Monday, December 25, 2023

X-mas ଵା Christmasର ଓଡ଼ିଆ କ'ଣ ?

ଭାରତରେ ଵର୍ତ୍ତମାନ ୩୫ ମିଲିଅନ୍ ଧର୍ମାନ୍ତରୀତ ଖ୍ରୀଷ୍ଟିଆନ ତଥା ୟୁରୋପୀୟ ମୂଳର ଖ୍ରୀଷ୍ଟିଆନ ଅଛନ୍ତି। ସେହିପରି ଓଡ଼ିଶାରେ ପ୍ରାୟ ୧୧ରୁ ୧୨ ଲକ୍ଷ ଖ୍ରୀଷ୍ଟିଆନ ଅଛନ୍ତି । ତେବେ ଆମ ଦେଶରେ ଖ୍ରୀଷ୍ଟିଆନ ନହୋଇ ବି ଅନେକ ଅଣଖ୍ରୀଷ୍ଟିଆନ୍ ଖ୍ରୀଷ୍ଟିଆନମାନଙ୍କ Christmas ଓ Gregorian New year ପାଳନ୍ତି । ଏହି ସବୁ କଥା ଦେଖି କେହି କେହି Christmasକୁ ଓଡ଼ିଆ ଭାଷାରେ କ'ଣ କୁହାଯାଏ ବୋଲି ପ୍ରଶ୍ନ କରନ୍ତି !

Christmasକୁ ସାଧାରଣତଃ ଓଡ଼ିଶାରେ ଖ୍ରୀଷ୍ଟମସ୍ ପର୍ଵ,ଖ୍ରୀଷ୍ଟମାସ୍ ପର୍ଵ,ଏକ୍ସ୍‌ମାସ୍ ,କ୍ରୀସମସ୍ ଓ କିସ୍ମାସ୍ ଆଦି କୁହାଯାଏ । ତେବେ 
ଶହେ ଵର୍ଷ ତଳର ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ Christmas ଶବ୍ଦର ଦୁଇଗୋଟି ଓଡ଼ିଆ ନାମ ମଧ୍ୟ ଯୋଡ଼ାଯାଇଥିଲା ।

ପ୍ରଥମତଃ ସାରା ଓଡ଼ିଶାରେ ୨୫ ଡିସେମ୍ବରକୁ ବଡ଼ଦିନ କୁହାଯାଏ। ତେଣୁ Christmasକୁ ବି କେହି କେହି ବଡ଼ଦିନ କହିଥାନ୍ତି । କେତେକ ବୁଦ୍ଧିଜୀଵିଙ୍କ ମତରେ ଏହି ଦିନଟି ଖ୍ରୀଷ୍ଟିଆନଙ୍କ ଗୋଟିଏ ବଡ଼ ଦିନ ବୋଲି ତାକୁ ବଡ଼ଦିନ କୁହାଗଲା ତେବେ ସମ୍ଭଵତଃ ଭାରତରେ ୨୫ ଡିସେମ୍ବରକୁ ଭିନ୍ନ କାରଣରୁ ବଡ଼ଦିନ କୁହାଯାଉଥାଇପାରେ । ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ବଡ଼ଦିନ ତଳେ ଥିଵା ଦ୍ରଷ୍ଟଵ୍ୟରୁ ଜଣାଯାଏ ଯେ ଏହି ଦିନଠାରୁ ଅର୍ଥାତ୍ ୨୫ ଡିସେମ୍ବରଠାରୁ ଦିନମାନ କ୍ରମଶଃ ବଡ଼ ହେଵାର ଅନୁମିତ ହୁଏ, ସେଥିପାଇଁ ହୁଏତ ଖ୍ରୀଷ୍ଟଧର୍ମ ଆଗମନ ପୂର୍ଵରୁ ଏହାକୁ ଲୋକେ ବଡ଼ଦିନ କହୁଥିବେ । ଡିସେମ୍ବର ମାସ ୨୨ ତାରିଖରୁ ଦିନ କ୍ରମେ ବଡ ହୁଏ ଓ ରାତି କମେ। ତେଣୁ ହୁଏତ Christmas ସହିତ ବଡ଼ଦିନ ଶବ୍ଦର କୌଣସି ସମ୍ପର୍କ ନଥାଇପାରେ । ସେ ଯାହା ହେଉ ଆଜି ଖ୍ରୀଷ୍ଟମାସ ଶବ୍ଦର ଓଡ଼ିଆ ପ୍ରତିଶବ୍ଦ ବଡ଼ଦିନ ହୋଇସାରିଛି । 
ସେହିପରି ପୂର୍ଣ୍ଣଚନ୍ଦ୍ର ଭାଷାକୋଷର ୭୭୧୬ତମ ପୃଷ୍ଠା ଅନୁସାରେ ଆଗେ ଗଞ୍ଜାମ ଜିଲ୍ଲାରେ ଖ୍ରୀଷ୍ଟମାସ ଦିନରେ ଦିଆଯାଉଥିଵା ଛୁଟିକୁ ଶୀତ ସିଲ କୁହାଯାଉଥିଲା । ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଶିଲ ଶବ୍ଦର ଅନେକ ଅର୍ଥ ମଧ୍ୟରେ ଗୋଟିଏ ଅର୍ଥ ଲେଖାଅଛି
"କାର୍ଯ୍ୟରୁ ଛୁଟି ଵା ଅବସର" । ଇଙ୍ଗ୍ରେଜମାନେ ଏ ଦେଶକୁ ପରାଧୀନ କରିଥିଵା ସମୟରେ ନିଜ ପର୍ଵ ଖ୍ରୀଷ୍ଟମାସ୍ ସମୟରେ ଭାରତୀୟଙ୍କୁ ଶୀତଛୁଟି ନାମରେ ଛୁଟି ଦେଉଥିଲେ । ଦକ୍ଷିଣ ଓଡ଼ିଶାରେ ତାହା ଶୀତସିଲ ଵା ଶୀତଶିଲ ଥିଲାବେଳେ ଓଡ଼ିଶାର ଆଉ କେତେକ ଅଞ୍ଚଳରେ ଧାନକଟା ଛୁଟି ଭାବେ ଜଣାଯାଉଥିଲା । 

 

Monday, December 18, 2023

"କ୍ରମଶଃ ହଜିଯାଉଥିଵା ଗୋଟିଏ ଚୂଲି ଓ ତାହାର ଵିଭିନ୍ନ ଓଡ଼ିଆ ନାମ"


ଵିଵାହ,ଯଜ୍ଞ,ଶ୍ରାଦ୍ଧ,ଉତ୍ସଵ,ଵିଦେଶଵାସ ଓ ଧାନସିଝା ସମୟରେ ପହଣି କରି ଅସ୍ଥାୟୀ ଲମ୍ବ ଚୁଲ୍ଲୀ ଖୋଳାଯାଏ । ଏଭଳି ଚୂଲିରେ ଉପରେ ଧାଡ଼ି ହୋଇ ବହୁତ ହାଣ୍ଡି ବସି ପାରେ। ଏ ଧରଣର ଅସ୍ଥାୟୀ ଲମ୍ବଚୂଲି,ଓଡ଼ିଶାର ଵିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ଆକାର ପ୍ରକାରର ଗଢ଼ାଯାଏ ଏଵଂ ସ୍ଥାନ ଵିଶେଷରେ ଏହାର ନାମ ମଧ୍ୟ ଭିନ୍ନ ଭିନ୍ନ ହୋଇଥାଏ । ପୂର୍ଣ୍ଣଚନ୍ଦ୍ର ଭାଷାକୋଷରୁ ଏହି ଜାତୀୟ ଅସ୍ଥାୟୀ ଲମ୍ବଚୂଲିର ଖନ୍ଦା,ଅହିଆ,
ଇଁଟଲା,ଝୁଲି ଓ ଝୁଲୁ ଇତ୍ୟାଦି ପାଞ୍ଚଗୋଟି ନାମ ପ୍ରାପ୍ତ ହୋଇଅଛି । 


ଓଡ଼ିଆ ଜାତି ପାଇଁ ଖନ୍ଦା ନୂଆ ନୁହେଁ। ବହୁ ପ୍ରାଚୀନ କାଳରୁ ଓଡ଼ିଶାର ଲୋକେ ଖନ୍ଦା ଖୋଳି ତା’ଉପରେ ଛାମୁଣ୍ଡିଆ କରୁଥିଲେ ଏଵଂ 
ଏହି ସ୍ଥାନକୁ ଖନ୍ଦାଶାଳ,ଖଞ୍ଚାଶାଳ ଓ ଖନ୍ଦାଘର କହୁଥିଲେ ।

ଗଞ୍ଜାମର କଵି କୃଷ୍ଣସିଂହ ତାଙ୍କ କୃଷ୍ଣ ମହାଭାରତରେ ଖନ୍ଦାଘର ଶବ୍ଦର ପ୍ରୟୋଗ ଏହି ଅର୍ଥରେ କରିଅଛନ୍ତି ...

