାନେ କହୁଛନ୍ତି ଶ୍ରୀରାମଙ୍କ ଜନ୍ମ ୫୧୧୪ ଖ୍ରୀଷ୍ଟପୂର୍ଵରେ ଜାନୁଆରୀ ଦଶ ଦିନାଙ୍କରେ ହୋଇଥିଲା ସେମାନେ କହିପାରିବେ କି ଆଜି ତାହେଲେ କାହିଁକି ପ୍ରାୟତଃ ମାର୍ଚ୍ଚ ଓ ଏପ୍ରିଲ ମାସରେ ପଡ଼ୁଥିଵା ରାମନଵମୀ(ଚୈତ୍ର ଶୁକ୍ଳ ନଵମୀ) ତିଥିରେ ଶ୍ରୀରାମଚନ୍ଦ୍ରଙ୍କ ଜନ୍ମଦିଵସ ପାଳିତ ହୋଇଥାଏ ?

ତେବେ ସେ ଯାହା ବି ହେଉ ମହାପୁରୁଷ ଶ୍ରୀରାମଚନ୍ଦ୍ର ପ୍ରାଚୀନ କାଳର ମହାମାନଵ ଏଵଂ ତାଙ୍କ ସମୟରେ Anonna ଜାତୀୟ Annona squamosa ଵା ବଢି଼ଆଳ(sugar apple),Annona reticulata ଵା ଆତ(custard apple),Annona muricata ଵା ଲକ୍ଷ୍ମଣଫଳ(Soursop)ଓ Annona glabra ଵା ହନୁମତ ଫଳ(monkey apple) ଆଦି ପାଦପ ଭାରତୀୟ ଉପମହାଦେଶକୁ ଅଣାଯାଇନଥିଲା । ଆତ ତଥା ବଢି଼ଆଳ ଜାତୀୟ Annona ଗଛଗୁଡ଼ିକ ମୂଳତଃ ଆମେରିକା ମହାଦେଶଦ୍ଵୟର ପାଦପ ଏଵଂ ଭାରତକୁ ୟୁରୋପୀୟମାନଙ୍କ ଦ୍ଵାରା ପନ୍ଦରଶହ ଶତାବ୍ଦୀ ପରେ ଏସବୁ ପାଦପ ଆସିଥିଲା । ୟୁରୋପୀୟମାନେ ଉତ୍ତର ଆମେରିକା ତଥା ଦକ୍ଷିଣ ଆମେରିକାରେ ଉପନିଵେଶ ସ୍ଥାପନ କରିଵା ପରେ କେଵଳ ଆତ ହିଁ ନୁହେଁ ଆଫ୍ରିକା,ଏସିଆ,ୟୁରୋପ ତଥା ଅଷ୍ଟ୍ରେଲିଆ ମହାଦେଶକୁ ପିଜୁଳି,ସାପେଟା,ବିଲାତି ଆଳୁ , ଲଙ୍କାମରିଚ ଓ ପାତଲଘଣ୍ଟା ଆଦି ଅନେକ ଗଛ ଆଣିଥିଵାର ପ୍ରମାଣ ମିଳେ । ପୃଥିଵୀରେ ମୋଟ ୧୬୯ଟି ଆତ/Anonna ପ୍ରଜାତି (species) ଥିଵା ଜଣାଯାଏ ଏଵଂ ସେସବୁ ପ୍ରଜାତି ମୂଳତଃ ଆମେରିକା ମହାଦେଶଦ୍ଵୟର ମୂଳ ନିଵାସୀ । କିନ୍ତୁ ଭାରତରେ ପନ୍ଦରଶହ ଶତାବ୍ଦୀ ପୂର୍ଵରୁ Anonna ଵା ଆତ ଜାତୀୟ ପାଦପ ଥିଵାର କୌଣସି ପ୍ରକାରର ଐତିହାସିକ ଓ ଜୀଵାଶ୍ମ ସମ୍ବନ୍ଧୀୟ ପ୍ରମାଣ ମିଳେ ନାହିଁ । ଆତ Genusର ଵୈଜ୍ଞାନିକ ନାମ Annonaକୁ ଏକ ମୂଳ ଆମେରିକୀୟ ଭାଷା Taíno ଭାଷାରୁ ନିଆଯାଇଛି । Taínoଭାଷାରେ ଏହାର ମୂଳ ଶବ୍ଦରୂପ ଥିଲା annon । ଵର୍ତ୍ତମାନ ପୃଥିଵୀରେ ଥିଵା ୧୬୯ଗୋଟି ଆତ ଜାତୀୟ ଗଛ ମଧ୍ୟରୁ ଵ
 ସାତୋଟି ଆତ ପାଦପ ଜାତି ତଥା ଗୋଟିଏ ସଙ୍କର ଜାତି ଖାଦ୍ୟ ହେତୁକ ଚାଷ କରାଯାଏ ।

