ଡକ୍ଟର ଧନେଶ୍ୱର ମହାପାତ୍ର ତାଙ୍କ "କଟକ ଜିଲ୍ଲାର ଭାଷା" ପ୍ରବନ୍ଧରେ ଓଡ଼ିଆ ଭାଷା ଵିଷୟରେ ନିମ୍ନୋକ୍ତ କଥାମାନ ଲେଖିଅଛନ୍ତି ...
(୧)ଵର୍ତ୍ତମାନ ଭାରତରେ ଓଡ଼ିଆ, ବଙ୍ଗଳା, ହିନ୍ଦୀ, ମରାଠୀ,ଗୁଜରାଟୀ ପ୍ରଭୃତି ଯେତେ ଆଧୁନିକ ଆର୍ଯ୍ୟ ଭାଷା ପ୍ରଚଳିତ ଅଛି, ସେଗୁଡ଼ିକ ମଧ୍ୟରେ ଓଡ଼ିଆ ଭାଷା ସର୍ଵାଧିକ ପ୍ରାଚୀନ । କାରଣ (ସଂସ୍କୃତ ଭିନ୍ନ) ଅନ୍ୟ ଅର୍ଯ୍ୟଭାଷାରେ ପ୍ରାଚୀନତମ ନମୁନା ଖ୍ରୀ. ଦ୍ଵାଦଶ ଶତାବ୍ଦୀ ପୂର୍ଵରୁ ମିଳୁନଥିଵାବେଳେ ଓଡ଼ିଆ ଭାଷାର ପ୍ରାଚୀନତମ ନମୁନା ଖ୍ରୀଷ୍ଟାବ୍ଦ ଦଶମ ଶତାବ୍ଦୀରୁ ମିଳୁଛି ।
(୨) ଓଡ଼ିଆ ଭାଷାର ଶବ୍ଦ ଭଣ୍ଡାର ଯେତେ ବିପୁଳ ଵିଶାଳ, ଅନ୍ୟ କୌଣସି ଆର୍ଯ୍ଯଭାଷାର ଶବ୍ଦ ଭଣ୍ଡାର ସେତେ ଵିଶାଳ ଵିପୁଳ ନୁହେଁ । ପ୍ରହରାଜଙ୍କ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ତାହାର ପ୍ରମାଣ । ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ମଧ୍ୟ ଅନେକ ଓଡ଼ିଆ ଶବ୍ଦ ସନ୍ନିଵେଶିତ ହୋଇନାହିଁ ।
(୩)ସମସ୍ତେ ଜାଣନ୍ତି , ସଂସ୍କୃତ ଭାଷାର ଅଭିଵ୍ଯକ୍ତି ଶୈଳୀ ଅନନ୍ୟ ସାଧାରଣ । ଓଡ଼ିଆ ଭାଷା ଏପର୍ଯ୍ୟନ୍ତ ସଂସ୍କୃତର ଯେତିକି ନିକଟଵର୍ତ୍ତୀ ହୋଇ ରହିଛି , ଅନ୍ୟ କୌଣସି ଭାରତୀୟ ଭାଷା ଏତେ ନିକଟଵର୍ତ୍ତୀ ହୋଇ ରହିନାହିଁ ।
(୪) ସଂସ୍କୃତର ନିକଟଵର୍ତ୍ତୀ ଏଵଂ ଵିପୁଳ ଶବ୍ଦ ଭଣ୍ଡାରଶାଳୀ ହୋଇଥିଵାରୁ ଓଡ଼ିଆ ଭାଷାର ଭାଷା ପ୍ରକାଶନୀ ଶକ୍ତି ଅସୀମ । ଏପରି କୌଣସି ଭାଵ,ଜ୍ଞାନ ଵା ଚିନ୍ତା ନାହିଁ ,ଯାହାକି ଓଡ଼ିଆ ଭାଷାରେ ପ୍ରକାଶ କରିହେଵ ନାହିଁ ।
(୫) ପ୍ରତ୍ୟେକ ଭାଷାର ଵିଭିନ୍ନ ଆଞ୍ଚଳିକ ସ୍ଵରୂପ ରହିଛି । ଓଡ଼ିଶାର ଦକ୍ଷିଣ, ଉତ୍ତର ଓ ପଶ୍ଚିମରେ ଓଡ଼ିଆ ଭାଷାର ସ୍ଵରୂପ ଵିଭିନ୍ନ । କିନ୍ତୁ ସେ ସମସ୍ତଙ୍କୁ ଓଡ଼ିଆ ଭାଷା କୁହାଯାଏ ଯେପରି ବଙ୍ଗଦେଶରେ ପ୍ରଚଳିତ ବଙ୍ଗଳା ଭାଷାର ସମସ୍ତ କଥିତ ସ୍ଵରୂପକୁ ବଙ୍ଗଳା କୁହାଯାଏ, ହିନ୍ଦୀ ଭାଷାର ସମସ୍ତ ଆଞ୍ଚଳିକ ସ୍ଵରୂପକୁ ହିନ୍ଦୀ ହିଁ କୁହାଯାଏ ଇତ୍ୟାଦି...