”ଦ୍ରୌପଦୀ ଆସୁ ଆସୁ ଭୀମଙ୍କୁ ଦେଖିଲେ ବିରାଟ ଖନ୍ଦାଘରେ ଛିଡ଼ା ହୋଇଥିଲେ।” (କୃଷ୍ଣସିଂହ. କୃଷ୍ଣମହାଭାରତ. ଵିରାଟପର୍ଵ।)

ଖନ୍ଦା ଖୋଳା ସମୟରେ ଚାରି ଵା ଏକାଧିକ ହାଣ୍ଡି ବସିଵା ଭଳି ଚୂଲି ବସିଵା ଭଳି ଖନ୍ଦା ପ୍ରସ୍ତୁତ ହେଉଥିଲା । ଏହାର ପ୍ରମାଣ ସ୍ଵରୂପ ଫକୀରମୋହନ ସେନାପତିଙ୍କ ଗଳ୍ପସ୍ଵଳ୍ପର କିଛି ପଦ ଉଦାହରଣ ସ୍ୱରୂପ ଦିଆଯାଇପାରେ । ଯଥା:-
 “କାଲି ବିଭା । ମଙ୍ଗନରାତିରେ ସବୁ କୁଣିଆ ପହଞ୍ଚିଗଲେ । ଖନ୍ଦା ଲାଗିଗଲା । ସେହି କୁଣିଆ ଭିତରୁ ଚାରି ଜଣ ରାନ୍ଧୁଣୀ ପରଷୁଣୀ ବାହାରି ପଡ଼ିଲେ ।”
ପଦରୁ ସ୍ପଷ୍ଟ ହୁଏ ଯେ ଖନ୍ଦାରେ ଚାରିଗୋଟି ଚୂଲି ଥିଵାରୁ ଚାରିଜଣ ରାନ୍ଧୁଣୀ ପରଷୁଣୀ ଲୋଡ଼ା ହେଲେ ଅନ୍ୟଥା ଗୋଟିଏ ଦୁଇଗୋଟି ଚୂଲି ହୋଇଥିଲେ ଜଣେ ଦୁଇଜଣରେ କାମ ପଟିଯାଇଥାନ୍ତା । ଏହି ଖନ୍ଦା ଶବ୍ଦର ମୂଳ ଇଂଣ୍ଡିକ୍ ରୂପ *khaḍḍa ଥିଲା । ପାରମ୍ପରିକ ଭାଷାଵିଦମାନେ ଏହି ଶବ୍ଦଗୁଡ଼ିକର କ୍ଷୁଦ୍ରରୂପ "ଖନ୍ ଧାତୁ(ଖଣି,ଖନନ,ଖନ୍ଦା) ନିର୍ଣ୍ଣୟ କରିଥିଲେ । 

ସେହିପରି ଦୁଇଧାଡ଼ି ହାଣ୍ଡି ବସିଵା ଅହ୍ୟା ଵା ଲମ୍ବଚୁଲିକୁ ଓଡ଼ିଶାର ପଶ୍ଚିମାଞ୍ଚଳରେ 'ଝୁଲି' ଓ 'ଝୁଲୁ' କୁହାଯାଏ ଏଵଂ ଏହି ଶବ୍ଦଦ୍ଵୟ 'ଚୂଲି' ଶବ୍ଦର ପରିଵର୍ତ୍ତିତ ରୂପ ବୋଲି ଭାଷାକୋଷରେ ଉଲ୍ଲେଖ ଅଛି ‌। ତେବେ ବହୁତ ଲୋକେ ଜାଣିନଥିବେ ଯେ ଓଡ଼ିଆ ଆଦି ଵିଭିନ୍ନ ଇଂଣ୍ଡିକ୍ ଭାଷାଗୁଡ଼ିକରେ ଵ୍ୟଵହୃତ 'ଚୁଲ୍ଲା','ଚୂଲି' ଓ 'चूल्हा' ଇତ୍ୟାଦି ଶବ୍ଦଗୁଡ଼ିକ ମୂଳତଃ ଦ୍ରାଵିଡ଼ ଭାଷାପରିଵାରରୁ ସଂସ୍କୃତ ଭାଷା ଦେଇ ପ୍ରଚଳିତ । ମୂଳ ଦ୍ରାଵିଡ଼ ଶବ୍ଦ cuḷḷ ଵା cuḷḷa ଶବ୍ଦଟି ସଂସ୍କୃତ ଭାଷାରେ ଚୁଲ୍ଲା,ଚୁଲ୍ଲି ଵା ଚୁଲ୍ଲୀ ରୂପେ ଚୁଲ୍ଲ ଧାତୁରୁ 
ଵିଳାସ କରିଵା,କେଳି କରିଵା ଅର୍ଥରେ ନିଷ୍ପନ୍ନ କରାଯାଇ ଗୃହୀତ ହୋଇଛି ।‌

ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଖନ୍ଦାଚୂଲିର ଆଉ ଏକ ପ୍ରତିଶବ୍ଦ 'ଇଁଟଲା' ଓଡ଼ିଶାର ପଶ୍ଚିମାଞ୍ଚଳରେ ପ୍ରଚଳିତ ଥିଵା କୁହାଯାଇଛି । ତେବେ ଏହି ଶବ୍ଦଟି ଆଷ୍ଟ୍ରୋଏସୀୟ ଭାଷାପରିଵାରର ଶବ୍ଦ ହୋଇଥିଵା ସମ୍ଭଵ କାରଣ ହୋ ଭାଷାରେ ଚୂଲିକୁ 
ଇଟୁଲଃ ଓ ଇଟୁଲାଡ୍ କୁହାଯାଏ ।‌ ହୋ ଭାଷାରେ କୁହନ୍ତି "ଇଟୁଲଃରେ ଚାଟୁବୁ ଚନ୍ଦାୟା ।" ଅର୍ଥାତ୍ "ଚୁଲିରେ ହାଣ୍ଡି ବସାଇଵା ।" ଏଵଂ 
"ଇଟୁଲାଡ୍‌ରେ ସେଙ୍ଗେଲ୍ ତୁମ୍ବୁଡେମ୍ ।" ଅର୍ଥାତ୍ "ଚୁଲିରେ ନିଆଁ ଲାଗାଇଵ ।"

ମାତ୍ର ଖନ୍ଦାଚୂଲିର ଅନ୍ୟତମ ଓଡ଼ିଆ ନାମ 
ଅହ୍ୟା ଵା ଅହିଆ ଏକ ପ୍ରାଚୀନତମ ଓଡ଼ିଆ ଶବ୍ଦ । ଭୋଜି ଇତ୍ୟାଦିରେ ସାମୟିକ ରନ୍ଧନ ସମୟରେ ଏକାଧିକ ହାଣ୍ଡି ବସାଯିଵା ପାଇଁ ନିର୍ମିତ ଏହି ଵିଶେଷ ଧରଣର ଚୂଲିର ଅହିଆ ଵା ଅହ୍ୟା ନାମଟି ଅତି ପ୍ରାଚୀନ । 