କିନ୍ତୁ ଆତଗଛ ଵିଶେଷତଃ Annona reticulataକୁ ରାମଫଳ କାହିଁକି କୁହାଗଲା ? କ'ଣ ଶ୍ରୀରାମଚନ୍ଦ୍ରଙ୍କ ଯେପରି ଜଣେ ସତ୍ ପୁରୁଷ ଓ ମଧୁରଭାଷୀ ଥିଲେ ଠିକ୍ ସେହିପରି ଆତଫଳର ଅତ୍ୟନ୍ତ ମନମୋହକ ମଧୁର ସ୍ୱାଦ ଯୋଗୁଁ ଏ ଫଳକୁ ଖାଇ ଭାରତୀୟମାନେ ଏହି ଫଳର ନାମକରଣ ଆଦର ସହକାରେ ରାମଫଳ କରିଦେଇଥିଲେ ? କ'ଣ ରମୟତି ଇତି ରାମ ନ୍ୟାୟରେ ରାମଫଳ ଅତି ସ୍ଵାଦିଷ୍ଟ ହୋଇଥିଵାରୁ ଏଵଂ ଏହା ରମଣୀୟ ଵିଚାର କରି ଏହାକୁ ଭାରତୀୟମାନେ ରାମଫଳ ନାମ ଦେଇଥିଲେ ? 

ରାମ ସ୍ଵୟଂ ଈଶ୍ଵର ଏଵଂ ରାମଫଳ(ଆତ) ତଥା ସୀତାଫଳ(ବଢି଼ଆଳ)ର ସ୍ଵାଦ ଏତେ ମନୋମୁଗ୍ଧକର ଯେ ଏହା ସ୍ଵୟଂ ଈଶ୍ଵରଙ୍କ ଫଳ ବୋଲି ଵିଚାର କରି ଭାରତୀୟମାନେ ରାମାୟଣ କଥାଵସ୍ତୁ ଆଧାରରେ ଆତଜାତୀୟ ଫଳର ନାମକରଣ ହୁଏତ ରାମଫଳ,ସୀତାଫଳ,ଲକ୍ଷ୍ମଣଫଳ ଓ ହନୁମତ ଫଳ କରିଥାଇପାରନ୍ତି । 

ରାମ ଶବ୍ଦର ଆଉ ଏକ ଅର୍ଥ ଵରୁଣ ଵା ସମୁଦ୍ର । ସମ୍ଭଵତଃ ତିନି ମହାସାଗର(ଭାରତ ମହାସାଗର, ଦକ୍ଷିଣ ମହାସାଗର ଓ ଆଟଲାଣ୍ଟିକ ମହାସାଗର) ପାର ହୋଇ ଵିଦେଶୀଙ୍କ ଦ୍ଵାରା ଆତଫଳ ଭାରତକୁ ଅଣାଯାଇଥିଲା ବୋଲି ଭାରତୀୟ ବୁଦ୍ଧିଜୀଵୀମାନେ ପ୍ରଥମେ ଏହି Annona reticulata ଵା ଆତଫଳର ନାମକରଣ ରାମଫଳ କରିଥିବେ ଏଵଂ ପରେ ଭାରତକୁ Annona squamosa ,Annona muricata ଓ Annona glabra ଜାତୀୟ ଆତଗଛ ଆସିଥିଲା ଏଵଂ ସେମାନଙ୍କୁ ରାମାୟଣ କଥାଵସ୍ତୁ ଆଧାରରେ ସୀତାଫଳ,ଲକ୍ଷ୍ମଣଫଳ ଓ ହନୁମତ ଫଳ ନାମକରଣ କରାଯାଇଛି । 