ଅଵଶ୍ୟ ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଅହ୍ୟା ଵା ଅହିଆ ଶବ୍ଦର ଵ୍ୟୁତ୍ପତ୍ତି ସମ୍ବନ୍ଧିତ କୌଣସି ମତ ଦିଆଯାଇନାହିଁ ତେବେ Sir. Ralph Lilley Turnerଙ୍କ ଦ୍ଵାରା ସଂକଳିତ "A comparative dictionary of Indo-Aryan languages"ରୁ ଜଣାଯାଏ ଯେ ଓଡ଼ିଆ ଭାଷାର ଏହି ଅହିଆ ଵା ଅହ୍ୟା ଶବ୍ଦଟି ମୂଳ ପ୍ରାକ୍ ଇଣ୍ଡିକ୍ ādhí('deposit') ଶବ୍ଦ ମୂଳର ଶବ୍ଦ ଅଟେ । ଏହାର ମୂଳ ଧାତୁରୂପ 'ଧା ଧାତୁ' ବୋଲି Turner ମହାଶୟ ଉଲ୍ଲେଖ କରିଛନ୍ତି। ଋକଵେଦରେ ādhí ଶବ୍ଦ 'receptacle' ଅର୍ଥରେ ପ୍ରୟୋଗ କରାଯାଇଛି। ପରେ ସଂସ୍କୃତ ଭାଷାରେ ଅଧିକରଣ(receptacle) ଓ ଅଧିଶ୍ରୟ(receptacle) ଆଦି ଶବ୍ଦ ଏହି ମୂଳ ଇଂଣ୍ଡିକ୍ ଶବ୍ଦ ādhíର ଅର୍ଥ ଘେନି ପ୍ରଚଳିତ ହୋଇଥିଲା । ପ୍ରାକ୍ ଇଣ୍ଡିକ୍ ଭାଷାରେ ādhí ସହିତ ସମୋଦ୍ଧୃତ ā́dadhāti ବୋଲି ଆଉ ଏକ ଶବ୍ଦ ଥିଲା ଯାହା'adds fuel to fire' ଵା "ଅଗ୍ନିରେ ଘିଅ ଆଦି ଇନ୍ଧନ ପ୍ରଦାନ" ଅର୍ଥରେ ପ୍ରୟୋଗ କରାଯାଉଥିଲା । ଋକଵେଦରେ ଏହି ଶବ୍ଦଟି ପରେ ସାମାନ୍ୟ ପରିଵର୍ତ୍ତିତ ହୋଇ ā́hita ରୂପେ ସମ ଅର୍ଥରେ ଚଳିଲା । Sir. Ralph Lilley Turnerଙ୍କ ଅନୁସାରେ ଏହି ଵୈଦିକ ā́hita ଶବ୍ଦରୁ ଓଡ଼ିଆ ଭାଷାରେ ଅହିଆ ଓ ଅହ୍ୟା ଶବ୍ଦ ସୃଷ୍ଟି ହୋଇଛି । ପୁଣି ଓଡ଼ିଆ ଭାଷାରେ କୁମ୍ଭାରର ଚୁହ୍ଲୀ ତଥା କମାରମାନଙ୍କ ଲୁହା ଘଷିଵାର ଯନ୍ତ୍ର raspକୁ ଓଡ଼ିଆ ଭାଷାରେ ଉହା କୁହାଯାଏ ତେବେ ଏ ଶବ୍ଦଟି ପ୍ରାକ୍ ଇଂଣ୍ଡିକ୍ āpāka ସହିତ ସମୋଦ୍ଧୃତ ବୋଲି ପ୍ରୋକ୍ତ comparative dictionaryରୁ ଜଣାଯାଏ । 

ହୁଏତ ଆଜି ଆଉ ସେତେ ଖନ୍ଦା,ଝୁଲି ଵା ଝୁଲୁ,ଇଁଟାଲା ଓ ଅହ୍ୟା ଵା ଅହିଆ କରାଯାଉନାହିଁ କିନ୍ତୁ ଏହି ସବୁ ଶବ୍ଦ ଵିଶେଷତଃ ଅହ୍ୟା ଵା ଅହିଆ ଶବ୍ଦର ଇତିହାସ ଆମକୁ ଜଣାଇ ଦିଏ ଯେ ଆମ ଭାଷା କେତେ ପ୍ରାଚୀନ ଓ ଗୌରଵମୟ। 






Friday, December 15, 2023

𐬽ଓଡ଼ିଶାର ଏକ ମନ୍ଦିର ଚୋରୀ ପ୍ରୟାସର ଇତିଵୃତ 𐬼




ଭୁବନେଶ୍ୱରର ଅନନ୍ତ ଵାସୁଦେଵ ମନ୍ଦିର ଏକ ପୁରାତନ ଵିଷ୍ଣୁ ମନ୍ଦିର

ଅଟେ  । ପୁରାତନ କାଳରେ ଭୂଵନେଶ୍ଵର ଶୈଵ କ୍ଷେତ୍ର ଭାବେ  ଖ୍ୟାତ ଥିଲା । ଭୁବନେଶ୍ୱର ନଗରରେ ଶିଵ ଭଗଵାନ ଲିଙ୍ଗରାଜ , ଭୁବନେଶ୍ୱର,ଲକ୍ଷ୍ମଣେଶ୍ବର ଓ ଚକ୍ରେଶ୍ବର ଆଦି ଵିଭିନ୍ନ ନାମରେ ସହସ୍ରାଧିକ ମନ୍ଦିରରେ ପୂଜା ପାଉଛନ୍ତି ‌।

ପ୍ରସିଦ୍ଧ କଳିଙ୍ଗ ରାଜା  ନରସିଂହ ଦେଵ ଦ୍ଵିତୀୟଙ୍କ ଭଗିନୀ ଚନ୍ଦ୍ରିକା ଦେଵୀ ଏହି ଭୁବନେଶ୍ୱରରେ ଭଗଵାନ ଵିଷ୍ଣୁଙ୍କର ଅନନ୍ତ ବାସୁଦେବ ମନ୍ଦିରର  ନିର୍ମାଣ କରାଇଥିଲେ । ଜନସୃତି ଅନୁସାରେ ଚନ୍ଦ୍ରିକା ଦେଵୀଙ୍କ ପତି ହୈହୟ ଵଂଶୀ ରାଜା ପରମର୍ଦ୍ଦୀ ଦେଵ ଵୈଷ୍ଣଵ ଥିଲେ ତେଣୁ ତାଙ୍କ ମୃତ୍ଯୁ ପରେ ପତି ସ୍ମୃତି ରକ୍ଷା ହେତୁ କଳିଙ୍ଗ ରାଜ କନ୍ଯା ଭୁବନେଶ୍ୱରଠାରେ ଏହି ମନ୍ଦିରଟି ନିର୍ମାଣ କରାଇଥିଲେ  ।

ଏହାର କେତେ ଶହ ଵର୍ଷ ପୂର୍ଵେ ଉଦ୍ୟୋତକେଶରୀଙ୍କ ମାତା କୋଳାଵତୀ ଭୁବନେଶ୍ୱରଠାରେ ଥିଵା ବ୍ରହ୍ମେଶ୍ଵର ମନ୍ଦିର ନିର୍ମାଣ କରାଇ ନିଜ ଵଂଶ ପ୍ରଶସ୍ତି କଥା ଲେଖି ୨୦ ପଂକ୍ତି ଵିଶିଷ୍ଟ ଏକ ଶିଳାଲେଖ ସେଥିରେ ସଂଯୋଗ କରିଥିଲେ ।

ତେବେ ଉଭୟ ଶିଳାଲେଖକୁ ଲୋକ ଆଗୋଚରରେ ଅପହରଣ କରାଯାଇ କଲିକତାସ୍ଥ Asiatic Reaserch Societyକୁ ୧୮୨୨ରେ ନିଆଯାଇଥିଲା । ମାତ୍ର ଏହି ଦୁଇଗୋଟି ଶିଳାଲେଖ ଆଉ ଫେରାଇ ନଦିଆଯିଵା ଯୋଗୁଁ ଭୁବନେଶ୍ୱରର ପୂଜାରୀ ଓ ପଣ୍ଡାମାନେ ଏହାର ପ୍ରତିଵାଦ କଲେ ଫଳତଃ ଅତି ଚତୁରତାର ସହିତ ବଙ୍ଗଳା ରାଜା ଭଵଦେଵ ଭଟ୍ଟଙ୍କ ଏକ ଶିଲାଲେଖ ଆଣି ରଖିଦିଆ ଗଲା  । ସେତେବେଳେ ଭୁବନେଶ୍ବରର ପୂଜାରୀମାନେ ଏହାର ରହସ୍ୟ ବୁଝିପାରିଲେ ନାହିଁ ।

କେତେକ ଵର୍ଷ ପରେ ବଙ୍ଗାଳୀ ପ୍ରାବନ୍ଧିକମାନେ ଅନନ୍ତ ବାସୁଦେବ ମନ୍ଦିରକୁ ଭଵଦେଵ ଭଟ୍ଟଙ୍କ କୀର୍ତ୍ତି ବୋଲି ସମ୍ପୂର୍ଣ୍ଣ ବଙ୍ଗରେ  ପ୍ରଚାର କଲେ  । କଥାରେ ଅଛି ସତ କେବେ ଲୁଚି ରହେନା  ! ନିଶ୍ଚୟ ଦିନେ ନା ଦିନେ ସତ୍ୟ ଦୃଶ୍ୟ ହୁଏ, ପ୍ରକଟ ହୋଇଯାଏ । ସତ୍ୟକୁ କେହି ବଦଳାଇ ପାରେନା କି ମାରି ପାରେନା !!!

ସେକାଳରେ ଓଡ଼ିଶାର ସୁଯୋଗ୍ଯ ପ୍ରତ୍ନତତ୍ତ୍ଵଵିତ୍ #ପରମାନନ୍ଦ_ଆଚାର୍ଯ୍ୟ ଏହି ଷଡ଼ଯନ୍ତ୍ର  ଵିଷୟରେ ଜାଣିପାରି ଏକ ତଥ୍ଯାତ୍ମକ ପ୍ରବନ୍ଧ  ଲେଖିଲେ । ସେ ପ୍ରବନ୍ଧ ତତ୍କାଳୀନ ସମ୍ଭ୍ରାନ୍ତ ରାଜନ୍ୟ ଶିକ୍ଷିତ ଵର୍ଗ ମଧ୍ୟରେ ଆଲୋଡ଼ନ ସୃଷ୍ଟି କଲା । କୁହାଯାଏ ମୟୂରଭଞ୍ଜ ମହାରାଜାଙ୍କ  ସହାୟତାରେ ଚନ୍ଦ୍ରିକାଦେଵୀଙ୍କ ସେହି ଶିଳାଲେଖ ଲଣ୍ଡନ ମ୍ଯୁଜିୟମରୁ ଓଡ଼ିଶାକୁ ଅଣା ଯାଇଥିଲା  । ଏହାପରେ  ପରେ ଏ ଵିଷୟକୁ ନେଇ  ଐତିହାସିକଙ୍କ ମଧ୍ୟରେ ବାଦଵିଵାଦ ତର୍କ ଵିତର୍କ ଲାଗିଲା । ଶେଷରେ ଅନୁସନ୍ଧାନରୁ ଜଣାଗଲା ଯେ ଜନୈକ ବଙ୍ଗାଳୀ ଵୈଷ୍ଣଵ ଦ୍ଵାରା ଚନ୍ଦ୍ରାଦେଵୀଙ୍କ  ଶିଳାଲେଖକୁ ଲଣ୍ଡନରେ ବିକି ଦିଆଯାଇଥିଲା ଯାହା ସେଠାକାର ପୋଲିସ ଜବତ କରି ତାକୁ ଲଣ୍ଡନର ମ୍ଯୁଜିୟମକୁ ଦେଇ ଦେଇଥିଲା । ତେବେ ଦୁଃଖର ଵିଷୟ ବ୍ରହ୍ମେଶ୍ବର ମନ୍ଦିରର ଶିଳାଲେଖଟି ଏବେ ବି ଲଣ୍ଡନର ମ୍ଯୁଜିୟମରେ ରହିଯାଇଛି ।
𐬽𐬼𐬽𐬼𐬽𐬼𐬽𐬼𐬽𐬼𐬽𐬼

Saturday, December 9, 2023

ମନୁଷ୍ୟର ଆକାଶରେ ଉଡ଼ିଵାର ଇତିହାସ

ସ୍ତନ୍ୟପାୟୀଙ୍କ ମଧ୍ୟରେ ଦୁଇ ତିନୋଟି ଜାତିର ଜୀଵ ହିଁ ଆକାଶରେ ଉଡ଼ିପାରନ୍ତି । ବାଦୁଡ଼ିମାନେ ସ୍ତନ୍ୟପାୟୀ ଜୀଵ ହେଲେ ବି ଵିଵର୍ତ୍ତନ ଯୋଗୁଁ ଆପଣା ଶରୀରରେ ପକ୍ଷ ଧାରଣ କରି ଉଡ଼ୁଛନ୍ତି । ଉଡ଼ନ୍ତା ଗୁଣ୍ଡୁଚି ଗୋଟିଏ ଗଛରୁ ଆଉ ଗୋଟିଏ ଗଛକୁ glid କରନ୍ତି । ହେଲେ ମଣିଷ ଏଭଳି ଏକ ସ୍ତନ୍ୟପାୟୀ ଜୀଵ ଯିଏ ନିଜ ଶରୀର ମଧ୍ୟରେ ଉଡ଼ିଵା ପାଇଁ କୌଣସି ଅଙ୍ଗ ଵିକଶିତ କରିନାହିଁ ସତ କିନ୍ତୁ ନିଜ ବୁଦ୍ଧି ବଳରେ ହଜାର ହଜାର ଵର୍ଷର ପ୍ରଚେଷ୍ଟା ଯୋଗୁଁ ସ୍ଵ-ନିର୍ମିତ ଯନ୍ତ୍ର ବଳରେ ଉଡ଼ିପାରିଛି । 

ମଣିଷ ଆକାଶରେ ସତସତିକା ଉଡ଼ିଵା ପୂର୍ଵରୁ ଆକାଶରେ ଉଡି଼ଵାର ସହସ୍ରାଧିକ ଵର୍ଷ ଧରି ସ୍ଵପ୍ନ ଦେଖିଛି ଏଵଂ ଏଥିରେ ପ୍ରକୃତରେ କୃତକାର୍ଯ୍ୟ ହେଵା ପାଇଁ ବାରମ୍ବାର ଚେଷ୍ଟା ମଧ୍ୟ କରିଛି ।ଆକାଶରେ ଉଡ଼ିଵାର ପ୍ରଥମ ପ୍ରଚେଷ୍ଟା ହୋଇଥିଵ ପାହାଡ଼ ଉପରୁ ଡେଇଁଵା । ତେବେ ଭାରତ ଓ ଚୀନରେ ପତକା ଆଉ ଘୁଡ଼ି ଥିଲା ଆକାଶରେ ଉଡ଼ୁଥିଵା ମାନଵ ନିର୍ମିତ ପ୍ରାଥମିକ ଦରଵ । 

 ୧୯୦୩ରେ Orville Wright ଓ Wilbur Wrightଙ୍କୁ ଆଧୁନିକ ଵ୍ୟୋମଯାନର ସଫଳ ଉଦ୍ଭାଵକ(୧୯୦୩) ଭାବେ ଅଭିହିତ କରାଯାଏ । ମାତ୍ର ଜଣେ ମରାଠୀ ଵ୍ୟକ୍ତି ଶିଵକର ବାପୁଜୀ ତଲପଡ଼େ ୧୮୯୫ରେ ରାଇଟ୍ ଭାଇଦ୍ଵୟଙ୍କ ଆଠ ଵର୍ଷ ପୂର୍ଵରୁ ଵ୍ୟୋମଯାନ ଉଡ଼େଇ ଥିଵାର ଇତିହାସ ବି ଅଛି । 

ସେହିପରି Sir George Cayleyଙ୍କୁ “Father of Aviation” କୁହାଯାଏ । ୧୭୯୯ରେ ସେ ଉଡ଼ାଜାହାଜ ତିଆରି ପାଇଁ ସର୍ବପୁରାତନ ଜଣାଶୁଣା ଯୋଜନା ପ୍ରସ୍ତୁତ କରିଥିଲେ ଯେଉଁଥିରେ ଲିଫ୍ଟ ଓ ଥ୍ରଷ୍ଟ ପାଇଁ ପୃଥକ ପ୍ରଣାଳୀ ସହିତ ଏକ ସ୍ଥିର-ୱିଙ୍ଗ ଡିଜାଇନ ରହିଥିଲା । ତେବେ ତାହା ଏକ ହସ୍ତଚାଳିତ Glider ଥିଲା ।‌

ପୁଣି ଆକାଶରେ tethered Montgolfier balloon ସାହାଯ୍ୟରେ ଉଡ଼ିଥିଵା ପ୍ରଥମ ଵ୍ୟକ୍ତି ଥିଲେ Jean-François Pilâtre de Rozier ଏଵଂ ୧୭୮୩ରେ ସେ ଏହି ଦୁଃସାଧ୍ୟ କାର୍ଯ୍ୟ କରି ଦେଖାଇଥିଲେ। 

ଲିଓନାର୍ଡୋ ଦା ଵିଞ୍ଚି ପନ୍ଦରଶହ ଶତାବ୍ଦୀରେ ornithopterର ଡିଜାଇନ ପ୍ରସ୍ତୁତ କରିଥିଲେ କିନ୍ତୁ ସେସମୟର ଵିଜ୍ଞାନ ଯୋଗୁଁ ସେ ଆକାଶରେ ଉଡ଼ିଵାରେ ସଫଳ ହୋଇପାରିନଥିଲେ । 

ପଠାଣମାନେ ଦାବି କରନ୍ତି ଯେ ନବମ ଶତାବ୍ଦୀରେ ଜଣେ ଇଞ୍ଜିନିୟର Abbas Ibn Firnas ପ୍ରଥମ ମନୁଷ୍ୟ ଭାବେ ରେଶମ, କାଠ ଓ ପକ୍ଷୀର ପର ସାହାଯ୍ୟରେ ଉଡ଼ିଵାକୁ ଚେଷ୍ଟା କରିଥିଲେ । ଅଵଶ୍ୟ ଏଭଳି ମହାତ୍ମା ଅନେକେ ହୋଇଥିବେ ଯୋଉମାନେ ପର୍ଵତ ଉପରୁ ପକ୍ଷୀ ବାନ୍ଧି ଡେଇଁଥିବେ ଓ ତନ୍ମଧ୍ୟରୁ କିଛି ମୃତ୍ୟମୁଖରେ ବି ପଡ଼ିଥିବେ । 