ସେହିପରି ବଥୁଆ ଶାଗ,ଅଶୋକଗଛ ଓ ତେଜପତ୍ର ଗଛକୁ ଆଗେ ଭାରତରେ ରାମ କୁହାଯାଉଥିଲା । ସମ୍ଭଵତଃ ତେଜପତ୍ର ସଦୃଶ ଵା ଆକାରର ଲମ୍ବା ପତ୍ର ହେଉଥିଵାରୁ କେତେକ ଅଞ୍ଚଳରେ ବଢି଼ଆଳକୁ ଏଵଂ ଆଉ କେତେକ ଅଞ୍ଚଳରେ ଆତକୁ ରାମଫଳ କୁହାଯାଉଥିଲା । ମତାନ୍ତରରେ ଆଶୋକ ଵୃକ୍ଷର ଏକ ନାମ ରାମ ଅଟେ । ଅଶୋକ ଗଛର ପତ୍ର ଦେଖିଵାକୁ ଆତ ଗଛର ପତ୍ର ଭଳି ଲମ୍ବାଳିଆ ଏଵଂ ଦେଖିଵାକୁ ପ୍ରାୟତଃ ସମାନ ତେଣୁ ହୁଏତ ଭାରତର ପ୍ରାଚୀନ ଵୈଦ୍ୟ ତଥା ବୁଦ୍ଧିଜୀଵିମାନେ ଏହି ଆଧାରରେ ଆତ ଜାତୀୟ ପାଦପ Annona reticulataକୁ ରାମଫଳ ଆଖ୍ୟା ଦେଇଥିବେ ଏଵଂ ପରେ ଲୋକେ ସୀତା,ଲକ୍ଷ୍ମଣ ଓ ହନୁମାନଙ୍କ ନାମାନୁସାରେ ଅନ୍ୟାନ୍ୟ ଆତ ଜାତୀୟ ଗଛର ନାମକରଣ କରିଛନ୍ତି । 

ହେଲେ ଆମେରିକାରୁ ଭାରତକୁ ପ୍ରଥମେ କେଉଁ ଜାତୀୟ ଆତଗଛ ଵା Anonna ପ୍ରଜାତିଟି ଆସିଥିଲା ସେ ଵିଷୟରେ କୌଣସି ପ୍ରମାଣ ମିଳେନାହିଁ ।‌ ହୁଏତ ପ୍ରଥମେ ଭାରତର କେତେକ ଅଞ୍ଚଳରେ ପ୍ରଥମେ Annona reticulata ଲଗାଯାଇଥିଵ ଏଵଂ ଆଉ କେତେକ ଅଞ୍ଚଳରେ Annona squamosa ଲଗାଯାଇଥିଵ । ସମ୍ଭଵତଃ ସେଥିପାଇଁ ଆଜି କେତେକ ଅଞ୍ଚଳରେ Annona reticulata ଵା ଆତକୁ ଲୋକେ ସିତାଫଳ କହୁଥିଵାର ଦେଖିଵାକୁ ମିଳେ ।‌