ଆମ ଦେଶର କିଛି ଲୋକଙ୍କ ଅନୁସାରେ ମହର୍ଷି ଭରଦ୍ୱାଜ ରକେଟ୍ ଓ ଏରୋପ୍ଲେନ‌ର ଉଦ୍ଭାଵନ କରିଥିଲେ । ରାବଣ ମଧ୍ୟ ପୁଷ୍ପକ ବିମାନରେ ଆତଯାତ କରୁଥିଲେ । ଦେଵତାମାନେ ମହାକାଶରୁ ପୃଥିଵୀକୁ ଯାଆଆସ କରୁଥିଲେ ଇତ୍ୟାଦି ଇତ୍ୟାଦି । ଭାରତ ବାହାରେ ମଧ୍ୟ ଆକାଶରେ ଉଡ଼ିଵା ପୂର୍ଵରୁ ମନୁଷ୍ୟ ଅନେକ କଳ୍ପନା ଜଳ୍ପନା କରି ନାନା କଥା ଗାଥା ସୃଷ୍ଟି କରିଛି। ମିଶର ଭଳି ଦେଶର ପୁରୁଣା ଶିଳାଚିତ୍ରରେ ବି ଉଡ଼ାଜାହାଜର ଚିତ୍ର ରହିଛି । 

ଏବେ ମଣିଷ ଆକାଶରେ ଉଡ଼ି ଉଡ଼ି ଶେଷରେ ମହାକାଶରେ ଉଡ଼ିଲାଣି । ମଣିଷ ଆଜି ସମ୍ପୂର୍ଣ୍ଣ ଆକାଶଗଙ୍ଗା ମଧ୍ୟରେ, ଆକାଶଗଙ୍ଗାରୁ ଆକାଶଗଙ୍ଗା ମଧ୍ୟରେ ତଥା ସମାନ୍ତରାଳ ବ୍ରହ୍ମାଣ୍ଡ ମଧ୍ୟରେ ଉଡ଼ି ବୁଲିଵାର ସ୍ବପ୍ନ ଦେଖୁଛି । ଆକାଶରେ ଉଡ଼ିଵାକୁ ମଣିଷକୁ ହଜାର ହଜାର ଵର୍ଷ ଲାଗିଯାଇଛି ସେହିପରି ଗୋଟିଏ ବ୍ରହ୍ମାଣ୍ଡରୁ ଆଉ ଗୋଟିଏ ବ୍ରହ୍ମାଣ୍ଡ ମଧ୍ୟକୁ ଉଡ଼ିଯିଵାକୁ ବି ମଣିଷକୁ କିଛି ଵର୍ଷ ଵା କିଛି ଶହ ଵର୍ଷ ତ ନିଶ୍ଚୟ ଲାଗିଵ । 
•••••••••••••••••••••••••

Thursday, December 7, 2023

ମାଣ୍ଡୁ ଶବ୍ଦ ରହସ୍ୟ

ଦକ୍ଷିଣ ଓଡ଼ିଶାରେ 'ମାଣ୍ଡିଆ' ବୋଇଲେ 'ଟଙ୍କା'
ମାଣ୍ଡିଆ ଦୃଷ୍ଟିରୁ ଦେଖିଲେ ...

•ମାଣ୍ଡିଆ ଵା ଟଙ୍କା ପରି ଯିଏ ମୂଲ୍ୟଵାନ ସିଏ ମାଣ୍ଡୁ 😆
•ମୂଲ୍ୟଵାନ ମାଣ୍ଡିଆ ଵା ଟଙ୍କା ଯିଏ ସାରି ଦିଏ ସିଏ ବି ମାଣ୍ଡୁ 😂
•ମାଣ୍ଡିଆ ଵା ଟଙ୍କା ଵିନା ଯାହାକୁ ପଟେଇଵା କଷ୍ଟକର ସେ ବି ମାଣ୍ଡୁ 🥺
•ମାଣ୍ଡିଆ ଵା ଟଙ୍କା ଯାହା ପାଇଁ ଖେଳଘର ସିଏ ବି ମାଣ୍ଡୁ😭

ଗଡ଼ଜାତରେ କଷିତାଳକୁ ମାଣ୍ଡୁ କୁହନ୍ତି 
ଏ ମାଣ୍ଡୁ ଦୃଷ୍ଟିରୁ...

•କଷି ତାଳ ପରି ଯିଏ ଷୋଳ ଵୟସୀ କିଶୋରୀ ଯୁଵତୀ ସିଏ ମାଣ୍ଡୁ 😉
•ବୁଢ଼ୀ ହେଲେ ବି ଯାହାର ମନ ହୃଦୟ କଷିତାଳ ପରି ଅପକ୍ଵ ସିଏ ବି ମାଣ୍ଡୁ 🤐

ପୁଣି ଦକ୍ଷିଣ ଓଡ଼ିଶାର ଗୋଟିଏ ଶବ୍ଦ ମାଣ୍ଡୁ ଵିଷୟରେ ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ କୁହାଯାଇଛି ଯାହାକୁ ଓଡ଼ିଶାର ପ୍ରଥମ ଭାଷାଵିଦ ଗୋପୀନାଥ ନନ୍ଦଶର୍ମା ସଂଗ୍ରହ କରି ଦେଇଥିଲେ । ଏହି ମାଣ୍ଡୁ ଶବ୍ଦର ଅନ୍ୟରୂପ ମାଡ଼ୁ । "କଞ୍ଚା ଆମ୍ବକୁ ଚିରି ଆଚାର ଵା ଅଡ଼ଙ୍ଗା କରିଵା ପାଇଁ ତହିଁ ମଧ୍ୟରେ ଭରତି କରିଵା ମସଲାଗୁଣ୍ଡକୁ ମାଣ୍ଡୁ ଓ ମାଡ଼ୁ କୁହାଯାଏ । ଏ ଅର୍ଥ ଦୃଷ୍ଟିରୁ ଦେଖିଲେ...

•ଯିଏ ମସଲାଗୁଣ୍ଡ ପରି ତିକ୍ତ,କଷାୟ,ମିଷ୍ଟ ଆଦି ନାନାଵିଧ ପ୍ରଣୟ ରସଯୁକ୍ତ ସେ ମାଣ୍ଡୁ 😉

ପୁଣି ଆଗକାଳରେ ଦେଵତାଙ୍କୁ ଆବାହନ କରିଵାକୁ କଟାଯାଉଥିଵା ମଣ୍ଡଳ ଵା ଭୂମିରେ ଅଙ୍କିତ ଚିତ୍ର ଵିଶେଷକୁ ମାଣ୍ଡୁ କୁହାଯାଉଥିଲା ।
ଏ ଅର୍ଥ ଦୃଷ୍ଟିରୁ ଦେଖିଲେ...

•ଯାହାକୁ ପ୍ରେମିକମାନେ ବାଇଗଣ,ଗୁଗୁଚି, ବିଛୁଆତି ଆଦି ବଣରେ ଲୁଚି ପଥର ମାରି କି ବିଲେଇ,କୁକୁର,ଛେଳି ଆଦି ସ୍ଵର ସହିତ ଆଵାହନ କରନ୍ତି ସେ ଦେଵୀ ହେଲେ ମାଣ୍ଡୁ 😂

ଆଗେ ଧର୍ମମାଣ୍ଡୁକୁ ବି ମାଣ୍ଡୁ କୁହାଯାଉଥିଲା । 
ଅଭିଯୁକ୍ତ ଵ୍ୟକ୍ତିକୁ ପରୀକ୍ଷା କରିଵା ପାଇଁ ପୂର୍ଵ କାଳରେ ଵ୍ୟଵହୃତ ଅଗ୍ନିଆଦିଦ୍ୱାରା ପରୀକ୍ଷାକୁ ଧର୍ମ ପରୀକ୍ଷା, ଧର୍ମମାଣ୍ଡୁ ଓ ମାଣ୍ଡୁ କୁହାଯାଉଥିଲା । ଆଗେ ଅଭିଯୁକ୍ତ ଵ୍ୟକ୍ତି ନିଜ ହାତରେ ତାତିଲା ଲୁହା ଧରିଲେ, କିମ୍ବା ନିଆଁ ଉପରେ ଚାଲିଗଲେ କି ବିଷଧର ସର୍ପ ଥିଵା ମାଠିଆ ମଧ୍ୟରେ ହାତ ପୂରାଇ ଦେଲେ, କିଂଵା ଫୁଟିଲା ତେଲରେ ହାତ ବୁଡ଼ାଇ ଦେଲେ ଯେବେ ଉକ୍ତ ବ୍ଯକ୍ତି ଆହତ ହେଉ ନ ଥିଲା, ତେବେ ସେ ନିର୍ଦ୍ଦୋଷ ବୋଲି ପ୍ରତିପାଦିତ ହେଉଥିଲା । ଅଭିଯୁକ୍ତ ଵ୍ୟକ୍ତିର ସେହି ଅଗ୍ନିଦ୍ୱାରା ପରୀକ୍ଷାକୁ ଅଗ୍ନିମାଣ୍ଡୁ, ଉତ୍ତପ୍ତ ତୈଳଦ୍ୱାରା ପରୀକ୍ଷାକୁ ତୈଳମାଣ୍ଡୁ, ତପ୍ତଲୌହଦ୍ୱାରା ପରୀକ୍ଷାକୁ ଲୌହମାଣ୍ଡୁ, ଉତ୍ତପ୍ତ ଜଳଦ୍ୱାରା ପରୀକ୍ଷା ଜଳମାଣ୍ଡୁ, ସର୍ପଦ୍ୱାରା ପରୀକ୍ଷାକୁ ସର୍ପମାଣ୍ଡୁ ବୋଲା ଯାଉଥିଲା । 

ତେଣୁ ଯୋଉ ସୁନ୍ଦରୀ ପ୍ରେମିକା ତା’ପ୍ରେମିକର ଟଙ୍କା ସମୟ ସାରି ପ୍ରାଣ ଖାଇ , ଅଗ୍ନି -ତୈଳ -ଲୌହ -ଜଳ -ଵାୟୁ ଆଦି ଆଦି ସବୁପ୍ରକାରର ପରୀକ୍ଷା ନିରୀକ୍ଷା ପରେ ସେ ପତି ହେଵାକୁ ଯୋଗ୍ୟ କି ନାହିଁ ନିର୍ଣ୍ଣୟ କରେ ସେ ମାଣ୍ଡୁ 🤣

ସେଥିପାଇଁ ମାଣ୍ଡୁ ନୁହେଁ ଆଣ୍ଡୁପାଣ୍ଡୁ ତା କଥା ବଡ଼ ଗହନ ବାବୁ ,ବୁଝିଵାର ଥିଲେ ବୁଝିଯିବୁ ଅବୁଝା ହେଲେ ମାହାଲ ମାଣ୍ଡା ହେଇ କିନ୍ଦ୍ରି ବୁଲୁଥିବୁ 😂🙏

Saturday, December 2, 2023

•ସାରଳା ମହାଭାରତରେ ଦୁର୍ଯ୍ୟୋଧନଙ୍କର ମୁକୁଟର ନାମକରଣ ଅନର୍ଗଳ ମୁକୁଟ ଵା ଅନର୍ଘ ମୁକୁଟ କାହିଁକି ହୋଇଛି ?•

•ସାରଳା ମହାଭାରତରେ ଦୁର୍ଯ୍ୟୋଧନଙ୍କର ମୁକୁଟର ନାମକରଣ ଅନର୍ଗଳ ମୁକୁଟ ଵା ଅନର୍ଘ ମୁକୁଟ କାହିଁକି ହୋଇଛି ?•

ସାରଳା ମହାଭାରତରେ କଵି ସାରଳା ଦାସ ରାଜା ଦୁର୍ଯ୍ୟୋଧନଙ୍କ ରାଜମୁକୁଟର ନାମ "ଅନର୍ଗଳ ମୁକୁଟ" ରଖିଛନ୍ତି । 

“ମାନଗୋଵିନ୍ଦ ପାଦେ ମୁଁ ହୋଇ ପରିଣାମୀ, ଅନର୍ଗଳ ମୁକୁଟ ମାଗିଲେ ଦେବୁ ସ୍ୱାମୀ॥”
( ସାରଳା, ମହାଭାରତ, ଭୀଷ୍ମ।)

ଉଲ୍ଲେଖଯୋଗ୍ୟ ଯେ ସାରଳା ଦାସ ତାଙ୍କ ସାରଳା ମହାଭାରତରେ ଦୁର୍ଯ୍ୟୋଧନଙ୍କ ମୁକୁଟକୁ ଅନର୍ଘ ମୁକୁଟ ମଧ୍ୟ ଵିଦିତ କରିଛନ୍ତି । ଅନର୍ଘ ଶବ୍ଦର ଅର୍ଥ ବହୁମୂଲ୍ୟ ଅଟେ । ତେବେ ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଦୁର୍ଯ୍ୟୋଧନଙ୍କ ମୁକୁଟର ନାମ ଅନର୍ଗଳ ମୁକୁଟ ବୋଲି ଲିଖିତ ହୋଇଛି । 

ତେବେ ଡକ୍ଟର ଆର୍ତ୍ତବଲ୍ଲଭ ମହାନ୍ତି ସମ୍ପାଦିତ ସାରଳା ମହାଭାରତ ଭୀଷ୍ମ ପର୍ଵ ଅନୁସାରେ ଏହି ପଦଟି ଭିନ୍ନ ଭାବେ ଲିଖିତ ଥିଵା ଦେଖାଯାଏ । ଯଥା :

“ମୁହିଁ ବୋଇଲି ଦ୍ରିଯୋଧନ ଚରଣେ ପରିଣାମି,
ଅନର୍ଘ ମଣି ମୁକୁଟ କାର୍ଯ୍ୟ ବେଳେ ଦେବାକ ମୋତେ ସ୍ୱାମୀ ॥”

ସମ୍ଭଵତଃ ଶ୍ରୀ ଗୋପାଳ ଚନ୍ଦ୍ର ପ୍ରହରାଜଙ୍କ ସହଯୋଗୀ ଗଣ ଛାପା ବହି ଦେଖି "ଅନର୍ଗଳ ମୁକୁଟ " ଲେଖିଛନ୍ତି । 

ମାନଗୋଵିନ୍ଦ ଵା ଦୁର୍ଯ୍ୟୋଧନଙ୍କର ଏ ଅନର୍ଗଳ ମୁକୁଟ ଵା ଅନର୍ଘ ମୁକୁଟକୁ ନେଇ ସାରଳା ମହାଭାରତରେ ଯୋଉ କାହାଣୀ ଅଛି ତାହା ଏହିପରି :

ମହାଭାରତ ଯୁଦ୍ଧ ସମୟରେ ଭୀଷ୍ମ କୌରଵ ପକ୍ଷରୁ ସେନାପତି ଥାନ୍ତି। ଭୀଷ୍ମ ପ୍ରତ୍ୟହ ଏକ ଅକ୍ଷୌଣୀ ସେନ୍ୟ ମାରୁଥିଲେ ମଧ୍ୟ ପାଣ୍ଡଵ ପାଞ୍ଚ ଭାଇଙ୍କର କୌଣସି କ୍ଷତି କରୁ ନଥିଲେ। ଏହା ଅନୁଭଵ କରି ମହାମାନୀ ଦୁର୍ଯ୍ୟୋଧନ ଭୀଷ୍ମଙ୍କ ପାଖରେ ପହଞ୍ଚି ଅଭିଯୋଗ କଲେ, ହସ୍ତିନାପୁର ସିଂହାସନ ପ୍ରତି ଉତ୍ତରଦାୟୀ ଥିଵାରୁ ପିତାମହ ଭୀଷ୍ମ କୌରଵ ସେନାର ସେନାପତି ହୋଇଛନ୍ତି ସତ, ମାତ୍ର ପାଣ୍ଡଵମାନଙ୍କ ପ୍ରତି ଥିଵା ଅତ୍ୟଧିକ ମୋହ ଯୋଗୁଁ ସେ ପାଣ୍ଡଵମାନଙ୍କର କୌଣସି କ୍ଷତି କରୁ ନାହାନ୍ତି। ଏହା ଶୁଣି ଵୀରଶ୍ରେଷ୍ଠ ଭୀଷ୍ମ ଵ୍ୟଥିତ ହେଲେ। ତେଣୁ ଭୀଷ୍ମ ରାଗି ଯାଇ ଆସନ୍ତା କାଲି ଯୁଦ୍ଧରେ ପୃଥିଵୀ ଅପାଣ୍ଡଵା ହେଵ ବୋଲି ଘୋଷଣା କରିଵା ସହିତ ପାଣ୍ଡଵ ପାଞ୍ଚ ଭାଇଙ୍କ ପାଇଁ ୫ଟି ସୁନା ନିର୍ମିତ ଶର ପ୍ରସ୍ତୁତ କରି ତାକୁ ଅଭିମନ୍ତ୍ରିତ କରି ରଖିଥିଲେ। ଏହା ଦେଖି ଦୁଯ୍ୟୋାଧନ ବଡ଼ ଉଷତ ହୋଇଥିଲେ। ତେବେ ଭୀଷ୍ମଙ୍କ ଏହି ପ୍ରତିଜ୍ଞା ସମ୍ପର୍କରେ ଶ୍ରୀକୃଷ୍ଣ ଜାଣି ପାରି ଚିନ୍ତିତ ହୋଇପଡ଼ିଲେ। ଶେଷରେ ଏହି ୫ ଶର କିପରି ଭୀଷ୍ମଙ୍କ ପାଖରେ ନ ରହିଵ ତାହାର ଵ୍ୟଵସ୍ଥା ପାଇଁ ଯୋଜନା ପ୍ରସ୍ତୁତ କଲେ। 