ବଢି଼ଆଳ ଓ ଆତକୁ ସ୍ଥଳଵିଶେଷରେ ଲୋକେ ସିତାଫଳ କହୁଥିଵାର ଦୃଶ୍ୟ ହୋଇଥାଏ । ଏହି ସିତାଫଳ ନାମକରଣ ପଛରେ ଏକ ଵୈଜ୍ଞାନିକ କାରଣ ଅଛି । ଆମେ ସମସ୍ତେ ଜାଣନ୍ତି ଯେ ଆତ ଵା Anonna ଜାତୀୟ ଫଳଗୁଡ଼ିକର ସ୍ଵାଦ ଅତ୍ୟନ୍ତ ମିଠା ଏଵଂ ଏହାର ଭିତର ପାଖ ଦେଖିଵାକୁ ଧଳା । ଭାରତରେ ସିତା ଶବ୍ଦଟି
ଶ୍ୱେତା; ଶୁକ୍ଳା ଓ ଶ୍ୱେତ ଶର୍କରା; ଖଣ୍ଡ; କନ୍ଦ; ନବାତ; ଚିନି ଆଦି ଅର୍ଥରେ ପ୍ରୟୋଗ କରାଯାଏ । ପ୍ରାଚୀନ କାଳରୁ ଭାରତରେ ଶର୍କରା ପ୍ରସ୍ତୁତ କରାଯାଉଥିଲା ସେଥିପାଇଁ ତ ଶର୍କରା ଶବ୍ଦଟି ଆରବୀରେ ଯାଇ ଶକ୍କର ଓ ଇଂରାଜୀ ଭାଷାରେ Sugar ହୋଇଛି । ବଢ଼ିଆଳ ଵା ସିତାଫଳ ଓ ଆତ ଵା ରାମଫଳର ଆଭ୍ୟନ୍ତରୀଣ ଭାଗ ଦେଖିଵାକୁ ଧଳା ଏଵଂ ଶର୍କରା ପରି ମିଠା ହୋଇଥିଵାରୁ କେତେକ ଅଞ୍ଚଳରେ Annona squamosaକୁ ତ ଆଉ କେତେକ ଅଞ୍ଚଳରେ Annona reticulataକୁ ଲୋକେ ସିତାଫଳ କହୁଛନ୍ତି । ସମ୍ଭଵତଃ ଲୋକେ ପ୍ରଥମେ ସିତାଫଳ ନାମ ଦେଇଥିବେ ଏଵଂ ପରେ ଶର୍କରା ଅର୍ଥଜ 'ସିତା' ଶବ୍ଦର ସାମ୍ୟ 'ସୀତା' ଶବ୍ଦ ସହିତ ଥିଵାରୁ ଅନ୍ୟ ଏକ ଜାତୀୟ ଆତଗଛ Annona reticulataକୁ ରାମଫଳ ନାମକରଣ କରିଥିବେ । ତେବେ ଯାହା ବି ହେଉ ମହାପୁରୁଷ ଶ୍ରୀରାମଚନ୍ଦ୍ର କି ସୀତାମାତାଙ୍କ ସହିତ ସିତାଫଳ ଓ ରାମଫଳର କୌଣସି ସମ୍ପର୍କ ଥାଉ କି ନଥାଉ ଵିଭିନ୍ନ ଦିଗରୁ ଵିଚାର କଲେ ହୃଦବୋଧ ହୋଇଥାଏ ଯେ Annona squamosa ଓ Annona reticulataର ଭାରତୀୟ ନାମଗୁଡ଼ିକ ଵିଶେଷତଃ ବଢି଼ଆଳ,ରାମଫଳ ଓ ସିତାଫଳ ଆଦି ନାମକରଣ ଵୈଜ୍ଞାନିକ ଅଟଇ । 

••••••••••••••••••••••••••••••••
ତଥ୍ୟ ଉତ୍ସ— 
•ଡାକ୍ତର ଦେଵାଶିଷ ଜ୍ୟେଷ୍ଠୀ (ବଢ଼ିଆଳ ଶବ୍ଦ ନିରୁକ୍ତି ଓ ଶବ୍ଦ ସଂଗ୍ରହ)
•ଗଣେଶ ଚନ୍ଦ୍ର ସିଂହ (ଶବ୍ଦ ସଂଗ୍ରହ)
•ପୂର୍ଣ୍ଣଚନ୍ଦ୍ର ଭାଷାକୋଷ
•ସଂସ୍କୃତ କଳ୍ପଦ୍ରୁମ
•ଅନ୍ତର୍ଜାଲ
•••••••••••••••••••••••••••••••••

No comments:

Post a Comment

ଗୁନ୍ଦଲେଇ ହେଵାଠାରୁ ଗୁନ୍ଧୁରି କରିଵା ଯାଏଁ

ଜଣେ ସାଧାରଣ ଲୋକ ଶବ୍ଦଗୁଡ଼ିକର ଵ୍ୟୁତ୍ପତ୍ତି ଇତିହାସ ଜାଣିନଥାଏ ତେଣୁ ସେ ମନରେ ଅନେକ ଭ୍ରମ ଧାରଣା ପାଳେ । ସମ୍ବଲପୁରର ଶବ୍ଦ ଗୁନ୍ଦଲ(ଅପରିଷ୍କାର,ମଇଳା ତରଳ ପଦାର୍ଥ) ...