ମହାଭାରତ ଯୁଦ୍ଧ ପୂର୍ଵରୁ ପାଣ୍ଡଵମାନେ ନିର୍ଵାସନ ଭୋଗୁଥିଵା ସମୟରେ ସେମାନଙ୍କୁ ନ୍ୟୂନ ଦେଖାଇଵା ପାଇଁ ଦୁର୍ଯ୍ୟୋଧନ ଜଙ୍ଗଲକୁ ଯାଇଥିଵା ବେଳେ ଚିତ୍ରସେନ ଗନ୍ଧର୍ଵଙ୍କ ପତ୍ନୀଙ୍କୁ ଅସଦାଚରଣ ପ୍ରଦର୍ଶନ କରିଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ଚିତ୍ରସେନ ଗନ୍ଧର୍ଭ, ଦୁର୍ଯ୍ୟୋଧନ ସହିତ ଯୁଦ୍ଧ କରି ତାଙ୍କୁ ବନ୍ଦୀ କରିଥିଲେ। ଏହି ସୂଚନା ପାଇ ଅର୍ଜୁନ ଚିତ୍ରସେନ ଗନ୍ଧର୍ଵ ସହିତ ଯୁଦ୍ଧ କରି ଦୁର୍ଯ୍ୟୋଧନଙ୍କୁ ମୁକ୍ତି ଦେଇଥିଲେ। ସେ ସମୟରେ ଯେ କୌଣସି ଵର ମାଗି ନେଵା ପାଇଁ ଅର୍ଜୁନଙ୍କୁ ଦୁର୍ଯ୍ୟୋଧନ ପ୍ରସ୍ତାଵ ଦେଇଥିଲେ। ମାତ୍ର ଉପଯୁକ୍ତ ସମୟରେ ସେ ଏହି ଵର ମାଗିନେବେ ବୋଲି ଅର୍ଜୁନ କହିଥିଲେ। ତେଣୁ ଏହି ଭୀଷ୍ମଙ୍କ ପାଖରେ ଥିଵା ଏହି ପାଞ୍ଚ ଶର ଲାଭ କରିଵା ହେତୁ ଶ୍ରୀକୃଷ୍ଣ ଦୁର୍ଯ୍ୟୋଧନଙ୍କର ଉକ୍ତ ଵରକୁ ଵ୍ୟଵହାର କରିଵାକୁ ଅର୍ଜୁନଙ୍କୁ କହିଲେ।

ଯୋଜନା ଅନୁଯାୟୀ ରାତିରେ ଅର୍ଜୁନ ଯାଇ ଦୁର୍ଯ୍ୟୋଧନଙ୍କୁ ତାଙ୍କ ରାଜମୁକୁଟ ରାତିକ ପାଇଁ ମାଗିଥିଲେ। ଅର୍ଜୁନଙ୍କୁ ଵର ଦେଇଥିଵା କଥା ସ୍ମରଣ କରି ରାତିକ ପାଇଁ ଦୁର୍ଯ୍ୟୋଧନ ତାଙ୍କ ରାଜମୁକୁଟ ଅର୍ଜୁନଙ୍କୁ ଦେଇଦେଲେ। 

ଅର୍ଜୁନ ଦୁର୍ଯ୍ୟୋଧନଙ୍କ ରାଜମୁକୁଟ ପିନ୍ଧିି ଭୀଷ୍ମଙ୍କ ପାଖରେ ପହଞ୍ଚିଲେ। ଭୀଷ୍ମ ହସ୍ତିିନାପୁରର ସିଂହାସନ ପ୍ରତି ଉତ୍ତରଦାୟୀ ଥିଵାରୁ ସେ ଦୁର୍ଯ୍ୟୋଧନଙ୍କ ମୁଖକୁ ନ ଚାହିଁ କେଵଳ ତାଙ୍କ ମୁଣ୍ଡରେ ଶୋଭା ପାଉଥିଵା ରାଜମୁକୁଟକୁ ଦେଖୁଥଲେ। ଅର୍ଜୁନଙ୍କ ମୁଣ୍ଡରେ ଦୁର୍ଯ୍ୟୋଧନଙ୍କ ରାଜମୁକୁଟ ଦେଖି ଭୀଷ୍ମ ତାଙ୍କୁ ଦୁର୍ଯ୍ୟୋଧନ ବୋଲି ଭାବିଲେ। ଏତେ ରାତିରେ ପୁଣି କାହିଁକି ଆସିଲେ ବୋଲି ପଚାରିଵାରୁ ପାଣ୍ଡଵଙ୍କ ମୃତ୍ୟୁ ପାଇଁ ପ୍ରସ୍ତୁତ ପାଞ୍ଚ ଶର ସେ ନିଜ ସୁରକ୍ଷାରେ ରଖିଵାକୁ ଚାହାନ୍ତି ବୋଲି କହିଵାରୁ ଭୀଷ୍ମ ଵିରକ୍ତ ହୋଇ ସେହି ପାଞ୍ଚ ଶର ଦୁର୍ଯ୍ୟୋଧନ ଭାବି ଅର୍ଜୁନଙ୍କୁ ଦେଇଦେଲେ। ତହୁଁ ପରଦିନ ସକାଳେ ଯୁଦ୍ଧକୁ ଯିଵା ପୂର୍ଵରୁ ଭୀଷ୍ମ ଦୁର୍ଯ୍ୟୋଧନଙ୍କୁ ତାଙ୍କ ୫ଟି ଶର ଫେରାଇ ଦେଵାକୁ କହିଵାରୁ ଦୁର୍ଯ୍ୟୋଧନ ଆାଶ୍ଚର୍ଯ୍ୟ ପ୍ରକଟ କରିଥିଲେ। ନିଜ ରାଜମୁକୁଟ ପିନ୍ଧି ଗତକାଲି ଵିଳମ୍ବିତ ରାତିରେ ଦୁର୍ଯ୍ୟୋଧନ ଆସି ତାଙ୍କ ଠାରୁ ୫ ଶର ମାଗିନେଇ ଥିଵା କଥା କହିଵାରୁ ଦୁର୍ଯ୍ୟୋଧନ ବୁଝିଗଲେ ଯେ ଗତକାଲି ରାତିରେ ଶ୍ରୀକୃଷ୍ଣଙ୍କ ମନ୍ତ୍ରଣାରେ ଅର୍ଜୁନ ତାଙ୍କ ରାଜମୁକୁଟ ପିନ୍ଧିି ଭୀଷ୍ମଙ୍କ ଠାରୁ ପାଞ୍ଚ ଶର ଲାଭ କରିନେଇଛନ୍ତି। ତେଣୁ ସେ ଏହା ଜାଣି ମ୍ରିୟମାଣ ହୋଇ ପଡ଼ିଥିଲେ। ସାରଳା ମହାଭାରତରେ ଦୁର୍ଯ୍ୟୋଧନଙ୍କ ମୁକୁଟକୁ "ଅନର୍ଗଳ ମୁକୁଟ" ନାମକରଣ କରାଯାଇଛି । 

ତେବେ ମନରେ ପ୍ରଶ୍ନ ଆସେ ଦୁର୍ଯ୍ୟୋଧନଙ୍କୁ ଅନର୍ଗଳ ମୁକୁଟ ଵା ଅନର୍ଘ ମୁକୁଟ କାହିଁକି ନାମକରଣ କରାଯାଇଛି ? 

ଯଦି ଦୁର୍ଯ୍ୟୋଧନଙ୍କ ମୁକୁଟର ନାମ ଅନର୍ଗଳ ମୁକୁଟ ହୋଇଥାଏ ତେବେ ଅନର୍ଗଳ ଶବ୍ଦର ଅର୍ଥ ଆମକୁ ଜାଣିଵାକୁ ହେଵ । 

ସଂସ୍କୃତ ଭାଷାରେ ଅନର୍ଗଳ ଶବ୍ଦର ସ୍ତ୍ରୀଵାଚକ ରୂପ ଅନର୍ଗଳା ଏଵଂ  
ବାଧାରହିତ,ଅଵିରାମ,ନିରଙ୍କୁଶ,ଅପ୍ରତିବନ୍ଧ,ସ୍ୱେଚ୍ଛାଚାରୀ,ସ୍ୱାଧୀନ ଓ ଯହିଁରେ କିଳିଣୀ ନ ଥାଏ ତାକୁ ସଂସ୍କୃତ ଭାଷାରେ ଅନର୍ଗଳ କୁହାଯାଏ । ମାତ୍ର ପ୍ରାଚୀନ ଓଡ଼ିଆ ସାହିତ୍ୟରେ ଅନର୍ଗଳ ଶବ୍ଦ ଭିନ୍ନ ଅର୍ଥରେ ପ୍ରୟୋଗ କରାଯାଇଛି । 

ଜଗନ୍ନାଥ ଦାସ ତାଙ୍କର ଓଡ଼ିଆ ଭାଗଵତର ଦଶମ ସ୍କନ୍ଦରେ "ଅତି ଦୃଢ଼" ଅର୍ଥରେ ଅନର୍ଗଳ ଶବ୍ଦ ପ୍ରୟୋଗ କରି ଲେଖିଛନ୍ତି

“ସାତ କବାଟ ମହାବଳ,
ଲୋହ କିଳଣୀ ଅନର୍ଗଳ।”

ସେହିପରି ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଅନର୍ଗଳ ଶବ୍ଦଟି ଏକ ଓଡ଼ିଆ କ୍ରିୟା ଵିଶେଷଣ ଶବ୍ଦ ଭାବେ ଆଗେ
ଅଵିଶ୍ରାନ୍ତଭାବରେ ଓ ଗଡ଼ ଗଡ଼ କରି କହିଵା ଅର୍ଥରେ ମଧ୍ୟ ପ୍ରୟୋଗ କରାଯାଉଥିଲା । 

ଆମେ କହିଲାବେଳେ କୁହନ୍ତି "ଵକ୍ତା ଅନର୍ଗଳ କହି ଯାଉଥାନ୍ତି; ଆମେ ତାଙ୍କ ଆଡ଼କୁ ବଲ ବଲ କରି ଚାହିଁଥାଉଁ।” ଏଠାରେ ଅନର୍ଗଳ ଶବ୍ଦଟି ଗଡ଼ଗଡ଼ କରି କହିଵା ଅର୍ଥରେ ଵ୍ୟଵହାର ହୋଇଛି ବୋଲି ଭାଷାକୋଷରେ ଉଦାହରଣ ସହ ଉଲ୍ଲେଖ କରାଯାଇଛି । 

ପୁଣି ସଂସ୍କୃତ ଭାଷାରେ ଅନର୍ଗଳା ଗୋଟିଏ ସ୍ତ୍ରୀଵାଚକ ଵିଶେଷଣ ଶବ୍ଦ ଓ ସଂସ୍କୃତର ଅନର୍ଗଳ ଶବ୍ଦ ଅର୍ଥଜ କିନ୍ତୁ ପ୍ରାଚୀନ ଓଡ଼ିଆ ସାହିତ୍ୟରେ ଅନର୍ଗଳା ଶବ୍ଦର ମଧ୍ୟ ସ୍ଵତନ୍ତ୍ର ଅର୍ଥରେ ପ୍ରୟୋଗ ରହିଛି । 

ଆମର ପ୍ରାଚୀନ ସାହିତ୍ୟରେ ଅନର୍ଗଳା ଶବ୍ଦ ଅନର୍ଗଳ ପରି "ଅତି ଦୃଢ଼" ଅର୍ଥରେ ଵ୍ୟଵହାର ହୋଇଥିଵା ଭାଷାକୋଷରୁ ଜଣାଯାଏ । ଯଥା :

“ଠାବେ ଠାବେ କବାଟ ଲାଗିଛି ଅନର୍ଗଳା।” (ପ୍ରାଚୀ, ବ୍ରହ୍ମନିରୂପଣ ଗୀତା।)

ପୁନଶ୍ଚ "ଅତିବଳିଷ୍ଠ" ଅର୍ଥରେ ମଧ୍ୟ ପୀତାମ୍ବରଙ୍କ ନୃସିଂହପୁରାଣରେ ଅନର୍ଗଳା ଶବ୍ଦ ଵ୍ୟଵହୃତ ହୋଇଛି । 

“ବୁଝିଲେ ତ ତୁମ୍ଭେ ସର୍ଵେ କ୍ଷତ୍ରି ଅନର୍ଗଳା”

ସାରଳା ମହାଭାରତରେ 'ଅଜେୟ' ଅର୍ଥରେ ବି ଅନର୍ଗଳା ଶବ୍ଦ ପ୍ରୟୋଗ କରାଯାଇଛି ବୋଲି ପୂର୍ଣ୍ଣଚନ୍ଦ୍ର ଭାଷାକୋଷରୁ ଜଣାଯାଏ । ଯଥା : 
“ରାଗରେ ଫାଲଗୁନୀ ତେଜରେ ଅନର୍ଗଳା” 

ଅତଏଵ୍ ସମ୍ଭଵତଃ ଦୁର୍ଯ୍ୟୋଧନଙ୍କ ମୁକୁଟର ନାମକରଣ କ୍ଷେତ୍ରରେ ମଧ୍ୟ ସଂସ୍କୃତ ଅନର୍ଗଳ ନୁହେଁ ଵରଂ ଓଡ଼ିଆ ଅନର୍ଗଳ ଶବ୍ଦ ଵ୍ୟଵହାର କରାଯାଇଥାଇପାରେ । ହୁଏତ ସାରଳା ଦାସ ଅନର୍ଗଳ ମୁକୁଟ କ୍ଷେତ୍ରରେ ଅନର୍ଗଳ ଶବ୍ଦର ପ୍ରୟୋଗ ଅତି ଦୃଢ଼ ଅର୍ଥରେ କରିଅଛନ୍ତି ।

ମାତ୍ର ପ୍ରୋକ୍ତ ପଦଟିରେ ମୁକୁଟର ନାମ ଶ୍ରୀଆର୍ତ୍ତବଲ୍ଲଭ ମହାନ୍ତିଙ୍କ ଅନୁସାରେ ଅନର୍ଘ ମୁକୁଟ ଅଟେ । ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଅନର୍ଘ ଶବ୍ଦର ମଧ୍ୟ ଉଲ୍ଲେଖ ଅଛି । ଅନର୍ଘ ଏକ ସଂସ୍କୃତ ଵିଶେଷଣ ଶବ୍ଦ । ଭାଷାକୋଷରେ ଏହାର ଅର୍ଥ ଲେଖାଅଛି ଅମୂଲ୍ୟ, ବହୁମୂଲ୍ୟ । ସେହିପରି ଵିଶେଷ୍ୟ ଶବ୍ଦ ଭାବେ ଏହା ବେଜାୟ ମୂଲ୍ୟ ଓ ଅମୂଲମୂଲ ଅର୍ଥରେ ପ୍ରୟୋଗ କରାଯାଏ । 

ଅସ୍ତୁ ଅନର୍ଘ ମୁକୁଟ ହେଉ କି ଅନର୍ଗଳ ମୁକୁଟ ହେଉ ସାରଳା ମହାଭାରତରେ ସାରଳା ଦାସ ଦୁର୍ଯ୍ୟୋଧନଙ୍କର ମୁକୁଟର ଯେଉଁ ନାମକରଣ କରିଛନ୍ତି ସେଭଳି ନାମକରଣ ଭାରତରେ ରଚିତ ଓ ଵିରଚିତ ଅନ୍ୟ ମହାଭାରତ ଗ୍ରନ୍ଥରେ ହୋଇଛି କି ନାହିଁ ତାହା ଗଵେଷଣାର ଵିଷୟ ଅଟେ । 

କାଚକେନ୍ଦୁ : ଏକ ନିଆରା ମୌଳିକ ଓଡ଼ିଆ ଶବ୍ଦ

ପ୍ରତ୍ୟେକ ଭାଷା ଓ ଶୈଳୀରେ ଏମିତି କିଛି ଶବ୍ଦ ଥାଏ ଯହିଁର ଅନ୍ୟ ଭାଷାରେ ସମାର୍ଥକ,ସମ ଶବ୍ଦରୂପାର୍ଥକ ପ୍ରତିଶବ୍ଦ ଉଣ୍ଡିଲେ ମିଳିଵା କଷ୍ଟସାଧ୍ୟ ହୋଇପାରେ । ଅନ୍ୟ ଭାଷାପ...